Unknown

 

 

 

 

 

 

 

 

୧୧୦ତମ ସଂଖ୍ୟା କୋଣାର୍କ ୧୯୮୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସଂପାଦନା ମଣ୍ଡଳୀ

ସଂପାଦକ : ଶ୍ରୀ ରବି ସିଂ

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

ଡକ୍ଟର ବିଜୟାନନ୍ଦ ସିଂହ

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ମୁଦ୍ରାକର:

ପେଜ୍‍ମେକର,

ବାପୁଜୀନଗର, ଭୁବନେଶ୍ୱର

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ବିଷୟ-ସୂଚୀ

୧.

ଶାରଳା ମହାଭାରତରେ ଲୋକ-ସଂସ୍କୃତିର ଚିତ୍ର

ଡକ୍ଟର ନିମାଇଁ ଚରଣ ପଣ୍ଡା

୨.

କାବ୍ୟଶିଳ୍ପୀ ବନମାଳୀ ଦାସଙ୍କ କବିତା-ଶିଳ୍ପରେ

ଯାବନିକ ଶବ୍ଦ ଓ ଏହାର ଭାଷାତାତ୍ତ୍ୱିକ ବ୍ୟୁତ୍ପତ୍ତି

ଅଧ୍ୟାପକ ପ୍ରମୋଦ ପାଢ଼ୀ

୩.

ମହିମା ଧର୍ମ ଧାରା ଓ ଭୀମ ଭୋଇ :

ଏକ ଅନ୍ତରଙ୍ଗ ଅଧ୍ୟୟନ

ଶ୍ରୀ ନରସିଂହ ମିଶ୍ର

୪.

ସାହିତ୍ୟ ତପସ୍ଵୀ ଗଙ୍ଗାଧର

ପଣ୍ଡିତ ଅନ୍ତର୍ଯାମୀ ମିଶ୍ର

୫.

ସ୍ୱାଧୀନତା ପୂବବର୍ତ୍ତୀ ଓଡ଼ିଆ ଶିଶୁ-ସାହିତ୍ୟର

ପ୍ରକାଶ ଓ ବିକାଶ ଧାରା

ପ୍ରଫେସର ଜଗନ୍ନାଥ ମହାନ୍ତି

୬.

ସାଂପ୍ରତିକ ପରିସ୍ଥିତିରେ ବିଜ୍ଞାନ ପତ୍ରିକା

ଶ୍ରୀ ନିଖିଳାନନ୍ଦ ପାଣିଗ୍ରାହୀ

୭.

ଭାରତୀୟ ମୁକ୍ତି-ସଂଗ୍ରାମର ମହାଯଜ୍ଞ :

ଅବଳାର ଅଙ୍ଗୀକାର

ଶ୍ରୀମତୀ ମିନତି ପଣ୍ଡା

୮.

ସ୍ୱାଧୀନତା ଆନ୍ଦୋଳନର ଅକୁହାକଥା :

ସହିଦନଗରର ଷୋଳଜଣ ସହିଦ

ପ୍ରଫେସର ନିତ୍ୟାନନ୍ଦ ମିଶ୍ର

୯.

ଓଡ଼ିଆ ଲୋକନାଟ୍ୟ ପରଂପରାରେ ସୁଆଙ୍ଗ :

ଏକ ଦୃଷ୍ଟିପାତ

ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ

୧୦.

ପ୍ରଥମ ଓଡ଼ିଆ ଉପନ୍ୟାସ

ଡକ୍ଟର କଇଳାଶ ପଟ୍ଟନାୟକ

୧୧.

ଆମେରିକାନ୍‌ ଉପନ୍ୟାସରେ ପିକେରେସ୍‌

ଶୈଳୀର ଅଭ୍ୟୁଦୟ ଓ ଅଭିବ୍ୟକ୍ତି

ଡକ୍ଟର ପ୍ରାଣକୃଷ୍ଣ ଗିରି

୧୨.

ପଲ୍ଲୀଶ୍ରୀ ଓ ବାଜିରାଉତ

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

୧୩.

ଏକାଡେମୀ ସମାଚାର

 

 

ଶାରଳା ମହାଭାରତରେ ଲୋକ-ସଂସ୍କୃତିର ଚିତ୍ର

ଡକ୍ଟର ନିମାଇଁ ଚରଣ ପଣ୍ଡା

 

ଶାରଳା ମହାଭାରତ ଓଡ଼ିଆ ସାହିତ୍ୟ, ସାହିତ୍ୟିକ, ଐତିହାସିକ, ଗବେଷକ ତଥା ସର୍ବୋପରି ଓଡ଼ିଆ ଜନଜୀବନର ଏକ ଆଦର୍ଶ । କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଇତିହାସ, ପୁରାଣ, ସଂସ୍କ୍ଟତି, ଧର୍ମ, ରାଜନୀତି, ନ୍ୟାୟ, ଅନ୍ୟାୟ - ଏ ପ୍ରତ୍ୟେକ ଦୃଷ୍ଟିକୋଣରୁ ବିଚାର କରିବା ନିମିତ୍ତ ଶାରଳା ଦାସ ଶିଳ୍ପୀମାନସରୁ ଉଦ୍‌ଭୂତ ମହାଭାରତ ଯୋଗାଇଥାଏ ପର୍ଯ୍ୟାପ୍ତ ଉପାଦାନ । ଏପରିକି ଏ କବିକୃତି ହେଉଛି ନିରକ୍ଷର ଉତ୍କଳୀୟ ଲୋକ-ଜୀବନର ଜ୍ଞାନକୋଷ । କଥା କଥାକେ ଲୋକେ ମହାଭାରତରୁ ଉଦାହରଣ ଦେଇ ଜୀବନକୁ କରନ୍ତି ଶୃଙ୍ଖଳିତ, ମାର୍ଜିତ ତଥା ରସସିକ୍ତ । ଶାରଳା ସାହିତ୍ୟପ୍ରେମୀ, ସମାଲୋଚକ, ଗବେଷକ, ଐତିହାସିକଗଣ ନିଜ ନିଜ ଦୃଷ୍ଟିଭଙ୍ଗୀରେ ଏହି ମହାନ ସାହିତ୍ୟିକକୃତି ଉପରେ, ଆଲୋଚନା, ପର୍ଯ୍ୟାଲୋଚନା କରିଛନ୍ତି, କରୁଛନ୍ତି ମଧ୍ୟ । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଉତ୍କଳୀୟ ଲୋକ-ସଂସ୍କୃତିଭିତ୍ତିକ ଅଧ୍ୟୟନ ଦିଗରେ ବିଶେଷ କିଛି ଆଲୋଚନା ହୋଇଥିବା ପରି ମନେହୁଏ ନାହିଁ । ଶାରଳା ମହାଭାରତରେ ଲୋକ-ସଂସ୍କୃତିର ଏକ ବିଶିଷ୍ଟ ବିଭାବ ‘ସମାଜ’ର ସ୍ୱରୂପ ଉଦ୍‌ଘାଟନ କରିବାରେ ବରେଣ୍ୟ ଗବେଷକ ଗୋପୀନାଥ ନନ୍ଦଙ୍କ ‘ଶ୍ରୀଭାରତ ଦର୍ପଣ’, ମୃତ୍ୟୁଞ୍ଜୟ ରଥଙ୍କ ଶାରଳା ଚରିତ’, ଶ୍ରୀମତୀ ସରଳା ଦେବୀଙ୍କ ‘ସାରଳା ମହାଭାରତରେ ନାରୀ’, ଡକ୍ଟର ଦୀନବନ୍ଧୁ ରଥଙ୍କ ଦ୍ୱାରା ପ୍ରସ୍ତୁତ ଗବେଷଣାତ୍ମକ ନିବନ୍ଧ ‘ସାରଳା ମହାଭାରତରେ ସାମାଜିକ ଜୀବନ’ ପ୍ରଭୃତି ଗ୍ରନ୍ଥଗୁଡ଼ିକ ବାସ୍ତବିକ ଉଲ୍ଲେଖନୀୟ ପଦକ୍ଷେପ । ସମାଜକୁ ଛାଡ଼ି ଲୋକ-ସଂସ୍କୃତି କିମ୍ବା ଲୋକ-ସଂସ୍କୃତି ବ୍ୟତିରେକ ସମାଜର ଅସ୍ତିତ୍ୱ ଅସମ୍ଭବ । ଲୋକ-ସଂସ୍କୃତି ଅଙ୍ଗୀ ହେଲେ ସମାଜ ହେଉଛି ତାର ଏକ ବିଶିଷ୍ଟ ଅଙ୍ଗ, ଯା’ର ମାଧ୍ୟମରେ ଲୋକ’-ସଂସ୍କୃତିର ସ୍ଵରୁପ ପ୍ରକାଶିତ ହୋଇଥାଏ । ତେଣୁ ଓଡ଼ିଆ ଜାତିର ଜଣେ ଦାୟିତ୍ୱସଂପନ୍ନ ସାମାଜିକ ବ୍ୟକ୍ତି ଭାବରେ ଶାରଳା ଦାସ ସ୍ଵୀୟ ମହାଭାରତ ଗ୍ରନ୍ଥରେ ଲୋକ- ସଂସ୍କୃତିକୁ କିଭଳି ସ୍ଥାନ ଦେଇଛନ୍ତି ଓ ଲୋକ-ସଂସ୍କୃତିର ବିଭିନ୍ନ ଉପାଦାନ ସଂଯୋଜିତ କରିଛନ୍ତି ସେଗୁଡ଼ିକୁ ସଂକ୍ଷେପରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ହିଁ ଏହି ପ୍ରବନ୍ଧ ପ୍ରସ୍ତୁତ । ବିଶାଳ ମହାଭାରତ ରୂପକ ସମୁଦ୍ରରୁ ଲୋକ-ସଂସ୍କୃତିର ଉପାଦାନ ରୂପକ ରତ୍ନଗୁଡ଼ିକୁ ସଂଗ୍ରହ କରିବା ଯେତିକି କଷ୍ଟସାଧ୍ୟ ସେତିକି ଅସମ୍ଭବ ମଧ୍ୟ । ବିଶେଷତଃ ଏଭଳି ଏକ ପ୍ରବନ୍ଧରେ ସେପରି ପ୍ରଚେଷ୍ଟା ମାଠିଆ ଭିତରେ ସମୁଦ୍ରକୁ ପୂରାଇବାର ଧୃଷ୍ଟତା ବ୍ୟତୀତ କିଛି ନୁହେଁ ।

 

ପ୍ରାସଙ୍ଗିକତା ଦୃଷ୍ଟିରୁ ଲୋକ-ସଂସ୍କୃତି କହିଲେ ପ୍ରକୃତରେ କ’ଣ ବୁଝାଏ ତା’ର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ ପୂର୍ବକ ପ୍ରବନ୍ଧଟି ଉପସ୍ଥାପନ କରାଯାଇପାରେ । ଲୋକ-ସଂସ୍କୃତିର ପରିସର ବଡ଼ ବ୍ୟାପକ । ସଂକ୍ଷେପରେ କହିବାକୁ ଗଲେ ଏହା ହେଉଛି ଆଦିମ ମଣିଷର ମନୋବୈଜ୍ଞାନିକ ଅଭିବ୍ୟକ୍ତି । ଏହା ପ୍ରକୃତିଜଗତ ଓ ମଣିଷ, ପଶୁ ପ୍ରଭୃତି ପ୍ରାଣୀ ଜଗତର ଉତ୍ପତ୍ତି, ଇହଜନ୍ମ, ପରଜନ୍ମ ବିଶ୍ଵାସ, ଅତିମାନୁଷୀ ଶକ୍ତି, ଶୁଭାଶୁଭ ନିର୍ଣ୍ଣୟ ଜ୍ୟୋତିଷ ବିଦ୍ୟା, ଭବିଷ୍ୟତ ବାଣୀ ବା ଆକାଶବାଣୀ, ଉଲୁକ ବିଦ୍ୟା, ମନ୍ତ୍ର-ତନ୍ତ୍ର ବିଦ୍ୟା ପ୍ରଭୃତି ସହିତ ସମ୍ବନ୍ଧିତ ବିଶ୍ଵାସ ଓ ପରଂପରାକୁ ଅଭିବ୍ୟକ୍ତ କରେ । ପୁଣି ବାଣିଜ୍ୟ-ବ୍ୟବସାୟ, ଓଷା-ବ୍ରତ, ପର୍ବ- ପର୍ବାଣି, ଜନ୍ମ-ବିବାହ-ମୃତ୍ୟୁ ଜନିତ ସଂସ୍କାର ପ୍ରଭୃତି ସାମାଜିକ ଅନୁଷ୍ଠାନଗୁଡ଼ିକରେ ଅନୁସୃତ ରୀତି ବା ପ୍ରଥା ଏବଂ ସର୍ବୋପରି ଲୋକ ଜୀବନରେ ସୃଷ୍ଟି ତଥା ମୌଖି‌କ ପରଂପରାରେ ପ୍ରଚଳିତ ଲୋକଗୀତ, ଲୋକକଥା ନାଁ ଦିଆ ବା ପ୍ରହେଳିକା ଓ ପ୍ରବାଦ-ପ୍ରବଚନାଦି ଲୋକୋକ୍ତି, କିଂବଦନ୍ତୀ, ମିଥ୍ ବା ପୁରାଣ କଥା- ଏସବୁ ଲୋକ-ସଂସ୍କୃତିର ପରିସରଭୁକ୍ତ । ଲୋକ- ସଂସ୍କୃତି ଓ ଲୋକ ଜୀବନରେ ସଂପର୍କ ବଡ଼ ନିବିଡ଼ । ଗୋଟିଏର ଅଭାବରେ ଅନ୍ୟଟିର ପରିକଳ୍ପନା ଅସମ୍ଭବ । ସୁତରାଂ ଲୋକ-ସଂସ୍କୃତି ନିତ୍ୟ ନୂତନ ଓ ଚିର ପୁରାତନ । ଷ୍ଟାଣ୍ଡାର୍ଡ ଡିକ୍‌ସନାରୀ ଅଫ୍‌ ଫୋକ୍‌ଲୋର, ଲିଜେଣ୍ଡ ଏଣ୍ତ ମାଇଥୋଲୋଜିରେ ତେଣୁ ଲୋକ-ସଂସ୍କୃତି ସଂପର୍କରେ କୁହାଯାଇଛି ‘‘ଲୋକ-ସଂସ୍କୃତି ହେଉଛି ଜୀବନ୍ତ ଜୀବାଶ୍ମ ଯାହାକି ମରିବା ପାଇଁ ଅସ୍ଵୀକାର କରେ ।’’ (୧) ଲୋକ- ସଂସ୍କୃତିର ଉପରୋକ୍ତ ସ୍ଵରୁପ ଓ ବିସ୍ତୃତ କ୍ଷେତ୍ର ଦୃଷ୍ଟିରୁ ବିଚାର କଲେ ଯେ କୌଣସି ସାହିତ୍ୟ ସୃଷ୍ଟି ଓ ପୁଷ୍ଟି ନିମିତ୍ତ ଏହା ଯେ ଏକ ଆବଶ୍ୟକୀୟ ଉପାଦାନ ଏଥିରେ କିଛି ସନ୍ଦେହ ନାହିଁ । ବିଶେଷତଃ ତତ୍କାଳୀନ ସାମାଜିକ ଜୀବନର ଭିତ୍ତିରେ ସୃଷ୍ଟ ବିଶାଳ ମହାଭାରତ ପୁରାଣ ପରିପ୍ରେକ୍ଷୀରେ ଲୋକ-ସଂସ୍କୃତିର ବିଚାର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ।

 

(1)

Folklore is a lively fassil which refuses to disstandard Dictionary of Folklore Legends and Mythology:

Ed. Maria Leaea

 

ଶାରଳା ଦାସଙ୍କ କବି ପ୍ରତିଭାର ପରିସ୍ଫୁଟନ ମୂଳରେ ଦେବୀକୃପାର ସ୍ଵୀକୃତି ତଥା ଦେବୀ ପୀଠର ମହାତ୍ମ୍ୟ ବର୍ଣ୍ଣନା ଲୋକ-ସଂସ୍କୃତିର ଗୋଟିଏ ବିଭାଗ ‘ଲୋକ ବିଶ୍ଵାସ’ ଉପରେ ପ୍ରତିଷ୍ଠିତ । କବିଙ୍କ ଏହି ଲୋକ-ସଂସ୍କୃତି ପ୍ରୀତିକୁ ଉପେକ୍ଷା କରାଯାଇ ନପାରେ । ବିଲଙ୍କା ରାମାୟଣ ରଚୟିତା ସିଦ୍ଧେଶ୍ଵର ପରିଡ଼ାହିଁ ଚଣ୍ଡୀପୁରାଣ ଓ ଶାରଳା ମହାଭାରତର କବି ଶାରଳା ଦାସ । ଦେବୀ ଶାରଳାଙ୍କ କୃପାରୁ ତାଙ୍କର କବିତ୍ୱ ସମ୍ଭବ ଏବଂ ସିଦ୍ଧିଲାଭ ପରେହିଁ କବି ନିଜକୁ ଶାରଳା ଦାସ ନାମରେ ପରିଚିତ କରାଇଅଛନ୍ତି ।

 

‘ଜଗନ୍ମାତା ଯହୁଁ ପ୍ରସନ୍ନ ମୋତେ ହେଲେ

ଶୂଦ୍ରମୁନି ଶାରଳା ଦାସ ନାମ ଦେଲେ ।’’

(ଆଶ୍ରମିକ ପର୍ବ)

 

ପୁଣି ଓଡ଼ିଶାର ପ୍ରସିଦ୍ଧ ଝଙ୍କଡ଼ ଶକ୍ତିପୀଠର ଦେବୀ ବିରଜାଙ୍କ ସେବକ ମୂର୍ଖ ସିଦ୍ଧେଶ୍ଵର ପରିଡ଼ା ଦେବୀଙ୍କ କୃପାରୁହିଁ କବିତା ରଚନା କରିବାର ସୌଭାଗ୍ୟ ପାଇଥିବା କଥା ଚଣ୍ଡୀପୁରାଣରେ ଉଲ୍ଲେଖ କରିଛନ୍ତି-

 

‘‘ନିଶିରେ ପ୍ରସନ୍ନ ଥାଇ ଯାହା ସେ କହଇ

ଅରୁଣ ପ୍ରକାଶେ ମୁହିଁ ସେ ସବୁ ଲେଖଇ ।’’

 

କବିଙ୍କ ଉପରୋକ୍ତ ସ୍ଵୀକାରୋକ୍ତିରୁ ବିରଜାପୀଠର ମହାତ୍ମ୍ୟ ଓ ଦେବୀଙ୍କ ପ୍ରତି ଅଗାଧ ବିଶ୍ଵାସ ଥିବା ଜଣାଯାଏ । ଅତିମାନୁଷୀ ଶକ୍ତି ବା ଦୈବୀ ଶକ୍ତି ବଳରେ ଏଭଳି ଅସମ୍ଭବ ସମ୍ଭବ ହୋଇପାରୁଥିବାର ପରିକଳ୍ପପନା ନିଶ୍ଚିତ ଭାବରେ ଲୋକବିଶ୍ୱାସର ପରଂପରା ଉପରେ ପ୍ରତିଷ୍ଠିତ ।

 

ପଞ୍ଚଦଶ ଶତାବ୍ଦୀରେ ବା ଶାରଳା ଦାସଙ୍କ ସମୟରେ ଓଡ଼ିଶାରେ ଗୁଣି-ଗାରୁଡ଼ି, ଉଚ୍ଚାଟନ, ସମ୍ମୋହନ, ବଶୀକରଣ, ଚକ୍ଷୁବନ୍ଧନ, ଉଲୁକବିଦ୍ୟା, ଜ୍ୟୋତିଷ ଶାସ୍ତ୍ର ପ୍ରଭୃତି ବିଦ୍ୟାର ପ୍ରଭୂତ ପ୍ରଚଳନ ଓ ଲୋକଙ୍କ ଏଥିରେ ପ୍ରବଳ ବିଶ୍ଵାସ ତଥା କବିଙ୍କ ଏ ଦିଗରେ ଯଥେଷ୍ଟ ଜ୍ଞାନ ଥିବା କଥା ଶାରଳା ମହାଭାରତବର୍ଣ୍ଣିତ ବିଭିନ୍ନ ପ୍ରସଙ୍ଗରୁ ସୂଚିତ ହୋଇଥାଏ ।

 

ଆଦିପର୍ବରେ ଖନିକାରର ଜନ୍ମ-ବୃତ୍ତାନ୍ତ ପ୍ରସଙ୍ଗ ବର୍ଣ୍ଣନାରେ ରାଧାକୃଷ୍ଣଙ୍କ ଅବୈଧ ପରକୀୟା ପ୍ରଣୟ ସଂପର୍କରେ କବି କୃଷ୍ଣଙ୍କୁ ଜଣେ ନିତାନ୍ତ ଲଂପଟ, କାମୁକ ଭାବରେ ଉପସ୍ଥାପିତ କରିଛନ୍ତି । ଶ୍ରୀକୃଷ୍ଣ ରାଧାଙ୍କ କାମପୀଡ଼ାରେ ଆଗପଛ କିଛି ବିଚାର ନକରି ରାତିରେ ଚନ୍ଦ୍ରସେଣାର ଘରେ ପହଂଚି ଅପଦସ୍ତ ହୋଇଛନ୍ତି । ମୁଣ୍ଡରେ କବାଟର କଣ୍ଟା ଲାଗି ରକ୍ତାକ୍ତ ହେବା ସତ୍ତ୍ୱେ ରାଧା- ମିଳନ ଉତ୍କଣ୍ଠାରୁ ଶ୍ରୀକୃଷ୍ଣ ନିବୃତ୍ତ ହୋଇନାହାନ୍ତି ବରଂ ରମଣ ସଂପନ୍ନ କରିଛନ୍ତି । ତାଙ୍କର ଏତାଦୃଶ ଅବସ୍ଥା ଦେଖି‌ ନିଜେ ବ୍ରହ୍ମା ଶ୍ରୀକୃଷ୍ଣଙ୍କର ମୁଣ୍ଡର ଆଘାତକୁ କଟାକ୍ଷ ମନ୍ତ୍ରରେ କରିଛନ୍ତି ଉପଶମ ଓ ସିନ୍ଧିକରି ରାଧାଙ୍କ ଶୟନ କକ୍ଷରେ ପଶିବା ପାଇଁ ଦେଇଛନ୍ତି ଏକ ଲୌହାସ୍ତ୍ର ବା ଖନିତ୍ର । ପୁଣି ଅନ୍ଧାରରେ ସବୁ ଦୃଶ୍ୟ ହେବା ପାଇଁ ଦେଇଛନ୍ତି ମନ୍ତ୍ରସିଦ୍ଧ ଅଞ୍ଜନ ଓ ଚନ୍ଦ୍ରସେଣାକୁ ଗାଢ଼ ନିଦ୍ରାରେ ଅଭିଭୂତ କରାଇବା ପାଇଁ ମୁଠାଏ ନିଦଧୂଳି । ମନ୍ତ୍ରସିଦ୍ଧ ଅଞ୍ଜନ ନିଜେ ଲଗାଇ ଓ ନିଦଧୂଳି ଚନ୍ଦ୍ରସେଣା ଉପରକୁ ନିକ୍ଷେପ କରି ଅକ୍ଳେଶରେ ତଥା ନିରାପଦରେ ରାଧାଙ୍କୁ ରମଣ କରିବାରେ ସଫଳ ହୋଇଥବାରୁ ଶ୍ରୀକୃଷ୍ଣ ଉକ୍ତ ମନ୍ତ୍ରସିଦ୍ଧ କୁହୁକ ବିଦ୍ୟାକୁ ପରଂପରାକ୍ରମେ ଅନୁସୃତ ହେବାପାଇଁ ‘ଲକ୍ଷଣାଶାସ୍ତ୍ର’ନାମରେ ନାମିତ କରି ଅଛନ୍ତି ।

 

‘‘ରାଧାକୃଷ୍ଣଙ୍କର ଯହୁଁ ସରିଗଲା କେଳି

ରାତ୍ର ଶେଷେ ବାହାରିଲେ ତହୁଁ ବନମାଳୀ

ବିଚାରନ୍ତି ଏ ବିଧିରେ କାର୍ଯ୍ୟ ହେଲା ସିଦ୍ଧି

କାଳେ କାଳେ ହେଉଥାଉ ଏହିପରି ବିଧି

ଏ ଲକ୍ଷଣେ ନାରାୟଣ ଏହା ନିର୍ମାଣିଲେ

ତେଣୁ ଏ ଶାସ୍ତ୍ରର ନାମ ଲକ୍ଷଣା ରଖି‌ଲେ ।’’

 

ସମାଜରେ ପରଦାରାର ପ୍ରଚଳନରେ କୁଟୁଣୀର ଭୂମିକା ବିଶେଷ ଗୁରୁତ୍ଵପୂର୍ଣ୍ଣ । ପ୍ରେମିକ, ପ୍ରେମିକାର ମିଳନ ପାଇଁ କୁଟୁଣୀର ଚାଟୁବାଣୀ ଓ ଗୁଟିକା, ଅଂଜନ, ସ୍ତମ୍ଭନ, ମୋହନ, ବଶ୍ୟ ଉଚ୍ଚାଟନ ପ୍ରଭୃତି ମୋହୀନୀ ବିଦ୍ୟାର ପ୍ରୟୋଗ ବିଶେଷ ସହାୟକ ହୋଇଥାଏ । ଚନ୍ଦ୍ରସେଣାର ଆକଟରେ ରାଧାଙ୍କ ସହିତ ପୁନର୍ମିଳନର ସମ୍ଭବ ନହେବାରୁ କାମପୀଡ଼ାଗ୍ରସ୍ତ ଶ୍ରୀକୃଷ୍ଣ ଅନନ୍ୟୋପାୟ ହୋଇ ମୋହିନୀ ବିଦ୍ୟାରେ ସିଦ୍ଧା ସହଜସୁନ୍ଦରୀ ନାମଧ୍ୟେୟା କୁଟୁଣୀକୁ ହାତ କରିଥିବା ଆଦିପର୍ବରେ ସୂଚିତ ହୋଇଅଛି ।

 

‘‘ସ୍ତମ୍ଭନ ମୋହନ ଆଦି ବଶ୍ୟ ଉଚ୍ଚାଟନ

ଗୁଟିକା ଅଂଜନ ଆଦି ଧରଣ ଧାରଣ

ସର୍ବ ବିଦ୍ୟା ଜାଣଇ ସେ ସହଜ ସୁନ୍ଦରୀ

ତା ଭାବରସ ବଚନେ ପାଷାଣ ତରଳି ।’’

 

ଏ ସମସ୍ତ ବିଦ୍ୟାର ଆଧାର ଦେବୀ ଶକ୍ତିମୟୀ ବୋଲି ଶାରଳା ଦାସ ଭୀମ-ଜରାସନ୍ଧ ଯୁଦ୍ଧ ପ୍ରସଙ୍ଗରେ ସୂଚିତ କରିଅଛନ୍ତି । ଭୀମ ଉପରେ ଜରାସନ୍ଧ ମାଡ଼ି ବସିବା କାଳରେ ଉପସ୍ଥିତ ବନ୍ଦୀ ରାଜାମାନେ ଭୀମଙ୍କୁ ରକ୍ଷା କରି ଜରାସନ୍ଧକୁ ଭୀମଦ୍ୱାରା ମରାଇବାରେ ସର୍ବ ତନ୍ତ୍ର-ମନ୍ତ୍ର ମୋହନୀ ବିଦ୍ୟାର ଆଧାର ଦୁର୍ଗାଙ୍କୁ ସ୍ତୁତି କରିଅଛନ୍ତି ।

 

‘‘ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ବିଦ୍ୟା

ଗୁଟିକା ଅଂଜନ ଧରଣ ଧାରଣ ସର୍ବ ସିଦ୍ଧା

ତାରଣ ମାରଣ ଧାରଣ ସିଦ୍ଧ ସାଧକ ମନ୍ତ୍ର

ସାଧନ ଶୋଧନ ବୋଧନ ସିଦ୍ଧ ସର୍ବଯନ୍ତ୍ର

ଉଲୁକପଦ ମନ୍ତ୍ର ସାଧନେ ତୁ ପରମଯୋଗେଶ୍ଵରୀ

ବାହାନେ ବିଜେକରୁ ଗୋ ପିଠି ଯେ କେଶରୀ ।’’

 

କିମ୍ବା ମଧ୍ୟପର୍ବର ସୁଭଦ୍ରାହରଣ ପ୍ରସଙ୍ଗରେ ମାୟାଦେବୀ ଶିକ୍ଷା ଦେଇଥିବା ଉଲୁକ ବିଦ୍ୟା, ପାଦୁକା ଔଷଧି, ଅଜ୍ଞାନ ବିଦ୍ୟା ପ୍ରଭୃତି ସାହାଯ୍ୟରେ ସୁଭଦ୍ରା ଅର୍ଜୁନଙ୍କୁ ବଶ କରିଛନ୍ତି-

 

‘‘ଆରେକ ପଦାର୍ଥ ଅଛି ପାଦୁକା ଔଷଧି

ସହସ୍ର ଯୋଜନେ ଥିଲେ ଭେଟିବୁ ତା ସାଧି

ଅଂଜନ ବିଦ୍ୟା ମୁଁ ତୋତେ କହୁଛି ଗୋ ମାଏ

ରାତ୍ରେ ଚାହିଁଲେ ଦିଶିବ ଦିବସ ପରାୟେ ।’’

 

ଉପରୋକ୍ତ ଉଦ୍ଧୃତିଗୁଡ଼ିକରୁ ସ୍ପଷ୍ଟ ସୂଚିତ ହୁଏ ଯେ ତତ୍କାଳୀନ ଓଡ଼ିଶାର ଲୋକଜୀବନରେ ଉପରୋକ୍ତ ମନ୍ତ୍ରବିଦ୍ୟା ତଥା ଅଲୌକିକ ଶକ୍ତି ସଂପନ୍ନ ମନ୍ତ୍ରସିଦ୍ଧ ପଦାର୍ଥଗୁଡ଼ିକର ବହୁଳ ପ୍ରଚଳନ ଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସେତେବେଳେ ଓଡ଼ିଶାରେ ବୌଦ୍ଧ ସହଜଯାନ ପ୍ରଭୂତ ପ୍ରତିଷ୍ଠା ଅର୍ଜନ କରିଥିଲା ଏବଂ ଶାରଳା ଦାସ ଉକ୍ତ ଭ୍ରଷ୍ଟାଚାରମାର୍ଗୀ ସହଜଯାନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ମାଧ୍ୟମରେ ସହଜସୁନ୍ଦରୀ ଚରିତ୍ରର ଅବତାରଣା କରି ଅଛନ୍ତି । ପୁଣି ଭାଗବତ୍ୱର ଅଧିକାରୀ ଶ୍ରୀକୃଷ୍ଣଙ୍କୁ ଲଂପଟ ଭାବରେ ଉପସ୍ଥାପିତ କରିବା ସଂଗେ ସଂଗେ ବେଦପତି ବ୍ରହ୍ମାଙ୍କ ନୀଚ ପ୍ରକୃତିକୁ ପଦାରେ ପକାଇଛନ୍ତି ।

 

ଭୂତପ୍ରେତଙ୍କୁ ଆୟତ୍ତ କରିବା ନିମିତ୍ତ ଗୁଣି-ଗାରେଡ଼ି ବା ଭୂତବିଦ୍ୟା, ଅଦୃଶ୍ୟ ଭାବରେ ଉଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ ଉଲୁକ ବିଦ୍ୟା ପ୍ରଭୃତି ମଧ୍ୟ ଲୋକ ଜୀବନକୁ ପ୍ରଭାବିତ କରିଥିବା କଥା ଶାରଳା ମହାଭାରତରେ ଉଲ୍ଲିଖିତ । ‘ଉଦ୍‌ଯୋଗ ପର୍ବ’ରେ ବର୍ଣ୍ଣିତ ବାବନାଭୂତ ପ୍ରସଙ୍ଗରେ ଭୂତବିଦ୍ୟାର ଶକ୍ତି ପ୍ରମାଣ କରିଛି ଶୂଦ୍ରକ ରାଉଳ । ଶୂଦ୍ରକ ରାଉଳ ମାଘିରାଶି ଚାଷକରିବା ଉଦ୍ଦେଶ୍ୟରେ ଖଣ୍ଡିଏ ଗୋରଡ଼ ବା ଗୁଡ଼ା ଜମିରେ ଗ୍ରାମବାସୀଙ୍କ ବାରଣ ସତ୍ତ୍ୱେ‌ ହଳ କରିଛି । ଏଥିରେ ଭୂତମାନଙ୍କର ଅଧିପତି ବାବନାଭୂତ ଉତ୍‌କ୍ଷିପ୍ତ ହୋଇ ରାଉଳର ପୁଅଦେହରେ ଲାଗିଛି । କିନ୍ତୁ ଭୂତବିଦ୍ୟାର ଅଧିକାରୀ ଶୂଦ୍ରକ ରାଉଳ ମନ୍ତ୍ରସିଦ୍ଧ ମହାଜାଲରେ ବାବନାଭୂତକୁ ଧରିଆଣି ତାର ବଶ୍ୟତା ସ୍ଵୀକାର କରାଇଥିବା ନିମ୍ନୋକ୍ତ ଉଦ୍ଧୃତିରୁ ସୂଚିତ ହୋଇଥାଏ ।

 

‘‘ବାବନାଭୂତ ବୋଲି ସେ ଭୂତଙ୍କର ରାଜା

ମହା ପ୍ରଚଣ୍ଡ ସେ ଚଣ୍ଡମାନଙ୍କର ଦୁଜା

ସେ ନଥିଲା ସେ ଦିନ ପ୍ରବେଶ ହେଲା ଆସି

ବୋଇଲା କ୍ରୀଡ଼ାଭୂମି କେରେ ଆମ୍ଭର ଚଷି

ଭୂତେ ବୋଇଲେ ସେ ଶୂଦ୍ରକ ନାମେ ୟେକଇ ରାଉଳ

ସେ ୟେହା ଚଷଇ ବୁଣିବ ମାଦ୍ଧତିଳ ।

ଶୁଣ ହୋ ମହାରାଜା ସେ ବାବନାଭୂତ ତହୁଁଗଲା ବେଗି

ସେ ମହା ରାଉଳର ୟେକା ପୁତ୍ର ଗୋଟିକି ଯାଇଁ ଲାଗି

ଭୂତର ଚେରେଷ୍ଟା ସେ ମହା ରାଉଳ ଜାଣିଲା

ମହାଜାଲ ପାତିଣ ବାବନାଭୂତକୁ ଧଇଲା ।’’

 

ସେହିପରି ଉଲୁକ-ବିଦ୍ୟା ସାହାଯ୍ୟରେ ସହଜରେ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବା ଲୋକଜୀବନର ଏକ ବଦ୍ଧମୂଳ ବିଶ୍ଵାସ । ଏହି ବିଦ୍ୟାର ପ୍ରୟୋଗରେ ପ୍ରେମିକ-ପ୍ରେମିକା ଅଦୃଶ୍ୟ ଭାବରେ ଲକ୍ଷ୍ୟ ସ୍ଥଳରେ ପହଂଚି ପରସ୍ପର ମିଳିତ ହୁଅନ୍ତି । ଶାରଳା ଦାସ ସ୍ଵୀୟ ମହାଭାରତ ଗ୍ରନ୍ଥର ବିଭିନ୍ନ ପ୍ରସଙ୍ଗରେ ସୂଚିତ କରିଅଛନ୍ତି । କୀଚକର କବଳରୁ ରକ୍ଷାପାଇବା ନିମିତ୍ତ ଦ୍ରୌପଦୀ ପାଣ୍ତବ ନିକଟରେ ଅଦୃଶ୍ୟ ଭାବରେ ଆସି ଉପସ୍ଥିତ ହେବା କିମ୍ବା ଅର୍ଜୁନ ସୁଭଦ୍ରାଙ୍କ ସହିତ ମିଳିତ ହେବା, ପ୍ରସଙ୍ଗାଦି ଉଲୁକ ବିଦ୍ୟା ପ୍ରୟୋଗରେ ଶ୍ରେଷ୍ଠ ନିଦର୍ଶନ । ଉଦାହରଣ ସ୍ଵରୂପ ମହାଭାରତ ବଣ୍ଣିତ ଉଭୟ ପ୍ରସଙ୍ଗରୁ ଯଥାକ୍ରମେ ଉଦ୍ଧୃତ କରାଯାଇପାରେ-

 

‘‘ଗୋଷ୍ଠ ଭିତରେ ପଶିଲେ ଦେବୀ ଅତିଖରେ

ପ୍ରବେଶ ହୋଇଲେ ତନ୍ତ୍ରପାଳ ସନ୍ନିଧିରେ

ଉଲ୍ଲୁକ ବିଦ୍ୟା ପ୍ରସାଦେ ନଦେଖି‌ଲେ କେହି

ଆବର ଗୋପାଳେଛନ୍ତି ଅଚେଷ୍ଟରେ ଶୋଇ ।’’

(ବିରାଟ ପର୍ବ)

 

କିମ୍ବା ସୁଭଦ୍ରା- ହରଣ ପ୍ରସଙ୍ଗରେ ମାୟାଦେବୀ କୃପାରୁ ସୁଭଦ୍ରା ଉଲୁକ ବିଦ୍ୟା ଲାଭକରି ଅର୍ଜୁନଙ୍କ ଶୟନ କକ୍ଷରେ ପ୍ରବେଶ କରିବା ପ୍ରସଙ୍ଗରେ ବର୍ଣିତ ଅଛି-

 

‘‘ଏତେ ବୋଲି ତହୁଁ କାମଦେବର ଯୁବତୀ

ମନ୍ତ୍ରଗୋଟି ସୁଭଦ୍ରାକୁ କହିଲେ ଝଟତି

କବାଟ କିଳିଣ ଶୋଇଥିବେ ଧନଞ୍ଜୟେ

ତହିଁକି ଅଛି ମୋହର ମନ୍ତ୍ରଯେ ଗୋଟିଏ

ଉଲୁକ ବିଦ୍ୟାତୁ ପଢ଼ିଯିବୁ ଆଜି ରାତ୍ର

 

ଏମନ୍ତ ପଢ଼ିଛୁଇଁଲେ ଦ୍ୱାର ଯିବ ଫିଟି

ଫିଟାଇ କହିଲେ ସୁଭଦ୍ରାଙ୍କୁ ମନ୍ତ୍ରଗୋଟି

ଉଲୁକ ବିଦ୍ୟା ସାଧନ ଶିଖାଇବି ତୋତେ

ଏହାକୁ ପଢ଼ି ଅର୍ଜୁନ ପାଶେ ଯିବୁ ରାତ୍ରେ

ତୁ ସବୁ ଦେଖି‌ବୁ ତୋତେ ନ ଦେଖି‌ବେ କେହି

ଏକଇ ବିଦ୍ୟା ସାଧନ୍ତେ ଯିବ ମୋହ ହୋଇ ।’’

(ମଧ୍ୟପର୍ବ-ସୁଭଦ୍ରାହରଣ)

 

ଯାତ୍ରା, ବ୍ୟବସାୟ, ଗୃହପ୍ରବେଶ କିମ୍ବା ବିବାହାଦି ସାମାଜିକ ଅନୁଷ୍ଠାନ ତଥା ଯୁଦ୍ଧଯାତ୍ରାଦି ଆୟୋଜନ ପୂର୍ବରୁ ପାରଂପରିକ ରୀତିରେ ଶୁଭାଶୁଭ ନିର୍ଣ୍ଣୟ କରିବା ଉତ୍କଳୀୟ ଲୋକଜୀବନରେ ଏକାନ୍ତ ଭାବରେ ଆବଶ୍ୟକ ହୋଇଥାଏ । ଉତ୍କଳୀୟ ପରଂପରାର ପୂଜାରୀ ଶାରଳା ଦାସ ମହାଭାରତରେ ବହୁସ୍ଥଳରେ ଶୁଭାଶୁଭ ନିର୍ଣ୍ଣୟ ବା ଶୁଭଶକୁନ କଥା ସୂଚାଇଛନ୍ତି । ମହାଭାରତ ଯୁଦ୍ଧର ଆରମ୍ଭ ପୂର୍ବରୁ ଶୁଭସ୍ତମ୍ଭ ପ୍ରୋଥିତ ପ୍ରସଙ୍ଗ ଏହି ପରିପ୍ରେକ୍ଷୀରେ ଉଦାହୃତ ହୋଇପାରେ । ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ସମସ୍ତ ପ୍ରକାର ମାଙ୍ଗଳିକ ରୀତି ଅନୁସରଣ ପୂର୍ବକ ବଡ଼ କଷ୍ଟରେ ଶୁଭସ୍ତମ୍ଭ ଅଣାଯାଇପାରିଲା ସତ, କିନ୍ତୁ ସ୍ତମ୍ଭ ପୋତିବା ନିମିତ୍ତ ଉପଯୁକ୍ତ ସ୍ଥାନ ନିରୁପଣରେ ଉଭୟ ପକ୍ଷ ବିଷମ ସମସ୍ୟାର ସମ୍ମୁଖୀନ ହେଲେ । ଏହି ସମୟରେ ରଣଭୂମିର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୁଭଶକୁନ ଲକ୍ଷ୍ୟ କରି ଭଗବାନ ଶ୍ରୀକୃଷ୍ଣ ଉକ୍ତ ସ୍ଥାନରେ ସ୍ତମ୍ଭ ପୋତିବାକୁ ନିର୍ଦ୍ଦେଶ ଦେଲେ ।

 

ଅମୃତ ବେଳା ଯେ ଶୁଭଯୋଗ ବିଚାରି

ତିଥି ବାର ନକ୍ଷତ୍ର କହିଲେ ଗ୍ରହକାରୀ

ୟେମନ୍ତର ସମୟେ ଦେବକୀର ବାଳ

ଦେଖି‌ଲେ ପଚ୍ଛୀୟେ ଗୃହକୁ କରଇ ଅନୁକୁଳ

ଗ୍ୟାନକୋଶ ନାମେଣ ଚଡ଼ାଇ ଭରତିଆ

ତିରଣ ଧରିଣ ସେ ହୋଇଅଛି ଠିଆ

ଭୂମିରେ ଘର କରଇ ଭରତିଆ ପଚ୍ଛୀ

ସେ ଭରତିଆ ଅନୁକୁଳ ଲକ୍ଷିଲେ ଶ୍ରୀବତ୍ସି ।

 

ପୁନଶ୍ଚ ମହାଭାରତ ଯୁଦ୍ଧ ନିମିତ୍ତ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାଣ୍ଡବମାନଙ୍କ ପକ୍ଷରେ ଦେଖାଯାଇଥିବା ନିମ୍ନୋକ୍ତ ଶୁଭଶକୁନ ସେମାନଙ୍କର ଯୁଦ୍ଧ ଯାତ୍ରାର ଅନୁକୂଳତା ସୂଚାଇଥିବା କଥା ମହାଭାରତ ଗ୍ରନ୍ଥରେ ଉଲ୍ଲିଖିତ ହୋଇଛି । ଯେପରି-

 

‘‘ଏମନ୍ତ କାଳେ ଉତ୍ତର ଦିଗେ ହସ୍ତୀ ଛିଙ୍କି

ଶୁଭେ ନାରୀ ଡାକ ଦଧି ମଙ୍ଗଳ ତହଁକି

ବାମରେ ଯୋଗ୍ନୀ ଆଗ୍ନେୟ କୋଣେ କଲେ ସ୍ଥିତି

ଈଶାନେ ଉଦୟ ହେଲେ ମହାଲକ୍ଷ୍ମୀ ମୂର୍ତ୍ତି

ଶ୍ରୀୟା ନାମେଣ ବିଖ୍ୟାତ ଏକ ଗୋପାଳୁଣୀ

ଛାମୁରେ ଡାକିଲା ଆସି ଦଧିଭାଣ୍ଡ ଘେନି

ଯମୁନା ନଦୀ ମଝିରୁ ଡେଇଁ ଏକ ମାଛ

ଛାମୁରେ ପଡ଼ିଲା ଦେଖି‌ଲେ ପ୍ରତ୍ୟକ୍ଷ

ଶଂଖଚିଲ ଡାକିଦିଏ ପଶ୍ଚିମ ମୂରତି

ଭଦଭଦଳିଆ ପକ୍ଷୀ ରମ୍ଭା ବୃକ୍ଷେ ସ୍ଥିତି ।’’

 

କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ କିମ୍ବା ଅବୟବର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ସ୍ଫୁରଣରୁ ମଧ୍ୟ ଶୁଭାଶୁଭର ସୂଚନା ମିଳିଥାଏ ଏବଂ ତଦନୁଯାୟୀ ମନରେ ଆଶା ବା ଆଶଙ୍କା ଜାତ ହୋଇଥାଏ । ଦ୍ରୋଣ ପର୍ବରେ ବର୍ଣ୍ଣିତ ଅଭିମନ୍ୟୁର ମୃତ୍ୟୁ ପରେ ଅର୍ଜ୍ଜୁନଙ୍କୁ ଶ୍ରୀକୃଷ୍ଣ ରଥରେ ବସାଇ ଆଣୁଥିବା ସମୟରେ ଅର୍ଜ୍ଜୁନ କେତେକ ଅଶୁଭ ଶକୁନ ଦେଖି‌ ଓ ନିଜ ଅଙ୍ଗପ୍ରତ୍ୟଙ୍ଗର ସ୍ଫୁରଣରୁ ଅନୁମାନ କରି ଶଙ୍କାକୁଳ ମନରେ ଶ୍ରୀକୃଷ୍ଣଙ୍କୁ ତହିଁର କାରଣ ଜିଜ୍ଞାସା କରିଛନ୍ତି-

 

‘‘ଆସନ୍ତେ କୃଷ୍ଣଙ୍କୁ ପଚ୍ଛଇ ଧନୁର୍ଜୟେ

ବାମନୟନ ମୋର ଫୁରଇ ଦେବରାୟେ ।

 

ବାମେଣ ଶବଦ କରଇ ଉଲୁକ ପଚ୍ଛୀ

ଆପଣେ ବିକରାଳ ବୋବି ଦିଅଇ ଜମ୍ବୁକୀ

 

ହରି ଶୁଖି‌ଲା କାଷ୍ଠଡ଼ାଳ ଉପରେ ବସି କାକ

ବିକଟାଳ କରିଣ ଆଗେ ଦିଅଇ ଘୋର ଡାକ ।’’

 

ଏସବୁ ଅନ୍ଧବିଶ୍ଵାସ ବୋଲି କୁହାଯାଇପାରେ, କିନ୍ତୁ ଶକୁନ ଅପଶକୁନ ବିଶ୍ଵାସ ଯେ ଲୋକଜୀବନରେ ଅସ୍ଥି-ମଜ୍ଜାଗତ ଏହାକୁ ଅସ୍ଵୀକାର କରାଯାଇ ନପାରେ । ଏହା ବ୍ୟତୀତ ଉତ୍କଳୀୟ ଲୋକଜୀବନରେ ଏକ ନିର୍ଦ୍ଦିଷ୍ଟ ତଥା ଗୁରୁତ୍ୱପୂର୍ଣ୍ଣ ସାମୟିକ ଘଟଣା ନିମିତ୍ତ ଶୁଭାଶୁଭ ବା ବେଳଅବେଳର ବିଚାର ଉଲ୍ଲେଖଯୋଗ୍ୟ । କନ୍ୟା ପ୍ରଥମ ରଜୋବତୀ ହେବା ସମୟ କିମ୍ବା ସହବାସରେ ପୁରୁଷର ବୀର୍ଯ୍ୟ ପତନର ସମୟ ସ୍ଵାମୀ-ସ୍ତ୍ରୀ ତଥା ପରିବାରର ମଙ୍ଗଳ ବା ଅମଙ୍ଗଳର କାରଣ ହୋଇଥାଏ । ସମାଜ ସଂସ୍କାରକ, ଶିକ୍ଷକ କବି ଶାରଳା ଦାସ ଏହି ସାମାଜିକ ପ୍ରଚଳନକୁ ମହାଭାରତରେ ଅନେକ ସ୍ଥଳରେ ସୂଚାଇ ଅଛନ୍ତି । ଯେପରି-

 

ଆଦିତ୍ୟ ବାରେ ରଜୋବତୀ ହୋଇଲେ ସନ୍ତାନ ବିରୋଧୀ

ସଞ୍ଚୟେ ଜନମି ମରଇ ଆବୋରଇ ବ୍ୟାଧି

ଚନ୍ଦ୍ରବାରେ ସ୍ତିରୀ ଯେବେ ହୋଅଇ ରଜୋବତୀ

ଆଷ୍ୟ ଧନବତୀ ହୋଇବେ ସ୍ଵାମୀରେ ଭଗତି ।’’

 

ଜନ୍ମ ସଂସ୍କାର ସଦୃଶ କନ୍ୟା ପ୍ରଥମେ ରଜୋବତୀ ହେବା ସମୟରେ ମଧ୍ୟ କେତେକ ରୀତି ଅନୁଷ୍ଠିତ ହୋଇଥାଏ ଏବଂ ରଜକାଳୀନ ଲଗ୍ନ, ବେଳା, ଯୋଗ ପ୍ରଭୃତି ନିର୍ଣ୍ଣୟ କରାଯିବା ପୂର୍ବରୁ, ସୂଚିତ ହୋଇଛି ଯେ ନିର୍ଦ୍ଦିଷ୍ଟ ତିଥି, ବାର, ରାଶି, ନକ୍ଷତ୍ର ଅନୁଯାୟୀ ରଜସ୍ୱଳା ହେଲେ ନିର୍ଦ୍ଦିଷ୍ଟ ଫଳାଫଳ ଘଟିଥାଏ । ବିବାହ ପରେ ବନ୍ଦାପନା ଦିନ ମଧୁଶଯ୍ୟା ନିମିତ୍ତ ମଧ୍ୟ ରଜୋବତୀ ହେବା ସମୟର ଗୂଢ଼ ସମ୍ବନ୍ଧ ରହିଥାଏ । ତିଥି, ବାର କିମ୍ବା ରାଶି ନକ୍ଷତ୍ର ଟିପି ରଖି‌ ନଥିଲେ ହୁଏତ ମଧୁଶଯ୍ୟା ରାତିରେ ଅସୁବିଧା ଉପୁଜିପାରେ ଓ ପରବର୍ତ୍ତୀ କାଳରେ ଦାମ୍ପତ୍ୟ ଜୀବନରେ ମଧ୍ୟ ତାର କୁ-ପ୍ରଭାବ ପଡ଼ିପାରେ । ଶାରଳା ଦାସଙ୍କ ସମୟରେ ଓଡ଼ିଶାର ସମାଜରେ ବାଲ୍ୟବିବାହ ପ୍ରଥାର ପ୍ରଚଳନ ଥିବାରୁ ଅନେକ ସମୟରେ କନ୍ୟା ପତିଗୃହ ବା ପତିଗୃହରେ ମଧ୍ୟ ରଜୋବତୀ ହେଉଥିଲା-। ବିରାଟ କନ୍ୟା ଉତ୍ତରାବଳୀର ଋତୁକାଳୀନ ସମୟ ନିର୍ଦ୍ଧାରଣ ପୂର୍ବକ ଲୋକ-ସଂସ୍କୃତିବିଦ୍‌ କବି ଶାରଳା ଦାସ ସୂଚାଇଛନ୍ତି-

 

‘‘ମକର ମାସ ଶୁକ୍ଲପକ୍ଷ ଅଟଇ ସୋମବାର

ମୂଳନାମେନକ୍ଷତ୍ର ଯେ ଭୋଗ୍ୟ ସେଦିନର

ତଇତିଳ ନାମେ କରଣ ହର୍ଷ ନାମେ ଯୋଗ

ମକର ମାସର ଯେ ଉଣେଇଶ ଦିନ ଭୋଗ

ଉଦୟ ଅରୁଣ ବେଳ ବେନି ଘଡ଼ିପରେ

ରଜୋବତୀ ହେଲା ବାଳୀ ମଙ୍ଗଳ ବେଳାରେ ।’’

 

ପକ୍ଷାନ୍ତରରେ ନିର୍ଦ୍ଦିଷ୍ଟ ତିଥି, ବାର ଅନୁସାରେ ସ୍ତ୍ରୀ-ସହବାସ କରିବା ଦ୍ୱାରା ପାରିବାରିକ ଜୀବନରେ ଯାହାସବୁ ଶୁଭାଶୁଭ ହୋଇଥାଏ ସେ ସଂପର୍କରେ ମଧ୍ୟ କବି କହଛନ୍ତି-

 

ପଞ୍ଚମୀ ଦଶମୀ ଯେ ପୂର୍ଣ୍ଣମୀ ତନିତିଥି

ୟେଥେ ବୀର୍ଯ୍ୟ ଦିଲେ ନିରୁତାନ୍ତ ଆୟୁଷ ବ୍ରତୀ

ପ୍ରତୀପ ୟେକାଦଶୀ ଚତୁର୍ଦ୍ଦିଶୀ ତିନିତିଥି

ୟେଥେ ବୀର୍ଯ୍ୟ ଦିଲେ ରୋଗ୍ୟ ଅଳପ ଆୟୁଷ ବ୍ରତୀ ।

 

ଜ୍ୟୋତିଷ ବିଦ୍ୟା ବିଦଗ୍‌ଧ ଗୋଷ୍ଠୀର ନିଜସ୍ଵ ସାରସ୍ଵତ ସଂପତ୍ତି ହୋଇଥିଲେହେଁ ଏହି ବିଦ୍ୟାର ପ୍ରୟୋଗ ବା ପ୍ରଚାରର ମାଧ୍ୟମ ହେଉଛି ଲୋକ-ସଂସ୍କୃତି । କାରଣ ଲୋକଜୀବନର ବିଭିନ୍ନ ସଂସ୍କାର ଜ୍ୟୋତିଷାଶାସ୍ତ୍ର ବ୍ୟତିରେକେ ସଂପନ୍ନ ହେବା ଅସମ୍ଭବ । ମଣିଷ ଜୀବନକାଳ ଭିତରେ ବିଭିନ୍ନ ପ୍ରଥା ବା ପରଂପରାନୁସରଣ ପୂର୍ବକ ପୁଂସବନ ଜନ୍ମ, ନାଭିଚ୍ଛେଦନ, ବ୍ରତୋପନୟନ, ବିବାହ-ବନ୍ଦାପନା, ଏପରିକି ମୃତ୍ୟୁପରେ ମୃତ୍ୟୁସଂସ୍କାର ଭଳି ବିଭିନ୍ନ ସଂସ୍କାର ମାଧ୍ୟମରେ ହୁଏ ସଂସ୍କୃତ । ତେଣୁ ପ୍ରତ୍ୟେକ ସଂସ୍କାର ଗୋଟିଏ ଗୋଟିଏ ରୀତି ବା ପ୍ରଥା ଅନୁସୃତ । ପରିବାରରେ ଶିଶୁଟିଏ ଜନ୍ମ ହେବା କ୍ଷଣି ଏନ୍ତୁଡ଼ିଶାଳର ଯାବତୀୟ ରୀତି ପାଳନ ସହିତ ପାଖ-ପଡ଼ିଶା, ବନ୍ଧୁ-ବାନ୍ଧବ ସମସ୍ତଙ୍କୁ ଜଣାଇବାକୁ ହୋଇଥାଏ । ଶିଶୁ ଜନ୍ମ ପରିବାର ପାଇଁ ଏକ ଆନନ୍ଦ ଉତ୍ସବର ଶୁଭବେଳ । ନାରୀକଣ୍ଠର ହୁଳହୁଳୀ, ଶଂଖଧ୍ଵନି ତଥା ଆତସବାଜିରେ ନବାଗତକୁ ଯେପରି ସ୍ଵାଗତ କରାଯାଏ ପୁଣି ନବଜାତକର କୋଷ୍ଠୀ ମଧ୍ୟ ନିର୍ଣ୍ଣୟ କରାଯାଏ । ଅଭିମନ୍ୟୁ ଜନ୍ମ ପ୍ରସଙ୍ଗରେ ଉତ୍କଳୀୟ ସଂସ୍କୃତିର ଏହି ପରଂପରାକୁ କବି ସ୍ଵୀୟ ମହାଭାରତ ଗ୍ରନ୍ଥରେ ସୂଚିତ କରିଛନ୍ତି । ଅଭିମନ୍ୟୁ ଜନ୍ମ କାଳରେ ତ ପାଣ୍ଡବମାନଙ୍କର କିଛି ନଥିଲା । ସେମାନେ ଅଜ୍ଞାତବାସରେ ଥିଲେ ଯାଯାବର । ଅଭିମନ୍ୟୁ ଜନ୍ମୋତ୍ସବ ପାଳନ କରିବା ସେମାନଙ୍କ ପକ୍ଷରେ ଥିଲା ଅସମ୍ଭବ । ସୁତରାଂ ଅଭିମନ୍ୟୁର ମାମୁ କୃଷ୍ଣ ଓ ବଳରାମ ଦ୍ୱାରିକାରେ ଉକ୍ତ ଜନ୍ମୋତ୍ସବ ପାଳନ ପୂର୍ବକ ନବଜାତକର ଶୁଭ କାମନା କରିଥିବା କଥା ମହାଭାରତରେ ନିମ୍ନୋକ୍ତ ପଂକ୍ତିଗୁଡ଼ିକରୁ ସ୍ପଷ୍ଟ ସୂଚିତ ହୋଇଥାଏ ।

 

‘‘ପାଣ୍ଡବେ ରହିଥିଲେ ଯେ ବାରାଣସୀ କ୍ଷେତ୍ରେ

ସୋହଦ୍ରା ଦ୍ରୌପଦୀ ଖଟିଲେ ଯେ ସନ୍ତାନ ନିମନ୍ତେ

ପ୍ରସନ୍ନେ ବରଦିଲେ କିସତାଙ୍କୁ ଯେ ଦେବ କାଶୀ

ସୋହଦ୍ରା ଦେବୀ ତହିଁ ଯେ ହୋଇଲେ ଗର୍ଭବାସୀ

ତୁଳାମାସ କୃଷ୍ଣପକ୍ଷ ତୃତୀୟା ଅର୍କବାର

ପୁତ୍ରେକ ଉପଜିଲା ବେଳ ସପତଦଣ୍ଡ ଭିତର

କୃତ୍ତିକା ଦଣ୍ଡେ ଧାଇଁ ରୋହିଣୀ ପରବେଶ

ଲଗ୍ନ ଦଶମରେ ରବି ଉତ୍ତମ ୟେକାଦଶ

କୁମର ରାଶି ହୋଇଲାକ ରୋହିଣୀ ଯେ ବୃଷ

ବାଣିଜ୍ୟ ନାମେ କରଣ ବ୍ୟତିପାତ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ପାଞ୍ଚଦିନ ଭୋଗ ।’’

 

ଲୋକଜୀବନରେ ବିବାହ ସଂସ୍କାର ହେଉଛି ଅନ୍ୟ ସମସ୍ତ ସଂସ୍କାରଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଶ୍ରେଷ୍ଠ ସଂସ୍କାର । ବିବାହ ଜନିତ ଆନନ୍ଦର ଅଧିକାରୀ କେବଳ ମଣିଷ । ପାତ୍ରଟିଏ ପାଇଁ ପାତ୍ରୀଟିଏ ପ୍ରଜାପତି ଅବଶ୍ୟ ରଖିଥାଏ କିନ୍ତୁ ସେ ଦୁହଁଙ୍କୁ ବିବାହ ସୂତ୍ରରେ ଆବଦ୍ଧ କରିବା ନିମିତ୍ତ ଯାହାକିଛି ରୀତି, ପ୍ରଥା କିମ୍ବା ସାମାଜିକ ଚଳଣିର ପରଂପରାନୁସରଣ କରିବା କାମ ପିତାମାତାଙ୍କର, ବନ୍ଧୁବାନ୍ଧବଙ୍କର । ଉପଯୁକ୍ତ କୁଳ, ସୁନ୍ଦର ତଥା ଶୀଳଯୁକ୍ତ ପାତ୍ର ବା ପାତ୍ରୀ, ସମାଜରେ କନ୍ୟାପିତା ବା ବରପିତାର ପ୍ରତିଷ୍ଠା ଏସବୁ ଦିଗରୁ ବିଚାର କରି ବରକନ୍ୟା ଠିକ୍‌ କରାଯାଇଥାଏ । ମହାଭାରତ ବର୍ଣ୍ଣିତ ରାଜପରିବାର ଗୁଡ଼ିକରେ କିନ୍ତୁ ଅନେକତ୍ର ସ୍ୱୟମ୍ବର ମାଧ୍ୟମରେ କନ୍ୟାକୁ ବର ବାଛିବାର ସୁଯୋଗ ଦିଆଯାଉଥିଲା । କେତେକ କ୍ଷେତ୍ରରେ ପିତାମାତା ମଧ୍ୟ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର ବାଛୁଥିଲେ । ବରକନ୍ୟା ଠିକ୍‌ କଲାବେଳେ ବଂଶ, ଜାତି ଓ ଗୋତ୍ର ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । କୃଷ୍ଣଙ୍କ ଗୋଟିଏ ପୁଅ ସାଙ୍ଗରେ ଚନ୍ଦ୍ରାବତୀର ବିବାହ ପ୍ରସଙ୍ଗରେ ମହାମାନ୍ୟ ଦୁର୍ଯ୍ୟୋଧନର ରକ୍ଷଣଶୀଳ ଜାତିଆଣ ମନୋଭାବର ପ୍ରକାଶ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ସେ ଯାହାହେଉ ପାତ୍ର ନିର୍ବାଚନ ପରେ ଜାତକ ଦେଖା ବିବାହରେ ପ୍ରକୃତ ପ୍ରାରମ୍ଭିକ ଅନୁକୂଳ । ବରକନ୍ୟା ଉଭୟଙ୍କ ଜାତକ ଶୁଝିଲେ ନିର୍ବନ୍ଧ ସଂପନ୍ନ ହେବାକଥା । କିନ୍ତୁ ଉଭୟ ଜାତକରୁ ଗୋଟିଏ ବା ଉଭୟ ଦୋଷଯୁକ୍ତ ଜଣାପଡ଼ିଲେ ହୁଏତ ବିବାହ ପ୍ରସଙ୍ଗ ବନ୍ଦ ହୁଏ କିମ୍ବା ରିଷ୍ଟ ଖଣ୍ଡନ ନିମିତ୍ତ ଉଦ୍ଦିଷ୍ଟ ପ୍ରତିକାର ଅନୁସରଣ ପୂର୍ବକ ବିବାହ କାର୍ଯ୍ୟ ସଂପନ୍ନ ମଧ୍ୟ ହୋଇଥାଏ । ଶାରଳା ମହାଭାରତରେ ବର୍ଣ୍ଣିତ ଗାନ୍ଧାରୀ-ଧୃତରାଷ୍ଟ୍ରଙ୍କ ବିବାହ ପ୍ରସଙ୍ଗ ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ । ସମାଜରେ ଉଆଁସୀ କନ୍ୟା ଗାନ୍ଧାରୀଙ୍କ ବିବାହ ନିର୍ବନ୍ଧ ସ୍ଥିର ହେବା ପୂର୍ବରୁ ନିର୍ବାଚିତ ବରପାତ୍ରର ମୃତ୍ୟୁ ଘଟୁଥିଲା । ସେହିପରି ଧୃତରାଷ୍ଟ୍ରଙ୍କ ଜାତକ ମଧ୍ୟ ଦୋଷଯୁକ୍ତ ଥିବାରୁ ତାଙ୍କ ପାଇଁ କନ୍ୟା ମିଳୁନଥାନ୍ତି । ସୌଭାଗ୍ୟ କ୍ରମେ ଗାନ୍ଧାରୀ ଓ ଧୃତରାଷ୍ଟ୍ର ଉଭୟଙ୍କ ଜାତକରେ ମେଳକ ଦେଖି‌ ବ୍ୟାସଙ୍କ ପରାମର୍ଶ ଓ ନିର୍ଦ୍ଦେଶରେ ଗାନ୍ଧାରସେନ ଧୃତରାଷ୍ଟ୍ରଙ୍କୁ ଜାମାତାରୁପେ ବରଣ କରିବାକୁ ରାଜି ହୋଇଥିଲେ ଏବଂ ରିଷ୍ଟ ଖଣ୍ଡନ ନିମିତ୍ତ ପ୍ରଚଳିତ ପରଂପରାନୁଯାୟୀ ଗାନ୍ଧାରୀଙ୍କୁ ପ୍ରଥମେ ଗୋଟିଏ ସାହାଡ଼ା ବୃକ୍ଷ ସହିତ ବିବାହ କରାଇଥିଲେ ।

 

‘‘ଚାଲ ହୋ ଏବେ ସାହାଡ଼ା ବୃକ୍ଷକୁ ଦେଖି‌ବା

ଗାନ୍ଧାରୀଙ୍କି ତାକୁ ନେଇ ବିଭାକରାଇବା

ଦେଖି‌ଲେ ଯାଇଁ ଭିତରପୁର ମଧ୍ୟ ସ୍ଥାନେ

ସାହାଡ଼ାକୁ ବରବେଶ କଲେ ଯେ ବିଧାନେ ।

କନ୍ୟାବେଶ ହୋଇ ଯେ ସେ ଦେବୀ ଗାନ୍ଧାରୀ ।

ମଙ୍ଗଳ ବାକ୍ୟେ ବରଣ ସୀଉକାର କରି ।’’

 

ଜାତକ ଶୁଝା ପରେ ନିର୍ବନ୍ଧ, ଦେବତା ପିତୃ ନିମନ୍ତ୍ରଣ, ବନ୍ଧୁ ନିମନ୍ତ୍ରଣ ମଙ୍ଗଳନ, ଗନ୍ଧଷଣ, ବରବରଣ, ଲବଣଚଉଁରୀ, ପାଣିଗ୍ରହଣ, ଜୁଆଖେଳ ପ୍ରଭୃତି ବିବାହକାଳୀନ ରୀତିର ବିସ୍ତୃତ ବର୍ଣ୍ଣନା ଶାରଳା ମହାଭାରତରେ ଦ୍ରୌପଦୀ ସ୍ଵୟମ୍ବର, ସୁଭଦ୍ରା ପରିଣୟ, ହରିସାହୁର କନ୍ୟା ସୁହାଣୀ ସହିତ ଯୁଧିଷ୍ଠିରଙ୍କ ବିବାହ ପ୍ରସଙ୍ଗରେ ସୂଚିତ ହୋଇଛି । ବିବାହ ପରେ ଯୌତୁକ ଦେବା ଥିଲା କନ୍ୟାପିତାର କର୍ତ୍ତବ୍ୟ । କନ୍ୟାଦାନ ପରେ ଦକ୍ଷିଣା ସ୍ୱରୁପ ଯୌତୁକ ନଦେଲେ କନ୍ୟାଦାନ ଅସଂପୂର୍ଣ୍ଣ ରହିଯାଏ ବୋଲି ଲୋକଙ୍କ ଧାରଣା । ତେଣୁ ସାମର୍ଥ୍ୟ ଅନୁସାରେ କି ଧନୀ କି ନିର୍ଦ୍ଧନ ଯୌତୁକ ଦେବାକୁ ବାଧ୍ୟ । ତତ୍‌କାଳୀନ ଓଡ଼ିଶାର ସାମାଜିକ ସମ୍ବିଧାନରେ ଏଇୟା ଥି‌ଲା ବ୍ୟବସ୍ଥା । ଜମ୍ବୁକ ଶୃଗାଳ କନ୍ୟାଦାନ ପରେ ରାଜାଙ୍କୁ ଦେଇଥିବା ଯୌତୁକ କଥା ଶାରଳା ମହାଭାରତର ଆଦିପର୍ବରେ ବର୍ଣ୍ଣିତ ନିମ୍ନୋକ୍ତ

ଉଦ୍ଧୃତିରୁ ସ୍ପଷ୍ଟ ସୂଚିତ ହୋଇଥାଏ ।

 

‘‘ବିଭା ହୋଇ ଯୁତୁକ ଦେବା ବେଳେ ପୁଣି

ବିପ୍ର ବୋଲେ କି ଦକ୍ଷିଣା ଦେବ ଦିଅ ଆଣି

ଜମ୍ବୁକ ବୋଲଇ ରାଜା ଶୁଣ ମୋ ବଚନ

ଏ ତୋର ରାଜ୍ୟ ପଞ୍ଚାଶ ସହସ୍ର ଯୋଜନ

ଯାବତ ଉଠିଆ ପୃଥ୍ଵୀ ତୋର କୋଠଧନ

ପଡ଼ିଆ ବୃତ୍ତି ଯେତେକ ମୋର କୋଠଜାଣ ।

 

ଉପରୋକ୍ତ ବିଭିନ୍ନ ସଂସ୍କାର ପରେ ମଣିଷ ଜୀବନର ଶେଷ ସଂସ୍କାର ହେଉଛି ମୃତ୍ୟୁ ସଂସ୍କାର । ଶ୍ମଶାନରେ ଭସ୍ମୀଭୂତ ହେବା ପରେ ମଧ୍ୟ ମୃତବ୍ୟକ୍ତିର ପ୍ରେତାତ୍ମା ପରିବାର ବର୍ଗଙ୍କୁ ଶାନ୍ତିରେ ରଖି‌ ଦେଉ ନଥିବା ଭୟରେ ହେଉ କିମ୍ବା ସାମାଜିକ ବ୍ୟବସ୍ଥାକୁ ମାନିନେବା ଦୃଷ୍ଟିରୁ ହେଉ ମୃତବ୍ୟକ୍ତିର ପୁଅଦ୍ୱାରା ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥାଏ । ଶାରଳା ମହାଭାରତରେ ବର୍ଣ୍ଣିତ ‘‘ଜରାସନ୍ଧ ବଧ’’ ପ୍ରସଙ୍ଗରେ ଭୀମ ଜରାସନ୍ଧକୁ ଦୁଇଫାଳ କରି ଚିରି ଦେବା ପରେ ଶବର ଆଉ ଅସ୍ତିତ୍ୱ ରହିନି । କିନ୍ତୁ ସାମାଜିକ ବିଧାନ ଅନୁସାରେ ଜରାସନ୍ଧ ପୁତ୍ର ସହଦେବ ଶବ ନଥାଇ ମଧ୍ୟ ପିତାର କୁଶପୁତ୍ତଳିକାରେ ମୁଖାଗ୍ନି ଦେଇ ମୃତାହ କାର୍ଯ୍ୟରେ ଅନ୍ୟାନ୍ୟ ରୀତି ସବୁ ପାଳନ କରିଅଛି-

 

‘‘ସହଦେବ ପ୍ରୋହିତେ ହକରାଇ କୁଶ ପ୍ରତିମା ଭିଆଇ

ଶମଶାନ ଭୂମିରେ ଜରାକୁ ନେଇ ବହନ କରାଇ

କରେ କୁଶ ଘୃତ ଯବତିଳ ଚାଉଳ ଘେନି

ସହଦେବ ଦିଲା ନେଇ କୁଶ ପୁତ୍ତଳିକାକୁ ମୁଖାଅଗ୍ନି

ୟେକାଦଶ ଦିବସେ ପ୍ରେତକାର୍ଯ୍ୟ ସାରି

ପ୍ରୋହିତକ ମନ୍ତ୍ରେ ଅଗ୍ନି ଘୃତ ପାରଣା କରି ।’’

 

ବାରମାସରେ ତେରପର୍ବର ପବିତ୍ରଭୂମି ଉତ୍କଳ । ଓଷା, ବ୍ରତ, ପର୍ବପର୍ବାଣି ନଥିବା ଏପରି ମାସ ନାହିଁକି ଏପରି ବାର ନାହିଁ । ପାଳି ବସିଲେ ବର୍ଷସାରା ପର୍ବପର୍ବାଣି । ଶାରଳା ଦାସଙ୍କ ସମୟରେ ଓଡ଼ିଶାରେ ପାଳିତ ହେଉଥିବା ବହୁ ଓଷା, ବ୍ରତ, ପର୍ବପର୍ବାଣିର ବର୍ଣ୍ଣନା ମହାଭାରତ ଗ୍ରନ୍ଥରେ ଲିପିବଦ୍ଧ । ତନ୍ମଧ୍ୟରୁ ମଙ୍ଗଳବାର ଓଷା, ଚନ୍ଦନଯାତ୍ରା, ରଥଯାତ୍ରା, କୁମାର ପୂର୍ଣ୍ଣିମା ପ୍ରଭୃତି ଓଷାବ୍ରତ ପର୍ବପର୍ବାଣିର ସୂଚନା ମଧ୍ୟପର୍ବରେ ବର୍ଣ୍ଣିତ ନିମ୍ନୋକ୍ତ ଉଦ୍ଧୃତିରୁ ସ୍ପଷ୍ଟ ଜଣା ପଡ଼ିଥାଏ ।

 

ମଙ୍ଗଳବାର ଓଷା କଲେ ନାରୀ ପୁତ୍ରବତୀ, ସୌଭାଗ୍ୟବତୀ ତଥା ସୁଲକ୍ଷଣୀ ହୁଏ ବୋଲି ନାରଦ କନକ ଚଂପା ଆଣି ନିମ୍ନୋକ୍ତ ରୀତିରେ ଏହି ଓଷା ପାଳନ କରି ଗୌରୀଙ୍କୁ ପୂଜା କରିବା ପାଇଁ ଚନ୍ଦ୍ରାବଳୀକୁ ଉପଦେଶ ଦେଇଛନ୍ତି -

 

‘‘କନକ ଚଂପା ପୁଷ୍ପରୁ ଆଠୋଟି ଘେନିବ

ସୁବର୍ଣ୍ଣର ଆଠଗୋଟି ଚାଉଳ ହୋଇବ।

ନାରଙ୍ଗ କମଳା ରମ୍ଭା ଟଭା ନାରିକେଳ

ପଣସ ଲେମ୍ବୁ ଯେ ଚୂତ ଆଦି ଅଷ୍ଟଫଳ ।

 

ଧଳା ଶାକରେ ଆଠଗୋଟି ଲଡ଼ୁ ଯେ କରିବ

ଶ୍ଵେତ ଖଣ୍ଡ ମଣ୍ଡା ଆଠ ଗୋଟି ଭିଆଇବ।

ଏକବର୍ଣ୍ଣ ଗାଈକ୍ଷୀର ଏକଇ ଚାଉଳ

ହାଣ୍ଡିରେ ପୂରାଇ ଧୀରେ ଧୀରେ ଦେବଜାଳ

 

ରାନ୍ଧି ପୂର୍ବ ଦିନକରୁ କ୍ଷେପିବ ଗର୍ଭରେ

ଆରଦିନ ସ୍ନାନ ସାରି ପୂଜିବ ସମ୍ଭାରେ ।’’

 

ସେହିପରି ଯୁଧିଷ୍ଠିରଙ୍କ ପରାମର୍ଶ ଅନୁଯାୟୀ ବିରାଟ ରାଜା ଚନ୍ଦନଯାତ୍ରା ପାଳନର ପରଂପରା ଆରମ୍ଭ କରିଥିଲେ । କୁଶଳୀ ଶିଳ୍ପୀମାନେ ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ନାରାୟଣଙ୍କ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରିବା ପରେ ବୈଶାଖ ଶୁକ୍ଳ-ତୃତୀୟା ତିଥିରେ ଠାକୁରଙ୍କୁ ନୌକାରେ ବସାଇ ଚନ୍ଦନଯାତ୍ରା ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଥିବା ବିଷୟ ବିରାଟ ପର୍ବରେ ଉଲ୍ଲେଖ କରାଯାଇଛି ।

 

‘‘ବୈଶାଖ ମାସ ତୃତୀୟା ଅଟେ ଚନ୍ଦ୍ରବାର

ରୋହିଣୀ ନକ୍ଷତ୍ରକୁ ଯେ ଭୋଗ ସେ ଦିନର

ବାଣିଜ୍ୟ ନାମେ କରଣ ଶୁକ୍ଳ ନାମେ ଯୋଗ

ଚନ୍ଦନଯାତ୍ରା ଉତ୍ସବ ସେ ଦିନକୁ ଭୋଗ ।।’’

 

ପୃଥିବୀ ପ୍ରସିଦ୍ଧ ପୁରୀର ରଥଯାତ୍ରାର ପରଂପରା ଶାରଳା ମହାଭାରତର ବିରାଟ ପର୍ବରେ ବର୍ଣ୍ଣିତ ରାଣୀ ସୁଦେଷ୍ଣାଙ୍କ ପୂର୍ବଜନ୍ମ ବୃତ୍ତାନ୍ତରୁ ସୂଚିତ ହୋଇଥାଏ-

 

‘‘ଏବେ ଆସି ଏହୁ ହେଲେ ବିରାଟର ରାଜା

ପୁଣି ମୁଁ ସୁଦେଷ୍ଣା ନାମେ ତାଙ୍କର ଭାରିଯା

କଳିରେ ଏ ଉପୁଜିବେ ଇନ୍ଦ୍ରଦ୍ୟୁମ୍ନ ହୋଇ

ଗୁଣ୍ଡିଚା ନାମେ ୟାଙ୍କର ହେବି ମହାଦେଈ ।

 

ଶାରଳା ମହାଭାରତରେ ଓଡ଼ିଶାର ଲୋକସଂସ୍କୃତିର କେତୋଟି ବିଭାଗ ଆଲୋଚିତ ହେବା ପରେ ଲୋକସଂସ୍କୃତିର ସ୍ଵରୂପକୁ ପ୍ରତିବିମ୍ବିତ କରୁଥିବା ଅନ୍ୟ ଏକ ବିଶିଷ୍ଟ ବିଭାଗ ହେଉଛି ଲୋକସାହିତ୍ୟ । ଲୋକସାହିତ୍ୟ ମାଧ୍ୟମରେ ହିଁ ଲୋକସଂସ୍କୃତି ହୁଏ ପରିପୁଷ୍ଟ । ଲୋକସାହିତ୍ୟ ଆଲୋଚନା ପରିପ୍ରେକ୍ଷୀରେ ଶାରଳା ମହାଭାରତରୁ ଉପାଦାନ ଖୋଜି ବସିଲେ ସେ ଏକ ସ୍ଵତନ୍ତ୍ର ଅଧ୍ୟୟନର ବିଷୟ ହେବ । ସୁତରାଂ ପ୍ରସଙ୍ଗକ୍ରମେ ଏଠାରେ ଲୋକସଂସ୍କୃତିର ଏହି ଦିଗଟି ଉପରେ କେବଳ ସଂକ୍ଷିପ୍ତ ସୂଚନା ମାତ୍ର ଦିଆଯାଇପାରେ । ଶାରଳା ମହାଭାରତ ଲୋକସାହିତ୍ୟର ବିଭିନ୍ନ ଦିଗ ଯଥା କିଂବଦନ୍ତୀ, ମିଥ୍ ବା ପୁରାଣକଥା, ପ୍ରବାଦ, ପ୍ରବଚନ, ନୀତିବାକ୍ୟ ଓ ପ୍ରହେଳିକାଦି ଲୋକୋକ୍ତି ପ୍ରଭୃତିର ପର୍ଯ୍ୟାପ୍ତ ଉପାଦାନରେ ସମୃଦ୍ଧ । ବନପର୍ବରେ ଶିବଙ୍କ ବୃଷଭ ଓ ସାହାଡ଼ା ପତ୍ରକୁ ନେଇ ବର୍ଣ୍ଣିତ ଆଖ୍ୟାନ, ଦାନୀକର୍ଣ୍ଣ, ରାଜା ହରିଶ୍ଚନ୍ଦ୍ର, ଶିବଙ୍କ ଗୋହତ୍ୟାପାପ ପ୍ରଭୃତି ପ୍ରସଙ୍ଗଗୁଡ଼ିକୁ ନେଇ ଲୋକକବି ସୃଷ୍ଟି କରିଛି ଲୋକଗାଥା । ପଶ୍ଚିମ ଓଡ଼ିଶାରେ ଘୁଁ ଘୁଁ ନାଦିଆ ନାମଧ୍ୟେୟ ଭିକ୍ଷୁକ ଶ୍ରେଣୀ ଏହି । ଆଖ୍ୟାନଗୁଡ଼ିକୁ ଲୋକ ଗାଥାର ରୂପଦେଇ ଗାନ କରିଥାନ୍ତି ଓ ଦ୍ୱାର ଦ୍ୱାର ବୁଲି ଭିକ୍ଷା କରିଥାଆନ୍ତି । ସେହିପରି ଆଉ କେତେକ ପ୍ରସଙ୍ଗକୁ ଭିତ୍ତି କରି ପହିଲି ଯୁଦ୍ଧରେ ଭୀମ ହାରେ, କର୍ଣ୍ଣ ମଲେ ପାଞ୍ଚ କି ଅର୍ଜୁନ ମଲେ ପାଞ୍ଚ, ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି, ଝିମିଟି ଖେଳରୁ ମହାଭାରତ, ଗଧପାଦ ଧରିବା ପ୍ରଭୃତି ଉକ୍ତି ଲୋକଜୀବନର ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତ ହୋଇ ପ୍ରବଚନରେ ପରିଣତ ହୋଇଅଛି । ଇତିହାସ, ପୁରାଣ, ସାହିତ୍ୟ, ସଂସ୍କୃତି, ପରଂପରା ପ୍ରତ୍ୟେକ ଦୃଷ୍ଟିରେ ମହାଭାରତ ପରିପୁଷ୍ଟ ହୋଇଥିବାରୁ ‘ଯାହା ନାହିଁ ଭାରତେ ତାହା ନାହିଁ ଭାରତେ’ ସଦୃଶ ଉକ୍ତି ଦ୍ୱାରା ମହାଭାରତ ଗ୍ରନ୍ଥର ମହାତ୍ମ୍ୟ ପ୍ରକାଶିତ ହୋଇଥାଏ । ପୁନଶ୍ଚ ଲୋକଉକ୍ତିର ଅନ୍ୟ ଏକ ବିଭାଗ ପ୍ରଶ୍ନୋତ୍ତର ବା ଧନ୍ଦା ବା ନାଁ ଦିଆ ବା ଏକ ଅର୍ଥରେ ‘ପ୍ରହେଳିକା’ କହିଲେ ଆମେ ଯାହା ବୁଝୁ ତାହାର ପ୍ରକୃଷ୍ଟ ଉଦାହରଣ ହେଉଛି ‘ଯୁଧିଷ୍ଠିର ଓ ଧର୍ମବକ’ ପ୍ରସଙ୍ଗ । ତୃଷାତୁର ପାଣ୍ଡବ ପଞ୍ଚଭ୍ରାତା ଜଣ ଜଣ କରି ଜଳ ସଂଧାନରେ ଯାଇ ବଗରୂପୀ ଧର୍ମଦେବତାଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି ମୋହଗ୍ରସ୍ତ ହୋଇଯାନ୍ତି । ଶେଷରେ ଧର୍ମପୁରୁଷ ଯୁଧିଷ୍ଠିର ସ୍ଵୟଂ ସେଠାକୁ ଯାଇ ଧର୍ମବକଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇ ଜୟଯୁକ୍ତ ହୋଇଛନ୍ତି । ପ୍ରାସଙ୍ଗିକତା ଦୃଷ୍ଟିରୁ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲିଖିତ ଏହି ପ୍ରଶ୍ନୋତ୍ତର କଥା ଉଦାହୃତ ହୋଇପାରେ । ଏହି ପ୍ରସଙ୍ଗଟିକୁ ବ୍ୟାସଙ୍କ ମହାଭାରତଠାରୁ ସଂପୂର୍ଣ୍ଣ ଭିନ୍ନ ଭାବରେ ସମାଜ ସଚେତନ କବି ଶାରଳା ଦାସ ସ୍ଵୀୟ ମହାଭାରତ ଗ୍ରନ୍ଥରେ ଉପସ୍ଥାପିତ କରିଅଛନ୍ତି । ବ୍ୟାସଙ୍କ ମହାଭାରତରେ ଧର୍ମବକ ଓ ଯୁଧିଷ୍ଠିର ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର ଛଳରେ ଜଣେ ବିବେକବନ୍ତ, ବିଚାରବନ୍ତ, ସୁଧାର୍ମିକ, ଜ୍ଞାନୀ ତଥା ସମାଜ ସଚେତନ ରାଜାର ପରୀକ୍ଷା ହୋଇଛି । ପୁଣି ବ୍ୟାସଙ୍କ ମହାଭାରତରେ ଧର୍ମବକ ମାତ୍ର ଚାରୋଟି ପ୍ରଶ୍ନ ପଚାରିଥିବା ସ୍ଥଳେ ଶାରଳା ମହାଭାରତରେ ଗୁଡ଼ାଏ ପ୍ରଶ୍ନର ସମାଧାନ ହୋଇଅଛି । ବନପର୍ବରେ ବର୍ଣ୍ଣତ ଏହି ପ୍ରସଙ୍ଗରୁ ତିନି/ଚାରୋଟି ପ୍ରଶ୍ନୋତ୍ତର ନିମ୍ନରେ ଉଦାହୃତ କରାଯାଇପାରେ-

 

ଧର୍ମବକଙ୍କ ପ୍ରଶ୍ନ -

‘ଗୋରୁ ବ୍ରାହ୍ମଣ ହତ୍ୟାରୁ ଅଛଇ କି ଦୋଷ

ୟେହା ଜାଣି ମହାମୋ ଜଳରେ ଯାଇ ପଶ’

 

ଯୁଧିଷ୍ଠିରଙ୍କ ଉତ୍ତର-

‘‘ଯୁଝେଷ୍ଠି ଦେବ ବୋଇଲେ ଯେ ହୋଇ ବିଶ୍ଵାସ ଘାତକୀ

ଭୋଜନ ଦେଇ ଯେ ନାଶ କରଇ ପ୍ରାଣୀଙ୍କି ।

ଆପଣେ ନ ଦେଇଣ ଯେ ଦାବ୍ୟେ ଲୋକାନ୍ତ ବାରି

 

କଲାର କୃତକର୍ମ ସେହୁ ଯେବଣ ଲୋକ ହରି

ବ୍ରହ୍ମହତ୍ୟା ଦୋଷରୁ ୟେ ଅଟଇ ବଡ଼ସରି ।’’

 

ପ୍ରଶ୍ନ-      ‘ଅହୋ ମହାତମା ରାଜା କାହାକଇଁ ବଶ୍ୟ

ଭଣ୍ଡାର ବିଧ୍ଵଂଶଇ କେ ସଂସାର କରେ ନାଶ’

 

ଉତ୍ତର-      ‘ଯୁଯେଷ୍ଠି ବୋଇଲେ ରାଜା ଧର୍ମରେ ହୁଅଇ ବଶ୍ୟ

ଅଧର୍ମ କ୍ରୋଧରେ ଭଣ୍ଡାର ଯାଇ ନାଶ ।’

 

ଏହି କ୍ରମରେ କାମଧେନୁ ଦୁଷ୍ଟଗାଈ, ତୃଷାହିଁ ବୈତରଣୀ, ଶାସ୍ତ୍ରରୁପକ ବନ(ଗହନ) ଇତ୍ୟାଦି ଗୁଡ଼ିଏ ପ୍ରଶ୍ନୋତ୍ତର ହୋଇଛି ଯାହାକି ମୂଳ ମହାଭାରତରେ ନାହିଁ ।

 

ଶାରଳା ମହାଭାରତରେ ଲୋକସଂସ୍କୃତିର ଚିତ୍ର ଗୁଡ଼ିକୁ ଖୋଜି ବାହାର କରିବା ଏବଂ ଉପଯୁକ୍ତ ଭାବରେ ସେଗୁଡ଼ିକର ସୌନ୍ଦର୍ଯ୍ୟତତ୍ତ୍ୱ ଉପଲବ୍‌ଧି କରିବା କିମ୍ବା ଉପଲବ୍‌ଧ କରାଇବା ଏଭଳି ଏକ ପ୍ରବନ୍ଧରେ ସମ୍ଭବ ନୁହେଁ । ଏହା ଏକ ଦୁଃସାହସିକ ପ୍ରଚେଷ୍ଟା ମାତ୍ର । କାରଣ ଉପରୋକ୍ତ ଆଲୋଚନା ପ୍ରସଙ୍ଗରେ ଲୋକସଂସ୍କୃତିର ଆହୁରି ଅନେକ ଦିଗ ଏଥିରେ ଉନ୍ମୋଚିତ ହୋଇପାରିନାହିଁ । କାରଣ ଲୋକଜୀବନରେ ଆକାଶବାଣୀ ବା ଭବିଷ୍ୟତବାଣୀର ଗୁରୁତ୍ୱ ଲୋକ ଦେବତା, ଖାଦ୍ୟପେୟ, ବେଶଭୂଷା, ବାର୍ତ୍ତାଳାପରେ ଲୋକରଭାଷା ବା ମୌଖି‌କ ଭାଷାର ଉପଯୁକ୍ତ ପ୍ରୟୋଗ ଇତ୍ୟାଦି ସଂପର୍କରେ ଶାରଳା ମହାଭାରତର ପ୍ରତ୍ୟେକ ପ୍ରସଙ୍ଗ ବା ଆଖ୍ୟାନରେ ସ୍ପଷ୍ଟ ସୂଚିତ ହୋଇଅଛି । ପ୍ରବନ୍ଧର କଳେବର ବୃଦ୍ଧି ଆଶଙ୍କାରେ ସେଗୁଡ଼ିକୁ ଆଉ ପରିସରଭୁକ୍ତ କରାଯାଇ ପାରିନାହିଁ । ଆଲୋଚ୍ୟ ପ୍ରବନ୍ଧରେ ଶାରଳା ମହାଭାରତରେ ପୂରି ରହିଥିବା ଲୋକସଂସ୍କୃତିର ଉପାଦାନ ଗୁଡ଼ିକରୁ ଯେତିକି ଲୋକଲୋଚନକୁ ଆଣିବାର ଚେଷ୍ଟା କରାଯାଇଛି ସେଥିରୁ ଯେ ଆହୁରି ଅନେକ ଜିନିଷ ଛାଡ଼ି ଦିଆଯାଇଅଛି ତାହା ସ୍ଵୀକାର୍ଯ୍ୟ । ତଥାପି ପାଠକେ ଏଥିରୁ ନିଶ୍ଚିତ ଭାବରେ କିଛିଟା ଆସ୍ୱାଦନ ପାଇବେ ଏହି ବିଶ୍ଵାସ ମଧ୍ୟ ରହିଛି ।

 

ସମ୍ବଲପୁର ବିଶ୍ୱବିଦ୍ୟାଳୟ

 

***

 

କାବ୍ୟଶିଳ୍ପୀ ବନମାଳୀ ଦାସଙ୍କ କବିତା-ଶିଳ୍ପରେ ଯାବନିକ

ଶବ୍ଦ ଓ ଏହାର ଭାଷାତାତ୍ତ୍ୱିକ ବ୍ୟୁତ୍ପତ୍ତି

ଅଧ୍ୟାପକ ପ୍ରମୋଦ ପାଢ଼ୀ

 

ସଂଗୀତ ଯୁଗର କବି

ଓଡ଼ିଆସାହିତ୍ୟରେ ସଂଗୀତ - ଯୁଗର ପରମ୍ପରା ପ୍ରକୃତରେ ଆରମ୍ଭ ହୋଇଥିଲା । କାବ୍ୟ-ଶିଳ୍ପୀ ବନମାଳୀ ଦାସ (୧୭୩୨-୧୭୯୨)ଙ୍କ ଠାରୁ । ରୀତିଯୁଗର ତତ୍‌ସମ ବହୁଳ ଶବ୍ଦ ଓ ଅଳଙ୍କାରର କୃତ୍ରିମ ବନ୍ଧନ ଭିତରୁ ମୁକ୍ତିଲାଭ କରି ପରବର୍ତ୍ତୀ ସମୟରେ ଯେଉଁ ସହଜ ଓ ସ୍ଵାଭାବିକ ଲେଖନ ଶୈଳୀ ସୃଷ୍ଟିଲାଭ କରିଥିଲା ତାହା ପରୀକ୍ଷାଧର୍ମୀ ଭାବରେ ନୁହେଁ; ସ୍ଵତଃସ୍ଫୂର୍ତ୍ତ ଅଟେ । ଶିଳ୍ପୀ ଉପେନ୍ଦ୍ରଭଂଜଙ୍କ ସଂସ୍କୃତାନୁସାରୀ କାବ୍ୟ-ଶୈଳୀ ପରିମାର୍ଜିତ ହୋଇ ପରିଶେଷରେ ସଂଗୀତ ରୂପ ଧାରଣ କରିଅଛି ଓ ବିଷୟବସ୍ତୁ ସଂପୂର୍ଣ୍ଣ ଭାବରେ ରାଧାକୃଷ୍ଣ ମୂଳକ ହୋଇଉଠିଛି ।

 

ଓଡ଼ିଆସାହିତ୍ୟର ଇତିହାସ ଲେଖକମାନେ ସଂଗୀତ-ଯୁଗ ନାମକ ଏକ ସ୍ଵତନ୍ତ୍ରଯୁଗର ବିଭାଗୀକରଣ କରିନାହାନ୍ତି । ଏହାକୁ ରୀତିଯୁଗର ଶେଷ ପର୍ଯ୍ୟାୟ ଭାବରେ ହିଁ ଗ୍ରହଣ କରାଯାଇଅଛି । ଓଡ଼ିଆସାହିତ୍ୟର ଆଦି ସମାଲୋଚକମାନେ ସଂଗୀତ କବିମାନଙ୍କୁ କେତେକ ସ୍ଥଳରେ ମରହଟ୍ଟା ଯୁଗର ବା କେତେକ ସ୍ଥଳେ ମୁସଲମାନ ଯୁଗର କବି ଭାବରେ ପରିଗଣନା କରିଛନ୍ତି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ କାବ୍ୟ-ଶିଳ୍ପୀ ବନମାଳୀଙ୍କୁ ମରହଟ୍ଟା-ଯୁଗର ଦ୍ୱିତୀୟ ପର୍ଯ୍ୟାୟ କବି ଭାବରେ ଗ୍ରହଣ କରିଛନ୍ତି । ଓଡ଼ିଆସାହିତ୍ୟରେ ସଂଗୀତ-ଯୁଗର ସ୍ଵତନ୍ତ୍ର ସତ୍ତା ସମ୍ପର୍କରେ ସେ କିଛି କହିନାହାନ୍ତି । ତାଙ୍କ ‘‘ଓଡ଼ିଆ ସାହିତ୍ୟର ଇତିହାସ’’ ପୁସ୍ତକରେ ରୀତିଯୁଗକୁ ମରହଟ୍ଟା ଯୁଗ ଭାବରେ ଉଲ୍ଲେଖ କରି କବି-ସମ୍ରାଟ୍‌ ଉପେନ୍ଦ୍ର ଭଂଜଙ୍କୁ ଏହି ଯୁଗର ପ୍ରଥମ ପର୍ଯ୍ୟାୟର କାବ୍ୟଶିଳ୍ପୀ ଭାବରେ ଗ୍ରହଣ କରିଛନ୍ତି । ପଣ୍ଡିତ ଦାସଙ୍କ ମତରେ କାବ୍ୟ-ଶିଳ୍ପୀ ବନମାଳୀ ଦାସ ଓଡ଼ିଶାର ରାଜା ବୀରକେଶରୀ ଦେବଙ୍କ ସମସାମୟିକ ଜଣେ ବୈଷ୍ଣବ କବି ଥିଲେ-। କବିସୂର୍ଯ୍ୟ ତାଙ୍କ ଗ୍ରନ୍ଥମାନଙ୍କରେ ‘‘ବନମାଳୀ ଦାସଙ୍କ ରସ-ବାଣୀ’’ରେ ଗାଇବ ବୋଲି ନିର୍ଦ୍ଦେଶ କରିଥି‌ବାରୁ ବନମାଳୀ ଦାସ ତାଙ୍କ ସମସାମୟିକ ବା ଅଳ୍ପ ପୂର୍ବବର୍ତ୍ତୀ ହେବା ଅନୁମିତ ହୁଏ-। ବନମାଳୀ ଖୋର୍ଦ୍ଧାରାଜା ବୀରକେଶରୀ ଦେବଙ୍କ ସମସାମୟିକ । ବୀରକେଶରୀ ଦେବ ଖ୍ରୀ୧୭୩୭ଠାରୁ ଖ୍ରୀ:୧୭୯୨ ପର୍ଯ୍ୟନ୍ତ ରାଜା ହୋଇଥିବାର ଜଣାଯାଏ ।’’ ।୧। ସମାଲୋଚକ ବିନାୟକ ମିଶ୍ର ମଧ୍ୟ ଶିଳ୍ପୀ ବନମାଳୀଙ୍କୁ ବୈଷ୍ଣବ-ସଂଗୀତ କବି ଭାବରେ ଉଲ୍ଲେଖ କରିଛନ୍ତି । ତତ୍‌କାଳୀନ ବିଶିଷ୍ଟ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କୁ ବନମାଳୀଙ୍କ ପରବର୍ତ୍ତୀ କାବ୍ୟ-ଶିଳ୍ପୀ ଭାବେ ଗ୍ରହଣ କରିଛନ୍ତି । ସମାଲୋଚକ ମିଶ୍ର ମଧ୍ୟ ଓଡ଼ିଆ ସାହିତ୍ୟରେ ସଂଗୀତ- ଯୁଗ ନାମକ ଏକ ସ୍ଵତନ୍ତ୍ରଯୁଗର ବିଭାଗୀକରଣ କରିନାହାନ୍ତି; ମାତ୍ର ବନମାଳୀଙ୍କ ଯୁଗକୁ ପ୍ରେମଭକ୍ତିର ଯୁଗ ରୁପେ ଅଭିବ୍ୟକ୍ତ କରିଛନ୍ତି ।’’ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନିଜ ରଚିତ ଯୁଗଳ ରସାମୃତ ଲହରୀର ଊନଚତ୍ୱାରିଂଶ ଛାନ୍ଦକୁ ବନମାଳୀଙ୍କ ରସବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ କରିଥିବାରୁ ଜଣାଯାଏ ଯେ, ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର କବି ଥିଲେ ।୨। ଏତଦ୍‌ବ୍ୟତୀତ ବନମାଳୀ ଦାସ ବୈଷ୍ଣମଧର୍ମ ଗ୍ରହଣ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ ରଚିତ ‘ଚାଟ ଇଚ୍ଛାବତୀ’ କାବ୍ୟ-ଶିଳ୍ପରେ ଚାଟ ଚାରୁବ୍ରହ୍ମ ଓ ଇଚ୍ଛାବତୀଙ୍କ ଦାମ୍ପତ୍ୟ ପ୍ରେମକୁ ରାଧାକୃଷ୍ଣ ପ୍ରେମର ପରୋକ୍ଷ ଉଦାହରଣ ରୁପେ ସମାଲୋଚକ ମିଶ୍ର ପରିକଳ୍ପପନା କରିଛନ୍ତି । ଡକ୍ଟର ବଂଶୀଧର ମହାନ୍ତି, ଅଧ୍ୟାପକ ଡକ୍ଟର ପଠାଣି ପଟ୍ଟନାୟକ ।୩। ଅଧ୍ୟାପକ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ।୪। ପ୍ରମୁଖ ସମାଲୋଚକମାନେ ତାଙ୍କୁ କବିସୂର୍ଯ୍ୟଙ୍କ ପୂର୍ବବର୍ତ୍ତୀ କାବ୍ୟ-ଶିଳ୍ପୀ ଭାବରେ ଗ୍ରହଣ କରିଛନ୍ତି ।

 

କାବ୍ୟ- ଶିଳ୍ପୀ ବନମାଳୀ ଦାସ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ପୂର୍ବବର୍ତ୍ତୀ ଜଣେ ସଂଗୀତ କବି । କାରଣ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ସ୍ୱ-ରଚିତ ‘ପ୍ରେମ-ତରଙ୍ଗିଣୀ’ କାବ୍ୟରେ ଗୁରୁ-ପରମ୍ପରା ସମ୍ପର୍କରେ ବ୍ୟକ୍ତ କରିଛନ୍ତି । ବୈଷ୍ଣବଧର୍ମର ଗୁରୁ ପରମ୍ପରାରେ କବି ସଦାନନ୍ଦଙ୍କ ଗୁରୁଥିଲେ କିଶୋର ଦାସ । କିଶୋର ଦାସଙ୍କ ଗୁରୁ ହେଉଛନ୍ତି ବନମାଳୀ ଦାସ ଗୋସ୍ଵାମୀ ।

 

‘‘ସେ ପଣ୍ଡିତ ଗୋସ୍ଵାମୀର ଶିଷ୍ୟ

ଅନନ୍ତାଚାର୍ଯ୍ୟ ଯା ନାମ ବ୍ୟାସ

ଶ୍ରୀରଘୁ ଗୋପାଳ ଗୋସ୍ଵାମୀ,

ସେ ଦାସ ଲକ୍ଷ୍ମୀପ୍ରିୟା ତାଙ୍କ ଶିଷ୍ୟ ।

ତାଙ୍କ କୃପାପାତ୍ର ଶ୍ରୀଗଙ୍ଗାମାତାଜୀ

କ୍ଷେତ୍ରବରେ ପ୍ରତିଷ୍ଠିତ

ତାଙ୍କ ପାଦାଶ୍ରୟୀ ବନମାଳୀ ଦାସ

ଗୋସ୍ଵାମୀ ଲୋକେ ବିଦିତ

ତାଙ୍କ ଅନୁଗତ ଶ୍ରୀ କିଶୋର ଦାସ

ନାମରେ ମୋହର ସ୍ୱାମୀ

ସାଆନ୍ତ କୁଳେ ଜନ୍ମ ମୁଁ ଅତି ଅଧମ

କୃପା କଲେ ଅନ୍ତର୍ଯ୍ୟାମୀ’’।୫।

 

ଅର୍ଥାତ୍‌, କାବ୍ୟ- ଶିଳ୍ପୀ ସଦାନନ୍ଦଙ୍କ ବୈଷ୍ଣବ ଗୁରୁ ହେଉଛନ୍ତି କିଶୋର ଦାସ । କିଶୋର ଦାସଙ୍କ ଗୁରୁ କବି ବନମାଳୀ ଦାସ ଓ ବନମାଳୀ ଦାସଙ୍କ ଗୁରୁ ଶ୍ରୀ ଗଙ୍ଗାମାତାଜୀ । ଗଙ୍ଗାମାତାଜୀ ପୁରୀର ଗଙ୍ଗାମାତା ମଠ ପ୍ରତିଷ୍ଠା କରିଥିଲେ । କବି ସଦାନନ୍ଦଙ୍କ ଏହି ସ୍ଵୀକାରୋକ୍ତିରୁ ସ୍ପଷ୍ଟ ଭାବେ ଜଣାଯାଉଛି ଯେ, ସେ ବୈଷ୍ଣବଧର୍ମରେ ଦୀକ୍ଷା ଗ୍ରହଣ କରି ପ୍ରତିଷ୍ଠିତ ହେବା ସମୟରେ ବୈଷ୍ଣବ କବି ବନମାଳୀ ଦାସ ସମ୍ପୂର୍ଣ୍ଣ ଭାବରେ ପ୍ରତିଷ୍ଠା ପାଇ ସାରିଥିଲେ । କେବଳ ବୈଷ୍ଣବ ଧର୍ମାବଲମ୍ବୀ ଭାବରେ ନୁହେଁ, ଜଣେ ସୁପ୍ରସିଦ୍ଧ ସଂଗୀତ କବି ଭାବରେ ପରିଗଣିତ ହୋଇ ସାରିଥିଲେ, ଯାହାଦ୍ୱାରାକି ତାଙ୍କ ପରବର୍ତ୍ତୀ କବିମାନେ ତାଙ୍କ ‘ରାସ-ବାଣୀ’ ବୃତ୍ତରେ ସ୍ଵକୀୟ କବିତାଗୁଡ଼ିକୁ ଗାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

 

କାବ୍ୟ-ଶିଳ୍ପୀ ବନମାଳୀ ଦାସ ଭଂଜ ପରମ୍ପରାର ଶବ୍ଦଗତ ଦୁର୍ବୋଧ୍ୟତାକୁ ପରିହାର କରି ସମ୍ପୂର୍ଣ୍ଣ ନୂତନ ଭାବରେ, ସରଳ ଓ ତରଳ ସଂଗୀତ ସାହାଯ୍ୟରେ ସ୍ଵକୀୟ ବୈଷ୍ଣବ-ରସ ସମ୍ମିଳିତ ସଂଗୀତ ଗୁଡ଼ିକ ରଚନା କରିଛନ୍ତି । ଅବଶ୍ୟ ତାଙ୍କ ପୂର୍ବରୁ କବି-ସମ୍ରାଟ୍‌ ଉପେନ୍ଦ୍ର ଭଂଜ ସଂଗୀତ ରଚନାରେ ମନୋନିବେଶ କରିଥିଲେ । କିନ୍ତୁ ଏହା ସ୍ଵଳ୍ପ ସଂଖ୍ୟକ ଅଟେ । କେତେକ ସ୍ଥଳରେ ସ୍ଵକୀୟ କାବ୍ୟଗୁଡ଼ିକ ଭିତରେ ସଂଗୀତର ସଂଯୋଜନା କରିଛନ୍ତି । କିନ୍ତୁ ପ୍ରକୃତ ସଂଗୀତ ରଚନାର ପରମ୍ପରା କବି ବନମାଳୀଙ୍କଠାରୁ ଆରମ୍ଭ ହୋଇଅଛି । ପରବର୍ତ୍ତୀ ସମୟରେ କାବ୍ୟ-ଶିଳ୍ପୀଗଣ ଏହି ପରମ୍ପରାର ଅନୁବର୍ତ୍ତନରେ ରାଧାକୃଷ୍ଣ ପ୍ରେମକୁ ଉପଜୀବ୍ୟ କରି ତାଙ୍କ ହୃଦୟାବେଗକୁ ସଂଗୀତ ମାଧ୍ୟମରେ ପ୍ରଚାର କରିଛନ୍ତି । ଶିଳ୍ପୀ କବିସୂର୍ଯ୍ୟ ବଳଦେବ ରଥ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ଗୋପାଳକୃଷ୍ଣ, ସାଲବେଗ ଏବଂ ଭୀମଭୋଇ ପ୍ରଭୃତି କବିମାନେ ବନମାଳୀଙ୍କ ପ୍ରଦର୍ଶିତ ସଂଗୀତ ମାର୍ଗରେ ସ୍ଵକୀୟ କାବ୍ୟ-ଶିଳ୍ପ ସାଧନା କରିଥିଲେ ।

 

ଦିବ୍ୟାଦିବ୍ୟ ଭାଷା

ତତ୍‌କାଳୀନ କାବ୍ୟ- ଶିଳ୍ପୀମାନଙ୍କ ମୂଳ ଆଦର୍ଶ ଥିଲା ଦିବ୍ୟ ଓ ଅଦିବ୍ୟ ଭାଷାର ସଂସର୍ଗରେ ସଂଗୀତ ସୃଷ୍ଟି। ବନମାଳୀ ଦାସଙ୍କ ପରବର୍ତ୍ତୀ ବୈଷ୍ଣବ କବି ଅଭିମନ୍ୟୁ ସାମନ୍ତ ସିଂହାର ସ୍ଵକୀୟ କାବ୍ୟାଦର୍ଶ ସମ୍ପର୍କରେ ଘୋଷଣା କରି ଏହାର ସ୍ପଷ୍ଟୀକରଣ କରିଛନ୍ତି -

 

‘‘ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି

ଦେଖ ମହାଜନ ମାର୍ଗ ପରମ୍ପରା ବିଧି ।’’।୬।

 

ଏହି ଦିବ୍ୟ ଅଦିବ୍ୟ ଭାଷା ପ୍ରୟୋଗ ବନମାଳୀ ଦାସଙ୍କ ସଂଗୀତ ରଚନା ଗୁଡ଼ିକରେ ଉପଲବ୍‌ଧ ହୋଇଥାଏ । କବିଙ୍କ ଏହି ପ୍ରୟୋଗ ପ୍ରବଣତା ପ୍ରତି ଦୃଷ୍ଟି ନିକ୍ଷେପ କରି ଡକ୍ଟର ପଠାଣି ପଟ୍ଟନାୟକ ମତବ୍ୟକ୍ତ କରନ୍ତି- ‘‘ସଂସ୍କୃତରେ ଜୟଦେବ ବା ବଜ୍ରବୋଲି ଭାଷାରେ ରାୟ ରମାନନ୍ଦ ଯେଉଁ ଆସନ ଗ୍ରହଣ କରିଅଛନ୍ତି ଓଡ଼ିଆ ଭାଷାରେ ବନମାଳୀ ସେହି ଆସନ ଗ୍ରହଣ କରିଛନ୍ତି ।୭। ଜୟଦେବ ସ୍ଵକୀୟ ଗୀତଗୋବିନ୍ଦ ସଂସ୍କୃତ ଭାଷାରେ ରଚନା କରିଥିଲେ ମଧ୍ୟ ପଦ-ସରଳତା ରକ୍ଷା କରିବା ନିମନ୍ତେ ଅସଂଖ୍ୟ ପ୍ରାକୃତ ଓ ଆଂଚଳିକ ଶବ୍ଦ ବ୍ୟବହାର କରିଛନ୍ତି । ସଂସ୍କୃତ ଭାଷାରେ କେବଳ ଭାବର ଉଦାତ୍ତ ରୂପ ଦେଖାଯାଇଥାଏ । ତେଣୁ, ଜୟଦେବ ଏହି ପ୍ରୟୋଗ ପ୍ରବଣତା ରକ୍ଷା କରିଛନ୍ତି । ସୁତରାଂ, ଏହି ପରିପ୍ରେକ୍ଷୀରେ ଶିଳ୍ପୀ ବନମାଳୀ ଉଦାତ୍ତ ଓ ଗମ୍ଭୀର ସଂସ୍କୃତ ଶବ୍ଦଗୁଡ଼ିକ ସହିତ ଲଘୁ ଓ ଅନୁଦାତ୍ତ ଦେଶଜ ଶବ୍ଦର ସୁନ୍ଦର ମିଶ୍ରଣ କରିଅଛନ୍ତି । ବନମାଳୀଙ୍କ ପରବର୍ତ୍ତୀ ସମସ୍ତ କବି ଭାଷା-ପ୍ରୟୋଗର ଏହି ଆଦର୍ଶକୁ ଗ୍ରହଣ କରିଥିବା ଦେଖି‌ବାକୁ ମିଳେ । କବିସୂର୍ଯ୍ୟ ବଳଦେବ ରଥଙ୍କ ସମ୍ପର୍କରେ ତାଙ୍କ ଜୀବନୀରେ ଲେଖକ କୁଳମଣି ଦାଶ ପ୍ରକାଶ କରିଛନ୍ତି ଯେ, ‘‘କେବଳ ଏତିକି ନୁହେଁ, ବିଶୁଦ୍ଧ ସଂସ୍କୃତ ଶବ୍ଦ ସଂଗେ ବିଶୁଦ୍ଧ ଓଡ଼ିଆ ଶବ୍ଦର ଯୋଜନାରେ ସେ ଯେପରି ଅସାଧାରଣ କୃତିତ୍ୱ ଦେଖାଇଛନ୍ତି ତାହା ଅନ୍ୟତ୍ର ଦୁର୍ଲ୍ଲଭ’’ ।୮। କବି ଗୋପାଳ କୃଷ୍ଣ, ସାଲବେଗ, ବ୍ରଜନାଥ ବଡ଼ଜେନା, ଭୀମଭୋଇ ଇତ୍ୟାଦି ପରବର୍ତ୍ତୀ କାବ୍ୟଶିଳ୍ପୀଗଣ ମଧ୍ୟ ଭାଷା-ପ୍ରୟୋଗର ଏହି ଆଦର୍ଶକୁ ରକ୍ଷା କରିଛନ୍ତି । ତତ୍‌ସମ ବା ଦିବ୍ୟ ଶବ୍ଦ ସହିତ ଲୌକିକ ଶବ୍ଦ ଗୁଡ଼ିକର ଉପଯୁକ୍ତ ସମ୍ମିଶ୍ରଣ ଘଟି ତାଙ୍କ କବିତାଗୁଡ଼ିକ ଗମ୍ଭୀର ଓ ସରଳ ହୋଇ ପାରିଛି ।

 

ଯାବନିକଶଦ୍ଦର ପ୍ରୟୋଗ

ଯାବନିକଶବ୍ଦର ସଫଳ ପ୍ରୟୋଗ ସଂଗୀତ ଯୁଗର ଅନ୍ୟ ଏକ ବୈଶିଷ୍ଟ୍ୟ । ମୁସଲମାନ, ଆରବୀ ତଥା ପାରସୀ ଗୋଷ୍ଠୀର ଶାସକ ତଥା ବ୍ୟବସାୟୀମାନଙ୍କ ଓଡ଼ିଶା ଆଗମନ ଫଳରେ ସେମାନଙ୍କ ଭାଷା ଓଡ଼ିଆଭାଷା ସହିତ ସମ୍ମିଶ୍ରଣ ହୋଇଥିଲା । ବିଶେଷତଃ ସେତେବେଳେ ଯାବନିକ ଭାଷାଗୁଡ଼ିକର ସାମାଜିକୀକରଣ (Socialisation) ହୋଇସାରିଥିଲା । ତେଣୁ, ପ୍ରୟୋଗିକ ଭାବରେ ସର୍ବ ପ୍ରଥମେ କାବ୍ୟଶିଳ୍ପୀ ବନମାଳୀ ଯାବନିକ ଶବ୍ଦଗୁଡ଼ିକୁ ବ୍ୟବହାର କରିଛନ୍ତି । କଳସା ଚଉତିଶା ବା ଭଂଜସାହିତ୍ୟ ଇତ୍ୟାଦିରେ ଯାବନିକ ଶବ୍ଦର ବ୍ୟବହାର ଘଟିଥିଲେ ମଧ୍ୟ ଏହାର ପରିମାଣ ସ୍ଵଳ୍ପ ଅଟେ । ଅର୍ଥାତ୍‌, ଏହି ସମୟରେ ଯାବନିକ ଶବ୍ଦ ସମ୍ପୂର୍ଣ୍ଣ ଭାବେ ସାମାଜିକ ହୋଇନଥିଲା । ଯଦିଓ ଯବନଗୋଷ୍ଠୀ ଓଡ଼ିଶାରେ ସ୍ଵକୀୟ ପ୍ରାଧାନ୍ୟ ବିସ୍ତାର କରିସାରିଥିଲେ ।

 

ଯାବନିକ ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହିତ ମିଶ୍ରଣ ହେବାର ଅସଂଖ୍ୟ କାରଣ ରହିଛି । କେବଳ ଓଡ଼ିଆ ନୁହେଁ, ସର୍ବଭାରତୀୟ ଭାଷାରେ ଯାବନିକଭାଷା ପ୍ରଭାବର ବିଭିନ୍ନ କାରଣ ନିର୍ଦ୍ଧାରିତ ହୋଇ ସାରିଛି । ରାଜନୈତିକ, ଧର୍ମନୈତିକ, ସାମାଜିକ, ଭାଷାତାତ୍ତ୍ୱିକ ବୈଷୟିକ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ । ଆରବୀ ଓ ପାରସୀ ଗୋଷ୍ଠୀର ବ୍ୟବସାୟୀମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତ ତଥା ଓଡ଼ିଶାକୁ ଆସିଥିଲେ ମଧ୍ୟ ଭାରତ ତଥା ଓଡ଼ିଶାର ରାଜନୈତିକ, ଧର୍ମନୈତିକ ଓ ସାମାଜିକ ସ୍ତରରେ ସ୍ଵକୀୟ ଆଧିପତ୍ୟ ବିସ୍ତାର କରିଥିଲେ । ତେଣୁ, ଅସଂଖ୍ୟ ଜାବନିକ ଶବ୍ଦ ଲୌକିକ ବ୍ୟବହାରରେ ଆସିଥିଲା । ଏହି ସାମାଜିକ ଶବ୍ଦଗୁଡ଼ିକୁ ପ୍ରକୃତରେ କାବ୍ୟଶିଳ୍ପୀ ବନମାଳୀ ଦାସ ସାହିତ୍ୟ ଅନୁଭବ ସ୍ତରକୁ ଆଣିଥିଲେ | ସଂଗୀତ ଯୁଗର ଶ୍ରେଷ୍ଠ କବି ଭାବରେ ପରବର୍ତ୍ତୀ କାବ୍ୟ-ଶିଳ୍ପୀଗଣ ତାଙ୍କ ପଦାଙ୍କ ଅନୁସରଣ କରି ସ୍ଵକୀୟ କବିତାଗୁଡ଼ିକରେ ଖୁବ୍‌ ସଫଳଭାବରେ ଯାବନିକ ଶବ୍ଦଗୁଡ଼ିକୁ ପ୍ରୟୋଗ କରିଛନ୍ତି । କବିସୂର୍ଯ୍ୟ ବଳଦେବ ରଥ, ଶିଳ୍ପୀ ଗୋପାଳକୃଷ୍ଣ, ବ୍ରଜନାଥ ବଡ଼ଜେନା, ଭକ୍ତିକବି ସାଲବେଗ ଇତ୍ୟାଦି କାବ୍ୟ- ଶିଳ୍ପୀଗଣଙ୍କ କବିତାଗୁଡ଼ିକରେ ବହୁଳ ପରିମାଣରେ ଯାବନିକ ଶବ୍ଦର ପ୍ରୟୋଗ ଦେଖାଯାଇଥାଏ । କାବ୍ୟ-ଶିଳ୍ପୀ ବନମାଳୀଙ୍କ କବିତାଗୁଡ଼ିକରେ ପ୍ରଯୁକ୍ତ ଯାବନିକ ଶବ୍ଦଗୁଡ଼ିକୁ ନିମ୍ନଭାବରେ ବିଭକ୍ତ କରାଯାଇ ସ୍ଵତନ୍ତ୍ର ଭାବରେ ଆଲୋଚନା କରାଯାଉଅଛି -

 

୧. ଅବିକୃତ ଯାବନିକ ଶବ୍ଦ

କାବ୍ୟ-ଶିଳ୍ପୀ ବନମାଳୀଙ୍କ ପଦ୍ୟାବଳୀରେ ଅସଂଖ୍ୟ ଅବିକୃତ ଯାବନିକ ଶବ୍ଦ ପ୍ରଯୁକ୍ତ ହେବାର ଦେଖାଯାଇଥାଏ । ଅବିଚଳିତ ଭାବରେ ଏହି ଶବ୍ଦଗୁଡ଼ିକ ସଂଗୀତ ଦେହରେ ପ୍ରୟୋଗଲାଭ କରିଛନ୍ତି, ଯାହାର କି କୌଣସି ଭାଷାତାତ୍ତ୍ୱିକ ପରିବର୍ତ୍ତନ ପରିଲକ୍ଷିତ ହୁଏନାହିଁ । ଅପରିବର୍ତ୍ତିତ ଭାବରେ ଏଗୁଡ଼ିକ ବ୍ୟବହୃତ ହୋଇଥିବାରୁ ଏଗୁଡ଼ିକ ହେଉଛନ୍ତି ଅବିକୃତ ଯାବନିକଶବ୍ଦ । ଉଦାହରଣ ସ୍ୱରୂପ -

 

(କ)      ‘‘ଢକ୍‌କା ବାଜୁଅଛି ଚଉଦ ବ୍ରହ୍ମାଣ୍ଡେ

ତୁମ୍ଭର ଯେତେକ ଗୁଣ

ପକ୍‌କା ଜଣେ ବୋଲି ଆଗୁଁ ଶୁଣିଥିଲି

ଡକାଇତରେ ଆପଣ ।

 

(ଖ)      ‘‘ହକାରିଥିଲା ସେ ମନେ କୂଟ ପାଞ୍ଚି

ଶୁଝିଦେଲ ପିତୃଋଣ ।

 

(ଗ)      ବିବିଧ ବାଜରା ବୀର କାହାଳୀ

ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି

 

(ଘ)      ଶଙ୍ଖ ଭେରୀ ତୂରୀ ଘଣ୍ଟା

କାହାଳୀ ଶବଦ ।

 

(ଙ)      ତା’ର ଯେଉଁ ମଦହାସ ଚାତୁରୀ

କୁଳବତୀ ଧୈର୍ଯ୍ୟକଟା କତୁରୀ

 

(ଚ)      ‘‘ଭଲା ତା ନେତ୍ର କଟାରୀ

ଶାଣଦିଆ ତରବାରୀ

ମରମେ ମୋର ଲାଖି ରହିଲା ଲୋ ।’’

 

(ଛ)      ‘‘ଝୁମୁ ଝୁମୁ ତା ପାଦ

ନୂପୁର - ନିଶାଣି କି

ପଥର ହେଲେ ତରଳି

ନୋହିବ ପାଣିକି ?’’

 

(ଜ)      କାମଛୁରୀ ଚାହିଁବାର

ହୃଦେ ପଶେ ବାରବାର

ଥରେ ଅନାଇଲେ ବାରମାସିତ ।’’

 

ଉପର୍ଯ୍ୟୁକ୍ତ କବିତାଂଶଗୁଡ଼ିକରେ ଦିବ୍ୟ-ଭାଷା ସହିତ ଅତି ସୁନ୍ଦର ଓ ମଞ୍ଜୁଳ ଭାବରେ ଆରବୀ ଓ ପାରସୀ ଶବ୍ଦଗୁଡ଼ିକର ପ୍ରୟୋଗ ଘଟି କାବ୍ୟ-ଶିଳ୍ପକୁ ସଂଗୀତ ରସାଣିତ କରିଅଛି । ନିମ୍ନରେ ଏହି ଯାବନିକ ଶବ୍ଦଗୁଡ଼ିକର ଶବ୍ଦ-ତାତ୍ତ୍ୱିକ ସମୀକ୍ଷା କରାଯାଇପାରେ । ଯଥା :-

 

(କ) ଢକ୍‌କା

ପ୍ରଥମ ପଦ୍ୟରେ ପ୍ରୟୋଗ ଲାଭ କରିଥିବା ‘ଢକ୍‌କା’ ଶବ୍ଦଟି ସଂପୂର୍ଣ୍ଣ ଭାବରେ ଏକ ଆରବୀ ଶବ୍ଦ ଅଟେ । ଏହି ଶବ୍ଦର ଓଡ଼ିଆ ଆଭିଧାନିକ ଅର୍ଥ ହେଉଛି ‘ଅପବାଦ’ । ‘ଢକ୍‌କା’ ଶବ୍ଦଟି ଅବିକଳ ଭାବରେ ତତ୍‌କାଳୀନ ଲୌକିକ ଜୀବନରେ ଉଚ୍ଚାରିତ ହେଉଥିବା ଦେଖାଯାଇଥାଏ । ତେଣୁ, ଶିଳ୍ପୀ ବନମାଳୀଙ୍କ ଦୃଷ୍ଟିଭଂଗୀ ସଂସ୍ପର୍ଶରେ ଏହା ଆଗତ ହୋଇଅଛି ।

 

(ଖ) ପକ୍‌କା

‘ପକ୍କା’ ଶବ୍ଦଟି ମଧ୍ୟ ସଂପୂର୍ଣ୍ଣ ଭାବରେ ଏକ ଆରବୀ ଶବ୍ଦ । ଏହି ଶବ୍ଦର ଓଡ଼ିଆ ଆଭିଧାନିକ ‘ଅର୍ଥ ହେଉଛି ଖାଣ୍ଟି ବା ଅସଲି । ଏହି ଶବ୍ଦଟି ମଧ୍ୟ ତତ୍‌କାଳୀନ ଲୌକିକ ଭାଷାରେ ବ୍ୟବହୃତ ହେଉଥିଲା । ଅବିକଳ ଭାବରେ ଶବ୍ଦଟି ଆସି ଶିଳ୍ପୀ ବନମାଳୀଙ୍କ ଏହି କବିତା -ଶିଳ୍ପରେ ରୂପଳାଭ କରିଅଛି ।

 

(ଗ) ହକାରି

ତୃତୀୟ ପଦରେ ବ୍ୟବହୃତ ହୋଇଥିବା ‘ହକାରି’ ଶବ୍ଦଟି ମଧ୍ୟ ଏକ ପାର୍‌ସୀ ଶବ୍ଦ । ଏହାର ପାରିଭାଷିକ ଅର୍ଥ ହେଉଛି ଡାକି ବା ଆଦେଶନାମା ପ୍ରଦାନ କରିବା । ତତ୍‌କାଳୀନ ଓଡ଼ିଶା ସମାଜରେ ‘ହକାରି’ ଶବ୍ଦର ବ୍ୟବହାର ଦେଖାଯାଇଥାଏ । ତେଣୁ, ଶିଳ୍ପୀ ବନମାଳୀଙ୍କ କବିତାରେ ‘ହକାରି ଶବ୍ଦଟି ଅବିକୃତ ଭାବରେ ପ୍ରୟୋଗଲାଭ କରିଅଛି ।

 

(ଘ) କାହାଳୀ

‘କାହାଳୀ’ ଶବ୍ଦଟି ଏକ ଆରବୀ ଶବ୍ଦ । ଏହାର ଅଭିଧେୟାର୍ଥ ହେଉଛି, ଏକ ଯୁଦ୍ଧବାଦ୍ୟ ବିଶେଷ । ଆରବୀ ଓ ଫରାସୀ ସମ୍ପ୍ରଦାୟର ବଣିକ ଓ ଇଂରେଜ ବଣିକମାନଙ୍କ ସଂଘର୍ଷର ଫଳ ଯୋଗୁଁ ଶବ୍ଦଟି ଓଡ଼ିଆ ଭାଷାରେ ପ୍ରଭାବ ଲାଭ କରିଥିବା ସମ୍ଭବ । ସେ ସମୟରେ ସଂଘଟିତ ହେଉଥିବା ଯୁଦ୍ଧମାନଙ୍କରେ ‘କାହାଳୀ’କୁ ହିଁ ମୁଖ୍ୟ ଯୁଦ୍ଧ-ବାଦ୍ୟ ରୂପେ ଗ୍ରହଣ କରାଯାଇଥିଲା । ତେଣୁ ଅବିକଳ ଭାବରେ ଏହି ଶବ୍ଦଟି ଓଡ଼ିଆ ଭାଷାରେ ପ୍ରଭାବିତ ହୋଇଅଛି । ଅନୁରୂପ ଭାବରେ ଶିଳ୍ପୀ ବନମାନଳୀଙ୍କ କବିତାରେ ଏହା ରୂପଲାଭ କରିଛି ।

 

(ଙ) ତୂରୀ

ପଞ୍ଚମ ପଦରେ ପ୍ରଯୁକ୍ତ ହୋଇଥିବା ‘ତୂରୀ’ ଶବ୍ଦଟି ଏକ ଆରବୀ ଶବ୍ଦ । ଏହାର ମଧ୍ୟ ପାରିଭାଷିକ ଅର୍ଥ -ଯୁଦ୍ଧବାଦ୍ୟ ବିଶେଷ । ତତ୍‌କାଳୀନ ଓଡ଼ିଶାର ଯୁଦ୍ଧ ପରମ୍ପରାରୁ ଅନୁସୃତ ହୋଇ ଏହି ଶବ୍ଦଟି ଓଡ଼ିଆ ଲୌକିକ ଭାଷାରେ ବ୍ୟବହୃତ ହୋଇଛି ଓ ପରବର୍ତ୍ତୀ ସମୟରେ ଏହା କବିତାରେ ପ୍ରୟୋଗ ଲାଭ କରିଅଛି ॥

 

(ଚ) କତୁରୀ

ସଂଗୀତ ଯୁଗର ସମସାମୟିକ ଲୌକିକ ଜୀବନରେ ଯାବନିକ ‘କତୁରୀ’ ଶବ୍ଦ ପ୍ରଯୁକ୍ତ ହେଉଥିଲା । ଏହାର ଓଡ଼ିଆ ଅଭିଧାନିକ ଅର୍ଥ ହେଉଛି କର୍ତ୍ତନ କରିବା ଯନ୍ତ୍ର ବିଶେଷ । ଏହି ଶବ୍ଦଟି ମଧ୍ୟ ଅବିକୃତ ଭାବରେ ସଂଗୀତ-ଶିଳ୍ପୀ ବନମାଳୀଙ୍କ ଏହି ପଦରେ ବ୍ୟବହୃତ ହୋଇଅଛି । ଏହି ‘କତୁରି’ ଶବ୍ଦର କ୍ରିୟାରୂପ ମଧ୍ୟ ଓଡ଼ିଆ ଭାଷାରେ ବ୍ୟବହୃତ ହେବାର ଉପଲବ୍‌ଧ ହୋଇଥାଏ । ଯଥା- କତୁରିବା, କତୁରା ଇତ୍ୟାଦି ।

 

(ଛ) ତରବାରୀ

‘ତରବାରୀ’ ଶବ୍ଦର ଓଡ଼ିଆ ଅଭିଧାନଗତ ଅର୍ଥ ହେଉଛି ଖଣ୍ଡା । ଏହି ଯାବନିକ ଶବ୍ଦଟି ମଧ୍ୟ ଅବିକଳ ଭାବରେ ଏହି କବିତା ପଙ୍‌କ୍ତି ଦେହରେ ପ୍ରୟୋଗ ଲାଭ କରିଅଛି । ଏହା ମଧ୍ୟ ତତ୍‌କାଳୀନ ଓଡ଼ିଶାର ଯୁଦ୍ଧ ପରମ୍ପରାରୁ ଅନୁସୃତ ହୋଇଥିବା ଅନୁମେୟ ।

 

(ଜ) ନୂପୁର

‘ନୂପୁର’ ମଧ୍ୟ ଏକ ଯାବନିକ ଶବ୍ଦ ଅଟେ । ଏହାର ଓଡ଼ିଆ ଅର୍ଥ ହେଉଛି ସ୍ତ୍ରୀମାନଙ୍କର ଅଳଙ୍କାର ବିଶେଷ । ନୃତ୍ୟ ଓ ଗୀତପ୍ରିୟ ଆରବୀ-ପାରସୀ ସମ୍ପ୍ରଦାୟର ବଣିକମାନେ ଏହି ଶବ୍ଦଟିକୁ ସାମ୍ପ୍ରତିକ ପରମ୍ପରାର ଅନୁରୋଧରେ ଭାରତକୁ ଆଣିଥିଲେ । ତେଣୁ, ସଙ୍ଗୀତଯୁଗର ଶିଳ୍ପୀ ବନମାଳୀଙ୍କ କବିତାରେ ଅବିକୃତ ଭାବରେ ଏହା ବ୍ୟବହୃତ ହୋଇଅଛି ।

 

(ଝ) ଛୁରୀ

‘ଛୁରୀ’ ହେଉଛି ଏକ ଅସ୍ତବିଶେଷ । ଏହା ଏକ ‘ଆରବୀ’ ଶବ୍ଦ । ଯୁଦ୍ଧ ପରମ୍ପରାରୁ ଅନୁକୃତ ହୋଇ ଶବ୍ଦଟି କବି ବନମାଳୀଙ୍କ ଏହି ପଦରେ ପ୍ରୟୋଗଲାଭ କରିଅଛି । ଏହି ପଦରେ ଶବ୍ଦଟି ପ୍ରତୀକାତ୍ମକ ଭାବରେ କାମ ସହିତ ସଂଯୁକ୍ତ ହୋଇ ପ୍ରଯୁକ୍ତ ହୋଇଅଛି ।

 

୨. ବିକୃତ ଯାବନିକ ଶବ୍ଦ

ପକ୍ଷାନ୍ତରେ, ଅନ୍ୟ କେତେକ ଯାବନିକ ଶବ୍ଦ ଓଡ଼ିଆ ଭାଷାରେ ରୂପଲାଭ କରିବା ସମୟରେ ବିକୃତ ଭାବରେ ଉଚ୍ଚାରିତ ହୋଇଥାନ୍ତି । ସଂଗୀତ ଯୁଗର ପ୍ରାୟତଃ ପ୍ରତ୍ୟେକ କବିଙ୍କ କବିତାରେ ଏହି ଶବ୍ଦ-ବିକୃତି କରଣ ଉପଲବ୍‌ଧ ହୋଇଥାଏ । କବିସୂର୍ଯ୍ୟ ବଳଦେବ ରଥ ଅବିକୃତ ଯାବନିକ ଶବ୍ଦକୁ ସୁନ୍ଦର ଭାବରେ ପ୍ରୟୋଗ କରିବା ସଂଗେ ସଂଗେ ବିକୃତ ଭାବରେ ମଧ୍ୟ ବ୍ୟବହାର କରିଥିବା ତାଙ୍କ କବିତା ଗୁଡ଼ିକରେ ଦେଖାଯାଇଥାଏ । ଯଥା-

 

(କ)       ଖିଆଲ ପରି କି ଧନ ମନରେ ଭାଳିଲୁରେ

 

(ଖ)       ଗୋଡ଼ ଖସି ଖେଦ ହେବାର ବରଦ

ଯିବାର ଉପାୟ କହ

 

(ଗ)       ଟିକାୟତ ଅଷ୍ଟ ଦୁର୍ଗର କହଇ

ଶ୍ୟାମ ଏ କି ଆଚରିତ ହେ ।

 

ଅବଶ୍ୟ ଉପର୍ଯ୍ୟୁକ୍ତ ଶବ୍ଦଗୁଡ଼ିକ ତତ୍‌କାଳୀନ ଓଡ଼ିଆ ଲୋକମାନଙ୍କ ଭ୍ରାମକ ବ୍ୟୁତ୍ପତ୍ତିରୁ ବିକୃତି ଘଟିଥିବା ସମ୍ଭବ। ‘ଖୟାଲ’ ଶବ୍ଦରୁ ‘ଖିଆଲ’ ‘ଦରଜ୍‌’ ଶବ୍ଦରୁ ‘ଦରଦ’, ‘ଟିକାୟତ୍‌’ ଶବ୍ଦରୁ ‘ଟକାୟିତ’ ଶବ୍ଦ ସୃଷ୍ଟିଲାଭ କରିଅଛି । ଉପର୍ଯ୍ୟୁକ୍ତ ସମସ୍ତ ଯାବନିକ ଶବ୍ଦଗୁଡ଼ିକୁ ଉଚ୍ଚାରଣ କରିବା ସମୟରେ ଭୌଗୋଳିକ ପରିବେଷ୍ଟନୀ ଯୋଗୁଁ ଏଗୁଡ଼ିକର ପରିବର୍ତ୍ତନ ଘଟିଥିବା ସମ୍ଭବ ।

 

ସଂଗୀତ ଯୁଗର ଅନ୍ୟତମ ଶିଳ୍ପୀ ଗୋପାଳକୃଷ୍ଣଙ୍କ କବିତା-ଶିଳ୍ପରେ ମଧ୍ୟ ଯାବନିକ ଶବ୍ଦର ଏହି ବିକୃତି ପରିଲକ୍ଷିତ ହୋଇଥାଏ । ଯଥା-

 

(କ)      ଡାକେ ‘‘କକ୍‌ଖଟୀ’ ଜରତୀ ହେଲାଣି ପ୍ରବେଶ

(ଖ)       ଫଣୀ ମର୍ଦ୍ଧନ ମୋ ସ୍ତନ ପାନ ଆଲୋ

ଫରମାଶ କଲେ କରନ୍ତା ଘେନ ଲୋ ।

(ଗ)      ଯେ ତାଙ୍କ ମନୋହରୀ

ତା ନଉକରୀ କରି

ଦିନ ନେବି ପଛେ ଗୁମାନ ନା ରେ ।

 

ଉପରୋକ୍ତ ପଦ ଗୁଡ଼ିକରେ ବ୍ୟବହୃତ ହୋଇଥିବା ଶବ୍ଦଗୁଡ଼ିକ ମଧ୍ୟ ବିକୃତ ଭାବରେ ଉଚ୍ଚାରିତ ହୋଇଛନ୍ତି । ‘କକ୍‌ଖଟ’ ଶବ୍ଦରେ ‘ଈ’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘କକ୍‌ଖଟ୍ୟ’ ‘ଫରମାସ୍‌’ ଶବ୍ଦରେ ‘ଅ’ ପ୍ରତ୍ୟୟ ମିଶ୍ରତ ହୋଇ ‘ଫରମାଶ’ ବା ‘ନଉକର’ ଶବ୍ଦରେ ‘ଈ’ ସଂଯୁକ୍ତ ହୋଇ ନଉକରୀ ଇତ୍ୟାଦି ଶବ୍ଦ ସୃଷ୍ଟିଲାଭ କରିଅଛି । ଏହି ଶବ୍ଦଗୁଡ଼ିକ ବିକୃତ ଭାବରେ ପ୍ରଯୁକ୍ତ ହେବା ଫଳରେ ସଂପୂର୍ଣ୍ଣ ରୂପେ ଲୌକିକତା ସୃଷ୍ଟି କରୁଛନ୍ତି ।

 

ଶିଳ୍ପୀ ବନମାଳୀ ଦାସ ମଧ୍ୟ ସ୍ଵକୀୟ କୃତିଗୁଡ଼ିକ ମଧ୍ୟରେ ଏହି ପ୍ରକାର ଯାବନିକ ଶବ୍ଦଗୁଡ଼ିକର ପ୍ରୟୋଗ କରିଅଛନ୍ତି । ତାଙ୍କର ପଦ୍ୟାବଳୀରେ ଅସଂଖ୍ୟ ଯାବନିକ ଶବ୍ଦ ବିକୃତ ଲାଭ କରି ଉଚ୍ଚାରିତ ହୋଇଛନ୍ତି । ନିମ୍ନରେ ସେଗୁଡ଼ିକୁ ବିଶ୍ଳେଷଣ କରାଯାଇପାରେ । ଯଥା -

 

(କ)      ‘‘ସଙ୍ଗରେ ପାଞ୍ଚ ପାଣ୍ଡବେ ଲଭନ୍ତି ଆନନ୍ଦ

ପଟୁଆରୀ ନିଯୋଗେ ଗାଆନ୍ତି ଗୀତ-ଛାନ୍ଦ’’ ।

 

(ଖ)      ‘‘ଭଲା ତା ନେତ୍ରକଟାରୀ

ଶାଣଦିଆ ତରବାରୀ

ମରମେ ମୋର ଲାଖି ରହିଲା ଲୋ ।

 

(ଗ)      ‘ପକ୍‌କା ଜଣେ ବୋଲି

ଆଗୁଁ ଶୁଣିଥିଲି

ଡକାଇତରେ ଆପଣ ।

 

(ଘ)      ‘‘ବୋଲେ ବନମାଳୀ, ନକଲେ ତ ଦୟା

ପକାଇ ବିଷୟା-ଫାନ୍ଦର ଲୋ ।

 

ଉପର୍ଯ୍ୟୁକ୍ତ ପଦଗୁଡ଼ିକରେ ବ୍ୟବହୃତ ହୋଇଥିବା ଯାବନିକ ଶବ୍ଦଗୁଡ଼ିକ ମୂଳ ଯାବନିକ ଶବ୍ଦରୁ ବିକୃତ ଲାଭ କରି ପ୍ରଯୁକ୍ତ ହୋଇଛନ୍ତି । ଲୌକିକ-ବ୍ୟୁପୁତ୍ତି ନିମନ୍ତେ ଯେ ଏହି ଶବ୍ଦଗୁଡ଼ିକର ପରିବର୍ତ୍ତନ ଘଟିଅଛି, ଏହାକୁ ଆବୃତ୍ତି କଲେ ଉପଲବ୍‍ଧ ହୋଇଥାଏ । ନିମ୍ନରେ ଏହି ଶବ୍ଦଗୁଡ଼ିକର ମଧ୍ୟ ଭାଷାତାତ୍ତ୍ୱିକ ବ୍ୟୁତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରାଯାଇପାରେ ।

 

(କ) ପଟୁଆରୀ

ଆରବୀ ‘ପଟୁଆରୀ’ ଶବ୍ଦରୁ ‘ପଟୁଆରୀ’ ଶବ୍ଦଟି ସୃଷ୍ଟି ହୋଇଅଛି । ‘ପଟୁଆରୀ’ ଶବ୍ଦର ଓଡ଼ିଆ ପାରିଭାଷିକ ଅର୍ଥ ହେଉଛି ଦଳ ବା ବାହିନୀ । ଆର୍‌ବୀ ପରିଭାଷା ଅନୁସାରେ ‘ପଟୁଆର’ ବା ଦଳକୁ ପରିଚାଳନା କରୁଥିବା ବ୍ୟକ୍ତି ହେଉଛି ‘ପଟୁଆରୀ’ । ଓଡ଼ିଆ ବ୍ୟକ୍ତିବାଚକ ଶବ୍ଦର ବ୍ୟବହାର କରିବା ସମୟରେ ‘ଈ’ ପ୍ରତ୍ୟୟ ଆଗମ ହୋଇଥାଏ । ଯେପରି ଶଙ୍ଖାରୀ, କଂସାରୀ ଇତ୍ୟାଦି । ସେହିପରି ଏ ସ୍ଥଳରେ ‘ପଟୁଆର’ ଶବ୍ଦରେ ‘ଈ’ ପ୍ରତ୍ୟୟ ସଂଯୁକ୍ତ ହେବାରୁ ‘ପଟୁଆରୀ’ ଶବ୍ଦ ସଂଗଠିତ ହୋଇଅଛି । ଶିଳ୍ପୀ ବନମାଳୀଙ୍କ ଏହି ଜଣାଣରେ ଶବ୍ଦଟି ସୁନ୍ଦର ଓ ଭାବଗର୍ଭକ ହୋଇଛି ।

 

(ଖ) କଟାରୀ

ଦ୍ୱିତୀୟ ପଙ୍‌କ୍ତିରେ ପ୍ରଯୁକ୍ତ ହୋଇଥିବା ‘କଟାରୀ’ ଶବ୍ଦଟି ଆର୍‌ବୀ ‘କଟାର୍‌’ ଶବର ଭ୍ରାମକ ବ୍ୟୁତ୍ପତ୍ତିରୁ ହିଁ ସୃଷ୍ଟିଲାଭ କରିଅଛି । ଆରବୀ ‘କଟାର୍‌’ ଶବ୍ଦ ଓଡ଼ିଆ ଆଭିଧାନିକ ଅର୍ଥ ହେଉଛି କାଟିବା ଅସ୍ତ୍ର । ତତ୍‌କାଳୀନ ଓଡ଼ିଶାର ଲୋକେ ଏହାକୁ ଉଚ୍ଚାରଣ କରିବା ସମୟରେ ସ୍ଵତଃସ୍ଫୂର୍ତ୍ତ ଭାବରେ ଏକ ‘ଈ’ ପ୍ରତ୍ୟୟର ଆଗମନ ଘଟିଅଛି । ‘କଟାର’ ଶବ୍ଦରେ ‘ଈ’ ପ୍ରତ୍ୟୟର ଆଗମନ ଘଟିଅଛି । ‘କଟାର’ ଶବ୍ଦରେ ‘ଈ’ ପ୍ରତ୍ୟୟ ବିମିଶ୍ରିତ ହୋଇ ‘କଟାରୀ’ ଶବ୍ଦଟି ସୃଷ୍ଟି ହୋଇଅଛି । ଏହା ଏହି ସଂଗୀତ ଗର୍ତ୍ତିତ ପଙ୍‌କ୍ତିରେ ନେତ୍ରର ରୂପକ ଭାବରେ ବ୍ୟବହୃତ ହୋଇ ସୌନ୍ଦର୍ଯ୍ୟ ରସାଣିତ ହୋଇଅଛି ।

 

(ଗ) ଡକାଇତ :-

ଫରାସୀ ବଣିକମାନଙ୍କ ବହୁ ଚର୍ଚ୍ଚିତ ଶବ୍ଦ ହେଉଛି ‘ଡକାୟତ୍‌’ । ‘ଡକାୟତ୍‌’ ଶବ୍ଦରେ ଆଭିଧାନିକ ଅର୍ଥ ହେଉଛି ଚୋର ବା ଖଣ୍ଟ । ଏହି ‘ଡକାୟତ୍‌’ ଶବ୍ଦ ଓଡ଼ିଆ ଲୌକିକ ଜୀବନରେ ଉଚ୍ଚାରିତ ହେବା ସମୟରେ କିଂଚିତ ସରଳୀକୃତ ହୋଇଛି । ମୂଳ ପାର୍‌ସୀ ଶବ୍ଦ ‘ଡକାୟତ୍‌’ରୁ ‘ୟ’ କାର ଲୁପ୍ତ ହୋଇ ସେହି ସ୍ଥଳରେ ‘ଇ’ର ଆଗମ ଘଟିଅଛି । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କାବ୍ୟଶିଳ୍ପୀଙ୍କ ଲୌକିକ ଆଚରଣହିଁ ଏଠାରେ ଉପଲବ୍‌ଧ ହେଉଅଛି ।

 

(ଘ) ଫାନ୍ଦର :-

‘ଫାନ୍ଦ’ ମଧ୍ୟ ଏକ ଆର୍‌ବୀ ଶବ୍ଦ ଅଟେ । ଏହାର ଆଭିଧାନିକ ଅର୍ଥ ହେଉଛି ‘ଫାଶ’ । ଏହି ‘ଫାଶ’ ଶବ୍ଦଟିରେ ‘ର’ ବ୍ୟଞ୍ଜନବର୍ଣ୍ଣ ସଂଯୁକ୍ତ ହୋଇ ‘ଫାନ୍ଦର’ ଶବ୍ଦଟି ସୃଷ୍ଟିଲାଭ କରିଅଛି । ଏଠାରେ ଏହି ଶବ୍ଦଟି ଭାବଗର୍ଭକ ହୋଇଅଛି ।

 

ଯାବନିକ ଶବ୍ଦର ରୂପରେ ବିକୃତି :

ତତ୍‌କାଳୀନ ଓଡ଼ିଆ ସମାଜରେ ପ୍ରଚଳିତ ଯାବନିକ ଶବ୍ଦଗୁଡ଼ିକ କେତେକ ସ୍ଥଳରେ ବିକୃତ ହୋଇ ଉଚ୍ଚାରିତ ହେବାର ଦେଖାଯାଉଥିଲା । ଯଥା:- ଅଦଭତ > ଅଦଉତ, ଖିସ୍‌ମିସ୍‌ > ଖସ୍‌ମିସ, ଖଙ୍ଗି > ଖାନ୍‌ଗି, ଦପ୍ତର > ଦପ୍‌ତରୀ । ବିଶେଷତଃ, ଏହି ସ୍ଥଳରେ ଓଡ଼ିଆର କ୍ରିୟାଗୁଡ଼ିକ ବ୍ୟବହୃତ ହୋଇ ଶବ୍ଦର ପରିବର୍ତ୍ତନ ଘଟିଅଛି । ଏହି ସମସ୍ତ ସ୍ଥଳରେ ‘ଇ’ ପ୍ରତ୍ୟୟ ପ୍ରୟୋଗ ଲାଭ କରିଥିବା ଦେଖାଯାଇଥାଏ । ‘ଅଦଉତ୍‌’ ଶବ୍ଦରେ ‘ଇ’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘ଅଦଉତି’ ଶବ୍ଦ ସୃଷ୍ଟିଲାଭ କରିଅଛି । ଦପ୍ତର ଶବ୍ଦରେ ମଧ୍ୟ ସେହିପରି ଦୀର୍ଘ ‘ଈ’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘ଦପ୍ତରୀ’ ଶବ୍ଦ ନିଷ୍ପନ୍ନ ହୋଇଅଛି ।

 

ତେଣୁ ଓଡ଼ିଶାର ଲୌକିକ ଜୀବନରେ ଏଇ ସାଧାରଣ ଶବ୍ଦଗୁଡ଼ିକ ପରିବର୍ତ୍ତିତ ହୋଇ ଉଚ୍ଚାରିତ ହେଉଥିବାରୁ ତତ୍‌କାଳୀନ ଓଡ଼ିଆ କବିତା-ଶିଳ୍ପରେ ମଧ୍ୟ ଏହି ବ୍ୟାକରଣଗତ ବିକୃତି ଦେଖାଯାଇଥାଏ । ସଂଗୀତ-ଯୁଗର ଶ୍ରେଷ୍ଠ-ଶିଳ୍ପୀ କବିସୂର୍ଯ୍ୟ ବଳଦେବ ରଥଙ୍କ କବିତାରେ ମଧ୍ୟ ଯାବନିକ-ବ୍ୟାକରଣରେ ଏହି ବିକୃତି ଦେଖାଯାଇଥାଏ । ଯଥା:-

 

ପାଶୋରାଇ ମନୁଁ ନାନା କଦନ ଲସାଇ

ଫନ୍ଦାଇ ନାନା ବିନୟେ କହି

ଦନ୍ତେ ତୃଣ ଧରିବାର ଗଲା ।’’

 

ଏହିସବୁ ପଦରେ ଓଡ଼ିଆ କ୍ରିୟାର ବ୍ୟବହାର ଯୋଗୁ ଶବ୍ଦର ପରିବର୍ତ୍ତନ ଅନୁଭୂତ ହେଉଅଛି । ‘ଲସା’ ଓ ‘ଫନ୍ଦା’ ଉଭୟେ ଯାବନିକ ଶବ୍ଦ । ଉଭୟ ଶବ୍ଦ ସହିତ ‘ଇ’ ପ୍ରତ୍ୟୟ ସଂଯୁକ୍ତ ହେବା ଫଳରେ ନୂତନ ‘ଫନ୍ଦାଇ’ ବା ‘ଲସାଇ’ କ୍ରିୟା ସୃଷ୍ଟିଲାଭ କରିଅଛି ।

 

ସଂଗୀତ ଯୁଗର ଅନ୍ୟାନ୍ୟ ଶିଳ୍ପୀମାନଙ୍କ କବିତା-ଶିଳ୍ପରେ ମଧ୍ୟ ବ୍ୟାକରଣର ଏହି ପରିବର୍ତ୍ତନ ଦେଖାଯାଇଥାଏ । ଶିଳ୍ପୀ ଗୋପାଳକୃଷ୍ଣଙ୍କ କବିତାରେ ଏହାର ପ୍ରୟୋଗ ରହିଅଛି । ଯଥା :-

 

‘‘ନିକୁଞ୍ଜବେଶ ଅଶନ ଶୟନାନ୍ତେ

ଶ୍ରୀବୃନ୍ଦାଙ୍କ ଫରମାଶେ’’

‘‘ଯେ ତାଙ୍କ ମନୋହରୀ

ତା ନଉକରୀ କରି

ଦିନ ନେବି ପଛେ ଗୁମାନ ନାରେ ।’’

 

ଉପର୍ଯ୍ୟୁକ୍ତ । ‘ଫରମାଶେ’ ଶବ୍ଦର ମୂଳ ଆରବୀ ଶବ୍ଦ ‘ଫରମାଶ’ । ‘ଫରମାଶ’ ଶବ୍ଦରେ ଓଡ଼ିଆ ତୃତୀୟାବିଭକ୍ତି ସୂଚକ ଚିହ୍ନ ‘ଏ’ ମିଶ୍ରିତ ହୋଇ ‘ଫରମାଶେ’ ଶହ ସୃଷ୍ଟି ହୋଇଅଛି । ‘ଫରମାଶେ’ର ଓଡ଼ିଆ ପାରିଭାଷିକ ଅର୍ଥ ହେଉଛି ଆଦେଶରେ । ଏହା ତତ୍‌କାଳୀନ ଲୌକିକ ଓଡ଼ିଆ ଭାଷାରେ ମଧ୍ୟ ଉପଳବ୍‍ଧ ହେଉଥିଲା । ଦ୍ୱିତୀୟତଃ ଆରବୀ ‘ନୌକର୍‌’ ବିଶେଷ୍ୟ ପଦରେ ‘ଇ’ ପ୍ରତ୍ୟୟ ସଂଯୁକ୍ତ ହୋଇ ନୌକରୀ ପଦଟି ନିଷ୍ପନ୍ନ ହୋଇଅଛି । ସୁତରାଂ, ‘ନୌକର୍‌’ର ଓଡ଼ିଆ ଅଭିଧାନଗତ ଅର୍ଥ ହେଉଛି ‘ଚାକର’ ଓ ‘ନୌକରୀ’ର ଚାକିରୀ ।

 

ଶିଳ୍ପୀ ବନମାଳୀଙ୍କ କବିତା-ଶିଳ୍ପରେ ମଧ୍ୟ ଯାବନିକ ଶବ୍ଦଗୁଡ଼ିକ ବ୍ୟାକରଣ ନିୟମ ସାହାଯ୍ୟରେ ପରିବର୍ତ୍ତିତ ହେବା ଦେଖାଯାଇଥାଏ । ନିମ୍ନରେ ସେଗୁଡ଼ିକର ଭାଷାତ୍ତ୍ୱିକ ବିଶ୍ଳେଷଣ କରାଯାଇପାରେ । ଯଥା:-

 

(କ)      ‘‘ତକାଇବି ନାହିଁ ନିଶ୍ଚେ ଗାଳିଦେବି

ଯା ଇଚ୍ଛା ତାହା ବୋଲିଣ ।

 

(ଖ)      ନନ୍ଦ-ନନ୍ଦନ ସଂଗେ ଯା’ର ପୀରତି

ଦେଖିଶୁଣି ଦେହ ହୁଅଇ କରତି

 

(ଗ)      ହସୁଥିବ ଯେବେ ମୃଦୁ ମୃଦୁ ହୋଇ

ତେରେଛେ ଚାହିଁବ ନାହିଁ ।

 

ଉପରୋକ୍ତ ସଂଗୀତ -ପଙ୍‌କ୍ତିଗୁଡ଼ିକରେ ପ୍ରୟୋଗ ଲାଭ କରିଥିବା ଆରବୀ ଶବ୍ଦରେ ପ୍ରତ୍ୟୟଗୁଡ଼ିକ ସଂଯୁକ୍ତ ହୋଇ ପରିବର୍ତ୍ତିତ ହେବାର ଦେଖାଯାଉଛି । ନିମ୍ନରେ ଏଗୁଡ଼ିକର ଶବ୍ଦତାତ୍ତ୍ୱିକ ବିଶ୍ଳେଷଣ କରାଯାଇପାରେ । ଯଥା:-

 

(କ) ତକାଇବି :-

ଆରବୀ ‘ତକାଇ’ ଶବ୍ଦର କ୍ରିୟାରୂପ ହେଉଛି ଓଡ଼ିଆ ‘ତକାଇବି’ ଶବ୍ଦ । ଏହାର ଅଭିଧାନଗତ ଅର୍ଥ ହେଉଛି ଅପେକ୍ଷା କରିବି । ଏହି ‘ତକାଇ’ ଶବ୍ଦରେ ପ୍ରଥମ ପୁରୁଷ ଏକବଚନ ଭବିଷ୍ୟତ କାଳ ସୂଚକ ‘ବି’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘ତକାଇବି’ ଶବ୍ଦ ସଂଗଠିତ ହୋଇଛି । ଓଡ଼ିଆ ଭାଷାରେ ଭବିଷ୍ୟତ କାଳରେ ‘ବି’ ପ୍ରତ୍ୟୟ ସଂଯୁକ୍ତ ହୋଇଥାଏ । ଯଥା- ଖାଇବି, ଯିବି, କହିବି, ଗାଇବି ଇତ୍ୟାଦି । ଏହି ଶବ୍ଦଟିରେ ତେଣୁ ପରିବର୍ତ୍ତନ ଦେଖାଯାଇ ‘ତକାଇବି’ ଶବ୍ଦଟି ନିଷ୍ପନ୍ନ ହୋଇଅଛି ।

 

(ଖ) କରତି : -

‘କରତି’ ଶବ୍ଦ ମଧ୍ୟ ଏକ ଯାବନିକ-ମୂଳ ଶବ୍ଦ ଅଟେ । ଏହାର ମୂଳ ଶବ୍ଦଟି ହେଉଛି ‘କରତ୍‌’ । ‘କରତ’ ଶବ୍ଦର ଆଭିଧାନିକ ଅର୍ଥ ହେଉଛି, ‘‘କାଠ କାଟିବାର ତୀକ୍ଷ୍ଣ ଦନ୍ତ ବିଶିଷ୍ଟ ଏକ ଅସ୍ତ୍ରବିଶେଷ । ଏହି ଶବ୍ଦଟିରେ ଓଡ଼ିଆ ‘ଇ’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘କରତି’ ଶବ୍ଦଟି ପ୍ରୟୋଗ ଲାଭ କରିଅଛି । ‘କରତି’ ଶବ୍ଦଟି ଏହି ପଦରେ ପ୍ରତୀକାତ୍ମକ ଭାବରେ ପ୍ରୟୋଗ କରାଯାଇଅଛି । ଶ୍ରୀକୃଷ୍ଣଙ୍କ ପ୍ରେମରେ ମାନମୟୀ ରାଧିକାଙ୍କ କର୍ତ୍ତିତ ହୃଦୟର ଅଭିବ୍ୟକ୍ତିକୁ ଏଠାରେ ପ୍ରକାଶ କରାଯାଇଛି । ତେଣୁ, ଏହାର ପ୍ରୟୋଗ ଏଠାରେ ଅର୍ଥପୂର୍ଣ୍ଣ ହୋଇଅଛି ।

 

(ଗ) ତେରେଛେ :

‘ତେର୍‌ଛା’ ଏକ ଆରବୀ ଶବ । ଏହାର ଓଡ଼ିଆ ଆଭିଧାନିକ ଅର୍ଥ ହେଉଛି ‘ବଙ୍କା’ ବା ବକ୍ର । ଏହି ଶବ୍ଦରେ ଓଡ଼ିଆ ସପ୍ତମୀ ବିଭକ୍ତି ସୂଚକ ‘ଏ’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘ତେରେଛେ’ ଶବ୍ଦଟି ସୃଷ୍ଟିଲାଭ କରିଅଛି । ‘ତେରେଛେ’ ଏଠାରେ ‘ବକ୍ରଭାବରେ’ ପାରିଭାଷିକ ଅର୍ଥ ସୃଷ୍ଟି କରୁଛି । ଏହାକୁ ଏହି ପଦରେ ସଂଯୋଗ କରି ଶିଳ୍ପୀ ବନମାଳୀ ସ୍ଵକୀୟ ଲୌକିକତା ବୋଧର ଉଦାହରଣ ଦେଇଛନ୍ତି ।

 

ସୁତରାଂ, କାବ୍ୟଶିଳ୍ପୀ ବନମାଳୀ ଦାସଙ୍କ କବିତା-ଶିଳ୍ପରେ ଯାବନିକ ଶବ୍ଦଗୁଡ଼ିକର ସଫଳ ପ୍ରୟୋଗ ଘଟିଅଛି । ତତ୍‌କାଳୀନ ଓଡ଼ିଆ ଲୌକିକ ଜୀବନରେ ସାମାଜିକୀକୃତ ଯାବନିକ ଶବ୍ଦଗୁଡ଼ିକୁ ହିଁ ସେ ଏଠାରେ ବ୍ୟବହାର କରିଛନ୍ତି । ତେଣୁ, ସମସ୍ତ ଶବ୍ଦଗୁଡ଼ିକ ଦେଶଜ ଶବ୍ଦପରି ପ୍ରତୀୟମାନ ହେଉଅଛି । ଏହି ସମସ୍ତ କବିତା-ଶିଳ୍ପ ଭଞ୍ଜଯୁଗର ବୈଶିଷ୍ଟ୍ୟାନୁଯାୟୀ କେବଳ ପଣ୍ଡିତ ବା ଶାସ୍ତ୍ରନ୍ୟାସ କରିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନହୋଇ ସର୍ବସାଧାରଣଙ୍କ ପଠନ ତଥା ଗାୟନ ନିମନ୍ତେ ଉଚିତ ହୋଇଥିବାରୁ ସମାଜରେ କଥିତ ହେଉଥିବା ଯାବନିକ ଶବ୍ଦଗୁଡ଼ିକୁ ବ୍ୟବହାର କରାଯାଉଅଛି । ଏହି ଦୃଷ୍ଟିକୋଣରୁ କବି ସଫଳତା ଲାଭ କରିଛନ୍ତି । ଦ୍ୱିତୀୟତଃ, ସର୍ବ ପ୍ରଥମେ କାବ୍ୟ-ଶିଳ୍ପୀ ଯାବନିକ ଶବ୍ଦଗୁଡ଼ିକର ରୂପରେ ପରିବର୍ତ୍ତନର ସୂତ୍ରପାତ କରି ମଧ୍ୟ ଶବ୍ଦପ୍ରୟୋଗ କ୍ଷେତ୍ରରେ ନୂତନତ୍ଵ ସୃଷ୍ଟି କରିଅଛନ୍ତି । ଏହି ପ୍ରୟୋଗ-ପରମ୍ପରାକୁ ପରବର୍ତ୍ତୀ ସମୟର କାବ୍ୟ-ଶିଳ୍ପୀମାନେ ଅନୁସରଣ କରିଛନ୍ତି । ସର୍ବୋପରି କାବ୍ୟଶିଳ୍ପୀ ବନମାଳୀ ଯାବନିକ ଶବ୍ଦଗୁଡ଼ିକର ପ୍ରୟୋଗ କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରି ସଫଳତା ଲାଭ କରିଅଛନ୍ତି ।

 

ସହାୟକ ଗ୍ରନ୍ଥସୂଚୀ

୧.

ଓଡ଼ିଆ ସାହିତ୍ୟର ଇତିହାସ-ତୃତୀୟଭାଗ- ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ।

୨.

ଓଡ଼ିଆ ସାହିତ୍ୟର ଇତିହାସ- ବିନାୟକ ମିଶ୍ର

୩.

ଓଡ଼ିଆ ସାହିତ୍ୟର ଇତିହାସ - ଡଃ ପଠାଣି ପଟ୍ଟନାୟକ ।

୪.

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ-ଡଃ ବୁନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ

୫.

ପ୍ରେମ ତରଙ୍ଗିଣୀ-ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

୬.

ବିଦଗ୍‌ଧ ଚିନ୍ତାମଣି -ଅଭିମନ୍ୟୁ ସାମନ୍ତ ସିଂହାର ।

୭.

ବଦନମାଳୀ ପଦ୍ୟାବଳୀ-ସଂ ଡଃ ପଠାଣି ପଟନାୟକ ।

୮.

କବିସୂର୍ଯ୍ୟ ଗ୍ରନ୍ଥାବଳୀ

 

 

ଅଞ୍ଚଳ ମହାବିଦ୍ୟାଳୟ

ପଦ୍ମପୁର ରାଜବୋଡ଼ା ସମ୍ବର

ସମ୍ବଲପୁର

 

***

 

Unknown

ମହିମା ଧର୍ମଧାରା ଓ ଭୀମଭୋଇ :

ଏକ ଅନ୍ତରଙ୍ଗ ଅଧ୍ୟୟନ

ଶ୍ରୀ ନରସିଂହ ମିଶ୍ର

 

ଉନବିଂଶ ଶତାବ୍ଦୀ, ଭାରତୀୟ ଧର୍ମଧାରାର ନବଜାଗରଣ ଯୁଗ । ସେତେବେଳେ ବହୁ ଧର୍ମ ଆନ୍ଦୋଳନ ଆରମ୍ଭ ହୋଇ ପ୍ରତିଷ୍ଠିତ ହୋଇଥିଲା । ପ୍ରତ୍ୟେକ ଧର୍ମଧାରା ମଧ୍ୟରେ ଥିଲା ସଂସ୍କାରର ସ୍ଵର, ନୂତନ ଦୃଷ୍ଟିଭଙ୍ଗୀ, ନୂତନ ଚିନ୍ତନ ବିନ୍ୟାସ ଓ ଜୀବନଚର୍ଯ୍ୟାର ନୂତନଦିଗ । ତାହା ଜନମନକୁ ଆକର୍ଷଣ କରିଥିଲା । ବିବିଧ ଧର୍ମଧାରାର ବର୍ଣ୍ଣାଢ଼୍ୟ ଚିତ୍ର ପରମ୍ପରା ପ୍ରପୀଡ଼ିତ ମନକୁ ଜୀବନର ନୂତନ ସ୍ୱାଦୁ ଯୋଗାଇ ଥିଲା ।

 

ବୈଦିକ ଭାରତର ସନାତନ ଆର୍ଯ୍ୟଧର୍ମ ହେଉଛି, ବିଶ୍ଵଧର୍ମର ପ୍ରତୀକ । କେଉଁ ଅନାଦିକାଳରୁ ଏହା ମଣିଷର ମନୋଭୂମିକୁ, ଆଧ୍ୟାତ୍ମିକତାର ପବିତ୍ର ପ୍ଳାବନରେ ପରିପ୍ଲୁତ କରିଛି । ମୁନି ଋଷିମାନଙ୍କର ପ୍ରାଜ୍ଞିକ ଚେତନା, ଆଧ୍ୟାତ୍ମିକ ବିଭୂତି, ବୌଦ୍ଧିକ ବିପୁଳତା ଓ ଦୃଷ୍ଟିକୋଣର ଅନୁପମ ଉଦାରତା, ଏହାକୁ ବିଶ୍ୱମୁଖୀ କରିଛି । ସନାତନ ଆର୍ଯ୍ୟଧର୍ମ ହେଉଛି ସବୁ ଆଧ୍ୟାତ୍ମିକ ମତବାଦର ଏକ ମହାସାଗର । ବହୁଧର୍ମଧାରା, ବହୁ ବିଶ୍ୱାସ ଓ ମତବାଦର ମିଳନପୀଠ । ସମୁଦ୍ରରୁ ଜଳ ନେଇ, ନଦୀ ପୁଷ୍କରିଣୀ, ନିର୍ଝରିଣୀ, କୂପ, ତଡ଼ାଗ ପରିପୁଷ୍ଟ ହେଲାପରି, ସନାତନ ଆର୍ଯ୍ୟଧର୍ମରୁ ନିଜର ରୁଚିଅନୁକୂଳ ତଥ୍ୟ ଓ ତତ୍ତ୍ୱ ନେଇ, ଭାରତର ବିଭିନ୍ନ ଧର୍ମଧାରା ପରିପୁଷ୍ଟ ହୋଇଛି ।

 

ଖ୍ରୀ:ଅ: ୧୮୦୩ରେ ଇଂରେଜମାନେ ଓଡ଼ିଶାର ଶାସନଭାର ହାତକୁ ନେଲେ । ଇଂରେଜ ଶାସକର ପରୋକ୍ଷ ସମର୍ଥନ ଲାଭକରି ପାଦ୍ରୀମାନେ ଭାରତରେ ଖ୍ରୀଷ୍ଟଧର୍ମ ପ୍ରଚାର ଓ ପ୍ରସାର ପାଇଁ ଆଗେଇ ଆସିଲେ । ଓଡ଼ିଶାର ଗଡ଼ଜାତ ଅଂଚଳରେ ରହିଥିବା ଅଗଣିତ ଲୋକଙ୍କର ଦାରିଦ୍ର୍ୟ, ନିରକ୍ଷରତା, ସରଳତା ଓ କୁସଂସ୍କାରର ସୁଯୋଗ ନେଇ ସେମାନେ ତାଙ୍କର ମନମାଟିରେ ମଞ୍ଚା ମାରିଲେ । ଦୁର୍ବଳ ରାଜଶକ୍ତି ଏହାକୁ ପ୍ରତିରୋଧ କରି ପାରିଲାନାହିଁ । ପାଦ୍ରୀମାନେ ଅସ୍ପୃଶ୍ୟତା, ଜାତିଭେଦ ଓ ସାମାଜିକ ଶୋଷଣର ସୁଯୋଗ ନେଇ, ଜନମାନସରେ ଘୃଣା ଓ ବିଭେଦର ମଞ୍ଜି ବୁଣିଦେଲେ । ମନବୁଝା ଭାଷାରେ କହିଲେ, ‘‘ଆମର ଗୋଟିଏ ଜାତି -ରଜାର ଜାତି । ଆମର ଗୋଟିଏ ଧର୍ମ-ରଜାଙ୍କର ଧର୍ମ । ଭାଇମାନେ ଆସ, ରଜାଙ୍କ ଜାତି ଆଉ ରଜାଙ୍କ ଧର୍ମରେ ମିଶିଯାଅ । ରଜା, ପ୍ରଜା ଜାତି ଧର୍ମ ସବୁ ଏକ ହୋଇଯାଉ । ଛୁଆଁ ଅଛୁଆଁ, ସାନବଡ଼ଭାବ ଲୋପପାଉ ।’’

 

ନୂଆଧର୍ମରେ ଏତେ ସ୍ୱୀକୃତି, ଏତେ ସମ୍ମାନ । ଲୋକମାନଙ୍କର ପ୍ରଚଳିତ ଧର୍ମବିଶ୍ଵାସ ଦୋହଲି ଗଲା । ଲୋକମାନଙ୍କର ମନ ଟାଣି ହୋଇଗଲା ସରଳ ସୁନ୍ଦର ଖ୍ରୀଷ୍ଟଧର୍ମ ଆଡ଼କୁ । ଖ୍ରୀଷ୍ଟଧର୍ମର ମେଲଣ ପଡ଼ିଆରେ, ଲୋକମାନଙ୍କୁ ଏକତ୍ର କରି ନୂତନ ଶାସନକୁ ସମର୍ଥନ କରିବାକୁ ଏହା ମାଧ୍ୟମରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଗଲା । ଏହି ପ୍ରଚ୍ଛନ ପ୍ରକ୍ରିୟାର ମୃଦୁକମ୍ପନ ଅନୁଭୂତ ହେଲା, ସାରା ଭାରତବର୍ଷରେ । ଏହାଥିଲା ସନାତନ ଆର୍ଯ୍ୟଧର୍ମ ପ୍ରତି ଏକ ଆହ୍ୱାନ । ଏହାର ସମ୍ମୁଖୀନ ହେବାପାଇଁ ଭାରତମାଟିରେ ଅନେକ ନୂତନ ଧର୍ମଧାରା ମୁଣ୍ଡ ଟେକିଲା ।

 

ଖ୍ରୀ:ଅ: ୧୮୨୮ରେ ପ୍ରତିଷ୍ଠିତ ହେଲା ‘ବ୍ରାହ୍ମସମାଜ’ । ମହାନ୍‌ ସଂସ୍କାରକ ରାଜା ରାମମୋହନ ରାୟ ଏହାର ପ୍ରତିଷ୍ଠାତା । ସନାତନ ଧର୍ମର ଏକେଶ୍ଵରବାଦ ଥିଲା ଏହି ଧର୍ମର ମର୍ମବାଣୀ । ଖ୍ରୀଷ୍ଟ ଧର୍ମ ଓ ଇସଲାମ ଧର୍ମର ଏକେଶ୍ଵରବାଦ ସହିତ ଏହାର ସାମଞ୍ଜସ୍ୟ ଥିଲା । ହିନ୍ଦୁଧର୍ମର ଦେବତାବାଦ, ଜାତିବିଭାଗ, ଅସ୍ପୃଶ୍ୟତା ବିରୁଦ୍ଧରେ ରାଜା ରାମମୋହନ ରାୟ ସ୍ଵର ଉତ୍ତୋଳନ କରିଥିଲେ । ପରୋକ୍ଷରେ ଏହାଥିଲା, ହିନ୍ଦୁଧର୍ମର ଏକ ପରିଶୋଧିତ ସଂସ୍କାରିତ ରୂପ । ଖ୍ରୀଷ୍ଟଧର୍ମର ପ୍ରବହମାନ ସ୍ରୋତମୁଖରେ ଏକ ପ୍ରତିବନ୍ଧକ । ଉପନିଷଦୀୟ ଭାବଧାରାରେ ପରିପୁଷ୍ଟ ବ୍ରାହ୍ମସମାଜ, ଧର୍ମାନ୍ତର ପ୍ରକ୍ରିୟାକୁ କିଛି ପରିମାଣରେ ପ୍ରତିହତ କଲା ।

 

ଖ୍ରୀଷ୍ଟୀୟ ୧୮୬୭ରେ ଆରମ୍ଭ ହେଲା, ମହାଦେବ ଗୋବିନ୍ଦ ରାନାଡ଼େଙ୍କ ଦ୍ୱାରା ପ୍ରାର୍ଥନା ସମାଜ । ଏହା ମଧ୍ୟ ସନାତନ ଆର୍ଯ୍ୟଧର୍ମର ମହାସ୍ରୋତରୁ ସମ୍ଭୂତ ଏକ ନୂତନ ଧର୍ମଧାରା । ବ୍ରାହ୍ମସମାଜର ସଂସ୍କାରବାଦ ଏଥିରେ ବିପୁଳ ରୂପକଳ୍ପନେଇ ବିସ୍ତାରିତ ହେଲା । ସାମାଜିକ ଉଦ୍‌ବର୍ତ୍ତନ ଥିଲା ଏହାର ମୂଳଲକ୍ଷ୍ୟ । ଖ୍ରୀଷ୍ଟଧର୍ମର ସରଳତା ଓ ସ୍ଵାଧୀନତାକୁ ଏହା ସମ୍ପୂର୍ଣ୍ଣରୂପେ ଗ୍ରାସ କରି ନିଜ ଭିତରୁ ଏକ ଭବ୍ୟ ଧର୍ମଧାରା ସୃଷ୍ଟିକଲା ।

 

ଓଡ଼ିଶା ମାଟିରେ ମହିମାସ୍ଵାମୀଙ୍କର ଆବିର୍ଭାବ ସମୟ ହେଉଛି ଖ୍ରୀ:ଅ: ୧୮୨୬-୧୮୭୬ । ସେ ଓଡ଼ିଶାର ଭକ୍ତିପୀଠ ପୁରୀ, ଖଣ୍ଡଗିରି, ଉଦୟଗିରି, ଧଉଳିଗିରିରେ ଦୀର୍ଘ ବାରବର୍ଷ ଅତିବାହିତ କରିଥିଲେ । ପ୍ରବୁଦ୍ଧ ମହିମା ସ୍ଵାମୀ, ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପ୍ରଚାରିତ ‘ଅଦ୍ୱୈତବାଦ’ ଦ୍ୱାରା ଆକୃଷ୍ଟ ହେଲେ । ପୌତୁଳିକତା, ଦେବତାବାଦ, ଯଜ୍ଞ, କର୍ମକାଣ୍ଡ ବିଧିବିଧାନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲେ । ସେ ହେଲେ ବ୍ରାହ୍ମଣ୍ୟଧର୍ମର ଘୋର ପରିପନ୍ଥୀ । ରାଜା ଓ ବ୍ରାହ୍ମଣମାନଙ୍କର ହସ୍ତମୁଦି ମାହଲଧର୍ମକୁ, ଗଣଧର୍ମର ସ୍ଵୀକୃତି ଦେବାପାଇଁ ସେ ବ୍ୟାକୁଳ ହୋଇ ଉଠିଲେ । ନିଜର ଅକାଟ୍ୟ ଯୁକ୍ତି ବଳରେ, ମୁକ୍ତିମଣ୍ଡପର ବେଦଜ୍ଞ ବ୍ରାହ୍ମଣମାନଙ୍କୁ ‘ବ୍ରହ୍ମତତ୍ତ୍ୱ’ର ନିଗୂଢ଼ ରହସ୍ୟ ବୁଝାଇବା ଦିଗରେ ସଫଳତା ହାସଲ କଲେ । ଅଲେଖ ପରଂବ୍ରହ୍ମଙ୍କର ମହିମା ପ୍ରତିଷ୍ଠା ପାଇଁ ପରୋକ୍ଷରେ ଭିତ୍ତିଭୂମି ପ୍ରତିଷ୍ଠିତ ହେଲା ।

 

ମହିମା ସ୍ଵାମୀ ପୁରୀରେ ବାରବର୍ଷ ଅତିବାହିତ କରିବାପରେ ଖ୍ରୀ:ଅ: ୧୮୩୮ରେ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ, ଢେଙ୍କାନାଳର କପିଳାସକୁ ଯାଇ, ଆତ୍ମଯୋଗରେ ନିବିଷ୍ଟ ହେଲେ । ଖ୍ରୀ:ଅ: ୧୮୬୨ରେ ସେ ସ୍ଵୀୟ ସାଧନାରେ ସିଦ୍ଧିଲାଭ କରି ‘ସତ୍ୟ ମହିମା ଧର୍ମ” ବିଧିବଦ୍ଧ ଭାବରେ ପ୍ରଚାର କଲେ । ପ୍ରଥମଥର ପାଇଁ ଏହା ଭାରତର ଭକ୍ତି ଆନ୍ଦୋଳନରେ ସାମିଲ ହେଲା । ସତ୍ୟ ମହିମାଧର୍ମ ହେଉଛି ପୃଥିବୀର ସର୍ବକନିଷ୍ଠ ଧର୍ମ ଓ ପୃଥିବୀ ପାଇଁ ଓଡ଼ିଶାର ସର୍ବୋତ୍ତମ ଉପହାର ।

 

ଭୀମଭୋଇ ମହିମାଧର୍ମର ମହାନ୍‌ ଭକ୍ତ ଏବଂ ପରମ ପ୍ରବକ୍ତା । ତାଙ୍କ ଭିତରେ ଆଧ୍ୟାତ୍ମିକ ସଂସ୍କାର ଥିଲା । ସେ ଜନ୍ମରୁ ବିଭୁଦତ୍ତ କୃପା ଲାଭ କରିଥିଲେ । ସେ ଥିଲେ ଗୌରବମୟ ଗୁରୁକୃପାର ଅଧିକାରୀ । ଚାରିବର୍ଷ ବୟସରେ ସେ ସ୍ଵଚକ୍ଷୁରେ ଶଙ୍ଖଚକ୍ରଧାରୀ ଗୁରୁଙ୍କୁ ଦର୍ଶନ କରିଥିଲେ ବୋଲି ଲେଖିଛନ୍ତି । ‘ବେନିଭୁଜରେ ପ୍ରତ୍ୟକ୍ଷ ଦେଖିଛି ଥିଲା ଶଙ୍ଖଚକ୍ର ଚିହ୍ନ’।

 

ମହିମାସ୍ଵାମୀ, ଅଖ୍ୟାତ ଅଜ୍ଞାତ ଅଥଚ ଅଲୌକିକ ଶକ୍ତିସମ୍ପନ୍ନ ଭୀମଭୋଇଙ୍କ ପାଖକୁ ଆପେ ଦଉଡ଼ି ଯାଇଥିଲେ ତାଙ୍କୁ ନୂତନ ଧର୍ମରେ ଦୀକ୍ଷିତ କରିବା ପାଇଁ । ଭୀମଭୋଇଙ୍କର ପ୍ରାକ୍ତନ ସାରସ୍ଵତ ସଂସ୍କାର ଥିଲା । ଅବଶ୍ୟ ତାଙ୍କର ଜନ୍ମ ଜାତକ ରହସ୍ୟମୟ । ମାତାପିତା ପରିତ୍ୟକ୍ତ, ପରିଚିତି ବିହୀନ ଭୀମଭୋଇ, ନିଃସ୍ଵ ଜୀବନ ନେଇ ବିଶ୍ଵଧର୍ମ ସାହିତ୍ୟକୁ ଯେଉଁ ଶାଶ୍ୱତ ଚିନ୍ତନର ସାରସ୍ଵତ ଅବଦାନ ଦେଇଯାଇଛନ୍ତି, ତାହାହିଁ ତାଙ୍କର ପରମ ପରିଚୟର ପୁଣ୍ୟ ପରିଧି ।

 

ପ୍ରବୁଦ୍ଧଗୁରୁ ମହିମା ସ୍ଵାମୀ ଭୀମଭୋଇଙ୍କୁ ଦୀକ୍ଷିତ କରିବା ପରେ, ଗୁରୁ ଆଶୀର୍ବାଦ ଲାଭ କରି ତାଙ୍କର ଜ୍ଞାନ ନେତ୍ର ଉନ୍ମୋଚିତ ହେଲା । ତାଙ୍କ ଭିତରେ ଥିବା ବିକାଶୋନ୍ମୁଖୀ ସାରସ୍ଵତ ପ୍ରତିଭା ସମୃଦ୍ଧ ଓ ବିକଶିତ ହେଲା । ତାଙ୍କର ପ୍ରାରମ୍ଭିକ ଲିଖନଧାରା ବଦଳିଯାଇ ଆଧ୍ୟାତ୍ମ୍ୟ ଦର୍ଶନରେ ମହିମାନ୍ୱିତ ହେଲା ।

 

ଅଷ୍ଟମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଅଦ୍ୱୈତବାଦ’, ଦ୍ୱାଦଶ ଶତାବ୍ଦୀରେ ରାମାନୁଜଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବିଶିଷ୍ଟାଦ୍ୱୈତବାଦ’କୁ ମିଶାଇ, ସେଥିରେ ନୂତନ ଚିନ୍ତନର ସ୍ପର୍ଷଦେଇ ପ୍ରବୁଦ୍ଧଗୁରୁ ମହିମାସ୍ଵାମୀ ବିଶୁଦ୍ଧ ଅଦ୍ୱୈତଜ୍ଞାନ ଭକ୍ତିଯୋଗ ବାଦ’ ପ୍ରଚାର କରିଥିଲେ । ତାଙ୍କ ମତରେ, ବ୍ରହ୍ମ ଅନବଚ୍ଛିନ୍ନ ସତ୍ତା ଅନବଚ୍ଛିନ୍ନ ଚୈତନ୍ୟ ଏବଂ ଅନବଚ୍ଛିନ୍ନ ଆନନ୍ଦ ସ୍ଵରୂପ । ନିଜେ ବ୍ରହ୍ମସ୍ଵରୂପ ନହେଲେ ବ୍ରହ୍ମଙ୍କୁ ଉପଲବ୍ଧି କରିବା ସମ୍ଭବ ନୁହେଁ ।

 

ଭୀମଭୋଇ ଏହି ମହାନ ନିଗୂଢ଼ ତତ୍ତ୍ଵକୁ ସରଳ ସୁନ୍ଦର ଲୋକଭାଷାରେ ଲୋକମାନଙ୍କ ନିକଟରେ ପରିବେଷଣ କରିଥିଲେ । ତାଙ୍କର ଜଣାଣ ଭଜନ ଚଉତିଶା ଭିତରେ ବ୍ରହ୍ମବାଦର ବିମଳ ସ୍ରୋତ ପ୍ରବାହିତ । ମହିମାସ୍ୱାମୀ, ସବୁ ଭକ୍ତି ସଂଗୀତରେ ଏପରି ବିମୁଗ୍ଧ ହୋଇଥିଲେ ଯେ, ଧର୍ମସଭାମାନଙ୍କରେ ସେ ନିଜେ ସେସବୁ ଆବୃତ୍ତି କରୁଥିଲେ ।

 

ମହିମାସ୍ଵାମୀଙ୍କର ମହାପ୍ରୟାଣ ହେଲା ଖ୍ରୀ:ଅ: ୧୮୭୬ରେ । ଖ୍ରୀ:ଅ: ୧୮୭୫ରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ‘‘ଆର୍ଯ୍ୟସମାଜ’’ ପ୍ରତିଷ୍ଠା କଲେ । ବୈଦିକ ଆଦର୍ଶ, ପରମ୍ପରା ଓ ନୀତିକୁ ଏଥିରେ ପ୍ରାଧାନ୍ୟ ଦିଆଗଲା । ମହିମାଧର୍ମ ହେଉଛି ‘ନିର୍ବେଦ’ ଧର୍ମ । ଏହା ବେଦାତୀତ ନିର୍ବେଦ ସାଧନର ମୂଳ ଉତ୍ସ । ବେଦର କର୍ମକାଣ୍ଡ, ଜପ, ତପ, ହୋମଯଜ୍ଞ ଏଥିରେ ପ୍ରତ୍ୟାଖ୍ୟାତ ହୋଇଛି । ନିର୍ବେଦ, ଅଖଣ୍ଡ ବ୍ରହ୍ମସ୍ୱରୂପ ଓ ବ୍ରହ୍ମମୟ । ଭୀମଭୋଇଙ୍କ ଭାଷାରେ-

 

‘‘ନିର୍ବେଦ ପୁରୁଷ ବେଦ ନଲାଗଇ

ନପଶେ ଶବଦ ଭେଦ

ଅଖଣ୍ଡ ବ୍ରହ୍ମ ସେ, ଖଣ୍ଡ ଖଣ୍ଡ ନୁହେଁ

ନାହିଁ ତା’ର ବିନ୍ଦୁ ନାଦ । (ସ୍ତୁ.ଚି.)

 

ଜପତପ ସଂଧ୍ୟା ହୋମ ଯଜ୍ଞ ତେଜି ଧରି ନିରିବେଦ ପଥ

ଆତ୍ମା ଭଗତିରେ ଏ ମୃତ୍ୟୁ ସଂସାରେ ମଣିଲି ମୁଁ ଏକମତ ।

(ସ୍ତୁ ଚି.)

 

ଏକ ସମୟରେ ଜନମାନସ ଆର୍ଯ୍ୟସମାଜର ବୈଦିକ ବିଭୂତି ଏବଂ ମହିମାଧର୍ମର ନିର୍ବେଦ ସାଧନା ଗ୍ରହଣ କରିଥିଲା । ଏହି ଉଭୟ ଭକ୍ତି ଆନ୍ଦୋଳନର ମୂଳ ଉତ୍ସ, ବେଦାନ୍ତ ଦର୍ଶନ ବା ଉପନିଷଦୀୟ ଭାବଧାରା । ଫଳରେ, ଲୋକମନ ଉଭୟକୁ ଗ୍ରହଣ କରି ନେବାରେ କିଛି ଅସୁବିଧା ହେଲାନାହିଁ । ମହିମାଧର୍ମ ଅଧିକ ପ୍ରଚାରିତ ଏବଂ ପ୍ରସାରିତ ହୋଇଥିଲା ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ । ଉପକୂଳ ଅଞ୍ଚଳରେ ଲୋକମାନେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ । ଅଳ୍ପଦିନ ମଧ୍ୟରେ ଏହା ମଧ୍ୟପ୍ରଦେଶର ରାୟପୁର, ବିଳାସପୁର, ବଙ୍ଗପ୍ରଦେଶର ବାଙ୍କୁଡ଼ା, ନଦିଆ, ମେଦିନପୁର ଏବଂ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିର ଗୁଣ୍ଠୁର, ହାଇଦ୍ରାବାଦ ଏବଂ ଇନ୍ଦୋର ପ୍ରଭୃତି ରାଜ୍ୟରେ ପ୍ରସାରିତ ହୋଇଥିଲା । ଆଜି ମଧ୍ୟ ସେ ଅଞ୍ଚଳରେ ହଜାର ହଜାର ମହିମାଭକ୍ତ ଅଛନ୍ତି ।

 

ଟିକିଏ ପଛକୁ ଦୃଷ୍ଟି ପକାଇଲେ ଦେଖିବା ଖ୍ରୀ:ଅ: ୧୮୬୬ର ନଅଙ୍କ ଦୁର୍ଭିକ୍ଷର ଚିତ୍ର । ଲୋକମାନେ ଖାଦ୍ୟାଭାବ ପାଇଁ ପୋକମାଛି ପରି ଟଳି ପଡ଼ୁଥାନ୍ତି । ଅସମୟରେ, ଏହି ଜାତୀୟ ବିପର୍ଯ୍ୟୟରୁ ସୁଯୋଗ ନେଲେ ବିଦେଶୀ ପାଦ୍ରୀମାନେ । ସରକାରୀ ସହାୟତା ନେଇ, କ୍ଷୁଧାର୍ତ୍ତ ମୁଖରେ ସାମାନ୍ୟ ଖାଦ୍ୟଦେଇ ସେମାନଙ୍କୁ ଧର୍ମାନ୍ତରିତ କଲେ । ବିଦେଶୀ ଶାସକର ରାଜନୈତିକ ଅବିବେକିତା, ଲୋକମାନଙ୍କର ସ୍ଵଧର୍ମ ଅପହରଣ କଲା । ଠିକ୍‌ ଏଇ ସାମାଜିକ ଦୁର୍ଦ୍ଦିନରେ ଅଣ୍ଟାଭିଡ଼ି ଛିଡ଼ାହେଲା ଏହି ନବଜାତ ମହିମାଧର୍ମ, ନବଯୁବକର ଉଦ୍ଦାମତା ଏବଂ ପ୍ରଚଣ୍ଡ ଆତ୍ମଶକ୍ତିର ଅଧିକାରୀ ହୋଇ । ଚମକି ପଡ଼ିଲେ ପାଦ୍ରୀମାନେ । ତାଙ୍କରି ଧର୍ମଧ୍ଵନିର ପ୍ରତିଧ୍ଵନି ସେମାନଙ୍କୁ ଯେତିକି ଚକିତ କଲା, ସେତିକି ବିମଥିତ କଲା ମଧ୍ୟ ।

 

ଲୋକମାନଙ୍କ ମନରେ ନବଜାଗରଣ ସୃଷ୍ଟି କରିଛି ନବପ୍ରବର୍ତ୍ତିତ ମହିମାଧର୍ମ । ପରମାତ୍ମା ପରମେଶ୍ୱର ଏକମାତ୍ର ଉପାସ୍ୟ । ଏଥିରେ ନାହିଁ ହିନ୍ଦୁଧର୍ମର ମନ୍ଦିର, ମଠ ଓ ମହନ୍ତଙ୍କ ମେଳା, ବେଦର କ୍ରିୟାକାଣ୍ଡ, ମନ୍ତ୍ର, ଯନ୍ତ୍ର ଓ ମୂର୍ତ୍ତିପୂଜାର ହୋହଲ୍ଲା, ବ୍ରାହ୍ମଣବାଦର ତର୍ଜନୀ ତାଡ଼ନା । ଗୀର୍ଜା, ବାଇବେଲ, ବିଶପ୍‌ଙ୍କ ପ୍ରଭୁତା ଏବଂ ମୁଲ୍ଲା, ମସଜିଦ୍‌, କୋରାନର ଆଧିପତ୍ୟ । ସରଳ ସୁନ୍ଦର ଧର୍ମଟିଏ । ଆଚରଣ ଖୁବ୍‌ ସରଳ । ଗୁଡ଼ାଏ ଅଯଥା ନୀତି ନିୟମ ଏବଂ ପୂଜା ପାର୍ବଣର ଆଡ଼ମ୍ବର ନାହିଁ । ଲୋକମନକୁ ଭାରି ଟାଣିଛି, ଭାରି ଛୁଇଁଛି । ଲୋକମାନେ, ମହମହ ମହକୁଥିବା ବିଦେଶୀଧର୍ମ ଫୁଲଟିକୁ ତୋଳି ଆଣି ହାତରେ ଧରିଲେ ଏବଂ ମହିମାଧର୍ମ ରୂପକ ସ୍ଵଦେଶୀ ଫୁଲଚାରାଟିକୁ ଯତ୍ନରେ ଆଣି ମନମାଟିରେ ଲଗାଇଲେ ।

 

ମହିମାଧର୍ମ ଓ ଖ୍ରୀଷ୍ଟଧର୍ମର ସମରୂପତା ପାଇଁ ମହିମା ଧର୍ମକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ମହିମାଧର୍ମକୁ ଖ୍ରୀଷ୍ଟଧର୍ମର ନକଲି ସଂସ୍କରଣ ବୋଲି ପାଦ୍ରୀମାନେ ପ୍ରଚାର କରି ଲୋକମାନଙ୍କୁ ବିଷାକ୍ତ କଲେ । ଭୀମଭୋଇ ଗଭୀର ମର୍ମଦାହ ମଧ୍ୟରେ ଲେଖିଛନ୍ତି,

 

‘‘କିରସ୍ତାନ ବୋଲି ଦେଉଛନ୍ତି ଗାଳି ନିନ୍ଦା କରୁଛନ୍ତି ଲୋକ

ଅଲେଖ ! ଅଲେଖ ! ବୋଲିବାକୁ ସ୍ୱାମୀ ଦେଉଛି ଦୁର୍ଦ୍ଦଣ୍ଡ ଦୁଃଖ । ସ୍ତୁ.ଚି୨୦/୨

 

ତଥାପି ମହିମାଧର୍ମ ଖ୍ରୀଷ୍ଟଧର୍ମର ପ୍ରବଳ ପ୍ରବାହକୁ ଅଟକାଇ ଦେଲା । ଏ ଜାତିକୁ ଗୋଟାଏ ବିରାଟ ଧର୍ମସଙ୍କଟରୁ ରକ୍ଷା ମିଳିଗଲା ।

 

ବିଶ୍ଵଧର୍ମର ସାରସର୍ବସ୍ଵ ହେଉଛି ମହିମାଧର୍ମ । ଶୁଦ୍ଧତା ଏହାର ମୂଳମନ୍ତ୍ର । ଚିତ୍ତଶୁଦ୍ଧି ଆତ୍ମଶୁଦ୍ଧି, କର୍ମଶୁଦ୍ଧି, ବାକ୍‌ଶୁଦ୍ଧି, ଆଚାର ଓ ବିଚାରଶୁଦ୍ଧି । ଛାୟାଶୀଳ ମହିମା ବୃକ୍ଷଟି, ଧର୍ମୀୟ ପ୍ରଦୂଷଣକୁ ବିଶୁଦ୍ଧ କରିବା ଦିଗରେ ତାର କାୟା ବିସ୍ତାର କରିଛି ।

 

ମହିମାସ୍ଵାମୀ ମହିମାଧର୍ମର ପ୍ରାଣ ପ୍ରତିଷ୍ଠାତା ହେଲେ ମଧ୍ୟ ସନ୍ଥକବି ଭୀମଭୋଇ ତାଙ୍କର ପଟ୍ଟଶିଷ୍ୟ ଭାବରେ, ଏହାର ଉତ୍ତରଣ ଏବଂ ବିପୁଳାୟନର ବର୍ଦ୍ଧକୀରୂପେ କାମ କରିଛନ୍ତି । ମୂଳ ମହିମାଧର୍ମର କଠୋରତା ଓ ଜଟିଳତାକୁ ସେ ସରଳ କରି ଏହାକୁ ଅଧିକ ପ୍ରତିନିଧିମୂଳକ ଓ ଗଣଧର୍ମୀ କରିବାରେ ସଫଳ ହୋଇଛନ୍ତି । ଯେଉଁ ନାରୀମାନଙ୍କର ପ୍ରବେଶାଧିକାରକୁ ମହିମାଧର୍ମରେ ବାରଣ କରାଯାଇଥିଲା, ସେ ତାହାକୁ ପରିହାର କରି ବଜ୍ରକଣ୍ଠରେ କହିଛନ୍ତି -

 

‘‘ଯେସନେକ ଜଳ ପବନର ଭେଦ ନାହିଁ

ପୁରୁଷ ଯେଣିକି ଯିବ, ସ୍ତ୍ରୀରୀ ଯିବ ତହିଁ । ବ୍ର.ନି.ଗୀତା

ନିନ୍ଦା ଗର୍ବମାନ, ନରହିବ ଟାଣ କରୁଥିବେ ଏକଭାବ

ପୁରୂଷଙ୍କୁ ସ୍ତିରୀ ଜ୍ଞାନ ବୂଝାଇଲେ ସତ୍ୟଯୁଗ ଲେଉଟିବ । ସ୍ତୂ.ଚି.୨୪/୧୮

 

ମୁକ୍ତିଲାଭ ପାଇଁ ମଣିଷକୁ ଯେ ସର୍ବତ୍ୟାଗୀ, ସଂସାର ତ୍ୟାଗୀ ହେବାକୁ ପଡ଼ିବ, ଭୀମଭୋଇ ଏହି ଉକ୍ତିକୁ ଗ୍ରହଣ କରି ନଥିଲେ । କଠିନ କଠୋର ସାଧନାର ପ୍ରୟୋଗଶାଳାରୂପେ ସେ ଗ୍ରହଣ କରିଥିଲେ ଗୃହସ୍ଥାଶ୍ରମକୁ । ମହିମାଧର୍ମରେ ଏହା ଏକ ନୂତନ ପରମ୍ପରା ସୃଷ୍ଟି କଲା । ଗୃହୀ ସନ୍ନ୍ୟାସୀମାନେ ସ୍ଵଧର୍ମର ପ୍ରିୟ ପରିଧି ମଧ୍ୟରେ ଧର୍ମାଚରଣର ସୁଯୋଗ ଲାଭକଲେ ।

 

‘‘ନାମଟି ଅକ୍ଷୟ, ଅଜନ୍ମ ଅଜୟ ଚାରିଯୁଗେ ଯେବେ ସତ୍ୟ ।

ଗୃହେ ଥାଇ ବିହିତ କର୍ମକଲେ ସବୁହେବ ପରାପତ । ସ୍ତୁ.ଚି.୧୭/୨୯

 

ଗୃହକୁ ସାଧନା ଓ ସିଦ୍ଧିର ମନ୍ଦିର ରୂପେ ଗ୍ରହଣ କରି ଭୀମଭୋଇ ମହିମାଧର୍ମ ଆନ୍ଦୋଳନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ । ସନାତନ ଧର୍ମର ବହୁ ମୁନିଋଷି ଗୃହସ୍ଥଧର୍ମ ମଧ୍ୟରେ ପରମଲକ୍ଷ୍ୟ ହାସଲ କରିଥିବାର ଅସୁମାର ଦୃଷ୍ଟାନ୍ତ ରହିଛି । ପରିବାର ଓ ଗୃହ ହେଉଛି ଭାରତୀୟ ଜୀବନଧାରାର ପବିତ୍ରପୀଠ ।

 

ଭୀମଭୋଇଙ୍କ ରଚିତ ଭଜନ, ଜଣାଣ, ଚଉତିଶା, ବୋଲି ପ୍ରଭୃତି ସାରସ୍ଵତ ସମ୍ଭାର, ରୀତିଯୁଗୀୟ । ଏହା ପୁରାତନ ଶୈଳୀରେ ରଚିତ ହେଲେ ମଧ୍ୟ ଭଂଜ ଯୁଗର କ୍ଲିଷ୍ଟ କଠିନ ଶବ୍ଦ ପ୍ରୟୋଗ, ଛନ୍ଦ, ଅଳଙ୍କାର ଓ ଅବୋଧ୍ୟ ଭାଷା ପ୍ରସାଧନ ଏଥିରେ ନାହିଁ । ମହିମାଧର୍ମକୁ ଲୋକାଭିମୁଖୀ କରିବାପାଇଁ ସେ ଲୋକ ଭାଷାର ଆଶ୍ରୟ ନେଇଛନ୍ତି । ଲୋକଛନ୍ଦ, ଲୋକଭାଷା, ଳୋକବାଦ୍ୟର ପ୍ରୟୋଗକରି ସାହିତ୍ୟ ଓ ସଂଗୀତ ମାଧ୍ୟମରେ ଭକ୍ତିରସ ପରିବେଷଣ କରିଛନ୍ତି ।

 

ଭୀମଭୋଇଙ୍କ ଉପରେ ତାନ୍ତ୍ରିକ ସାହିତ୍ୟର ପ୍ରଭାବ ମଧ୍ୟ ପଡ଼ିଛି । ତାନ୍ତ୍ରିକ ସାହିତ୍ୟର ଭାଷା ହେଉଛି ‘ସନ୍ଧ୍ୟା’ ଭାଷା, ଯାହାର ଅର୍ଥ ଛଦ୍ମ ଅର୍ଥଯୁକ୍ତ ଭାଷା । ଏଥିରେ ସାଙ୍କେତିକ ଶବ୍ଦ ସବୁ ବ୍ୟବହାର ହୋଇଥାଏ । ବୌଦ୍ଧଧର୍ମର ସିଦ୍ଧାଚାର୍ଯ୍ୟମାନେ ସେମାନଙ୍କ ଧର୍ମପ୍ରଚାର ପାଇଁ ତାଙ୍କ ସାହିତ୍ୟରେ ସନ୍ଧ୍ୟାଭାଷା ପ୍ରୟୋଗ କରୁଥିଲେ । ଓଡ଼ିଶାର ପଞ୍ଚସଖାଙ୍କ ପରି ତାନ୍ତ୍ରିକ ବୈଷ୍ଣବମାନେ ଏପ୍ରକାର ଏକ ସାଙ୍କେତିକ ଭାଷା ତାଙ୍କ ସାହିତ୍ୟରେ ବ୍ୟବହାର କରିଥିବା ଦେଖାଯାଏ । ଯଥା-

 

‘‘ବାଇମନରେ ବସି ଅବନା ବନା

ଅବନା ବନିଲେ ଅପମା ମାପିଲେ

ଅବିଦ୍ୟାରେ ତୋର ହୋଇବ ଧନ ।

- ପଞ୍ଚସଖା ଭଜନ

 

ଭୀମଭୋଇ ଠିକ୍‌ ସେହି ପରି ଲେଖିଛନ୍ତି –

 

‘‘ଅମପା ମାପିଲେ ଯାଇ ଅଖାଦ୍ୟ ପାରିଲେ ଖାଇ

ସାଧୁସଙ୍ଗ କଲେ ପୂର୍ବ ପାତକ ହରଇ ।’’

(ଭଜନମାଳା ପୃ.୧୫)

 

ଭୀମଭୋଭଇଙ୍କ ବ୍ରହ୍ମ ନିରୂପଣ ଗୀତାରେ ଥିବା ବ୍ରହ୍ମ ସ୍ଵରୂପ କଥନ, ଏହି ଭାଷାର ଆବରଣ ଗ୍ରହଣ କରିଛି । ପିଣ୍ଡବ୍ରହ୍ମାଣ୍ଡବାଦ, ଶୂନ୍ୟବାଦ ପ୍ରଭୃତି ଗୂଢ଼ ଆଧ୍ୟାତ୍ମ ତତ୍ତ୍ଵପାଇଁ ଉପନିଷଦ ଯୁଗରୁ ଚଳି ଆସୁଥିବା ଏହି ସାଙ୍କେତିକ ଭାଷାକୁ ଭୀମଭୋଇ ଗ୍ରହଣ କରିଛନ୍ତି । ଏହାବ୍ୟତୀତ ତାଙ୍କ ସାହିତ୍ୟରେ ପଶ୍ଚିମ ଓଡ଼ିଶାର ଲୋକ ପ୍ରଚଳିତ ଶବ୍ଦ, ଗଡ଼ଜାତ ଅଞ୍ଚଳର ଶବ୍ଦ, ନିପଟ ଗାଉଁଲି ଶବ୍ଦ ଯାବନିକ ଶବ୍ଦ, ଏବଂ ଖାଣ୍ଟି ଓଡ଼ିଆଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳେ ।

 

‘‘ତାମ୍ୱି, ବୁକା, ଖାନି, ପୁଖିଲା (ସୁଖିଲା), ଖରଚା, ମଣ୍ଡ, ଭୁଜା, ଖଜା, ଥିତ ଇଝାର, ନିବାଡ଼, ତୁଳିଆ, ପଡ଼ିବର୍ତ୍ତନ ପ୍ରଭୃତି ଏହାର ଅନ୍ତର୍ଗତ ।

 

ଭୀମଭୋଇଙ୍କ ଲେଖା ମଧ୍ୟରେ ପ୍ରାଗ୍‌ ବୈଦିକ ଆଧ୍ୟାତ୍ମିକ ପରିଭାଷା ବିସ୍ତୃତ ଭାବରେ ରହିଛି । ଯଥା-ନିଗମ ଭବନ, ଅବନାମଣ୍ଡଳ, ଅବନାମନ୍ଦିର, ଅମନପୁର, ନିର୍ବେଦଧର୍ମ, ନିଷ୍କାମଯୋଗ, ଅନାମପୁର, ଠୂଳଶୂନ୍ୟ, ଅନାହତଧୁନି, ଅବାଇ ମଣ୍ଡଳ, ଅମଡ଼ା, ଅପୋଡ଼ା ଭୂଇଁ ପ୍ରଭୃତି ।

 

ଭୀମଭୋଇଙ୍କ ଭଜନ ଜଣାଣରେ ପ୍ରତୀକତା ଭରିରହିଛି । ଅଧିକାଂଶ ଭଜନ ଜଣାଣ ଛଅ କିମ୍ବା ଆଠ ପଦିଆ । ‘ଅଲେଖ ମହିମା’ ମହିମାଧର୍ମର ଷଡ଼ାକ୍ଷର ମନ୍ତ୍ର । ଏଥିରେ ଛଅଟି ଅକ୍ଷର ଅଛି । ‘ଅଲେଖ ମହିମାଧର୍ମ’ରେ ଆଠଟି ଅକ୍ଷର ଅଛି । ମନ୍ତ୍ରଦ୍ରଷ୍ଟା ଭୀମଭୋଇ ଏହି ମନ୍ତ୍ର ପ୍ରତୀକକୁ ତାଙ୍କ କବିତାର କଳା କଳ୍ପରେ ପ୍ରୟୋଗ କରିଛନ୍ତି । ଫଳରେ ଭଜନ ଓ ଜଣାଣଗୁଡ଼ିକ ଗୋଟିଏ ଗୋଟିଏ ମନ୍ତ୍ରର ମହତ୍ତ୍ୱ ଲାଭ କରିଛନ୍ତି । ଭୀମ ଭୋଇଙ୍କ ଅନେକ କବିତା ପ୍ରତୀକଧର୍ମୀ ଏବଂ ଦାର୍ଶନିକ ଭାବପୂର୍ଣ୍ଣ । ଯଥା -

 

‘‘ଭୁଞ୍ଜୁଅଛି ସତୀ ପରଶୁଛି ପତି ଅତି ହରଷ ମତିରେ

ଦୋପଖା ଚୁଳାରେ ବସିଅଛି ଭାଣ୍ଡ ନୀର ଫୁଟୁଛି ତହିଁରେ ।’’ (ଉ.ମା.୧୬୯)

‘ଛାଇ ପଡ଼ିଅଛି ନାହିଁ ବୃକ୍ଷମୂଳ

ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ।’

 

ଏସବୁ ଲେଖା ସାଧାରଣ ଭକ୍ତମାନଙ୍କ ପାଇଁ ନୁହେଁ, ତତ୍ତ୍ୱମାର୍ଗୀ ସାଧକ ବୈଷ୍ଣବମାନଙ୍କ ପାଇଁ ଅଭିପ୍ରେତ । ସରଳ ଶବ୍ଦ ସମ୍ଭାର ମଧ୍ୟରେ ଗହନତତ୍ତ୍ୱର ଗାଲିଚା ବିଛାଯାଇଛି । ଏସବୁକୁ ବାଦ ଦେଲେ ଭୀମଭୋଇ ରୀତିଯୁଗୀୟ ଓଡ଼ିଆ ସାହିତ୍ୟର ଘଞ୍ଚ ବନାନୀରେ ଏକ ସୁନ୍ଦର ଚଲାପଥ ସୃଷ୍ଟି କରିଛନ୍ତି ସର୍ବସାଧାରଣଙ୍କର ସ୍ଵଚ୍ଛନ୍ଦ ପ୍ରବେଶ ପାଇଁ । ସେଥିପାଇଁ ତାଙ୍କୁ ପ୍ରଶଂସାର ପାଲିଙ୍କିରେ ବସାଯାଇଛି ଏବଂ ନିନ୍ଦାର ନିଗଡ଼ରେ ମଧ୍ୟ ବନ୍ଧାଯାଇଛି ।

 

ଭୀମଭୋଇ ଅନେକ ସଂସ୍କୃତ ସୁଭାଷଣକୁ ଅବିକଳ ବ୍ୟବହାର କରିଛନ୍ତି ନିଜ ଢଙ୍ଗରେ । ଯଥା- ‘‘ଧର୍ମଂ ରକ୍ଷତି ଧାର୍ମିକଃ’’ । ଭୀମଭୋଇଙ୍କ ଭାଷାରେ ଠିକ୍‌ ଏଇପରି ‘ଧାର୍ମିକ ଧର୍ମ ରକ୍ଷାକରେ, ସେ ସତବାକ୍ୟ ଚରାଚରେ ।

 

ଏସବୁ ଅନୁଧ୍ୟାନକଲେ କଲେ ଭୀମଭୋଇଙ୍କୁ କନ୍ଧ, ଅନ୍ଧ, ଅପଠ, ନିରକ୍ଷର ବୋଲି ଗ୍ରହଣ କରିବାକୁ ଇଚ୍ଛା ହୁଏନାହିଁ । ମନେହୁଏ ସେ ଓଡ଼ିଆ, ବଙ୍ଗଳା, ହିନ୍ଦି, ସଂସ୍କୃତ ପ୍ରଭୃତି ବହୁ ଭାଷାରେ ସିଦ୍ଧହସ୍ତ ଥ୍‌ଲେ । ବଙ୍ଗଳା ଭାଷାରେ ତାଙ୍କ ଲିଖିତ ମହିମା ବିନୋଦ’ ଏକ ଅପ୍ରକାଶିତ ଗ୍ରନ୍ଥ ।

 

ବୌଦ୍ଧ ସାହତ୍ୟଠାରୁ ଆରମ୍ଭ କରି ପଞ୍ଚସଖାଙ୍କ ପର୍ଯ୍ୟନ୍ତ ଧର୍ମସାହିତ୍ୟରେ ପିଣ୍ଡବ୍ରହ୍ମାଣ୍ଡବାଦର- ସୂଚନା ମିଳେ । ବ୍ରହ୍ମାଣ୍ଡର ପ୍ରତ୍ୟେକ ପଦାର୍ଥ ଏହି ପିଣ୍ଡରେ ରହିଛି ବୋଲି ବଳରାମ ଦାସ ବିରାଟ ଗୀତାରେ ପ୍ରକାଶ କରିଛନ୍ତି -

 

‘‘ବ୍ରହ୍ମାଣ୍ଡେ ଯେତେ ବିଧିମତ

ପିଣ୍ଡରେ ଅଛନ୍ତି ସମସ୍ତ

ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ

ତୋ ଆଗେ କହିଦେଲି ତତ୍ତ୍ଵ ।’’

ଭୀମଭୋଇ ଏର ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱକୁ ଗ୍ରହଣ କରି ଲେଖିଛନ୍ତି

 

‘‘ବ୍ରହ୍ମ ହୁଅ ପରକାଶ

ପିଣ୍ଡବ୍ରହ୍ମାଣ୍ଡ ଦୂରିତ ଝଟତିରେ ନାଶ । ଭ.ମା୨୨

ବ୍ରହ୍ମ ସାଗରେ ପିଣ୍ତ ଝସାଅ ନେଇ

ତତ୍ତ୍ୱକଲେ ତରିବ ବ୍ରହ୍ମେଭଟ ପାଇବ

ତ୍ରିଗୁଣ ଛିଡ଼ିଯିବ ନିଷ୍କାମ ହୋଇ । ଭ.ମା

 

ପଶ୍ଚିମ ଓଡ଼ିଶାର କବି ଚୈତନ୍ୟଦାସଙ୍କ ରଚିତ ନିର୍ଗୁଣ ମହାତ୍ମ୍ୟ ଏବଂ ବିଷ୍ଣୁଗର୍ଭ ପୁରାଣରେ ଅଲେଖ ତତ୍ତ୍ଵର ସୁବିସ୍ତୃତ ବିବରଣୀ ଦେଖିବାକୁ ମିଳେ । ଏହା ବ୍ୟତୀତ ସମ୍ବଲପୁରର ପୁରାତନ କବି ରନ୍‌ଦାସଙ୍କ ‘ସାରସ୍ଵତ ଗୀତାରେ ଅଦ୍ୱୈତଦର୍ଶନ, ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ, ଶୂନ୍ୟବାଦ ପ୍ରଭୃତିର ଯେଉଁ ବିସ୍ତୃତ ଆଲୋଚନା ଅଛି ତାହା ସେ ହୃଦୟଙ୍ଗମ କରି ନିଜ ଲେଖାରେ ପ୍ରକାଶ କରିଛନ୍ତି । ଏହାର ତୁଳନାତ୍ମକ ସମୀକ୍ଷା ଏ କ୍ଷୁଦ୍ର ପ୍ରବନ୍ଧରେ ସମ୍ଭବ ନୁହେଁ । ସାମଗ୍ରିକ ପ୍ରଭାବର ସମ୍ୟକ ସୂଚନା ପାଇଁ ନିମ୍ନରେ କେତୋଟିର ଉଦାହରଣ ଦିଆଗଲା ।

 

ଯାହେଉ ବଣ ଚିହ୍ନ ରୂବ ନା ଜାଣୀ

ସୋ କଇରେ ଆଗମ ବେ ଏ ବଖାଣି

-ଚର୍ଯ୍ୟାଗୀତ, ଲୁଇପାଦ-       

 

ସୂଚୀଅଗ୍ର ବାଜିଲାଇ ପ୍ରାୟେ ଅଛିବାଟ

ସେ ବାଟ ଗମି ଶୂନ୍ୟମଣ୍ଡଳକୁ ଭେଟ

-ଅଚ୍ୟୁତାନନ୍ଦ

ବ୍ରହ୍ମାଣ୍ଡ ମାଳ ମାଳ ହୋଇ

ତୋ’ଲୋମ କୂପେ ବିରାଜଇ

-ଜଗନ୍ନାଥ ଦାସ       

 

ଅଣରୂପ ରୂପବର୍ଣ୍ଣ ଚିହ୍ନନାହିଁ କିଛି

ଜ୍ୟୋତିଭିତରେ ଅଜ୍ୟୋତି ଅଚିହ୍ଲାରେ ଅଛି

-ଭୀମଭୋଇ

 

ଶିଶୁରନ୍ଦ୍ରେ ରନ୍ଦ୍ରବାଟ ଅଛି ସେଠାବକୁ

ଆସିବାଯିବା ହେଉଛି ସକଳ ସ୍ଥାନକୁ

-ଭୀମଭୋଇ

ଯାହାର ଲୋମମୂଳେ ମାଳମାଳ ମେଦିନୀ

ବର୍ଣ୍ଣି ନାହାନ୍ତି ତାକୁ ସାରଳାସିଦ୍ଧ ମୁନି

-ଭୀମଭୋଇ-

 

ଏଇପରି ଅନେକ ଉଦାହରଣ ଦିଆଯାଇପାରେ । ଏଥିରୁ ସ୍ପଷ୍ଟ ଅନୁମିତ, ଭୀମଭୋଇ ବହୁ ଶାସ୍ତ୍ରଦର୍ଶୀଥିଲେ । କେବଳ ଏତିକି ନୁହେଁ ତାଙ୍କ ଆଧ୍ୟାତ୍ମିକ ରଚନା ଭଜନମାଳାର ୧୫୦-୧୫୨ ଭଜନରେ ଯେଉଁ ସମରଚିତ୍ର ଏବଂ ପ୍ରାଚୀନ ଯୁଦ୍ଧାସ୍ତ୍ରମାନଙ୍କର ସୂଚନାମିଳେ, ତାହା ପାଠକଲେ ବିସ୍ମିତ ହେବାକୁ ପଡ଼େ । ଫରିଖଣ୍ଡା, ଛେଲ, ଭାଲ, ଗଦା, ମୁଦ୍‌ଗର, ପଟ୍ଟା, ସାବେଳୀ, ହାବେଳୀ, ବହ୍ମବାଣ, ବଜ୍ରମୁନା, କୁନ୍ତ ପ୍ରଭୃତି ପ୍ରାଚୀନ ଅସ୍ତ୍ର ଓ ବ୍ୟବହାର ସହିତ ତାଙ୍କର ପରିଚୟ ଥିଲା । ଭୀମଭୋଇ ଥିଲେ ଏକାଧାରରେ ଅସି ଓ ମସିର ଲୋକ ।

 

ଯୁଗେ ଯୁଗେ ଭକ୍ତି ଏକ ଆନ୍ଦୋଳନ । ଏହା ସମାଜରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ସୃଷ୍ଟି କରିଥାଏ । ଭକ୍ତିଧାରାକୁ ନେଇ ନୂତନ ସାହିତ୍ୟ ସୃଷ୍ଟି ହୁଏ । ଅନେକ ନୂତନ ଶବ୍ଦ ଗଠିତ ହୁଏ । ନୂତନ ଦର୍ଶନ, ନବୀନ ଭାବସମ୍ଭାର ନେଇ ମନକୁ ମାର୍ଜନ କରେ । ପୂର୍ବ ପ୍ରଚଳିତ କେତେକ ଆଧ୍ୟାତ୍ମ୍ୟ ଶବ୍ଦ ସମୂହ ନୂତନ ଅର୍ଥବୋଧ ନେଇ ମଣ୍ଡିତ ହୁଏ । ଆବେଦନ, ନିବେଦନ, ଆଚରଣ ଓ ପ୍ରକାଶଭଙ୍ଗୀରେ ନୂତନ ଚମକ ସୃଷ୍ଟି ହୋଇଥାଏ । ଏସବୁ ବ୍ୟତୀତ ଭକ୍ତ ନିଜେ ମନୋଭୂମିରେ ନାରୀ ପାଲଟିଯାଇ ନିଜକୁ ପ୍ରଭୁପଦରେ ସମ୍ପୂର୍ଣ୍ଣରୂପେ ସମର୍ପଣ କରେ ।

 

ମହିମାଧର୍ମ ଏବଂ ଭକ୍ତଶିରୋମଣି ଭୀମଭୋଇଙ୍କୁ ଏଇ ଛାଞ୍ଚରେ ପକାଇ ପରୀକ୍ଷା କଲେ ଜଣାଯାଏ, ମହିମାଧର୍ମଧାରା ଏକ ନିଶ୍ଚିତ ଧର୍ମ ଆନ୍ଦୋଳନ । ଭୀମଭୋଇ ପରମ ପ୍ରେମିକଙ୍କର ପରମା ପ୍ରେମିକା । ସେ ତାଙ୍କ ଲେଖାରେ ବିପ୍ଳବର ଅନ୍ତଃସ୍ରୋତକୁ ଯେପରି ପ୍ରଖରିତ କରିଛନ୍ତି, ଭକ୍ତିରସାଣିତ ପ୍ରେମପ୍ରବାହକୁ ସେପରି ପ୍ରସାରିତ କରିଛନ୍ତି ।

 

ବ୍ରହ୍ମାଣ୍ଡେ ସ୍ଵାମୀ ମୋର ପାଉଛନ୍ତି କଷଣ

କର୍ଣ୍ଣେ ଶୁଣି ମୋ ପିଣ୍ଡେ ନରହୁଛି ଜୀବନ

ଦ୍ୱାପର ଯୁଗକୁ ଚାହିଁ ବ୍ରଜ ଗୋପାଳୁଣୀ ହୋଇ

ବ୍ରହ୍ମ ଅଙ୍ଗେ ପ୍ରେମ ସଙ୍ଗେ ସ୍ତିରୀ ରୂପ ହେ

(ଭ.ମା-ଭୀମଭୋଇ)

 

ମହମାଧର୍ମ ସୃଷ୍ଟି କରିଛି ଅଲେଖମଣ୍ଡଳୀ । ଧର୍ମକୁ ନେଇ ଗଢ଼ାଯାଇଛି ମହିମା ସାହିତ୍ୟ । ଅନେକ ନୂତନ ଆଧ୍ୟାତ୍ମିକ ଶବ୍ଦ ଗଠିତ ହୋଇଛି ନୂଆଢଙ୍ଗରେ ନୂତନ ଭାବବୋଧ ନେଇ । ଉଦାହରଣ ସ୍ଵରୂପ ପୂର୍ବ ପ୍ରଚଳିତ ଶବ୍ଦ ନିର୍ମାଲ୍ୟ, ମହିମା, ଅଲେଖ, ଅନାହତର ଅର୍ଥ ଯଥାକ୍ରମେ ଜଗନ୍ନାଥଙ୍କ ସୁଖିଲା ଅନ୍ନଭୋଗ, ମହତ୍ତ୍ୱ, ନାମବାଚକ ଏବଂ ଯାହା ଆହତ ନୁହେଁ । ମହିମା ସାହିତ୍ୟରେ ଏସବୁ ଶବ୍ଦ ନୂତନ ଅର୍ଥବୋଧରେ ମଣ୍ଡିତ ହୋଇଛି ।

 

‘‘ନିର୍ମାଲ୍ୟ ବୋଲି ଜଣାନାହିଁ

ନିର୍ମଳ ଜ୍ଞାନଟି ଅଟଇ

ତାକୁ ନିର୍ମାଲ୍ୟ ବୋଲି କହି

ଭକ୍ଷି ପାରିଲେ ମୁକ୍ତି ପାଇ ।’’

ଶ୍ରୁ.ନି.ଗୀତା-ଭୀମଭୋଇ

 

ତ୍ରିପୁର ଅସତ୍ୟ ହୋଇବାରୁ ପ୍ରଭୁ ପ୍ରକାଶିଲେ ଗୁରୁଧର୍ମ

ଷଡ଼ାକ୍ଷର ମନ୍ତ୍ର ବ୍ରହ୍ମାଣ୍ଡକୁ ଦେଲେ ‘‘ଅଲେଖ ମହିମା” ନାମ

ନାମବୋଲି ସିନା ଜାଣୁଛନ୍ତି ସର୍ବେ ମନ୍ତ୍ରବୋଲି ଜଣାନାହିଁ

ଶୂଦ୍ର ଚାଣ୍ଡାଳ ସବୁକୁ ଯୋଗାଉଛି ମୁଖେ ଅଛି ଆଖ୍ୟାଦେଇ

 

ମହିମା ନାମଟି ଯେହୂ ସାକ୍ଷାତେ ସେ ଧର୍ମ

ଅଗାଧ ଗଭୀର ସେ ଅଟଇ ପୂର୍ଣ୍ଣ ବ୍ରହ୍ମ ।”

 

ଭୀମଭୋଇଙ୍କର ବହୁମୁଖୀ ପ୍ରତିଭାର ସଠିକ୍‌ ଆକଳନ ଓଡ଼ିଆସାହିତ୍ୟରେ ଏପର୍ଯ୍ୟନ୍ତ ହୋଇନାହିଁ । ସେ ଦିଗରେ ଗବେଷକମାନେ ଆଗେଇ ଆସିବା ଉଟିତ ।

 

ଭୀମଭୋଇଙ୍କର ରଚନା, ମାନବବାଦ, ସମନ୍ୱୟବାଦ ଏବଂ ପ୍ରୀତିବାଦର ସଙ୍ଗମସ୍ଥଳୀ । ମଣିଷ ଜୀବନର ସୁଖ ଦୁଃଖର କରୁଣ ନିବେଦନ ସେ ଲେଖନୀ ମାଧ୍ୟମରେ ନିରାକାର ପରଂବ୍ରହ୍ମଙ୍କ ପାଖରେ ଉତ୍ସର୍ଗ କରିଛନ୍ତି । ବ୍ରହ୍ମୋପଲବ୍ଧି ପାଇଁ ସୃଷ୍ଟିର ଅଣୁତମ ଜୀବକୁ ମଧ୍ୟ ସେ ଆମନ୍ତ୍ରଣ କରିଛନ୍ତି । ଜୀବ, ମାନବ ଏବଂ ମହାସତ୍ତାର ମହାମିଳନ, ଅପୂର୍ବ ସମନ୍ଵୟର ଅଖଣ୍ଡ ସୃଜନ କ୍ରିୟା ।

 

‘ନିଜେ ଭଗବାନ ଦୁଃଖ ପାଉଛନ୍ତି

ବ୍ରହ୍ମାଣ୍ତ ରଖିବା ପାଇଁ

 

ଏହି ଅମୂଲ୍ୟ ଅଭିବ୍ୟକ୍ତି ମଧ୍ୟରେ କେତେଯେ ପ୍ରୀତିପ୍ରାଣତା ଭରିଛି ତାହା ଉପଲବ୍ଧି ନକଲେ ବୁଝି ହୁଏନାହିଁ । ସର୍ବଦୁଃଖହର, ସର୍ବପାପହର ପରମାତ୍ମା, ନିରାକାର ନିର୍ଗୁଣ ପରଂବ୍ରହ୍ମ ଭକ୍ତର ଭକ୍ତି ରାଜ୍ୟରୁ ଓହ୍ଲାଇ ଆସି, ଭାବବିନୋଦିଆ କବିର ଭାବରାଜ୍ୟରେ ସଗୁଣ, ସାକାର, କରୁଣାର୍ଦ୍ର ଭଗବାନ ପାଲିଟି ଯାଇଛନ୍ତି ।
 

ଭୀମଭୋଇଙ୍କ କବିତାର ଛତ୍ରେ ଛତ୍ରେ ବିପୁଳ ବିଶ୍ଵଭାବନା ନିହିତ ଅଛି, ତାହା ବିଶ୍ଵପ୍ରୀତିବାଦର ମନୋମୟ ପ୍ରକାଶ । ନିଜକୁ ନର୍କକୁ ଠେଲି ଦେଇ ଜଗତକୁ ଉଦ୍ଧାର କରିବା ପାଇଁ ତାଙ୍କର ଯେଉଁ ଆତ୍ମମୟ ନିବେଦନ ତାହା ବିଶ୍ଵ ସାହିତ୍ୟର ପରମ ଶାଶ୍ୱତବାଣୀ ।

 

‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

      ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।’’(ସ୍ତୁ.ଚି.)

‘ପତିତଜୀବକୁ ଉଦ୍ଧାର କର ।

      ଉଡ଼ିଗଲା ପ୍ରାଣ ପିଣ୍ଡରେ ଧର ।” (ଭ.ମା)

 

ଜାତି ବିଦ୍ୱେଷ ଆଜି ଭାରତର ସାମାଜିକ ତଥା ରାଷ୍ଟ୍ରୀୟ ଜୀବନକୁ ବିପର୍ଯ୍ୟସ୍ତ କରି ଦେବାକୁ ବସିଲାଣି । ଜାତିଆଣ ଭାବ ଭାରତର ସଂହତି ପ୍ରତି ଏକ ଆହ୍ୱାନ । ସମ୍ପ୍ରତି ଅଧିକାଂଶ ରାଜନୈତିକ ବ୍ୟକ୍ତି ଏହି ଜାତିଆଣ ଭାବର ଖଳ କଣ୍ଢେଇକୁ ନେଇ ଖେଳକଣ୍ଢେଇରେ ପରିଣତ କରିଛନ୍ତି । ସଂସ୍କାର ପୁରୁଷ ଭୀମଭୋଇ ବଜ୍ର କଣ୍ଠରେ କହିଛନ୍ତି –

 

‘‘ଜାତି ଖୋଜିଲେ ମୁକ୍ତି ନାହିଁ

ମୁକ୍ତି ଖୋଜିଲେ ଜାତି କାହିଁ ।’’

 

ମହିମା ଧର୍ମ ଜନପ୍ରିୟତା ହାସଲ କରିବା ମୂଳରେ, ମହିମାସ୍ୱାମୀଙ୍କର କଠୋର ଆତ୍ମଯୋଗ ସହିତ ଭୀମଭୋଇଙ୍କର ଅଲୌକିକ ଆଧ୍ୟାତ୍ମ୍ୟଶକ୍ତି, ପ୍ରଚଣ୍ଡ ପ୍ରାଜ୍ଞିକ ପ୍ରତିଭା ଏବଂ ବିପୁଳ ସାରସ୍ୱତ ଅବଦାନ ନିହିତ ଅଛି । ତାଙ୍କର ପ୍ରାଣସ୍ପର୍ଶୀ ଭଜନ, ଅନାହତ ଆତ୍ମନିବେଦନ, ଅନୁପମ ସଙ୍ଗୀତ ସ୍ୱର, କାଠ ପାଷାଣ ମଧ୍ୟରେ ବି ଭକ୍ତିଭାବ ଉଦ୍ରେକ କରେ ।

 

ମହିମାଧର୍ମ-ସାହିତ୍ୟର ଭଗୀରଥ ଭୀମଭୋଇ ଏକାଧାରରେ ଜଣେ ସ୍ୱର ସମ୍ରାଟ, କବି, ଦାର୍ଶନିକ, ସଂଗୀତଜ୍ଞ, ଧର୍ମନେତା ଓ ସଂସ୍କାରକ ହିସାବରେ ଗୁରୁଗୌରବର ଅଧିକାରୀ । ଗ୍ରାମ୍ୟ ବାଦ୍ୟଯନ୍ତ୍ର ଖଞ୍ଜଣିଟିକୁ ତାଙ୍କ ସାଧନାର ସାଧନରୂପେ ଗ୍ରହଣ କରି ପରିଛନ୍ଦ ଭିତରୁ ତାଙ୍କ ଭଜନର ଛନ୍ଦ ଆବିଷ୍କାର କରିଥିଲେ । ଗାଉଁଲି ବାଦ୍ୟ ଯନ୍ତ୍ରଟିର ଭାକ୍ତିକ ଆବେଦନ ଓ ଭୀମଭୋଇଙ୍କ ଭକ୍ତିସଂଗୀତ ମିଶିଯାଇ ଏକ ହୋଇ ଯାଇଛି । ନରମ ସଂଧ୍ୟାରେ ଶାନ୍ତ ଶୀତଳ ପରିବେଶ ମଧ୍ୟରେ ଯେତେବେଳେ ଖଞ୍ଜଣି ସ୍ୱର ସହିତ ଭୀମଭୋଇଙ୍କ ଭଜନ ଭାସିଆସେ, ସେତେବେଳେ ଯେଡ଼େ ନାସ୍ତିକ ମନଟାଏ ହେଲେ ମଧ୍ୟ ଭକ୍ତିଭାବରେ ଆପ୍ଳୁତ ହୋଇଉଠେ ।

 

‘‘ବନ୍ଦନା ପାଦ ପଦ୍ମକୁ

ଧ୍ୟାୟ ଅରୂପାନନ୍ଦଙ୍କୁ, ଧ୍ୟାୟୀ ସ୍ୱାମୀ ପୟରକୁ

ବନ୍ଦନା ପାଦ ପଦ୍ମକୁ ।’’

 

ଭୀମଭୋଇଙ୍କ ଅନ୍ଧତ୍ୱକୁ ନେଇ ଓଡ଼ିଆ ଗବେଷକମାନଙ୍କ ମଧ୍ୟରେ ବହୁ ତର୍କ ବିତର୍କ ଚାଲିଛି । କେତେକଙ୍କ ମତରେ ସେ ଅନ୍ଧ, ଅନ୍ୟ କେତେକଙ୍କ ମତରେ ସେ ଅନ୍ଧ ନୁହନ୍ତି । କବିଙ୍କ ଲେଖାମାଧ୍ୟମରେ ଉଭୟ ମତବାଦର ସୂଚନା ଅଛି । ଏସବୁକୁ ବିଶ୍ଳେଷଣ କଲେ ମନେହୁଏ, ଅନ୍ଧବୋଲି ତାଙ୍କର ସ୍ୱୀକାରୋକ୍ତି ଭାକ୍ତିକ । ସବୁ ଭକ୍ତକବିମାନେ ନିଜକୁ ନ୍ୟୁନ ଭାବରେ ପ୍ରକାଶ କରନ୍ତି । ଆଖିଥାଇ ମଧ୍ୟ ଅନ୍ଧବୋଲି କହିଥାନ୍ତି । ସେହିପରି ଭୀମଭୋଇ କହିଛନ୍ତି-

 

‘‘କାମନା କଳ୍ପନା ସ୍ମୃତି ସୁମରଣା ବର୍ଣ୍ଣିବାକୁ ଅଛି କାହିଁ

ଜ୍ଞାନ ବେନି ଚକ୍ଷୁ ଏକମାତ୍ର ସାକ୍ଷୀ ଚର୍ମନେତ୍ର ଦିଶୁନାହିଁ ।

 

ସମ୍ୱଲପୁର ପ୍ରାଚୀନ କବି ରତ୍ନଦାସ ତାଙ୍କ ସାରସ୍ୱତ ଗୀତାରେ ଅନୁରୂପ ଭାକ୍ତିକ ଦୈନ୍ୟ ପ୍ରକାଶ କରିଛନ୍ତି, ଅଥଚ ସେ ଆଦୌ ଅନ୍ଧ ନଥିଲେ ।

 

ମୁହିଁ ଯେ ଜନ୍ମ ଅନ୍ଧକଣା

ରାଜପଥରେ ହୋଇବଣା

ଅନ୍ଧଲୋକକୁ ବନେ ନେଇ

ଛାଡ଼ିଲେ ଯେମନ୍ତ ହୁଅଇ

ତେମନ୍ତ ହୋଇଯିବି ନାଶ

ହେ ପ୍ରଭୁ ଫେଡ଼ ମୋ ସନ୍ଦେଶ

-ସାରସ୍ୱତ ଗୀତା

 

ରତ୍ନଗର୍ଭ ପୁରୁଷ ଭୀମଭୋଇଙ୍କଠାରୁ ରତ୍ନ ସଂଗ୍ରହ ନକରି ତାଙ୍କ ଅନ୍ଧତ୍ୱ ପାଇଁ ଅନ୍ଧହେବା ଚରମ ଅବିବେକିତା ।

 

ସହାୟକ ଗ୍ରନ୍ଥ

୧.

ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ, ଡଃ କରୁଣାକର କର

୨.

କୋଣାର୍କ-ପଞ୍ଚସଖା ବିଶେଷାଙ୍କ

୩.

ସ୍ତୁତି ଚିନ୍ତାମଣି - ଭୀମଭୋଇ

୪.

ଭୀମଭୋଇ ଗ୍ରନ୍ଥାବଳୀ- ଯେ ମହାପାତ୍ର

୫.

ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ-ଧର୍ମଗ୍ରନ୍ଥ ଷ୍ଟୋର

୬.

ସତ୍ୟ ମହିମା ଧର୍ମ ପ୍ରତିପାଦକ-ବିଶ୍ୱନାଥ ବାବା-ଉତ୍କଳ

୭.

ପ୍ରବୃଦ୍ଧ ଗୁରୁ ମହିମା ସ୍ୱାମୀ- ଅଧ୍ୟାପକ ସର୍ବେଶ୍ୱର ଦାସ

୮.

ଭୀମଭୋଇ ଜୀବନୀ-ଗ୍ରନ୍ଥମନ୍ଦିର

୯.

Mahima Dharma-prof. S. Nath.

୧୦.

ମହିମା ଧର୍ମ-ଚିତ୍ତରଂଜନ ଦାସ

୧୧.

ଭୀମଭୋଇ ଆତ୍ମ ପରିଚିତ ଓ ଅନ୍ୟାନ୍ୟ ପ୍ରସଙ୍ଗ - ଭାଗୀରଥି ନେପାକ

୧୨.

Bhima Bhoi (The greatest Adivashi-Poet Prophet) Publication Committee, BBSR.

୧୩.

ସେବକାଳର କଥା-ନଗେନ୍ଦ୍ରନାଥ ମହାପାତ୍ର, ସତ୍ୟବାଦୀ ପ୍ରେସ, କଟକ-୧୯୪୧.

 

 

ଏନ୍‌ - ୧/୨୬୬

ଆଇ.ଆର୍‌.ସି ଭିଲେଜ୍‌

ନୂଆପଲ୍ଲୀ, ଭୁବନେଶ୍ୱର - ୧୫

 

***

 

ସାହିତ୍ୟ ତପସ୍ୱୀ ଗଙ୍ଗାଧର

ପଣ୍ଡିତ ଅନ୍ତର୍ଯାମୀ ମିଶ୍ର

 

ଓଡ଼ିଆସାହିତ୍ୟର କୁଶଳୀ ସ୍ରଷ୍ଟା ସ୍ଵଭାବକବି ଗଙ୍ଗାଧର ଏକାଧାରରେ ଜଣେ ଅମ୍ଳାନ ପ୍ରତିଭାବନ୍ତ କାବ୍ୟଶିଳ୍ପୀ, ପ୍ରକୃତିବାଦୀ । ଯୁଗ ସଚେତକ, ସ୍ଵଦେଶପ୍ରେମୀ, ସମନ୍ଵୟାତ୍ମକ ଅଧ୍ୟାତ୍ମବାଦୀ ତଥା ଆଜୀବନ ସାହିତ୍ୟ ତପସ୍ଵୀ ଥିଲେ । ସ୍ରଷ୍ଟା ଓ ଦ୍ରଷ୍ଟାର ହୃଦୟ ନେଇ ଏହି ପ୍ରଖ୍ୟାତଯଶା ସାରସ୍ଵତ ସାଧକ ରସମୟ, ଭାବମୟ, ପ୍ରେମମୟ କାବ୍ୟବିଭବ ଦ୍ୱାରା ଓଡ଼ିଆ ବାଣୀଭଣ୍ଡାରକୁ ଅପରୂପ ସୌନ୍ଦର୍ଯ୍ୟରେ ବିଭୂଷିତ କରିଯାଇଛନ୍ତି । ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିକୁ ଆପଣାର ସାହିତ୍ୟିକ ପ୍ରତିଭାର କାଉଁରୀ ସ୍ପର୍ଶରେ ରସୋଦ୍ଦୀପ୍ତ କରି ମୌଳିକ କଳ୍ପନା ବିଳାସ ସମ୍ବଳିତ କାବ୍ୟକବିତା ରୂପରେ ପ୍ରଣୟନ ପୂର୍ବକ ସେ ଚିରସ୍କରଣୀୟ । ଏହି ସାହିତ୍ୟ ତପସ୍ଵୀଙ୍କର ଶବ୍ଦପ୍ରୟୋଗ, ଭାଷାବିନ୍ୟାସ, ଆଳଙ୍କାରିକ ବିଦଗ୍‌ଧତା, ବର୍ଣ୍ଣନା ଚାତୁରୀ, ଚରିତ୍ରଚିତ୍ରଣ ଅବର୍ଣ୍ଣନୀୟ । ତାଙ୍କ କୃତିସମୂହରେ ଭାଷା, ଭାବ ଓ ଶୈଳୀର ବହୁବର୍ଣ୍ଣ ଆଲୋକଛଟା ବିଛୁରିତ । ଓଡ଼ିଆ ସାହିତ୍ୟରେ ଆଧୁନିକଯୁଗର ପ୍ରାତଃକାଳରେ ନୂତନ ସ୍ଵାଦଯୁକ୍ତ ଚେତନଶୀଳ ସାହିତ୍ୟ ସୃଷ୍ଟିରେ ସେ ସ୍ୱାଭାବିକ ଥିବାରୁ ଓଡ଼ିଆ ଜାତି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ଵଭାବ କବି ନାମରେ ନାମିତ କରିଆସିଛି । ତାଙ୍କର ପ୍ରତ୍ୟେକଟି ସୃଷ୍ଟିରୁ ପ୍ରଜ୍ଞାର ଐଶ୍ଵର୍ଯ୍ୟମୟ ଆଭାସ ସୁସ୍ପଷ୍ଟ ।

 

ଉତ୍କଳ ଜନନୀଙ୍କର ସୁଯୋଗ୍ୟ ବରପୁତ୍ର ସ୍ଵଭାବକବି ଗଙ୍ଗାଧର ୧୮୬୨ ମସିହା ଅଗଷ୍ଟ ମାସ ୯ ତାରିଖ ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପଶ୍ଚିମ ଓଡ଼ିଶାର ବରପାଲିଠାରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସୌଭାଗ୍ୟବତୀ ମାତୃଦେବୀ ଥିଲେ ସେବତୀଦେବୀ ଏବଂ ସୌଭାଗ୍ୟବାନ୍‌ ପିତୃଦେବ ଥିଲେ ଚୈତନ୍ୟ ମେହେର । ବସ୍ତ୍ରବୟନ ତାଙ୍କ ପରିବାରର କୌଳିକ ବୃତ୍ତି ଥିଲା । ସାତବର୍ଷ ବୟସରେ ଗ୍ରାମ ଚାଟଶାଳୀରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା । ଚାଟଶାଳୀରେ ଶିକ୍ଷା ସମାପ୍ତି ପରେ ସେ ବାପାଙ୍କୁ ବସ୍ତ୍ରବୟନରେ ସାହାଯ୍ୟ କରିବା ସାଥୀରେ ଭାଗବତ, ନାମରତ୍ନଗୀତା ଓ ମଥୁରାମଙ୍ଗଳ ପ୍ରଭୃତି ପାଠ କରିଥିଲେ । ତେରବର୍ଷ ବୟସରେ ବରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ କୋଡ଼ିଏ ବର୍ଷରେ ପଞ୍ଚମ ଶ୍ରେଣୀ ପରୀକ୍ଷାରେ ଗଣିତରେ ଅକୃତକାର୍ଯ୍ୟ ହେବାରୁ ତାଙ୍କୁ ଦେଶୀୟ ପାଠଶାଳାର ପ୍ରମାଣପତ୍ର ମିଳିଥିଲା-। ଉତ୍କଟ ଦାରିଦ୍ର୍ୟ ହିଁ ତାଙ୍କୁ ଉଚ୍ଚଶିକ୍ଷାରୁ ବଂଚିତ କରିଥିଲେ । ଗଙ୍ଗାଧର ସ୍ଵୀୟ ଛାତ୍ରାବସ୍ଥାରେ ସାମାନ୍ୟ କୁରୁତା ଖଣ୍ଡିଏ ପିନ୍ଧିବାର ସୌଭାଗ୍ୟ ମଧ୍ୟ ଲାଭ କରିନଥିଲେ ଏବଂ ଛାତ୍ରଜୀବନରେ ପାଠ୍ୟ ପୁସ୍ତକ କ୍ରୟରେ ତାଙ୍କର ଦୁଇଟଙ୍କା ବ୍ୟୟ ହୋଇଥିଲା । ସ୍ଵୀୟ ଅଧ୍ୟବସାୟ ବଳରେ ଲାବଣ୍ୟବତୀ, ସୁଭଦ୍ରା ପରିଣୟ, ରସିକ ହାରାବଳୀ, ବୈଦେହୀଶ ବିଳାସ, ରସକଲ୍ଲୋଳ ପ୍ରଭୃତି ଓଡ଼ିଆ ଶାସ୍ତ୍ରପୁରାଣ ତଥା ସଂସ୍କୃତ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଶିକ୍ଷାକରି ସେ ନିଜର ଜ୍ଞାନ ପିପାସା ଚରିତାର୍ଥ କରିଥିଲେ । ବିଦ୍ୟାନୁରାଗୀ ଗଙ୍ଗାଧର ବସ୍ତ୍ରବୟନ ଲବ୍ଧ ଧନରେ ପରିବାର ପ୍ରତିପୋଷଣ ଏବଂ ତମସୁକ ଲେଖାରୁ ପ୍ରାପ୍ତ ଧନରେ ପୁସ୍ତକ କ୍ରୟ କରୁଥିଲେ ! ସେହି ସବୁ ପୁସ୍ତକ ଅଧ୍ୟୟନ କରି ସେ ଛାନ୍ଦ, ଚଉପଦୀ, ରାଗ, କାବ୍ୟାଦର୍ଶ ପ୍ରଭୃତିରେ ଜ୍ଞାନାର୍ଜନ କରିବା ସହିତ ତାଙ୍କ ଅନ୍ତରରେ ସାହିତ୍ୟପ୍ରୀତି ଜାଗ୍ରତ ହୋଇଥିଲା । ଗଙ୍ଗାଧରଙ୍କ କର୍ମମୟ ଜୀବନ ବରପାଲି ଜମିଦାରଙ୍କ ଅଧୀନରେ ଜଣେ ସ୍ଵଳ୍ପ ବେତନଭୋଗୀ ଅମୀନ ରୂପେ ଆରମ୍ଭ ହୋଇଥିଲା । ଆପଣାର ସାଧୁତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ସେ ସ୍ଵଳ୍ପକାଳ ମଧ୍ୟରେ ମାଲମୋହରିର ପଦବୀକୁ ଉନ୍ନୀତ ହୋଇଥିଲେ । ସ୍ଵକୀୟ ଅମାୟିକ ଗୁଣ ଓ କାର୍ତ୍ତବ୍ୟନିଷ୍ଠା ତାଙ୍କୁ ଜୀବନର ଉଚ୍ଚତର ସୋପାନରେ ଅଧିଷ୍ଠିତ କରାଇ ପାରିଥିଲେ । ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଥିବାରୁ ୧୮୯୯ ମସିହାରେ ତାଙ୍କୁ ଜୁଡ଼ିସିଆଲ ମୋହରୀର ପଦବୀରେ ମୁତୟନ କରାଗଲା । ସେହି ପଦବୀରେ ବରପାଲି, ସମ୍ବଲପୁର, ବିଜେପୁର ଓ ପଦ୍ମପୁର ପ୍ରଭୃତି ସ୍ଥାନରେ କାର୍ଯ୍ୟକରି ୧୯୧୭ ମସିହାରେ ଗଙ୍ଗାଧର ଚାକିରୀରୁ ଅବସର ଗ୍ରହଣ କରିଥଲେ । ଗଙ୍ଗାଧର ଚିର ଦୁଃଖୀ ଥିଲେ । ସାଂସାରିକ ଅଭାବ ଅନାଟନର ତୀବ୍ର ଦଂଶନ, ଗୃହଦାହ, ସ୍ତ୍ରୀ ପୁତ୍ରଙ୍କର ଅକାଳ ବିୟୋଗ ତାଙ୍କ ନିମିତ୍ତ ଥିଲା ଦାରୁଣ ଦୁଃଖ । କିନ୍ତୁ କୌଣସି ପରିସ୍ଥିତିରେ ସେ ଆପଣାର ଚରିତ୍ରଟିକୁ ହଜାଇ ଦେଇନଥିଲେ । ନିର୍ମଳ ଚରିତ୍ର, କର୍ତ୍ତବ୍ୟବୋଧ ଓ ସତ୍ୟବାଦୀତା ଥିଲା ତାଙ୍କ ଆଦର୍ଶବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ।

 

ଓଡ଼ିଆସାହିତ୍ୟର ସିଦ୍ଧ ତପସ୍ଵୀ ଗଙ୍ଗାଧର ଦରିଦ୍ରତାର ପଙ୍କିଳ ପରିବେଶରୁ ଆବିର୍ଭାବ ହୋଇଥିଲେ ।

 

ମହତ ଜନ୍ମଇ            ହୀନ ଗର୍ଭେ ଏହା

ଭବେ ନୁହେଁ ଅସମ୍ଭବ

ପଙ୍କରୁ କମଳ            ଶକ୍ତିରୁ ମୌକ୍ତିକ

ହୁଅଇ ସଦା ସମ୍ଭବ ।

 

ପାର୍ଥିବ ଜୀବନର ଦୁଃଖ ଦୈନ୍ୟ, ଘାତପ୍ରତିଘାତ ଓ ଝଡ଼ଝଞ୍ଜା ମଧ୍ୟରୁ ତାଙ୍କ କବି ପ୍ରତିଭା ପ୍ରକଟିତ ହୋଇଥିଲା । ଦାରିଦ୍ର୍ୟର ମହାନତାରେ କବି ଗାଇ ଉଠିଥିଲେ-

 

ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର

ଜଞ୍ଜାଳ ଜଳଦେ ଜଳେ ଆବିଳ ଉଦର

 

ବସ୍ତ୍ରବୟନ ଥିଲା ତାଙ୍କ ଜୀବିକା ଏବଂ ସାହିତ୍ୟ ସାଧନା ଥିଲା ତାଙ୍କର ଜୀବନ । ସାହିତ୍ୟ ସାଧନା ନିମିତ୍ତ ସେ କସରତ କରି ନଥିଲେ, ତପସ୍ୟା କରିଥିଲେ । ଯୁଗସ୍ରଷ୍ଟା ରାଧାନାଥହିଁ ଥିଲେ ତାଙ୍କର କବିଗୁରୁ । କାବ୍ୟକବିତାଟିଏ ଲେଖି ମତାମତ ନିମିତ୍ତ ସେ ରାଧାନାଥଙ୍କ ନିକଟକୁ ପ୍ରେରଣ କରୁଥିଲେ । ପ୍ରାଚୀନସଂସ୍କୃତି ଏବଂ ଓଡ଼ିଆ କାବ୍ୟହିଁ ଥିଲା ତାଙ୍କର ସାହିତ୍ୟିକ ଆଦର୍ଶ । ସେହି ଆଦର୍ଶହିଁ ତାଙ୍କୁ ନୂତନ ସାହିତ୍ୟ ସୃଷ୍ଟିର ପ୍ରେରଣା ଦେଇଥିଲେ । ପ୍ରାଚୀନ ପଦ୍ଧତିରେ ଏବଂ ରୀତୀଯୁଗୀୟ ଧାରାରେ ସେ ପ୍ରଥମେ କେତେଗୁଡ଼ିଏ ପଦ୍ୟ ରଚନା କରିଥିଲେ । ତନ୍ମଧ୍ୟରୁ “ରସରନ୍ନ୍ନାକର’’ ଉଲ୍ଲେଖଯୋଗ୍ୟ । କବି ସାମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କଳାକଉତୁକ ଏବଂ ଭକ୍ତକବି ଦୀନକୃଷ୍ଣଙ୍କ ରସକଲ୍ଲୋଳ ଅବଲମ୍ବନରେ ‘ର’ ଆଦ୍ୟ ପ୍ରାନ୍ତରେ ଏହା ରଚିତ । ପୌରାଣିକ ଆଖ୍ୟାନ ଉଷା ଅନିରୁଦ୍ଧଙ୍କର ପ୍ରଣୟକୁ ଆଧାର କରି କବିମାନସର ଏହା ପ୍ରଥମ ସୃଷ୍ଟି ।

 

ରଚିବି ପ୍ରବନ୍ଧ ଉଷା ଅନିରୁଦ୍ଧଙ୍କର

ରସିକ ହୃଦକୁମୁଦେ ହେଉ ଶଶଧର

ର ଥାଇ ଆଦ୍ୟ ପ୍ରାନ୍ତରେ ଭାବ ସୁମଧୁର

ରସଯୁତ ପଦ ହେଉ ବୁଧ ଚିତ୍ତହର

 

ଏହା ତାଙ୍କ କିଶୋର କବିତ୍ୱର ପ୍ରଥମ ସାଫଲ୍ୟ ତଥା ରସମୟ ହୋଇଥିଲେ ହେଁ ଆଧୁନିକ ରୀତି ବିହୀନ ହୋଇଥିବାରୁ ଅସଂପୂର୍ଣ୍ଣ ରହିଗଲା ।

 

୧୮୯୨ରେ ଗଙ୍ଗାଧରଙ୍କ ସୃଷ୍ଟି ସୌରଭ ପରିମାର୍ଜିତ ରୂପ ଗ୍ରହଣ କଲା ‘‘ଅହଲ୍ୟାସ୍ତବ’’ ରଚନାରେ । ପ୍ରାଥମିକ ଅବସ୍ଥାରେ ରାମାୟଣ ବର୍ଣ୍ଣିତ ପାଷାଣୀ ଅହଲ୍ୟାଙ୍କର ଶାପମୋଚନ ପ୍ରସଙ୍ଗ ସଂସ୍କୃତ ସାହିତ୍ୟର ଶାର୍ଦ୍ଦୁଳ ବିକ୍ରୀଡ଼ିତ ରାଗରେ ସେ ରଚନା କରିଥିଲେ । କିନ୍ତୁ ଯୁଗପ୍ରବର୍ତ୍ତକ ରାଧାନାଥଙ୍କ ପ୍ରେରଣାରେ କବି ସୁଲଳିତ ବଙ୍ଗଳାଶ୍ରୀ ରାଗରେ ଏହି କାବ୍ୟଟିର ପୁନଃନିର୍ମାଣ କଲେ-। କାବ୍ୟଟି କ୍ଷୁଦ୍ର ହେଲେହେଁ ଭାବ, ଭାଷା ଓ ରସର ମଧୁର ମୂର୍ଚ୍ଛନାରେ ପ୍ରାଣବନ୍ତ । ଏହା କବିଙ୍କର ରାମଭକ୍ତିର ଉଜ୍ଜ୍ଵଳ ସ୍ଵାକ୍ଷର । ଶ୍ରୀରାମଙ୍କ ପଦରଜ ସ୍ପର୍ଶରେ ଅଭିଶାପଗ୍ରସ୍ତା ଅହଲ୍ୟା ଦିବ୍ୟବପୁ ଧାରଣର ମାର୍ମିକ ଭକ୍ତି ପ୍ରସଙ୍ଗ ଏଥିରେ ବର୍ଣ୍ଣିତ ।

 

ପତିତପାବନ            ଶ୍ରୀରଘୁନନ୍ଦନ

ଲଗାନ୍ତେ ପଦପଙ୍କଜ

ଅହଲ୍ୟା ଉପଳ            ସରକ୍ତ ମାଂସଳ

ହେଲା ଲଭି ପଦରଜ ।

 

କବିଗୁରୁ ରାଧାନାଥ ପରୋକ୍ଷରେ ମତ ଦେଇଥିଲେ ଯେ ଅହଲ୍ୟାସ୍ତବ ଆଧୁନିକ ଲକ୍ଷଣଯୁକ୍ତ ନୁହେଁ । ତେଣୁ କାବ୍ୟରେ ଆଧୁନିକତାକୁ ରୂପ ଦେବା ନିମିତ୍ତ ମେହେରମାନସ ଚଳଚଞ୍ଚଳ ହୋଇ ଉଠିଥିଲା । ପରିଣାମ ସ୍ଵରୂପ ତାଙ୍କ ରସମୟ ଲେଖନୀରୂ ନିଃସୃତ ହୋଇଥିଲା ‘‘ଇନ୍ଦୁମତୀ’’ । ଏହା ହେଉଛି ଗଙ୍ଗାଧରଙ୍କର କାବ୍ୟ ପ୍ରତିଭାର ବିକାଶମାନ ସୃ‌ଷ୍ଟି । କାବ୍ୟଟିରେ କବିଙ୍କର ନୈସର୍ଗିକ ପ୍ରତିଭା ପ୍ରଚ୍ଛନ୍ନ ଭାବେ ସୂଚିତ । ଗତାନୁଗତିକତାର ବୈଚିତ୍ର୍ୟ ଫୁଟାଇ ମୌଳିକ ସୃଷ୍ଟି ସୌନ୍ଦର୍ଯ୍ୟ ତଥା କାବ୍ୟଧାରାରେ ନୂତନ ଦୃଷ୍ଟିକୋଣ ସଂପାଦନ କରାଇବାରେ ଏହା ତାଙ୍କର ପ୍ରଥମ ସଫଳତା । ଅଜ ଇନ୍ଦୁମତୀଙ୍କର ସ୍ଵଂୟମ୍ବର ତଥା ଦାମ୍ପତ୍ୟ ଜୀବନର ପୌରାଣିକ ଆଖ୍ୟାନହିଁ ଏହି କାବ୍ୟର କଥାବସ୍ତୁ । କାବ୍ୟଟି ପୂର୍ବ ଓ ଉତ୍ତର ଦୁଇଭାଗରେ ବିଭକ୍ତ । ସାହିତ୍ୟ ସମାଲୋଚକଙ୍କ ମତରେ “ଇନ୍ଦୁମତୀ’’ । ଗଙ୍ଗାଧରଙ୍କ ନୈସର୍ଗିକ ପ୍ରତିଭାର ଆଦ୍ୟ ଉଚ୍ଛାସ । କବି ଆପଣାର କଳ୍ପନା ବିଳାଳସରେ ନାୟିକାଙ୍କୁ ଅଭିଶାପଗ୍ରସ୍ତା ଦେବକନ୍ୟା ରୂପେ ଚିତ୍ରଣ କରିଛନ୍ତି । ନାୟକ ନାୟିକାଙ୍କର ପ୍ରଣୟର ଭାବାବେଗ ଓ ବ୍ୟାକୁଳତା କାବ୍ୟଟିକୁ ସରସ ସୁନ୍ଦର କରିପାରିଛି । ମହାକବି କାଳିଦାସଙ୍କ ପଦାଙ୍କ ଅନୁସରଣ କରି ଇନ୍ଦୁମତୀ ରଚନା ହେଲେହେଁ ଏଥିରେ କବିକଳ୍ପନାର ସ୍ୱାତନ୍ତ୍ର୍ୟ ପରିଲକ୍ଷିତ । ସଂକ୍ଷେପରେ କହିଲେ ଇନ୍ଦୁମତୀହିଁ କବିଙ୍କର ଆଦ୍ୟସିଦ୍ଧି । କିନ୍ତୁ ଇନ୍ଦୁମତୀ ପାଠ ପରେ ରାଧାନାଥ ତରୁଣକବି ଗଙ୍ଗାଧରଙ୍କୁ ଜଣେ ଆଧୁନିକ କବି ଭାବରେ ସ୍ଵୀକୃତି ଦେଇନଥିଲେ । ତେଣୁ କବିଙ୍କ ଲେଖନୀରୁ ଆଧୁନିକତାର ଆତ୍ମିକ ସନନ୍ଦରୂପେ ଜନ୍ମନେଲା “ଉତ୍କଳଲକ୍ଷ୍ମୀ’’ । ଏଥିରେ ଓଡ଼ିଶାର ପ୍ରାକୃତିକ ଶୋଭାସମ୍ଭାର, ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିର ଚିତ୍ର ଅଙ୍କନ କରି କବି ଆପଣାର ଜାତୀୟତାବୋଧ ତଥା ଅସାଧାରଣ ପ୍ରତିଭାର ପରିଚୟ ପ୍ରଦାନ. କରିଅଛନ୍ତି । ଏଥିରେ କବି ଉତ୍କଳକୁ ସକଳ ଦେବଦେବୀଙ୍କ ଜନ୍ମସ୍ଥଳୀ ରୂପେ ଅଭିହିତ କରିଛନ୍ତି ।

 

ମନେ ମନେ କେତେ      ମୁଁ ହୋଇଲି ଧନ୍ୟ

ଧନ୍ୟଗୋ ଉତ୍କଳ ମାତ

ସର୍ବ ଦେବଦେବୀ            ହେଉଛନ୍ତି ତୋର

ବିଶୁଦ୍ଧ କୋଳରେ ଜାତ

 

ଏଣୁ ବିଜ୍ଞଜନେ            ବୋଲୁଛନ୍ତି ପରା

ସର୍ବ ତୀର୍ଥ ଘେନି ହରି

ପତିତପାବନ            ରୂପେ ରହିଛନ୍ତି

ନୀଳାଚଳେ ବିଜେ କରି ।

 

‘‘ଉତ୍କଳଲକ୍ଷ୍ମୀରେ କବି ଉଲ୍ଲେଖ କରିଛନ୍ତି ଯେ ପବିତ୍ର ଉତ୍କଳଭୂମି ସର୍ବଧର୍ମ ସମନ୍ୱୟର ପୀଠ ତଥା ଅନେକ ମହାମାନବ ଏଠାରେ ଜନ୍ମଗ୍ରହଣ କରି ଏହାକୁ ପୂତ ଓ ପବିତ୍ର କରିଯାଇଛନ୍ତି । ସୌନ୍ଦର୍ଯ୍ୟ ବିଭୂଷିତ ଉତ୍କଳଲକ୍ଷ୍ମୀଙ୍କୁ ପ୍ରକୃତିରାଣୀ କିପରି ବିଭିନ୍ନ ଉପଚାରରେ ଅର୍ଚ୍ଚନା କରୁଅଛି ତାହା କବିକଳ୍ପନାରେ ବାସ୍ତବରୂପ ନେଇଛି ଏହି କାବ୍ୟରେ -

 

ଜୟଗୋ ଉତ୍କଳ            ଲକ୍ଷ୍ମୀ ଏକମାତ୍ର

ସୁନ୍ଦରୀ ତୁ ବସୁଧାରେ

ପ୍ରାକୃତିକଶୋଭା            ରାଶି ରହିଛନ୍ତି

ତୋ ଅଙ୍ଗରେ ଏକାଧାରେ ।

 

ଯୋଗ୍ୟକୁ ଯୋଗ୍ୟରେ      ଯୋଜନା କରଣେ

ତିଳେ ଭ୍ରାନ୍ତି ନାହିଁ ଯାର

ସେହିବିଧି ଏକା            ଦେଇଛନ୍ତି ତୋତେ

ଏହି ଦିବ୍ୟ ଅଳଙ୍କାର ।

 

ଉତ୍କଳଲକ୍ଷ୍ମୀ ପାଠକରି କବିବର ରାଧାନାଥ ଅତିଶୟ ଆନନ୍ଦ ଅନୁଭବ କରିଥିଲେ । ରାଧାନାଥ ଥିଲେ ଓଡ଼ିଆ ସାହିତ୍ୟରେ ଆଧୁନିକଯୁଗର ପ୍ରବର୍ତ୍ତକ । ତାଙ୍କ ଯୋଗ୍ୟ ପ୍ରତିଭାକୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ସେ ଉତ୍କଳଲକ୍ଷ୍ମୀରେ ଲେଖିଥିଲେ -

 

କାବ୍ୟହିଁ ଗଲେଣି କାବ୍ୟ ରଚିବାକୁ

ରାଧାନାଥ ନାମ ବହି

ତାହାଙ୍କ ଭାରତୀ ବଳେହେବ ଖ୍ୟାତ

ଭାରତେ ଉତ୍କଳମହୀ ।

 

ଅନୁମିତ ହୁଏ ରାଧାନାଥଙ୍କ ସାହିତ୍ୟସାଧନା ଗଙ୍ଗାଧରଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା ।

 

ଉତ୍କଳଲକ୍ଷ୍ମୀ ରଚନା ପରେ ଗଙ୍ଗାଧର ଅନେକ କବିତା ରଚନା କରିଥିଲେ । ଏହାପରେ ତାଙ୍କ କାବ୍ୟପ୍ରତିଭାର ସୌନ୍ଦର୍ଯ୍ୟ ଉଦ୍‌ଭାସିତ ହୋଇଥିଲା “କୀଚକବଧ’’ କାବ୍ୟରେ । ମହାଭାରତ ବିରାଟ ପର୍ବର ଆଖ୍ୟାୟିକାକୁ ଆଧାର କରି ଏହା ରଚନା ହୋଇଥିଲେହେଁ ପରିବେଷଣ ଶୈଳୀ, ବର୍ଣ୍ଣନା ଚାତୁରୀ ଓ ଚରିତ୍ର ଚିତ୍ରଣରେ କବିଙ୍କର ମୌଳିକ ପ୍ରତିଭା ଦୀପ୍ୟମାନ । ସୁସାହିତ୍ୟିକଙ୍କ ମତରେ କୀଚକବଧ ହେଉଛି ମେହେର ପ୍ରତିଭାର ମାର୍ମିକ ଝଙ୍କାର । କବି ଏହି କାବ୍ୟରେ ସତୀ ସାଧ୍ଵୀ ଦ୍ରୌପଦୀଙ୍କର ଚାରିତ୍ରିକ ଦୃଢ଼ତା ଏବଂ ବୀର୍ଯ୍ୟୋନ୍ମାଦ କୀଚକର ବିନାଶହୃଦୟସ୍ପର୍ଶୀ ଭାବଧାରାରେ ବ୍ୟକ୍ତ କରିଛନ୍ତି । କୀଚକ ଦ୍ରୌପଦୀଙ୍କର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ଯେ କୌଣସି ଉପାୟରେ ନିଜର କାମନା ବାସନା ଚରିତାର୍ଥ କରିବାକୁ ମନସ୍ଥ କରିଥିଲା । ଅସାମାନ୍ୟ ରୂପ ଲାବଣ୍ୟା ସୈରିନ୍ଦ୍ରୀ ରୂପୀ ଦ୍ରୌପଦୀଙ୍କ ପ୍ରତି ଅମିତ ବିକ୍ରମଶାଳୀ କୀଚକର ସମ୍ଭୋଗବାସନା କବିଲେଖନୀରେ ଜୀବନ୍ତ ହୋଇଛି ଏହି କାବ୍ୟରେ -

 

ସ୍ଥିର କଲାବୀର            ବିବିଧ ଉପାୟେ

ନାରୀକି କରିବ ବଶ

ମୋ ବୀର ଗୌରବେ            ଅତୁଳ ବିଭବେ

ତା ପ୍ରୀତି ହେବ ଅବଶ୍ୟ

 

ଗୃହଲକ୍ଷ୍ମୀ କରି            ରଖିବି ବାମାକୁ

ହେବ ଯଦି ତାର ମତ

ନହେଲେ ଜୀବନ            ଯାପିବି ହୋଇତା

ଗୁପତ ପ୍ରଣୟେ ରତ ।

 

କଳେବଳେ କୌଶଳେ ଦ୍ରୌପଦୀଙ୍କୁ ଲାଭ କରିବା ନିମିତ୍ତ କୀଚକ ନାନାଦି ଉପାୟ ଅବଲମ୍ବନ କରି ବ୍ୟର୍ଥ ହେବା ପରେ ବଳାତ୍କାର ପ୍ରୟୋଗ କରିଛି । କୀଚକର ଏହି ହୀନ ଅଭିଳାଷ ବିରୁଦ୍ଧରେ ରାଜସଭାରେ ଦ୍ରୌପଦୀ ଆପତ୍ତି ଜଣାଇବାରୁ କଙ୍କରୂପୀ ଯୁଧିଷ୍ଠିର ଶ୍ଳେଷବାକ୍ୟରେ ଆତ୍ମରକ୍ଷାର ଉପାୟ ବତାଇ ଦେଇଛନ୍ତି ।

 

ଧର୍ମରଙ୍କ କଙ୍କ ତହିଁ ନିଃଶଙ୍କ ବଚନେ

ବୋଇଲେ ଗୋ ବିକଶିତ ପଙ୍କଜଲୋଚନେ

ସାଧିବ ଏଥିରେ ଏକା ଭୀମ ପରାକ୍ରମ

କୀଚକର ଅଭିଳାଷ ସମୁଚିତ କର୍ମ

ଏ ରାଜ୍ୟରେ ନାହିଁ ତୋର ଅନ୍ୟ ପ୍ରତିକାର

ଦ୍ରିତୀୟ ସ୍ୱାମୀକି ଭଜ ଏ ଆମ୍ଭ ବିଚାର

ବିରାଟ ବୋଇଲେ କଙ୍କ ଭାଷଣ ଉଚିତ

ହୋଇଯାଉ କାଞ୍ଚନରେ ମଣି ବିଖଚିତ ।

 

ସେହି ବାକ୍ୟାଦେଶରେ ସେରିନ୍ଧ୍ରୀ ଭୀମଙ୍କ ନିକଟରେ ସମସ୍ତକଥା ପ୍ରକାଶ କରିଥିଲେ ଏବଂ ଭୀମ କୌଶଳକରି ନାଟ ମନ୍ଦିରରେ କୀଚକକୁ ବଧକଲେ । ଧର୍ମର ଜୟ, ସତୀତ୍ୱର ପରାକାଷ୍ଠା ଏବଂ ପାପୀର ମୃତ୍ୟୁରେ କାବ୍ୟଟିର ପରିସମାପ୍ତି ଘଟିଛି । ପୁରାଣ କଥାବସ୍ତୁଠାରୁ ଗଙ୍ଗାଧରଙ୍କ ବର୍ଣ୍ଣନାରେ ସାମାନ୍ୟ ତାରତମ୍ୟ ପରିଲକ୍ଷିତ ହେଲେ ମଧ୍ୟ ନୂତନ ଅଭିରୁଚି ତଥା ଯୁଗୋପଯୋଗୀ ଦୃଷ୍ଟିଭଙ୍ଗୀ କାବ୍ୟଟିକୁ ସର୍ବାଙ୍ଗସୁନ୍ଦର କରିପାରିଛି । କାବ୍ୟଟିକୁ ବାସ୍ତବମୁଖୀ କରି କବି ଅଲୌକିକ ପ୍ରତିଭାର ପରିଚୟ ଦେଇଯାଇଅଛନ୍ତି । କୀଚକବଧ ରଚନାର ବହୁଦିନ ପରେ ଗଙ୍ଗାଧର ତିନିଗୋଟି ସର୍ଗରେ ୧୯୧୦ ମସିହାରେ ରଚନା କରିଥିଲେ ଅଯୋଧ୍ୟାଦୃଶ୍ୟ । ଏହା କବିଙ୍କର ସାହିତ୍ୟିକ ଆଭିମୁଖ୍ୟର ନିଦର୍ଶନ । ପ୍ରତ୍ୟେକଟି ସର୍ଗ ଗୋଟିଏ ଗୋଟିଏ କାବ୍ୟ ଦୃଶ୍ୟ । ପ୍ରଥମ ଦୃଶ୍ୟରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଓ ବନବାସ, ଦ୍ୱିତୀୟ ଦୃଶ୍ୟରେ ମାତା କୌଶଲ୍ୟାଙ୍କ ଦୁଃଖ ଏବଂ ତୃତୀୟ ଦୃଶ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ବର୍ଣ୍ଣିତ । ଅଯୋଧ୍ୟାରେ ରାମାଭିଷେକ ମହୋତ୍ସବର ଆନନ୍ଦଦାୟକ ଦୃଶ୍ୟବର୍ଣ୍ଣନାରୁ ରାମବନବାସ ଜନିତ କରୁଣଦୃଶ୍ୟର ସୃଷ୍ଟି ଏବଂ ରାମାଭିଷେକର ଆନନ୍ଦରେ ଏହାର ଅବସାନ କାବ୍ୟଟିରେ କବି ପ୍ରତିଭାର ଅନ୍ତଃସୌନ୍ଦର୍ଯ୍ୟ ପ୍ରକଟିତ କରିପାରିଛି । ଏହି ଦୀର୍ଘ କବିତାରେ ଦ୍ୱିତୀୟ ଦୃଶ୍ୟଟି ଅତୀବ କରୁଣ ରସସିକ୍ତ ।

 

ହା ରାମ ହା ରାମଭଦ୍ର ହା ରାମ ରତନ

କହି ପୁଣି ପଡ଼ିଯାନ୍ତି ହୋଇ ଅଚେତନ ।

 

ଏହାପରେ ଐତିହାସିକ ପୃଷ୍ଠଭୂମିକୁ ଆଧାର କରି ସତୀ ନାରୀ ପଦ୍ମିନୀଙ୍କ ତ୍ୟାଗପୂତ ଜୀବନଧାରା ଅସଂପୂର୍ଣ୍ଣ କ୍ଷୁଦ୍ରକାବ୍ୟ ରୂପେ ଆତ୍ମ ପ୍ରକାଶ କରିଥିଲା ମେହେରଙ୍କ ଲେଖନୀରେ । ସତୀତ୍ୱର ପରାକାଷ୍ଠା ପ୍ରଦର୍ଶନରେ କବିମାନସର ଏହା ଚରମ ଅଭିବ୍ୟକ୍ତି । ସମାଲୋଚକବୃନ୍ଦ ପଦ୍ମିନୀକୁ କୀଚକବଧ କାବ୍ୟର ଐତିହାସିକ ରୂପର ମାନ୍ୟତା ପ୍ରଦାନ କରି କବି ପ୍ରତିଭାର ତୁଳନାତ୍ମକ ବିଶ୍ଳେଷଣ କରିଥାନ୍ତି ।

 

ମହାମୁନି ବ୍ୟାସ ଓ ମହାକବି କାଳିଦାସଙ୍କର ପଦାଙ୍କ ଅନୁସରଣ କରି କବି ଗଙ୍ଗାଧର ବାଣୀ ଆରାଧନାରେ ମଧୁମୟ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ରଚନା କରିଥିଲେ “ପ୍ରଣୟ ବଲ୍ଲରୀ’’ ।

 

ଜୟ ବେଦବ୍ୟାସ ଜୟ      କାଳିଦାସ

ଭାରତୀପ୍ରିୟ ନନ୍ଦନ

ତୁମ୍ଭେ ଜ୍ଞାନଗୁରୁ            କବି ମଣ୍ଡଳୀର

ଲଲାଟ ଶୋଭି ଚନ୍ଦନ ।

 

ପ୍ରଣୟ ବଲ୍ଲରୀର ପ୍ରଥମସର୍ଗ ୧୯୧୧ରେ ଏବଂ ଅନ୍ୟାନ୍ୟ ସର୍ଗ ୧୯୧୪ରେ ରଚନା ହୋଇଥିଲା । ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ଅସରନ୍ତି ରସାସିକ୍ତ ପ୍ରଣୟଗାଥାର କାବ୍ୟରୂପହିଁ ପ୍ରଣୟବଲ୍ଲରୀ । ରସଗ୍ରାହୀ କବି ସ୍ଵୀୟ ପ୍ରତିଭା ବଳରେ ସଂସ୍କୃତ ସାହିତ୍ୟ ଭଣ୍ଡାରରୁ ଦୁର୍ଲିଭ ରତ୍ନ ଆହରଣ ପୂର୍ବକ ଓଡ଼ିଆ ସାହିତ୍ୟକୁ ରଦ୍ଧିମନ୍ତ କରିଛନ୍ତି ଏହି କାବ୍ୟରେ । ମହାକବି କାଳିଦାସଙ୍କର ବିଶ୍ଵପ୍ରସିଦ୍ଧ ନାଟକ ହେଉଛି ‘‘ଅଭିଜ୍ଞାନ ଶାକୁନ୍ତଳମ୍‌” । ତତ୍‌ସଂପର୍କିତ କବି ପ୍ରସିଦ୍ଧି ହେଉଛି -

 

କାବ୍ୟେଷୁ ନାଟକଂ ରମ୍ୟଂ ତତ୍ର ରମ୍ୟା ଶାକୁନ୍ତଳମ୍‌

ତତ୍ରାପିଚ ଚତୁର୍ଥୋଽଙ୍କସ୍ତତ୍ର ଶ୍ଳୋକ ଚତୁଷ୍ଟୟମ୍‌ ।

 

ଅଭିଜ୍ଞାନ ଶାକୁନ୍ତଳମ୍‌ ହେଉଛି ଭାରତୀୟ ସଂସ୍କୃତିର ଆଦର୍ଶ ପ୍ରେମଧର୍ମୀ ନାଟକ । ଏହାରି ଅବଲମ୍ବନରେ ନାଟକୀୟ ଭାବଧାରାରେ ଗଙ୍ଗାଧର ସୃଷ୍ଟି କରିଛନ୍ତି ପ୍ରଣୟବଲ୍ଲରୀ । କବିମାନସର ମୌଳିକ କଳ୍ପନା ବିଳାସ କାବ୍ୟଟିକୁ ରସମୟ କରିପାରିଛି । ଏଥିରେ ବୀର, କରୁଣ, ଶୃଙ୍ଗାର, ହାସ୍ୟ, ଅଦ୍ଭୁତ, ରୌଦ୍ର ଓ ବାତ୍ସଲ୍ୟ ରସର ମଧୁର ସମନ୍ଵୟ ଘଟିଛି । ଭାରତୀୟ ନାରୀଧର୍ମର ଅନ୍ତଃସୌନ୍ଦର୍ଯ୍ୟରେ କାବ୍ୟଟି ରମଣୀୟ ହୋଇଛି । ପ୍ରୀତି ପୂଜାରିଣୀ ଶକୁନ୍ତଳାଙ୍କ ଜୀବନରେ ଭାରତୀୟନାରୀର ପବିତ୍ର ପ୍ରେମର ପରାକାଷ୍ଠା ଅଙ୍କୁର, ପଲ୍ଲବ, ପ୍ରସୂନ ସୌରଭ, ପୁଷ୍ପେକୀଟ, ଫଳ, ଛାୟା ସ୍ୱରୂପରେ ବର୍ଣ୍ଣନା କରି ମେହେର ସ୍ଵୀୟ ପ୍ରତିଭାର ଉଜ୍ଜ୍ୱଳ ସ୍ଵାକ୍ଷର କରିଯାଇଛନ୍ତି । ମିଳନ ଓ ବିରହର ରସାନୁଭୂତି ତଥା ପ୍ରେମାନୁଭୂତିରେ କାବ୍ୟଟି ସ୍ଵୟଂସଂପୂର୍ଣ୍ଣ ।

 

ପବିତ୍ର ଦଂପତ୍ତି            ପ୍ରେମସୁଖ ଚାହିଁ

ଗିରିହେଲା ପୁଲକିତ

ଫୁଟିଗଲା ଫୁଲ            କଳିକା ଫୁଟିଲା

କୁସମୁ ହେଲା ସ୍ଫଳିତ ।

 

ସାହିତ୍ୟ ସମାଲୋଚକଙ୍କ ମତରେ ପ୍ରଣୟବଲ୍ଲରୀ ହେଉଛି ମେହେର କାବ୍ୟସାଧନାର ଆଲୋକ ରଶ୍ମି ।

 

ପ୍ରଣୟବଲ୍ଲରୀ ପରେ ମେହେର ମାନସର ଅନ୍ୟତମ ସୃଷ୍ଟି ହେଉଛି “ତପସ୍ଵିନୀ” । ପ୍ରଭୁ ରଘୁରାମଙ୍କ କର୍ତ୍ତୃକ ପରିତ୍ୟକ୍ତା ପ୍ରଣୟିନୀ ସୀତାଙ୍କର କରୁଣ କାହାଣୀହିଁ ତପସ୍ଵିନୀର କଥାବସ୍ତୁ । ରାମାୟଣ, ରଘୁବଂଶ ଏବଂ ଉତ୍ତର ରାମଚରିତର ଅବଲମ୍ବନରେ ଏହି କବିମାନସର ପରିକଳ୍ପନା । ସୀତାଙ୍କର ବାଲ୍ମୀକି ଆଶ୍ରମରେ ନିର୍ବାସିତା ଜୀବନର ସଫଳଚିତ୍ର ଆଙ୍କିବାକୁ ସ୍ଵଇଚ୍ଛା ପ୍ରକାଶ ପୂର୍ବକ କବି ଲେଖିଛନ୍ତି -

 

ବାଲମୀକ ଆଶ୍ରମକୁ ଧାଇଁଅଛି ମନ

କରିବାକୁ ନିର୍ବାସିତା ସୀତାଙ୍କୁ ଦର୍ଶନ ।

 

କବି ଏହି କାବ୍ୟରେ ଆଶ୍ରମବାସିନୀ ସତୀସୀତାଙ୍କର ଭବ୍ୟରୂପ ତପସ୍ଵିନୀ ଭାବରେ ବର୍ଣ୍ଣନା କରିଛନ୍ତି । ପତି ବିରହର ମର୍ମାନ୍ତିକ ବେଦନା ସୀତାଙ୍କ ମୁଖରୁ ନିଃସୃତ କରି କବି ଲେଖିଛନ୍ତି -

 

କାନ୍ତ ବିଚ୍ଛେଦ ସହିପାରେ ଜୀବନ

ଏମନ୍ତକ୍ଷଣେ ଭାବି ନଥିଲା ମନ ।

 

ମିଥ୍ୟାପବାଦରେ ପରିତ୍ୟକ୍ତା ହୋଇଥିଲେହେଁ କାନ୍ତ ପ୍ରାଣଗତା ସୀତା ସ୍ୱାମୀଙ୍କୁ ଦୋଷ ଦେଇ ପାରିନାହାନ୍ତି ।

 

ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି

କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ।

 

ସତୀ ଶିରୋମଣୀ ଜନକନନ୍ଦିନୀ ସୀତା ନିର୍ବାସନକୁ ଆପଣାର ଭାଗ୍ୟଦୋଷ ବିଚାରକରି ଆଶ୍ରମବାସକାଳରେ ତପସ୍ଵିନୀ ଜୀବନଯାପନ କରିଛନ୍ତି । ସୀତାଙ୍କର ପ୍ରଥମ ଆଶ୍ରମ ପଦାର୍ପଣରେ କବି ତାଙ୍କୁ ତପସ୍ଵିନୀ ନାମରେ ଅଭିହିତା କରି କାବ୍ୟଟିର ନାମକରଣର ଯଥାର୍ଥତା ପ୍ରତିପାଦନ କରିଛନ୍ତି ।

 

ଦଇବ ସ୍ୱଭାବେ ତୁ ତପସ୍ଵିନୀ

ଦର୍ଶନମାତ୍ରେ ମୁଁ ପାରିଛି ଚିହ୍ନି

ପବିତ୍ର ପ୍ରାଣ ତୋ ଅତି କୋମଳ

ଘୋର ତପସ୍ୟାର ଦୁର୍ଲ୍ଲଭ ଫଳ

 

ନିର୍ବାସନ ଦୁଃଖକୁ ଅମୃତସମ ମଣି ଆଶ୍ରମରେ ତପସ୍ଵିନୀ ଜୀବନ ଯାପନ କରିବା ସହିତ ପରଜନ୍ମରେ ସ୍ଵାମୀଦର୍ଶନ କାମନା ଦେବୀ ସୀତାଙ୍କର ତପଶ୍ଚରଣର ମହାନତାର ପରିଚୟ ।

 

ଲୋକ ବଚନେ କରି ଦୁଃଖ ଅର୍ଜନ

କରି ଅଛନ୍ତି କାନ୍ତ ମୋତେ ବର୍ଜନ

ମୋ ଭାଗ୍ୟ ପରକାଳେ ସ୍ୱାମୀ ଦର୍ଶନେ

କ୍ଷମ ହେବକି କହ ଦିବ୍ୟ ଦର୍ଶନେ ।

 

ତପସ୍ଵିନୀ ସୀତାଙ୍କର ଶ୍ରୀରାମ ପ୍ରୀତିରେ କରୁଣ ରସପୂର୍ଣ୍ଣ କାବ୍ୟଟି ସରସ ସୁନ୍ଦର ଓ ମଧୁମୟ ହୋଇପାରିଛି । ଏଥିରେ ଚରିତ୍ର ଚିତ୍ରଣ, ପ୍ରକୃତି ବର୍ଣ୍ଣନା ଓ କଳ୍ପନାବିଳାସରେ କବି ନିଜର ମୌଳିକତା ଓ ସ୍ଵାତନ୍ତ୍ର୍ୟ ପ୍ରକାଶ କରିଥିବାରୁ କାବ୍ୟଟି ତାଙ୍କ ସୃଷ୍ଟି ସଂପଦର ସର୍ବୋତ୍ତମ କୃତି ରୂପେ ବିବେଚିତ । ସମାଲୋଚକଙ୍କ ଭାଷାରେ “ତପସ୍ପିନୀ’’ ମେହେର ପ୍ରତିଭାର ଶୀର୍ଷ ବିନ୍ଦୁ ତଥା ମେହେରୀୟ କାବ୍ୟକଳାର କୋଣାର୍କ ।

 

ସ୍ଵଭାବକବି ଗଙ୍ଗାଧରଙ୍କ ଅନ୍ୟାନ୍ୟ କୃତି ମଧ୍ୟରେ ମହିମା, କବିତାକଲ୍ଲୋଳ, ଅର୍ଘ୍ୟଥାଳୀ, ଭାରତୀ ଭାବନା, କୃଷକ ସଂଗୀତ, କୁମାର ଜନ୍ମୋତ୍ସବ, ଭକ୍ତି ଉପହାର ଓ କବିତାମାଳା ପ୍ରଭୃତି ଅନ୍ୟତମ । ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ତୁଳସୀଦାସକୃତ ଶ୍ରୀରାମ-ଚରିତ-ମାନସର ବାଳକାଣ୍ଡର କିୟଦଂଶ ମେହେରଙ୍କ-ଲେଖନୀରେ ଓଡ଼ିଆ ପଦ୍ୟରୂପ ନେଇଥିଲା । ଏହା ପ୍ରଥମ ଓଡ଼ିଆ ଅନୁବାଦ ରୂପେ ବିବେଚିତ । ତହିଁରେ ତାଙ୍କ ଅନୁବାଦର ଉନ୍ନତ କଳାକୌଶଳ ସୃଜନାତ୍ମକ ରୀତି ରୂପେ ଚିତ୍ରିତ ।

 

ସବୁ ଶାସ୍ତ୍ରଗାଏ ସାଧୁ ସଙ୍ଗର ପ୍ରଭାବ

ସାଧୁ ସଙ୍ଗୁ ବଳି ନାହିଁ ଜଗତରେ ଲାଭ

ସାଧୁ ସଙ୍ଗ ବିନା ଭବେ ବିବେକ ଦୁର୍ଲଭ

ରାମକୃପା କଲେ ତାହା ହୁଅଇ ସୁଲଭ

 

ଗଙ୍ଗାଧରଙ୍କ ଗଦ୍ୟକୃତି ମଧ୍ୟରେ ସଂକ୍ଷିପ୍ତ ଆତ୍ମଜୀବନୀ, ଶ୍ରୀନୃପରାଜସିଂହ, ପୁରାଣ କବି ଫକୀରମୋହନ, ସ୍ୱର୍ଗୀୟ କାଶୀନାଥ ପଣ୍ଡା, ଏହାକି ପୃଥିବୀର ଶବ୍ଦ, ‘ବ’ ଭେଦ, 'ଋ'ଭେଦ ଏବଂ ଶିକ୍ଷିତ ଅଶିକ୍ଷିତ ଓ ଶିକ୍ଷାଭିମାନୀ ବିଶେଷ ଉଲ୍ଲେଖଯୋଗ୍ୟ । ତାଙ୍କ ଗଦ୍ୟ ରଚନା ଗୁଣାତ୍ମକ ଦୃଷ୍ଟିରୁ ପ୍ରଣିଧାନ ଯୋଗ୍ୟ । ଏହି ସବୁ କୃତି ତତକାଳୀନ ପତ୍ରପତ୍ରିକା ସମ୍ବଲପୁର ହିତୈଷିଣୀ ଓ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ଓଡ଼ିଆ ସାହିତ୍ୟ ପ୍ରବାଦ ପୁରୁଷ କଥା ସମ୍ରାଟ୍‌ ଫକୀର ମୋହନଙ୍କ ମୃତ୍ୟୁରେ କବିଙ୍କ ଅଭିବ୍ୟକ୍ତି ‘‘ପୁରାଣକବି ଫକୀର ମୋହନ’’ ତାଙ୍କ ଗଦ୍ୟ ସୃଷ୍ଟିରେ ସର୍ବୋତ୍କୃଷ୍ଟ । ‘‘ସ୍ୱର୍ଗୀୟ କାଶୀନାଥ ପଣ୍ଡା’’ ପ୍ରବନ୍ଧଟି କବିଙ୍କ ପ୍ରଦତ୍ତ ଏକ ଭାଷଣ । ‘ବ’ ଭେଦ ଓ ‘ର’ ଭେଦ ପ୍ରବନ୍ଧରୁ ତାଙ୍କ ଭାଷାଜ୍ଞାନର ସମ୍ୟକ୍‌ ପରିଚୟ ମିଳିଥାଏ । ଗବେଷକବୃନ୍ଦ ଗଙ୍ଗାଧରଙ୍କ ସକଳ ସୃଷ୍ଟି ସଂପଦକୁ ମୋଟ ଉପରେ ପାଞ୍ଚଭାଗରେ ବିଭକ୍ତ କରିଛନ୍ତି । ତାହା ହେଉଛି କାବ୍ୟ, କବିତା, ଗଦ୍ୟ, ଆତ୍ମଜୀବନୀ ଓ ଅନୁବାଦ । କବିଙ୍କର ଭକ୍ତି ରସାତ୍ମକ, କରୁଣ ରସସିକ୍ତ, ଜାତୀୟଚେତନାଦ୍ୟୋତକ, ସଂସ୍କାରମୂଳକ, ପ୍ରକୃତି ବର୍ଣ୍ଣନା ମୂଳକ ପୌରାଣିକ ତଥା ଅନ୍ୟାନ୍ୟ ପ୍ରତ୍ୟେକଟି ସୃଷ୍ଟି ଐଶୀ ପ୍ରତିଭାରେ ଉଦ୍‌ଭାସିତ । ପ୍ରତିଭାସଂପନ୍ନ ସାରସ୍ଵତ ସାଧକ ଗଙ୍ଗାଧରଙ୍କ ସୃଷ୍ଟି ସଂପଦହିଁ ତାଙ୍କ ପ୍ରତିଭାର ଭାଷ୍ୟରୂପେ ତଥା ସାହିତ୍ୟ ତପସ୍ୟାର ସତ୍‌ଫଳ । ସ୍ଵକୀୟ ମହନୀୟ ତପସ୍ୟାବଳରେ କବି ଗଙ୍ଗାଧର ନୈସର୍ଗିକ ପ୍ରତିଭାର ଅଧିକାରୀ ହୋଇ ଓଡ଼ିଆ ସାହିତ୍ୟରେ ପ୍ରାଚୀନତା ଓ ନବୀନତାର ସମନ୍ୱୟରେ ଯୁଗଚେତନାର ସନ୍ଦେଶ ଛାଡ଼ି ଯାଇଛନ୍ତି । କବିଙ୍କର ପ୍ରତ୍ୟେକଟି ସୃଷ୍ଟିସୌରଭ ମହାନ୍‌ ଆଦର୍ଶର ଦ୍ୟୋତକ ।

 

ସାହିତ୍ୟ ସାଧକ ଗଙ୍ଗାଧର ଥିଲେ ପ୍ରକୃତିବାଦୀ । ତାଙ୍କ କାବ୍ୟକବିତାର ମୁଖ୍ୟ ଆକର୍ଷଣ ହେଉଛି ପ୍ରକୃତି ଚିତ୍ରଣ । ପ୍ରାକୃତିକ ଶୋଭାସମ୍ଭାରର ସୂକ୍ଷ୍ମଦର୍ଶନ ଓ ଆଧ୍ୟାତ୍ମିକ ଦୃଶ୍ୟ କବିଙ୍କୁ ବିଶେଷଭାବେ ପ୍ରଭାବିତ କରିଥିଲା । ପ୍ରକୃତି ସହିତ ମାନବର ସୂକ୍ଷ୍ମ ସଂପର୍କକୁ ଭିତ୍ତିକରି କାବ୍ୟକବିତା ରଚନାରେ ସେ ଥିଲେ ଧୁରନ୍ଧର । ଆପଣାର ବଳିଷ୍ଠ ଲେଖନୀ ମାଧ୍ୟମରେ ସେ ପ୍ରକୃତିରେ ମାନବତା ଆରୋପ କରି ବହିଃ ପ୍ରକୃତି ସହିତ ଅନ୍ତଃପ୍ରକୃତିର ମିଳନରେ ଆତ୍ମବିଭୋର ହୋଇଯାଇଛନ୍ତି । ପ୍ରାଣବନ୍ତ ପ୍ରକୃତିକୁ ଉପମାରୂପେ କାବ୍ୟରେ ପରିବେଷଣ କରି ସେ ଦିବ୍ୟରସାନୁଭୂତି ସୃଷ୍ଟି କରି ଯାଇଛନ୍ତି । ପ୍ରକୃତିର ଚିନ୍ମୟୀ ରୂପଶ୍ରୀ ତାଙ୍କ ରସମୟ ଲେଖନୀରେ ଜୀବିତ ହୋଇ ଉଠିଛି । କବି ପ୍ରତିଭା ପ୍ରସୂତ ପ୍ରକୃତିର ଅନବଦ୍ୟ, ଅପରୂପ ଓ ହୃଦୟସ୍ପର୍ଶୀ ଚିତ୍ରର ଶିଳ୍ପୀ ସୁଲଭ ଦୃଷ୍ଟି କୋଣ ମହତ୍ତ୍ଵପୂର୍ଣ୍ଣ । ତପସ୍ଵିନୀ କାବ୍ୟରେ ପ୍ରକୃତିକୁ ନାନାବିଧ ବେଶରେ କବି ସଜାଇଛନ୍ତି । ଏହାର ସର୍ବଜାନଦୃତ ଦୃଷ୍ଟାନ୍ତ ହେଉଛି ।

 

ମଙ୍ଗଳେ ଅଇଲା ଉଷା            ବିକଚରାଜୀବ ଦୃଶା

ଜାନକୀ ଦର୍ଶନ ତୃଷା ହୃଦୟେ ବହି

କରପଲ୍ଲବେ ନିହାର            ମୁକ୍ତା ଧରି ଉପହାର

ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି

କଳ କଣ୍ଠ କଣ୍ଠେ କହିଲା

ଦରଶନ ଦିଅ ସତି ରାତି ପାହିଲା ।

 

ତାଙ୍କ ପ୍ରକୃତି ବର୍ଣ୍ଣନାର ଅଭିନବ ଚାତୁରୀ ଓ ଅପରୂପ ମାଧୁରୀ ଅବର୍ଣ୍ଣନୀୟ । ପ୍ରାକୃତିକ ଶୋଭାସମ୍ଭାରର ସୂକ୍ଷ୍ମରୂପ ବର୍ଣ୍ଣନାରେ କବିଙ୍କର ମନୋରମ ଶୈଳୀ ଓ ସାରଲ୍ୟ ପାଠକଙ୍କୁ ସ୍ତମ୍ଭୀଭୂତ କରିଥାଏ । ପ୍ରଣୟବଲ୍ଲରୀ, ତପସ୍ଵିନୀ, କୀଚକବଧ ପ୍ରଭୃତି କାବ୍ୟରେ ଆଶ୍ରମ, ଉଷା ଓ ରତୁ ବର୍ଣ୍ଣନା ଗଙ୍ଗାଧରଙ୍କର ଶିଳ୍ପୀସୁଲଭ କଳା କୌଶଳର ନିଖୁଣ ପରିଚୟ ମିଳିଥାଏ ।

 

ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ

ପାଦପ ଆନୀତ ପତରପରଭୃତ ପଠନେ

ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ ସମ୍ରାଟ ଭାଷା

ଗମିଲେ ସରଳ ପଥରେ ତେଜି ଦକ୍ଷିଣ ଆଶା

ଶିଶିର ନାଶଇ ପଦ୍ମିନୀ ଘନ ରବିଙ୍କି ଗ୍ରାସେ

ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ ।

 

କବିଙ୍କର ପ୍ରକୃତି ବର୍ଣ୍ଣନାରେ ସରଳଭାଷାର ମଧୁର କଳ୍ପନା ବିଶେଷ ଉପଭୋଗ୍ୟ ।

 

ଶଙ୍ଖ ବଜାଇଲା            ମଧୁପ ମଧୁରେ

ନାମକରଣ ଉତ୍ସବେ

ନବନନ୍ଦନର            ବସନ୍ତ ନାମରେ

ଏକମତ ହେଲେ ସର୍ବେ

 

ଓଡ଼ିଆସାହିତ୍ୟରେ ଗଙ୍ଗାଧରଙ୍କ ବର୍ଣ୍ଣନାତ୍ମକ ଓ ସୂଚନାତ୍ମକ ପ୍ରକୃତି ବର୍ଣ୍ଣନା ଭାରତୀୟ ଅନ୍ୟାନ୍ୟ ସାହିତ୍ୟରେ କ୍ୱଚିତ ପରିଦୃଷ୍ଟ ।

 

କବି ଜଣେ ଯୁଗସଚେତକ ଥିଲେ । ଊନବିଂଶ ଶତାବ୍ଦୀରେ ସମଗ୍ର ଭାରତବର୍ଷର ସମାଜସଂସ୍କାରରେ ନବ ଉନ୍ମାଦନା ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ କବି ସାମାଜିକ ଚେତନା ସୃଷ୍ଟିକୁ ସାହିତ୍ୟର ଆଭିମୁଖ୍ୟ ଭାବରେ ଗ୍ରହଣ କରିଥିଲେ । ଜନଜୀବନରେ ପୂରି ରହିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ଅସଦ୍‌ଭାବନାର ସଂସ୍କାର ନିମିତ୍ତ ସେ ତାଙ୍କର ଅନେକ କାବ୍ୟ କବିତାରେ ସ୍ଵର ଉଠାଇଛନ୍ତି । ତାଙ୍କର ସଂସ୍କାରଧର୍ମୀ କବିତାମାନଙ୍କ ମଧ୍ୟରେ ବାକ୍ୟବୀର ଓ କର୍ମବୀର, ଖଦ୍ୟୋତର ଖେଦ, ଗଣେଶଙ୍କ ଆତ୍ମକଥା, ଅନ୍ଧକାରର ଆତ୍ମପ୍ରସାଦ ପ୍ରଭୃତି ମୁଖ୍ୟ । ତାଙ୍କ ନିର୍ଭୀକ ଲେଖନୀରୁ ଯେଉଁ ଜୀବନଧର୍ମୀ ବ୍ୟଙ୍ଗ କବିତାଟି ଅଗଣିତ ପାଠକଙ୍କୁ ଆକୃଷ୍ଟ କରିଥିଲା ତାହା ବିଶେଷ ପ୍ରଣିଧାନ ଯୋଗ୍ୟ ।

 

ମନଯାର ବ୍ୟସ୍ତ ସଦା ପରସ୍ଵ ହରଣେ

ଧନଯାର ବିଦଳିତ ଗଣିକା ଚରଣେ

ଜୀବନ ଯା ଲକ୍ଷ ଲକ୍ଷ ଲୋକଙ୍କର ଭାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର

ବିଦ୍ୟାଯାର ମୋଡ଼ୁଥାଏ ଧର୍ମନୀତି ଗୁଣ୍ଡ

ବୁଦ୍ଧିଯାର କରୁଥାଏ ଶତ ସତ୍ୟଗୁଣ୍ଡ

ଧନେ କ୍ରୀତ ହୋଇଥାଏ ଯାହାର ବିଚାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର

ସୁବର୍ଣ୍ଣ ହରଣ କରି ତାମ୍ର କରେ ଦାନ

ଧନେ କରିଥାଏ ପ୍ରଭୁ ସନ୍ତୋଷ ବିଧାନ

ଢାଙ୍କିବାକୁ ଦୋଷ ଦିଏ ନାନା ଉପହାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

 

ନୈତିକ ଆଦର୍ଶ ବିହୀନ ସମାଜ ନିମିତ୍ତ ଏହା କବିଙ୍କର ଚେତାବନୀ । ନୈତିକତା ତଥା ଶୁଦ୍ଧ ମାନବିକତା ବୃଦ୍ଧି ନିମିତ୍ତ ସେ ଅଧିକ ସଚେତନ ଥିଲେ । ତାଙ୍କ ରଚିତ ମନପ୍ରତି, ଧମପ୍ରତି, ଗର୍ବ, ପରିଶ୍ରମ, ମହାଜନ, ଗୁରୁଶିଷ୍ୟ ପ୍ରଭୃତି ଗୀତିକବିତାରେ ନୀତିବାଦର ସ୍ଵର ପ୍ରତ୍ୟକ୍ଷ । ତାଙ୍କ କାବ୍ୟ କବିତାରେ କର୍ତ୍ତବ୍ୟବୋଧ, ସତ୍‌ଚିନ୍ତା, ମାନବ ପ୍ରୀତି, ସ୍ନେହ, ପ୍ରେମ, କରୁଣା, ସାଧୁତା ପ୍ରଭୃତି ଜ୍ୱଳନ୍ତ ନିଦର୍ଶନ ବିଦ୍ୟମାନ । ଧନବଳରେ ସାମାଜିକ ପ୍ରତିଷ୍ଠା, ପ୍ରତିପତ୍ତି ଏବଂ ଐଶ୍ଵର୍ଯ୍ୟଲାଭ ବିରୁଦ୍ଧରେ କବି ଆପଣାର କାବ୍ୟକବିତାରେ ପ୍ରତିବାଦର ସ୍ଵର ଉଠାଇଛନ୍ତି । ତାଙ୍କ ଦୃଷ୍ଟିରେ ଭାରତୀୟ ନାରୀ ହେଉଛନ୍ତି ପବିତ୍ରତାର ଗଙ୍ଗା ଓ ଶାନ୍ତିର ଯମୁନା । ନାରୀ ଜାତି ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଛନ୍ତି କବି ସ୍ୱ-ସାହିତ୍ୟରେ । ନୀତିନିଷ୍ଠ ଗଙ୍ଗାଧର କୀଚକବଧ, ତପସ୍ଵିନୀ ଓ ପ୍ରଣୟବଲ୍ଲରୀ, ଦ୍ରୌପଦୀ, ସୀତା ଏବଂ ଶକୁନ୍ତଳାଙ୍କର ପତିପ୍ରେମ, ଧର୍ମାନୁଚିନ୍ତା ଓ ଚାରିତ୍ରିକ ନିଷ୍ଠାର ନିଚ୍ଛକଚିତ୍ର ଅଙ୍କନ କରିଛନ୍ତି । ଦାମ୍ପତ୍ୟପ୍ରେମର ସ୍ଵର୍ଗୀୟ ଆଦର୍ଶ ଏହି କାବ୍ୟରେ ପ୍ରଦର୍ଶିତ । କବି କର୍ମଯୋଗୀ ଥିଲେ । ମାନବ ସମାଜକୁ ଯଥୋଚିତ କର୍ତ୍ତବ୍ୟ ସଂପାଦନ ନିମିତ୍ତ ସେ କର୍ମବାଦର ସିଦ୍ଧାନ୍ତ ପ୍ରଚାର କରିଛନ୍ତି ।

 

ଉଚ୍ଚ ସେହୁ ଉଚ୍ଚକର୍ମ କରେ ଯେହୁ ଜନ

କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ

ନୀଚ ହୋଇ କରେ ଯେବେ ଉତ୍ତମ କରମ

ତା ଚରଣ ଉଚ୍ଚ ସେବେ ସଂସାର ଧରମ

 

ମୋଟ ଉପରେ କହିବାକୁ ଗଲେ ଗଙ୍ଗାଧର ଥିଲେ ଯୁଗ ସଚେତକ ଏବଂ ମାନବତାବାଦର ପ୍ରଚାରକ ।

 

ମହାନ ସାରସ୍ଵତ ସାଧକ ଗଙ୍ଗାଧର ଜଣେ ସ୍ଵଦେଶପ୍ରେମୀ ଥିଲେ । ଓଡ଼ିଶାର ଦୁର୍ଦ୍ଦିନରେ ତାଙ୍କ ଆବିର୍ଭାବ । ତାଙ୍କ ଜନ୍ମ ସମୟରେ ଐତିହ୍ୟସଂପନ୍ନ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଦିଆନଯାଇ ତିନିଭାଗରେ ବିଭକ୍ତ କରାଯାଇ ତିନିଗୋଟି ପ୍ରଦେଶର ଶାସନାଧୀନ କରାଯାଇଥିଲା । ରାଜନୈତିକ ଶୋଷଣ ଓ ଅତ୍ୟାଚାରରେ ଓଡ଼ିଶାବାସୀ ଅତିଷ୍ଠ ହୋଇଯାଇଥିଲେ-। ନ’ଅଙ୍କ ଦୁର୍ଭିକ୍ଷରେ ଅଣ୍ଟାଭାଙ୍ଗି ପଢ଼ିଥିବା ଓଡ଼ିଆଜାତି ପକ୍ଷରେ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ଥିଲା ଦୁଃସହ । କବି ହୃଦୟଙ୍ଗମ କରିଥିଲେ ଯେ ଭାଷାହିଁ ଜାତିର ପ୍ରାଣ । ତେଣୁ ଭାଷା ମାଧ୍ୟମରେ ଜାତିକୁ ଏକତ୍ର କରି ଜାତୀୟଚେତନା ସୃଷ୍ଟି ଉଦ୍ଦେଶ୍ୟରେ ସେ ଲେଖିଥିଲେ-

 

ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ

କାହିଁ ତାର ରାଜ ଦୁଆରେ ସମ୍ମାନ

ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚ କର ଆଗ ନିଜ ମାତୃଭାଷା ।

 

ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କ ହୃଦୟରେ ଅସୀମ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ରହିଥିଲା-। ତାଙ୍କର ବଳିଷ୍ଠ ଯୁକ୍ତି ଥିଲା ଯେ ମାତୃଭୂମି ଏବଂ ମାତୃଭାଷା ପ୍ରତି ମମତାହୀନ ବ୍ୟକ୍ତି ଜ୍ଞାନୀ ତଥା ଗୁଣୀ ସମାଜର ଅନ୍ତର୍ଭୁକ୍ତ ନୁହେଁ ।

 

ମାତୃଭୂମି ମାତୃ            ଭାଷାର ମମତା

ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ            ଗୁଣୀରେ ଗଣିବା

ଅଜ୍ଞାନୀ ରହିବେ କାହିଁ ।

 

ଓଡ଼ିଆ ଜାତିର ଏହି ବରେଣ୍ୟ ସନ୍ତାନ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ନିର୍ଭୀକ ମସୀ ଚାଳନା କରି ଆପଣାର ସ୍ଵଦେଶପ୍ରେମର ପରିଚୟ ଦେଇଯାଇ ଅଛନ୍ତି । ମାତୃଭୂମି, ଭାରତୀ ଭାବନା, ଉତ୍କଳଲକ୍ଷ୍ମୀ ପ୍ରଭୃତି କବିତାରେ ତାଙ୍କ ଜାତୀୟତାର ସଂପ୍ରସାରିତ ରୂପ ବିଦ୍ୟମାନ । ସମ୍ବଲପୁର ଅଂଚଳରେ ଓଡ଼ିଆଭାଷାକୁ ରାଜକୀୟ ସମ୍ମାନ ନମିଳିବାରୁ ସେ ଭାରତୀ ରୋଦନ କବିତାଟି ରଚନା କରିଥିଲେ । ନବବର୍ଷ କବିତାରେ ସେ ଓଡ଼ିଶାର ସାର୍ବଜନୀନ କଲ୍ୟାଣ କାମନା କରିଛନ୍ତି । ତାଙ୍କର ଉଦ୍‌ବୋଧନ କବିତା ଅଗଣିତ ଓଡ଼ିଆଙ୍କ ପ୍ରତି ଏକ ଆହ୍ୱାନ । ‘ଉତ୍କଳଭାରତୀଙ୍କ ଉକ୍ତି’ କବିତାଟି ଜାତିର ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ ଥିଲା । ଓଡ଼ିଶାର ତତ୍‌କାଳୀନ ସମସ୍ୟାକୁ ଦୃଷ୍ଟିରେ ରଖି ଜାତୀୟ ଚରିତ୍ରର ମାନବୃଦ୍ଧି ନିମିତ୍ତ ସେ ଅନେକ କବିତା ରଚନା କରିଥିଲେ, ଯାହା ଏକ ସ୍ଵତନ୍ତ୍ର ଅଧ୍ୟୟନ ଆବଶ୍ୟକ କରେ । ଜାତୀୟଚେତନା ଜାଗ୍ରତ ନିମିତ୍ତ ସ୍ଵାଧୀନଚେତା କବିଙ୍କ ମନ ସର୍ବଦା ବ୍ୟାକୁଳ ଥିଲା ।

 

ଭଗବତ୍‌ପ୍ରେମୀ ଗଙ୍ଗାଧର ଜଣେ ଉଦାରଚେତା ସମନ୍ଵୟାତ୍ମକ ଆଧ୍ୟାତ୍ମବାଦୀ ଥିଲେ । ପିତୃପିତୃବ୍ୟଙ୍କ ସାଥୀରେ ପ୍ରାତଃକାଳୀନ ମନ୍ଦିରଦର୍ଶନ ଓ ସନ୍ଧ୍ୟାକାଳୀନ କୀର୍ତ୍ତନ ବାଲ୍ୟକାଳରୁ ତାଙ୍କ ସରଳ ହୃଦୟରେ ବିଭୁପ୍ରେମ ସଞ୍ଚାର କରିଥିଲା । ବିଶେଷତଃ ତାଙ୍କ ଗୃହଟି ଭଗବତମଣ୍ଡପ ସନ୍ନିକଟସ୍ଥ ହେତୁ ସେ ପିଲାଦିନରୁ ଭକ୍ତିପୂତ ବାତାବରଣ ମଧ୍ୟରେ ଜୀବନଯାପନ କରିଥିଲେ । ତତ୍‌କାଳୀନ ଓଡ଼ିଶାରେ ଭାଗବତ ଘରହିଁ ପ୍ରତି ଗ୍ରାମରେ ଥିଲା ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ଏହାର ପ୍ରଭାବ ତାଙ୍କଠାରେ ପଡ଼ିଥିଲା । ତାଙ୍କ ଭକ୍ତିଭାବନା ଅହଲ୍ୟା ସ୍ତୁତିରେ ପ୍ରଥମେ ପ୍ରକଟିତ ହୋଇଥିଲା । କବି ଜୀବନର ପ୍ରାଥମିକ ଅବସ୍ଥାରେ ପ୍ରଭୁ ଶ୍ରୀରାମ ହିଁ ଥିଲେ ତାଙ୍କର ଆରାଧ୍ୟ । ପରବର୍ତ୍ତୀ ଜୀବନରେ ସେ ଭାରତୀୟ ଆଧ୍ୟାତ୍ମିକ ପରଂପରାରେ ଉଦ୍‌ବୁଦ୍ଧ ହୋଇ ବିଭିନ୍ନ ଦେବଦେବୀଙ୍କର ସ୍ତବ ସ୍ତୋତ୍ର ତଥା ଅନେକ ଭକ୍ତିମୂଳକ କବିତା ରଚନା କରିଥିଲେହେଁ ସଂପ୍ରଦାୟଗତ ସଂକୀର୍ଣ୍ଣତାଠାରୁ ଊର୍ଦ୍ଧ୍ୱରେ ଥିଲେ । ପଞ୍ଚସଖା ଯୁଗର ଆଧ୍ୟାତ୍ମିକ ସାହିତ୍ୟ, ବୈଷ୍ଣବ ସାହିତ୍ୟ ତଥା ସଂସ୍କୃତ ସାହିତ୍ୟର ଭକ୍ତି ଚରିତରୁ ସେ ଅନେକ ଉପାଦାନ ସଂଗ୍ରହ କରି ଆପଣାର ଆଧ୍ୟାତ୍ମିକ ସାହିତ୍ୟକୁ ଉଦ୍‌ବୁଦ୍ଧ କରିଛନ୍ତି । ତାଙ୍କ ଦୃଷ୍ଟିରୁ ନିଷ୍କପଟ ମାନବପ୍ରେମହିଁ ଶ୍ରେଷ୍ଠ ଧର୍ମ ଥିଲା-। ସେ ସବୁ ମନୁଷ୍ୟଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ ।

 

ସକଳମାନବ ଏକ ଈଶ୍ଵର ସମାନ

ବିବେକୀ ବିଚାରେ ତହିଁ ନାହିଁ ବଡ଼ସାନ

 

ତାଙ୍କ ମତରେ ସଦ୍‌ଗୁଣହିଁ ଧର୍ମର ଆଧାର । ବିନୟ ପରୋପକାର ପ୍ରଭୃତି ମହତ ଗୁଣ ସମୂହକୁ ସେ ଭଗବତ୍‌ଭକ୍ତି ସାଧନର ମୂଳମନ୍ତ୍ର ରୂପେ ବିବେଚନା କରୁଥିଲେ । ‘ମହିମା’ କବିତାରେ ପରଉପକାରକୁ ମହତଜନଙ୍କର ପୁଣ୍ୟମୟ ବ୍ରତ ରୂପେ ସେ ବର୍ଣ୍ଣନା କରିଛନ୍ତି ।

 

ଈଶ୍ଵର ଭକତି            ପର ଉପକାର

ପଲ୍ଲବେ ହୁଏ ସୁନ୍ଦର

ଫୁଟଇ ପବିତ୍ର            ଶୁଭ୍ରଦିବ୍ୟ ଫୁଲ

ତା ବାସ ଅବିନଶ୍ୱର ।

 

ସେ ଥିଲେ ନିଷ୍କାମ ଭକ୍ତ । ତାଙ୍କ ଦୃଷ୍ଟିରେ ଭଗବତ୍‌ଭକ୍ତି ସ୍ଵାର୍ଥ ସାଧନ ନିମିତ୍ତ ଉଦ୍ଦିଷ୍ଟ ନୁହେଁ । ତାଙ୍କ ବିମଳଭକ୍ତି ଚେତନାରେ ପରଂବ୍ରହ୍ମ ଥିଲେ ବିଶ୍ଵଜୀବନ ।

 

ବିଶ୍ଵ ଜୀବନହେ ! ତୁମ୍ଭଙ୍କୁ କରୁଣାସିନ୍ଧୁ

ବୋଲିବାକୁ ମନ ବଳୁନାହିଁ ଯେଣୁ

ସିନ୍ଧୁ ତୁମ କୃପାବିନ୍ଦୁ ।

 

ତାଙ୍କର ପ୍ରତ୍ୟେକ ଭକ୍ତି କବିତାରେ ବିନୟତା ସୁସ୍ପଷ୍ଟ । ଅର୍ଘ୍ୟଥାଳୀରେ ସେ ବିନୟ ସହକାରେ ବିଶ୍ଵଜୀବନଙ୍କୁ ନିବେଦନ କରିଛନ୍ତି ।

 

ହୃଦୟର କଥା            ଜାଣିବାକୁ ଅଛି

ତୁମ୍ଭର ଅସୀମ ଶକ୍ତି

ସେତିକି ଘେନିବ            ଯେତିକି ଅଛି ମୋ

ହୃଦେ ତୁମ୍ଭ ପ୍ରତି ଭକ୍ତି ।

 

ବିଶ୍ୱଚେତନାରେ ଉଦ୍‌ବୁଦ୍ଧ ହୋଇ ତାଙ୍କ ହୃଦୟରେ ବାଲ୍ୟକାଳରୁ ଅଙ୍କୁରିତ ଭକ୍ତିବୀଜ ସମର୍ପଣ ଭାବାପନ୍ନ ଈଶ୍ଵରାନୁଭୂତିର ସାକାର ରୂପ ଧାରଣ କରିଥିଲା ।

 

ମୁଁ କାର ମାତର            ମୋର ନୁହେଁ ବୋଲି

କହିବାକୁ ନାହିଁ ବାଟ

ଦୁରୁଁ ଶ୍ରୀଚରଣେ                  ଅର୍ପଣ କରୁଛି

ଘେନତା ବିଶ୍ୱ ସମ୍ରାଟ ।

 

ଅର୍ଘ୍ୟଥାଳୀ, ଭକ୍ତି, ମଧୁମୟ, ଅମୃତମୟ, ଅହଲ୍ୟାସ୍ତବ ପ୍ରଭୃତି କାବ୍ୟକବିତାରେ ଗଙ୍ଗାଧର ନିରହଙ୍କାର ଭକ୍ତି ଭାବନାର ପରିଚୟ ଦେଇଯାଇଛନ୍ତି । ସେ ଥିଲେ ସତ୍ୟ ଶିବ ସୁନ୍ଦରର ଉପାସକ । ବିଶ୍ଵନିୟନ୍ତା ସର୍ବବ୍ୟାପୀ ପରଂବ୍ରହ୍ମଙ୍କୁ ସେ ସର୍ବତ୍ର ଅନୁଭବ କରି ସମଗ୍ର ବିଶ୍ଵକୁ ଅମୃତମୟ ଜ୍ଞାନ କରୁଥିଲେ । ଅମୃତୋପମ ବିମଳଭକ୍ତିର ଅପୁରନ୍ତ ପ୍ରେରଣା ତାଙ୍କ ଅନ୍ତରର ଅନ୍ତରତମ ପ୍ରଦେଶରେ ବିଶ୍ଵପ୍ରେମର ଆନନ୍ଦୋଚ୍ଛ୍ୱାସ ସୃଷ୍ଟି କରିଥିଲା । ତାଙ୍କର ପ୍ରତ୍ୟେକଟି ସୃଷ୍ଟିହିଁ ସେହି ଅମୃତ ସାଗରର ଅବିଚ୍ଛିନ୍ନ ଉର୍ମି । ତପସ୍ଵୀ ଗଙ୍ଗାଧର ଯଥାର୍ଥରେ ଥିଲେ ସଚ୍ଚିଦାନନ୍ଦ ପୂଜାରୀ ତଥା ଅମୃତତ୍ତ୍ୱର ମହାନ ପ୍ରବକ୍ତା ।

 

ଆଜୀବନ ସାହିତ୍ୟ ତପସ୍ୱୀ ତଥା ପ୍ରଚଣ୍ଡ ପ୍ରତିଭାଧର କାବ୍ୟଶିଳ୍ପୀ ସ୍ଵଭାବକବି ଗଙ୍ଗାଧର ମେହେର ସମଗ୍ର ଜୀବନ ମାତୃଭୂମି ଓ ମାତୃଭାଷାର ସେବାରେ ଉତ୍ସର୍ଗ କରି ନିଜର ଜନ୍ମସ୍ଥାନ ବରପାଲିଠାରେ ୧୯୨୪ ମସିହା ଅପ୍ରେଲ ୪ ତାରିଖ ଚୈତ୍ର ଅମାବାସ୍ୟାର ରଜନୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପୂର୍ଣ୍ଣମୀର ଜ୍ୟୋତ୍ସ୍ନାବିଧୌତ ରଜନୀରେ ସେହି ଉଜ୍ଜ୍ୱଳ ଜ୍ୟୋତିଷ୍କଙ୍କର ଉଦୟ ଏବଂ ଅମାବାସ୍ୟାର ଅମା ଅନ୍ଧକାରରେ ବିଦାୟ । ତାଙ୍କ ଶିକ୍ଷା ସୀମିତ ଅଥଚ ପ୍ରତିଭା ଅସୀମ, ଅମ୍ଳାନ ଏବଂ ଶାଶ୍ଵତ । ତାଙ୍କ ଅମ୍ଳାନ ପ୍ରତିଭା ତାଙ୍କୁ ଅନନ୍ତକାଳ ନିମିତ୍ତ ବଂଚାଇ ରଖିବ । ଓଡ଼ିଆଜାତିର ଏହି ବରେଣ୍ୟ ସନ୍ତାନ ତଥା ସାହିତ୍ୟତପସ୍ଵୀଙ୍କର ସୃଜନଶୀଳ ସାହିତ୍ୟରୁ ସାମଗ୍ରିକ ଚେତନାର ସ୍ଵର ଝଙ୍କୃତ ହୋଇ ସମଗ୍ର ଜାତିକୁ ମହନୀୟ ଭାବଧାରାରେ ଉଦ୍‌ବୁଦ୍ଧ କରି ଆସିଛି । ତାଙ୍କ ମହତ୍ତ୍ଵପୂର୍ଣ୍ଣ କଳା କୌଶଳ ସୃଷ୍ଟ ସାହିତ୍ୟ ଆଧୁନିକତାର ଆତ୍ମିକ ସନନ୍ଦ ରୂପେ ଯୁଗ ପରିବର୍ତ୍ତନ ପ୍ରକ୍ରିୟାରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୋଚନ କରିଥିଲା । ଏହି ମହାନ୍‌ସାହିତ୍ୟ ତପସ୍ଵୀଙ୍କର ବିଚାରଧାରା ଆମ ସାହିତ୍ୟରେ ବୌଦ୍ଧିକ ରୂପରେ ପ୍ରକଟିତ ହେଲେ ତାହାହିଁ ହେବ ତାଙ୍କର ଯଥାର୍ଥ ସ୍ମୃତିଚାରଣ ।

 

 

ବଡ଼ପଣ୍ଡା ସାହି

ଢେଙ୍କାନାଳ - ୭୫୯୦୦୧

 

***

 

ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଶିଶୁ-ସାହିତ୍ୟର

ପ୍ରକାଶ ଓ ବିକାଶଧାରା

ପ୍ରଫେସର ଜଗନ୍ନାଥ ମହାନ୍ତି

 

ମୌଖିକ ଶିଶୁସାହିତ୍ୟ :

ଓଡ଼ିଆ ଶିଶୁସାହିତ୍ୟ ଆଧୁନିକ ଲିଖିତରୂପ ଗ୍ରହଣ କରିବା ପୂର୍ବରୁ ଯୁଗ ଯୁଗ ଧରି ମୌଖିକ ରୂପରେ ଆତ୍ମପ୍ରକାଶ ଓ ପ୍ରଚଳନ କରି ଆସିଥିଲା । ଲୋକକଥା, ଲୋକଗୀତ, ନାନାବାୟା ଗୀତ, ନାଁ ଦିଆ ଖେଳଗୀତ, ପ୍ରବଚନ ଆଦିକୁ ନେଇ ମୌଖିକ ଶିଶୁସାହିତ୍ୟ ହୋଇଥିଲା ସମୃଦ୍ଧ । ଅଜାଆଈ, ମାଆବାପା, ଦାଦାଖୁଡ଼ି ଆଦି ଗୀତଗାଇ ଓ କାହାଣୀ କହି ଶିଶୁମାନଙ୍କ ମନକୁ ମଜାଇ ଦେଉଥିଲେ । ମୌଖିକ ଶିଶୁ ସାହିତ୍ୟ ଥିଲା ନିର୍ମଳ ଆନନ୍ଦର ଉତ୍ସ । ସେମାନେ ନାନାବାୟା ଗୀତ ଗାଇ ଶିଶୁମାନଙ୍କୁ ଖୁଆଇ ଦିଅନ୍ତି, ଅଝଟ କଲେ ବୁଝାଇ ଦିଅନ୍ତି ଏବଂ ଶୁଆଇ ଦିଅନ୍ତି । ମୌଖିକ ଶିଶୁ-ସାହିତ୍ୟ ତେଣୁ ସମଗ୍ର ଶିଶୁସାହିତ୍ୟ ତଥା ସମୁଦାୟ ସାହିତ୍ୟର ଅନ୍ତଃସଲିଳା ଫଲ୍‌ଗୁଧାରା ପରି ଚିର ପ୍ରବହମାନ । ଏହି ସ୍ରୋତ କାଳକ୍ରମେ ଅସ୍ପଷ୍ଟ ଓ ଅଦୃଶ୍ୟ ହୋଇ ଆସିଲେହେଁ, ଏହା ମାନବିକ ସମ୍ବେଦନା, ଶ୍ରଦ୍ଧା, ସୌହାର୍ଦ୍ଦ୍ୟ ଓ ସ୍ଵାଭାବିକତାରେ ସାର୍ଥକ, ସର୍ବବ୍ୟାପୀ ଓ ଚିରନ୍ତନ । ବହୁ ଶତାବ୍ଦୀ ବ୍ୟାପୀ ଏହି ଧାରା ମନୁଷ୍ୟର ସ୍ମୃତି ଓ ଶ୍ରୁତି ମଧ୍ୟରେ ବଂଚି ରହିଛି । ତେଣୁ ଏହା ସମାଜ ତଥ ଗ୍ରାମୀଣ “ଶ୍ରୁତ” ତଥା ବେଦ ଏବଂ ଏହା ଖୁବ୍‌ ଅନାବିଳ, ସରଳତରଳ ଓ ସାବଲୀଳ ।

 

ପ୍ରାଚୀନ ଓ ମଧ୍ୟଯୁଗୀୟ ଶିକ୍ଷଣ ସାମଗ୍ରୀ :

ଶିଶୁସାହିତ୍ୟର ଅନ୍ୟତମ ଉତ୍ସ ହେଉଛି ପ୍ରାଚୀନ କାବ୍ୟକବିତା ପୁରାଣ ଯାହା ପ୍ରାଚୀନ ଶିକ୍ଷାପ୍ରଣାଳୀରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବରଂ ସେଗୁଡ଼ିକ ଥିଲା ପ୍ରାଚୀନ ଓ ମଧ୍ୟ ଯୁଗୀୟ ଶିକ୍ଷାୟତନ ତଥା ଚାଟଶାଳୀରେ ପ୍ରଧାନ ଓ ପ୍ରଥମ ଶିକ୍ଷଣ ତଥା ଶିକ୍ଷାଦାନ ଉପାଦାନ । କେଶବ କୋଇଲି, କଳାକଳେବର, ମଥୁରାମଙ୍ଗଳ, ରସକଲ୍ଲୋଳ, ମନବୋଧ ଚଉତିଶା, ବିଦଗ୍ଧ ଚିନ୍ତାମଣି, ଓଷାକଥା ଇତ୍ୟାଦି ଅବଧାନଙ୍କ ପାଇଁ ଥିଲା ଉପାଦେୟ ଅଧ୍ୟାପନା ସହାୟକ ସାମଗ୍ରୀ । ଗ୍ରାମ୍ୟ ଶିକ୍ଷକଗୋଷ୍ଠୀ ଏଗୁଡ଼ିକୁ କ୍ରମାନ୍ମୟରେ ପିଲାମାନଙ୍କର ଶକ୍ତି ଓ ନିଜର ରୂଚିକୁ ଚାହିଁ ସାଧନ ସାମଗ୍ରୀ ରୂପେ ବ୍ୟବହାର କରୁଥିଲେ । ସେମାନେ ପ୍ରଥମେ ମୌଖିକ, ତାପରେ ପୋଥି ତଥା ପାଣ୍ଡୁଲିପି ଓ ପରେ ମୁଦ୍ରିତ ରୂପରେ ଏସବୁର ଗାନ ଓ ଆବୃତ୍ତି କରୁଥିଲେ । ସେଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ପ୍ରାୟ ଅବୋଧ୍ୟ ହେଉଥିଲା ଏବଂ ଶିକ୍ଷକଗଣ ସେଗୁଡ଼ିକୁ ବୁଝାଇବାରେ ମଧ୍ୟ ଆଗ୍ରହୀ ଓ ଉଦ୍ୟମୀ ନଥିଲେ । ମାତ୍ର ସେଗୁଡ଼ିକର ବିଷୟବସ୍ତୁ, ସୁଲଳିତ ଭାଷା ଓ ଛନ୍ଦୋବଦ୍ଧ ଧ୍ଵନି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରୁଥିଲା ଏବଂ ସେଗୁଡ଼ିକୁ ସେମାନେ ମୁଖସ୍ଥ କରିବା ସହଜ ହେଉଥିଲା । ବଡ଼ ଚାଟମାନେ ମଧ୍ୟ ସାନ ଚାଟମାନଙ୍କୁ ସେଗୁଡ଼ିକ ମୁଖସ୍ଥ କରାଇବାରେ ସାହାଯ୍ୟ କରୁଥିଲେ । ପିଲାମାନେ ସେଗୁଡ଼ିକ ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟରେ ଆବୃତ୍ତି କରୁଥିଲେ ଏବଂ ତା ଉପରେ ଆଧାର କରି ହୁଏତ ପିଲାମାନଙ୍କର ଲିଖନ ପଠନ କାର୍ଯ୍ୟ ହେଉଥିଲା । ଏହାଦ୍ୱାରା ଧର୍ମଭାବର ବିକାଶ ସହିତ ଭାଷା ଓ ସାହିତ୍ୟ ଶିକ୍ଷଣ ଫଳପ୍ରଦ ହେଉଥିଲା-। ଯେଉଁମାନେ ଆଗୁଆ ଓ ସାହିତ୍ୟସୃଷ୍ଟିରେ ଆଗେଇବାରେ ଆଗ୍ରହୀ, ସେମାନେ ସଂସ୍କୃତ ବ୍ୟାକରଣ, ପୁରାଣ, ଧର୍ମଗ୍ରନ୍ଥ, ଛନ୍ଦ ଅଳଙ୍କାର ଅଧ୍ୟୟନ କରି ଦକ୍ଷତା ଅର୍ଜନ କରୁଥିଲେ ।

 

ଇଂରେଜି ସ୍କୁଲ ପ୍ରତିଷ୍ଠା :

୧୮୦୩ରେ ଆମ ରାଜ୍ୟ ବିଶେଷତଃ ପୁରୀ, କଟକ ଓ ବାଲେଶ୍ଵର ଇଂରେଜମାନଙ୍କର କବଳିତ ହେଲା ଏବଂ ୧୮୧୭ ପର୍ଯ୍ୟନ୍ତ କନ୍ଧ ଆଦି ଆଦିବାସୀ ଏବଂ ପାଇକମାନଙ୍କ ବିଦ୍ରୋହ ଇଂରେଜ ଶାସକଙ୍କୁ ବ୍ୟସ୍ତ ବିବ୍ରତ କରି ରଖିଥିଲା । ତାପରେ ସେସବୁ ଆନ୍ଦୋଳନକୁ କଳେବଳେ କୌଶଳେ ଦମନ କରି ରାଜ୍ୟରେ ଶାସନକୁ ଶୃଙ୍ଖଳିତ କରିବାକୁ କେତୋଟି ବର୍ଷ ଲାଗିଥିଲା । ସମାଜର ମଙ୍ଗଳ ଓ ବିକାଶ ଅପେକ୍ଷା ଶାସନରେ ଶୃଙ୍ଖଳା ରକ୍ଷା କରିବା ଥିଲା ବିଦେଶୀ ଶାସକମାନଙ୍କ ପାଇଁ ଶ୍ରେୟ ଓ ପ୍ରେୟ । ୧୮୨୨ ମସିହାରୁ ପାଦ୍ରୀମାନେ ଓଡ଼ିଶାକୁ ଆଗମନ କଲେ ଖ୍ରୀଷ୍ଟଧର୍ମ ପ୍ରଚାର କରିବାକୁ ଏବଂ ଏହି କାର୍ଯ୍ୟକୁ ସହଜ କରିବା ପାଇଁ ସେମାନେ ଶିକ୍ଷାକୁ ଶ୍ରେଷ୍ଠ ମାଧ୍ୟମ ଭାବରେ ବିଚାର କରିଥିଲେ । ତେଣୁ ପାଦ୍ରୀଗଣ ପୁରୀ ଓ କଟକ ଜିଲାରେ କେତେକ ବିଦ୍ୟାଳୟ ପ୍ରତିଷ୍ଠା କଲେ । ଏଗୁଡ଼ିକ ଇଂରେଜି ସ୍କୁଲ ହୋଇଥିବାରୁ ଜନସାଧାରଣ ପିଲାମାନଙ୍କୁ ଧର୍ମହାନୀ ଭୟରେ ସେଠାକୁ ଶିକ୍ଷାଲାଭ କରିବାକୁ ପଠାଇ ନଥିଲେ । ପ୍ରଥମେ ଖ୍ରୀଷ୍ଟଧର୍ମାବଲମ୍ବୀ ଓ ପରେ ଧନୀ ତଥା ମଧ୍ୟବିତ୍ତ ଲୋକମାନେ ଲୋଭନୀୟ ସରକାରୀ ସେବା ଓ ସାହାଯ୍ୟ ଆଶାରେ ପିଲାମାନଙ୍କୁ ଉକ୍ତ ବିଦ୍ୟାଳୟକୁ ପଠାଇଥିଲେ । କ୍ରମେ ଲୋକପ୍ରିୟ ହେବା ଫଳରେ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧିପ୍ରାପ୍ତ ହେଲା । ସେମାନଙ୍କର ଶିକ୍ଷା ଓ ଧର୍ମ କାର୍ଯ୍ୟରେ ସାହାଯ୍ୟ କରିବାକୁ କଲିକତା ନିକଟବର୍ତ୍ତୀ ଶ୍ରୀରାମପୁର ବାପ୍ଟିଷ୍ଟି ପ୍ରେସରେ ମୁଦ୍ରିତ ଧର୍ମପୁସ୍ତିକା ଓ ପତ୍ରିକାମାନ ଓଡ଼ିଶାକୁ ଆସୁଥିଲା । ସେତେବେଳେ ଟ୍ରେନ ବସ୍‌ର ସୁବିଧା ନଥିବାରୁ ଏତେ ଦୂରରୁ ସେସବୁ ଆଣିବା ସମୟସାପେକ୍ଷ ଓ ଖର୍ଚ୍ଚ ବହୁଳ ହେଉଥିଲା । ତେଣୁ ୧୯୩୭ରେ ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରେ ପ୍ରତିଷ୍ଠିତ ହୋଇ ଏହିସବୁ ଧର୍ମ ପୁସ୍ତିକା ଓ ପତ୍ରିକା ମୁଦ୍ରଣ କରିଥିଲା ।

 

ପାଠ୍ୟପୁସ୍ତକର ବିକାଶ:

ଧର୍ମପୁସ୍ତକ ବ୍ୟତୀତ ପାଦ୍ରୀମାନେ ଓଡ଼ିଆ ଭାଷା ଶିକ୍ଷା କରିବାକୁ ପ୍ରଥମେ କେତେକ ଇଂରେଜି ଓଡ଼ିଆ ଅକ୍ଷର ଶିକ୍ଷା, ବ୍ୟାକରଣ, ଅଭିଧାନ ଆଦି ରଚନା ପ୍ରକାଶ କରିଥିଲେ । ଏହି କ୍ଷେତ୍ରରେ ପାଦ୍ରୀମାନେ ନିଜେ କଷ୍ଟ ସ୍ଵୀକାର କରିଥିଲେ ଏବଂ ଭାରତୀୟ ପଣ୍ଡିତ ତଥା ବିଦ୍ୱାନମାନଙ୍କର ସାହାଯ୍ୟ ନେଇଥିଲେ । ପ୍ରସିଦ୍ଧ ଐତିହାସିକ ପ୍ରଭାତ ମୁଖାର୍ଜୀ (ପୌରୁଷ ୧୫ଶ ଭାଗ ୪ର୍ଥ ସଂଖ୍ୟା)ରେ ତାଙ୍କ ପ୍ରବନ୍ଧ ‘ପ୍ରଥମ ୪୦ ବର୍ଷର ମୁଦ୍ରିତ ଓଡ଼ିଆ ପୁସ୍ତକ’ରେ ଲେଖିଥିଲେ ‘‘୧୮୦୩ରେ ଇଂରେଜମାନେ ଓଡ଼ିଶା ଜୟ କଲେ । ଏହି ଘଟଣାର ୪ ବର୍ଷ ପୂର୍ବରୁ ଡଃ ଉଇଲିୟମ କେରୀ ଖ୍ରୀଷ୍ଟିୟାନ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀରାମପୁରରେ ଗୋଟିଏ ମିସନାରୀ ପ୍ରତିଷ୍ଠାନ ସ୍ଥାପନ କଲେ । x x x x ସେ ନିଜେ ଓଡ଼ିଆଭାଷା ଶିକ୍ଷାକରି ଓଡ଼ିଆ ଅକ୍ଷରରେ ପ୍ରେସ ତିଆରି କରାଇ ୧୮୦୭ ଖ୍ରୀ:ରେ ନୂତନ ଟେଷ୍ଟାମେଣ୍ଟ’’:ର ଓଡ଼ିଆ ଅନୁବାଦ ଛାପିବା ଆରମ୍ଭ କଲେ । ଏହି କାର୍ଯ୍ୟରେ ପରଶୁରାମ ନାମରେ ଜଣେ ଓଡ଼ିଆ ପଣ୍ଡିତ ତାଙ୍କୁ ସାହାଯ୍ୟ କରିଥିଲେ ।

 

ଧର୍ମ ପ୍ରଚାର ବ୍ୟତୀତ ଶାସନ ପରିଚାଳନା ପାଇଁ ଇଂରେଜିଶିକ୍ଷିତ ବ୍ୟକ୍ତିମାନଙ୍କର ଆବଶ୍ୟକତା ଅନୁଭୂତ ହେଲା । ତେଣୁ ଇଷ୍ଟଇଣ୍ଡିଆ କମ୍ପାନୀ ଦେଶୀୟ ଭାଷାରେ ପାଠ୍ୟପୁସ୍ତକ ରଚନା ଓ ମୁଦ୍ରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଓଡ଼ିଆ ସମେତ ପୂର୍ବ ଭାରତୀୟ ଅଂଚଳରେ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଯେଉଁ ଆର୍ଥିକ ସାହାଯ୍ୟ ସରକାର ଦେଇଥିଲେ ପ୍ରାୟ ସମୁଦାୟ ଅର୍ଥ ବଙ୍ଗଭାଷା ପାଇଁ ଖର୍ଚ୍ଚ କରାଗଲା । ଏପରି ପ୍ରତିକୂଳ ଅବସ୍ଥା ମଧ୍ୟରେ ସଟନ ସାହେବ ଓ ଲେସି ସାହେବ ଓଡ଼ିଆରେ କେତୋଟି ପାଠ୍ୟପୁସ୍ତକ ରଚନା କରିଥିଲେ । ଉକ୍ତ ପୁସ୍ତକଗୁଡ଼ିକ ମଧ୍ୟରେ ବର୍ଣ୍ଣଶିକ୍ଷା, ବ୍ୟାକରଣ ପଦାର୍ଥ ବିଦ୍ୟାସାର, ଭୂଗୋଳ, ନୀତିକଥା, ଧର୍ମପୁସ୍ତକ ଓ ଅଭିଧାନ ଉଲ୍ଲେଖଯୋଗ୍ୟ । ପାଦ୍ରୀମାନେ ନିଜେ ଓଡ଼ିଆ ଶିକ୍ଷା କରି ଓଡ଼ିଆ ପଣ୍ଡିତଙ୍କ ସାହାଯ୍ୟରେ ଏହିସବୁ ପାଠ୍ୟ ପୁସ୍ତକ ରଚନା କରିଥିଲେ ବା ବଙ୍ଗଳାରୁ ଅନୁବାଦ କରିଥିଲେ । ଏଥିଯୋଗୁଁ ବିଷୟବସ୍ତୁ ବିନ୍ୟାସ ଓ ଭାଷା ଅତ୍ୟନ୍ତ କ୍ଳିଷ୍ଟ ଓ ବିକୃତ ହେଉଥିଲା ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଟନ ସାହେବଙ୍କ ଲିଖିତ ଏକ ସ୍ତ୍ରୋତ୍ରପୁସ୍ତିକାରେ ୧୪୦ଟି ପ୍ରାର୍ଥନା ସଂଗୀତ ଓ କବିତା ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲା । ଉପରୋକ୍ତ ପାଠ୍ୟପୁସ୍ତକମାନ ଶିଶୁମାନଙ୍କର ମାନସିକ ଓ ମନସ୍ତାତ୍ୱିକ ଅବସ୍ଥାକୁ ଚାହିଁ ପ୍ରସ୍ତୁତ ହୋଇଥିଲା । ମିସନାରୀମାନେ ଧର୍ମ ପ୍ରଚାରକୁ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଭାବରେ ଗ୍ରହଣ କରିଥିଲେ ଅଥଚ ସରକାର ଧର୍ମ ନିରପେକ୍ଷ ହେବାକୁ ବାଧ୍ୟ ହୋଇଥିଲେ ପ୍ରଜାମାନଙ୍କର ମନରେ ଆସ୍ଥା ଓ ଆଶ୍ଵାସନା ଆଣିବାକୁ । ଆଧୁନିକ ଶିକ୍ଷାରେ ପାଶ୍ଚାତ୍ୟ ଜ୍ଞାନବିଜ୍ଞାନର ପ୍ରସାର ମୁଖ୍ୟ ଉଦ୍ଦେଶ୍ୟ ଭାବରେ ଗୃହୀତ ହୋଇଥିଲା । ତେଣୁ ପାଠ୍ୟପୁସ୍ତକମାନ କ୍ରମେ ଜଟିଳ ବିଷୟବସ୍ତୁ, କ୍ଲିଷ୍ଟ ଭାଷା ଓ କୁଟିଳ ବିଷୟବିନ୍ୟାସରେ ନିତାନ୍ତ ଭାରାକ୍ରାନ୍ତ ହୋଇ ପଡ଼ିଥିଲା । ଏସବୁ ସତ୍ତ୍ୱେ ୧୮୪୯ରେ ପ୍ରକାଶିତ ସାହିତ୍ୟ ବହିରେ “ଦେଶଭ୍ରମଣର ଫଳ” ପରି ଆଧୁନିକ ପ୍ରସଙ୍ଗ ସ୍ଥାନ ପାଇଥିଲା । ଓଡ଼ିଆ ଭାଷା ଶିକ୍ଷାକୁ ସୁଗମ କରିବା ନିମିତ୍ତ ବିଦ୍ୟାଳୟ ପାଠ୍ୟକ୍ରମରେ ବ୍ୟାକରଣ ଓ ଅଭିଧାନ ପ୍ରାଥମିକ ସ୍ତରରୁ ସ୍ଥାନ ଲାଭ କରିଥିଲା ।

 

୧୮୫୭ ମସିହାରେ ଓଡ଼ିଶା ପାଇଁ ପ୍ରଥମ କରି ଜଣେ ସ୍କୁଲ ଇନସ୍‌ପେକ୍ଟର ନିଯୁକ୍ତ ହେଲେ । ଇଂରେଜ ସରକାରଙ୍କ ଅନୁଦାନର ସଦୁପଯୋଗ କରିବାକୁ କତିପୟ ସଚେତନ ଶିକ୍ଷିତ ଯୁବକ ପ୍ରସ୍ତୁତ ହେଲେ । ମାତୃଭାଷା ଓଡ଼ିଆରେ ପାଠ୍ୟପୁସ୍ତକ ରଚନା କରିବାକୁ ସଂକଳ୍ପ ନେଲେ । ପାଶ୍ଚାତ୍ୟ ଜ୍ଞାନବିଜ୍ଞାନ ଗର୍ଭିତ ଏହି ପୁସ୍ତକମାନ ଜଟିଳ ହେଉଥିଲା । ଓଡ଼ିଶାର ପ୍ରଥମ ଇନସ୍‌ପେକ୍ଟର ଡକ୍ଟର ରୋର ଓଡ଼ିଶାର ପ୍ରକୃତ ଅଭାବ ଅସୁବିଧାର ଅନୁଧ୍ୟାନ କରିଥିଲେ ଏବଂ ଓଡ଼ିଆରେ ଉପଯୁକ୍ତ ପାଠ୍ୟପୁସ୍ତକ ରଚନା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ । ଡକ୍ଟର ରୋର ଯଥାର୍ଥରେ କହିଥିଲେ, ‘‘ବଙ୍ଗଭାଷା ସହିତ କେତେକ ସାମ୍ୟ ଥିଲେ ସୁଦ୍ଧା ଓଡ଼ିଆ ଭାଷା ବଙ୍ଗଭାଷାର ଏକ ଉପଭାଷା ରୂପେ ବିବେଚିତ ହୋଇ ନପାରେ” (Report of the council of Education pp. 26-27) । ବଙ୍ଗ ପ୍ରେସିଡ଼େନସୀ ମଧ୍ୟରେ ରହି ଓଡ଼ିଶାର ସ୍ଵତନ୍ତ୍ର ସତ୍ତା ଓ ଆବଶ୍ୟକତା ଯେମିତି ପୂର୍ବରୁ ଅବହେଳିତ ହୋଇଥିଲା, ଏବେ ସେଥିରେ ପରିବର୍ତ୍ତନ ଘଟିଲା । ଏହି ଅନୁକୂଳ ପରିସ୍ଥିତି ପାଇଁ ଡକ୍ଟର ରୋରଙ୍କ ସହିତ ସଟନ ସାହେବ, ଲେସି ସାହେବଙ୍କ ପରି ପାଦ୍ରୀମାନଙ୍କ ପ୍ରଚେଷ୍ଟା ଓ ଜନ୍‌ବିମ୍‌ସ ସାହେବଙ୍କ ପରି ପ୍ରଶାସକମାନଙ୍କର ସାହାଯ୍ୟ ସ୍ମରଣୀୟ ।

 

ପାଠ୍ୟପୁସ୍ତକ ମାଧ୍ୟମରେ ନୂତନଯୁଗର ଅଭ୍ୟୁଦୟ :

୧୮୭୦ ମସିହାରେ ଓଡ଼ିଆ ପାଠ୍ୟପୁସ୍ତକ ଇତିହାସରେ ଏକ ନୂତନ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା । କଟକରେ ୧୮୬୭ ଖ୍ରୀଷ୍ଟାବ୍ଦରେ କଟକ ପ୍ରିଣ୍ଟିଙ୍ଗ ପ୍ରେସ୍‌ ସ୍ଥାପିତ ହେଲା ପରେ ବିଚ୍ଛନ୍ଦଚରଣ ପଟ୍ଟନାୟକ, ଗୋବିନ୍ଦ ରଥ, ଗୋବିନ୍ଦ ଚରଣ ପଟ୍ଟନାୟକ, ଫକୀର ମୋହନ ସେନାପତି, ଚତୁର୍ଭୁଜ ପଟ୍ଟନାୟକ, ବଳରାମ ଦାଶ ପ୍ରମୁଖ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନରେ ବ୍ରତୀ ହୋଇଥିଲେ । ଢେଙ୍କାନାଳର ମହାରାଜା ଭାଗୀରଥି ମହେନ୍ଦ୍ର ବାହାଦୂର ପାଠ୍ୟପୁସ୍ତକ ଲେଖକମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ପାଣ୍ଠି ସୃଷ୍ଟି କରିଥିଲେ । ଏହି ପାଣ୍ଠି ଅର୍ଥରେ ପ୍ୟାରୀମୋହନଙ୍କ ଓଡ଼ିଶାର ଇତିହାସ, ମଧୁସୂଦନଙ୍କ ପ୍ରବନ୍ଧମାଳା ଓ ଅନ୍ୟ ଲେଖକମାନଙ୍କର ବୀଜଗଣିତ, ତ୍ରିକୋଣମିତି, କ୍ଷେତ୍ରତ୍ତ୍ୱ ଆଦି ପାଠ୍ୟପୁସ୍ତକମାନ ପୁରସ୍କୃତ ହୋଇଥିଲା । ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଓଡ଼ିଆ ଯୁବକଙ୍କର ଅପୂର୍ବ ଉତ୍ସାହ ଓ ଉନ୍ମାଦନା ଫଳରେ ୧୮୬୬ରୁ ୧୮୭୦ ମଧ୍ୟରେ ଅଦ୍ଭୂତପୂର୍ବ ସୃଷ୍ଟି ପ୍ରାଚୁର୍ଯ୍ୟ ସମ୍ଭବ ହୋଇଥିଲା । ବିଚ୍ଛନ୍ଦ ଚରଣଙ୍କ ଭୂଗୋଳତ୍ତ୍ୱ (ଅନୁବାଦ), ଚାରୁପାଠ ଓ କାଦମ୍ବରୀ, ସୀତାବନବାସ, ଉତ୍କଳ ବ୍ୟାକରଣ ସଂକ୍ଷେପ, ଭାରତବର୍ଷର ଇତିହାସ, ଗୋବିନ୍ଦ ରଥଙ୍କ ବର୍ଣ୍ଣବିଜ୍ଞାନ ଓ ବର୍ଣ୍ଣବୋଧକ, ଗୋବିନ୍ଦ ଚନ୍ଦ୍ରଙ୍କ ଉପକ୍ରମଣିକା ଓ ବ୍ୟାକରଣ କୌମୁଦୀ, ଫକୀରମୋହନଙ୍କ ଭାରତବର୍ଷର ଇତିହାସ ଓ ଅଙ୍କମାଳା, ଗୌରୀଶଙ୍କରଙ୍କ ଭୂଗୋଳ ତତ୍ତ୍ଵ, ପ୍ୟାରୀମୋହନ ସେନଙ୍କ ଶିଶୁପାଠ, ପ୍ରଭାକର ଚୂଡ଼ାମଣିଙ୍କ ପଦ୍ୟମାଳା ଓ ଉପଦେଶ ମଞ୍ଜରୀ, କପିଳେଶ୍ୱର ବିଦ୍ୟାଭୂଷଣଙ୍କ ସୂତ୍ରଧାର ବ୍ୟାକରଣ, ଦ୍ୱାରିକାନାଥ ଚକ୍ରବର୍ତ୍ତୀଙ୍କ ଶିକ୍ଷାଭିଧାନ ଇତ୍ୟାଦି ଅନେକ ପାଠ୍ୟପୁସ୍ତକ ପ୍ରକାଶିତ ହେଲା ।

 

ଏହି ସମୟରେ ଓଡ଼ିଆ ଭାଷାକୁ ସମୂଳେ ଲୋପ କରିବାକୁ ଏକ ନ୍ୟସ୍ତସ୍ଵାର୍ଥ ଓ ସଂକୀର୍ଣ୍ଣମନା ଗୋଷ୍ଠୀ ଉଦ୍ୟମ କରିଥିଲେ । ମାତ୍ର ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ନିମିତ୍ତ ପାଦ୍ରୀମାନଙ୍କ ସହଯୋଗ ମିଳିଥିଲା । ଏମିତିକି ତତ୍କାଳୀନ ବାଲେଶ୍ଵର ଜିଲା କଲେକ୍ଟର ଜନ ବୀମ୍‌ସ (୧୯୩୭) ଏହି ଷଡ଼ଯନ୍ତ୍ରକୁ କଠୋର ସମାଲୋଚନା କରି ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ଓ ସୁରକ୍ଷା ପାଇଁ ବିଶେଷ ପ୍ରଚେଷ୍ଟା କରିଥିଲେ । ଓଡ଼ିଶାର ଶିକ୍ଷିତ ଯୁବକଗଣ ପୁସ୍ତକ ରଚନା ଓ ପ୍ରକାଶନ ସଂପର୍କରେ ବିଭିନ୍ନ ପତ୍ରପତ୍ରିକାରେ ଆଲୋଚନା, ସଭାସମିତିରେ ଚର୍ଚ୍ଚା ଆଦି ମାଧ୍ୟମରେ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ଆଗ୍ରହ ଓ ଅନୁରାଗ ବଢ଼ାଇଥିଲେ । ସମଗ୍ର ଓଡ଼ିଶାରେ ଏକ ଉନ୍ମାଦନାପୂର୍ଣ୍ଣ ଜାତୀୟଆନ୍ଦୋଳନ ସଂଗଠିତ ହୋଇଥିଲା । ବଙ୍ଗଳାରୁ ଅନୁବାଦ କରିବା, ଏମିତିକି ଓଡ଼ିଆ ରଚନାରେ ବଙ୍ଗୀୟ ପ୍ରଭାବକୁ ମଧ୍ୟ ଓଡ଼ିଆମାନେ ଘୃଣା କରୁଥିଲେ । ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ଏହି ସମୟରେ ପ୍ରକାଶିତ ପାଠ୍ୟପୁସ୍ତକ ବିସ୍ମୟକର । ଡକ୍ଟର ନଟବର ସାମନ୍ତରାୟ ସ୍ପଷ୍ଟ ଭାବରେ ମତ ଦେଇଛନ୍ତି, “ସ୍ଥୂଳତଃ, ୧୮୫୭-୭୦ ସାଲ ପ୍ରଥମ ଓ ଶେଷ ଭାଗରେ ଯେଉଁ ଓଡ଼ିଆ ପୁସ୍ତକ ରଚିତ ହୋଇଥିଲା, ସେମାନଙ୍କ ମଧ୍ୟରେ ପ୍ରଭେଦଟା କେବଳ ପରିମାଣଗତ ନୁହେଁ ତାହା ଥିଲା ଆତ୍ମଗତ ମଧ୍ୟ । ପାଠ୍ୟପୁସ୍ତକରେ ଏହି ଆତ୍ମିକ ପରିବର୍ତ୍ତନ ଭବିଷ୍ୟତ ଉନ୍ନତ ପାଠ୍ୟପୁସ୍ତକର ଏକ ଶୁଭ ସଂକେତ ମାତ୍ରା; ଆଧୁନିକ ଓଡ଼ିଆ ସାହିତ୍ୟ ବିକାଶର ଏହାହିଁ ଯଥାର୍ଥ ପୃଷ୍ଠଭୂମି । (ଓଡ଼ିଆ ସାହିତ୍ୟର ଇତିହାସ, ୧୯୮୩, ୨ୟ ସଂସ୍କରଣ, ପୃ.୧୧୮) ।

 

ଉତ୍କଳଦୀପିକା, ଉତ୍କଳପୁତ୍ର ପ୍ରଭୃତି ପତ୍ରିକାଗୁଡ଼ିକରେ ଓଡ଼ିଆ ପାଠ୍ୟପୁସ୍ତକର ଗୁଣାଗୁଣ ସଂପର୍କରେ ଖୁବ୍‌ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଓଡ଼ିଆ ଭାଷା ଓ ସାହିତ୍ୟର ସଂରକ୍ଷଣ ଓ ବିକାଶ ପାଇଁ କମିଶନର ରେଭେନ୍‌ସା ବଙ୍ଗ ସରକାରଙ୍କୁ କେତେକ ପ୍ରସ୍ତାବ ଦେଇଥିଲେ । ବଙ୍ଗ ସରକାର ଏ କ୍ଷେତ୍ରରେ ଉଦାସୀନ ରହି ଯୁକ୍ତି କରିଥିଲେ ଯେ ଓଡ଼ିଆମାନେ ବଙ୍ଗଳା ପାଠ କରି ପାରନ୍ତି । ତେଣୁ ମୌଳିକ ଓଡ଼ିଆ ସାହିତ୍ୟର ଆବଶ୍ୟକତା ନାହିଁ । ଏ ଦିଗରେ ଅର୍ଥବ୍ୟୟ କରିବା ଅନାବଶ୍ୟକ ବୋଲି ସେ ମତ ଦିଅନ୍ତି । (Annual Report of the Administration of Bengal Presidency, 1986-97, p. 335) । ମାତ୍ର ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ବୃଦ୍ଧି ହେତୁ ଅଧିକ ପାଠ୍ୟପୁସ୍ତକର ଆବଶ୍ୟକ ହେବାରୁ ପୁସ୍ତକ ମୁଦ୍ରଣ ତଥା ପ୍ରକାଶନ କ୍ରମେ ଅର୍ଥକାରୀ ହୋଇଥିଲା । ସେଥିପାଇଁ ଅନେକ ବାଦବିସମ୍ବାଦ ମଧ୍ୟ ଘଟିଥିଲା ଏବଂ ତତ୍କାଳୀନ ଜଏଣ୍ଟ ଇନସ୍‌ପେକ୍ଟର ରାଧାନାଥ ରାୟ ନିଜେ ଏଥିରୁ ନିଷ୍କୃତି ପାଇନଥିଲେ ।

 

ଓଡ଼ିଆ ପତ୍ରପତ୍ରିକାରେ ପାଠ୍ୟପୁସ୍ତକର ଉନ୍ନତି ପାଇଁ ଚର୍ଚ୍ଚା ଓ ସମାଲୋଚନା ଚାଲିଲା । ବିଦ୍ୟାଳୟ ପାଠ୍ୟକ୍ରମରେ ସାହିତ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଲାଭକଲା । ମଧୁବାବୁଙ୍କ ପ୍ରବନ୍ଧମାଳାର ସମାଲୋଚନା କରି କୁହାଗଲା ଯେ ଏଥିରେ ଅନେକ ଉପାଦେୟ ପ୍ରସଙ୍ଗ ସ୍ଥାନ ପାଇଛି । ମାତ୍ର ସେଥିମଧ୍ୟରୁ ଜଡ଼ବିଜ୍ଞାନ ଓ କ୍ଷେତ୍ର ପରିମାଣ ପୁସ୍ତକରୁ ଅନେକ ପ୍ରସଙ୍ଗ ଶିକ୍ଷକମାନେ ମଧ୍ୟ ବୁଝିବାକୁ ଅକ୍ଷମ ହେଉଛନ୍ତି । ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏଗୁଡ଼ିକ ଅଧିକ ଜଟିଳ ଓ କଷ୍ଟକର ହେବା ସ୍ଵାଭାବିକ । ଅତି ଉଚ୍ଚକୋଟୀର ତଥ୍ୟମାନ ବହୁ ପରିମାଣରେ ନଦେବାକୁ ପରାମର୍ଶ ଦିଆଯାଇଥିଲା । ରୀତି ଯୁଗୀୟ କାବ୍ୟଧାରାରେ ପରିବର୍ତ୍ତନ ଆଣି ଆଧୁନିକ ରୂପରେଖ ଓ ଭାବରାଜିର ପ୍ରୟୋଗ କରିବାକୁ କବିବର ରାଧାନାଥ ପରାମର୍ଶ ଦେଇଥିଲେ । ଆଉ ଏକ ପାଠ୍ୟପୁସ୍ତକ “କବିତାବଳୀ’’ର ବିଷୟବସ୍ତୁ, ଭାବଧାରା ଓ ଶୈଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅବୋଧ୍ୟ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା । ରାଧାନାଥ, ମଧୁସୂଦନ ପ୍ରମୁଖ କବିଗଣ କବିତା ମଧ୍ୟରେ ପ୍ରକୃତି ବର୍ଣ୍ଣନା, ମାନବବାଦ, ଜାତୀୟତା ଆଦି ଭାବଧାରାର ପ୍ରୟୋଗ କରିବାକୁ ଉପଦେଶ ଦେଇଥିଲେ ।

 

୧୮୮୦ ମସିହା ସୁଦ୍ଧା କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ବ୍ୟାସକବି ଫକରୀମୋହନ, ପ୍ୟାରୀମୋହନ ଆଚାର୍ଯ୍ୟ, ଚନ୍ଦ୍ରମୋହନ ମହାରଣା ପ୍ରମୁଖ ସାହିତ୍ୟରଥୀ ଗଣ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରି ପ୍ରଭୂତ ସାଫଲ୍ୟ ଅର୍ଜନ କରିଥିଲେ । ରାଧାନାଥଙ୍କ କବିତାବଳୀ, ମଧୁସୂଦନଙ୍କ ବର୍ଣ୍ଣବୋଧ, ଶିଶୁବୋଧ, ବାଳବୋଧ, ଫକୀରମୋହନଙ୍କ ଭାରତବର୍ଷର ଇତିହାସ ଓ ଅଙ୍କମାଳା, ପ୍ୟାରୀମୋହନଙ୍କର ଓଡ଼ିଶାର ଇତିହାସ, ଚନ୍ଦ୍ରମୋହନଙ୍କ କବିତାବଳୀ ଓ କଥାବଳୀ ଏହି ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ।

 

ଊନବିଂଶ ଶତାବ୍ଦୀରେ ଓଡ଼ିଆ ଶିଶୁସାହିତ୍ୟର ବିକାଶ :

ପାଠ୍ୟପୁସ୍ତକ ହିଁ ଶିଶୁସାହିତ୍ୟର ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥିଲା । ପୂର୍ବରୁ ଆମର ଦେଶୀୟ ଶିକ୍ଷା ବ୍ୟବସ୍ଥାରେ ପୁରାଣ, କାବ୍ୟ କୋଇଲି, ଚଉତିଶା, ଜଣାଣ, ଓଷାଗୀତ ଆଦି ମୁଖ୍ୟ ଶିକ୍ଷଣଶିକ୍ଷାଦାନ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିଲା । ପୋଥି ବା ପାଣ୍ଡୁଲିପି ଆକାରରେ ବହୁବର୍ଷ ଧରି ସେଗୁଡ଼ିକ ରହିଥିଲା ଏବଂ ଅବଧାନମାନେ ଯାହା ମନେ ରଖିଥିଲେ ବା ପାଖରେ ଥିବା ପୋଥିରୁ ପିଲାମାନଙ୍କୁ ପଢ଼ାଉଥିଲେ ପିଲାମାନେ ସେଗୁଡ଼ିକୁ ନିଜ ନିଜର ସାମର୍ଥ୍ୟାନୁସାରେ ମୁଖସ୍ଥ କରୁଥିଲେ ଏବଂ ଆବଶ୍ୟକ ପଡ଼ିଲେ ଶ୍ରେଣୀରେ ବା ବାହାରେ ଆବୃତ୍ତି କରୁଥିଲେ । ପୂଜାପାର୍ବଣରେ ସେଗୁଡ଼ିକୁ ପିଲାମାନେ ଆବୃତ୍ତି ତଥା ଗାନ କରୁଥିଲେ ଏବଂ ଗାଁଗଣ୍ଡାରେ ଘରକୁ ଘର ବୁଲି କେତୋଟି ଗୀତ, ଜଣାଣ ଗାଇ ଅବଧାନଙ୍କ ପାଇଁ ଚାନ୍ଦାଭେଦା ସଂଗ୍ରହ କରୁଥି‌ଲେ । ଛାତ୍ରଛାତ୍ରୀମାନେ ଶ୍ରବଣ, ଆବୃତ୍ତି ଆଦି ମାଧ୍ୟମରେ ଭାଷା କୌଶଳ (language skill) ଲାଭ କରୁଥିଲେ । ଚାଟମାନଙ୍କର ସାହିତ୍ୟିକ ଚିତ୍ତବୃତ୍ତିର ବିକାଶ ଘଟୁଥିଲା ଏବଂ ପରବର୍ତ୍ତୀ ଜୀବନରେ ସେମାନେ ସାହିତ୍ୟ ରଚନାରେ ପ୍ରବୃତ୍ତ ହେଉଥିଲେ । କେତେକ ସଂସ୍କୃତ କାବ୍ୟ, ବ୍ୟାକରଣ ଆଦି ଅଧ୍ୟୟନ କରି ନିଜେ ସାହିତ୍ୟ ରଚନା କରିବାରେ ଦକ୍ଷତା ଅର୍ଜନ କରୁଥିଲେ । ପ୍ରାଥମିକ ସ୍ତରରେ ଯେଉଁ କାବ୍ୟିକ ରୁଚି ଓ ସୌନ୍ଦର୍ଯ୍ୟ ସେମାନେ ଉପଭୋଗ କରୁଥିଲେ ସେସବୁ ଭବିଷ୍ୟତରେ ସେମାନଙ୍କ ସାହିତ୍ୟସର୍ଜନା ଓ ଉପଭୋଗରେ ସହାୟକ ହେଉଥିଲା ।

 

ଊନବିଂଶ ଶତାବ୍ଦୀରେ ପାଠ୍ୟପୁସ୍ତକର ଆଭିମୁଖ୍ୟ ତାର ଆଙ୍ଗିକ ଓ ଆତ୍ମିକ ବିଭାବରେ ଯେଉଁ ସବୁ ପରିବର୍ତ୍ତନ ଘଟିଲା, ତାହାସବୁ ଶିଶୁସାହିତ୍ୟର ବିକାଶରେ ବିଶେଷ ସହାୟକ ହେଲା । ପାଠ୍ୟକ୍ରମରେ ଭାଷା ଓ ସାହିତ୍ୟ ଏକ ସ୍ଵତନ୍ତ୍ର ସ୍ଥାନ ଲାଭ କରିବାରୁ ଛାତ୍ରଛାତ୍ରୀମାନଙ୍କର ଭାଷାଜ୍ଞାନ, କୌଶଳ, ଚିତ୍ତବୃତ୍ତି ଆଦିର ଉନ୍ନତି ଘଟିଲା । ଶିକ୍ଷକଶିକ୍ଷୟିତ୍ରୀମାନେ ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାରେ ଅଧିକ ମନୋନିବେଶ କଲେ । ପତ୍ରପତିକାରେ ପାଠ୍ୟପୁସ୍ତକର ଦୋଷତ୍ରୁଟି ଓ ଆବଶ୍ୟକତା ବିଷୟରେ ନାନା ପ୍ରକାର ବିଚାରବିମର୍ଶ ହେବା ଫଳରେ ଲେଖକ ଓ ପ୍ରକାଶକମାନେ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଓ ମାନସିକ ଅବସ୍ଥା ବିଷୟରେ ସଚେତନ ହେଲେ । କେତେକ ବୁଦ୍ଧିଜୀବୀ, ଦୃଷ୍ଟାନ୍ତ ସ୍ୱରୂପ ‘‘ପ୍ରବନ୍ଧମାଳା’’ ଓ ‘‘କବିତାବଳୀ’’ର ବିଷୟବସ୍ତୁ, ବିଚାରଧାରା, ପ୍ରକାଶ ଶୈଳୀ ଇତ୍ୟାଦି ସଂପର୍କରେ ସମାଲୋଚନା କରିଥିଲେ । ଅନୁପଯୋଗୀ ଓ ଜଟିଳ ବିଷୟକୁ ବାଦ୍‌ଦେବାକୁ ଓ ପିଲାମାନଙ୍କ ମନସ୍ତାତ୍ତ୍ଵିକ ଅବସ୍ଥାକୁ ଚାହିଁ ପ୍ରସଙ୍ଗ ପରିବେଷଣ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ରୀତିଯୁଗୀୟ କାବ୍ୟସାହିତ୍ୟର କ୍ଲିଷ୍ଟତା ପରିହାର କରି ସାବଲୀଳ ଓ ସରଳ କବିତା ରଚନା କରିବାକୁ ଏବଂ ଜାତୀୟତା, ପ୍ରକୃତିପ୍ରେମ, ମାନବବାଦ ଇତ୍ୟାଦି ଆଧୁନିକ ଚିନ୍ତାଧାରାକୁ ରୂପାୟନ କରିବାକୁ କବିବର ରାଧାନାଥଙ୍କ ପରି ଶିକ୍ଷାବିଦ୍‌ଗଣ ଉପଦେଶ ଦେଇଥିଲେ । ଏହି ସମୟରେ ମାର୍ଜିତ ଗଦ୍ୟ ରଚନାର ବିକାଶ ସହିତ ଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା ଆଦିର ପ୍ରକାଶ ଘଟିଲା ।

 

ଏହି ସମୟରେ ସାହିତ୍ୟ ଶିକ୍ଷାଦାନ ପଦ୍ଧତିରେ ବାଞ୍ଛିତ ପରିବର୍ତ୍ତନ ଘଟିଲା । ବିଶେଷତଃ କବିତା ଅଧ୍ୟାପନାରେ ଯେମିତି ଆବେଗିକ ଓ ଭାବାତ୍ମକ ଆବେଶ ଓ ସୌନ୍ଦର୍ଯ୍ୟାନୁଭୂତିର ସଦୂପଯୋଗ ହେବା କଥା ତାହା ପରିଦୃଷ୍ଟ ହେଉନଥିବାରୁ ୧୮୮୬ ମସିହା ଜାନୁୟାରୀ ମାସ (ଶିକ୍ଷାବଂଧୁ, ୨/୧)ରେ “କବିତା ଅଧ୍ୟୟନ” ଶୀର୍ଷକ ଏକ ପ୍ରବନ୍ଧ ଆତ୍ମପ୍ରକାଶ କରିଥିଲା । ତାର ଏକ ଉଦ୍ଧୃତି ହେଲା ବିଦ୍ୟାଳୟରେ ଯେଉଁସବୁ କବିତା ପୁସ୍ତକ ପଠିତ ହୁଏ ସେଥିମଧ୍ୟରୁ ଅଧିକାଂଶ କବିତା ନାମର ଅଯୋଗ୍ୟ । ଲୋକ ସାଧାରଣଙ୍କର ସଂସ୍କାର ଏହିଯେ ଅକ୍ଷରକୁ ଅକ୍ଷର ମିଳିଗଲେ କବିତା ହେଲା । । ଶିକ୍ଷକମାନେ ମଧ୍ୟ ଏହି ସଂସ୍କାରକୁ ଅତିକ୍ରମ କରିନାହାନ୍ତି । ସୁତରାଂ ସେମାନଙ୍କର ଅଧ୍ୟାପନା ଯେ ନିତାନ୍ତ ନିରସ ଓ ଉଦ୍ଦେଶ୍ୟହୀନ ହେବ, ତାହା ସହଜରେ ଅନୁମିତ ହୁଏ । ହେ ଶିକ୍ଷକ ! ତୁମେ କବିତା ପଢ଼ାଇବାର ଭାର ଗ୍ରହଣ କରିଅଛ । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମାଣ ଭାବରେ ବସି ଅଛନ୍ତି । ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହି ଦେଉଅଛ । କବିତାର ସୌନ୍ଦର୍ଯ୍ୟ କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୃଷ୍ଟିନାହିଁ । ତୁମ୍ଭେ କିପରି ସୁକୁମାର ମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଶିଖାଇ ପାରିବ ? “ଏହିପରି ପ୍ରଶ୍ନ କେବଳ କୃତୀ ଓ କୁଶଳୀ ଶିକ୍ଷକ ଓ କବି ହଁ ଉଠାଇ ପାରନ୍ତି ।” ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ନାମ ନଥିଲେହେଁ, ଏପରି ମନସ୍ତାତ୍ତ୍ୱିକ ଓ କାବ୍ୟିକ ଦିଗ୍‌ଦର୍ଶନ ମଧୁସୂଦନଙ୍କର ବୋଲି ଅନୁମାନ କରାଯାଇପାରେ । ପତ୍ରିକାର ସଂପାଦକ ମଧୁସୂଦନ ହୋଇଥିବାରୁ ଏହି ଅନୁମାନ ବଦ୍ଧମୂଳ ହେଉଛି ।

 

ଊନବିଂଶ ଶତାବ୍ଦୀର ଶେଷସୁଦ୍ଧା ଶିଶୁସାହିତ୍ୟର ସ୍ୱାତନ୍ତ୍ୟ ସ୍ଵୀକୃତ ହୋଇ ନଥିଲା । ମାତ୍ର ପାଠ୍ୟପୁସ୍ତକରେ ସନ୍ନିବେଶିତ କେତେକ ଗଳ୍ପ, କବିତା ଆଦି ଶିଶୁସାହିତ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଇପାରେ । ଦୃଷ୍ଟାନ୍ତ ସ୍ଵରୂପ, ବିଚ୍ଛନ୍ଦ ଚରଣଙ୍କ ଚାରୁପାଠ, ପ୍ରଭାକର ଚୂଡ଼ାମଣିଙ୍କ ପଦ୍ୟମାଳା, ମଧୁସୂଦନ ଓ ରାଧାନାଥଙ୍କ କବିତାବଳୀ, ପ୍ୟାରୀମୋହନ ସେନଙ୍କ ଶିଶୁପାଠ, ମଧୁସୂଦନଙ୍କ ପ୍ରବନ୍ଧାବଳୀ, କପିଳେଶ୍ଵର ବିଦ୍ୟାଭୂଷଣଙ୍କ ବେତାଳ ପଞ୍ଚବିଂଶତି ଆଦିରେ ଶିଶୁସାହିତ୍ୟର ବାସ୍ତବରୂପ ପ୍ରକଟିତ ହୋଇଥିଲା ।

 

ବିଂଶ ଶତାବ୍ଦୀରେ ଓଡ଼ିଆ ଶିଶୁସାହିତ୍ୟ

ବିଂଶଶତାବ୍ଦୀ ପ୍ରାରମ୍ଭରୁ ଶିଶୁ ସାହିତ୍ୟ ବିଭିନ୍ନ ରୂପରେ ନିଜର ଅସ୍ତିତ୍ୱକୁ ପ୍ରକାଶ କରିଥିଲା-। ମଧୂସୂଦନ ରାଓଙ୍କ ବାଳରାମାୟଣ (୧୯୦୧), ବୌଦର ଜଣେ କରଣ ମହିଳାଙ୍କ କଥାଲହରୀ (୧୯୦୧), ଦାମୋଦରଙ୍କ ଭଲପିଲା (୧୯୦୩), ନନ୍ଦକିଶୋର ବଳଙ୍କ ନାନାବାୟାଗୀତ (୧୯୦୪), ଗୋବିନ୍ଦ ରଥଙ୍କ ଫୁଲଚାଙ୍ଗୁଡ଼ି (୧୯୧୦), ବଳଭଦ୍ର ମିଶ୍ରଙ୍କ କୁନିପୁଅ (୧୯୧୬), ଗଦାଧର ବିଦ୍ୟାଭୂଷଣଙ୍କ ସାବିତ୍ରୀ (୧୯୨୦) ସାର୍ଥକ ଶିଶୁ ସାହିତ୍ୟ ମଧ୍ୟରେ ଉଲ୍ଲେଖଯୋଗ୍ୟ (ଓଡ଼ିଆ ପ୍ରକାଶନ ଓ ପ୍ରସାରଣ ଇତିହାସ, ଶ୍ରୀଧର ମହାପାତ୍ର, ୧୯୮୬, ପୃ.୨୨) ।

 

୧୯୨୧ ମସିହାରୁ ଭାରତ ବର୍ଷରେ ମୁକ୍ତି ଆନ୍ଦୋଳନର ପାଞ୍ଚଜନ୍ୟ ଗଗନପବନ ଥରାଇ ବାଜି ଉଠିଥିଲା । ଚତୁର୍ଦ୍ଦିଗ କି ପଲ୍ଲୀ କି ନଗରୀ ଜାତୀୟତାର ଉନ୍ମାଦନାରେ ଆବାଳ ବୁଦ୍ଧବନିତା ମୁଗ୍ଧ ବିଭୋର ହେଲେ । ସରଳ ଶାନ୍ତ ଜନସାଧାରଣଙ୍କ ନୀରବ ନିଥର ଜୀବନରେ ପ୍ରାଣପ୍ରାଚୁର୍ଯ୍ୟ ଭରି ଉଠିଲା । ଛାତ୍ରଛାତ୍ରୀଗଣ ଅଧ୍ୟୟନ ଛାଡ଼ିଲେ ଏବଂ ବିଦ୍ୟାଳୟ, ମହାବିଦ୍ୟାଳୟରୁ ବିଦାୟ ନେଲେ । ସେମାନେ ବିଦେଶୀ ବସ୍ତ୍ର ଓ ବିଦେଶୀ ଦ୍ରବ୍ୟର ଦୋକାନ ଓ କଚେରୀ ଆଗରେ ସତ୍ୟାଗ୍ରହ କଲେ ଏବଂ ଧାରଣା ଦେଲେ । ପିଲାମାନ ପୋଲିସଠାରୁ ବେତମାଡ଼ ଖାଇଲେ ଓ ବଡ଼ମାନେ ହାତକଡ଼ି ପିନ୍ଧି କଏଦୀଘରକୁ ଗଲେ । ନିରବଚ୍ଛିନ୍ନ ଭାବରେ ଏହିପରି ଆଲୋଡ଼ନ ଓ ଆନ୍ଦୋଳନ ଚାଲିଲା ।

 

ଏହି ସବୁ ପ୍ରତିକୂଳ ପରିବେଶ ମଧ୍ୟରେ ସୃଜନାତ୍ମକ କାର୍ଯ୍ୟର ଗତି ମନ୍ଥର ହେଲେ ହେଁ ଅନ୍ତ ହେଲା ନାହିଁ । କବି ଲେଖକଗଣ ଶିଶୁ କିଶୋରମାନଙ୍କ ପାଇଁ ବିଭିନ୍ନ ସ୍ଵାଦର ପୁସ୍ତକ ପ୍ରଣୟନ କରିଥିଲେ ଏବଂ ଓଡ଼ିଆ ପ୍ରକାଶକମାନେ ଶକ୍ତିସଂଚୟ କରି ଦୃଢ଼ ମନୋବଳ ନେଇ ପୁସ୍ତକ ପ୍ରକାଶନ-କ୍ଷେତ୍ରରେ ଆଗେଇ ଚାଲିଲେ । ଯେଉଁ ସାହିତ୍ୟ ସ୍ରଷ୍ଟାମାନେ ଇତିହାସର ଏହି ଘଡ଼ିସନ୍ଧି ବେଳରେ ନିଜନିଜର ସୃଷ୍ଟି ପ୍ରତିଭାକୁ ପ୍ରତିଭାତ କରିଥିଲେ, ସେମାନଙ୍କ ନାମ ଓ କୃତି ଏଠରେ ଉଲ୍ଲେଖ କରାଯାଉଛି । ୧୯୩୦ ସୁଦ୍ଧା ସେଗୁଡ଼ିକ ଆତ୍ମପ୍ରକାଶ କରିଛି, ମାତ୍ର ନିର୍ଦ୍ଦିଷ୍ଟ ବର୍ଷ ଜଣା ପଡ଼େନାହିଁ । (ତତ୍ରୈବ ପୃ. ୨୪) ।

 

୧.

ସୁନାର ଦେଶର

-

ପଦ୍ମ ଚରଣ ପଟ୍ଟନାୟକ

୨.

ସଚିତ୍ରଶିଶୁ ରାମାୟଣ

-

ବାଳକୃଷ୍ଣ କର । .

୩.

ଫୁଲ ଚାଙ୍ଗୁଡ଼ି

-

ବାଳକୃଷ୍ଣ କର ।

୪.

ଚାରୁ ଲବଙ୍ଗଲତା

-

ବାଳକୃଷ୍ଣ ପଟ୍ଟନାୟକ

୫.

ଫୁଲ ବଉଳବେଣୀ

-

ବାଳକୃଷ୍ଣ ପଟ୍ଟନାୟକ

୬.

ନୂତନ ଶିଶୁଖେଳାଗୀତ

-

ମଣିଚରଣ ମହାପାତ୍ର

୭.

କଥାଶତକ

-

ବାଙ୍କନିଧି ପଟ୍ଟନାୟକ

୮.

ନାରୀ ଦର୍ପଣ, ୧ମ ଓ ୨ୟ ଭାଗ

-

ମୃତ୍ୟୁଞ୍ଜୟ ରଥ

୯.

କଥା କଦମ୍ବ

-

ଦୟାନିଧି ମିଶ୍ର

୧୦.

ଶିଶୁ ରଞ୍ଜନ ଗୀତିକା

-

ହରେକୃଷ୍ଣ ଦାସ

୧୧.

ପିଲାଙ୍କ ଭାଗବତ

-

ନୀଳକଣ୍ଠ ଦାସ

୧୩.

ତୁଚ୍ଛାକୁ ଏତେ

-

କୃଷ୍ଣଚନ୍ଦ୍ର ସେନଗୁପ୍ତ ।

 

ଶିଶୁ ଓ କିଶୋରସାହିତ୍ୟ ପ୍ରକାଶ କରିବାକୁ ନୂତନ ପ୍ରକାଶକଗଣ ଏହି ସମୟରେ ଆଗେଇ ଆସିଥିଲେ । ବ୍ରହ୍ମପୁରର ଷ୍ଟୁଡ଼େଣ୍ଡସ୍‌ ଷ୍ଟୋର (୧୯୧୯), ଗଞ୍ଜାମ୍‌ ଷ୍ଟୋର (୧୯୨୪), କଟକ ଟ୍ରେଡିଂ କମ୍ପାନୀ (୧୯୧୪) ଏମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ । ଏହିସବୁ ପ୍ରକାଶନ ସଂସ୍ଥାଗୁଡିକ ଦ୍ୱାରା ଲେଖକଙ୍କୁ ବାର୍ଷିକ ବହିବିକ୍ରିର ଶତକଡ଼ା ହାରରେ ରାଜଭାଗ ଦେବାର ପ୍ରଥା ପ୍ରଚଳିତ ହେଲା । ପାଠ୍ୟପୁସ୍ତକ ପରେ ପାଠ୍ୟେତର ତଥା ପାଠପରିପୂରକ ଶିଶୁ ଓ କିଶୋର ସାହିତ୍ୟ ପୁସ୍ତକ ମୁଖ୍ୟତଃ ସ୍କୁଲ ପୁସ୍ତକାଗାର ଓ ପୁରସ୍କାର ପ୍ରଦାନ ପାଇଁ କ୍ରୟ କରାଯାଉଥିଲା । ଶ୍ରୀଧର ମହାପାତ୍ରଙ୍କ ମତରେ (ତତ୍ରୈବ ପୃ ୮) ଷ୍ଟୁଡେଣ୍ଟସ ଷ୍ଟୋର ପ୍ରକାଶିତ ନୀତିକଥା (୧ମ, ୨ୟ, ୩ୟ ଓ ୪ର୍ଥ ଭାଗ) ଶିଶୁ ତଥା କିଶୋରମାନଙ୍କ ପଠନୋପଯୋଗୀ କରିବା ପାଇଁ ବଡ଼ ଅକ୍ଷର ଓ ସଚିତ୍ର କରାଯାଇଥିଲା । ତା’ର ପ୍ରଚ୍ଛଦପଟ୍ଟ ମଧ୍ୟ ରଙ୍ଗୀନ ଚିତ୍ରରେ ଶୋଭିତ ହୋଇଥିଲା । ଏଗୁଡ଼ିକର ରଚୟିତା ‘‘ଜଣେ ଅନୁଭୂତି ସମ୍ପନ୍ନ ଶିକ୍ଷକ’’ ବୋଲି ମୁଦ୍ରିତ ହୋଇଥିଲେ ହେଁ ପ୍ରଖ୍ୟାତନାମା ଶିକ୍ଷକ ଓ ଶିଶୁ ସାହିତ୍ୟିକ ରାମଚନ୍ଦ୍ର ଆଚାର୍ଯ୍ୟ ଏହାକୁ ରଚନା କରିଥିଲେ, ଏଥିରେ ସନ୍ଦେହ ନାହିଁ ।

 

ଏହି ସମୟରେ ଉଦୟନାଥ ଷଡ଼ଙ୍ଗୀ କିଶୋର ଉପଯୋଗୀ “ଓଡ଼ିଶାର ଇତିହାସ କଥା” ଓ ଭାରତର ଇତିହାସ କଥା” ଲେଖିଥିଲେ ଏବଂ ଷ୍ଟୁଡେଣ୍ଟସ ଷ୍ଟୋରଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା-। ରାମଚନ୍ଦ୍ର ଆଚାର୍ଯ୍ୟ ଓ ଉଦୟନାଥ ଷଡ଼ଙ୍ଗୀଙ୍କ ବ୍ୟତୀତ ଗୋଦାବରୀଶ ମହାପାତ୍ର, ଜଗନ୍ନାଥ ମହାପାତ୍ର, ଶିବପ୍ରସାଦ ଦାଶ ପିଲାମାନଙ୍କ ପାଇଁ ବହିଲେଖି ପ୍ରସିଦ୍ଧିଲାଭ କରିଥିଲେ । କିଶୋର ସାହିତ୍ୟର ବିକାଶ ମଧ୍ୟ ଏହି ସମୟରେ କ୍ଷିପ୍ରତର ହୋଇଥିଲା । ବାଳକୃଷ୍ଣ କରଙ୍କ ସଂପାଦନାରେ ସାରସ୍ଵତ ପ୍ରେସ (୧୯୨୭)ରେ ପ୍ରକାଶିତ “ବୀର ଚରିତମାଳା”, ଟ୍ରେଡିଂ କମ୍ପାନୀର “ଋଷି ଚରିତମାଳା’’ କିଶୋରମାନଙ୍କ ଦ୍ୱାରା ଖୁବ୍‌ ଆଦୃତ ହୋଇଥିଲା । ଏହି ସବୁ ଜୀବନୀମାଳାର ଲେଖକ ଥିଲେ ଗୋଦାବରୀଶ ମହାପାତ୍ର, ଜଗନ୍ନାଥ ମହାପାତ୍ର, କୃଷ୍ଣଚନ୍ଦ୍ର କର, ଭଗବାନ ପତି ପ୍ରମୁଖ । ପଣ୍ଡିତ ନୀଳକଣ୍ଠ ଏହି ଅବସରରେ “ପିଲାଙ୍କ ରାମାୟଣ’’, “ପିଲାଙ୍କ ମହାଭାରତ’’ ଓ ‘ପିଲାଙ୍କ ଭାଗବତ’ - ଏହି ୩ଟି ଉଚ୍ଚକୋଟୀର କିଶୋରସାହିତ୍ୟ ରଚନା କରିଥିଲେ ।

 

ଗୀତିକବି ଗୋଦାବରୀଶ ପାଠ୍ୟପୁସ୍ତକ ରଚନାରେ ଥିଲେ ସିଦ୍ଧହସ୍ତ ଏବଂ ସେଥିରୁ ସେ ଶିଶୁ ସାହିତ୍ୟସ୍ରଷ୍ଟା ଭାବରେ ସୁନାମ ଅର୍ଜନ କରିଥିଲେ । ପିଲାମାନଙ୍କ ପାଇଁ ସରଳ ତରଳ ଭାଷା ଓ ଶୈଳୀରେ ମନଛୁଆଁ କବିତା ଓ କାହାଣୀ ଲେଖିଥିଲେ । ତାଙ୍କର କବିତାପୁସ୍ତକ ‘‘କଳିକା’’ (୧୯୨୧), କିଶଳୟ (୧୯୨୨) ଓ ତାପରେ କିଶୋରମାନଙ୍କ ଉପଯୋଗୀ ‘‘ଆଲେଖିକା’’ ଓ ‘‘ଚୟନିକା’’ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିଲା । ଶିଶୁ ଓ କିଶୋର ସାହିତ୍ୟ କ୍ରମେ ଆଦର ଲାଭ କରୁଥିବାରୁ ଷୁଡ଼େଣ୍ଟସ୍‌ଦ୍ୱାରା ଏହି ସମୟରେ ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ହିତକଥା ସହିତ ଶିଶୁଭକ୍ତ, ବେତାଳ ପଞ୍ଚବିଂଶତି, ପଣ୍ଡିତ ଗୋଦାବରୀଶଙ୍କ ପଞ୍ଚବୀର, ଜଗନ୍ନାଥ ମହାପାତ୍ରଙ୍କ ସୀତା, ଶିବ ପ୍ରସାଦ ଦାଶଙ୍କ ରାମାୟଣ, ରଘୁନାଥ ମିଶ୍ରଙ୍କ ପ୍ରଭାବତୀ, ବୃନ୍ଦାବନ ଚନ୍ଦ୍ର ପଟ୍ଟନାୟକଙ୍କ ଭାରତଗୌରବ, ମିର୍ଜା ମହମ୍ମଦ ୟାକୁବ ବେଗ୍‌ଙ୍କ ମହାପୁରୁଷ ମହମ୍ମଦ ଇତ୍ୟାଦି ପ୍ରକାଶ କରାଯାଇଥିଲା । ଗଞ୍ଜାମ ଷ୍ଟୋର ଆନୁକୂଲ୍ୟରେ ଅନେକ ଶିଶୁ ଓ କିଶୋର ଉପଯୋଗୀ ପୁସ୍ତକ ପ୍ରକାଶିତ ହୋଇଥିଲା ଏବଂ ସେଗୁଡ଼ିକର ଲେଖକ ଥିଲେ କିଶୋର ଚନ୍ଦ୍ର ଦାସ, ସାରଥୀ ସାହୁ, ଈଶ୍ୱର ସାହୁ, ଗୋଦାବରୀଶ ମହାପାତ୍ର, ଗୋଦାବରୀଶ ମିଶ୍ର ପ୍ରମୁଖ । ବ୍ରହ୍ମପୁରର ଚିତ୍ରକର ଲିଙ୍ଗରାଜ ମିଶ୍ର ଓ ଟ୍ରେନିଂ ସ୍କୁଲର ଆର୍ଟ ଶିକ୍ଷକ ନୀଳମଣି ମହାରଣାଙ୍କ ଅଙ୍କିତ ଚିତ୍ରମାନଙ୍କୁ ନେଇ ସୁନ୍ଦର ଓ ସଚିତ୍ର ହୋଇଥିଲା ।

 

ସେତେବେଳେ ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ସହିତ ସଂଯୁକ୍ତ ହୋଇ ରହିଥିଲା ଏବଂ ଇଂରେଜୀ ଭାଷାର ପ୍ରଧାନ୍ୟ ଥିଲା ଶିକ୍ଷାକ୍ଷେତ୍ରରେ । ମାନ୍ଦ୍ରାଜୀ ଶିକ୍ଷା ପ୍ରଣାଳୀ ସ୍ଵତନ୍ତ୍ର ଥିବାରୁ ଏବଂ ଓଡ଼ିଶାରେ ଉକ୍ତ ପାଠ୍ୟକ୍ରମାନୁସାରେ ପୁସ୍ତକମାନ ହେଉନଥିବାରୁ ଇତିହାସ, ଗଣିତ, ଭୂଗୋଳ, ବିଜ୍ଞାନ ଆଦି ଷଷ୍ଠଶ୍ରେଣୀରୁ ଇଂରେଜୀ ବହି ସାହାଯ୍ୟରେ ପଢ଼ା ହେଉଥିଲା । ଏହି ଅଭାବ ଦୂର କରିବା ପାଇଁ କାଳିଆ ପାଣିଗ୍ରାହୀ ଓ କୁଳମଣି ମିଶ୍ର ଇତିହାସ, ରାମଚନ୍ଦ୍ର ଆଚାର୍ଯ୍ୟ ଭୂଗୋଳ, ହରେକୃଷ୍ଣ ପଟ୍ଟନାୟକ ସାଧାରଣ ବିଜ୍ଞାନ, ହୀରାଲାଲ ବର୍ଦ୍ଧନ ଗଣିତ ଓ ଅନାମ ପାତ୍ର ଭାରତର ଇତିହାସ ଓଡ଼ିଆରେ ଲେଖିଥିଲେ । ଉତ୍ତର ଓଡ଼ିଶା ପାଇଁ ପାଟଣା ଓ ଦକ୍ଷିଣ ଓଡ଼ିଶା ପାଇଁ ମାନ୍ଦ୍ରାଜ ପରି ସୁଦୂର ସହରଗୁଡ଼ିକରେ ପୁସ୍ତକ ମଞ୍ଜୁରୀ କମିଟିମାନ କାର୍ଯ୍ୟ କରୁଥିବାରୁ ଓଡ଼ିଶାର ପ୍ରକାଶକଗଣ ନିଜ ନିଜ ପୁସ୍ତକ ସେଠାରେ ଦାଖଲ କରିବା ଓ ସେଠାରୁ ନ୍ୟାୟ ବିଚାର ପାଇବା କଷ୍ଟକର ଥିଲା । ୧୯୩୦ ପରେ କଟକରେ କଟକ ଟ୍ରେଡ଼ିଂ କମ୍ପାନୀ ପଣ୍ଡିତ ଆକୁଳି ମିଶ୍ରଙ୍କ ଦ୍ୱାରା ଓ ସାରସ୍ଵତ ପ୍ରେସ ବାଳକୃଷ୍ଣ କରଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା । ସେତିକିବେଳେ ବ୍ରହ୍ମପୁରଠାରେ ଷୁଡ଼େଣ୍ଟସ୍‌ଷ୍ଟୋର ଓ ଗଞ୍ଜାମ ଷ୍ଟୋର ପ୍ରତିଷ୍ଠିତ ହୋଇଥିଲା । ସେମାନଙ୍କ ପ୍ରକାଶିତ ପାଠ୍ୟପୁସ୍ତକ ମଞ୍ଜୁରୀ ନିମିତ୍ତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ୧୯୩୪ ପରେ କଟକ ପବ୍ଲିଶିଙ୍ଗ ହାଉସ ସ୍ଥାପିତ ହୋଇ ପାଠ୍ୟପୁସ୍ତକ ମାଧ୍ୟମରେ ଖୁବ୍‌ ଲାଭବାନ୍‌ ହୋଇଥିଲେ । ରାମକୃଷ୍ଣ ନନ୍ଦଙ୍କ ସାହିତ୍ୟ ସୋପାନ ଓ ରହମତ ଅଲ୍ଲୀଙ୍କ ଗଣିତ ସୋପାନ ବହୁ ବର୍ଷ ଧରି ପ୍ରକାଶକ ଉମାଚରଣ ମହାନ୍ତିଙ୍କୁ ବହୁ ପ୍ରତିଷ୍ଠା ଓ ଆର୍ଥିକ ସମ୍ବଳ ପ୍ରଦାନ କରିଥିଲା । ଜଣେ ସଚ୍ଚୋଟ ଓ ନିଷ୍ଠାପର ପ୍ରକାଶକ ଭାବରେ ଉମାଚରଣଙ୍କ ଆଦର୍ଶ ଏବେ ବି ଅନୁକରଣୀୟ ହୋଇ ରହିଛି ।

 

ସ୍ଵତନ୍ତ୍ର ଓଡ଼ିଶା ଗଠନ ପରେ ଓଡ଼ିଆ ଶିଶୁସାହିତ୍ୟ

୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଫଳରେ ଶିଶୁ ଓ କିଶୋର ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ଅଭ୍ୟୁଦୟ ହେଲା । ଲେଖକ ଓ ପ୍ରକାଶକଗଣଙ୍କ ମଧ୍ୟରେ ଅଧିକ ଉତ୍ସାହ ଓ ଉନ୍ମାଦନା ଖେଳିଗଲା । ସେମାନେ ପାଠ୍ୟପୁସ୍ତକ ଓ ପାଠ୍ୟେତର ତଥା ପାଠ୍ୟ ସହାୟକ ପୁସ୍ତକ ରଚନା ଓ ପ୍ରକାଶ କରିବାରେ ବିଶେଷ ଆଗ୍ରହୀ ହୋଇଥିଲେ । ବିଶେଷତଃ ପୂର୍ବେ ସାହିତ୍ୟ ବିଷୟରେ ଅତିରିକ୍ତ ପାଠ୍ୟ (Supplementary Reader) ଭାବରେ କେତେକ କିଶୋର ଉପଯୋଗୀ ପୁସ୍ତକ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ମଞ୍ଜରୀ ପାଉଥିଲା । ଯେଉଁ ବହିଗୁଡ଼ିକ ମଞ୍ଜୁର ହେଉନଥିଲା, ସେଗୁଡ଼ିକ ସ୍କୁଲ ପାଠାଗାର ପାଇଁ ଶିଶୁ ଓ କିଶୋର ସାହିତ୍ୟ ଭାବରେ ସରକାରଙ୍କ ତାଲିକାଭୁକ୍ତ ହେଉଥିଲା ଏବଂ ବିଦ୍ୟାଳୟମାନେ ଉକ୍ତ ତାଲିକାରୁ ପାଠାଗାର ଓ ପୁରସ୍କାର ପ୍ରଦାନ ପାଇଁ ବହିପତ୍ର କିଣୁଥିଲେ ।

 

ଓଡ଼ିଶାପ୍ରଦେଶ ଗଠିତ ହେଲା ପରେ ଡି.ପି.ଆଇ ପଦବୀ ସୃଷ୍ଟି ହେଲା ଏବଂ ଆନୁଷଙ୍ଗିକ ନଥିପତ୍ର ପାଟଣାରୁ କଟକକୁ ସ୍ଥାନାନ୍ତରିତ ହେଲା । ଓଡ଼ିଶା ଗଡ଼ଜାତ ସମୂହର ଶିକ୍ଷାଧିକାରୀ ଏଚ୍‌ ଡିପ୍ପୀ ସାହେବ ନୂତନ ଶିକ୍ଷାନିର୍ଦ୍ଦେଶକ ହେଲେ । ଦକ୍ଷିଣ ଓଡ଼ିଶା କିନ୍ତୁ ପୂର୍ବପରି ମାନ୍ଦ୍ରାଜୀ ଶିକ୍ଷା ପ୍ରଣାଳୀ ଅବଲମ୍ବନ କଲେ । ଉଭୟ ବିଦ୍ୟାଳୟ ପାଠ୍ୟକ୍ରମ, ପାଠ୍ୟପୁସ୍ତକ ଓ ପରିଚାଳନାଗତ ବିଧିବିଧାନରେ ବହୁ ପାର୍ଥକ୍ୟ ରହିଥିଲା । ତେଣୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଶିକ୍ଷାପ୍ରଣାଳୀରେ ସମୀକରଣ କରିବାକୁ ଡିପ୍ପୀ ସାହେବ ଉଦ୍ୟମ କରିଥିଲେ ହେଁ ତଦାନୀନ୍ତନ ପ୍ରଧାନମନ୍ତ୍ରୀ (ଆଜିର ମୁଖ୍ୟମନ୍ତ୍ରୀ) ବିଶ୍ଵନାଥ ଦାଶ କୌଣସି କାରଣରୁ ଉକ୍ତ ପ୍ରସ୍ତାବକୁ ଅନୁମୋଦନ କରି ନଥିଲେ । ଫଳତଃ ଏହି ସବୁ ଉଦ୍ୟମ ବିଳମ୍ବିତ ହୋଇଥିଲା ଏବଂ ଡିପ୍ପୀ ସାହେବ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପାଟଣାରେ ପୂର୍ବରୁ ଥିବା ଉପନିର୍ଦ୍ଦେଶକ ଶ୍ୟାମଚନ୍ଦ୍ର ତିପାଠୀ ତତ୍କାଳୀନ ସର୍ବଭାରତୀୟ ଶିକ୍ଷା ସେବାଧିକାରୀ କଟକକୁ ଶିକ୍ଷା ନିର୍ଦ୍ଦେଶକ ହୋଇ ଆସିଲେ । ସେ ଆମ ଓଡ଼ିଶା ତଥା ବାରିପଦାର ବ୍ୟକ୍ତି ହୋଇଥିବାରୁ ରାଜ୍ୟର ଶିକ୍ଷାକ୍ଷେତ୍ରରେ ନୂତନ ଉନ୍ମାଦନା ଖେଳିଯାଇଥିଲା ।

 

ଏହି ପ୍ରସଙ୍ଗରେ ବିଶେଷ ଉଲ୍ଲେଖଯୋଗ୍ୟ ହେଉଛି ଆମ ଓଡ଼ିଶା ଶିକ୍ଷା ବିଶେଷତଃ ପ୍ରାଥମିକ ଶିକ୍ଷାକ୍ଷେତରେ ତାଙ୍କର ଅନବଦ୍ୟ ଅବଦାନ । ସେତେବେଳେ ମଧୁସୂଦନଙ୍କ ବର୍ଣ୍ଣବୋଧ ଥିଲା ଅକ୍ଷର ଶିକ୍ଷାର ବେଦ । ତାର ବର୍ଣ୍ଣାନୁଶ୍ରାୟୀ (Alphabetical) ଅ,ଆ,ଇ,ଈ, କ୍ରମରେ ପିଲାମାନଙ୍କୁ ଅକ୍ଷର ଶିକ୍ଷା ଦିଆଯାଇଥିଲା । ପିଲାମାନେ ଅର୍ଥ ବା ଆବଶ୍ୟକତା ନବୁଝି ଘୋଷି ଓ ଘୋରି ଅକ୍ଷରଗୁଡ଼ିକୁ ଶିକ୍ଷା କରୁଥିଲେ । ମାତ୍ର ଡିପ୍ପୀ ସାହେବ ସମଗ୍ର ଶିକ୍ଷା ବ୍ୟବସ୍ଥା (ପ୍ରାଥମିକଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ)ର ନିର୍ଦ୍ଦେଶକ ଓ ଜଣେ ବିଦେଶୀ ହୋଇଥିଲେ ହେଁ ଶିଶୁଶିକ୍ଷା ଦାନରେ ସେ ବିଶେଷ ଆଗ୍ରହୀ ଥିଲେ । ମା, ରମା, ରମାର ରବର, ରାମର ଘର, ବରଗଛ, ଘରପଛ କ୍ରମରେ ଅକ୍ଷର ଶିକ୍ଷା ଦାନର ପ୍ରଚଳନ କଲେ । ଏହାଦ୍ୱାରା ପିଲାମାନଙ୍କର ସବୁଠାରୁ ପ୍ରିୟ ଆପଣାର ‘ମା’ ଠାରୁ ପାଠପଢ଼ା ଆରମ୍ଭ କରିବ ଓ ତାର ଅର୍ଥ ତା ପକ୍ଷେ ବୁଝିବା ସହଜ ହୋଇଥିବାରୁ ଅକ୍ଷର ଶିକ୍ଷା ତଥା ପାଠପଢ଼ା ତା ପାଇଁ ସାର୍ଥକ ଓ ସରସ ହୋଇପାରିଲା । ପୁଣି ଆହୁରି ଚିତ୍ତାକର୍ଷକ ବିଷୟ ହେଲା ସେ ଯେଉଁଠାରେ ହାଇସ୍କୁଲ ଓ କଲେଜ ପରିଦର୍ଶନ କରୁଥିଲେ, ସେଠାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଯାଉଥିଲେ ଏବଂ ନିଜେ ମାଟି ଚଟାଣରେ ଆଣ୍ଠୋଇ ପଡ଼ି ଫୁଲଖଡ଼ି ବା ଚକ୍‌ ଧରି ଅକ୍ଷର ଲେଖୁଥିଲେ ଓ ଅର୍ଥ ବୁଝାଇ ଦେଉଥିଲେ । ଫଳରେ ଏହି ପଦ୍ଧତି ପ୍ରଚଳନ କରିବାରେ ସେ ପ୍ରାଥମିକ ପ୍ରତିରୋଧକୁ ଖୁବ୍‌ ସଫଳତାର ସହିତ ମୁକାବିଲା କରି ପାରିଥିଲେ । ଅଧିକନ୍ତୁ, ବରିଷ୍ଠ ଶିକ୍ଷାବିଦ୍‌ ଅଧିରାଜ ମୋହନ ସେନାପତି ଉକ୍ତ ପଦ୍ଧତିରେ ‘‘ଓଡ଼ିଆ ଅକ୍ଷର ସୋପାନ’’ ୧ମ ଓ ୨ୟ ଭାଗ ପୁସ୍ତକ ରଚନା କରିଥିଲେ ଏବଂ କଲିକତାର ମ୍ୟାକ୍‌ ମିଲାନ୍‌ କମ୍ପାନୀ ତାକୁ ପ୍ରକାଶ କରିଥିଲେ । ଏହି ପଦ୍ଧତିରେ ପରେ ଭରତ ଚରଣ ମହାନ୍ତିଙ୍କ ଲିଖିତ ଓ ବୁକ୍‌ ଏମ୍ପୋରିୟମଙ୍କ ଦ୍ୱାରା ପ୍ରକାଶିତ ‘‘ସହଜ ଓଡ଼ିଆ ଅକ୍ଷର ଶିକ୍ଷା’’ ଓ ବୈଦ୍ୟନାଥ ରଥଙ୍କ ପ୍ରଣୀତ ଓ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍‌ ପ୍ରକାଶିତ ‘‘ସହଜ ଓଡ଼ିଆ ପାଠ” ବିଭିନ୍ନ ଅଂଚଳରେ ବ୍ୟବହୃତ ହେଲା । ନୂତନ ଅକ୍ଷର ଥିବା ଶବ୍ଦ ବିଷୟରେ ସୂଚନା ଦେଇ ଓ ଚିତ୍ର ଦେଖାଇ ବର୍ଣ୍ଣମାଳା ଶିକ୍ଷା ଦିଆଯାଉଥିଲା ଏବଂ ଉକ୍ତ ପଦ୍ଧତି ପିଲାମାନଙ୍କ ପାଇଁ ସହଜ, ସାର୍ଥକ ଓ ସରସ ହେଉଥିଲା ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ପ୍ରାପ୍ତି ମଧ୍ୟବର୍ତ୍ତୀ କାଳର ଶିଶୁସାହିତ୍ୟ :

ଦ୍ୱିତୀୟ ବିଶ୍ଵଯୁଦ୍ଧ ୧୯୩୯ ମସିହାରେ ଆରମ୍ଭ ହୋଇ ସମାଜ ଓ ଶାସନରେ ନାନା ସମସ୍ୟା ଓ ବିଭ୍ରାଟ ସୃଷ୍ଟି କରିଥିଲା । ବୋମା ପଡ଼ିବା ଭୟ, ଜିନିଷପତ୍ରର ମହର୍ଗ ବିଶେଷ ଭାବରେ କାଗଜ, ଲୁଗାପଟା, କିରୋସିନି ଓ ଖାଦ୍ୟଦ୍ରବ୍ୟର ଅଭାବ ଯୋଗୁଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଲା । ପୁଣି ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ସମଗ୍ର ଦେଶରେ ପ୍ରବଳ ଆଲୋଡ଼ନ ସୃଷ୍ଟି କଲା । ଜେଲ୍‌ ଜରିମାନା, ପୋଲିସ ମାଡ଼ଗାଳି, ଜୁଲମ ଓ ଅତ୍ୟାଚାର ଯୋଗୁଁ ସାରସ୍ଵତ ସର୍ଜନା ବିଳମ୍ବିତ ଓ ବିଘ୍ନିତ ହୋଇଥିଲେ ହେଁ ପରିତ୍ୟକ୍ତ ହୋଇ ନଥିଲା । ଅପରନ୍ତୁ ଆଉ ଏକ ଘଟଣା ଶିଶୁ ସାହିତ୍ୟ କ୍ଷେତ୍ରରେ ଖୁବ୍‌ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲା । ତାହାହେଲା, ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି କଲିକତାର ମ୍ୟାକ୍‌ମିଲାନ୍‌ କମ୍ପାନୀ ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରେ ନିଜର ପାଠ୍ୟ ପୁସ୍ତକମାନଙ୍କୁ ପ୍ରଚଳନ କରି ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ ଏବଂ ଓଡ଼ିଶାର ପ୍ରକାଶକମାନେ କମ୍ପାନୀ ସହିତ ପ୍ରତିଯୋଗିତା କରିବାକୁ ସମର୍ଥ ହେଉନଥିଲେ । ତେଣୁ ପ୍ରଚଳିତ ପୁସ୍ତକଗୁଡ଼ିକରେ ଦୋଷତ୍ରୁଟି ଦେଖାଇ ଓଡ଼ିଆ ପୁସ୍ତକ ବିପଣୀରୁ ତାଙ୍କୁ ବିତାଡ଼ନ କରାଯାଇଥିଲା । ଭକ୍ତକବି ମଧୁସୂଦନଙ୍କ ପ୍ରଣୀତ ସାହିତ୍ୟ କୁସୁମ ଓ ସାହିତ୍ୟ ପ୍ରସଙ୍ଗ ଯଥାକ୍ରମେ ୪ର୍ଥ ୫ମ ଓ ୬ଷ୍ଠ ୭ମ ଶ୍ରେଣୀ ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଥିଲା । କଟକସ୍ଥମିଶନ୍‌ ପ୍ରେସରେ ମୁଦ୍ରଣ କରି ଓ ସାରା ରାଜ୍ୟର ବିଦ୍ୟାଳୟରେ ପୁସ୍ତକ ଚଳାଇ ଖୁବ୍‌ ଲାଭବାନ୍‌ ହେଉଥିଲେ । ତେଣୁ ଓଡ଼ିଶାର କେତେକ ପ୍ରକାଶକ ପ୍ରାଣମୂର୍ଚ୍ଛା ଶ୍ରମ ଓ ଶକ୍ତି ବ୍ୟୟ କରି ଉକ୍ତ ପୁସ୍ତକଗୁଡ଼ିକର ପ୍ରମାନମାନ ତନ୍ନ ତନ୍ନ ଦେଖାଇ ସେଗୁଡ଼ିକ ଆଦୌ ସଂଶିତ ଶ୍ରେଣୀ ଉପଯୋଗୀ ନୁହେଁ ବୋଲି ସଂପୃକ୍ତ କର୍ମକର୍ତ୍ତାମାନଙ୍କୁ ବୁଝାଇ ଦେଇଥିଲେ । ଏହା ଫଳରେ ପାଠ୍ୟପୁସ୍ତକ ସ୍ଥାନରେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘‘ନବ ସାହିତ୍ୟ ଓ ରାମକୃଷ୍ଣ ନନ୍ଦଙ୍କ ‘‘ସାହିତ୍ୟ ସୋପାନ’’ ମଞ୍ଜୁର ହୋଇଥିଲା । ଏହି ପରିବର୍ତ୍ତନ ଫଳରେ ଓଡ଼ିଆ ପ୍ରକାଶକମାନେ ବିଶେଷତଃ କଟକ ପବ୍ଲିଶିଙ୍ଗ ହାଉସ ଆଶାତୀତ ଭାବରେ ଉପକୃତ ହେଲେ । ପାଠ୍ୟପୁସ୍ତକ ସହିତ ସେ ନୂତନ ଉତ୍ସାହର ସହିତ ଶିଶୁ ଓ କିଶୋର ଉପଯୋଗୀ ପୁସ୍ତକ ପ୍ରକାଶ କରିଥିଲେ । ପାଠ୍ୟପୁସ୍ତକ ଲେଖକମାନେ ମଧ୍ୟ ଶିଶୁ ସାହିତ୍ୟ ରଚନା କରିବାରେ ଆଗ୍ରହୀ ହେଲେ ଏବଂ ସେହି କ୍ଷେତ୍ରରେ ନିଜର ପ୍ରତିଭାର ସ୍ଵାକ୍ଷର ଦେଇ ଯାଇଛନ୍ତି । ପଣ୍ଡିତ ଗୋଦାବରୀଶ ମିଶ୍ର ଏହି ପ୍ରସଙ୍ଗରେ ଲେଖିଛନ୍ତି ‘‘ଏବେ ଦେଖୁଛି, କୌଣସି କୌଣସି ଶିଶୁସାହିତ୍ୟପ୍ରେମୀ ବେଳେ ବେଳେ ଶିଶୁଙ୍କ ଉପଯୋଗୀ ଲେଖା ମୋତେ ମାଗନ୍ତି । ପାଠ୍ୟପୁସ୍ତକ ଲେଖକ ଭାବରେ ପରିଚିତ ହୋଇଥିବା ଯୋଗୁଁ ମୁଁ ଏ ସମ୍ମାନ ପାଉଛି’’ (ଡଗର ତା ୧୬.୫.୧୯୫୧ପୃ‌.୯) । ଏଥରୁ ସ୍ପଷ୍ଟ ହେଉଛି ଯେ ଗୋଦାବରୀଶ ପାଠ୍ୟପୁସ୍ତକ ପ୍ରଣେତା ଛଡ଼ା ଶିଶୁ ଓ କିଶୋରମାନଙ୍କ ପାଇଁ ଉପଯୁକ୍ତ ସାହିତ୍ୟ ସୃଷ୍ଟି କରିଥିଲେ ।

 

ଶିଶୁ ସାହିତ୍ୟ ବିକାଶ କ୍ଷେତ୍ରରେ ଆଉ ଏକ ଉତ୍ସାହପ୍ରଦ ଘଟଣା ହେଲା ନିମ୍ନପ୍ରାଥମିକ ଶ୍ରେଣୀର ପାଠ୍ୟ ପୁସ୍ତକଗୁଡ଼ିକର ଜାତୀୟ କରଣ । ୧୯୪୨ ମସିହାରେ ଶିକ୍ଷାନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ୧ମ ଓ ୨ୟ ଶ୍ରେଣୀର ପାଠ୍ୟପୁସ୍ତକ ଜାତୀୟ କରଣ କରିବାକୁ ଆଦେଶ ଦେଲେ । ଶ୍ରୀଧର ମହାପାତ୍ରଙ୍କ ପ୍ରଣୀତ ପାଣ୍ଡୁଲିପି ୧ମ ଶ୍ରେଣୀ ପାଇଁ, କୈଳାସ ଚନ୍ଦ୍ର ରାୟ ଓ କାଶୀନାଥ ମିଶ୍ରଙ୍କ ଲିଖିତ ପାଣ୍ଡୁଲିପି ୨ୟ ଶ୍ରେଣୀ ପାଇଁ ଲେଖାଯାଇ ନିର୍ବାଚିତ ହୋଇଥଲା । ଏଗୁଡ଼ିକର ଚିତ୍ରାଙ୍କନ ପ୍ରସ୍ତୁତ କରିବାକୁ ବିଶିଷ୍ଟ କଳାକାର ଗୋପାଳ କାନୁନ୍‌ଗୋଙ୍କୁ ନିଯୁକ୍ତି ଦିଆଯାଇଥିଲା । ପାଣ୍ଡୁଲିପି ଲେଖକମାନଙ୍କୁ ପାରିଶ୍ରମିକ ଦିଆଯାଇ ଚୁକ୍ତିପତ୍ର ପଞ୍ଜୀକୃତ ହେଲା । ମାତ୍ର ଯୁଦ୍ଧାବସ୍ଥା ଯୋଗୁଁ ଅର୍ଥ ବିଭାଗ ପାଣ୍ଡୁଲିପିଗୁଡ଼ିକୁ ପ୍ରକାଶ କରିବାକୁ ଅର୍ଥ ମଞ୍ଜୁର କଲେ ନାହିଁ । ଫଳତଃ ଜାତୀୟକରଣ କାର୍ଯ୍ୟକ୍ରମ ଭଣ୍ଡୁର ହୋଇଥିଲା । ହେଲେ, ପ୍ରକାଶକମାନେ ପୂର୍ବପରି ପୁସ୍ତକ ପ୍ରକାଶନ କାର୍ଯ୍ୟ ଚାଲୁ ରଖିଲେ ।

 

ଏହିପରି ଓଡ଼ିଆ ଶିଶୁ ଓ କିଶୋର ସାହିତ୍ୟ ପାଠ୍ୟପୁସ୍ତକର ସଂକୀର୍ଣ୍ଣ ଓ ସୀମିତ ଗଣ୍ଡି ମଧ୍ୟରୁ ମୁକ୍ତି ଲାଭ କରି ପ୍ରଶସ୍ତ, ପ୍ରଶାନ୍ତ ଓ ପ୍ରସାରିତ ପରିବେଶ ମଧ୍ୟରେ ସମୃଦ୍ଧ ଓ ବିକାଶ ପ୍ରାପ୍ତ ହେଲା । ଗଳ୍ପ କବିତା, ଜୀବନୀ, ଭ୍ରମଣ ବୃତ୍ତାନ୍ତ, ଏକାଙ୍କିକା, ନାଟକ ଆଦି ବହୁଧାରା ଓ ବହୁ ରୂପରେ ଏହା ଆତ୍ମପ୍ରକାଶ କରିପାରିଲା, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ବିଦ୍ୟାଳୟଗୁଡ଼ିକର ବର୍ଦ୍ଧିଷ୍ଣୁ ଚାହିଦା ପ୍ରକାଶକମାନଙ୍କ ମନରେ ଅଦ୍ଭୂତପୂର୍ବ ଆନନ୍ଦ ଉତ୍ସାହ ଭରିଦେଲା । ଦିନେ ଯେଉଁ ଅଙ୍କୁରଟି ପ୍ରତିକୂଳ ପାଣିପାଗ ଓ ପରିସ୍ଥିତି ମଧ୍ୟରେ ନିଜ ମୁଣ୍ଡକୁ ଟେକିଥିଲା, ତାହା ଆଜି ସୁଶ୍ୟାମଳ ଶାଖାପ୍ରଶାଖା ସମନ୍ୱିତ ବୃକ୍ଷଟିଏ ହୋଇ ସୁରଭିତ ପୁଷ୍ପ ଓ ରସାଳ ଫଳରେ ଶ୍ରୀମଣ୍ଡିତ ଓ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଉଜ୍ଜଳ ସୂର୍ଯ୍ୟରଶ୍ମିରେ ହସି ଉଠିଲା ଆଶା ଓ ଆଲୋକମୟ ଆଗାମୀ କାଲିର ଅପେକ୍ଷାରେ ।

 

ସହାୟକ ପୁସ୍ତକ ଓ ପତ୍ରିକା :

୧.

ଡକ୍ଟର ପ୍ରଭାତ ମୁଖାର୍ଜୀ- ‘‘ପ୍ରଥମ ୪୦ ବର୍ଷର ମୁଦ୍ରିତ ଓଡ଼ିଆ ପୁସ୍ତକ’’ ପୌରୁଷ ୧୫ଶ ଭାଗ ୪ର୍ଥ ସଂଖ୍ୟା, କଟକ ।

୨.

‘‘କବିତା ଅଧ୍ୟୟନ’’ - ଶିକ୍ଷାବଂଧୁ ୨/୧ ଜାନୁୟାରୀ ୧୮୮୭, କଟକ

୩.

ଶ୍ରୀଧର ମହାପାତ୍ର, ଓଡ଼ିଆ ପ୍ରକାଶନ ଓ ପ୍ରସାରଣର ଇତିହାସ, ଗ୍ରନ୍ଥ ମନ୍ଦିର, କଟକ, ୧୯୮୬ ।

୪.

ପଣ୍ଡିତ ଗୋଦାବରୀଶ ମିଶ୍ର ‘‘ମୁଁ କାହିଁକି ଲେଖେ” ଡଗର, ୧୪ଶ ବର୍ଷ ୨୧ ଶ ସଂଖ୍ୟା, କଟକ ।

୫.

ଡକ୍ଟର ମନୀନ୍ଦ୍ର ମହନ୍ତି, ଓଡ଼ିଆ ଶିଶୁ ସାହିତ୍ୟ : ଉନ୍ମେଷ ଓ ବିକାଶର, ମାଣିକ ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ, ଭୁବନେଶ୍ୱର ତା ୧୯୯୨।

୬.

ଡକ୍ଟର ବସନ୍ତ କିଶୋର ସାହୁ, ଓଡ଼ିଆ ମୌଖିକ ଶିଶୁ ସାହିତ୍ୟ ଚିତ୍ରୋତ୍ପଳା ପବ୍ଲିକେସନସ୍‌, ସାଲେପୁର ୧୯୯୬ ।

୭.

ଡକ୍ଟର ନଟବର ସାମନ୍ତରାୟ, ଓଡ଼ିଆ ସାହିତ୍ୟର ଇତିହାସ, ବାଣୀ ଭବନ, ଭୁବନେଶ୍ୱର, ୧୯୮୩ ।

୮.

Report of the Council of Education, 1857

୯.

Annual Report of the Administration of Bengal Presidency, 1896-97

 

 

୨୯୩୫, ଗୌରୀନଗର,

ଭୁବନେଶ୍ଵରର - ୭୫୧୦୦୨

 

***

 

Unknown

ସାଂପ୍ରତିକ ପରିସ୍ଥିତିରେ ବିଜ୍ଞାନ-ପତ୍ରିକା

ଶ୍ରୀ ନିଖିଳାନନ୍ଦ ପାଣିଗ୍ରାହୀ

 

କିଶୋର କିଶୋରୀମାନଙ୍କର ପତ୍ରିକା-ପଢ଼ା ସଂପର୍କରେ ଯଥାଯଥ ଖବର ସଂଗ୍ରହ କରିବା ପାଇଁ ‘‘ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ’’ ତରଫରୁ ୧୯୮୩ ସାଲରେ ଗୋଟିଏ ସର୍ଭେ କରାଯାଇଥିଲା । ୧୦ରୁ ୧୬ ବର୍ଷ ବୟସର ୨,୫୪୦ ଜଣ ବାଳକ ବାଳିକାଙ୍କର ମତାମତ ଏଥିପାଇଁ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୨,୧୭୨ ଜଣ ଉତ୍ତର ଦେଇଥିଲେ ଯେ, ପିତାମାତା, ଅଭିଭାବକ କିମ୍ବା ଗୁରୁଜନଙ୍କ ରୁଚି ମୁତାବକ ମ୍ୟାଗାଜିନ୍‌ ପଢ଼ିବା ପାଇଁ ସେମାନଙ୍କୁ ଭଲ ଲାଗେ ନାହିଁ, ନିଜ ଇଚ୍ଛା ଅନୁସାରେ ପତ୍ରିକା ନିର୍ବାଚନ କରିବାକୁ ସେମାନେ ପସନ୍ଦ କରନ୍ତି ।

 

ଏହି ସର୍ଭେରୁ ପୁଣି ଜଣାପଡ଼ିଥିଲା ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ରହସ୍ୟ-ପତ୍ରିକା ବା କମିକ୍‌ସ ପଢ଼ିବାକୁ ଭଲ ପାଆନ୍ତି ଏପରିକି ମାସକୁ ତିନି ଖଣ୍ଡଯାଏଁ କମିକ୍‌ସ ବହି ସେମାନେ ଅନାୟାସରେ ସାରି ଦେଇ ପାରନ୍ତି । ପୁଣି ଅର୍ଦ୍ଧେକ ପିଲା ପାଠାଗାରରୁ ବହି ଆଣି ପଢ଼ିଥାନ୍ତି । ଏକ ତୃତୀୟାଂଶ ପିଲା ପଇସା ଦେଇ ବହି ଆଣୁଥିବା ବେଳେ ଶତକଡ଼ା ବାର ଭାଗ ପିଲା ଉଧାର କରି ପଢ଼ିଥାନ୍ତି ।

 

ଉପରୋକ୍ତ ସର୍ଭେ କେତେ ଦୂର ପ୍ରତିନିଧିମୂଳକ, ତାହା ବିବାଦୀୟ ହୋଇପାରେ । ତେବେ ଏହି ସର୍ଭେରେ ଯେଉଁ କିଶୋର-କିଶୋରୀମାନେ ଅନ୍ତର୍ଭୁକ୍ତ ହୋଇଥିଲେ, ବର୍ତ୍ତମାନ ସେମାନେ ଯୁବକ-ଯୁବତୀ । ତେଣୁ ଏହି ସର୍ଭେର ଫଳାଫଳ ସାଂପ୍ରତିକ ଯୁବ-ସଂପ୍ରଦାୟର ମତିଗତି ସଂପର୍କରେ କିଛି ଆଭାସ ଦିଏ । ଏହି ପରିପ୍ରେକ୍ଷୀରେ ଆମେ ବିଶ୍ଵାସ କରୁଁ ଯେ, ଅତି କମ୍‌ ପିଲା ବହି କିଣିବାରେ ଅର୍ଥ ବିନିଯୋଗ କରିଥାନ୍ତି ଏବଂ ଏହାଠାରୁ ଆହୁରି କମ୍‌ ସଂଖ୍ୟକ ପିଲା ସିରିଅସ୍‌ ପତ୍ରିକା ପ୍ରତି ଆକୃଷ୍ଟ ହୋଇଥାନ୍ତି ।

 

ସାଂପ୍ରତିକ ଯୁବକ-ଯୁବତୀମାନଙ୍କ ସଂପର୍କରେ ପ୍ରତ୍ୟକ୍ଷ ଭାବେ ତଥ୍ୟସଂଗ୍ରହ କରିବାବେଳେ ଜଣାଗଲା ଯେ, ସେମାନଙ୍କ ମଧ୍ୟରେ ‘‘ରୋଜଗାର ସମାଚାର” ଓ ‘‘ଏମ୍ଲୟେମେଣ୍ଟ୍‌ ନିଉଜ୍‌’’ର ଚାହିଦା ସର୍ବାଧିକ । ବୋଧହୁଏ ବେକାର-ସମସ୍ୟା ଅତି ଉତ୍କଟ ସ୍ତରରେ ପହଞ୍ଚିବା ଯୋଗୁଁ, ଅତୀତରେ ସେକ୍‌ସ୍‌ ଓ ଚଳଚ୍ଚିତ୍ର ପତ୍ରିକା ଯେଉଁ ଶୀର୍ଷ ସ୍ଥାନ ଅଧିକାର କରିଥିଲା, ତାହା ବର୍ତ୍ତମାନ ଚାକିରି ବିଜ୍ଞାପନ ଦ୍ୱାରା ଅଧିକୃତ ହୋଇଛି । ଏହି ବିଷୟଟି ଶ୍ରୀ ସୁରୀନ୍ଦର କୁମାର ସଚଦେବ ଭଲଭାବେ ହୃଦୟଙ୍ଗମ କରିଥିଲେ । ୧୯୬୪ ସାଲର କଥା । ଶ୍ରୀ ସଚଦେବ ପଚାଶ ହଜାର ଟଙ୍କା ସଂଗ୍ରହ କରି ‘କମ୍ପିଟେସନ୍‌ ରିଭ୍ୟୁ’’ ପ୍ରକାଶ କଲେ । ସେତେବେଳେ ପତ୍ରିକାଟିର ମାତ୍ର ଏକ ହଜାର କପି ସେ ଛାପୁଥିଲେ । କିନ୍ତୁ କୋଡ଼ିଏ ବର୍ଷ ମଧ୍ୟରେ ପତ୍ରିକାଟିର ପ୍ରସାର-ସଂଖ୍ୟା ତିନି ଲକ୍ଷକୁ ବୃଦ୍ଧି ପାଇଥିଲା । ବଜାର- ପରିସ୍ଥିତି ଠିକ୍‌ ଭାବେ ହୃଦୟଙ୍ଗମ କରି କିପରି ନିଜର ସୀମିତ ସଂବଳ ଦ୍ୱାରା ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟଜନକ ଭାବେ ଲାଭବାନ ହୋଇ ପାରେ, ଶ୍ରୀ ସଚଦେବ ତାର ଏକ ଜ୍ଵଳନ୍ତ ନମୁନା ।

 

‘‘କମ୍ପିଟେସନ ରିଭ୍ୟୁ’’ ପରି ପତ୍ରିକାମାନ ଆଇ.ଏ.ଏସ୍‌. କିମ୍ବା ନିମ୍ନ ପାହ୍ୟା ଚାକିରିର ଅନ୍ୱେଷଣରେ ଥିବା ପ୍ରାର୍ଥୀମାନଙ୍କ ପାଇଁ ଉପଯୋଗୀ । ତେଣୁ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀଭୁକ୍ତ, ଏକ ନିଧାର୍ଯ୍ୟ ବୟସ-ଗୋଷ୍ଠୀର ଯୁବକ-ଯୁବତୀ ମଧ୍ୟରେ ତାର ପ୍ରସାର ସୀମିତ । କିନ୍ତୁ ସବୁ ପ୍ରକାର, ବିଶେଷତଃ ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ କେଉଁ ପ୍ରକାର ପତ୍ରିକା ପ୍ରସିଦ୍ଧି ଲାଭ କରିପାରେ, ସେଇ ବିଷୟରେ ବହୁ ବିଜ୍ଞବ୍ୟକ୍ତି ଭାବି ଭାବି, କୌଣସି ନିର୍ଭର ଯୋଗ୍ୟ ଉତ୍ତର ନ ପାଇ, ନିଜ ମୁଣ୍ଡ ଖରାପ କରି ଦେଇ ପାରନ୍ତି । ତେବେ ଏହାର ଏକ ସରଳ ଓ ସଠିକ ଉପାୟ ଜାଣି ପାରିଥିଲେ ତାମିଲନାଡ଼ୁର ଶ୍ରୀ ଏମ୍‌. କେ କୁମାର । ଏହି ଦଶକର ପ୍ରାରମ୍ଭରେ ଶ୍ରୀ କୁମାର ସ୍ଥାନୀୟ ବଜାର ପରିସ୍ଥିତିକୁ ଗଭୀର ଭାବେ ଅନୁଧ୍ୟାନ କରି ଜାଣି ପାରିଲେ ଯେ, ଆମ ଦେଶରେ ଲଟେରି-ସିଷ୍ଟମ ପ୍ରତି ଲୋକଙ୍କର ଅସାଧାରଣ ଆଦର ଓ ଦୁର୍ବଳତା ରହିଛି । ପ୍ରକୃତରେ ୧୯୮୩ ସୁଦ୍ଧା ଭାରତରେ ୩୬ଟି ଲଟେରି ଜରିଆରେ ୫ ଶହ କୋଟି ଟଙ୍କାର କାରବାର ହେଉଥିଲା । ରେଳବାଇ ପରେ ଲଟେରି ହେଉଛି ସର୍ବବୃହତ ଶିଳ୍ପ ଯେଉଁଥିରେ ତିରିଶି ଲକ୍ଷ ଲୋକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିଜ ଜୀବିକା ପାଇଁ ନିର୍ଭରଶୀଳ । ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ପଦାତିକ ଓ ନୌବାହିନୀ ବିଭାଗ ମଧ୍ୟ ଏହି ଲଟେରି ପ୍ରଚଳନ କରୁଛନ୍ତି । ରାଜ୍ୟମାନଙ୍କ ମଧ୍ୟରେ ତାମିଲନାଡ଼ୁ ଏହି କ୍ଷେତ୍ରରେ ଅଗ୍ରଣୀ । ଏଠାରେ ଦେଶର ଶତକଡ଼ା ୪୫ ଭାଗ ଲଟେରି ଚାଲେ । ମାଡ୍ରାସର ଟ୍ରିପ୍ଲିକେନ୍‌ ହାଇରୋଡ଼କୁ ‘‘ଲଟେରୀ ବିକ୍ରେତାଙ୍କ ମକ୍‌କା’’ ବୋଲି କୁହାଯାଏ ।

 

ଏହି ଲଟେରୀ ବ୍ୟବସାୟ କେତେ ଦୂର ଲାଭଜନକ, ତାହା ଏଚ୍‌.ହନରାଜଙ୍କ ଜୀବନୀରୁ ଭଲ ଭାବେ ଜଣାଯାଏ । ସେ ପ୍ରଥମେ ୫୦ ଖଣ୍ଡ ଲଟେରି ଟିକେଟ୍‌ ବିକ୍ରି କରି ବ୍ୟବସାୟର ଅୟମାରମ୍ଭ କରିଥିଲେ । କିନ୍ତୁ ଅଳ୍ପ ସମୟ ପରେ ତାଙ୍କର କାରବାର କେଇ କୋଟି ଟଙ୍କାକୁ କୁଆଡ଼େ ବୃଦ୍ଧି ପାଇଥିଲା ଓ ତାଙ୍କ ଅଧୀନରେ ୮୦ ହଜାର ସବ୍‌ଏଜେଣ୍ଟ୍‌ ଚାକିରି କଲେ ।

 

ରାଜ୍ୟରେ ଲଟେରି ପାଇଁ ଥିବା ସରଗରମ ପରିସ୍ଥିତିର ସଂପୂର୍ଣ୍ଣ ସୁଯୋଗ ନେଇ ଶ୍ରୀ ଏମ୍‌.କେ. କୁମାର ‘‘ଗୋଲ୍‌ଡ୍‌ ମାଇନ” ଶୀର୍ଷକ ପତ୍ରିକା ପ୍ରକାଶ କଲେ, ଯାହାର ବିଶେଷତ୍ତ୍ଵ ହେଉଛି, ବିଭିନ୍ନ ଲଟେରିର ଫଳାଫଳ ନିର୍ଭୁଲ ଓ ନିୟମିତ ଭାବେ ପ୍ରକାଶ କରିବା । ପତ୍ରିକାଟି ପ୍ରତି ଶନିବାର ଦିନ ତାମିଲନାଡ଼ୁରୁ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଜାରକୁ ଆସେ । ଏହି ପତ୍ରିକାଟି ଏତେ ଜନାଦୃତ ହେଲା ଯେ, ୧୯୮୩ ସୁଦ୍ଧା ତାର ପ୍ରସାର ସଂଖ୍ୟା ଥିଲା ୨୧ ହଜାର ଖଣ୍ଡ ।

 

ସେ ଯାହାହେଉ, ଆମ ଦେଶରେ ଏପରି ଶସ୍ତା, ସହଜ ଓ ସୁବିଧା ଉପାୟରେ ବିପୁଳ ଅର୍ଥ ରୋଜଗାର ପାଇଁ ସୁଯୋଗ ଥିବାବେଳ, ଲୋକେ ବିଜ୍ଞାନ ଓ ତତ୍‌ସଂପର୍କିତ ପତ୍ରିକାର ଗୁରୁ ପ୍ରକାଶନ-ଭାର କାହିଁକି ଗ୍ରହଣ କରିବେ ? କେବଳ ଯେଉଁମାନଙ୍କର ଏଥିପାଇଁ ସ୍ଵତନ୍ତ୍ର ରୁଚି ଓ ମନୋବୃତ୍ତି ଅଛି, ସେମାନେ ହୁଏତ ଉତ୍ସର୍ଗୀକୃତ ଭାବନା ନେଇ ଏହି ପ୍ରକାର ସିରିଅସ୍‌ ବିଜ୍ଞାନ-ପତ୍ରିକା-ପ୍ରକାଶନରେ ଏ ହାତ ଦେଇ ପାରନ୍ତି ।

 

ଉପରୋକ୍ତ ବିଚାର ଆଲୋଚନାରୁ ପ୍ରତୀତ ହୁଏ ଯେ, ବର୍ତ୍ତମାନର ପରିସ୍ଥିତି ଶିଶୁ, କିଶୋର, ଯୁବକ ତଥା ବୟସ୍କ ବ୍ୟକ୍ତି, କାହରି କ୍ଷେତ୍ରରେ ମଧ୍ୟ ବିଜ୍ଞାନ-ପତ୍ରିକା ବିଶେଷ ଆଦୃତ ହୋଇ ପାରୁ ନାହିଁ । ଏହି ଦୁର୍ଗତି ପାଇଁ ଆମେ ପାଠକମାନଙ୍କ ରୁଚି ନିମ୍ନମାନର ଏବଂ ତାହା ସାଂପ୍ରତିକ ବୈଜ୍ଞାନିକ ଯୁଗୋପଯୋଗୀ ନୁହେଁ ବୋଲି ମତ ଦେଇ ପାରୁଁ ଓ ସେମାନଙ୍କ ମୁଣ୍ତ ଉପରେ ସଂପୂର୍ଣ୍ଣ ଭାବେ ଦୋଷ ଲଦି ଦେଇ ପାରୁଁ । ହୁଏତ ଆମର ଏହି ଯୁକ୍ତି ପୂରାପୂରି ଭିତିହୀନ ନୁହେଁ । ତେବେ ପ୍ରଶ୍ନ ଉଠେ, ପ୍ରକାଶକମାନେ କଣ ପାଠକମାନଙ୍କ ଗ୍ରହଣୀୟ ହୋଇପାରିବା ପରି ବିଜ୍ଞାନ ସମ୍ବନ୍ଧୀୟ ବିଷୟ ଯୋଗାଉଛନ୍ତି କିମ୍ବା ସେମାନଙ୍କ ତଥା କଥିତ ନିମ୍ନରୂଚିରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ଠାପର ଭାବେ ଚେଷ୍ଟା କରିଛନ୍ତି ?

 

ଶେଷୋକ୍ତ ପ୍ରଶ୍ନଟିର ଯଥାଯଥ ଉତ୍ତର ପାଇବାକୁ ହେଲେ, ଶକ୍ତିଶାଳୀ ଗଣମାଧ୍ୟମ ଭାବେ ପରିଚିତ ଆମର କେତୋଟି ଅଗ୍ରଣୀ ଜାତୀୟ ସମ୍ବାଦପତ୍ର ପ୍ରତି ଦୃଷ୍ଟି ଦିଆଯାଉ । ନିକଟ ଅତୀତରେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ‘‘ସାଇନ୍‌ସ୍‌ ପଲିସି ଷ୍ଟଡିଜ୍‌ ଗ୍ରୁପ୍‌’’ ବିଭାଗରେ କାର୍ଯ୍ୟରତ ଥିବା ପ୍ରଫେସର ଶ୍ରୀ ଧୀରେନ୍ଦ୍ର ଶର୍ମା ଏହି ବିଷୟଟି ଅନୁଧ୍ୟାନ କରିଥିଲେ । ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ରମାନ ବିଜ୍ଞାନ-ବିଷୟକୁ କିପରି ହେୟଜ୍ଞାନ କରନ୍ତି ଏବଂ ନଗଣ୍ୟ ସ୍ଥାନ ଦେଇଥାନ୍ତି, ସେ ସେଇ ସମ୍ପର୍କରେ ନିମ୍ନରେ ପ୍ରଦତ୍ତ ବିବରଣୀଟି ଦେଇଛନ୍ତି ।

 

ଭାରତୀୟ ବିଜ୍ଞାନକଂଗ୍ରେସର ୭୬ତମ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭.୧.୧୯୮୯ ତାରିଖରେ ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟଠାରେ ଉଦ୍‌ଘାଟିତ ହୋଇଥିଲା । ଏହା ଏକ ମୁଖ୍ୟ ସଂବାଦ ହୋଇଥିଲେ ସୁଦ୍ଧା, ତା ପରଦିନ ‘‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’’ ଓ ‘‘ଷ୍ଟେଟ୍‌ସ୍‌ମ୍ୟାନ୍‌’’ର ୭ମ ପୃଷ୍ଟାରେ, ‘‘ଇଣ୍ଡିଆନ୍‌ ଏକ୍‌ସ୍‌ପ୍ରେସ୍‌’’ର ୯ମ ପୃଷ୍ଠାରେ ଏବଂ ‘‘ହିନ୍ଦୁସ୍ଥାନ ଟାଇମ୍‌ସ’’ର ଦ୍ୱାଦଶ ପୃଷ୍ଠାରେ ଏହା ପରିବେଶିତ ହୋଇଥିଲା । ଅଥଚ ଉକ୍ତ ସମ୍ବାଦପତ୍ରମାନଙ୍କ ସେଇ ସଂସ୍କରଣରେ ‘‘ଉଣିଶି ଜଣକ ମଧ୍ୟରେ ଗୋଟିଏ ପରିବାରର ଦଶ ଜଣ ବ୍ୟକ୍ତି ପଞ୍ଜାବରେ ମୃତ’’ ବୋଲି ଖବରଟି ପ୍ରଥମ ସ୍ଥାନ ପାଇଁ ଉପଯୁକ୍ତ ବିବେଚିତ ହୋଇଥିଲା । ତାର ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଭାବେ ‘‘ଜାପାନର ରାଜା ହରୋଜିତ୍‌ଙ୍କ ମୃତ୍ୟୁ’’ ସ୍ଥାନ ପାଇଥିଲା । ଏହି ଦୁଇଟି ବିଷୟ ସହିତ ସଂପର୍କିତ ବିସ୍ତୃତ ବିବରଣୀ ପରବର୍ତ୍ତୀ ବହୁତ ଦିନ ଯାଏଁ ଏହି ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହେବାରେ ଲାଗିଲା । କିନ୍ତୁ ଭାରତୀୟ ବିଜ୍ଞାନକଂଗ୍ରେସକୁ ପ୍ରଧାନମନ୍ତ୍ରୀ ଯେଉଁ ଉଦ୍‌ବୋଧନ ଦେଇଥିଲେ, ସେଇ ସଂପର୍କରେ ବିଶଦ ତଥ୍ୟ ଏହି ଖବର କାଗଜମାନଙ୍କରେ ମୁଦ୍ରିତ ହୋଇ ନଥିଲା । ଏପରିକି ସେମାନଙ୍କ ସମ୍ପାଦକୀୟ ସ୍ତମ୍ଭରେ ମଧ୍ୟ ଏହି ଭାଷଣ ସଂପର୍କରେ ଅଭିମତ ପ୍ରକାଶ ପାଇ ନଥିଲା । ଅବଶ୍ୟ ‘‘ହିନ୍ଦୁ” ଖବରକାଗଜ ଏହି ପ୍ରସଙ୍ଗରେ ଏକମାତ୍ର ବ୍ୟତିକ୍ରମ ଥିଲା ।

 

ପ୍ରଫେସର ଧୀରେନ୍ଦ୍ର ଶର୍ମା ପୁଣି ଉଲ୍ଲେଖ କରିଛନ୍ତି ଯେ, ଆମ ଖବର କାଗଜମାନଙ୍କରେ ଶତକଡ଼ା ୬୫ ଭାଗ ରାଜନୈତିକ ଅନୀତି, ୨୫ ଭାଗ ବିଜ୍ଞାପନ ଓ ମନୋରଞ୍ଜନ, ଏବଂ ୫ ଭାଗ ବୈଦେଶିକ ସମ୍ବାଦ ଦ୍ୱାରା ଅଚ୍ଛାଦିତ । ଅବଶିଷ୍ଟ ୫ ଭାଗ ସ୍ଥାନ ଧର୍ଷଣ, ହତ୍ୟା, ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟ, ହିଂସା ଓ ବିଜ୍ଞାନ-ବିଷୟ ପାଇଁ ନ୍ୟସ୍ତ କରାଯାଇଥାଏ । ଆହୁରି ସୂକ୍ଷ୍ମଭାବେ ବିଚାର କଲେ ଜଣାଯାଏ ଯେ, ବିଜ୍ଞାନ-ସମ୍ବାଦ ଅତି ବେଶୀ ହେଲେ ଶତକଡ଼ା ଏକ ଭାଗ ସ୍ଥାନ ପାଇ ସନ୍ତୁଷ୍ଟ ହୋଇଥାଏ । ଏହା ଏକ ଦୟନୀୟ ପରିସ୍ଥିତି, କାରଣ ବିଜ୍ଞାନର ପ୍ରସାର କେବଳ ବୈଜ୍ଞାନିକମାନଙ୍କ ଦ୍ୱାରା ସମ୍ଭବ ନୁହେଁ । ଏଥିପାଇଁ ବିଜ୍ଞାନ-ସମ୍ବାଦଦାତାମାନଙ୍କର ସକ୍ରିୟ ସହଯୋଗ ଆବଶ୍ୟକ । ନଚେତ୍‌ ବୈଜ୍ଞାନିକ ଓ ଜନସାଧାରଣଙ୍କ ମଧ୍ୟରେ ଏକ ବିରାଟ ଫାଙ୍କ ଦେଖାଦେବ । ଆମ ଦେଶରେ ବର୍ତ୍ତମାନ ଏପରି ଏକ ଗୁରୁତର ସମସ୍ୟାର ଉଦ୍‌ଭବ ହୋଇଛି ।

 

ଏହି ଦୁଃଖଦ ପରିସ୍ଥିତି ପାଇଁ କେବଳ ବିଜ୍ଞାନ-ସମ୍ବାଦଦାତାଙ୍କ ଉପରେ ଦୋଷ ଢାଳି ଦେଇ ନିଶ୍ଚିନ୍ତ ହେବା ଯଥାର୍ଥ ନୁହେଁ । ଏଥିପାଇଁ ବିଜ୍ଞାନ-ଲେଖକଙ୍କ ଦାୟିତ୍ୱ ମଧ୍ୟ କମ୍‌ ନୁହେଁ । ସେମାନଙ୍କ ସୃଜନଶୀଳ ଲେଖନୀ ନୀରବ ରହିଲେ, ବିଜ୍ଞାନ-ସାହିତ୍ୟ ସମାଧିସ୍ଥ ହୋଇଯିବ । ଭାରତ ସମେତ ତୃତୀୟବିଶ୍ଵର ରାଷ୍ଟ୍ରମାନେ ବର୍ତ୍ତମାନ ଏହିପରି ଏକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି । ପ୍ରଫେସର ଶର୍ମାଙ୍କ ମତରେ ବିଜ୍ଞାନଲେଖା ଆମ ଦେଶର ଗୋଟିଏ ଅନାମଧେୟ ପେଷା ବୋଲି ସମସ୍ତେ ବିଚାର କରନ୍ତି । ଏହା ବିଶ୍ଵର ମୁଷ୍ଟିମେୟ ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କରେ ସେମାନଙ୍କ ଭାଷାରେ ଲିଖିତ ଏବଂ ପ୍ରଚଳିତ ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ୪୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆମ ଦେଶରେ ନିର୍ଭୁଲ, ନିର୍ଭରଯୋଗ୍ୟ ଓ ଫଳପ୍ରସୂ ଜନପ୍ରିୟ ବିଜ୍ଞାନ ସାହିତ୍ୟ ସୃଷ୍ଟି ହୋଇ ପାରି ନଥିବା ଅତି ଉଦ୍‌ବେଗର ବିଷୟ ।

 

କିନ୍ତୁ ଏହାର କାରଣ ହୋଇପାରେ ? ଏହି ମର୍ମରେ ଆମେ କେରଳ-ରାଜ୍ୟକୁ ଆଲୋଚନାର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବା । ଶିକ୍ଷାକ୍ଷେତ୍ରରେ କେରଳ ଆମ ଦେଶର ଏକ ଅଗ୍ରଣୀରାଜ୍ୟ । ସେଠାରେ ବର୍ଷର ପ୍ରତ୍ୟେକ ଦିନ ପ୍ରାୟ ତିନୋଟି ଲେଖାଏଁ ବହି ପ୍ରକାଶିତ ହୁଏ । ତନ୍ମଧ୍ୟରୁ ଦୁଇ ତୃତୀୟାଂଶ ହେଉଛି ଗଳ୍ପ କିମ୍ବା ଉପନ୍ୟାସ । କିନ୍ତୁ ବିଜ୍ଞାନ-ଉପନ୍ୟାସ କିମ୍ବା ଗଳ୍ପ-ବହିର ସଂଖ୍ୟା ଶତକଡ଼ା ୦.୧ ଭାଗରୁ ମଧ୍ୟ କମ୍‌ । ଏହାର ପ୍ରକୃତ କାରଣ ଜାଣିବା ପାଇଁ ସାମ୍ବାଦିକ ଶ୍ରୀ ରାଧାକ୍ରିଷ୍ଣନ୍‌ ଗୋଟିଏ ସର୍ଭେ କରିଥିଲେ ଯାହାକି ‘‘୨୦୦୧ - ସାଇନ୍‌ସ ଟୁଡେ’’ ଶୀର୍ଷକ ଏକ ପତ୍ରିକାର ଜୁନ୍‌ ୧୯୮୮ ସଂଖ୍ୟାରେ ଲିପିବଦ୍ଧ ହୋଇଛି ।

 

କେରଳରେ ସଂପ୍ରତି ଯେଉଁମାନେ କାହାଣୀକାର ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରାବସ୍ଥାରେ ବିଜ୍ଞାନ-ସ୍ନାତକ କିମ୍ବା ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ହାସଲ କରିଛନ୍ତି । ତଥାପି ସେମାନେ ବିଜ୍ଞାନ-ସାହିତ୍ୟ କାହିଁକି ଲେଖି ନାହାନ୍ତି ? ଏହି ପ୍ରଶ୍ନଟି ନିଶ୍ଚୟ ବିସ୍ମୟଜନକ ମନେ ହୁଏ । ଏହାର ଉତ୍ତର ଭାବେ ଶ୍ରୀ ରାଧାକ୍ରିଷ୍ଣନ୍‌ ସେମାନଙ୍କଠାରୁ ଜାଣି ପାରିଥିଲେ, ‘‘ବିଜ୍ଞାନ- ସାହିତ୍ୟ ପାଇଁ ବଜାରରେ କୌଣସି ଚାହିଦା ନାହିଁ । କୌଣସି ବୈଜ୍ଞାନିକ ଗପ ବା ଉପନ୍ୟାସର ମୂଲ୍ୟ ବୁଝିବାପାଇଁ ପାଠକମାନଙ୍କୁ ବିଜ୍ଞାନର ମୌଳିକ ନିୟମମାନ ଜାଣିବାକୁ ପଡ଼ିବ; ଅର୍ଥାତ୍‌ ସେମାନେ ବିଜ୍ଞାନରେ ତାଲିମପ୍ରାପ୍ତ ହେବା ଆବଶ୍ୟକ । କିନ୍ତୁ ଯେଉଁମାନେ ଏହି ପ୍ରକାରେ ଶିକ୍ଷାପ୍ରାପ୍ତ, ସେମାନେ ଇଂରେଜୀ ଭାଷା ଭଲ ଭାବେ ଜାଣିଥାନ୍ତି । ତେଣୁ ସେମାନେ ଇଂରେଜୀ ଭାଷାରେ ଲିଖିତ ବିଶ୍ୱବିଖ୍ୟାତ ସାଇନ୍‌ସ ଫିକସନ୍‌ ନ ପଢ଼ି, ମାଲୟଲମ୍‌ ଭାଷାରେ ବିଜ୍ଞାନ- ସାହିତ୍ୟ ପଢ଼ିବେ କାହିଁକି ? .... ଅନ୍ୟ ଯେଉଁ କେରଳୀମାନେ ଶିକ୍ଷିତ, କିନ୍ତୁ ବିଜ୍ଞାନ-ଶିକ୍ଷା-ବିବର୍ଜିତ, ସେମାନେ ସାଧାରଣତଃ ରାଜନୈତିକ ଅଟକଳ, ସିନେମା ଖବର, କୀଡ଼ାଜଗତ ପ୍ରତି ଆକୃଷ୍ଟ । ସେମାନଙ୍କ ମଧ୍ୟରୁ ଯେଉଁମାନେ ଉପନ୍ୟାସ ପଢ଼ିବା ପାଇଁ ଆଗ୍ରହୀ, ସେମାନଙ୍କ କ୍ଷେତ୍ରରେ ମସ୍ତିଷ୍କର କ୍ଷୁଧା ଅପେକ୍ଷା ହୃଦୟର କ୍ଷୁଧା ଅଧିକ । ତେଣୁ ସେମାନେ ଶସ୍ତା ଉପନ୍ୟାସ ପସନ୍ଦ କରିଥାନ୍ତି । ବିଜ୍ଞାନ- ସାହିତ୍ୟ ପରି ସିରିଅସ୍‌ ବହି ସେମାନେ ଛୁଅନ୍ତି ନାହିଁ ।

 

ଅନ୍ୟଜଣେ ଔପନ୍ୟାସିକ ମତ ଦେଇଥିଲେ, ‘‘ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କର ବର୍ତ୍ତମାନ ଯେଉଁ ବୈଜ୍ଞାନିକ ସ୍ତର ଅଛି, ତାହା ଶତାବ୍ଦୀ ଶତାବ୍ଦୀ ବ୍ୟାପୀ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ସଂଘଠିତ ହୋଇଛି । ତେଣୁ ବିଜ୍ଞାନ-ସଭ୍ୟତା ସେମାନଙ୍କ ଅସ୍ଥି-ମଜ୍ଜାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ପାରିଛି-। କିନ୍ତୁ ମୋଟେ ପଟାଶ ବର୍ଷ ମଧ୍ୟରେ ଭାରତୀୟମାନେ ଅନଗ୍ରସରତାରୁ ହଠାତ୍‌ କମ୍ପୁଟର- ପ୍ରୟୋଗରେ ପହଞ୍ଚିଗଲେ । ଏତେ ବଡ଼ ପରିବର୍ତ୍ତନ ଅତି କମ୍‌ ସମୟ ମଧ୍ୟରେ ଘଟିଥିବା ଯୋଗୁଁ ଆମେ ବିଜ୍ଞାନ-ସଂସ୍କୃତିକୁ ନିଜର ବୋଲି ଗ୍ରହଣ କରିପାରୁନାହୁଁ ....ପୁଣି ଆମ ଦେଶରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଫଳାଫଳ ଅତି ନିମ୍ନମାନର । ଟେଲିଫୋନ୍‌ କାମ କରେ ନାହିଁ; ବର୍ଷର ଅଧିକାଂଶସମୟରେ ବିଜୁଳୀ ଯୋଗାଣ ବନ୍ଦ; ଯାନବାହନ ଠିକ୍‌ସମୟରେ, ବିନା ଯାନ୍ତ୍ରିକ ତ୍ରୁଟିରେ, ଚଳାଚଳ କରିପାରେ ନାହିଁ । ଏହି କାରଣରୁ ଦୈନନ୍ଦିନ ଜୀବନରେ ବିଜ୍ଞାନ ଏକ ଉପଦ୍ରବକାରୀ ଖଳନାୟକ ବୋଲି ଜନସାଧାରଣ ଅନେକ ସମୟରେ ଅନୁଭବ କରିଥାନ୍ତି ।

 

ପରିଶେଷରେ ଶ୍ରୀ ରାଧାକ୍ରିଷ୍ଣନ ଜଣେ ବୟୋଜ୍ୟେଷ୍ଠ ଲେଖକଙ୍କୁ ସାକ୍ଷାତ କରିଥିଲେ, ଯିଏକି ଏକଦା ଜଣେ ବୈଜ୍ଞାନିକ ହୋଇଥିଲେ ସୁଦ୍ଧା ବିଜ୍ଞାନ-ସାହିତ୍ୟ ରଚନା ନ କରି ଅନ୍ୟାନ୍ୟ ଉପନ୍ୟାସମାନ ଲେଖୁଛନ୍ତି । ସେ ଯେମିତି ଉତ୍ତର ଦେଇଥିଲେ, ତାହା ଅବିଶ୍ୱାସ୍ୟ ହେଲେ ମଧ୍ୟ ଦୟନୀୟ ଭାବେ ସତ, ‘‘ଆମେ ଯେଉଁ ସାଇନ୍‌ସ ଫିକସନ୍‌ ଆବଶ୍ୟକ କରୁଛେଁ, ତାହା ବହୁ ପ୍ରାଚୀନ କାଳରୁ ଆମେ ହାସଲ କରି ସାରିଲୁଣି । କେବଳ ସେତିକି ନୁହେଁ; ଏହା ପୃଥିବୀର ସର୍ବଶ୍ରେଷ୍ଠ ବୈଜ୍ଞାନିକ କୃତି .... ମହାଭାରତକୁ ଦେଖନ୍ତୁ କୌରବମାନେ କିଏ ? ସେମାନେ କିପରି ସୃଷ୍ଟି ହେଲେ ? ବ୍ୟାସଦେବ ସେମାନଙ୍କୁ ଟେଷ୍ଟ-ଟ୍ୟୁବରେ ଗଢ଼ିଥିଲେ - ସେମାନେ ହେଉଛନ୍ତି ଏକଶତ ଟେଷ୍ଟ-ଟ୍ୟୁବ ବେବି ! ... ପୁଣି ଦ୍ରୌପଦୀ ଗୋଟିଏ ସିନ୍ଥେଟିକ ପ୍ରଡ଼କ୍ଟ ନୁହନ୍ତି କି ? ଏହାପରେ ସେ ରାମାୟଣ ସଂପର୍କରେ ମଧ୍ୟ ଏମିତି ଅବ୍ୟବସ୍ଥିତି ଚିତ୍ତ ଥିବା ଜଣେ ବ୍ୟକ୍ତି ପରି ପ୍ରଳାପ କଲେ ।

 

ଶ୍ରୀ ରାଧାକ୍ରିଷ୍ଣନଙ୍କ ବିଭିନ୍ନ ଲେଖକମାନଙ୍କ ସହିତ ସାକ୍ଷାତକାରରୁ ଯେଉଁ ବିବୃତି ଆମକୁ ପ୍ରାପ୍ତ ହୋଇଛି, ସେଥିରୁ ଅନ୍ୟାନ୍ୟ ବହୁ ବିଷୟ ମଧ୍ୟରେ ଗୋଟିଏ ସ୍ପଷ୍ଟ ଧାରଣା ଜନ୍ମେ ଯେ, ଆମେମାନେ ସହଜ ଓ ସୁବିଧା ଉପାୟରେ ମନୋରଂଜନ ପାଇଁ ଇଚ୍ଛୁକ ; ଯାହାଙ୍କ ବିଜ୍ଞାନ-ପତ୍ରିକାର ପ୍ରସାର ପାଇଁ ପ୍ରତିକୂଳ ବାତାବରଣ ସୃଷ୍ଟି କରିଛି । କେରଳ ପରି ଏକ ଶିକ୍ଷିତ ରାଜ୍ୟରେ ଯଦି ଲେଖକମାନେ ପାଠକ ପ୍ରତି ଅନାସ୍ଥାଭାବ ରଖି, ବିଜ୍ଞାନ-ସାହିତ୍ୟ ପ୍ରତି ଏତାଦୃଶ ନାସ୍ତିବାଚକ ମନୋଭାବ ପୋଷଣ କରନ୍ତି, ତାହାହେଲେ ଦେଶର ଅନ୍ୟ ପ୍ରାନ୍ତରେ ଅବସ୍ଥା କିପରି ଶୋଚନୀୟ ହୋଇଥିବ, ତାହା ସହଜେ ଅନୁମେୟ ।

 

ଉଦାହରଣ ଭାବେ, ବଂଗାଳୀ ସାହିତ୍ୟ ପ୍ରତି ଦୃଷ୍ଟି ଦିଆଯାଉ । ଏହି ସଂପର୍କରେ ସମାଲୋଚକ ଶ୍ରୀ ଅରୁଣାଭ ସିହ୍ନା ମନ୍ତବ୍ୟ ଦେଇଛନ୍ତି, ‘‘ବର୍ତ୍ତମାନ ବଂଗାଳୀ ସାହିତ୍ୟରେ ଯେଉଁ ସାଇନ୍‌ସ୍‌ ଫିକ୍ସନ ଲେଖା ହେଉଛି, ତାହା ମୁଖ୍ୟତଃ ଶିଶୁମାନଙ୍କ ପାଇଁ ଲିଖିତ । ସର୍ବସାଧାରଣ-ପାଠକ ପାଇଁ ବ୍ୟାପକ ବିଷୟବସ୍ତୁ ଉପରେ ଗଳ୍ପ ଉପନ୍ୟାସାଦି ଲେଖୁଥିବା ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ଓ ବିମଳ କର ବେଳେ ବେଳେ ବିଜ୍ଞାନ-ସାହିତ୍ୟ ରଚନା କରିବା ପାଇଁ ହାତ ବଢ଼ାନ୍ତି କିନ୍ତୁ ଏହାର ପରିଣାମ ଅତି ସାଙ୍ଘାତିକ ହୋଇଥାଏ । ଏହାର ଉଦାହରଣ, ଶ୍ରୀ କରଙ୍କ ସେଇ କାହାଣୀରୁ ଜଣା ପଡ଼େ, ଯେଉଁଥିରେ ଲୋକମାନେ ବିଦ୍ୟୁତ୍‌ -ଚୁମ୍ବକୀୟ ତରଙ୍ଗ ଦ୍ୱାରା ଅଦୃଶ ହୋଇଯାନ୍ତି ବୋଲି ଦର୍ଶାଯାଇଛି । ଏପରି ଏକ ପ୍ଲଟ୍‌ନେଇ ସେ କେତେକ ଉୟାବହ ଗଣ୍ଡି ମଧ୍ୟରେ ନିଜେ ଛନ୍ଦି ହୋଇଗଲେ ! ... ଏହା ବ୍ୟତୀତ ବଂଗାଳୀ ସାଇନ୍‌ସ- ଫିକ୍‌ସନରେ ଯାହା କିଛି ଅବଶିଷ୍ଟ ରହିଲା, ସେଗୁଡ଼ିକ ଅନ୍ୟଠାରୁ ଉଦ୍ଧୃତ; ନଚେତ ଅନୁଦିତ ।’’

 

ଲେଖକମାନଙ୍କର ବିଜ୍ଞାନ-ସାହିତ୍ୟ ପ୍ରତି ଯେଉଁ ବିମୁଖତା ରହିଛି, ତାହା କିଛି ପରିମାଣରେ ଭୁଲ୍‌ ଧାରଣା ଉପରେ ଆଧାରିତ; କାରଣ ସେମାନେ ପାଠକଙ୍କ ମନରେ ସାଇନ୍‌ସ-ପିକ୍‌ସନ ପ୍ରତି ଆଗ୍ରହ ନାହିଁ ବୋଲି ଯୁକ୍ତି କରୁଛନ୍ତି ବାସ୍ତବିକ ଏହା ଏକ ଉପର ଠାଉରିଆ ମତ । ଏନ୍‌.ବି. ଟି. ତରଫରୁ ଯେଉଁ ସର୍ଭେ ହୋଇଥିଲା, ସେଥିରୁ ଜଣାଯାଏ ଯେ ଅଧିକାଂଶ ପିଲା ରହସ୍ୟ-ପତ୍ରିକା ଓ କମିକ୍‌ସ ପସନ୍ଦ କରନ୍ତି । ତେବେ ରହସ୍ୟ-ପତ୍ରିକା କଣ ? ଏଥିରେ ଏକ ନିର୍ଦ୍ଦିଷ୍ଟ ସତକଥାକୁ ସନ୍ଦେହ ଘେର ମଧ୍ୟରେ ରଖି, ପରିଶେଷରେ ଉନ୍ମୋଚିତ କରାଯାଇଥାଏ, ଯାହାଫଳରେ ପତ୍ରିକାଟି ଶେଷ ନ କଲା ପର୍ଯ୍ୟନ୍ତ ପାଠକ ନିଜ ଆସନରୁ ଉଠେ ନାହିଁ । ଠିକ୍‌ ସେମିତି ଜଣେ ବୈଜ୍ଞାନିକ ଉଦ୍‌ଭାବନ କରିଥାଏ । ସେ ସନ୍ଦେହ କରି କରି, ନିଜର ବିଭିନ୍ନ ଅନୁମାନକୁ ବୈଜ୍ଞାନିକ ପରୀକ୍ଷାରେ ନିୟୋଜିତ କରେ ଓ ପରିଶେଷରେ ପ୍ରକୃତିର ରହସ୍ୟ ଉଦ୍‌ଘାଟନ କରିଥାଏ । ତେଣୁ ଯେଉଁ ପିଲାମାନେ ରହସ୍ୟ ପତ୍ରିକା ପଢ଼ନ୍ତି, ସେମାନେ, ବୈଜ୍ଞାନିକ ଉଦ୍‌ଭାବନ ତତ୍ତୁଲ୍ୟ ଶୈଳୀରେ ଉପସ୍ଥାପନ କଲେ ଅବଶ୍ୟ ବିଜ୍ଞାନ-ପତ୍ରିକା ପାଇଁ ଆଗ୍ରହୀ ହେବେ-

 

ବିଜ୍ଞାନ-ସାହିତ୍ୟ ଓ ରହସ୍ୟ-ପତ୍ରିକା ମଧ୍ୟରେ ଏହି ଯେଉଁ ମୌଳିକ ସାମଞ୍ଜସ୍ୟ ରହିଛି ଏହା ଆମ ସାହିତ୍ୟିକମାନେ କେତେ ଦୂର କାର୍ଯ୍ୟକାରୀ କରିପାରିବେ, ତାହା ଉପରେ ବିଜ୍ଞାନ-ସାହିତ୍ୟର ଭବିଷ୍ୟତ ନିର୍ଭର କରେ । ଅବଶ୍ୟ ପରୀକ୍ଷାଗାର ଓ ପାଠାଗାରରେ ସୀମାବଦ୍ଧ ହୋଇ ରହୁଥିବା ବିଜ୍ଞାନ ଜଗତ ଓ ଆମେ ଚଳପ୍ରଚଳ କରୁଥିବା ନିତିଦିନିଆ ଦୁନିଆ ମଧ୍ୟରେ ପାର୍ଥକ୍ୟ ରହିଛି । କିନ୍ତୁ ସାଂପ୍ରତିକ ବୈଜ୍ଞାନିକ ଯୁଗରେ ଏଇ ଦୁଇଟି ଦୁନିଆ ଶୀଘ୍ର ଏକାକାର ହୋଇଯାନ୍ତି । ତେଣୁ ବିଜ୍ଞାନ-ସାହିତ୍ୟର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଆମେ ଆସ୍ଥାବାନ ।

 

 

ପ୍ରଥମ ଚନ୍ଦ୍ରପ୍ରଭା ସାହି

ଉତ୍କଳ ଆଶ୍ରମ ରୋଡ଼, ବ୍ରହ୍ମପୁର - ୭୬୦୦୦୧

 

***

 

ଭାରତୀୟ ମୁକ୍ତି-ସଂଗ୍ରାମର ମହାଯଜ୍ଞ :

ଅବଳାର ଅଙ୍ଗୀକାର

ଅଧ୍ୟାପିକା ମିନତି ପଣ୍ଡା

 

ମହାସମର ପରବର୍ତ୍ତୀ ବିଶ୍ଵର ବିଶିଷ୍ଟ ଘଟଣାମାନଙ୍କ ମଧ୍ୟରେ ଭାରତର ମୁକ୍ତି ସଂଗ୍ରାମ ଅନନ୍ୟ । ମୁକ୍ତି ଏକ ବ୍ୟାପକ ଅର୍ଥବୋଧକ ପ୍ରକ୍ରିୟା ହୋଇଥିବାରୁ ଭାରତୀୟ ମୁକ୍ତି ସଂଗ୍ରାମକୁ, ଇଂରେଜ ଶାସନ ଅଧୀନରୁ ରାଜନୈତିକ ମୁକ୍ତି ପ୍ରକ୍ରିୟାର ଐତିହାସିକ ସଂଗ୍ରାମର ରୂପରେଖ ଭାବେ ଏହି ନିବନ୍ଧରେ ଉଲ୍ଲେଖ କରାଯାଇଛି । ଏହି ମୁକ୍ତି ଆନ୍ଦୋଳନ ତତ୍‌କାଳୀନ ବିଶ୍ଵ ଇତିହାସରେ ଏସିଆ ଓ ଆଫ୍ରିକାର ବହୁ ଦେଶକୁ ସ୍ଵାଧୀନ ହେବା ପାଇଁ ପ୍ରେରଣା ଦେଇଥିଲା ବୋଲି ବହୁ ପଣ୍ଡିତ ମତ ଦିଅନ୍ତି । ଅବଶ୍ୟ ଏହା ସତ୍ୟ ଯେ, ଭାରତ ଏକ ସ୍ୱତନ୍ତ୍ରଦେଶ ଭାବେ ବିଶ୍ଵ ଦରବାରରେ ଆପଣାକୁ ଜାହିର କରିଥିଲା । ବିଂଶଶତାବ୍ଦୀର ମଧ୍ୟଭାଗରେ, ମାତ୍ର ଏହାର ବହୁ ପୂର୍ବରୁ, ଏପରିକି ଇଂରେଜମାନେ ଭାରତୀୟ ଉପ-ମହାଦେଶରେ ପ୍ରବେଶ କରିବା ସମୟରୁ, ମୁକ୍ତିକାମୀ ପ୍ରକ୍ରିୟାର ଅୟମାରମ୍ଭ ଘଟିଥିଲା । ପାଶ୍ଚାତ୍ୟ ଶିକ୍ଷା, ସଂସ୍କୃତିର ବିସ୍ତାର, ନୂତନ ରାଜନୈତିକ ଦର୍ଶନର ପରିଶୀଳନ ସହ ଶିଳ୍ପର ପ୍ରସାର ଭାରତୀୟମାନଙ୍କୁ ଉନ୍ମୁଖ କରିଥିଲା ଉନ୍ମେଷ ପାଇଁ, ଆପଣାର ଅସ୍ମିତାକୁ ଜାହିର୍‌ କରିବା ପାଇଁ । ବିଭିନ୍ନ ଅଞ୍ଚଳ ଏକ ଶାସନାଧୀନ ହେବା ପରେ, ବିଛିନ୍ନତା ଓ ତଦ୍‌ଜନିତ ବିଦ୍ୱେଷର ବାଲିବନ୍ଧ ଭାଙ୍ଗି ଯାଇଥିଲା ଏବଂ ଏକ ମହାଭାରତୀୟ ଚେତନାରେ ସଭିଏଁ ହୋଇଥିଲେ ଅଭିମନ୍ତ୍ରିତ । ଜାଗ୍ରତ ଓ ଉତ୍ତିଷ୍ଠିତ । ଆନୁଷଙ୍ଗିକ ଭାବେ ତେଜି ଉଠିଲା ମୁକ୍ତି ସଂଗ୍ରାମର ହୋମାଗ୍ନି । ଝାସ ଦେଲେ ଶିକ୍ଷିତ ଯୁବଗୋଷ୍ଠୀ, ଶ୍ରମିକ, କୃଷକ, ଅଗଣିତ ଦୁର୍ବଳ, ଅବହେଳିତ, ବୁଭୁକ୍ଷୁ ଜନତା । ଭାରତୀୟ ସମାଜର ଏହି ବୈପ୍ଲବିକ ପରିବର୍ତ୍ତନର ଧାରାରେ ମଧ୍ୟ ସାମିଲ ହୋଇଥିଲେ ବହୁ ଅବଳା, ସମର୍ପିତ ହୋଇଥିଲେ ସେମାନେ ଦେଶମାତୃକା ପାଇଁ । ନିଜ ଜନ୍ମମାଟିକୁ ଶୃଙ୍ଖଳମୁକ୍ତ କରିବାର ସିଦ୍ଧାନ୍ତକୁ ଆପଣେଇ ନେଇଥିଲେ ସେମାନେ କାୟ-ମନୋ-ବାକ୍ୟରେ, ଯାହାର ସମ୍ୟକ ଆଲୋଚନା କରାଯାଇଛି ଏହି ନିବନ୍ଧରେ ।

 

ଭାରତରେ ଇଂରେଜ୍‌ମାନଙ୍କ ଅନୁପ୍ରବେଶ ପରେ ପରେ ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ ତେଜି ଉଠିଥିଲା । କିନ୍ତୁ ଏହାଥିଲା ଆଞ୍ଚଳିକ ସ୍ତରରେ ସୀମାବଦ୍ଧ । ପ୍ରଥମକରି ଏହି ଉପମହାଦେଶର ବହୁଅଞ୍ଚଳରେ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ବିପ୍ଳବ ସଂଘଠିତ ହୋଇଥିଲା ତାହାକୁ ଐତିହାସିକମାନେ ସିପାହୀବିଦ୍ରୋହ ନାମକରଣ କରିଥିଲେ । କିନ୍ତୁ ଭାରତୀୟମାନଙ୍କର ଏହା ଥିଲା ପ୍ରଥମ ସ୍ଵାଧୀନତାସଂଗ୍ରାମ । ସିପାହୀମାନଙ୍କର ଅସନ୍ତୋଷ ଏହି ବିଦ୍ରୋହର ଅନ୍ୟତମ କାରଣ ହେଲେ ମଧ୍ୟ ଏଥିରେ ଭାଗନେଇଥିଲେ ସମାଜର ପ୍ରତ୍ୟେକ ବର୍ଗର ଓ ଶ୍ରେଣୀର ବ୍ୟକ୍ତିବିଶେଷ । ଏହି ବିଦ୍ରୋହର ମୁଖ୍ୟଅଂଶରେ ଯୋଗଦେଇଥିବା ନାରୀମାନଙ୍କ ମଧ୍ୟରେ ଝାନ୍‌ସୀର ରାଣୀ ଲକ୍ଷ୍ମୀବାଇଙ୍କର ପଟାନ୍ତର ନାହିଁ । ସିପାହୀ-ବିଦ୍ରୋହର ପ୍ରଚ୍ଛଦପଟରେ ରହିଥିଲା ଭାରତୀୟ ଜନତାର ଦୀର୍ଘ ଦିନର ପୁଞ୍ଜିଭୂତ ଅସନ୍ତୋଷ । ଇଂରେଜ ଶାସକମାନଙ୍କର ମନମୁଖୀ ପ୍ରଶାସନ ମଧ୍ୟ ଏହି ଅସନ୍ତୋଷକୁ ସକ୍ରିୟ କରିଥିଲା ।

 

ଜନୈକ ଇଂରେଜ ପ୍ରଶାସକ ଲର୍ଡ ଡେଲ୍‌ହାଉସି ଭାରତକୁ ଗଭର୍ଣ୍ଣର ଜେନେରାଲ୍‌ ଭାବରେ ଆଗମନ କରିଥିଲେ ୧୮୪୮ ମସିହାରେ । ଭାରତରେ ବ୍ରିଟିଶ୍‌ ସାମ୍ରାଜ୍ୟର ବିସ୍ତାର ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ପ୍ରତ୍ୟକ୍ଷ ଭାବରେ ଯୁଦ୍ଧଭୂମିରେ ପରାଜିତ କରି ପଞ୍ଜାବ, ପେଷୁ ଓ ସିକିମ୍‌ ଇତ୍ୟାଦି ଅଞ୍ଚଳକୁ ଇଂରେଜ ଅଧିକାରକୁ ଆଣିବାପରେ ମଧ୍ୟ ତାଙ୍କର ସାମ୍ରାଜ୍ୟଅଧିକାରର କ୍ଷୁଧା ନିର୍ବାପିତ ହୋଇନଥିଲା । ପରୋକ୍ଷ ଭାବରେ ସାମ୍ରାଜ୍ୟ ବିସ୍ତାର କରିବା ନିମିତ୍ତ ସେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ । ଏହା ରାଜସ୍ଵତ୍ଵ ବା ଡକ୍‌ଟ୍ରିନ୍‌ ଅଫ୍‌ ଲାପ୍‌ସ୍‌ ନାମରେ ଇତିହାସରେ ପ୍ରସିଦ୍ଧ । ରାଜସ୍ୱତ୍ୱ ନୀତିର ନିୟମ ଅନୁସାରେ ପ୍ରାଦେଶିକ ଶାସକମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରୁନଥିଲେ । ଏହା ଫଳରେ ସାତାରା, ସମ୍ବଲପୁର, ନାଗପୁର, ଝାନ୍‌ସୀ ଓ ଅଯୋଧ୍ୟା ବ୍ରିଟିଶ୍‌ ଶାସନାଧୀନ ହୋଇଥିଲା । ଝାନ୍‌ସୀର ରାଣୀ ଲକ୍ଷ୍ମୀବାଇଙ୍କ ପତିଙ୍କ ମୃତ୍ୟୁପରେ ତାଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଦିଆଯାଇନଥିଲା । ଲକ୍ଷ୍ମୀବାଇ ତେଣୁ ଏହି ବିଦ୍ରୋହରେ ସିପାହୀମାନଙ୍କୁ ସମର୍ଥନ କରି ବିଦ୍ରୋହରେ ଝାସ ଦେଇଥିଲେ। ନାନାସାହେବଙ୍କ ଭ୍ରାତୃଷ୍ପୁତ୍ର ରାଜାସାହେବଙ୍କ ସହ ସେ ଗୋଆଲିୟର୍‌ ଅବରୋଧ କରିବାର ଯୋଜନା ପ୍ରସ୍ତୁତ କରିଥିଲେ । ୧୮୫୮ ମସିହା ମାର୍ଚ୍ଚ ୩୦ ତାରିଖ ଦିନ ସେ ଗୋଆଲିୟର ଦୁର୍ଗରେ ପ୍ରବେଶ କରି ଏହାର ରାଜକୋଷ ଓ ଅସ୍ତ୍ରାଗାରକୁ କରାଗତ କରିଥିଲେ । ନାନାସାହେବ ପେଶୱା ଭାବରେ ଘୋଷିତ ହେଲେ । ଉନବିଂଶ ଶତାବ୍ଦୀର ଏକ ସାଧାରଣ ନାରୀ ଏପରି ଅସାଧାରଣ ଧୀଶକ୍ତି ପ୍ରୟୋଗ କରି ଇଂରେଜ ପ୍ରଶାସନକୁ ଦୋହଲାଇ ଦେଇଥିଲା । ବ୍ରିଟିଶ୍‌ ଶାସନର ନ୍ୟାୟବିଚାରରେ ଫାଶିଖୁଣ୍ଟରେ ପ୍ରାଣଦଣ୍ଡିତ ହେବା ଅପେକ୍ଷା, ରଣଭୂମିରେ ଶତ୍ରୁ ବିପକ୍ଷରେ ଯୁଦ୍ଧକରି ପ୍ରାଣ ବିସର୍ଜନ କରିବା ଶ୍ରେୟସ୍କର । ସେହି ମହାନ୍‌ ଆତ୍ମାର ବଳିଦାନ ବିପ୍ଳବର ଅଗ୍ନିକୁ ତେଜୀୟାନ୍‌ କରିଥିଲା । ଇତିହାସରେ ଏହି ମହାନ୍‌ ତ୍ୟାଗ ଓ ପ୍ରାଣବଳି ପରବର୍ତ୍ତୀ ସମୟରେ ଜନମାନସରେ ଜାତୀୟତାର ମନ୍ଦାକିନୀ ପ୍ଲାବିତ କରିଥିଲା । ଅଯୋଧ୍ୟାର ନବାବ୍‌ ହଜରତ୍‌ମଲ ମଧ୍ୟ ସିପାହୀମାନଙ୍କ ସହ ବିଦ୍ରୋହରେ ଝାସ ଦେଇଥିଲେ । ବ୍ୟକ୍ତିଗତ କାରଣରୁ ଇଂରେଜମାନଙ୍କ ସହିତ ତାଙ୍କର ଶତ୍ରୁତା ଥିଲେ ମଧ୍ୟ ତାଙ୍କର ବିଦ୍ରୋହରେ ଯୋଗଦାନ ସିପାହୀମାନଙ୍କର ମନୋବଳ ବୃଦ୍ଧି କରିଥିଲା ଓ ବିଦ୍ରୋହକୁ ବହୁଗୁଣିତ କରିଥିଲା । ଏହିପରି ବହୁ ଅବଳାଙ୍କର ଅଙ୍ଗୀକାର ଥିଲା ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟ ଓଁକାର । ‘‘ସିପାହୀ ବିଦୋହ ଭାରତୀୟ ଜନମାନସରେ ବିପ୍ଳବର ବୀଜବପନ କରିଥିଲା’’ । - ଏହାଥିଲା ତତ୍‌କାଳୀନ ବିଖ୍ୟାତ ଲଣ୍ଡନ୍‌ ଟାଇମ୍‌ସ୍‌ର ମତ । ମହାଚିନ୍ତକ ମାର୍କସ୍‌ଙ୍କ ଯୁକ୍ତି ‘‘ସିପାହୀ ବିଦ୍ରୋହ ହିନ୍ଦୁ ମୁସଲ୍‌ମାନ୍‌ ଏକ୍ୟର ପଟ୍ଟଭୂମି” ।

 

ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମୁକ୍ତି ସଂଗ୍ରାମର ମହାଯଜ୍ଞରେ ଆହୁତି ଦେବାର ମହାମନ୍ତ୍ରରେ ଦୀକ୍ଷିତ ନଥିଲେ ଶ୍ରୀମତି ଆନି ବେଶାନ୍ତ । ବିଦେଶିନୀ ହେଲେ ମଧ୍ୟ ଭାରତୀୟ ଜନତାର ସେବାରେ ସେ ବ୍ରତୀ ଥିଲେ । ଭାରତୀୟମାନଙ୍କର ରାଜନୈତିକ ଭିଭିଭୂମି ଉପରେ ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ବିକାଶ ନିର୍ଭରଶୀଳ । ଏହି ମତକୁ ସେ ତାଙ୍କର ସାପ୍ତାହିକୀ କମନ୍‌ୱିଲ୍‌ରେ ଦୃଢ଼ଭାବରେ ଉପସ୍ଥାପିତ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ୍‌ର ଅନ୍ୟତମ ସଦସ୍ୟା ଭାବରେ ଭାରତୀୟମାନଙ୍କର ରାଜନୈତିକ ବିକାଶ ନିମିତ୍ତ ସେ ଥିଲେ ସତତ ପ୍ରଯତ୍ନଶୀଳା । ୧୯୧୬ ମସିହାରେ ସେ ପ୍ରତିଷ୍ଠା କରିଥିଲେ ହୋମ୍‌ରୁଲ ଲିଗ୍‌ । ବିଭକ୍ତ ହୋଇଯାଇଥିବା କଂଗ୍ରେସର ଦୁଇ ଗୋଷ୍ଠୀକୁ ମଧ୍ୟ ନିକଟତର କରିଥିଲେ ସେ । ଭାରତୀୟମାନେ ସଂପୂର୍ଣ ସ୍ଵାଧୀନ ହୋଇ ଇଂରେଜ୍‌ମାନଙ୍କ ସହଯୋଗରେ ପୃଥିବୀର ରାଜନୀତିରେ ଏକ ବିଶେଷ ଭୂମିକାରେ ଅବତୀର୍ଣ୍ଣ ହେବା ଉଚିତ୍‌ ବୋଲି ସେ କହୁଥିଲେ । ସେ ନିଜର ଉଦ୍ୟମ, ଅଦମନୀୟ ଉତ୍ସାହ, ପ୍ରଜ୍ଞା ଓ ବାଣୀ ମାଧ୍ୟମରେ ଭାରତୀୟମାନଙ୍କ ମଧ୍ୟରେ ନୂତନ ଜୀବନୀଶକ୍ତି ସଞ୍ଚାର କରିଥିଲେ ।

 

ଭାରତୀୟ ରାଜନୈତିକ ଆନ୍ଦୋଳନରେ ଚରମ ପନ୍ଥାର ଅଭ୍ୟୁଦୟ ବିଂଶଶତାବ୍ଦୀର ଏକ ବିଶିଷ୍ଟ ଘଟଣା । ୧୯୦୫ ମସିହାରେ ବଙ୍ଗଭଙ୍ଗ ପ୍ରକ୍ରିୟା ସମଗ୍ର ଭାରତରେ ବିପ୍ଳବର ଅଗ୍ନିଶିଖା ପ୍ରଜ୍ଜ୍ୱଳିତ କରିଥିଲା । ସ୍ଵାୟତ୍ତ ଶାସନ, ସ୍ୱଦେଶୀ ଅର୍ଥନୀତି ଓ ଇଂରେଜମାନଙ୍କର ଶୋଷଣ ବିରୁଦ୍ଧରେ ଆର୍ତ୍ତନାଦ ଥିଲା ଏହାର ମୁଖ୍ୟ ବିଭବ । ବନ୍ଦେମାତରମ୍‌ର ଧ୍ଵନିକୁ ଇଂରେଜମାନେ କ୍ଷୀଣ କରିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଭାରତୀୟମାନେ ସ୍ଵଦେଶପ୍ରେମର ନିବିଡ଼ ଆକର୍ଷଣରେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ଜୀବନ ବିନିମୟରେ ହିଂସାତ୍ମକ ପନ୍ଥା ମାଧ୍ୟମରେ ସେମାନେ ଇଂରେଜ ପ୍ରଶାସନର ସ୍ତମ୍ଭମାନଙ୍କୁ ଆକ୍ରମଣ କରୁଥିଲେ । ଆଇରିଶ୍‌ ଜାତୀୟବାଦୀ ଆନ୍ଦୋଳନ ଓ ନିହିଲିଜିମ୍‌ (ଋଷିଆ) ଦ୍ୱାରା ପ୍ରଭାବିତ ହୋଇ ସେମାନେ ବୈପ୍ଲବିକ ଉଗ୍ରପନ୍ଥା ଗ୍ରହଣ କରିଥିଲେ । ଅଭିନବ ଭାରତ, ଅନୁଶୀଳନ ସମିତି ଓ ଯୁଗାନ୍ତର ଇତ୍ୟାଦି ଗୁପ୍ତସଂସ୍ଥାମାନ ଗଢ଼ିଉଠିଥିଲା । ବନ୍ଦେମାତରମ୍‌ ଧ୍ଵନିରେ ସେମାନେ ଅନୁପ୍ରାଣୀତ ହୋଇଥିଲେ । ବିଦେଶ ଭୂଇଁରେ ଗଢ଼ିଉଠିଥିଲା ଘଦର୍‌ ଦଳ । ଏହା ଭାରତୀୟମାନଙ୍କର ଆତ୍ମାହୁତିକୁ ପ୍ରୋତ୍ସାହିତ କରୁଥିଲା । ଏହି ପ୍ରକିୟାରେ ନିଜକୁ ସାମିଲ୍‌ କରିଥିଲେ ବହୁ ଅବଳା, ଯାହାର ନଜିର୍‌ ଏବେବି ଇତିହାସ ପୃଷ୍ଠାରେ ଭାସ୍ଵର ।

 

ଅହିଂସାର ସଞ୍ଜୀବନୀ ଓ ସତ୍ୟାଗ୍ରହର ବ୍ରହ୍ମାସ୍ତ୍ର ସହ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ ମୋହନ୍‌ଦାଶ କରମଚାନ୍ଦ ଗାନ୍ଧି । ଦୀର୍ଘ ୨୦ ବର୍ଷକାଳ ବିଦେଶ ଭୂଇଁରେ ଅତିବାହିତ କରି ଗୋଟିଏ ସଙ୍ଗୀନ ମୁହୂର୍ତ୍ତରେ ସେ ପୁଣି ସ୍ଵଦେଶକୁ ଫେରିଲେ । ରାଜନୀତିରେ ସେ ଏକ ଅଦ୍ଭୁତ ନୈତିକ ଶକ୍ତି ପ୍ରୟୋଗ କଲେ । ୧୯୧୫ରେ ଗାନ୍ଧି ପ୍ରଥମେ ସାବରମତୀ ନଦୀକୂଳରେ ତାଙ୍କର ‘ସତ୍ୟାଗ୍ରହ ଆଶ୍ରମ’ ପ୍ରତିଷ୍ଠା କଲେ । ସେଠାରେ ସେ ତାଙ୍କର ଅନୁଗାମୀମାନଙ୍କୁ ନୂତନ ଧରଣର ରାଜନୈତିକ ଶିକ୍ଷା ଓ ତାଲିମ୍‌ ଦେଲେ । ସତ୍ୟାଗ୍ରହର ଲକ୍ଷ୍ୟ ଥିଲା ନିଜେ କଷ୍ଟବରଣ କରି ଅଥଚ ବିରୋଧୀ ଶକ୍ତିକୁ କଷ୍ଟ ନଦେଇ ସେମାନଙ୍କର ମନ ପରିବର୍ତ୍ତନ ପାଇଁ ପ୍ରୟାସ କରିବା । ବିହାରର ଚମ୍ପାରଣ, ଗୁଜରାଟର କାଇରା ଏବଂ ଅହମ୍ମଦାବାଦ୍‌ଠାରେ ଗାନ୍ଧି ସତ୍ୟାଗ୍ରହ ଆନ୍ଦୋଳନମାନ ପରୀକ୍ଷା କରିଥିଲେ । ସେ ସବୁ ସ୍ଥାନରେ ଆନ୍ଦୋଳନ ଥିଲା କୃଷକ ଓ ଶ୍ରମିକମାନଙ୍କ ସପକ୍ଷରେ ସ୍ଥାନୀୟ ଜମିଦାର କିମ୍ବା ସରକାରୀ କର୍ମଚାରୀ କିମ୍ବା ଶିଳ୍ପପତିମାନଙ୍କର କୃଷକ ଓ ଶ୍ରମିକମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବିରୁଦ୍ଧରେ ।

 

ବିଶ୍ଵଯୁଦ୍ଧ ଶେଷ ହେବାପରେ ଭାରତରେ ବ୍ରିଟିଶ୍‌ ସରକାର ଭାରତୀୟମାନଙ୍କ ଉପରେ ଲଦି ଦେଲେ ରାଓଲାତ୍‌ ଆଇନ୍‌ । ଯଥା ସମୟରେ ବଡ଼ଲାଟ୍‌ ଘୋଷଣା କଲେ : ‘‘ଭାରତରେ ନିଶ୍ଚିତ ଭାବରେ ରହିଥିବା ପ୍ରକୃତ ବୈପ୍ଳବିକ ସଂଗଠନଗୁଡ଼ିକ ପ୍ରତି ଆମେ ଆମର ଆଖି ବନ୍ଦ କରି ପାରିବା ନାହିଁ’’ । ଗାନ୍ଧି ଏହାର ଜବାବ୍‌ରେ କହିଥିଲେ ‘‘ମୁଁ ଏହି ବିଲ୍‌କୁ ଆମପ୍ରତି ଗୋଟିଏ ପ୍ରକାଶ୍ୟ ଆହ୍ୱାନ ବୋଲି ମନେକରୁଛି । ଆମେ ଯଦି ଦବିଯିବା, ଆମେ ଶେଷ ହୋଇଯିବା । ଆମେ ଯଦି ଆମର କଥା ପ୍ରମାଣ କରି ଦେବା ଯେ ସରକାର ପୂର୍ବରୁ କେବେ ଦେଖିନଥିବା ଏକ ଆନ୍ଦୋଳନ ଏବେ ଦେଖି‌ବାକୁ ପାଇବେ, ତା ହେଲେ ଆମେ ପ୍ରମାଣ କରିଦେବା ଯେ ସ୍ଵେଚ୍ଛାଚାରିତା ବା ନିରଙ୍କୁଶ ଶାସନ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ଆମର ଅଛି ।’’ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘଟିଥିଲା ଜାଲିଆନାଓ୍ୟାଲା ହତ୍ୟାକାଣ୍ଡ । ବ୍ରିଗେଡିୟାର ଡାୟାରଙ୍କ ଦ୍ୱାରା ଅବରୁଦ୍ଧ ଜାଲିଆନ୍‌ବାଗ୍‌ର ପ୍ରବେଶ ପଥରେ ଗୁଳିବର୍ଷଣ ଥିଲା ଏକ କ୍ରୂର ଓ ଅମାନୁଷିକ ହତ୍ୟାକାଣ୍ଡ । ମୃତ୍ୟୁର ବିଭୀଷିକା ରକ୍ତାକ୍ତ କରିଥିଲା ଜାଲିଆନାୱାଲାର ମାଟିକୁ । ଏହି ପୃଷ୍ଠଭୂମିରେ ଦେଶରେ ଅସହଯୋଗର ଡାକରା ଦେଲେ ମହାତ୍ମା ଗାନ୍ଧି । ତାଙ୍କର ପତ୍ନୀ କସ୍ତୁରବା ଓ ଅନସୂୟା ବେନ୍‌ ପ୍ରଭୃତି ନାରୀମାନେ ତାଙ୍କୁ ସହଯୋଗ କରୁଥିଲେ । ବ୍ରିଟିଶ୍‌ ସରକାରକୁ ପ୍ରତି ପଦକ୍ଷେପରେ ଅସହଯୋଗ କରି ପ୍ରଶାସନକୁ ଅଚଳ କରିଦେବା ଥିଲା ଏହାର ଲକ୍ଷ୍ୟ । ସ୍ଵଦେଶୀ ଆନ୍ଦୋଳନକୁ ମଧ୍ୟ ସେ ପ୍ରୋତ୍ସାହନ ଦେଉଥିଲେ । ଖଦୀବସ୍ତ୍ରକୁ ଜାତୀୟ ବସ୍ତ୍ରରୂପେ ବ୍ୟବହାର କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ-। ଖଦୀପାଇଁ ଚରଖାର ବ୍ୟବହାର କରାଯାଉଥିଲା । ମୁଖ୍ୟତଃ ନାରୀମାନେ ଖଦୀଆନ୍ଦୋଳନର ପୂରୋଭାଗରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ ।

 

ଚୌରିଚୌରାର ହିଂସାକାଣ୍ଡ ପରେ ମହାତ୍ମାଗାନ୍ଧି ଭାରତୀୟ ରାଜନୀତିରୁ ଓହରିଗଲେ । ପୁନଶ୍ଚ ବୈପ୍ଳବିକ ଆତଙ୍କବାଦର ପରିପ୍ରକାଶ ଘଟିଲା । ଭଗତ୍‌ ସିଂ, ସୂର୍ଯ୍ୟସେନ୍‌ ଇତ୍ୟାଦି ବହୁଯୁବକ ଏଥିରେ ପ୍ରାଣବଳି ଦେଇଥିଲେ । ବହୁ ସଂଖ୍ୟାରେ ତରୁଣୀମାନେ ବିପ୍ଳବୀମାନଙ୍କର ସହାୟତା କରୁଥିଲେ । ସମ୍ବାଦସର୍ବରାହ, ବିପ୍ଳବୀମାନଙ୍କୁ ଆତ୍ମଗୋପନ କରିବାପାଇଁ ଆଶ୍ରୟ ଓ ଅସ୍ତ୍ରଶସ୍ତ୍ରର ସୁରକ୍ଷା ଥିଲା ସେମାନଙ୍କର କାମ । ବିପ୍ଳବର ମହାମନ୍ତ୍ରରେ ଦୀକ୍ଷିତ ହୋଇ ଅସ୍ତ୍ରଚାଳନା କରି ଶତ୍ରୁର ମୁକାବିଲା କରିବାରେ ମଧ୍ୟ ଏମାନେ ପଛଘୁଞ୍ଚା ଦେଉନଥିଲେ । ଏହିପରି ଭାବରେ ଯୁଦ୍ଧରେ ପ୍ରାଣ ବିସର୍ଜନ କରିଥି‌ଲେ ପ୍ରୀତିଲତା ଓ୍ଵାଦେଦାର । ସୂର୍ଯ୍ୟସେନ୍‌ଙ୍କର ସହଯୋଗୀ ଥଲେ କଳ୍ପନା ଦତ୍ତ ଯାହାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୧୯୩୧ ମସିହା ଡିସେମ୍ବର ମାସରେ କୋମିଲା ଠାରେ ଶାନ୍ତି ଘୋଷ୍‌ ଓ ସୁନୀତି ଚୌଧୂରୀ ଜିଲ୍ଲାପାଳଙ୍କୁ ହତ୍ୟା କରିଥିଲେ । ୧୯୩୨ ମସିହାରେ ଉପାଧି ଗ୍ରହଣ କରୁଥିବା ସମୟରେ ବୀଣା ଦାଶ୍‌ ନାମ୍ନୀ ଜଣେ ମହିଳା ରାଜ୍ୟପାଳଙ୍କୁ ଆକ୍ରମଣ କରିଥିଲେ । ସୂର୍ଯ୍ୟସେନ୍‌ଙ୍କ ସହଯୋଗୀ କଳ୍ପନା ଦତ୍ତ (ଯୋଷି)ଙ୍କ ଉକ୍ତିରେ : ‘‘ଆତଙ୍କବାଦୀମାନେ ରଣଭୂମିରେ ମୃତ୍ୟୁବରଣ କରିବେ - ଏହାଦ୍ୱାରା ଏକ କିମ୍ବଦନ୍ତୀ ସୃଷ୍ଟି ହେବ ଏବଂ ଅନୁଧାବନ କରିବା ପାଇଁ ଏକ ଉଦାହରଣ ସୃଷ୍ଟି ହେବ ।’’ ସୂର୍ଯ୍ୟସେନ୍‌ଙ୍କ ଭାଷାରେ: ‘‘ଏପରି ଏକ ମହତ୍‌ କାର୍ଯ୍ୟ ପାଇଁ ଆମର ପ୍ରାଣବଳି ବୃଥା ଯିବ ନାହିଁ ।’’ ବହୁ ଅବଳା ତେଣୁ ପାରମ୍ପରିକ ଜୀବନଯାତ୍ରା ଠାରୁ ଦୂରେଇଯାଇ ଆତଙ୍କବାଦୀ ରୂପେ ଇଂରେଜ ସାମ୍ରାଜ୍ୟବାଦର ମୁକାବିଲା କରିଥିଲେ । ଏହି ତ୍ୟାଗ ଓ ବଳିଦାନ ପରବର୍ତ୍ତୀ ପର୍ଯ୍ୟାୟରେ ସଂଗ୍ରାମୀମାନଙ୍କର ଆଲୋକ ବର୍ତ୍ତିକା ରୂପରେ କାର୍ଯ୍ୟ କରିଥିଲେ ।

 

୧୯୨୯ ମସିହାର ବିଖ୍ୟାତ ଲାହୋର କଂଗ୍ରେସ୍‌ ଅଧିବେଶନରେ ପୂର୍ଣ୍ଣସ୍ୱରାଜ ଦାବି ଉପସ୍ଥାପିତ କରାଯାଇଥିଲା । ଏହାକୁ ଗାନ୍ଧି ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଥିଲେ । ଏହି ଅବସରରେ ସେ ଭବିଷ୍ୟତର ସଂଗ୍ରାମର ନବୀନ ତରୁଣ ତରୁଣୀମାନଙ୍କୁ ଯୋଗଦେବାପାଇଁ ଆହ୍ୱାନ ଦେଇଥିଲେ । ଏହାପରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଅତ୍ୟନ୍ତ ଆବଶ୍ୟକୀୟ ଲବଣ ଧନୀନିର୍ଦ୍ଧନ ସମସ୍ତଙ୍କର ସହଚର । ଏହାହିଁ ପାଲଟିଗଲା ଗାନ୍ଧିଙ୍କର ଆଇନ ଅମାନ୍ୟର ଅମୋଘ ଅସ୍ତ୍ର । ଏକଷଠି ବର୍ଷର ବୃଦ୍ଧ ‘‘ନିଜ ସିଦ୍ଧାନ୍ତର ବହ୍ନିଶିଖା’’ ସହ ଆଗେଇ ଚାଲିଲେ ସାବରମତୀ ଠାରୁ ଦାଣ୍ଡୀ । ଯୁବସମାଜକୁ ଆହ୍ୱାନ ଜଣାଇ ଜବାହାରଲାଲ୍‌ କହିଥିଲେ : ଯୁଦ୍ଧକ୍ଷେତ୍ର ତୁମ ଆଗରେ ପଡ଼ି ରହିଛି, ଭାରତର ପତାକା ତୁମକୁ ସଂକେତ ଦେଉଛି, ସ୍ଵାଧୀନତା ତୁମର ଆଗମନ ପ୍ରତି ଅପେକ୍ଷା କରିଛି । କିଏ ବଞ୍ଚି ରହିବ ଯଦି ଭାରତ ନଥିବ ? ଭାରତ ବଞ୍ଚିରହିଲେ କିଏ ବା ମରିବ ? ଭାରତୀୟ ଜାତୀୟକଂଗ୍ରେସ୍‌ର ପ୍ରଥମ ଭାରତୀୟ ମହିଳା ସଭାନେତ୍ରୀ ସରୋଜିନୀ ନାଇଡ଼ୁ ପୋଲିସ୍‌କୁ ଭ୍ରୁକ୍ଷେପନକରି ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ । ଏପ୍ରିଲ୍‌ ୫ ତାରିଖଦିନ ସନ୍ଧ୍ୟାକାଳରେ ମହାତ୍ମାଗାନ୍ଧି ଦାଣ୍ଡି ସାଗରକୂଳରେ ପହଞ୍ଚିଲେ । ତହିଁପରଦିନ ସୂର୍ଯ୍ୟୋଦୟ କାଳରେ ଗାନ୍ଧି ସମୁଦ୍ରଦିଗକୁ ଅଗ୍ରସର ହେଲେ । ସେଠାରେ ସମୁଦ୍ର ପାଣିରେ ପ୍ରବେଶ କରି ନିଜ ହାତରେ ସେ ମୁଠାଏ ଲୁଣମାଟି ଉଠାଇଥିଲେ । ତାଙ୍କର ସେହି କାର୍ଯ୍ୟଦ୍ଵାରା ସେ ବ୍ରିଟିଶ୍‌ ସରକାରଙ୍କ ଲବଣ ଆଇନ୍‌ ଭଙ୍ଗ କଲେ । ସେହି ମୁହୂର୍ତ୍ତରେ ଶ୍ରୀମତୀ ସରୋଜିନୀ ନାଇଡ଼ୁ ଗାନ୍ଧିଙ୍କୁ ଲକ୍ଷ୍ୟକରି କହି ଉଠିଲେ : ‘‘ସ୍ୱାଗତମ୍‌ ହେ ଆଇନ ଭଙ୍ଗକାରୀ !’’ ଧାରସଣାଠାରେ ସରୋଜିନୀ ନାଇଡୁ ଲବଣ ଆଇନ୍‌ ଭଙ୍ଗର ନେତୃତ୍ୱ ନେଇଥିଲେ । ପୋଲିସ୍‌ର ଲାଠି ଓ ଗୁଳି ଚାଳନାକୁ ସେ ଭ୍ରୁକ୍ଷେପ କରି ନଥିଲେ । ଗାନ୍ଧି ଆଇନ୍‌ ଅମାନ୍ୟର କର୍ମପନ୍ଥା ଘୋଷିତ ହୋଇଥିଲା ।

 

‘‘ପ୍ରତ୍ୟେକ ଗ୍ରାମ ନିଷିଦ୍ଧ ଲବଣ ତିଆରି କରିବେ କିମ୍ବା ସଂଗ୍ରହ କରିବେ । ଭଉଣୀମାନେ ମଦ ଦୋକାନ ଅଫିମ ବିକ୍ରୟସ୍ଥାନ ଏବଂ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ପିକେଟିଂ କରିବେ ।’’

 

ମହାତ୍ମା ଗାନ୍ଧି ବିଶେଷଭାବରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଏହି ସତ୍ୟାଗ୍ରହରେ ଯୋଗ ଦେବାକୁ କହିଥିଲେ । ‘‘ନାରୀମାନଙ୍କୁ ଦୁର୍ବଳ ଲିଙ୍ଗ କହିବା କୁତ୍ସା ଅଟେ; ଏହା ପୁରୁଷର ନାରୀ ପ୍ରତି ଅନ୍ୟାୟ ।’’ ଲବଣ ସତ୍ୟାଗ୍ରହ ସମୟରେ ମହାତ୍ମା ଗାନ୍ଧିଙ୍କ ଏହି ଉକ୍ତିକୁ ଭାରତୀୟ ନାରୀ, ପ୍ରମାଣ କରିଦେଇଥିଲେ । ଶକ୍ତିରେ, ସାମର୍ଥ୍ୟରେ ଓ ଉଦ୍ଦେଶ୍ୟ ସାଧନରେ ସେମାନେ ଯେ ଅଦ୍ୱିତୀୟା, ଏହା ସେମାନେ ପ୍ରମାଣ କରିଦେଇଥିଲେ । ବୟସ ଶ୍ରେଣୀ ନିର୍ବିଶେଷରେ ବହୁ ନାରୀ ନିତ୍ୟ ଆଇନ୍‌ ଅମାନ୍ୟ ଆନ୍ଦୋଳନରେ ଯୋଗଦାନ କରି କାରାବରଣ କରୁଥିଲେ । ଆମେରିକୀୟ ସାମ୍ବାଦିକ ୱେବ୍‌ ମିଲର୍‌ଙ୍କ ଲେଖନୀରେ:

 

‘‘ମୋର ଦୀର୍ଘ ଅଷ୍ଟାଦଶ ବର୍ଷର ସାମ୍ବାଦିକତା ମଧ୍ୟରେ ବିଭିନ୍ନ ଦେଶରେ ମୋର ଦୀର୍ଘଦିନର ଅନୁଭୂତିରେ ଧାରସଣା ପରି ଦୃଶ୍ୟ କେଉଁଠାରେ ଦେଖିନାହିଁ ।’’

 

ଆଇନ୍‌ ଅମାନ୍ୟ ପରର ବିଶିଷ୍ଟ ଘଟଣା ହେଉଛି ଭାରତଛାଡ଼ ଆନ୍ଦୋଳନ । ଦ୍ୱିତୀୟ ମହାସମରର ଉଦ୍‌ଘାଟନ ଉତ୍ସବ ଥିଲା ଆମେରିକା, ଫ୍ରାନ୍‌ସ୍‌, ବ୍ରିଟେନ୍‌ ଓ ଋଷିଆ ମଧ୍ୟରେ ବନ୍ଧୁତ୍ୱର ଆଦ୍ୟପର୍ବ । ଏହି ଦେଶର ମୁଖ୍ୟମାନେ ଜାତିସଂଘ ପାଇଁ ଆଟ୍‌ଲାଣ୍ଟିକ୍‌ ରାଜିନାମାରେ ସ୍ଵାକ୍ଷର କରି ପୃଥିବୀରେ ଗଣତନ୍ତ୍ରର ସୁରକ୍ଷାଭାର ନେଇଥିଲେ । ତେଣୁ ବ୍ରିଟିଶ୍‌ ସାମ୍ରାଜ୍ୟବାଦକୁ ଲୋପ କରିବା ପାଇଁ ଆମେରିକା ବ୍ରିଟେନ୍‌ ଉପରେ ଚାପ ଦେଇଥିଲା । ଏହି ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା କ୍ରିପ୍‌ସ୍‌ ମିଶନ୍‌ । କ୍ରିପ୍‌ସ୍‌ ମିଶନ୍‌ର ପ୍ରସ୍ତାବରେ ଭାରତୀୟ ଜାତୀୟ କଂଗ୍ରେସ୍‌ ସମ୍ମତ ନହେବାରୁ ଏଥିରେ ଭାରତର ଆବାଳ-ବୃଦ୍ଧ-ବନିତା ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧି ଓ କଂଗ୍ରେସ୍‌ କାର୍ଯ୍ୟକାରୀ ସଦସ୍ୟମାନଙ୍କୁ ଗିରଫ କରି ନିଆଗଲା । ସ୍ଵେଚ୍ଛାପ୍ରବୃତ୍ତ ଭାବରେ ସମଗ୍ର ଦେଶରେ ବହୁ ନରନାରୀ ବିପ୍ଳବର ହୋମକୁଣ୍ଡରେ ଝାସ ଦେଲେ । କଂଗ୍ରେସ ନେତାଗଣ କାରାଗାରରେ ରହିବା ଫଳରେ ଭାରତବାସୀ ସଂପୂର୍ଣ୍ଣଭାବେ ନେତୃତ୍ୱ ବିହୀନ ହୋଇ ପଡ଼ିଲେ । ନେତୃତ୍ୱ ବିହୀନ ଗଣଆନ୍ଦୋଳନ ଚତୁର୍ଦ୍ଦିଗକୁ ପ୍ରସାରିତ ହେଲା । ଉତ୍ତେଜିତ, ଅସଂଗଠିତ ଓ କ୍ରୋଧାନ୍ୱିତ ଦେଶବାସୀ ବିପ୍ଳବକୁ ନିଜହାତକୁ ନେଇଗଲେ ।

 

ଭାରତୀୟ ମୁକ୍ତିସଂଗ୍ରାମର ଚରମ ପର୍ଯ୍ୟାୟରେ ବିପ୍ଳବ ପୁନଶ୍ଚ ଉଗ୍ରପନ୍ଥାର ଆଶ୍ରୟ ନେଲା । ସମାଜବାଦୀ ନେତାମାନେ ଅଜ୍ଞାତସ୍ଥାନରୁ ଲୁକ୍କାୟିତ ଭାବରେ ବିପ୍ଳବ ପରିଚାଳନା କଲେ-। କ୍ଷମତାଶାଳୀ ବ୍ରିଟିଶ୍‌ସରକାର ଆଖିରେ ଧୂଳିଦେଇ, ଜୀବନର ବ୍ୟାପକ ଅନୁଭୂତି ସାଉଁଟି ନଥିବା ତରୁଣୀଟିଏ ଆତ୍ମଗୋପନ କରି ବିଭିନ୍ନ ସ୍ଥାନରୁ ବିପ୍ଳବପାଇଁ ରନ୍ଧନ ଯୋଗାଇଥିଲା । ସେ ଥିଲେ ଅରୁଣା ଆସଫ୍‌ ଅଲ୍ଲି । ବ୍ରିଟଶ୍‌ ସରକାର ଆଖିରେ ଧୂଳିଦେଇ କ୍ରାନ୍ତି ମୈଦାନ୍‌ରେ ଉଡ଼ାଇଥିଲେ ତ୍ରିରଙ୍ଗା । ସୁଚେତା କୃପାଳିନୀ ମଧ୍ୟ ଏହି ବିପ୍ଳବରେ ଅଂଶଗ୍ରହଣ କରିଥିଲେ । ସୁମତି ମୋରାରଜି ନାମକ ଜନୈକା ମହିଳାଙ୍କ ପୃଷ୍ଠପୋଷକତାରେ ଅଚ୍ୟୁତ ପଟ୍ଟବର୍ଦ୍ଧନ ଗୁପ୍ତ ଭାବରେ ବିପ୍ଳବ ପରିଚାଳନା କରିଥିଲେ । ଭାରତଛାଡ଼ ଆନ୍ଦୋଳନର ସମସାମୟିକ ଘଟଣା ହେଉଛି ବିଦେଶଭୂଇଁରେ ଭାରତୀୟ ଜାତୀୟ ବାହିନୀ ଗଠନ । ୧୯୪୦ ମସିହା ବେଳକୁ ଭାରତୀୟ ରାଜନୀତିରେ ସୁଭାଷଚନ୍ଦ୍ର ବୋଷ ନିଜକୁ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ସାମିଲ୍‌ କରି ସାରିଥିଲେ । ଗାନ୍ଧିଙ୍କ ପ୍ରଣୀତ ଅହିଂସା ଆନ୍ଦୋଳନ ଦ୍ୱାରା ସ୍ୱାଧୀନତା ପ୍ରାପ୍ତି ସମ୍ଭବ ନୁହେଁ ବୋଲି ସେ ଅନୁଭବ କରିଥିଲେ । ୧୯୩୯ ମସିହାରେ କଂଗ୍ରେସ୍‌ ସଭାପତି ପଦରୁ ଇସ୍ତଫା ଦେଇ ଫରୱାଡ୍‌ ବ୍ଲକ ଗଠନ କଲେ । ଅଧିକ ତେଜଶୀଳ ଭାବରେ ମୁକ୍ତିସଂଗ୍ରାମ ଚଳାଇବା ଥିଲା ସୁଭାଷ ବୋଷଙ୍କ ଲକ୍ଷ୍ୟ । ବ୍ରିଟିଶ୍‌ ସରକାର ତାଙ୍କୁ ନଜରବନ୍ଦୀ ରଖିଥିବା ସମୟରେ, ୧୯୪୧ ମସିହା ଜାନୁଆରୀ ମାସରେ ସେ ସରକାରଙ୍କ ସମସ୍ତ ସତର୍କତା ସତ୍ତ୍ଵେ ଦୁଃସାହସିକ ଭାବରେ ଛଦ୍ମବେଶରେ ଭାରତ ବାହାରକୁ ଖସି ଚାଲିଗଲେ । ଏହାପରେ ସେ ଆଫ୍‌ଗାନିସ୍ଥାନର କାବୁଲ୍‌ ଦେଇ ରୁଷ୍‌ର ମସ୍କୋଠାରେ ପହଞ୍ଚିଲେ । ଏହାପରେ ସେ ପହଞ୍ଚିଲେ ଜର୍ମାନୀର ରାଜଧାନୀ ବର୍ଲିନ୍‌ ସହରରେ । ୧୯୪୩ ମସିହାରେ ଜର୍ମାନୀର କଏଲ୍‌ ବନ୍ଦରରୁ ଗୋଟିଏ ବୁଡ଼ା ଜାହାଜରେ ଆସି ସେ ଜାପାନ୍‌ରେ ପହଞ୍ଚିଲେ । ଜାପାନ୍‌ର ପ୍ରଧାନମନ୍ତ୍ରୀ ତୋଜୋଙ୍କ ସହ ସାକ୍ଷାତ କରି ଭବିଷ୍ୟତ କର୍ମପନ୍ଥା ଆଲୋଚନା କଲେ । ତୋଜୋ ଆଜାଦ୍‌ ହିନ୍ଦ୍‌ ଫୌଜ୍‌କୁ ସାହାଯ୍ୟ ଦେବାପାଇଁ ସମ୍ମତ ହେଲେ । ଯୁଦ୍ଧ ବନ୍ଦୀ ବିଦେଶରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ନେଇ କ୍ୟାପ୍‌ଟେନ୍‌ ମୋହନ୍‌ ସିଂ ଭାରତୀୟ ଜାତୀୟ ସେନା ଗଢ଼ିଥିଲେ ୧୯୪୨ ମସିହାରେ ଓ ଭାରତୀୟ ସ୍ଵାଧୀନତା ଲିଗ୍‌ର ସଭାପତି ହେଲେ ରାସବିହାରୀ ବୋଷ୍‌ । ୧୯୪୩ ମସିହାରେ ସୁଭାଷ ବୋଷ୍‌ ଭାରତୀୟ ସ୍ଵାଧୀନତା ଲିଗ୍‌ର ସଭାପତି ହେଲେ । ସେ ଭାରତୀୟ ଜାତୀୟ ବାହିନୀ ସାହାଯ୍ୟରେ ଭାରତ ଅଧିକାର କରିବେ ବୋଲି ଚାହୁଁଥିଲେ । ଟୋକିଓ ରେଡ଼ିଓରେ ସେ ଉଦ୍‌ବୋଧନ ଦେଇ ଭାରତର ପୂର୍ବଦିଗରୁ ବ୍ରିଟିଶ୍‌ ସରକାରଙ୍କୁ ସଶସ୍ତ୍ର ଆକ୍ରମଣ କରିବାର ଯୋଜନା ଉପସ୍ଥାପିତ କରିଥିଲେ । ସିଙ୍ଗାପୁରଠାରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ନେତାଜୀ ଭାବରେ ସମ୍ବୋଧନ କରାଯାଇଥିଲା । ସେ ଏକ ଅସ୍ଥାୟୀ ସରକାର ଗଠନ କରି ଭାରତ ଆକ୍ରମଣର ଯୋଜନା କରିଥିଲେ, ତାଙ୍କ ସରକାରଙ୍କ ଅଧୀନରେ ଥିବା ବିଭାଗମାନଙ୍କ ମଧ୍ୟରେ ମହିଳା ବ୍ୟାପାର ବିଭାଗଟିଏ ମଧ୍ୟ ଥିଲା । ନାରୀର ଶାରୀରିକ ଓ ମାନସିକ ଶକ୍ତି ଉପରେ ଆସ୍ଥା ରଖୁଥିଲେ ସେ । ବହୁସଂଖ୍ୟାରେ ନାରୀ ସ୍ଵେଚ୍ଛାସେବୀ ଯୋଗ ଦେଉଥିଲେ ଭାରତୀୟ ଜାତୀୟ ବାହିନୀରେ । ସେମାନଙ୍କୁ ନେଇ ସେ ଗଢ଼ିଥିଲେ ‘ରାଣୀ ଝାନ୍‌ସୀ ରେଜିମେଣ୍ଟ’, ଯାହାର ନେତୃତ୍ୱ ନେଇଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହଗଲ୍‌ । ଇଂରେଜ ବିରୁଦ୍ଧରେ ପ୍ରତ୍ୟକ୍ଷ ସମରରେ ଅବତୀର୍ଣ୍ଣ ହୋଇଥିଲେ ସେ, ସୁଭାଷ ଥିଲେ ତାଙ୍କର ଆଦର୍ଶ ଓ ସେ ଥିଲେ ସୁଭାଷଙ୍କ ପାଇଁ ପ୍ରେରଣା ଦାୟିନୀ, ଶକ୍ତି ସ୍ଵରୂପିଣୀ । ୧୯୪୪ ମସିହା ଜୁଲାଇ ୬ ତାରିଖରେ ‘ଆଜାଦ୍‌ ହିନ୍ଦ୍‌ ଫୌଜ’ ପରିଚାଳିତ ରେଡ଼ିଓରୁ ଗାନ୍ଧିଜୀଙ୍କ ସମ୍ବୋଧନ କରି ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ ସୁଭାଷ : ‘‘ଭାରତର ଶେଷ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି .... ହେ ଜାତିର ପିତା ! ଭାରତର ଏହି ପବିତ୍ର ମୁକ୍ତି ସଂଗ୍ରାମରେ ଆମେ ଆପଣଙ୍କର ଆଶୀର୍ବାଦ ଓ ଶୁଭେଛା କାମନା କରୁଛୁ’’ । ସୁଭାଷଙ୍କର ଏହି ନିବେଦନରେ ଥିଲା ଏକ ମର୍ମସ୍ପର୍ଶୀ ଚାତକୀୟ ଉତ୍‌କଣ୍ଠା - ଲକ୍ଷ୍ମୀ ସେହଗଲଙ୍କ ପରି ‘‘ରାଣୀ ଝାନ୍‌ସୀ ରେଜିମେଣ୍ଟ’ରେ ରେଜେଷ୍ଟ୍ରିଭୁକ୍ତ ବହୁ ସମରପ୍ରବୀଣା ମହିଳାଙ୍କର ଆକୁଳ ଆର୍ତ୍ତନାଦ । ଭାରତୀୟ ମୁକ୍ତି ମହାଯଜ୍ଞରେ ତେଣୁ ଅବଳାର ଅଙ୍ଗୀକାର ଥିଲା ପ୍ରତ୍ୟକ୍ଷ ଓ ସୁସ୍ପଷ୍ଟ । ଏହି ପ୍ରବନ୍ଧର ସୀମିତ କଳେବରରେ ତାହାର ଆଲୋଚନା ବିଶଦ ଭାବରେ ଦେବା ସମ୍ଭବ ନୁହେଁ, ତେଣୁ ସମ୍ୟକ ସୂଚନା ଦେବା ହିଁ ବିଧେୟ ।

 

ମହାଭାରତୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇ ବହୁ ଓଡ଼ିଆ ରମଣୀ ମଧ୍ୟ ଆପଣାର ସୁଖ ସ୍ଵାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଥିବାର ବହୁ ନଜିର ରହିଛି ଆମ ପାଖରେ । ବରହମ୍‌ ପୁରର କୃଷ୍ଣପ୍ରିୟା ଦେବୀ ତାଙ୍କର ପତି ହରିହର ନରେନ୍ଦ୍ରଦେବଙ୍କ ମୃତ୍ୟୁପରେ, ୧୮୮୨ ମସିହାରେ ଗୋପୀ ମାର୍ଥା ଓ ସୁରସିଂହ ମାର୍ଥାଙ୍କ ସହ ବ୍ରିଟିଶ୍‌ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିଲେ । ବରହମ୍‌ ପୁର ନିକଟରେ ଥିବା ମହୁରୀ ଜମିଦାରିରେ ସେ ଇଂରେଜମାନଙ୍କ ପାଇଁ ଆତଙ୍କର କାରଣ ହୋଇଥିଲେ-। ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ବହୁ ଓଡ଼ିଆଘରର ଝିଅ ବୋହୂ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ସ୍ଵେଚ୍ଛାରେ ତ୍ୟାଗ କରି ସ୍ଵାଧୀନତା ଲାଭ ଆଶାରେ, ସକ୍ରିୟ ଭୂମିକାରେ ଅଂଶ ଗ୍ରହଣ କରିଥିଲେ । ୧୯୨୪ ମସିହାରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମୟରେ ସର୍ବ ଉତ୍କଳୀୟ ମହିଳା-ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାର ଆଭିମୁଖ୍ୟ ଥି‌ଲା ଓଡ଼ିଆଣୀର ବିଭିନ୍ନ ସମସ୍ୟାର ଆଲୋଚନା ଓ ଏହାର ନିରାକରଣ ନିମିତ୍ତ ବିବିଧ ପଦକ୍ଷେପ । ଏଥିରେ ଅଧ୍ୟକ୍ଷତା କରିଥିଲେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ । ଏଥିରେ ଯୋଗଦେଇ ବିଶିଷ୍ଟ ନାରୀ ନେତ୍ରୀ ସରଳା ଦେବୀ, ହେମବତୀ ଦେବୀ, ରାସମଣୀ ଦେଇ ଓ ସ୍ଵର୍ଣ୍ଣଲତା ଦେଇ ଇତ୍ୟାଦି ନାରୀମାନଙ୍କୁ ବହୁ ସଂଖ୍ୟାରେ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେବାପାଇଁ ଅନୁରୋଧ କରିଥିଲେ । କୁନ୍ତଳା କୁମାରୀ ସାବତ୍‌ ଓ ସୀତା ଦେବୀ ଖାଡ଼େଙ୍ଗା ଇତ୍ୟାଦି ନାରୀ ଲେଖିକାମାନେ ନାରୀ ଶିକ୍ଷାର ପ୍ରସାର ସହ ନାରୀ ମନରେ ସ୍ଵାଧୀନତାର ଉନ୍ମାଦନା ଭରିଦେଇଥିଲେ । ଏଥିରେ ପ୍ରଭାବିତ ହୋଇ ବହୁ ନାରୀ ଭାରତୀୟ ମୁକ୍ତିଆନ୍ଦୋଳନରେ ଯୋଗ ଦେଇଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଗୋପବନ୍ଧୁ ମଧ୍ୟ ନାରୀ ଶିକ୍ଷାକୁ ଓଡ଼ିଶାରେ ପ୍ରମୁଖ ସ୍ଥାନ ଦେଇଥିଲେ । ଗ୍ରାମ୍ୟ ମହିଳାମାନେ ଶିକ୍ଷାର ନବୀନ ଆଲୋକ ଲାଭ କରି ନବୀନ ଯୁଗର ଚିନ୍ତା ଓ ଚେତନାରେ ଉଦ୍‌ବୁଦ୍ଧ ହୋଇଥିଲେ । ୧୯୨୭ ମସିହାରେ ଯେତେବେଳେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ, ନାରୀମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇ ଥିଲେ । ସେ ସମୟ ଥିଲା ଆଇନ୍‌ ଅମାନ୍ୟ ଆନ୍ଦୋଳନର ପ୍ରସ୍ତୁତି ପର୍ବ । ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ସେ ନାରୀମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶାର ଇଞ୍ଚୁଡ଼ି ଥିଲା, ଦ୍ୱିତୀୟ ଦାଣ୍ଡି । ଇଞ୍ଚୁଡ଼ି ଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ଚନ୍ଦ୍ରମଣି ଦେବୀ, କୋକିଳା ଦେବୀ, ରମା ଦେବୀ, ମାଳତୀ ଦେବୀ, ହାରାମଣୀ ଦେବୀ, ଗୌରୀ ଦେବୀ ଇତ୍ୟାଦି ନାରୀ ନେତ୍ରୀମାନେ କର୍ମୀରୂପେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ନେତୃତ୍ୱ ନେଇଥିଲେ ସୁଭଦ୍ରା ମହତାବ୍‌ । ତୁଣ୍ଡୁରା, ଇଞ୍ଚୁଡ଼ି, ଭୀମପୁର, କୁଳିଗାଁ, ରସାଳପୁର ପ୍ରଭୃତି ଗ୍ରାମରେ ମାଳତୀ ଦେବୀ, ରମା ଦେବୀ, ସୁଭଦ୍ରା ମହତାବ୍‌ଙ୍କ ସହିତ ଅଶିରୁ ଉର୍ଦ୍ଧ୍ୱ ମହିଳା ମରାଲୁଣକୁ ନେଇ ଗାଁ ଗାଁ ବୁଲି ବିକ୍ରୟ କରିଥିଲେ । ସୁନହଟ ଠାରେ ଏକ ସେବାଶ୍ରମ ନିର୍ମାଣ କରି ଆହତ ଓ ନିର୍ଯ୍ୟାତିତ ଲୋକଙ୍କର ସେବା କରୁଥିଲେ ମାଳତୀ ଦେବୀ । କୁଜଙ୍ଗରେ ପାଟମହାଦେଇ, କୁଜଙ୍ଗର ରାଣୀ ଭାଗ୍ୟବତୀ ଦେବୀ ପାଞ୍ଚଶହ ମହିଳାଙ୍କ ସହ ଲବଣ ଆଇନ୍‌ ଭଙ୍ଗ କରିଥିଲେ ।

 

ଗଞ୍ଜାମ ଜିଲ୍ଲାରେ ମଧ୍ୟ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିଲା ଓ ଏଥିରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ । ବରହମପୁର ସହରରେ ମଦ ବିକ୍ରୟକେନ୍ଦ୍ର ସମ୍ମୁଖରେ ଶ୍ରୀମତୀ ଜେ.ଭି.ନାରାୟଣାଙ୍କ ନେତୃତ୍ୱରେ ଧାରଣା ଦିଆ ଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି ନିଆଯିବାରୁ ଏହା ସାମୟିକ ବନ୍ଦ କରାଯାଇଥିଲା । ସରସ୍ୱତୀ ଦେବୀ, ଲକ୍ଷ୍ମୀବାଇ, ଡି ସରୋଜିନୀ ଇତ୍ୟାଦି ମହିଳାମାନେ ୧୯୩୨ ମସିହାରେ ଗିରଫ ହୋଇଥିଲେ ବ୍ରିଟିଶ ଶାସନ ଓ ଶାସକଙ୍କୁ ପ୍ରତିବାଦ କରି । ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ ସହଧର୍ମିଣୀ କିଶୋରମଣି ଦେବୀ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେଇ ମହିୟସୀ ମହିଳା ବରହମ୍‌ପୁର ଠାରେ ‘ପ୍ରଗତି ଆଶ୍ରମ’ ପ୍ରତିଷ୍ଠା କରି ସତ୍ୟାଗ୍ରହୀମାନଙ୍କୁ ଶିକ୍ଷାଦାନ କରୁଥିଲେ । ଅବଶ୍ୟ ତାଙ୍କୁ ବିଭିନ୍ନ‌ ସମୟରେ ରମା ଦେବୀ, ସରଳା ଦେବୀ, ମାଳତୀ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା ପ୍ରୋତ୍ସାହିତ କରିଥିଲେ ଓ ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସତ୍ୟାଗ୍ରହ ପଦଯାତ୍ରାରେ ଭାଗ ନେଇଥିଲେ, ଏପରିକି ଜନସମୁଦ୍ରକୁ ସମ୍ବୋଧନ କରିଥିଲେ ବହୁବାର । ଏହା କହିଲେ ଅତ୍ୟକ୍ତି ହେବ ନାହିଁ ଯେ ଦକ୍ଷିଣ ଓଡ଼ିଶାରେ ମୁକ୍ତିର ବହ୍ନିଶିଖାକୁ ପ୍ରଜ୍ୱଳିତ କରିଥିଲେ ସେ । ତାଙ୍କ ସହକର୍ମିଣୀ ଭାବେ ଚମ୍ପାଦେଇଙ୍କ ଭୂମିକାକୁ ମଧ୍ୟ ଅସ୍ଵୀକାର କରିହେବ ନାହିଁ, କାରଣ ‘ଅଳକାଶ୍ରମ’ ଓ ‘ହିନ୍ଦୁସ୍ଥାନ ସେବାଶ୍ରମ’ର ଅନ୍ତେବାସିନୀ ଭାବେ ସେ ବହୁ ସର୍ଜନାତ୍ମକ କ୍ରିୟାରେ ଆପଣାକୁ ନିୟୋଜିତ କରିଥିଲେ । ଠିକ୍‌ ସେହିପରି ଦିଗପହଣ୍ଡିର ପଣ୍ଡିତ ଅନ୍ତର୍ଯାମୀ ପଣ୍ଡାଙ୍କର ପତ୍ନୀ ଶୋଭାବତୀ ପଣ୍ଡା, ବାଞ୍ଛାନିଧି ପଟ୍ଟନାୟକଙ୍କ ପତ୍ନୀ କୁନ୍ଦଲତା ଦେବୀ ଲବଣ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରି କାରାବରଣ କରିଥିଲେ । ଗଞ୍ଜାମର ଦୁରାରେ ଜନ୍ମଗ୍ରହଣ କରି ଥିବା ଚମ୍ପାଦେବୀ ତୀଙ୍କର ସମସ୍ତ ଅଳଙ୍କାର ବିକ୍ରୟ କରି ଇଚ୍ଛାପୁର ଠାରେ ୧୯୩୨ ମସିହାରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ରମା ଦେବୀ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତି ଠାରୁ ଦୂରେଇ ଯାଇ, ଖଦୀଆନ୍ଦୋଳନ ଓ ଅନ୍ୟାନ୍ୟ ରଚନାତ୍ମକ ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିଥିଲେ ।

 

୧୯୪୦ ମସିହା ବେଳକୁ ଭାରତ ରାଜନୀତିରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଏଥିରେ ମଧ୍ୟ ବହୁ ସଂଖ୍ୟାରେ ଓଡ଼ିଶାର ନାରୀମାନେ ଭାଗ ନେଇଥିଲେ । ସମ୍ବଲପୁର ଜିଲ୍ଲାରେ ନାରୀନେତ୍ରୀ ପାର୍ବତୀ ଗିରି ଓ କମନା ଦେବୀ ଅତ୍ୟନ୍ତ ଉତ୍ସାହର ସହିତ ସୂତାକଟା ଓ ଗ୍ରାମ ପରିନିର୍ମାଣ ଆଦି କାର୍ଯ୍ୟରେ ବ୍ୟାପ୍ତ ରହିଥିଲେ । ବରଗଡ଼ (ପୁରାତନ ସମ୍ବଲପୁର ଜିଲ୍ଲା) ଠାରେ ଜନସଭା ଆୟୋଜନ କରି, ପଦଯାତ୍ରୀ, ପଥପ୍ରାନ୍ତ ବିଚାର ଓ ଆଲୋଚନା ମାଧ୍ୟମରେ ଜାଗୃତିର ମନ୍ତ ପ୍ରଚାର କରୁଥିଲେ ।

 

‘‘ସାରା ଭାରତରେ ହାହା କାର ଆମେ ପକେଇଦେବୁ

ଗୋରା ଶାସକକୁ ଏପାରି ସେପାରି ନଚେଇ ଦେବୁ ...”

 

ଏହା ଥିଲା ତାଙ୍କର ବହୁ ହୃଦୟସ୍ପର୍ଶୀ ସ୍ଲୋଗାନ୍‌ ଭିତରୁ ଗୋଟିଏ । ୧୯୪୨ ମସିହାରେ ପଶ୍ଚିମ ଓଡ଼ିଶାରେ ଜନଜାଗୃତିର କର୍ଣ୍ଣଧାର ଶ୍ରୀମତୀ ପାର୍ବତୀ ଗିରି ଏକ ସମାନ୍ତରାଳ ସରକାର ଗଠନ ନିମିତ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି, ଯାବତୀୟ ସରକାରୀ କାର୍ଯ୍ୟକୁ ଅଚଳ କରି ଦେଇଥିଲେ । ସାରା ଭାରତରେ ଯେତେବେଳେ ଭାରତଛାଡ଼ ଆନ୍ଦୋଳନ ମୁଣ୍ଡ ଟେକି ଉଠିଛି ସେହି ସମୟରେ ଓଡ଼ିଶାଭୂଇଁରେ ସକ୍ରିୟ ଗୁପ୍ତସଂସ୍ଥାମାନ ଗଢ଼ିଉଠିଲା । ଏହାର ମୁଖ୍ୟ ପୁରୋଧା ଥିଲେ ସୁରେନ୍ଦ୍ରନାଥ ଦ୍ରିବେଦୀ । ତାଙ୍କୁ ସର୍ବାନ୍ତକରଣରେ ସାହାଯ୍ୟ କରିଥିଲେ ମାଳତୀ ଦେବୀ । ସ୍ୱରାଜ ଆଶ୍ରମରୁ ରମାଦେବୀ ‘କର ବା ମର’ ଆନ୍ଦୋଳନକୁ ସକ୍ରିୟ ଭାବରେ ପରିଚାଳନା କରୁଥିଲେ । ମାଳତୀ ଦେବୀ ତରୁଣ ସ୍ଵେଚ୍ଛାସେବକ ନରସିଂହ ମହାନ୍ତିଙ୍କୁ ଏକ ପତ୍ରରେ ଲେଖିଥିଲେ ‘‘ଆମେ ମୁକ୍ତ ଭାରତରେ ପରସ୍ପରକୁ ଭେଟିବା’’ । ଓଡ଼ିଶାରେ ଅଗଷ୍ଟ ବିପ୍ଳବ ବାଲେଶ୍ୱରର ଇରମ ଠାରେ ଘଟିଥିବା ଦମନଲୀଳାରେ ମଧ୍ୟ ବହୁ ନାରୀ ଭାଗ ନେଇଥିଲେ । ଅଗଷ୍ଟ ବିପ୍ଳବର ପଦଧ୍ଵନୀ ସମ୍ବଲପୁର, ଗଞ୍ଜାମ ଓ କୋରାପୁଟରେ ମଧ୍ୟ ଶୁଣାଯାଇଥିଲା !

 

ମୁକ୍ତିସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ ବହୁ ନାରୀ ମୁକ୍ତିର ଆକାଙ୍‌କ୍ଷା ନେଇ କଣ୍ଟକିତ ପଥରେ ପାଦଦେଇଥିଲେ । ଜୀବନ ବୀଣାରେ ସେମାନେ ସୃଷ୍ଟିକଲେ ତ୍ୟାଗର ରାଗିଣୀ । ଆଶାବରିର ମଧୁର ଆଳାପରେ ସେମାନେ ଭୁଲିଗଲେ ପ୍ରିୟଜନ ବିଳାପ । ସେ ସତ୍ୟକାହାଣୀ ଏବେବି ଶରୀର ମନରେ ଭରିଦିଏ ବେପଥୁ, ସୃଷ୍ଟିକରେ ରୋମାଞ୍ଚ । ରନ୍ଧନଶାଳାର ନିଭୃତ ପ୍ରାଚୀରର ଆବର୍ତ୍ତରୁ ଜୀବନର ବୃହତ୍ତର ପରିଧି ମଧ୍ୟକୁ ଆସି ସେମାନେ ଏକ ନୂତନ ଭବିଷ୍ୟତର ସନ୍ଧାନ କରିଥିଲେ । ମୁକ୍ତି ସଂଗ୍ରାମର ଅନ୍ୟତମ ମହାରଥି ମହାତ୍ମାଗାନ୍ଧିଙ୍କ ପତ୍ନୀ କସ୍ତୁରବା, ତାଙ୍କ ସହଯୋଗୀ ସାରଳାବେନ୍‌, ମୀରାବେନ୍‌ (ମ୍ୟାଡ଼େଲିନ୍‌ ସ୍ଲେଡ଼୍‌) ଇତ୍ୟାଦିଙ୍କ ଅବଦାନ ଅବିସ୍ମରଣୀୟ-। ସର୍ବୋପରି ‘ଆନିବେଶାନ୍ତ’ଙ୍କ ହୋମ୍‌ରୁଲ୍‌ ଆନ୍ଦୋଳନ ଭାରତୀୟମାନଙ୍କ ଚିନ୍ତା ଓ ଚେତନାକୁ ଉଦ୍‌ବୁଦ୍ଧ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଭାରତୀୟ ଜାତୀୟ ପତାକାର ପରିକଳ୍ପନା କରିଥିଲେ ମ୍ୟାଡ଼ାମ୍‌ କାମା । ଅନ୍ୟ ଏକ ଅବିସ୍ମରଣୀୟା ନାରୀ ମଣିପୁରର ରାଣୀ ଗାଇଡ଼ାନ୍‌ଲ୍ୟୁ । ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ମାତ୍ର ୧୪ ବର୍ଷ ବୟସରେ ସେ କାରାବରଣ କରିଥଲେ । ଜୀବନର ଅବଶିଷ୍ଟ ଦିନଗୁଡ଼ିକ କଟିଯାଇଥିଲା କାରାଗାରର ନିଭୃତ ଅନ୍ଧକାରରେ । ଭାରତ ସ୍ୱାଧୀନ ହେଲା ପରେ ମୁଭିଲାଭ କରିଥିଲେ ସେ ।

 

ମୁକ୍ତି ମହାଯଜ୍ଞର ଆଦ୍ୟପର୍ବରୁ ଶେଷପର୍ଯ୍ୟନ୍ତ ବହୁ ଅବଳାଙ୍କ ଅଙ୍ଗୀକାରରେ ଭରା । ବୃହତ୍ତର ଓ ବ୍ୟାପକ ଭାବରେ ବିଚାର କଲେ ଏହା ଅଦ୍ୟାପି ଅବ୍ୟାହତ । ସ୍ଵେଦ, ଅଶ୍ରୁ, ରୁଧିର ତଥା ଜୀବନର ସର୍ବସ୍ଵ ବିନିମୟରେ ଆମେ ଯେଉଁ ମୁକ୍ତି କାମନା କରିଛୁ ତାହାର ପରିଭାଷା କ’ଣ-? ଉତ୍ତର ପୁରୁଷମାନଙ୍କ ପାଇଁ ଆମର କି ଅଭିଭାଷଣ ରହିଛି । ଭଗବତୀ ଚରଣ ଡୋରା, ଚନ୍ଦ୍ରଶେଖର ଆଜାଦ୍‌ ଓ ୟଶ୍‌ପଲଙ୍କ ଦ୍ୱାରା ଲିଖିତ ‘ଫିଲୋସଫି ଅଫ୍‌ ବମ୍ବ’ ପୁସ୍ତକରେ ବିପ୍ଳବକୁ ‘‘ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତାର” ରୂପାନ୍ତରୀକରଣ ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ଭାରତର ପ୍ରତି ନାରୀର କର୍ତ୍ତବ୍ୟ ସାମାଜିକ ସଚେତନତା ମାଧ୍ୟମରେ ଅର୍ଥନୈତିକ ଓ ରାଜନୈତିକ ସ୍ଵାଧୀନତା ପାଇଁ ବ୍ୟାକୁଳିତ ହେବା । ପ୍ରତି ନୟନର ଅଶ୍ରୁକୁ ପୋଛି ଦେଇ, ପ୍ରତି ଓଠରେ ହସର ଫୁଲ ଫୁଟାଇବା ଆଗମୀ ଯୁଗର ନାରୀ ପାଇଁ ଏକ ବଳିଷ୍ଠ ଆହ୍ୱାନ ।

 

ସହାୟକ ଗ୍ରନ୍ଥସୂଚୀ :

୧.

ଏସ୍‌.ଏନ୍‌. ସେନ୍‌, ହିଷ୍ଟ୍ରୀ ଅଫ୍‌ ଦି ଫ୍ରିଡମ୍‌ ମୁଭ୍‌ମେଣ୍ଟ ଇନ୍‌ ଇଣ୍ଡିଆ । (ନିଭ ଏଜ୍‌ ଇଣ୍ଟରନେସ୍‌ନାଲ୍‌ (ପି) ଲିମିଟେଡ୍‌ : ନିଉଦିଲ୍ଲୀ) ପୃଷ୍ଠା : ୩୨ ।

୨.

ବିପନ୍‌ ଚନ୍ଦ୍ର, ଇଣ୍ଡିଆସ୍‌ ଷ୍ଟ୍ରଗଲ୍‌ ଫର୍‌ ଇଣ୍ଡିପେଣ୍ଡେନ୍‌ସ୍‌ (ପେଙ୍ଗୁଇନ୍‌ ବୁକ୍‌ସ୍‌, ନିଉଦିଲ୍ଲୀ) ।

୩.

ଏସ୍‌.ଏନ୍‌. ସେନ୍‌, ହିଷ୍ଟ୍ରୀ ଅଫ୍‌ ଦି ଫ୍ରିଡମ୍‌ ମୁଭ୍‌ମେଣ୍ଟ ଇନ୍‌ ଇଣ୍ଡିଆ ପୃଷ୍ଠା - ୩୩, ପୃଷ୍ଠା - ୩୮ ।

୪.

ଏସ୍‌.ସି. ରାୟଚୌଧୂରୀ, ହିଷ୍ଟ୍ରୀ ଅଫ୍‌ ମଡ଼ର୍ଣ୍ଣ ଇଣ୍ଡିଆ (ସୁରଜିତ୍‌ ପବ୍ଲିକେଶନ୍‌, ନିଉଦିଲ୍ଲୀ) ପୃଷ୍ଠା - ୧୪୦ ।

୫.

ବିପନ୍‌ ଚନ୍ଦ୍ର, ଇଣ୍ଡିଆସ୍‌ ଷ୍ଟ୍ରଗଲ୍‌ ଫର୍‌ ଇଣ୍ଡିପେଣ୍ଡେନ୍‌ସ୍‌, ପୃଷ୍ଠା - ୧୪୪ ।

୬.

ମନ୍ମଥନାଥ ଦାସ, ଭାରତର ସ୍ୱାଧୀନତା ସଂଗ୍ରାମ ଓ ଜାତୀୟ ସଂହତିର ଇତିହାସ, (ବିଦ୍ୟାପୁରୀ - କଟକ) ପୃଷ୍ଠା - ୧୧୮ ।

୭.

ବିପନ୍‌ ଚନ୍ଦ୍ର, ଇସ୍ତିଆସ୍‌ ଷ୍ଟ୍ରଗଲ୍‌ ଫର୍‌ ଇଣ୍ତିପେଣ୍ଡେନ୍‌ସ୍‌, ପୃଷ୍ଠା - ୨୫୩ ।

୮.

ତତ୍ରୈବ - ପୃଷ୍ଠା - ୨୭୬ ।

୯.

ତତ୍ରୈବ - ପୃଷ୍ଠା - ୨୭୫ ।

୧୦.

ଆର୍‌.ଡି.ମଜୁମ୍‌ଦାର, ହିଷ୍ଟ୍ରୀ ଅଫ୍‌ ଫ୍ରିଡମ୍‌ ମୁଭ୍‌ମେଣ୍ଟ (ଫାର୍ମା. କେ.ଏଲ. ପ୍ରାଇଭେଟ୍‌ ଲିମିଟେଡ୍‌, କଲିକତା) ପୃଷ୍ଠା - ୫୮୭ ।

୧୧.

ଡକ୍ଟର ଦଣ୍ଡପାଣି ବେହେରା, ରୋଲ୍‌ ଅଫ୍‌ ଓମେନ୍‌ ଇନ୍‌ ଦି ଫ୍ରିଡମ୍‌ ମୁଭ୍‌ମେଣ୍ଟ ଇନ୍‌ ଆଣ୍ଡ୍‌ ଆରାଉଣ୍ଟ୍‌ ବରହମ୍‌ପୁର ଇନ୍‌ ଗଞ୍ଜାମ ଡିଷ୍ଟିକ୍ଟ, ଓଡ଼ିଶା, ରିଭିଉ : ଉଲିୟମ୍‌ Live-No.-I, ଅଗଷ୍ଟ - ୧୯୯୭ ।

୧୨.

ଶ୍ରୀ ହଳଧର ପଣ୍ଡା, ନିଷ୍ଠାରେ ଅଟଳ ପର୍ବତ ପରି: ପାର୍ବତୀ ଗିରି, ଉତ୍କଳ ପ୍ରସଙ୍ଗ, ୫୪ ଭାଗ ୬ ସଂଖ୍ୟା ଜାନୁୟାରୀ ୧୯୯୮ ।

 

 

ବି. ଜେ. ବି. ପ୍ରାତଃ ମହାବିଦ୍ୟାଳୟ

ଭୁବନେଶ୍ୱର

 

***

 

ସ୍ୱାଧୀନତା ଆନ୍ଦୋଳନର ଅକୁହା କଥା:

ସହିଦନଗରର ଷୋଳଜଣ ସହିଦ

ପ୍ରଫେସର ନିତ୍ୟାନନ୍ଦ ମିଶ୍ର

 

ସେମାନେ ସମସ୍ତେ ପୂର୍ବତନ ଢେଙ୍କାନାଳ ରାଜ୍ୟର କାମାକ୍ଷାନଗର (ମଢ଼ି) ସବ୍‌ଡିଭିଜନର ଗ୍ରାମାଞ୍ଚଳରେ ଜନ୍ମ । ସମସ୍ତେ ଗରିବ, ନିଃସ୍ୱ, ପାଠ ପଢ଼ାଥିଲା କି ନଥିଲା । ନିଜ ଅଂଗେ ନିଭେଇଥିଲେ ଅତ୍ୟାଚାର ଓ ଶୋଷଣର ଜ୍ଵାଳା । କେତେ ଦିନ ସହନ୍ତେ । ଶେଷରେ ଓହ୍ଲାଇ ଆସିଥିଲେ ସଂଗ୍ରାମର ଅଗ୍ନିମୟ ପଥକୁ । ବିରୋଧ କରିଥିଲେ ଅତ୍ୟାଚାରକୁ, ସେଥିପାଇଁ ବିଭିନ୍ନ ସମୟରେ, ବିଭିନ୍ନ ସ୍ଥାନରେ ପୋଲିସ୍‌ ଗୁଳିରେ ପ୍ରାଣତ୍ୟାଗ କରିଥିଲେ । ସେଇ ସହିଦମାନଙ୍କର ଆତ୍ମୋତ୍ସର୍ଗ ଫଳରେ ମୁକ୍ତିର ସୂର୍ଯ୍ୟ ଉଇଁଥିଲା ଅନ୍ଧାରୀ ମୁଲକରେ । ନାଗରିକ ଅଧିକାର ମିଳିଥିଲା, ଦାୟିତ୍ୱମୂଳକ ଶାସନ ବି ଆସିଥିଲା, ନୂଆ ଯୁଗ ଆରମ୍ଭିଥିଲା ।

 

ଏସବୁ ବେଶୀଦିନ ତଳର କଥା ନୁହେଁ । ୧୯୩୮ରୁ ୧୯୪୨ ମଧ୍ୟରେ । ଦେଶ ସ୍ଵାଧୀନ ହେଲାଣି ପଚାଶବର୍ଷ ହେଲା । ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଗଲାଣି । ଦେଶର କୋଣ ଅନୁକୋଣରେ ସହିଦ ହୋଇଥିବା ସଂଗ୍ରାମୀମାନଙ୍କ ନାମରେ ସ୍ମୃତି ଫଳକ, ସଭା ସମିତି, ଅନୁଷ୍ଠାନମାନ ଅନୁଷ୍ଠିତ ହେଉଛି । ସହିଦନଗରର ଏହି ଷୋଳଜଣ ସହିଦମାନଙ୍କ ମଧ୍ୟରୁ ବାଜିରାଉତଙ୍କୁ ବାଦ ଦେଲେ ଅନ୍ୟସମସ୍ତେ କାଳଗର୍ଭରେ ଉପେକ୍ଷିତ ହୋଇପଡ଼ିଛନ୍ତି । ସେମାନଙ୍କର ସହିଦ-ସ୍ଥଳ ଅବା ଗ୍ରାମମାନଙ୍କରେ ପୂଜ୍ୟ-ପୂଜାର ବ୍ୟବସ୍ଥା କିଛି ନାହିଁ । ସହିଦ ସ୍ତମ୍ଭ କିମ୍ବା ସ୍ମୃତି ଫଳକଟିଏ ସେମାନଙ୍କ ପ୍ରତି ଉତ୍ସର୍ଗିତ ହୋଇପାରିନାହିଁ ଏ ଯାଏଁ ।

 

କାମାକ୍ଷାନଗରକୁ ଏବେ ସହିଦନଗର ନାମ ଦେବାପାଇଁ ଉଦ୍ୟମ ହେଉଛି । ଢେଙ୍କନାଳ ଗଡ଼ଜାତ ରାଜ୍ୟରେ ୧୯୩୮ ଠାରୁ ୧୯୪୭ ଯାଏଁ ତୁହାକୁ ତୁହା ଯେଉଁ ଗଣ-ଆନ୍ଦୋଳନ ହୋଇଥିଲା, ପ୍ରଜାମଣ୍ଡଳର ନେତୃତ୍ୱରେ ସେହି ଆନ୍ଦୋଳନରେ ଝାସ ଦେଇ ସହିଦ ହୋଇଥିଲେ ଏହି ଅଂଚଳର ଷୋଳଜଣ ସଂଗ୍ରାମୀ । ଏହି ପ୍ରବନ୍ଧରେ ଇତିହାସ ହାତଯୋଡ଼ି ନମସ୍କାର ଜଣାଉଛି ସେ ବୀର ସହିଦମାନଙ୍କୁ । ଗୁଳିକାଣ୍ଡର ବିବରଣୀ ପ୍ରଦତ୍ତ ହେଉଛି ପରମ କୃତଜ୍ଞତାର ସହିତ । ଅକଳନ ଶ୍ରଦ୍ଧାର ସହିତ । ସେମାନଙ୍କର ପିଲାମାନେ ଯେ ଯୁଗପୁରୁଷ ଓ ତ୍ୟାଗୀ, ସଂଗ୍ରାମୀମାନଙ୍କର ଦାୟାଦ, ତାହା ଅନ୍ତତଃ ଗର୍ବର ସହିତ କହିପାରିବେ ଏବେ । ସେମାନଙ୍କର ଗ୍ରାମବାସୀମାନେ ଗର୍ବ କରିପାରିବେ । ସମ୍ମାନର ସହିତ ଠିଆ ହୋଇପାରିବେ ।

 

ଭୁବନ ଗୁଳିକାଣ୍ଡ

‘‘୧୯୩୮ ମସିହା ସେପ୍ଟମ୍ବର ମାସ ବାର ତାରିଖ ଦିନ ରାଜ୍ୟ-ପ୍ରଶାସନ ଏବଂ ଢେଙ୍କାନାଳର ପ୍ରଜାମାନଙ୍କ ମଧ୍ୟରେ ଖୋଲାଖୋଲି ସଂଘର୍ଷ ଆରମ୍ଭ ହୋଇଥି‌ଲା । ସହରରେ ଥିବା ଅଳସୁଆ ହାଟ ଗୁଳିକାଣ୍ଡ ସମୟରେ ଗୁଳିରେ କେହି ପ୍ରାଣ ହାରିନଥିଲେ । ସେଇ ଦିନୁ ଦମନର ନୃଶଂସଲୀଳା ଆରମ୍ଭ ହେଲା । ଭୁବନ ଗୁଳିକାଣ୍ଡ ଏହାର ପ୍ରଥମ ପର୍ବ । ପରେ ଏହି ଅଂଚଳରେ ଆଉ ପାଞ୍ଚଟି ଜାଗାରେ ଗୁଳିଚାଲିଥିଲା ।

 

ଭୁବନ ଓଡ଼ିଶାର ଏକ ସର୍ବବୃହତ ଗ୍ରାମଃ ଅନେକ ପଣ ଓ ପାଟଣାକୁ ନେଇ ମୌଜାଟି ଗଠିତ । ବ୍ୟବସାୟୀମାନଙ୍କର ଗ୍ରାମ । ସେମାନେ ଘୋର ଅସନ୍ତୋଷ ମଧ୍ୟରେ ଥିଲେ ନାନା କାରଣରୁ । ଅକ୍ଟୋବର ମାସ ଦଶ ତାରିଖର ମଧ୍ୟରାତ୍ରି । ପୁଲିସ ଅଫିସର ବିନୟ ଘୋଷଙ୍କ ନେତୃତ୍ୱରେ ୪୦ ଜଣ ସଶସ୍ତ୍ର ପୋଲିସ ଭୁବନ ଗ୍ରାମରେ ପଶି ଆଠଜଣ ଲୋକଙ୍କୁ ଗିରଫ କରି ଥାନାକୁ ନେଇଗଲେ । ଭୀଷଣ ମାଡ଼ ହେଲା ସେମାନଙ୍କ ଉପରେ । ବୀରଭୂମି ଭୁବନ । ଲୋକମାନେ ଏ ଅତ୍ୟାଚାର ନିଜ ଆଖି‌ରେ ଦେଖି‌ ସହିପାରିଲେ ନାହିଁ । ଥାନା ଘେରାଉ କଲେ ସେମାନେ । ଗୁଳି ଚାଲିଲା ପୋଲିସ ତରଫରୁ ଅହିଂସ, ଶାନ୍ତିପୂର୍ଣ୍ଣ ଘେରାଉ ଉପରକୁ ।

 

ଗୁଳି ଚୋଟରେ ଗୁଳିମାଡ଼ ସ୍ଥାନରେ ସହିଦ ହେଲେ ଭୁବନ କାପୁଡ଼ିଆ ସାହିର ଗୁରି ନାୟକ । ତାଙ୍କ ମୁଣ୍ଡରେ ଗୁଳିମାଡ଼ ହୋଇଥି‌ଲା । ରଘୁନାୟକଙ୍କ ସାହୁଘର ପାଟଣାର । ତାଙ୍କ ଛାତିରେ ଗୁଜି ବାଜିଥି‌ଲା । କଟକ ଡାକ୍ତରଖାନା ଯିବା ବାଟରେ ଚଉଷଠି ପଡ଼ା ଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥି‌ଲା । ଏ ଦୁଇ ଜଣ ସହିଦ ହୋଇଥିଲେ ଭୁବନ ଗୁଳିକାଣ୍ଡରେ । ଗୁଳିମାଡ଼ରେ ଆହତ ହୋଇଥି‌ଲେ ଆଠଜଣ । ମଧୁ ସାହୁ ଘର ସାନପାଟଣା । ବାଇଧର ବେହେରା, ଘର ସାନପାଟଣା, ରତନ ନାୟକ ଘର ଘାସିରାମ ପାଟଣା । ଦଧି ସାହୁ ଘର ଘାସିରାମ ପାଟଣା, କାଠି ସାହୁ ଘର ଘାସିରାମ ପାଟଣା, ନଟବର ଦାସ ଗ୍ରାମ ଭଭିତିରିଆ ପାଟଣା, ନାରଣ ସାହୁ ଘର ଭିତିରିଆ ପାଟଣା ଏବଂ ବସନ୍ତ ସାହୁ ଘର ପୁଷ୍ଟି ପାଟଣା । ସମସ୍ତ ଆହତ ବ୍ୟକ୍ତି କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଅକର୍ମଣ୍ୟ ହୋଇ ଯାଇଥି‌ଲେ ଗୁଳିମାଡ଼ରେ ।

 

ନୀଳକଣ୍ଠପୁର ଗୁଳିକାଣ୍ଡ

ଭୁବନ ଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ରାମ ନୀଳକଣ୍ଠପୁର । ବ୍ରାହ୍ମଣୀ ନଦୀ କୂଳରେ । ଭୁବନର ଗୁଳିକାଣ୍ଡପରେ ବିନୟ ଘୋଷଙ୍କ ପୁଲିସ ଦଳ ପଳାର ଆସିଲେ ନଦୀପାର ହୋଇ ଢେଙ୍କାନାଳ ଗଡ଼କୁ ଫେରିଯିବା ପାଇଁ । ଭୁବନର କ୍ରୁଦ୍ଧ ଜନତା ସେମାନଙ୍କ ପଛରେ ମହୁମାଛିପରି ଗୋଡ଼େଇ ଥି‌ଲେ । ନୀଳକଣ୍ଠପୁର ନଦୀ ଘାଟକୁ ପ୍ରଜାମଣ୍ଡଳ ଲୋକେ ଅବରୋଧ କରି ରଖି‌ନେଲେ । ଡଙ୍ଗାରେ ପୋଲିସ୍‌ଦଳକୁ ପାର ହେବାକୁ ଦେଲେ ନାହିଁ । ପୋଲିସ୍‌ ରକ୍ତମୁଖା ଗୁଳି ଚଳାଇଲା । ଆଖି‌ବୁଜା ଗୁଳି । ଘଟଣା ସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ । ସେ ସହିଦମାନେ ହେଲେ - ବାଜି ରାଉତ, ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଳିକ, ନଟ ମଳିକ ଏବଂ ଫଗୁ ସାହୁ । ଏମାନେ ସମସ୍ତେ ନୀଳକଣ୍ଠପୁର ଗ୍ରାମର । ସହିଦମାନଙ୍କର ଶବ ଜେନାପୁର ବାଟେ କଟକ ନିଆଯାଇ ସେଠାରେ ଖାନ୍‌ନଗର ଶ୍ଵଶାନ ଘାଟରେ ଦାହ କରାଗଲା । କବି ଶଚ୍ଚି ରାଉତରାଏ ଲେଖି‌ଲେ ଅମର କାବ୍ୟ ବାଜି ରାଉତଙ୍କୁ ନେଇ । ବାଜି ରାଉତ ହେଲେ କିମ୍ବଦନ୍ତୀ । ଏହି ଗୁଳିକାଣ୍ଡ ଘଟିଥି‌ଲା ଅକ୍ଟୋବର ଏଗାରରେ ।

 

ନୀଳକଣ୍ଠପୁର ଗୁଳିକାଣ୍ଡରେ ଆହତ ବ୍ୟକ୍ତିମାନେ ହେଲେ ସାତଜଣ । ସମସ୍ତେ ନୀଳକଣ୍ଠପୁର ଗ୍ରାମର । ସେମାନଙ୍କର ନାମ ଭାବ ସାହୁ, ଗୁରୁବାରି ସାହୁ, ଭାସ୍କର ସାହୁ, ଘନ ସାହୁ, ଗଙ୍ଗାଧର ସାହୁ, ନରହରି ସାହୁ ଓ ଧନୀ ସାହୁ, ସମସ୍ତେ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥି‌ଲେ । ଅକର୍ମଣ୍ୟ ହୋଇଥି‌ଲେ ଗୁଳିର ଆଘାତରେ ।
 

ତୁମୁସିଂହା ଗୁଳିକାଣ୍ଡ

୧୯୩୮ ମସିହା ଅକ୍ଟୋବର ଏକୋଇଶି ତାରିଖ ସକାଳ ନଅଟା ସମୟ । କମଗରା ଘାଟି ପାଖରୁ କିଛି ଦୂରରେ ଏହି ଗାଁଟି । ପାଖରେ ସିରିମୂଳା ପଡ଼ାଗ୍ରାମ । ଏହି ଦିନ ପୋଲିସ ଅଫିସର ସଦାନନ୍ଦ ତ୍ରିପାଠୀଙ୍କ ନେତୃତ୍ୱରେ ଓ ମଢ଼ି ଏସ.ଡି.ଓ. ଗୋବିନ୍ଦ ମହାପାତ୍ରଙ୍କ ଅଧୀନରେ ଦଳେ ସଶସ୍ତ୍ର ପୋଲିସ ପ୍ରବେଶ କଲେ ସିରିମୂଳା ଗ୍ରାମରେ ରାଜଭକ୍ତ (Loyality ticket) ନେବା ପାଇଁ ସେଠାର ଲୋକମାନଙ୍କୁ କୁହାଗଲା । ସେମାନେ ଆଗଭର ହେଲେ ନାହିଁ ଏଥି‌ପାଇଁ । ମାଡ଼ ହେଲା, ତାପରେ ଲାଠିମାଡ଼ । ଲୋକେ ଛିନ୍‌ଛତ୍ର ହୋଇ ପଳାଇବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ କେତେକ ପୋଲିସ୍‌ବାହିନୀ ଉପରକୁ ଟେକାମାଡ଼ କଲେ । ପୋଲିସ୍‌ଗୁଳି ଚଳେଇଲା । ଗୁଳିରେ ପ୍ରାଣ ହାରିଲେ ଚାରିଜଣ । ସେମାନେ ହେଲେ ଦାସିଆ ସାହୁ, ଗ୍ରାମ - ସରିମୂଳା, ନରହରି ତନ୍ତି ଗ୍ରାମ - ସିରିମୂଳା, ଶମ୍ଭୂ ନାୟକ ଗ୍ରାମ - ତୁମୁସିଂହା ଏବଂ ଦୀନା ବେହେରା ଗ୍ରାମ – ସିରିମୂଳା-। ସମସ୍ତେ ଗୁଳିମାଡ଼ ସ୍ଥାନରେ ମୃତ ।

 

ଆହତ ହୋଇଥି‌ଲେ ସାତ ଜଣ । ସେମାନଙ୍କର ନାମ - ମଂଗୁଳୁ ସାହୁ । ଗ୍ରାମ –ସିରିମୂଳା-। କାଳିଆ ନାହାକ ଗ୍ରାମ - ସିରିମୂଳା, ଗନ୍ଧର୍ବ ନାୟକ ଗ୍ରାମ - ତୁମୁସିଂହା ମାଗତା ମାଝି ଗ୍ରାମ - ତୁମୁସିଂହା, କୃଷ୍ଣ ବେହୁରା ଗ୍ରାମ - ତୁମୁସିଂହା, ବଳଭଦ୍ର ସାହୁ ଗ୍ରାମ - ପୁଟସାହି, ମଙ୍ଗୁଳୁ ଦେହୁରୀ ଗ୍ରାମ ପୁଟ ସାହି । ସମସ୍ତେ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ, ବିକଳାଙ୍କ ହୋଇଥିଲେ-

 

କୁଟୁମୁଣ୍ଡା ଗୁଳିକାଣ୍ଡ

ସମୟ ୧୯୩୮ ମସିହା ନଭେମ୍ବର ମାସ ଦୁଇ ତାରିଖ । କୁଟୁମୁଣ୍ଡା ଏକ ହରିଜନ ଗ୍ରାମ-। ପାଣ ଜାତିର ଲୋକମାନଙ୍କର ଗ୍ରାମ । ପ୍ରଜାମଣ୍ଡଳର ପାଣ୍ଠି ସଂଗ୍ରହ ପାଇଁ ତାଳଚେର ରାଜ୍ୟର ଏକ ଗ୍ରାମରେ ଚୋରୀ କରିଥିବାର ଅଭିଯୋଗରେ ପୋଲିସ୍‌ ପହଞ୍ଚିଲେ ଗ୍ରାମରେ । ଲୋକମାନଙ୍କୁ ଗିରଫ କରି ଭୀଷଣ ମାଡ଼ ଦେଲେ । ଲୋକେ ବିରୋଧ କଲେ ଏ ଅତ୍ୟାଚାରର । ଗୁଳି ଫାଏର ହେଲା, ଗୁଳିମାଡ଼ ସ୍ଥାନରେ ସହିଦ ହେଲେ ସେହି ଗ୍ରାମର କାଶି ନାୟକ ଏବଂ ଧୋବେଇ ନାୟକ । ଆହତ ହୋଇଥି‌ଲେ ଯଦୁ ନାୟକ ଏବଂ ରସାନନ୍ଦ ନାୟକ ।

 

କନ୍ଦରସିଂହା ଗୁଳିକାଣ୍ଡ

୧୯୩୮ ମସିହା ନଭେମ୍ବର ମାସ ଏଗାର ତାରିଖ ଦିନ କନ୍ଦରସିଂହା ଗ୍ରାମରେ ସ୍ଵୟଂ ରାଜା ସାହେବ ନିଜର କର୍ମକର୍ତ୍ତାମାନଙ୍କ ଗହଣରେ ଗ୍ରାମରେ ବିଜେ ହେଲେ, ଗ୍ରାମରେ ପ୍ରଜାମଣ୍ଡଳର ଗୋଟିଏ ସ୍ଵେଚ୍ଛାସେବୀ ତାଲିମ କେନ୍ଦ୍ର ଚାଲିଥି‌ବାରୁ ରାଜ-ରୋଷ ଏଠାରେ ପ୍ରକଟିତ ହେଲା । ରାଜଭକ୍ତ ଟିକଟ ନେବାପାଇଁ ଲୋକମାନଙ୍କୁ କୁହାଗଲା । ଲୋକ ରାଜି ହେଲେ ନାହିଁ । ମାଡ଼ ଆରମ୍ଭ ହେଲା, ଲୋକେ ବିରୋଧ କଲେ ଅତ୍ୟାଚାରକୁ, ଗୁଳି ଚାଲିଲା । ଗୁଳିମାଡ଼ରେ ସହିଦ ହେଲେ ନାଥ ବିଶ୍ଵାଳ, କାଳିଆ ବିଶ୍ଵାଳ, ପଦନ ବିଶ୍ଵାଳ, ସମସ୍ତେ ଗୁଳିମାଡ଼ ସ୍ଥାନରେ ମୃତ । ସମସ୍ତେ କନ୍ଦରସିଂହା ଗ୍ରାମର ଲୋକ ।

 

ଗୁଳିମାଡ଼ରେ ଆହତ ହୋଇଥି‌ଲେ ସୁଦର୍ଶନ ବିଶ୍ଵାଳ, ଗ୍ରାମ କନ୍ଦରସିଂହା, ଅନୁଗୁଳ ଡାକ୍ତରଖାନରେ ଚିକିତ୍ସିତ ହୋଇଥି‌ଲେ ସେ ।

 

ମୁକ୍ତିତୀର୍ଥ ଜହ୍ନାପଡ଼ା

ଜହ୍ନାପଡ଼ା ଗ୍ରାମ ପରଜଙ୍ଗ ଥାନାଠାରୁ କିଛି ଦୂରରେ । କାମାକ୍ଷାନଗର ସବଡିଭିଜନରେ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କର ଡାକରାରେ ଭାରତ ଛାଡ଼ ଆନ୍ଦୋଳନର ଆରମ୍ଭ, କର ବା ମର ଆହ୍ୱାନ ଦେଇଥି‌ଲେ ମହାତ୍ମା ଗାନ୍ଧୀ । ଏହି ଆହ୍ୱାନରେ ପ୍ରଚୋଦିତ ହୋଇ ବୈପ୍ଲବ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯ ଜଣ ସଂଗ୍ରାମୀ ମଢ଼ି (କାମାକ୍ଷାନଗର) ଥାନା କଚେରୀ ଆଦି ଅଗଷ୍ଟ ୨୬ ତାରିଖରେ ଦଖଲ କରି ସମସ୍ତ ସରକାର । କାର୍ଯ୍ୟାଳୟ ପୋଡ଼ି ଧ୍ୱଂସ କରି ଦେଇଥି‌ଲେ । ତାପରେ ଏକ ସ୍ଵାଧୀନ ସରକାର ସ୍ଥାପନ ହେବା ଘୋଷଣା କରି ସେ ଅଂଚଳର ପ୍ରାୟ ଏକ ହଜାର ବର୍ଗ କିଲୋମିଟର ଇଲାକା ଅଧିକାର କରି ପରଜଙ୍ଗ ଥାନା ଦଖଲ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ସହ ସଦଳବଳେ ଯାତ୍ରା କରୁଥି‌ଲେ । ସେମାନଙ୍କ ପାଖରେ ବନ୍ଧୁକ ଗୁଳି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା ହଜାର ହଜାର ଲୋକ ଏହି ସ୍ୱାଧୀନ ସେନା ବାହିନୀରେ ଯୋଗ ଦେଇଥି‌ଲେ ।

 

୧୯୪୨ ମସିହା ସେପ୍ଟେମ୍ବର ଚାରି ତାରିଖରେ ଜହ୍ନାପଡ଼ା ଗ୍ରାମର ଏକ ଆମ୍ବ ବଗିଚା ଦେଇ ସ୍ୱାଧୀନ ସେନାନୀ ଯାତ୍ରା କରୁଥି‌ଲା ବେଳେ ରାଜ୍ୟ ପୋଲିସ୍‌ଦଳ ସହ ସମ୍ମୁଖ ସଂଗ୍ରାମର ସମ୍ମୁଖୀନ ହୋଇଥିଲା । ଯୁଦ୍ଧହେଲା ସେଠାରେ ଦୀର୍ଘ ଚାରିଘଣ୍ଟା କାଳ । ଏହି ଯୁଦ୍ଧରେ ସହିଦ ହେଲେ ଦୁଇଜଣ - ତୋରଡ଼ାନାଳୀ ଗ୍ରାମର ବୀର ସାହୁ ଏବଂ କୁସୁମୁଣ୍ଡିଆ ଗ୍ରାମର ବେଣୁ ସାହୁ ସେମାନେ ସେଇ ରକ୍ତ ରଞ୍ଜିତ ଭୂମିରେ ପ୍ରାଣ ପାତ କରି ସହିଦ ହୋଇଗଲେ । ମୁକ୍ତିର ଦ୍ୱାର ଉନ୍ନୋଚନ କରି । ଆହତ ହୋଇଥି‌ଲେ ବୈଷ୍ଣବ ପଟ୍ଟନାୟକ ନିଜେ ଏବଂ ସାଥୀ । ତୀର୍ଥବାସୀ ସାହୁ । ଦିବାକର ବିଶ୍ଵାଳଙ୍କର ସତ୍ତା ମିଳିନାହିଁ ଏପର୍ଯ୍ୟନ୍ତ ।

 

ଜହ୍ନାପଡ଼ା ଯୁଦ୍ଧ କ୍ଷେତ୍ର ସ୍ଵାଧୀନ ଭାରତର ମୁକ୍ତି ସଂଗ୍ରାମରେ ଏକ ରକ୍ତତୀର୍ଥ ଭାବରେ ଜଣାଶୁଣା । ଏହାପରେ ଆଉ ସଶସ୍ତ୍ର ସଂଗ୍ରାମ କରିବା ଦରକାର ପଡ଼ିନାହିଁ । ଗଣମୁକ୍ତ ମହାଆନ୍ଦୋଳନର ଯଜ୍ଞଶାଳାରୁ ଯେଉଁ ମନ୍ତ୍ରଧ୍ୱନି ଉଚ୍ଚାରିତ ହେଲା ତାହା ମୁକ୍ତିର ପଥ ପରିଷ୍କାର କଲା । ପ୍ରଜାଆନ୍ଦୋଳନର ଏହା ଅନ୍ତିମ ପର୍ବ । ସଫଳ ପର୍ବ ।

 

କାରାଗାରରେ ମୃତ ବ୍ୟକ୍ତିମାନେ

ଏହାଛଡ଼ା କାମାକ୍ଷାନଗର ଅଂଚଳର ଦୁଇଜଣ ସଂଗ୍ରାମୀ ଢେଙ୍କାନାଳ ଜେଲ୍‌ରେ ଅତ୍ୟାଚାରରେ ପୀଡ଼ିତ ହୋଇ ସହିଦ ହୋଇଥି‌ଲେ । ନୀଳକଣ୍ଠପୁର ଗ୍ରାମର ଦୀନା ମଳିକ ୯.୪.୩୯ ତାରିଖରେ ପ୍ରାଣ ତ୍ୟାଗ କରିଥିଲେ । ସେହିପରି ବାଘମୁଣ୍ଡା ଗ୍ରାମର ଲୋଚନ ସିଂହ ୧୯.୨.୪୫ ତାରିଖରେ କାରାଗାର ମଧ୍ୟରେ ସହିଦତ୍ୱ ଲାଭ କରିଥି‌ଲେ ।

 

ଉପସଂହାର: ଦୁର୍ବଳ ଶ୍ରେଣୀର ସହିଦ ଉପେକ୍ଷିତ :

ଅଠର ଜଣ ଏହି ସହିଦମାନଙ୍କର ପରିଚୟରୁ ଜଣାଯାଏ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମାଜର ନିମ୍ନ ଶ୍ରେଣୀର ଲୋକ । ଆଦିବାସୀ ହରିଜନ ଓ ପଛୁଆ ସାମାଜିକ ବର୍ଗର ଲୋକମାନେ ସେମାନଙ୍କର ଅଶିକ୍ଷା ଓ ଦାରିଦ୍ର୍ୟ ସତ୍ତ୍ଵେ ଭୟ ଓ ସଂକୋଚ ତ୍ୟାଗ କରି ସାମନ୍ତବାଦୀ ତାନାଶାହୀର ଯେପରି ବିରୋଧ କରିଥି‌ଲେ ତାହା ଅସାଧାରଣ ଆଶ୍ଚର୍ଯ୍ୟଜନକ ।

 

ଅଥଚ ସେମାନଙ୍କର ସ୍ମୃତି ପ୍ରତି ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରକଟ କରାଯାଇ ପାରିନାହିଁ ଏ ଯାବତ୍‌ । ସେମାନଙ୍କ ପାଇଁ ସ୍ମୃତି ଫଳକଟିଏ କି ସ୍ମୃତି ସ୍ତମ୍ଭଟିଏ ହୋଇନାହିଁ । କେତେ ଅକୃତଜ୍ଞ ଆମ୍ଭେମାନେ ଓ ଆମର ନେତୃତ୍ୱ ।

 

***

 

ଓଡ଼ିଆ ଲୋକନାଟ୍ୟ ପରଂପରାରେ ସୁଆଙ୍ଗ: ଏକ ଦୃଷ୍ଟିପାତ

ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ

 

ଓଡ଼ିଆ ଲୋକନାଟ୍ୟ ପରଂପରାରେ ସୁଆଙ୍ଗ ଏକ ବଳିଷ୍ଠ ଲୋକନାଟ୍ୟ ଶୈଳୀ ଭାବରେ ପ୍ରତିପାଦିତ ହୋଇଅଛି । ସୁଆଙ୍ଗ କେବଳ ଓଡ଼ିଆ ଲୋକନାଟ୍ୟରେ ନୁହେଁ, ଓଡ଼ିଆ ଲୋକସାହିତ୍ୟର ଏକ ବଳିଷ୍ଠ ଅଙ୍ଗ ବା ଉପାଦାନ ଭାବେ ବିବେଚିତ ହୋଇ ଆସିଅଛି । ସୁଆଙ୍ଗର ପ୍ରାଚୀନତା ସଂପର୍କରେ ଡକ୍ଟର କାଳୀ ଚରଣ ପଟ୍ଟନାୟକ ସୁଆଙ୍ଗକୁ ନାଟକର ପୂର୍ବବର୍ତ୍ତୀ ବୋଲି ଦର୍ଶାଇ କହନ୍ତି - ‘‘ଲୀଳା, ସୁଆଙ୍ଗ ଓ ଗୀତିନାଟ୍ୟ ଆଦି ଆଜିର ରଂଗମଂଚର ସୃଷ୍ଟିକର୍ତ୍ତା ।’’ (୧) କିନ୍ତୁ ଡକ୍ଟର ମାୟାଧର ମାନସିଂହ କହନ୍ତି - ‘‘ଆଦିମତମ ଗଣନାଟ୍ୟ ବୋଧହୁଏ ସୁଆଙ୍ଗ’’ (୨)

 

ଅଷ୍ଟମ - ନବମ ଶତକରେ ଚର୍ଯ୍ୟାଗୀତିକାରେ ସୁଆଙ୍ଗର ପରିଚୟ ମିଳୁଥିଲେ ହେଁ ଅଷ୍ଟାଦଶ-ଊନବିଂଶ ଶତାବ୍ଦୀରେ ଏହା ବିଶେଷ ଭାବରେ ପ୍ରଚାରିତ ପ୍ରସାରିତ ଜଣାପଡ଼େ ।

 

ସୁଆଙ୍ଗର ଧାରା ଓ ପରଂପରା ଓଡ଼ିଶାରେ ବିଶେଷ ଭାବେ ପରିଦୃଷ୍ଟ ହେଉଥି‌ଲେ ହେଁ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହା ଦେଖି‌ବାକୁ ମିଳେ । ବିଶେଷ କରି ଉତ୍ତରପ୍ରଦେଶ ଓ ପଂଜାବରେ ଏହାର ପ୍ରଚାର ଓ ପ୍ରସାର ପରିବ୍ୟାପ୍ତ ହୋଇଅଛି । ତେଣୁ ସୁଆଙ୍ଗ କେବଳ ଓଡ଼ିଆ ଲୋକନାଟ୍ୟ ପରଂପରାରେ ନୁହେଁ, ଭାରତୀୟ ଲୋକନାଟ୍ୟ ଧାରାରେ ଏକ ବଳିଷ୍ଠ ସ୍ଥାନ ଅଧିକାର କରିଅଛି ।

 

ସୁଆଙ୍ଗ ଶବ୍ଦର ସୃଷ୍ଟି ସଂପର୍କରେ ଆଲୋଚକମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରନ୍ତି । କେତେକ ସଂସ୍କୃତ ଶବ୍ଦ ସ୍ଵଙ୍ଗ୍‍ରୁ ସୁଆଙ୍ଗ ଶବ୍ଦର ଉତ୍ପତ୍ତି କହୁଥି‌ଲା ବେଳେ ଆଉ କେହି କେହି ‘ଶୋଭାଙ୍ଗ’ ଶବ୍ଦର ସୁଆଙ୍ଗ ଶବ୍ଦ ସୃଷ୍ଟି ହୋଇଛି ବୋଲି ମତ ପ୍ରଦାନ କରିଛନ୍ତି । ପାତଞ୍ଜଳି ତାଙ୍କ ରଚନାରେ ‘ଶୌଭନିକ’ ବା ‘ଶୌଭିକ’ ଶବ୍ଦରୁ ସୁଆଙ୍ଗ ସୃଷ୍ଟି ହୋଇଛି ବୋଲି କହିଥି‌ବା ସ୍ଥଳେ ଆଉ କେହି ଶୃଙ୍ଗାର ଶବ୍ଦରୁ ସୁଆଙ୍ଗ ଶବ୍ଦ ସୃଷ୍ଟି ହୋଇଛି ବୋଲି କହିଥାନ୍ତି । ଏତଦ୍‌ବ୍ୟତୀତ ସାଙ୍ଗ ଶବ୍ଦରୁ ସୁଆଙ୍ଗ ଶବ୍ଦ ଗୃହୀତ ବୋଲି କିଏ କହେତ, (ସୁ+ଅଙ୍ଗ) ସୁଅଙ୍ଘ ଶବ୍ଦରୁ ସୁଆଙ୍ଗ ଶବ୍ଦ ସୃଷ୍ଟି ହୋଇଛି ବୋଲି କିଏ କିଏ ମତ ପ୍ରକାଶ କରନ୍ତି ।

 

ଏତେ ସବୁ ମତ ପ୍ରାର୍ଥକ୍ୟ ସତ୍ତ୍ଵେ ସୁଆଙ୍ଗ ଯେ ବ୍ୟଙ୍ଗ ଓ ହାସ୍ୟରସ ପରିବେଷଣ ନିମନ୍ତେ ଏକ ସ୍ୱତନ୍ତ୍ର ନାଟ୍ୟରୀତି - ଏଥି‌ରେ ସନ୍ଦେହର ଅବକାଶ ନାହିଁ ।

 

ସୁଆଙ୍ଗର ବିଷୟବସ୍ତୁ ସଂପର୍କରେ ଡକ୍ଟର ମାୟାଧର ମାନସିଂହ କହନ୍ତି - ‘‘ଏହା କୌଣସି ଦେବଦେବୀଙ୍କୁ କେନ୍ଦ୍ର କରି ରଚିତ ହୋଇଥାଏ । ଲୀଳା, ସୁଆଙ୍ଗ ଓ ଯାତ୍ରା ବିଶେଷକରି ଲୀଳା ଓ ସୁଆଙ୍ଗ ବହୁ କାଳରୁ ଚଳି ଆସୁଥି‌ବାର ଅନୁମିତ ହୁଏ ।’’ (୩)

 

ସୁଆଙ୍ଗର ଲକ୍ଷଣ : ଜନସାଧାରଣଙ୍କ ଚିତ୍ତ ବିନୋଦନ ନିମନ୍ତେ ସୁଆଙ୍ଗର ଭୂମିକା ଅତ୍ୟନ୍ତ ଗୁରୂତ୍ୱପୂର୍ଣ । ସୁଆଙ୍ଗରେ ହାସ୍ୟରସର ଆଧିକ୍ୟ ହେତୁ ଏହାକୁ କେତେକ ପ୍ରହସନ ବୋଲି ମଧ୍ୟ କହିଥାନ୍ତି । ସୁଆଙ୍ଗର ଲକ୍ଷଣମାନ ପର୍ଯ୍ୟାୟକ୍ରମେ ଏଠାରେ ଆଲୋଚନା କରାଗଲା ।

 

(କ)

ହାସ୍ୟରସ ପରିବେଷଣ : ସୁଆଙ୍ଗର ପ୍ରଧାନ ଲକ୍ଷଣ ହେଲା ହାସ୍ୟରସ ପରିବେଷଣ । ଏହି ପ୍ରସଙ୍ଗରେ ବଙ୍ଗୀୟ ସମାଲୋଚକ ପ୍ରିୟରଂଜନ ସେନ୍‌ କହନ୍ତି ‘‘Swang is something different from Lila concerned not with any educational purpose but purely with the idea of amusement. It has more of the humourous side and little or nothing of the religious’’ (୪)

 

(ଖ)

ସୁଆଙ୍ଗରେ ଧାର୍ମିକତତ୍ୱ ବା ଆରାଧନା ଅତି ଅଳ୍ପ ଥାଏ ବା ନଥାଏ । ଲୀଳା ଓ ସୁଆଙ୍ଗ ମଧ୍ୟରେ ପ୍ରଭେଦ ପ୍ରସଙ୍ଗରେ ବଙ୍ଗୀୟ ସମାଲୋଚକ ପ୍ରିୟରଂଜନ ସେନ୍‌ ପୁନଶ୍ଚ କହନ୍ତି - ‘‘ଲୀଳା ଧାର୍ମିକ ଚିନ୍ତାଯୁକ୍ତ ସାତ୍ତ୍ୱିକ ଅଭିନୟ, ମାତ୍ର ସୁଆଙ୍ଗ ଧର୍ମଚିନ୍ତା ବିହୀନ ତାମସିକ ଅଭିନୟ । ଧାର୍ମିକଚିନ୍ତା ସୁଆଙ୍ଗ ପାଇଁ ଏକାନ୍ତ ଅପରିହାର୍ଯ୍ୟ ନୁହେଁ ।’’ (୫)

 

ଓଡ଼ିଆ ସୁଆଙ୍ଗରେ ଧର୍ମକଥା ଗୌଣଭାବେ ପ୍ରତିଫଳିତ ହୋଇଥି‌ବା ବେଳେ ପଂଜାବର ସୁଆଙ୍ଗରେ ଆଂଶିକ ଭାବେ ଧର୍ମୀୟ ଚେତନା ପ୍ରତିଫଳିତ ହୋଇଥିବା ସଙ୍ଗେ ସଙ୍ଗେ ସ୍ମରଣୀୟ ବୀରମାନଙ୍କର ଜୀବନ କାହାଣୀ ମଧ୍ୟ ସ୍ଥାନିତ ହୋଇଥାଏ । ଏହି ପ୍ରସଙ୍ଗରେ ଆଲୋଚକ ମହିନ୍ଦର ସିଂହଙ୍କ ଉକ୍ତି ଦ୍ରଷ୍ଟବ୍ୟ - ‘‘Swang is a sort of semi religious materials paly in which episodes from the lives of celebrated heroes are depicted.” (6)

 

(ଗ)

ବହୁ ସମୟରେ ସୁଆଙ୍ଗରେ ଭ୍ରମଣ କହାଣୀ ମଧ୍ୟ ବର୍ଣ୍ଣିତ ହୋଇଥାଏ ।

 

(ଘ)

ସୁଆଙ୍ଗରେ ଗୀତ ହିଁ ମୁଖ୍ୟସ୍ଥାନ ଅଧିକାର କରିଥାଏ । ବଚନିକା ନଥାଏ । ବିନା ପ୍ରସ୍ତୁତିରେ ଅଭିନେତାମାନେ ସଂଳାପ ଯୋଡ଼ି କହି ଦେଇଥାନ୍ତି । ସୁତରାଂ ସୁଆଙ୍ଗରେ ଶତକଡ଼ା ଶହେଭାଗ ଭାଗ ଗୀତ ସ୍ଥାନ ପାଇଥାଏ ।

 

(ଙ)

ସୁଆଙ୍ଗରେ ମଧ୍ୟ ସାମାଜିକ ସଂସ୍କାର ଅଣାଯାଇ ପାରେ । ଏହି ସୁଆଙ୍ଗ ମାଧ୍ୟମରେ ସମାଜର ନାନାଦି କଳଙ୍କ ଓ ତାର ଦୂରୀକରଣ ନିମନ୍ତେ ସ୍ଵର ଉତ୍ତୋଳନ କରାଯାଇଥାଏ । ଏହି ପ୍ରସଙ୍ଗରେ ଆଲୋଚକ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ଯଥା - “ନିମ୍ନ ସ୍ତରୀୟ ସମାଜର ଚିତ୍ର ଏହି ସୁଆଙ୍ଗ ବହନ କରିଥାଏ । ବିଶେଷତଃ ସମାଜର ଯାହା ଏକ କଳଙ୍କ ତାହା ଏଥି‌ରେ ବ୍ୟଙ୍ଗାତ୍ମକ ଭାବରେ ହାସ୍ୟରସ ପରିବେଷଣ କରି ଏହି ସାମାଜିକ କଳଙ୍କ ବା ସମସ୍ୟାର ସମାଧାନ ପାଇଁ ସାହାଯ୍ୟ କରିଥାଏ ।’’ (୭)

 

ସୁଆଙ୍ଗର ଏହି ଲକ୍ଷଣମାନ କ୍ରମଶଃ ପରିବର୍ତ୍ତନ ହେଉଅଛି । କେତେକ ପୂର୍ବଲକ୍ଷଣ ଲୋପ ପାଉଛି ତ ପୁଣି ସମାଜରେ ପରିବର୍ତ୍ତନ ସଙ୍ଗେ ସଙ୍ଗେ କେତେକ ନୂତନ ଲକ୍ଷଣ ସଂଯୋଜିତ ହେଉଅଛି ।

 

ସୁଆଙ୍ଗର ଭାଷା : ସାଧାରଣତଃ ସୁଆଙ୍ଗର ଭାଷା ଅତ୍ୟନ୍ତ ସରଳ ଓ ସର୍ବଜନ ବୋଧଗମ୍ୟ । ଏଥି‌ରେ ଅଯଥା କ୍ଲିଷ୍ଟ ବା ଜଟିଳ ଶବ୍ଦର ବ୍ୟବହାର କରାଯାଏ ନାହିଁ, ବରଂ ଅତ୍ୟନ୍ତ ରସାଳ ଶବ୍ଦବିନ୍ୟାସରେ ସୁଆଙ୍ଗ ରସୋତ୍ତୀର୍ଣ୍ଣ ହୋଇଥାଏ । ଉଦାହରଣ ସ୍ୱରୂପ :

 

“ଭାଙ୍ଗିଲି କୁଣ୍ଡା ପଥୁରୀ ବୋଲୁଥାଏ

      ଭାଙ୍ଗିଲି କୁଣ୍ଡା ପଥୁରୀ

ଏମନ୍ତ ବୋହୂକୁ ବାଛି ବିଭା କଲୁ

      ନିପଟ ହେଂସ ମୁତୁରୀ ।

କାଟିଲି କଦଳୀ ମଂଜି ବୋଲୁଥାଇ

      କାଟିଲି କଦଳୀ ମଂଜି

କି କହିବି ବାପ କହିବାକୁ ଲାଜ

ମୂଳରୁ ନିପଟ ବାଂଝି । (୮)

 

ରସ ପରିବେଷଣ : ସୁଆଙ୍ଗରେ ମୁଖ୍ୟତଃ ହାସ୍ୟରସ ପରିବେଷଣ ହେଉଥିଲେ ମଧ୍ୟ ଶୃଙ୍ଗାର, ବୀର ଓ କରୁଣ ରସ ପରିବେଷିତ ହୋଇଥାଏ । ବେଳେ ବେଳେ ଏହି ରସମାନଙ୍କ ମଧ୍ୟରେ ଶୃଙ୍ଗାର ରସର ଆଧିକ୍ୟ ପରିଦୃଷ୍ଟ ହୁଏ, ଏପରିକି ତାହା ସମୟ ସମୟରେ ଅଶ୍ଳୀତାରେ ପରିଗଣିତ ହୋଇଥାଏ । ଯଥା -

 

‘‘ଗଜକୁମ୍ଭ ପରାୟେ ଦିଶିବ ଯୋଡ଼ାସ୍ତନ

ବୃଦ୍ଧାକାଳେ ତରୁଣୀ ହେବ ନବ ଯୌବନା

ବିନୋଦ ଗୀତ ଭଣେ ।’’ ଇତ୍ୟାଦି (୯)

 

ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ ଦଣ୍ଡନାଟକୁ ଓଡ଼ିଶାର ଆଦିମ ସୁଆଙ୍ଗ ବୋଲି କେତେକ ମତ ପ୍ରଦାନ କରିଛନ୍ତି । ସାରଳା ଦାସଙ୍କ ରଚିତ ଲକ୍ଷ୍ମୀ ନାରାୟଣୀ ବଚନିକାକୁ ଆଲୋଚକ ଡକ୍ଟର ବଂଶୀଧର ମହାନ୍ତି ସୁଆଙ୍ଗ ବୋଲି ଅଭିହିତ କରି ଅଛନ୍ତି । ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣକୁ ଏକ ସୁଆଙ୍ଗ ବୋଲି ଡକ୍ଟର ମାୟାଧର ମାନସିଂହ ତାଙ୍କ ଓଡ଼ିଆ ସାହିତ୍ୟର ଇତିହାସରେ ଉଲ୍ଲେଖ କରିଛନ୍ତି । ଏସବୁ ମତାମତ ସତ୍ତ୍ୱେ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୂ ଯାହାକୁ ସୁଆଙ୍ଗ ବୋଲି ଆଖ୍ୟା ଦିଆଯାଉଛି, ପ୍ରକୃତରେ ତାହା ସୁଆଙ୍ଗ ପରିବେଷଣ ଉଦ୍ଦେଶ୍ୟରେ ରଚିତ ହୋଇନଥିଲା । ଅଷ୍ଟାଦଶ ଊନବିଂଶ ଶତାବ୍ଦୀରେ ହିଁ ସୁଆଙ୍ଗ ପରିବେଷଣ ଉଦ୍ଦେଶ୍ୟରେ ସୁଆଙ୍ଗ ରଚିତ ହେଲା ।

 

ଓଡ଼ିଶାର ସୁଆଙ୍ଗ ରଚୟିତାମାନଙ୍କ ମଧ୍ୟରେ କୃପାସିଂଧୁ ମିଶ୍ର, ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ, ଗିରିଧାରୀ ବେହେରା, ବୈଷ୍ଣବ ପାଣି, ତ୍ରିଲୋଚନ ରାୟଗୁରୁ, ଧ୍ରୁବ ବାରିକ, ବାଳକୃଷ୍ଣ ମହାନ୍ତି ଓ ମାଗୁଣି ସାହୁ ଆଦିଙ୍କ ନାମ ଉଲ୍ଲେଖ ଯୋଗ୍ୟ । ଏହି ସୁଆଙ୍ଗକାରମାନେ ବହୁ ସୁଆଙ୍ଗ ରଚନା କରି ଓଡ଼ିଆ ଲୋକନାଟ୍ୟ କଳାକୁ ସମୃଦ୍ଧ କରି ଯାଇଛନ୍ତି-

 

ସୁଆଙ୍ଗର ଦ୍ୱାରୀ ବା ଦୁଆରୀ ଭୂମିକା ଅତ୍ୟନ୍ତ ଚମତ୍କାର ଭାବେ ଚିତ୍ରିତ ହୋଇଥାଏ । ଯଥା -

 

‘‘ଦ୍ୱାରୀ ଆସେ ଧାଇଁ ଧାଇଁ

      ଭାତ ଖାଇ ନାହିଁ

'ଭାରିଜା ମୋହର ଅତି ସୁକୁମାର

      ଘରେ ଦଣ୍ଡେ ନରୁହଇ ।’’ (୧୦)

 

‘‘ଊନବିଂଶ ଶତାବ୍ଦୀରେ ଜଗନ୍ନାଥ ପାଣି କେଳାକେଲୁଣୀ ବାବୁବାବୁଆଣୀ, ଇତ୍ୟାଦି କେତେକ ସୁଆଙ୍ଗ ରଚନା କରିଥି‌ଲେ ? ବୋଲି ୰ପଣ୍ଡିତ ନୀଳମଣି ମିଶ୍ର ଉଲ୍ଲେଖ କରିଛନ୍ତି । (୧୧)

 

୧୮୯୯ରେ ତ୍ରିଲୋଚନ ରାୟଗୁରୁ ‘ବଳିବାମନ’ ସୁଆଙ୍ଗ ରଚନା କରିଥି‌ଲେ । ଏହି ବଳିବାମନରେ ଦୂଆରୀ ମୁଖରେ ବେଶ୍‌ହାସ୍ୟରସ ଫୁଟାଇ ପାରିଛନ୍ତି ।

 

ସୁଆଙ୍ଗରେ ସାଧାରଣତଃ ପାତ୍ରପାତ୍ରୀମାନେ ନିଜର ପରିଚୟ ନିଜେ ଦେଇ ବିଷୟବସ୍ତୁର ଆବଶ୍ୟକୀୟ ସଂଳାପ ଗୀତରେ ପରିବେଷଣ କରିଥାନ୍ତି । ଯଥା -

 

‘‘ଆସିଲେ କାଶ୍ୟପ ମୁନି ହୋ

      ବାନ୍ଧି ଡୋର କଉପୁନୀ

ମସ୍ତକରେ ଜଟା ହସ୍ତରେ ଚିମୁଟା

      ବିଧିସୁତ ବ୍ରହ୍ମଜ୍ଞାନୀ ହୋ । ୧୨।

 

ସୁଆଙ୍ଗକାର ଧ୍ରୁବବାରିକ ତ୍ରିଲୋଚନ ରାୟଗୁରୁଙ୍କ ଦ୍ୱାରା ଅତି ନିବିଡ଼ ଭାବରେ ପ୍ରଭାବିତ ହୋଇଛନ୍ତି ।।୧୩। ତେଣୁ ଧ୍ରୁବ ବାରିକଙ୍କ ଦୁଆରୀ ରାୟଗୁରୁଙ୍କ ଦୁଆରୀର ଅବିକଳ ଅନୁରୂପ ହୋଇଅଛି । ଧ୍ରୁବ ବାରିକ ୧୯୧୧ରେ ‘‘ଲକ୍ଷ୍ମୀ ଲକ୍ଷ ବିନ୍ଧା’’ ସୁଆଙ୍ଗ ରଚନା କରିଥି‌ଲେ । ୧୯୧୨ରେ ମାଗୁଣି ସାହୁଙ୍କର ତ୍ରିନାଥ ମେଳା ସୁଆଙ୍ଗ ରଚିତ ହୋଇଥିଲା । ଉକ୍ତ ରଚନାଟିରେ ସେ ହିନ୍ଦୀ ଓ ଉର୍ଦ୍ଦୁ ଭାଷା ପ୍ରୟୋଗ କରି ସୁଆଙ୍ଗଟିକୁ ବେଶ୍‌ ଲୋକପ୍ରିୟ କରାଇ ପାରିଥିଲେ । ଯଥା -

 

“ବଡ଼ ମଜା ସେ ଚଲେ ଜମାଦାର

      କାନେ ତ କଲମ କାଠି

ହାତେ ମେ ଦବାତ୍‌ ବାଟି

      କାହିଁ ସିଆ ଓ ବେଟା ଚୌକିଦାର ।’’

 

ସୁତରାଂ ମାଗୁଣି ସାହୁଙ୍କ ଦୁଆରୀ ରାୟଗୁରୂ ଓ ଧ୍ରୁବ ବାରିକଙ୍କ ଦୁଆରୀଠାରୁ ଅଧିକ ହାସ୍ୟରସିକ ଭାବେ ଚିତ୍ରିତ । ୧୯୨୮ରେ ଗୋପାଳ ଦାସଙ୍କ ରଚିତ ସୁଆଙ୍ଗ ଅତ୍ୟନ୍ତ ଚମତ୍କାରିତା ସୃଷ୍ଟି କରି ପାରିଥି‌ଲା । ଏହାପରେ ଗଣକବି ବୈଷ୍ଣବ ପାଣିଙ୍କ ‘ଜଳନ୍ଧର ବଧ’ ଓ ଅନ୍ୟାନ୍ୟ ସୁଆଙ୍ଗରେ କେତେକ ପରିବର୍ତ୍ତନ ଘଟିଥି‌ଲା । ବୈଷ୍ଣବ ପାଣିଙ୍କ ଦୁଆରୀ ଚରିତ୍ର ଅନ୍ୟମାନଙ୍କ ଦୁଆରୀଠାରୁ ଅଧିକ ହାସ୍ୟଯୁକ୍ତ ଏବଂ ରଚିତ୍ର ଚିତ୍ରଣ ଅଧିକ ବିକଶିତ । ଗୋପାଳ ଦାସଙ୍କ ଦୁଆରୀର ଗୀତ ବୈଷ୍ଣବ ପାଣିଙ୍କ ଦୁଆରୀ ଗୀତର ନିକଟବର୍ତ୍ତୀ ।

 

ଠିକ୍‌ ସେହି ସମୟରେ ଅନ୍ୟ ଏକ ସୁଆଙ୍ଗକାର ଦ୍ୱାରିକାନାଥ ମହାପାତ୍ରଙ୍କ ଡଗର ଦୁଆରୀର ଭୂମିକା ଗ୍ରହଣ କରିଛି । କିନ୍ତୁ ବାଳକୃଷ୍ଣ ମହାନ୍ତି ଏ ପ୍ରକାର ପ୍ରବାହରୁ ମୁକ୍ତ ହୋଇ ଦୁଆରୀକୁ କର୍ତ୍ତବ୍ୟନିଷ୍ଠ ଦୂତରେ ପରିଣତ କରିଅଛନ୍ତି ।

 

ଏତଦ୍‌ବ୍ୟତୀତ ଏହାର ପରବର୍ତ୍ତୀ ଅବସ୍ଥାରେ ଆଧୁନିକ ନାଟ୍ୟକାରମାନଙ୍କ ମଧ୍ୟରେ ନାଟ୍ୟକାର ରାମଶଙ୍କର ରୀୟ, ଅଶ୍ଵିନୀ କୁମାର ଘୋଷ, କବିଚନ୍ଦ୍ର କାଳୀଚରଣ ପ୍ରମୁଖ ନାଟକ ରଚନା ବେଳେ ହାସ୍ୟରସ ସୃଷ୍ଟି ନିମନ୍ତେ ସୁଆଙ୍ଗ ଉପରେ ନିର୍ଭର କରିଥିବାର ଜଣାଯାଏ । କବିଚନ୍ଦ୍ରଙ୍କ ‘ହରଣ ଚାଲ’ ନାଟକରେ ଜ୍ୟୋତିଷ ଓ ଦୀସୀଙ୍କ ଉକ୍ତି ପ୍ରତ୍ୟୁକ୍ତିକୁ ସୁଆଙ୍ଗ ଆଖ୍ୟା ଦିଆଯାଇ ପାରେ ।

 

ଏହି ଆଲୋଚକ ମଧ୍ୟ ବହୁ ନାଟକ ଗୀତିନାଟ୍ୟ ରଚନା କରିଅଛନ୍ତି । ସେହି ଗୀତିନାଟ୍ୟର ପ୍ରହରୀ ଓ ଡଗର ଚରିତ୍ରମାନେ ସୁଆଙ୍ଗର ଦ୍ୱାରୀ ଚରିତ୍ରର ଖୁବ୍‌ ନିକଟବର୍ତ୍ତୀ ।

୧୯୮୫ ମସିହାରେ ସ୍ଵର୍ଗତ ଧୀରେନ୍‌ ଦାସ ମଧ୍ୟ ‘ହୀରାହଂସ’ ନାମରେ ଏକ ଚମତ୍କାର ସୁଆଙ୍ଗ ରଚନା କରିଥି‌ଲେ । ଏହାର ପ୍ରୟୋଗ ଶୈଳୀ ମଧ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଏହା ମଧ୍ୟ ହିନ୍ଦୀ ଭାଷାରେ ରୂପାନ୍ତରିତ ଓ ଏହା ଓଡ଼ିଶା ତଥା ଓଡ଼ିଶା ବାହାରେ ବହୁବାର ଅଭିନୀତ ହୋଇ ବେଶ୍‌ ଲୋକପ୍ରିୟତା ଅର୍ଜନ କରି ପାରିଥିଲା । ନିଜେ ସୁଆଙ୍ଗକାର ସ୍ଵର୍ଗତ ଧୀରେନ୍‌ ଦାସ ଦୁଆରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସାର୍ଥକ ଅଭିନୟ କରୁଥି‌ବାର ଦୃଶ୍ୟ ଏହି ଆଲୋଚକ ଦେଖି‌ବାର ସୌଭାଗ୍ୟ ଅର୍ଜନ କରିଅଛି ।

 

ଡକ୍ଟର କୁଂଜ ବିହାରୀ ଦାସଙ୍କ ମତରେ - ‘‘ପରେ ସୁଆଙ୍ଗ ଲୀଳାର ଅନ୍ତର୍ଭୁକ୍ତ ହୋଇଗଲା-। ସାମାଜିକ ଚରିତ୍ରମାନଙ୍କୁ ସୁଆଙ୍ଗ କୁହା ଯାଉଥି‌ଲା । ତତ୍ପରେ ସୁଆଙ୍ଗ ଯାତ୍ରା ବା ‘ଲୀଳା’ ଅର୍ଥରେ ବ୍ୟବହୃତ ହେଲା । ଏହା ଗୀତ ବହୁଳ ।’’ । ୧୪ ।

 

ସୁତରାଂ ଓଡ଼ିଆ ଲୋକନାଟ୍ୟ ପରଂପରାରେ ସୁଆଙ୍ଗର ଅବଦାନ ଅନୁପେକ୍ଷଣୀୟ । ଓଡ଼ିଆ ନାଟକରେ ଯେତେ ପରୀକ୍ଷା ନିରୀକ୍ଷା ହୋଇ ଅଭିନବ ରୂପ ଗ୍ରହଣ କଲେ ମଧ୍ୟ ସୁଆଙ୍ଗର ଜନପ୍ରିୟତା କସ୍ମିନ୍‌ କାଳେ ହରାଇ ବସିବ ନାହିଁ । କେବଳ ଓଡ଼ିଆ ଲୋକନାଟ୍ୟ ପରଂପରାରେ ନୁହେଁ, ସମଗ୍ର ଭାରତୀୟ ଲୋକନାଟ୍ୟ ପରଂପରାରେ ସୁଆଙ୍ଗ ଯେ ଏକ ବଳିଷ୍ଠ ସ୍ଥାନ ଅଧିକା କରେ, ଏଥିରେ ସଂଦେହର ଅବକାଶ ନାହିଁ ।

 

ପାଦଟୀକା :

୧.

କୋଣାର୍କ - ୬ଷ୍ଠ ବର୍ଷ ପ୍ରଥମ ସଂଖ୍ୟା, ୧୯୭୧, ପୃ - ୧୮ ।

୨.

ଓଡ଼ିଆ ସାହିତ୍ୟର ଇତିହାସ - ଡକ୍ଟର ମାୟାଧର ମାନସିଂହ, ଗ୍ରନ୍ଥ ମନ୍ଦିର, କଟକ- ୨ ଦ୍ୱିତୀୟ ମୁଦ୍ରଣ - ୧୯୭୬, ପୃ - ୩୨୧.

୩.

ଓଡ଼ିଆ ସାହିତ୍ୟର ଇତିହାସ, ଡଃ ମାୟାଧର ମାନସିଂହ, ଗ୍ରନ୍ଥ ମନ୍ଦିର, କଟକ, ଦ୍ୱିତୀୟ ମୁଦ୍ରଣ - ୧୯୭୬, ପୃ - ୩୨୧.

୪.

Modern Oriya Literature, Edition - 1947, Page - 105 & 106.

୫.

Modern Oriya Literature, Edition - 1947, Page - 105.

୬.

Folklore of Punjab - Surinder Singh, Bedi National Book Trust of India, New Delhi, 1971- Page - 120. .

ସୁଆଙ୍ଗ ପ୍ରସଙ୍ଗ - ଡକ୍ଟର ମନୀନ୍ଦ୍ର ମହାନ୍ତି, ଅଭିନବ ଆଲୋଚନା ପ୍ରବାହ (୧ମ ଭାଗ), ସଂପାଦନା - ଡଃ ଉପେନ୍ଦ୍ର ପ୍ରସାଦ ନାୟକ, ନବରାଗ ପ୍ରକାଶନୀ, ଭୁବନେଶ୍ୱର - ୧୯୮୩, ପୃ -୭୨।।

କେଳାକେଲୁଣୀ ସୁଆଙ୍ଗ (ବଚନିକା ଓ ମୁଲକ ଫେରି) ୫ମ ପ୍ରକାଶନ, ଶ୍ରୀ ନୀଳମଣି ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରେସ୍‌, ବ୍ରହ୍ମପୁର ।

ବଇଦ ସୁଆଙ୍ଗ - ବଟକୃଷ୍ଣ ଦେଙ୍କ ଦ୍ୱାରା ସଂଶୋଧିତ ଓ ପ୍ରକାଶିତ, ବିନୋଦ ପ୍ରେସ୍‌- ବାଲେଶ୍ଵର ୧୯୦୧, ପୃଷ୍ଠା - ୯ ।

୧୦

ସୁଭଦ୍ରା ହରଣ ସୁଆଙ୍ଗ - ଭିକାରୀ ନାୟକ

୧୧

ଦକ୍ଷଯଜ୍ଞ ଗୀତୀଭିନୟ - ଜଗନ୍ନାଥ ପାଣି, ସଂପାଦନା; ପଣ୍ଡିତ ନୀଳମଣି ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର - ୧୯୭୮ (ଭୂମିକା) ପୃ - ୧୦ ।

୧୨

ସମାଲୋଚନା - ଡଃ କୁଂଜ' ବିହାରୀ ଦାସ, ବିଶ୍ଵଭାରତୀ ୧୯୬୨ -ପୃ ୧୦୨।

୧୩

ଓଡ଼ିଆ ନାଟକ ଓ ରଂଗମଂଚ - କାଳିନ୍ଦୀ ବେହେରା, ପ୍ରକାଶକ - ଫ୍ରେଣ୍ଡସ୍‌ ପବ୍ଲିସର୍ସ, ବିନୋଦ ବିହାରୀ, କଟକ - ୧୯୭୮, ପୃ - ୧୬ ।

୧୪

ସମାଲୋଚନା - ଡଃ କୁଂଜ ବିହାରୀ ଦାସ, ବିଶ୍ୱଭାରତୀ, ଶାନ୍ତି ନକେତନ - ୧୯୬୨, ପୃ -୧୦୮।

 

 

ଆସୋସିଏଟ୍‌ ପ୍ରଫେସର

ଡକ୍ଟର ଅଭିନ୍ନଚନ୍ଦ୍ର ହୋମିଓ ପାଥି‌କ

ମେଡିକାଲ୍‌ କଲେଜ

ଭୁବନେଶ୍ଵର

 

***

 

Unknown

ପ୍ରଥମ ଓଡ଼ିଆ ଉପନ୍ୟାସ

ଡକ୍ଟର କଇଳାଶ ପଟ୍ଟନାୟକ

 

ସୌଦାମିନୀ (୧୮୭୮), ଓଡ଼ିଆବୀର (୧୮୮୪), ମୂଲିଆଧନ (୧୮୮୪), ଅନାଥିନୀ (୧୮୮୫) ଓ ମଠର ସମ୍ବାଦ (୧୮୮୬) ଆଦି କଥା - ପରଂପରାର କମ ପରିଣାମ - ପଦ୍ମମାଳୀ (୧୮୮୮) । ଓଡ଼ିଆ ଉପନ୍ୟାସ ସୃଜନର ଧାରାବାହିକ ସଚେତନ ପ୍ରୟାସ ୧୮୭୮ ମସିହାରୁ ଉତ୍କଳ ମଧୁପ, ମାସିକ ପତ୍ରିକାର ପ୍ରକାଶନ ସହ ଆରମ୍ଭ ହୋଇଥିଲା । ଏହି ପତ୍ରିକାରେ ସୌଦାମିନୀ ଧାରାବାହିକ ଭାବେ ପ୍ରକାଶିତ ହେଉଥି‌ଲା । ୧୮୮୮ ମସିହା ପୂର୍ବରୂ କୌଣସି ପତିକା ପୂର୍ଣ୍ଣାଙ୍ଗଭାବେ କୌଣସି ଉପନ୍ୟାସ ମୁଦ୍ରିତ କରିବା ପାଇଁ ସମର୍ଥ ହୋଇନଥି‌ଲା । ମଧୁପ, ପ୍ରଦୀପ ଆଦିର ସ୍ଵଳ୍ପଜୀବନ କାଳ ଭିତରେ ଓଡ଼ିଆ ଉପନ୍ୟାସର ପ୍ରାଥମିକ ରଚନାଗୁଡ଼ିକ ମଧ୍ୟ ଅସଂପୂର୍ଣ୍ଣ ହୋଇ ରହିଯାଇଥିଲା । ପତ୍ରିକା-ନିର୍ଭରଶୀଳତାକୁ ପରିହାର କରି ପଦ୍ମମାଳୀ ପୁସ୍ତକରୂପରେ ୧୮୮୮ ମସିହା ଅକ୍ଟୋବର ମାସରେ ଢେଙ୍କାନାଳରୁ ପ୍ରକାଶିତ ହେଲା । ପଦ୍ମମାଳୀ ସହ ଦୃଶ୍ୟହେଲା ଓଡ଼ିଆରେ ଉପନ୍ୟାସର ପୂର୍ଣ୍ଣାବୟବ ରୂପ ।

 

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧ ଥିଲା ନୂଆନୂଆ ପାଶ୍ଚାତ୍ୟ ରଚନା-ରୂପରେ (Literary form) ଭାରତୀୟ ଭାଷା ଗୁଡ଼ିକରେ ସାହିତ୍ୟ ରଚିତ ହେବାର କାଳ । ସେଇ ଉଦ୍ୟମ ଓ ଆଗ୍ରହର ଅନ୍ୟତମ ଉତ୍କଳୀୟ ରୂପ - ପଦ୍ମମାଳୀ ।

 

ପଦ୍ମମାଳୀ ରଚନା କରିବାକୁ ଉମେଶଚନ୍ଦ୍ର ସରକାର (୧୮୫୭-୧୯୧୪), ‘ଜନସମାଜର ପ୍ରୀତି ସମ୍ପାଦନ ଓ ଉତ୍କଳ ସାହିତ୍ୟର ଗୌରବବର୍ଦ୍ଧନକୁ ଲକ୍ଷ୍ୟକରି’ ଅନୁବ୍ରତୀ ହୋଇଥି‌ଲେ । ଏଥି‌ପାଇଁ ସେ ଏକ ଐତିହାସିକ ଘଟଣାକୁ ପୃଷ୍ଠଭୂମିରୂପେ ଗ୍ରହଣ କରିଛନ୍ତି । କାରଣସ୍ୱରୂପ ସେ ଲେଖଛନ୍ତି, ‘ଐତିହାସିକ ଘଟନାବଲମ୍ବିତ ହୋଇ କୌଣସି ଉପନ୍ୟାସ ଉତ୍କଳ ଭାଷାରେ ରଚିତ ହୋଇଥି‌ବାର ଆମ୍ଭଙ୍କୁ ଜଣାନାହିଁ । ପଦ୍ମମାଳୀରେ ଗୃହୀତ ଐତିହାସିକ ଘଟନା - ନୀଳଗିରିର ପାଞ୍ଚଗଡ଼ ଆକ୍ରମଣ ଓ କବତୀପଦା (କପ୍ତିପଦା) ରାଜାଙ୍କ ସହ ହରିବାବୁ ଆଦିଙ୍କର ନୀଳଗିରି ଆକ୍ରମଣ । ଏହି ‘ଆଂଚଳିକତା’ ହିଁ ଏହାର ବୈଶିଷ୍ଟ୍ୟ । ସୌଦାମିନୀ ଏକଦା ଆଲ୍ଲାଉଦ୍ଦୀନ ଖି‌ଲିଜୀଙ୍କ ଆକ୍ରମଣର ପୃଷ୍ଠଭୂମିରେ କଳ୍ପିତ ହୋଇଥିଲା, ପରବର୍ତ୍ତୀ ସମୟର ବିବାସିନୀ (୧୮୯୧) ମରହଟ୍ଟା କୃଶାସନ ଓ ଦୁର୍ଭିକ୍ଷର ଐତିହାସିକ ପଟ୍ଟଭୂମି ତଥା ଲଛମା (୧୯୦୧) ମରହଟ୍ଟା-ମୁସଲମାନ ବିବାଦର ଭିଭିଭୂମିରେ କଳ୍ପିତ । ପ୍ରାୟ ପ୍ରତିଟି ଓଡ଼ିଆ ଏତିହାସିକ ଉପନ୍ୟାସ, ଭାରତ ବା ଓଡ଼ିଶାର କୌଣସି ବିଶିଷ୍ଟ ସମୟକୁ ଗ୍ରହଣ କରି ରଚିତ । ପଦ୍ମମାଳୀ ପରି କ୍ୱଚିତ ଉପନ୍ୟାସ ‘ଆଂଚଳିକ’ ଇତିହାସକୁ ଭିତ୍ତି କରି ରଚିତ ହୋଇଛି । ଯେପରି, ଚକ୍ରଧର ମହାପାତ୍ରଙ୍କ (୧୯୦୮-୧୯୮୨) ବଳାଙ୍ଗୀ (୧୯୩୪) । ନରସିଂହପୁର ଗଡ଼ଜାତ - ଇତିହାସର ଏକାଂଶକୁ ଆଧାର କରି ଏହି ଉପନ୍ୟାସ ପରିକଳ୍ପିତ । ଐତିହାସିକ ଉପନ୍ୟାସ ରଚନାର ପ୍ରାକ୍‌କାଳରେ ଆଂଚଳିକ ଇତିହାସକୁ ଗୁରୁତ୍ୱ ଦେଇ ସାହିତ୍ୟ-କଳା ମଣ୍ଡିତ କରି ଉପସ୍ଥାପନ କରି ଉମେଶ ଚନ୍ଦ୍ର ଅଦ୍ଭୁତ ସାହସ ଓ ପ୍ରତିଭାର ପରିଚୟ ଦେଇ ପାରିଛନ୍ତି ।

 

ଐତିହାସିକ ଉପନ୍ୟାସରେ ଇତିହାସ ଓ ଉପନ୍ୟାସ-କଳା ସମଧିକ ଗୁରୁତ୍ୱ ପାଏ । ଇତିହାସର ତଥ୍ୟ ଉପରେ କଳ୍ପନାର ପୁଟ ଦିଆଯାଏ । ଏଥି‌ପାଇଁ ଇତିହାସ ଜ୍ଞାନସହ ସଚେତନତା ମଧ୍ୟ ଆବଶ୍ୟକ । ପଦ୍ମମାଳୀର ଦ୍ୱିତୀୟ ସଂସ୍କରଣରେ (୧୯୧୨) ଉମେଶଚନ୍ଦ୍ର ନିଜର ଏ ସଂପର୍କୀୟ ସଚେତନତାକୁ ସ୍ପଷ୍ଟକରି ଲେଖି‌ଛନ୍ତି । ଏ ସକଳ ବର୍ଣ୍ଣନାରେ ଏକପକ୍ଷରେ ଯେପରି ଇତିହାସର ଏକ ବର୍ଣ୍ଣର ଅପଳାପ କରିନାହୁଁ ଅନ୍ୟପକ୍ଷରେ ପାଠକଙ୍କର ଚିତ୍ତରଞ୍ଜନ କରିବାକୁ ‘ସମଧିକଯତ୍ନବାନ୍‌’ ହୋଇଅଛୁଁ । ଲେଖକଙ୍କର ଏପରି ‘ସମଧିକଯତ୍ନବାନ୍‌’ ହେବା ଫଳରେ ପଦ୍ମମାଳୀ - ଐତିହାସିକ ଘଟଣା ଘନଘଟା ସହିତ ଚରିତ୍ରମାନଙ୍କର ଭାବ-ତୀବ୍ରତାକୁ ସହଜଭାବେ ଫୁଟାଇପାରିଛି । ଦୁର୍ଯ୍ୟୋଧନ, ପଦ୍ମମାଳୀ ଓ ମହନ୍ତ ରାମାନୁଜ ଦାସ ପରି କାଳ୍ପନିକ ଚରିତ୍ରଗୁଡ଼ିକ ଐତିହାସିକ ଚରିତ୍ରର ଭ୍ରାନ୍ତି ସୃଷ୍ଟି କରୁଛି । ବହୁ କାଳ୍ପନିକ ଚରିତ୍ର ଓ ଘଟଣାର ସୃଷ୍ଟି କଥାବସ୍ତୁ ଅନୁଯାୟୀ ସେମାନଙ୍କର ଯଥାଯଥ ଚିତ୍ରଣ ଦ୍ୱାରା ପଦ୍ମମାଳୀ ଏକ ମହାକାବ୍ୟିକ ବ୍ୟାପ୍ତି ଗ୍ରହଣ କରିଛି । ଉପନ୍ୟାସର ଏକାଦଶ (ନୀଳଗିରି ଇତିହାସ), ଦ୍ୱାବିଂଶ (ପାଞ୍ଚଗଡ଼ ଆକ୍ରମଣ), ଊନବିଂଶ (ରାଣୀଙ୍କର ପଳାୟନ), ଦ୍ୱାତ୍ରିଂଶ (ରିକେଟ୍‌ସଙ୍କ ବିଚାର) ଆଦି ପରିଚ୍ଛେଦ ଇତିହାସର ବିଷୟ ଆଧାରିତ । ଅପରଅଧ୍ୟାୟ ଗୁଡ଼ିକ ସୃଷ୍ଟିକରିଛି ଏହ ସୂତ୍ରର ସଂଯୁକ୍ତକାରୀ କାଳ୍ପନିକ କଥା-ବଳୟ । ପ୍ରସଙ୍ଗତଃ ସ୍ମରଣ କରାଯାଇ ପାରେଯେ, ପଦ୍ମମାଳୀରେ ପ୍ରଥମ କରି ‘ନୀଳଗିରିର ଇତିହାସ’ ଶୀର୍ଷକ ଅଧ୍ୟାୟରେ ନୀଳଗିରିର ଇତିହାସ ଓ ଉପନ୍ୟାସର ଖଳନାୟକ ଦୁର୍ଯ୍ୟୋଧନର ଜନ୍ମବୃତ୍ତାନ୍ତ ପ୍ରଦତ୍ତ । ଏହି ଦୁର୍ଯ୍ୟୋଧନକୁ ପ୍ରଥମରୁ ପାଠକ ତାର ବଦ୍‌ଆଚରଣ ଯୋଗୁଁ ଚିହ୍ନିପାରିଥାଏ । ଏକରୁ ଦଶମ ପରିଚ୍ଛେଦ ଯେଉଁ ଘଟଣା ଓ ଚରିତ୍ରମାନଙ୍କ ମାନସିକ ଅବସ୍ଥା ପ୍ରକାଶ କରିଛି, ଏକାଦଶ ପରିଚ୍ଛେଦ ସେସବୁରେ ଐତିହାସିକ-ପୁଟ ଦେଇଛି । ତେଣୁ ଇତିହାସ ଓ ସାହିତ୍ୟ, ସତ୍ୟ ଓ କଳ୍ପନା ଏଠାରେ କଳାତ୍ମକ ଭାବେ ଏକୀଭୂତ । ପରବର୍ତ୍ତୀ ସମୟରେ ଲଛମା (୧୯୦୧) ଓ ନୀଳଶୈଳ (୧୯୬୮) ଅନୁରୂପ କଳାସଂଯୁକ୍ତି ଫଳଭାବେ ବିଧୃତ କରିପାରିଛି ।

 

ଘଟଣାର ସଜ୍ଜୀକରଣରେ ଉମେଶଚନ୍ଦ୍ର ଯଥେଷ୍ଟ ଯତ୍ନବାନ୍‌ । ଐତିହାସିକ ଓ କାଳ୍ପନିକ ଘଟଣାର ଏପରି ବିନ୍ୟାସ କରିଛନ୍ତି ଯେ, ଆମୂଳାନ୍ତ ଉପନ୍ୟାସଟି ଆକର୍ଷଣୀୟ ହୋଇପାରିଛି । ଉପନ୍ୟାସର କଥାବସ୍ତୁରେ ଆସିଛି ବିସ୍ତୃତି ଓ ଫୁଟି ଉଠିଛି ତାର ବିଭୂତି । ଉଦାହରଣତଃ କୁହାଯାଇପାରେ, ‘ଜାଗରଯାତ୍ରା’ ଶୀର୍ଷକ ପ୍ରଥମ ପରିଚ୍ଛେଦରେ ପଦ୍ମମାଳୀ ହୋଇଛି ଅପହୃତା । ପରବର୍ତ୍ତୀ ନଅଟି ପରିଚ୍ଛେଦ ଏହି ଘଟଣାର ଅନୁସରଣରେ ବିନ୍ୟସ୍ତ । ଏକାଦଶ ପରିଚ୍ଛେଦଟି (ନୀଳଗିରିର ଇତିହାସ) ଉପନ୍ୟାସର ପୃଷ୍ଠଭୂମି ରଚନା କରିବା ବେଳେ ଦ୍ୱାଦଶ ପରିଚ୍ଛେଦସ୍ଥ ଦୁର୍ଯ୍ୟୋଧନର ପଦ୍ମମାଳୀ ପ୍ରତି ବିବାହେଚ୍ଛା ଉପନ୍ୟାସକୁ ଅନ୍ୟଏକ ମୋଡ଼ ଦିଏ । ଏହି ଅବସ୍ଥାକୁ ଅଧିକତର ଘନୀଭୂତ, ଦ୍ୱନ୍ଦସଂକୁଳ ଓ ଦୁର୍ଯ୍ୟୋଧନକୁ ପ୍ରତିଶୋଧ ପରାୟଣ କରାଏ ଉନବିଂଶ ପରିଚ୍ଛେଦର ପରୀକ୍ଷିତ ସିଂହଙ୍କ ସହ ପଦ୍ମମାଳୀର ନିର୍ବନ୍ଧ । ଦ୍ଵାବିଂଶ ପରିଚ୍ଛେଦରେ ପଦ୍ମମାଳୀର ଦ୍ୱିତୀୟଥର ଅପହରଣ, ଅଷ୍ଟବିଂଶ ପରିଚ୍ଛେଦ ବଳବନ୍ତରାର ପ୍ରାୟଶ୍ଚିତ୍ତ ଆଦି ମାଧ୍ୟମରେ ନୂତନ ନୂତନ ସମସ୍ୟା ଓ ତା’ର ପ୍ରତିକାର ଚେଷ୍ଟା ଭିତରେ ଉପନ୍ୟାସଟି ଚିତ୍ତାକର୍ଷକ ଓ ଗତିଶୀଳ ହୋଇପାରିଛି । କଥାବସ୍ତୁର ସର୍ବତ୍ର ଏହି ଭାବତୀବ୍ରତା ଅନୁଭବ୍ୟ ।

 

କଥାବସ୍ତକୁ ପ୍ରତିନିୟତ ଆକର୍ଷକ କରି ଗଢ଼ିବାର ଅପରଏକ କୌଶଳ ହେଉଛି - ଗୁରୁତର ଘଟଣା ବା ଘଟଣା ପ୍ରବାହପରେ ଲଘୁ ଘଟଣାର ଚିତ୍ରଣ । ପଦ୍ମମାଳୀର ଅପହରଣ ଆଦିପରେ ଦୁର୍ଯ୍ୟୋଧନର ବଳବନ୍ତରାୟକୁ ଦୁଇବିଧା କଷିଦେବା, ଦୁର୍ଯ୍ୟୋଧନର ପଦ୍ମମାଳୀ ପ୍ରତି ବିବାହେଚ୍ଛା ଓ ପଦ୍ମମାଳୀର ଅସୁସ୍ଥତା ପରେ ପରେ ବୈଦ୍ୟମାନଙ୍କର ଚିତ୍ରଣ ଏହାର ପ୍ରକୃଷ୍ଟ ଉଦାହରଣ । ପଦ୍ମମାଳୀ ଯେତେବେଳେ ଘୋରତର ପୀଡ଼ାରେ ମରଣମୁଖୀ, ନାୟିକାର ଏ ପ୍ରକାର ବେଦନାରୋପରେ ଉପନ୍ୟାସର କାହାଣୀ ଯେତେବେଳେ ରୁଦ୍ଧପ୍ରାୟ ସମଗ୍ର ପରିବେଶ ଯେତେବେଳେ ଉଦାସ ଗମ୍ଭୀର, ସେତେବେଳେହିଁ ତ୍ରୟୋଦଶ ଓ ଚତୁର୍ଦ୍ଦଶ ପରିଛେଦରେ ବୈଦ୍ୟମାନଙ୍କର ପଦ୍ମମାଳୀର ପୀଡ଼ାବିଚାର ପରିପ୍ରେକ୍ଷୀରେ ଆତ୍ମପ୍ରୌଢ଼ୀ ପ୍ରଖ୍ୟାପନ ଉପନ୍ୟାସର କାହାଣୀରେ ଏକ ନୂଆ ସ୍ୱାଦୁ ଦେଇ ପାରିଛି ।

 

ମୟୂରଭଂଜର ରାଜବୈଦ୍ୟ ଅନେକକ୍ଷଣ ସ୍ନାୟୁପୀଡ଼ନକରି କହିଲେ, ନା, ଏ ମଜ୍ଜାଗତ ଜ୍ୱର ନୁହେଁ । ମୁଁ ଦେଖୁଛି ଏ ଅସ୍ଥିଗତ ଜ୍ୱର । ତୁମ୍ଭେ ନିଦାନ ପଢ଼ିନାହଁ । ତୁମ୍ଭେ ଯେ ରୂପ ନିର୍ଣ୍ଣୟ କରୁଅଛ ତଦନୁରୂପ ଚିକିତ୍ସା କଲେ ଗୋବିନ୍ଦଚନ୍ଦ୍ର ମର୍ଦ୍ଧରାଜ କାହିଁକି, ପୃଥିବୀର ସମୁଦାୟ ଛତ୍ରପତିଙ୍କୁ ସ୍ଵର୍ଗପ୍ରାପ୍ତି କରାଇ ପାରିବ ।

 

ନୀଳଗିରିର ରାଜବୈଦ୍ୟ କ୍ରୂଦ୍ଧ ହୋଇ କହିଲେ, କି ! ମୁଁ ମହେଶ୍ଵର ସାର୍ବଭୌମଙ୍କର ପୌତ୍ର, ବିଘ୍ନେଶ୍ଵର ବୈଦ୍ୟରାଜଙ୍କର ପୁତ୍ର, ଜମେଶ୍ୱର ତ୍ରିପାଠୀ ନିଦାନ ପଢ଼ିନାହିଁ ? ଓଡ଼ିଶାରୁ ବାଲେଶ୍ଵର ପର୍ଯ୍ୟନ୍ତ ମତେ କିଏ ନଜାଣେ ?

 

ଉଭୟଙ୍କର ଏ ବାଗ୍‌ବିତଣ୍ଡା ଦେଖି‌ ବାଲେଶ୍ୱରରୁ ଆସିଥିବା ନରସିଂହ ତିହାଡ଼ୀ କହିଥି‌ଲେ ‘ଆପଣମାନେ ବୈଦ୍ୟଶାସ୍ତ୍ରର ଏକବର୍ଣ୍ଣ ସୁଦ୍ଧା ପଢ଼ିନାହାନ୍ତି କାରଣ ଆମ୍ଭେ ଯେତେଦୂର ପରୀକ୍ଷା କରି ଦେଖୁଅଛୁଁ, ଏଜ୍ଜ୍ୱର ଚର୍ମଗତଜ୍ଜ୍ୱର ଅଟେ । ଆପଣମାନଙ୍କ ପରି ରାଜବୈଦ୍ୟଥି‌ଲେ ଗଡ଼ଜାତର ରାଜାମାନେ କାହିଁକି ଅକାଳେ ଯମପୁରୀକୁ ପ୍ରେରିତ ନ ହେବେ !’

 

ଏହାରି ମାଧ୍ୟମରେ ଉଦାସ ପାଠକ ମୁହଁରେ ହସଫୁଟେ । ରୁଦ୍ଧକାହାଣୀ ଧାରା ନୂଆଭାବେ ପ୍ରବାହିତ ହୁଏ । ଏହି ବର୍ଣ୍ଣନାର ପ୍ରାୟ ଦଶବର୍ଷପରେ ଛ’ମାଣ ଆଠଗୁଣ୍ଠ ଉପନ୍ୟାସରେ ଗୋପୀବୈଦ୍ୟଙ୍କ ‘ପାଣ୍ଡିତ୍ୟ’ ଓ ‘ରୋଗ ନିରୂପଣ କ୍ଷମତା’ର ନିଦର୍ଶନ ରାମଚନ୍ଦ୍ର ମଙ୍ଗରାଜଙ୍କ ମୃତ୍ୟୁକାଳୀନ ସ୍ଥିତିରେ ମୁକୁନ୍ଦା ଓ ବୈଦ୍ୟଙ୍କ କଥୋପକଥନ ମଧ୍ୟରେ ଯେପରି ଭାବେ ପ୍ରଦତ୍ତ, ତାହା ପଦ୍ମମାଳୀର ଉପରୋକ୍ତ ଅଧ୍ୟାୟଗୁଡ଼ିକର ବର୍ଣ୍ଣନାକୁ ସ୍ମରଣ କରାଇଦିଏ ।

 

ମୁକୁନ୍ଦା ଭକଭକ କରି କବିରାଜଙ୍କ ମୁହଁକୁ ଚାହିଁଥାଏ । ପଚାରିଲା, ‘କବିରାଜ କଣ ଦେଖି‌ଲେ ?’ କବିରାଜ ଗମ୍ଭୀର ଭାବରେ ସ୍ଥିର ହୋଇ ବସି କହିଲେ, ଏଁ ବୋଇଲା କଣ୍ଠାଶ୍ଳେଷ ପ୍ରଣୟିନୀ ଜନେ କିଂ ପୁନର୍ଜ୍ଜର ସଂସ୍ଥେ - ବୋଇଲା କଣ୍ଠରେତ ଶ୍ଲେଷ୍ଟା ଲାଗିଲେ ପ୍ରାଣ ଯାଏ, ସେ ପୁଣି ଦୂରକୁ ଚାଲିଗଲେ କଣ ହେବଟି ? ହେଲେ ମୁଁ କିଏମାନଙ୍କ (ଅନ୍ୟବୈଦ୍ୟମାନେ) ପରି ଅପାଠୁଆ କବିରାଜ ହୋଇଛି ?

 

ଉପନ୍ୟାସର ଚରିତ୍ର ଚିତ୍ରଣରେ ଉମେଶଚନ୍ଦ୍ରଙ୍କ ଏକ ବିଶେଷ ଉଦ୍ଦେଶ୍ୟ ପ୍ରାସଙ୍ଗିକ ଭାବେ ପ୍ରକାଶ ପାଇଥାଏ । ଉପନ୍ୟାସଟିର ପ୍ରାୟ ସକଳ ଚରିତ୍ର - ଟାଇପ୍‌ । ପ୍ରାୟ ପ୍ରତ୍ୟେକ ଅପରିବର୍ତ୍ତିତ-। ଭଲ ନଚେତ୍‌ ମନ୍ଦ । ଏମାନଙ୍କ ମଧ୍ୟରେ ସମଗ୍ର ଉପନ୍ୟାସରେ ଯେଉଁ ଚରିତ୍ର ସବୁଠୁ ବେଶୀ ଗୁରୁତ୍ଵ ପାଇଛି, ସେ ଦୁର୍ଯ୍ୟୋଧନ ଦାସ, ଉପନ୍ୟାସର ଖଳନାୟକ । ତାରି ବଦ୍‌ଆଚରଣ ଉପନ୍ୟାସର ଘଟଣା - ବିକାଶର ମୂଳସୂତ୍ର । ଧର୍ମ, ନୀତି, ଶୃଙ୍ଖଳା ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରି ଉମେଶ ଚନ୍ଦ୍ର ପଦ୍ମମାଳୀରେ ଦୁର୍ଯ୍ୟୋଧନ ପରି ପ୍ରତାପଶାଳୀ ବ୍ୟକ୍ତିକୁ ବାରମ୍ବାର ଅପଦସ୍ତ କରାଇଛନ୍ତି ଓ ଶେଷରେ ତାର ପତନ ଘଟାଇଛନ୍ତି । ପ୍ରାଚୀନ ଭାରତୀୟ ସାହିତ୍ୟ-ପରଂପରା ଦ୍ୱାରା ତାଙ୍କର ଏହି ଦୃଷ୍ଟି ଭଂଗୀ ନିୟନ୍ତ୍ରିତ । ପାପୀ ଓ ଦୁଷ୍ଟଶକ୍ତିର ଅବଦମନ ଦ୍ୱାରା ଧର୍ମ ବା ବିଧିକୁ ଉଚ୍ଚାସନ ଦିଆ ଯାଇଥାଏ । ଦୁର୍ଯ୍ୟୋଧନ ଏହି କାବ୍ୟିକ-ନ୍ୟାୟରେ ବିଚାରିତ-। ମାତ୍ର ତାର ଅନ୍ୟତମ ସାହାଯ୍ୟକାରି ବାଞ୍ଚାନିଧି ବଳବନ୍ତରାୟକୁ ସେ ପ୍ରଥମରୁ ଏକ ଖଳବ୍ୟକ୍ତି ଭାବେ ପରିଚିତ କରାଇ ଶେଷାଂଶରେ ତା’ର ମାନସିକ ପରିବର୍ତ୍ତନ ଘଟାଇଛନ୍ତି । ସେ ଅନୁଶୋଚନା କରିଛି ନିଜର କୁକର୍ମ ପାଇଁ । ସମଗ୍ର ଉପନ୍ୟାସରେ ସକଳ ଚରିତ୍ର ଅପରିବର୍ତ୍ତିତ ରହିଥି‌ବା ବେଳେ ବଳବନ୍ତରୀକୁ ଉମେଶଚନ୍ଦ୍ର କାହିଁକି ପରିବର୍ତ୍ତିତ ଓ ସାଧୁ କରି ଦେବାକୁ ଚାହିଁଲେ-? ଉପନ୍ୟାସର ଘଟଣା ଧାରାରେ ବଳବନ୍ତରାର ଏ ପରିବର୍ତ୍ତନ, ଅନୁଶୋଚନା ଆଦି ମୂଳରେ ରହିଛି ଉମେଶ ଚନ୍ଦ୍ରଙ୍କର ଏକ ନିଗୂଢ଼ ଉଦ୍ଦେଶ୍ୟ - ପଦ୍ମମାଳୀର ଦ୍ୱିତୀୟ ଅପହରଣ ଓ ତା’ର ବନ୍ଦୀ ଅବସ୍ଥାରେ ତା’କୁ ଉଦ୍ଧାର କରିବା ପାଇଁ ପରୀକ୍ଷିତ ସିଂହଙ୍କୁ ସାହାଯ୍ୟ କରିବ କିଏ ? କିଏ କହିବ ଦୁର୍ଯ୍ୟୋଧନ କେଉଁଠି ଲୁଚାଇରଖି‌ଛି ପଦ୍ମମାଳୀକୁ ? ପଦ୍ମମାଳୀକୁ ପରୀକ୍ଷିତ ସିଂହ ଆସି ପହଂଚିବା ଯାଏଁ ଦୁର୍ଯ୍ୟୋଧନ ହାତରୁ ନିରାପଦରେ ରଖି‌ବ କିଏ ? ଏଥି‌ପାଇଁ ଏପରି ଏକ ବ୍ୟକ୍ତି ଆବଶ୍ୟକ, ଯିଏ ଦୁର୍ଯ୍ୟୋଧନର ନିକଟତମ ହୋଇଥିବ ମାତ୍ର ତା’ର ବିରୁଦ୍ଧାଚରଣ ପାଇଁ ମଧ୍ୟ ପ୍ରସ୍ତୃତ ଥିବ - ଏପରି ବ୍ୟକ୍ତି ତ କେବଳ ବଳବନ୍ତରା !! ତେଣୁ ଉପନ୍ୟାସର ଉତ୍ତରାର୍ଦ୍ଧରେ କାବ୍ୟିକ-ନ୍ୟାୟ ପ୍ରତିଷ୍ଠା ଦୃଷ୍ଟିରୁ ବାଞ୍ଛାନିଧିର ଭୂମିକା ଗୁରୂତ୍ୱପୂର୍ଣ୍ଣ ।

 

ଆନ୍ତରିକ ବଚନ ଭଙ୍ଗୀ ମାଧ୍ୟମରେ ବକ୍ତବ୍ୟର ବିଶ୍ୱାସ୍ୟ ଉପସ୍ଥାପନ ଥିଲା ପ୍ରାଥମିକ ପର୍ଯ୍ୟାୟର ଉପନ୍ୟାସମାନଙ୍କର ଏକ ସାଧାରଣ ଧର୍ମ । ଏହା ଏକ ଧରଣର ରଚନା-କୌଶଳ । ଏହି ରଚନା କୌଶଳର ଆଦିତମ ନମୁନା ପଦ୍ମମାଳୀରେ ବିଦ୍ୟମାନ । ଦୁଇଟି ଉଦାହରଣ ନିଆଯାଉ -

 

(କ)

ତାହାଙ୍କ ପାର୍ଶ୍ଵରେ ଅବଲୋକନ କର । ଆମ୍ଭମାନଙ୍କ ସମ୍ମୁଖରେ ବିଦ୍ୟମାନ ଦୃଶ୍ୟ ପୁଣ୍ୟବାନ ପୁଣ୍ୟଚକ୍ଷୁରେ ଦେଖୁଥି‌ଲେ ଓ ପାପାସକ୍ତ ଦୂରାତ୍ମା ପାପଚକ୍ଷୁରେ ଦେଖୁଥି‌ଲା । ଯେଉଁ ଦୃଶ୍ୟକଥା କହୁଅଛୁ ତାହା ବର୍ଣ୍ଣନା କରିବାକୁ ଆମ୍ଭେ ଆପଣାକୁ ସଂପୂର୍ଣ୍ଣ ଅକ୍ଷମ ଜାଣି କବିଗୁରୁ କାଳିଦାସଙ୍କ ବଚନ ଉଦ୍ଧୃତ କଲୁଁ । (ପ୍ରଥମ ପରିଚ୍ଛେଦ)

 

 

(ଖ)

ଦାମା ....... ସେଦିନ ତାହାର ବନ୍ଦୋବସ୍ତ ଅପେକ୍ଷା ଅଧିକ ଦୁଇଟା ଗୁଳା ଖାଇଥିଲା ବୋଲି ଆମ୍ଭେମାନେ ବିଶ୍ଵସ୍ତ ସୂତ୍ରେ ଅବଗତ ଅଛୁଁ । (ଦଶମ ପରିଚ୍ଛେଦ)

 

ଠିକ୍‌ ଏପରି ବିଶ୍ଵସନୀୟ ବଚନଭଙ୍ଗୀ ଓ ଚାକ୍ଷୁଷ ବିବରଣୀ ସଦୃଶ ବକ୍ତବ୍ୟ ଉପସ୍ଥାପନ କୌଶଳ ଫକୀର ମୋହନଙ୍କ ଦ୍ଵାରା ଉତ୍ତର କାଳରେ ବହୁଳଭାବେ ଅନୁସୃତ । ଉମେଶ ଚନ୍ଦ୍ରଙ୍କ ଦ୍ୱାରା ପରିଚିତ ଏ ରଚନା କୌଶଳ ଫକୀର ମୋହନଙ୍କ ଦ୍ୱାରା ଓଡ଼ିଆ କଥା ସାହିତ୍ୟରେ ହେଲା ସୁପ୍ରତିଷ୍ଠିତ ।

 

ଭାଷାଦୃଷ୍ଟିରୁ ପଦ୍ମମାଳୀ କୌଣସି ବିଶେଷ ମହତ୍ୱ ରକ୍ଷା କରି ପାରିନି । ପଦ୍ମମାଳୀର ରଚନା କାଳରେ ଓଡ଼ିଆ ଗଦ୍ୟଥି‌ଲା ବିକାଶର ପ୍ରାକ୍‌ କାଳରେ । ପତ୍ରପତ୍ରିକାର ପ୍ରକାଶ ଓ ପ୍ରସାର, ସାହିତ୍ୟ ସର୍ଜନାରେ ନୂତନ ସମ୍ଭାବନା ଆଣିଥି‌ଲା । ଫଳରେ ବିଂଶଶତାବ୍ଦୀର ପ୍ରଥମାଂଶରେ ଓଡ଼ିଆ ଗଦ୍ୟଭାଷା ହେଲା ସୁପୁଷ୍ଟ । ଏହି ପୃଷ୍ଠଭୂମିରେ ପଦ୍ମମନାଳୀର ଗଦ୍ୟ ଅନେକ ପରିମାଣରେ ସଂସ୍କୃତଭାଷାଗର୍ବିତ ଓଡ଼ିଆରେ ପରିଣତ ହୋଇଛି । ପଦ୍ମମାଳୀର ଭାଷା, ସାହିତ୍ୟର କଳାନୁଗ ପ୍ରବୃତ୍ତିର ଅବଶ୍ୟମ୍ଭାବୀ ପରିଣତି । ଦୁଇଟି ଉଦାହରଣ ନିଆଯାଉ :

 

(କ)

ବଳବନ୍ତରା ର ଏକ ମାତୃସ୍ଵସା ଥି‌ଲେ, ଜୟନ୍ତୀ ତାଙ୍କର ନନାନ୍ଦୃସୂତା ।

 

 

(ଖ)

ପଟୋୟାରୀ ଚତୃଷ୍ପାଠୀରେ ଅପ୍‌ସର ଉପରେ ପୃଷ୍ଠରକ୍ଷିତ କରି ଉପବିଷ୍ଟ । ସପ୍ତମୀର ଚନ୍ଦ୍ରଶୁଭ୍ର ରଶ୍ମିଜାଳ ଦ୍ୱାରା ସମ୍ମୁଖସ୍ଥ ପ୍ରାଙ୍ଗଣକୁ ମଣ୍ଡିତ କରିଥି‌ଲେ । ମନ୍ଦ ମନ୍ଦ ଦକ୍ଷିଣାନୀଳ ଶରୀରରେ ଅମୃତ ବର୍ଷଣ କରୁଥିଲା । କିନ୍ତୁ ତଦ୍ଦ୍ୱାରା ପଟୋୟାରୀଙ୍କର ଆଭ୍ୟନ୍ତରିକ ହୁତାଶନ ଶୀତଳ ହୋଇନଥିଲା ।

 

ଓଡ଼ିଆ ଗଦ୍ୟର ଉନ୍ମେଷମୁଖୀ ପର୍ଯ୍ୟାୟରେ ଏକ ପୂର୍ଣ୍ଣାଙ୍ଗ ଉପନ୍ୟାସ ରଚନା କରି, ଉମେଶ ଚନ୍ଦ୍ର ତତ୍‌କାଳୀନ ଓଡ଼ିଆଲେଖକଙ୍କ ମଧ୍ୟରେ ଉପନ୍ୟାସ ରଚନାର ମନୋବଳ ଓ ଆତ୍ମବିଶ୍ଵାସ ଜାଗ୍ରତ କରାଇପାରିଥିବେ ।

 

ଐତିହାସିକ ପୃଷ୍ଠଭୂମିରେ, ପ୍ରେମର ତ୍ରିଭୁଜ ମଧ୍ୟରେ ପଦ୍ମମାଳୀର କାହାଣୀ ପରିକଳ୍ପିତ ହୋଇ ସାଧାରଣରେ ଐତିହାସିକ ରୋମାନ୍ସର ଭ୍ରାନ୍ତି ସୃଷ୍ଟି କରିଥିଲେ ହେଁ ଉପନ୍ୟାସର ଲକ୍ଷଣାବଳୀ ଦ୍ୱାରା ଏ ଭ୍ରାନ୍ତି ଦୂରୀଭୂତ ହୁଏ । ମହାକାବ୍ୟୋପମ ବ୍ୟାପ୍ତି ଯୋଗୁଁ ଉପନ୍ୟାସକୁ ଆଧୁନିକ ସମୟର ଗଦ୍ୟ ମହାକାବ୍ୟ କୁହାଯାଇ ଥାଏ । ପଦ୍ମମାଳୀର କାଳ୍ପନିକ କଥାବଳୟ ଏହି ଉପନ୍ୟାସରେ ସୃଷ୍ଟିକରିଛି ମହାକାବ୍ୟିକ ବ୍ୟାପ୍ତି । ଉପନ୍ୟାସର ଅପର ଏକ ମୌଳିକ ଲକ୍ଷଣ - ଏହା ସର୍ବଦା ନୂଆକଥା କୁହେ । ଏହି ଲକ୍ଷଣ ଭିତ୍ତିରେ ସାହିତ୍ୟର ଏଇ ରଚନା-ରୂପକୁ ଇଂରାଜୀରେ ‘ନଭେଲ’ କୁହାଯାଇଥାଏ । ପଦ୍ମମାଳୀର ପ୍ରକାଶନ ସମୟରେ ଓଡ଼ିଆରେ ଐତିହାସିକ କଥାବସ୍ତୁ ସମ୍ବଳିତ ରଚନାର ଅଭାବ ନଥିଲା । ମଧ୍ୟଯୁଗୀୟ କାବ୍ୟ ପରଂପରାଦି ମାଧ୍ୟମରେ ଏଇ ଧରଣର କଥାବସ୍ତୁ ସହ ଓଡ଼ିଆ ପାଠକ ଥିଲେ ପରିଚିତ । ମାତ୍ର ଆଂଚଳିକ -ଇତିହାସ ଭିତ୍ତିରେ ରଚିତ ପୂର୍ଣ୍ଣାଙ୍ଗ ପଦ୍ମମାଳୀ, ଓଡ଼ିଆ ଗଦ୍ୟରେ ଥିଲା ଏକ ନୂତନ ପଦକ୍ଷେପ । ନବୀନବକ୍ତବ୍ୟ ସହ ମାନବଜୀବନ ଓ ସମାଜର ଚିରକାଳୀନ ସତ୍ୟକୁ ଧାରଣ କରିଥାଏ ବୋଲି ଉପନ୍ୟାସ, ରୋମାନ୍‌ସର ବନ୍ଧନୀରୁ ମୁକ୍ତ ହୋଇଥାଏ । ରୋମାନ୍‌ସ ଯେତେବେଳେ ଅବିଶ୍ଵାସ୍ୟ ଘଟଣା ଘନଘଟା, ଅତି ନାଟକୀୟତା ସହ ବାସ୍ତବତା ଠାରୁ ଦୂରତା ରକ୍ଷା କରିଥାଏ; ଉପନ୍ୟାସରେ ଥାଏ ଘଟଣାର ଯଥାଯଥ ବର୍ଣ୍ଣନ ପରିବେଶ ଓ ପରିସ୍ଥିତିର ସ୍ଵାଭାବିକ ଚିତ୍ରଣ ଏବଂ ବାସ୍ତବତା ସହ ନିକଟତମ ସଂଯୋଗ । ଏହି ପ୍ରସଙ୍ଗରେ ପଦ୍ମମାଳୀର ପ୍ରଥମ ପରିଚ୍ଛେଦରେ ଦୁର୍ଯ୍ୟୋଧନର ପଦ୍ମମାଳୀ ପ୍ରତି ପ୍ରଲୁବ୍‌ଧ ହେବା, ବାଞ୍ଚାନିଧି ବଳବନ୍ତରା ଦୁର୍ଯ୍ୟୋଧନଠାରୁ ଅକାରଣ ମାଡ଼ଖାଇବା ତଥା ଉପଯୁକ୍ତ ସମୟରେ ଏହି ଅପମାନର ପ୍ରତିଶୋଧ ନେବା ଭାବନା - ମଣିଷର ଚିରକାଳୀନ ମନୋସତ୍ୟକୁ ପ୍ରକାଶ କରିଥାଏ । ଏସବୁ ଉପାଦାନହିଁ ପଦ୍ମମାଳୀକୁ ଐତିହାସିକ ରୋମାନ୍‌ସର ସୀମିତତା ଠାରୁ ମୁକ୍ତ କରି ଉପନ୍ୟାସିକ ଭାବେ ଚିହ୍ନିତ କରେ ।

 

ପଦ୍ମମାଳୀର ପ୍ରଥମ ସଂସ୍କରଣର ଭୂମିକାରେ ଉମେଶ ଚନ୍ଦ୍ର ଲେଖିଥିଲେ, ଏଥିରେ (ଉପନ୍ୟାସ ରଚନାରେ) ସଂପୂର୍ଣ୍ଣ ମନୋରଥ ହୋଇନଥି‌ଲେ ଆମ୍ଭଠାରୁ ଅଧକ କୃତବିଦ୍ୟ ଯୁବକ ଆମ୍ଭର ପ୍ରଦର୍ଶିତ ମାର୍ଗ ଅବଲମ୍ବନ କରି କୃତକାର୍ଯ୍ୟ ହୋଇ ପାରିବେ ଓ ତଦ୍ୱାରା ଉତ୍କଳ ଭାଷାକୁ ସମଧିକ ଗୌରବାନ୍ୱିତ କରି ଆମ୍ଭର ନିଷ୍ଫଳତାର ସମୁଚିତ କ୍ଷତି ପୂରଣ କରିବେ ।’ - କହିବା ବାହୁଲ୍ୟ, ପଦ୍ମମାଳୀ ଆବିଷ୍କୃତ ପଥରେ ଯାତ୍ରା କରି କରି ଓଡ଼ିଆ ଔପନ୍ୟାସିକ ନିଜସ୍ଵ ମାର୍ଗ ସଂଧାନରେ ଯଥେଷ୍ଟ ସଫଳ ହୋଇପାରିଛନ୍ତି ।

 

 

ଓଡ଼ିଆ ବିଭାଗ,

ଶାନ୍ତିନିକେତନ – ୭୩୧୨୩୫

 

***

 

ଆମେରିକାନ୍‌ ଉପନ୍ୟାସରେ ପିକେରେସ୍‌ ଶୈଳୀର

ଅଭ୍ୟୁଦୟ ଓ ଅଭିବ୍ୟକ୍ତି

ଡକ୍ଟର ପ୍ରାଣକୃଷ୍ଣ ଗିରି

 

ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ପିକେରେସ୍‌ ଆଟଲାଣ୍ଟିକ ଅତିକ୍ରମ କଲା ପରଠାରୁ ଆମେରିକାନ୍‌ ସାହିତ୍ୟରେ ଅଖଣ୍ଡପ୍ରଭାବ ବିସ୍ତାର କରିଅଛି । ଊନବିଂଶ ଶତାବ୍ଦୀରେ ଆମେରିକାର ପ୍ରଖ୍ୟାତ ଔପନ୍ୟାସିକ Mark Twain ସର୍ବପ୍ରଥମେ ତାଙ୍କର The Adventures of Huckleberry Finn ନାମକ ବିଶ୍ଵପ୍ରସିଦ୍ଧ ଉପନ୍ୟାସରେ ଏହି ରଚନା ଶୈଳୀର ପ୍ରବର୍ତ୍ତନ କରିଥି‌ଲେ । ଅଷ୍ଟାଦଶ ଶତାବ୍ଦୀରେ Daniel Defore Henry ଓ Fielding ଙ୍କ ଭଳି ଲେଖକମାନଙ୍କର ବିଶାଳ ବ୍ୟକ୍ତିତ୍ୱର ପ୍ରଭାବରେ ପିକେରେସ୍‌ ରଚନା ପ୍ରକ୍ରିୟାର ସ୍ଵତନ୍ତ୍ରତା ନଷ୍ଟ ହୋଇଥିଲା । ବହୁ ବର୍ଷର ବ୍ୟବଧାନ ପରେ Mark Twain ଏହି ମରଣୋନ୍ମୁଖ ଉପନ୍ୟାସକୁ ପୁଣିଥରେ ନୂତନ ପ୍ରେରଣାରେ ସଂଜୀବିତ କରି ଏହା ମଧ୍ୟକୁ ମୂଳ ସ୍ନାନିସ୍‌ ରଚନାର ସ୍ପୂର୍ତ୍ତି ଓ ଉତ୍ସାହ ଫେରାଇ ଆଣିଥି‌ଲେ । ଶିଳ୍ପ-ସମୃଦ୍ଧ ଆମେରିକାନ୍‌ ସମାଜର ମୂଲ୍ୟାୟନ ପାଇଁ ପିକେରେସ୍‌ ମୂଲ୍ୟବୋଧର ମାନଦଣ୍ଡ ପ୍ରୟୋଗ କରି Mark Twain ଏହି ମୃତପ୍ରାୟ ସାହିତ୍ୟିକ ପରମ୍ପରାର ପୁନରୁତ୍‌ଥାନ କରି ବା ସଂଗେ ସଂଗେ ଏକ ଜଡ଼ବାଦୀ ସଭ୍ୟତାର ପ୍ରାଣରେ ନୂତନ ଆଶାର ସଂଚାର କରିଥିଲେ ।

 

Alberk Bingelow Paine ନାମକ ସମାଲୋଚକ । Huckleberry Finn ଉପନ୍ୟାସର ସଫଳତା ଉପରେ ମତ ପ୍ରକାଶ କରି କହିଛନ୍ତି ଯେ huck ଏବଂ Jim ନାମକ ଦୁଇଟି ଦୁଃସାହସିକ ବାଳକ ମିସିସିପି ନଦୀର ବିଶାଳ ବକ୍ଷ ଉପରେ ଯେଉଁ ରହସ୍ୟମୟ ଜୀବନଯାତ୍ରା ଆରମ୍ଭ କଲେ ଏବଂ ଏହି ଯାତ୍ରାର ଅନନ୍ତ ଗତି ପଥରେ ମନୁଷ୍ୟର ବୈଚିତ୍ରମୟ ଚରିତ୍ର ସମ୍ବନ୍ଧରେ ଯେଉଁ ଅଭିଜ୍ଞତା ଅର୍ଜନ କଲେ ତାହା ପୃଥିବୀର ଯେ କୌଣସି ଭାଷାର ସାହିତ୍ୟରେ ସର୍ବଶ୍ରେଷ୍ଠ ପିକେରେସ୍‌ କାହାଣୀ ଭାବରେ ସ୍ଥାନ ପାଇବା ସ୍ଵାଭାବିକ । ୟୁରୋପୀୟ ସାହିତ୍ୟରେ ପିକେରେସ୍‌ ରଚନାର ଉତ୍କର୍ଷ ସାଧିତ ହୋଇଥି‌ଲେ ମଧ୍ୟ ପ୍ରଥମ-ପୁରୁଷ ବର୍ଣ୍ଣନା ରୀତିର ଅପସାରଣ ତାହାର ଆକର୍ଷଣୀୟତା କ୍ଷୁଣ୍ଣ କରିଥିଲା । Mark Twain ସ୍ପାନି ପରମ୍ପରାର ଏହି ବିସୃତ ନାଟକୀୟ ଭଙ୍ଗୀର ପୁନରୁଦ୍ଧାର କରି ପିକେରେସ୍‌ କଥାଶୈଳୀର ଲୋକପ୍ରିୟତା ବୃଦ୍ଧି କରିବା ସଂଗେ ସଂଗେ ନିଜ ଉପନ୍ୟାସର ପ୍ରଭାବକୁ ଦ୍ୱିଗୁଣିତ କରିଥି‌ଲେ । ଏହା ବର୍ଣ୍ଣନାଭଙ୍ଗୀ ଗଳ୍ପର ବିଶ୍ଵସନୀୟତା ବୃଦ୍ଧି କରି ଲେଖକ ଓ ପାଠକ ମଧ୍ୟରେ ଆତ୍ମିକ ଯୋଗସୂତ୍ର, ସ୍ଥାପନ ପାଇଁ କ୍ଷେତ୍ର ପ୍ରସ୍ତୁତ କରେ । ଏହି ଉପନ୍ୟାସରେ କଥାକାର ନିଜର ପ୍ରତ୍ୟକ୍ଷ ଅନୁଭୂତି ଅଭିବ୍ୟକ୍ତ କରିଥି‌ବାରୁ ପାଠକ ଏଥି‌ରେ ଗୋଟିଏ ଜୀବନ୍ତ ମନୁଷ୍ୟର ଅଦୃଶ୍ୟ ଉପସ୍ଥିତି ଉପଲବ୍ଧି କରେ ।

 

Huckleberry Finn ଉପନ୍ୟାସର ଗଠନ-କୋହଳତା, ଘଟଣାବହୁଳତା, ମୁଖ୍ୟ ଚରିତ୍ରର ନିରବଚ୍ଛିନ୍ନ ଯାତ୍ରା ଓ ଅଭିଜ୍ଞତା ଲିପ୍‌ସା Mark Twain ଙ୍କର ସ୍ପାନିସ୍‌ ପରମ୍ପରା ସହିତ ଘନିଷ୍ଠ ସଂପର୍କର ପ୍ରମାଣ ଦିଏ । ତେରବର୍ଷୀୟ Huck Finn ଗୋଟିଏ କ୍ଷୁଦ୍ର ତରୀ ଦ୍ୱାରା ବିପଦସଂକୁଳ ମିସିସିପି ନଦୀରେ ଯେଉଁ ଲକ୍ଷ୍ୟହୀନ ନୌବିହାର ଆରମ୍ଭ କଲା ତାହା ପିକେରେସ୍‌ର ଇତିହାସରେ ସବୁଠାରୁ ଦୁଃସାହସିକ ଯାତ୍ରା । ଏହି ବିପଦପୂର୍ଣ୍ଣ ଯାତ୍ରା ମୃତ୍ୟୁର ଭୟ ମଧ୍ୟରେ Huck Finn ପାଇଁ ଜୀବନ ଆସ୍ୱାଦ ଓ ଜ୍ଞାନ ଆହରଣର ପଥ ଉନ୍ମୁକ୍ତ କରିଥିଲା । ପିକେରେସ୍‌ର ବିଶୃଂଖଳିତ ପୃଥିବୀରେ ବିପଦ ମନୁଷ୍ୟର ଚିର ସହଚର ଏବଂ ଜୀବନ ଓ ମୃତ୍ୟୁର ବ୍ୟବଧାନ ଅତ୍ୟନ୍ତ କ୍ଷୀଣ । ସଂସାରରେ ବିପଦ ଜୀବନର ସଂଜ୍ଞା ଓ ଅଭିଜ୍ଞତା ଜ୍ଞାନର ମାର୍ଗ । Huck Finn ପୁସ୍ତକ- ନିଃସୃତ ପ୍ରଜ୍ଞାର ପକ୍ଷପାତୀ ନୁହେଁ କାରଣ ସେ ପ୍ରତ୍ୟକ୍ଷ ଜୀବନର ଭାଷ୍ୟକାର ଏବଂ ତା ପାଇଁ ଧର୍ମ ଓ ଅଧର୍ମର ବିଭେଦ ବିବେକର ଧ୍ଵନି ମଧ୍ୟରେ ନିର୍ଦ୍ଧାରିତ ।

 

ମିସିସିପି ନଦୀର ଉପକୂଳବର୍ତ୍ତୀ ଦ୍ୱୀପରେ ବହୁ ଘଟଣା ଓ ଚରିତ୍ର ସହିତ ଜଡ଼ିତ ହୋଇ Huck Finn ସମାଜର ଅନ୍ତରାଳରେ ମନୁଷ୍ୟର ବିଭତ୍ସ ରୂପକୁ ଚିହ୍ନିତ କରିବା ସଂଗେ ସଂଗେ ଏହି ଦୁଃଖମୟ ପୃଥିବୀରେ ସ୍ନେହ ଓ ପ୍ରେମର ଗୁରୁତ୍ୱ ଉପଲବ୍ଧ କରିଥିଲା । ତାହାର ଦର୍ଶନରେ ଏହି ସତ୍ୟ ପରିସ୍ଫୁଟ ହୋଇଅଛି ଯେ ଆନନ୍ଦ ଓ ନୈରାଶ୍ୟ, ସରଳତା ଓ ଜଟିଳତା, ସୌନ୍ଦର୍ଯ୍ୟ ଓ ବିଭତ୍ସତା, ଦେବତ୍ୱ ଓ ପଶୁତ୍ୱର ସହବସ୍ଥାନ ଓ ସମନ୍ନୟ ପୃଥିବୀର ବୃହତ୍ତମ ବୈଚିତ୍ର ଏବଂ King ଓ Duck ଭଳି ଛଳନାମୟ ଚରିତ୍ର ଏହି ରହସ୍ୟମୟ ପୃଥିବୀର ଏକ ଅବିଚ୍ଛିନ୍ନ ଅଂଶ । ମନୁଷ୍ୟର ଜୀବନରେ ନୈରାଶ୍ୟର ସ୍ଥାନ ନାହିଁ । ଉପନ୍ୟାସର ଏକ ଚରମ ମୁହୂର୍ତ୍ତରେ Huck Finn ମାନବିକତାର ସପକ୍ଷରେ ଯେଉଁ କଠୋର ନିଷ୍ପତ୍ତି ନେଇଥିଲା, ତାହା କେବଳ ଆମେରିକାନ, Picaro ପାଇଁ ନୁହେଁ, ସମଗ୍ର ମାନବସଭ୍ୟତା ପାଇଁ ଏକ ନୈତିକ ବିଜୟ । ଜିମ୍‌ ଜଣେ କ୍ରୀତଦାସ ହେଲେ ମଧ୍ୟ ତାର ବିଶ୍ଵସ୍ତ ବଂଧୁ ଏବଂ ବନ୍ଧୁତ୍ୱର ପ୍ରେମ ପାଇଁ ସେ ସମାଜର ଶୃଂଖଳା ଲଂଘନ କରିବାକୁ ପ୍ରସ୍ତୁତ । ଗୋଟିଏ ପଳାତକ ଦାସର ମୁକ୍ତି କାମନା କରିବା ପ୍ରଚଳିତ ମୂଲ୍ୟବୋଧ ଅନୁଯାୟୀ ନୈତିକ ବୈଲକ୍ଷଣ ହୋଇଥିବାରୁ ସେ ସେହି ପାପର ପ୍ରାୟଶ୍ଚିତ ପାଇଁ ସାତଜନ୍ମ ନର୍କର ଯନ୍ତ୍ରଣା ଭୋଗ କରିବାକୁ ପ୍ରସ୍ତୁତ । Huck Finn ପିକେରେସ୍‌ ସାହିତ୍ୟର ଆଦିପିତା Lazarillo ର ଦାୟାଦ ହୋଇଥିଲେ ମଧ୍ୟ ସେ ତାର ପୂର୍ବପୁରୁଷର ସ୍ଖଳିତ ଚରିତ୍ରର ଉର୍ଦ୍ଧ୍ୱରେ ରହି ଏକ ମହତ୍ତର ମାନବିକତାରୁ କେବେହେଲେ ଓହରି ଯାଇନଥିଲା ।

 

Huckleberry Finn ଉପନ୍ୟାସର ଉପସଂହାର ସ୍ପାନିସ୍‌ ପଦ୍ଧତିର ସଂପୂର୍ଣ୍ଣ ଅନୁପନ୍ଥୀ । ସଫଳତାର ଶୀର୍ଷ ସ୍ଥାନରେ ଉପନୀତ ହୋଇ Lazarillo ତାର ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହୋଇଥିଲା ବେଳେ Huck Finn ତାର ଆତ୍ମକାହାଣୀର ଶେଷ ଅଧ୍ୟାୟରେ Aunt Sally Phelps ଙ୍କ ସ୍ନେହକୁ ଛିନ୍ନ କରି ଏବଂ ସଭ୍ୟତାର ଆକର୍ଷଣରୁ ମୁକ୍ତ ହୋଇ ସୀମାହୀନ ଦିଗ୍‌ବଳୟର ଅନନ୍ତ ନୀଳିମା ଆଡ଼କୁ ପଳାୟନ କରିଅଛି । Huck Finn ର ଏହି ବିଚିତ୍ର ମନସ୍ତତ୍ତ୍ୱ ସୂଚନା ଦିଏ ଯେ ତାହାର ଅନ୍ୱେଷଣ ଶେଷ ହୋଇନାହିଁ ଏବଂ ତାହାର ଜୀବନ କାହାଣୀ ଅସମାପ୍ତ ରହିଛି । ତାହାର ପଳାୟନ ପଛରେ କୌଣସି ବୌଦ୍ଧିକ ବା ମନସ୍ତାତ୍ତ୍ୱିକ କାରଣ ଖୋଜି ବାହାର କରିବା କଷ୍ଟକର । ସଂସାରର ଗତାନୁଗତିକ ପଥ ପରିତ୍ୟାଗ କରିଥିଲେ ମଧ୍ୟ Huck Finn ସମାଜ ବିରୁଦ୍ଧରେ ବିପ୍ଳବର ଧ୍ଵନି ଦେଇନାହିଁ କି କୌଣସି ଦାର୍ଶନିକ ମତବାଦର ପ୍ରବକ୍ତା ହୋଇନାହିଁ । ଏକ ନିଶ୍ଚିତ ଜୀବନର ଆଶା ତ୍ୟାଗ କରି ଅନିଣ୍ଚିତ ଭବିଷ୍ୟତର କଳ୍ପନା ମଧ୍ୟରେ ବଂଚି ରହିବାର ଇଚ୍ଛା ତାର ସ୍ଵକୀୟ ନିଷ୍ପତ୍ତି । କଳ୍ପନାକୁ ବଂଚିବାର ମାଧ୍ୟମ କରି ସାମାଜିକ ପ୍ରକ୍ରିୟାର ଉର୍ଦ୍ଧ୍ୱରେ ଜୀବନକୁ ଉପଭୋଗ କରିବାର ଦୁର୍ବାର ପ୍ରବୃତ୍ତି Huck Finn ସମ୍ମୁଖରେ ଅନ୍ୱେଷଣର ପଥ ଉନ୍ମୁକ୍ତ କରିଥିଲା । ଏହି ଦୁରନ୍ତ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ସେ ଯେ କୌଣସି ଚରମ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଏବଂ ଏହି ଚରମ ନିଷ୍ପତ୍ତି ନେବାପାଇଁ ଆମେରିକାନ୍‌ Picaro ଠାରେ ନୈତିକ ସାହସର ଅଭାବ ନାହିଁ । ସଂଗ୍ରାମ ଓ ଅନ୍ୱେଷଣ ତାର ଜୀବନର ଅଭିବ୍ୟକ୍ତି । ତାହାର ସଂଗ୍ରାମ ଅସ୍ପଷ୍ଟ ହୋଇପାରେ ତାହାର ଅନ୍ୱେଷଣ ଲକ୍ଷହୀନ ହୋଇପାରେ, ମାତ୍ର ତାହା Picaro ପାଇଁ ଜୀବନର ଏକମାତ୍ର ପନ୍ଥା ଏବଂ ଆମେରିକାନ ଚରିତ୍ରର ଏକ ଦୁର୍ବୋଧ୍ୟ ରହସ୍ୟ ।

 

Mark Twain ତାଙ୍କର ଉପନ୍ୟାସ ମଧ୍ୟରେ ପାଶ୍ଚାତ୍ୟ ପରମ୍ପରା ସହିତ ସ୍ଵଦେଶୀୟ ସଂସ୍କୃତି ଓ ଦର୍ଶନର ମିଳନ ଘଟାଇ ପିକେରେସ୍‌ ଚିନ୍ତାମାର୍ଗର ସାର୍ବଜନୀନତା ପ୍ରତିପାଦନ କରିଛନ୍ତି-। Hugh Henry Brackenridge ଙ୍କ ପ୍ରଭାବରୁ ସେ ଏହି ଜ୍ଞାନ ଲାଭ କରିଛନ୍ତି ଯେ ମନୁଷ୍ୟ ଏକ ସଂଗେ ସମାଜକୁ ଗ୍ରହଣ ଓ ପ୍ରତ୍ୟାଖ୍ୟାନ କରିବାର କ୍ଷମତା ହାସଲ କରିବାକୁ ସମର୍ଥ-। Hermane Melvitteଙ୍କ ପ୍ରଭାବରୁ ସେ ଏହି ଶିକ୍ଷା କରିଛନ୍ତି ଯେ ମନୁଷ୍ୟ ଜୀବନରେ ମରୀଚିକାର ଅନ୍ୱେଷଣ ଅବଶ୍ୟମ୍ଭାବୀ ଏବଂ ଭଲ ଓ ମନ୍ଦର ସହବସ୍ଥାନ ମଧ୍ୟରେ ଜ୍ଞାନର ଅଭ୍ୟୁଦୟ ପାଇଁ ମନୁଷ୍ୟର ଜୀବନହିଁ ପ୍ରକୃଷ୍ଟ କ୍ଷେତ୍ର । Johnson Jones Hooper ଙ୍କ ଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ସେ ଜାଣିଛନ୍ତି ଯେ କ୍ଷଣଭଙ୍ଗୁର ମନୁଷ୍ୟର ଜୀବନ ଗୁରୁତର ଧ୍ୟାନର ବସ୍ତୁ ନୁହେଁ ଏବଂ ଏହି ଅସାର ସଂସାରରେ କୌଣସି ଆଦର୍ଶବାଦର ସାର୍ବଭୌମତା ପ୍ରତିପାଦନ .ଏକ ନିଷ୍ଫଳ ଆସ୍ଫାଳନ । ଏହିପରି ବିଭିନ୍ନ ଦର୍ଶନ, ପରମ୍ପରା ଓ ସଂସ୍କୃତିକୁ ସମ୍ମିଳିତ କରି Mark Twain ତାଙ୍କ ଉପନ୍ୟାସରେ Huck Finn ପରି ଏକ ଚିରଂଜୀବୀ ଚରିତ୍ରର କଳ୍ପନା କରିବା ସଂଗେ ସଂଗେ ଆମେରିକାନ ପିକେରେସ୍‌ର ଭିତ୍ତିକୁ ଦୃଢ଼ କରିଅଛନ୍ତି ।

 

Mark Twain ପିକେରେସ୍‌ ଉପନ୍ୟାସକୁ ଯେଉଁ ସ୍ତରରେ ଛାଡ଼ିଥିଲେ Saul Bellow ସେହିଠାରୁ ଖିଅ ସଂଗ୍ରହ କରି ଏହି ଦର୍ଶନ ଉତ୍ତରୋତ୍ତର ଉତ୍କର୍ଷ ସାଧନ ପୂର୍ବକ ଏହାକୁ ବିଂଶ ଶତାବ୍ଦୀ ସଭ୍ୟତାର ଏକ ବଳିଷ୍ଠ ଉପାଦାନରେ ପରିଣତ କରି ଅଛନ୍ତି । ତାଙ୍କ ଉପନ୍ୟାସରେ ଏହା ପ୍ରମାଣିତ ହୋଇଛି ଯେ ମନୁଷ୍ୟର ଜୀବନ ଓ ପିକେରେସ୍‌ର ପ୍ରକ୍ରିୟା ଓତପ୍ରୋତ ଭାବରେ ଜଡ଼ିତ ଏବଂ ଏ ଦୁଇଟିର ସଂପୂର୍ଣ୍ଣ ପୃଥକୀକରଣ ଅସମ୍ଭବ । ଆମେରିକା ଭଳି ଏକ ବିଭବ, ଯୁଦ୍ଧ, ରାଜନୀତି, ନୈରାଶ୍ୟ, ରୁଗ୍‌ଣତା, ସଫଳତା, ବିଶୃଂଖଳା ଓ କଳ୍ପନାର ଦେଶରେ ମନୁଷ୍ୟର ଭାଗ୍ୟ ଓ ତାର ସ୍ୱପ୍ନର ସ୍ଵରୂପ ନିର୍ଣ୍ଣୟ କରିବା ପାଇଁ ସେ ଏହି ରଚନା ଶୈଳୀକୁ ତାଙ୍କର ଯୁଗାନ୍ତକାରୀ ଉପନ୍ୟାସ The Adventures of Augie March ରେ ପ୍ରୟୋଗ କରିଛନ୍ତି । ଆଧୁନିକ ସାହିତ୍ୟରେ ସମାଲୋଚକମାନଙ୍କ ଦ୍ୱାରା ପ୍ରସାରିତ ଉପନ୍ୟାସ ରଚନାର ସମସ୍ତ ଶୃଙ୍ଖଳାକୁ ପଛରେ ପକାଇ Bellow ପିକେରେସ୍‌ ମତବାଦର ଶୃଙ୍ଖଳାହୀନତା, ଘଟଣାବହୁଳତା ଓ ଅସରନ୍ତି କାହାଣୀପ୍ରତି ଅନୁରକ୍ତ ହୋଇଛନ୍ତି । ସେ ମୁଖ୍ୟତଃ ଜଣେ କାହାଣୀକାର ଏବଂ ତାଙ୍କ ଉପନ୍ୟାସ ମନୁଷ୍ୟ ଜୀବନର ଗୋଟିଏ କାହାଣୀ । ମନୁଷ୍ୟ ଉପରେ ଉପନ୍ୟାସର ପ୍ରଭାବ ସମ୍ବନ୍ଧରେ ସ୍ପଷ୍ଟ ମତ ପ୍ରକାଶ କରି Bellow କହିଛନ୍ତି ଯେ ବାସ୍ତବ ସମାଜର ସମସ୍ୟାଗୁଡ଼ିକରୁ ବିଚ୍ଛିନ୍ନ ହୋଇଥିବା ଲେଖାର ପ୍ରାସଙ୍ଗିକତା ନିତାନ୍ତ ନଗଣ୍ୟ ।

 

ପିକେରେସ୍‌ ସାହିତ୍ୟର ବିଶାଳ ପରମ୍ପରା ଉପରେ ନିଜ ଉପନ୍ୟାସକୁ ଆଧାରିତ କରିଥିବାରୁ ତାଙ୍କ କଳ୍ପିତ Augie ଚରିତ୍ର ଏକ ବିସ୍ତାରିତ ସଂସ୍କୃତିକୁ ପ୍ରତିଫଳିତ କରିବା ସଂଗେ ସଂଗେ ମନୁଷ୍ୟ ଜୀବନର ଚିରନ୍ତନ ରହସ୍ୟକୁ ରୂପାୟିତ କରିଅଛି । Augie ପିକେରେସ୍‌ ରଚନାର ଆଦିପୁରୁଷ Lararillo ର ଅଧିକାଂଶ ଦୋଷଦୁର୍ବଳତାର ଅଧିକାରୀ ହୋଇଥିଲେ ମଧ୍ୟ ସ୍ପାନିସ୍‌ ଚରିତ୍ରର ଅକ୍ଷମଣୀୟ ନୈତିକ ଅଧୋଗତିରୁ ନିଜକୁ ମୁକ୍ତ ରଖିଥିଲା । Bellow ଙ୍କ Augie ହେଉଛି ଆଧୁନିକ ଉପନ୍ୟାସରେ ଗୌରବଦୀପ୍ତ Huck Finn ଚରିତ୍ରର ସୁଯୋଗ୍ୟ ଦାୟାଦ ଯେକି ତାର ପ୍ରପିତାମହର ଅସ୍ପଷ୍ଟ ବିବେକକୁ ବଜ୍ରନିର୍ଘୋଷରେ ପ୍ରତିଧ୍ୱନିତ କରି ବିଂଶ ଶତାବ୍ଦୀରେ ମନୁଷ୍ୟର ଚେତନାକୁ ଉତ୍ତିଷ୍ଠିତ କରିଦେଇଛି ।

 

ମୁଖ୍ୟ ନାୟକର ଚରିତ୍ର ବ୍ୟତୀତ Saul Bellow ଙ୍କ ଉପନ୍ୟାସର ଅନ୍ୟାନ୍ୟ ପିକେରେସ୍‌ ଉପାଦାନ ମଧ୍ୟରେ ପ୍ରଥମ-ପୁରୁଷର ବର୍ଣ୍ଣନାଶୈଳୀ ଓ ଅସଂଲଗ୍ନ ଘଟଣା ସମାବେଶ ବିଶେଷ ଉଲ୍ଲେଖନୀୟ । ଆତ୍ମକାହାଣୀର ପ୍ରତ୍ୟକ୍ଷ ଅନୁଭୂତି ଓ ନାଟକୀୟ ବର୍ଣ୍ଣନା ମଧ୍ୟକୁ Mark Twain ଯେଉଁ ଜୀବନର ପୁଲକ ଓ ସରସତା ଆଣିଥିଲେ Bellow ତାହାକୁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଦର୍ଶନରେ ପରିଣତ କରିଅଛନ୍ତି । ସେ ଏହାକୁ ଜୀବନର ଏକ ଶକ୍ତିଶାଳୀ ଅସ୍ତ୍ର ରୂପେ ବ୍ୟବହାର କରିବା ସଂଗେ ସଂଗେ କଠୋର ସମାଲୋଚନାର ମାଧ୍ୟମକରି ସମାଜର ଆବର୍ଜନାମୟ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ ଦୃଷ୍ଟିର କଟାକ୍ଷପାତ କରିବାକୁ ସମର୍ଥ ହୋଇଛନ୍ତି । ପ୍ରଥମପୁରୁଷର ପ୍ରତ୍ୟକ୍ଷ ଅନ୍ତର୍ଦୃଷ୍ଟି ବଳରେ Augie ଜଣେ ତ୍ରିକାଳଦର୍ଶୀ ମାନବ ହୋଇପାରିଛି । ସେ ତାହାର ପ୍ରତ୍ୟକ୍ଷ ଅନୁଭୂତିର ପରିପ୍ରେକ୍ଷୀରେ ଅତୀତର ସ୍ମୃତି ଓ ଭବିଷ୍ୟତର କଳ୍ପନାକୁ ବର୍ତ୍ତମାନର ଜାଗ୍ରତ ଚେତନାରେ ସମନ୍ୱିତ କରି ସମୟର ଅନନ୍ତ ସ୍ରୋତରେ ନିଜ ଅସ୍ତିତ୍ୱର ଅବିଚ୍ଛିନ୍ନତା ପ୍ରତିପାଦନ କରିପାରିଛି । ପ୍ରଥମପୁରୁଷ ରଚନା ପ୍ରକ୍ରିୟାର ମୁଖ୍ୟ ଉପାଦାନ ହେଉଛି କଳ୍ପନା ଯାହାଦ୍ୱାରା Picaro ସଂସାରର ଦୁଃଖ ଯନ୍ତ୍ରଣାର ଉର୍ଦ୍ଧ୍ୱରେ ରହି ଜୀବନର ଅନ୍ଧକାରକୁ ଅତିକ୍ରମ କରିବା ପାଇଁ ନୈତିକ ସାହସ ହାସଲ କରେ । ମନେ ରଖିବାକୁ ହେବ ଯେ Picaro ଜଣେ କଳାକାର ହୋଇଥିବାରୁ ତାପାଇଁ ପ୍ରତ୍ୟକ୍ଷ ଅଭିଜ୍ଞତା ଓ କଳ୍ପନାର ଗୁରୁତ୍ୱ ସର୍ବାଧିକ । Picaroର ଘଟଣାବହୁଳ ଜୀବନ, ଅବିଶ୍ରାନ୍ତ, ଯାତ୍ରା, ବିଭିନ୍ନ ଚରିତ୍ର ସହିତ ସଂଘର୍ଷର ଅନୁଭୂତି ଏବଂ ସର୍ବୋପରି ବିଫଳତାର ସ୍ମୃତି ତାହାକୁ ଲେଖକ ହେବାପାଇଁ ପ୍ରେରଣା ଦିଏ ।

 

ଚିକାଗୋ ସହରର ଏକ ନଗଣ୍ୟ ବସ୍ତି ମଧ୍ୟରେ Augie ତାହାର ଜୀବନ ଆରମ୍ଭ କରି ଆମେରିକାର ବିଭିନ୍ନ ସହର ଏବଂ ମେକ୍‌ସିକୋ ଦେଶର ନିର୍ଜନ ମରୁଭୂମି ପରିକ୍ରମା ପୂର୍ବକ ଶେଷରେ ନର୍ମାଣ୍ଡି ଦ୍ୱୀପର ବାଲୁକା ପ୍ରାନ୍ତର ଉପରେ ତାର ଦୀର୍ଘ ଯାତ୍ରା ଆପାତତଃ ଶେଷ କରିଅଛି-। ଆତ୍ମୀୟ-ସ୍ଵଜନମାନଙ୍କର ସାଂସାରିକ ମାୟା-ବନ୍ଧନ ପ୍ରତ୍ୟାଖ୍ୟାନ କରି ଏବଂ ସଭ୍ୟତା, ସମ୍ପଦ, କ୍ଷମତା, ଆଦର୍ଶ ଓ ସଫଳତାର ସଂକ୍ରାମକ ପ୍ରଭାବର ଉର୍ଦ୍ଧ୍ୱରେ ରହି ଏକ ମହାନ ଭାଗ୍ୟର ଅନ୍ୱେଷଣ କରିବା ଥିଲା Augieରେ ଅନନ୍ତ ଯାତ୍ରାର ଲକ୍ଷ୍ୟ । Huck Finn ର ପଳାୟନପନ୍ଥୀ ମନସ୍ତତ୍ତ୍ୱ ଏକ ଉଚ୍ଚତର ଆଦର୍ଶର ସୂଚନା ଦେଇଥିଲେ ମଧ୍ୟ ବାସ୍ତବ ଜଗତରେ ତାହାର ସ୍ଥିତି ଅସ୍ପଷ୍ଟ-। Augie March ସମାଜକୁ ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ବିଂଶ ଶତାବ୍ଦୀର ସଭ୍ୟତାର ବିଷକୁ ଆକଣ୍ଠ ପାନକରି ସେହି ବିଷର ପ୍ରତିକ୍ରିୟା ମଧ୍ୟରେ ଆତ୍ମାର ଆଦିମ ପବିତ୍ରତା ବଜାୟ ରଖିବାକୁ ବ୍ୟାକୁଳ । ଏହା ଏକ ଦୁର୍ବୋଧ୍ୟ ଦର୍ଶନ । ଏହି ରହସ୍ୟମୟ ଦର୍ଶନର ପ୍ରସାରଣ ମାଧ୍ୟମରେ Augie ତାର ବ୍ୟକ୍ତିତ୍ଵର ସଂଜ୍ଞା ନିରୂପଣ କରିଅଛି ଏବଂ ୟୁରୋପୀୟ Picaro ଠାରୁ ତାର ବିଚ୍ଛିନ୍ନତା ଓ Huck Finn ଠାରୁ ତା ଦୂରତା ସ୍ପଷ୍ଟ କରିଦେଇଛି ।

 

Augie ତାହାର ଯାତ୍ରା ପଥରେ ବିଭିନ୍ନ ଘଟଣା ସହିତ ଜଡ଼ିତ ହୋଇ ଏବଂ ଅସଂଖ୍ୟ ଚରିତ୍ରର ସମ୍ମୁଖୀନ ହୋଇ ମନୁଷ୍ୟ ଜୀବନର ରହସ୍ୟ ଭେଦ କରିବା ସଂଗେ ସଂଗେ ନିଜ ଭାଗ୍ୟର ମୁକାବିଲା କରିବାକୁ ଚାହେଁ । ତାହାର ସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ William Einhorn, Harold Mitouchian, Mrs. Renling ଓ Hyman Basteshaw ପ୍ରଭୃତି ପ୍ରଭାବଶାଳୀ ଚରିତ୍ର ଧନସମ୍ପଦ ଓ ସୁଖଶାନ୍ତିର ପ୍ରଲୋଭନ ମଧ୍ୟରେ Augie ର ଭାଗ୍ୟ ନିୟନ୍ତ୍ରିତ କରିଦେବାକୁ ଚାହିଁଥିଲେ । ସେହିପରି Hilda Novinson, Sophie Geratis ଓ Esther Fenchel ପ୍ରଭୃତି ସୁନ୍ଦରୀ ନାୟିକା ତାହାକୁ ପ୍ରଣୟପାଶରେ ଆବଦ୍ଧ କରି ତାର ବୃହତ୍ତର ସଂଗ୍ରାମ-ପରିଧିକୁ ସଂକୁଚିତ କରିଦେବାକୁ ଇଚ୍ଛା କରିଥିଲେ । କିନ୍ତୁ Augie ର ଦଗ୍ଧମାନ ହୃଦୟର ଅନ୍ୱେଷଣ ପିପାସାକୁ କେହି ପ୍ରଶମିତ କରି ପାରିନଥିଲେ ।

 

ପିକେରେସ୍‌ ଜୀବନର ଘୂର୍ଣ୍ଣାୟମାନ ଗତି ମଧ୍ୟରେ Augie ଯେଉଁ ଅଭିଜ୍ଞତା ଅର୍ଜନ କରିଥିଲା ତାର ସାରମର୍ମ ଏହି ଯେ ମନୁଷ୍ୟ ଗୋଟିଏ ନିର୍ଦ୍ଧାରିତ ଚିନ୍ତା ସାହାଯ୍ୟରେ ବିଷମୟ ପୃଥିବୀକୁ ଅତିକ୍ରମ କରିବାପାଇଁ ଚେଷ୍ଟା କରିବା ବୃଥା । ପ୍ରେମର ଉଷ୍ମ ଆଲିଙ୍ଗନ ମଧ୍ୟରେ ନିଃସଙ୍ଗତାକୁ ଜୟ କରିବାର ବାସନା ଏକ ଅର୍ଥହୀନ କଳ୍ପନା । ନିଃସଙ୍ଗତା ମନୁଷ୍ୟର ଭାଗ୍ୟ । ନିଜର ଅନ୍ତର୍ନିହିତ ଶକ୍ତି ବଳରେ କେବଳ ମନୁଷ୍ୟ ଏହି କରାଳ ମୂର୍ତ୍ତିର ସମ୍ମୁଖୀନ ହେବା ସମ୍ଭବ । Augie ର ମାନସିକ ପ୍ରକ୍ରିୟାରୁ ତାହାର ଅନ୍ଧକାରମୟ ମନସ୍ତତ୍ତ୍ୱର ଆଭାସ ମିଳିଥିଲେ ମଧ୍ୟ ତାର ଜୀବନ ପ୍ରଣାଳୀ ଏକ ଉଜ୍ଜ୍ୱଳ ଆଶାବାଦର ସୂଚନା ଦେଇଅଛି । ବିଂଶ ଶତାବ୍ଦୀ ମନୁଷ୍ୟର ସମସ୍ତ ବେଦନା, ଆଶା, ନୈରାଶ୍ୟ, କଳ୍ପନା ଓ ବିଶ୍ୱାସକୁ ନିଜ ସଂଗ୍ରାମର ଉପାଦାନ କରି ମୃତ୍ୟୁର ଦ୍ଵାର ଦେଶରେ ଜୀବନର ଜୟଗାନ କରିବାର ପ୍ରବୃତ୍ତି Augie ଚରିତ୍ରର ଏକ ଅଭେଦ୍ୟ ରହସ୍ୟ । Dostoevsky ଙ୍କ Underground Man ଜୀବନର ଚରମ ନୈରାଶ୍ୟ ମଧ୍ୟରେ ମନୁଷ୍ୟର ସଭ୍ୟତା ଓ ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରିଥିଲାବେଳେ Bellow ଙ୍କ Augie ଜୀବନର ବିଫଳତା ମଧ୍ୟରେ ସୁଖର ସଂଜ୍ଞା ନିରୂପଣ କରିଅଛି । ଦୁର୍ବୋଧ୍ୟତା ଆମେରିକାନ୍‌ Picaro ପାଇଁ ଅନୁଭୂତିର ମାର୍ଗ ଓ ଜ୍ଞାନର ବ୍ୟାଖ୍ୟା ।

 

ଉପନ୍ୟାସର ଶେଷ ପର୍ଯ୍ୟାୟରେ Augie ନର୍ମାଣ୍ଡି ଦ୍ୱୀପର ନିର୍ଜନ ପ୍ରାନ୍ତରେ ନିଜର ନିଷ୍ଫଳ ଜୀବନର ଅନୁଚିନ୍ତାରେ ବିବ୍ରତ ହେବା ପରିବର୍ତ୍ତେ ମନୁଷ୍ୟ ଓ ପ୍ରକୃତି ପ୍ରତି ବିଦ୍ରୂପର ଅଟ୍ଟହାସ୍ୟ କରୁଥିବାର ଦେଖାଯାଇଅଛି । ତାର ସଂଗ୍ରାମ ବିଫଳ ହୋଇଛି ସତ କିନ୍ତୁ ତାର ବ୍ୟକ୍ତିତ୍ଵ ପୂର୍ବପରି ଅଜେୟ ରହିଛି । ବିବାହର ପ୍ରେମ, ସୁଖ ଓ ଶାନ୍ତି ମଧ୍ୟରେ ଜୀବନର ସ୍ଥିରତା ଉପଲବ୍ଧ କରିବା ପାଇଁ Augieର ଶେଷ କଳ୍ପନା ଧ୍ୱଂସ ହୋଇଯାଇଛି । Lazarillo ର ସମସ୍ତ ସଫଳତା ଯେପରି ତାର ପତ୍ନୀର ପ୍ରତାରଣାରେ ଆଖି ପିଛୁଳାକେ ଉଭେଇ ଯାଇଥିଲା, ସେହିପରି ପଥଶ୍ରାନ୍ତ Augie ର ଶେଷ ସୁଖସ୍ଵପ୍ନ ପତ୍ନୀ Stella Chesner ର ଛଳନାରେ ଧୂଳିସାତ୍‌ ହୋଇଅଛି । କିନ୍ତୁ ମୃତ୍ୟୁଜୟୀ Augie ପାଇଁ ସ୍ୱପ୍ନର ଅନ୍ତ ନାହିଁ । ସେ ସଂଗ୍ରାମ ଚାଲୁରଖିବାକୁ ଚାହେଁ ।

 

ଆମେରିକାନ୍‌ ପିକେରେସ୍‌ ପ୍ରତି Bellow ଙ୍କ ଅବଦାନ ଏହି ଯେ ସେ ଏକ ପ୍ରତ୍ୟାଖ୍ୟାତ ରଚନାଶୈଳୀକୁ ଜୀବନ୍ୟାସ ଦେଇ ତାହା ମାଧ୍ୟମରେ ମନୁଷ୍ୟର ମଳିନ ଛବିକୁ ଉଜ୍ଜ୍ୱଳ କରିବାକୁ ଚେଷ୍ଟା କରିଛନ୍ତି । ବିଂଶ ଶତାବ୍ଦୀର ମନୁଷ୍ୟ ସୁଖୀ ହେବାକୁ ଚାହେଁ ଏବଂ ତାହାର ଏହି କାମନା ପିକେରେସ୍‌ ଦର୍ଶନର ସ୍ଵାଧୀନ ଚିନ୍ତା ମଧ୍ୟରେ ପରିପୂର୍ଣ୍ଣ ହେବା ସମ୍ଭବ । ଆଧୁନିକ ଉପନ୍ୟାସରେ ବହୁଳ ପ୍ରସାରିତ ମନୁଷ୍ୟର ହତାଶମୟ ଚିତ୍ରକୁ ପ୍ରତ୍ୟାଖ୍ୟାନ କରି Bellow ଦୃଢ଼ ସ୍ୱରରେ ଘୋଷଣା କରିଛନ୍ତି ଯେ ମନୁଷ୍ୟର ଜୀବନ ଏବେ ମଧ୍ୟ ଦୀପ୍ୟମାନ ଓ ମାଧୁର୍ଯ୍ୟପୂର୍ଣ୍ଣ । ବିଂଶ ଶତାବ୍ଦୀ ମନୁଷ୍ୟର ଶୁଷ୍କ ଜୀବନ ମଧ୍ୟକୁ ନୂତନ ଉତ୍ସାହ ଓ ଆତ୍ମବିଶ୍ଵାସ ଆଣିଦେବା Bellow ଙ୍କ ପିକେରେସ୍‌ ଉପନ୍ୟାସର ଲକ୍ଷ୍ୟ ।

 

ଆଧୁନିକ ଉପ୍ୟନ୍ୟାସରେ ଆମେରିକାନ୍‌ ଲେଖକମାନେ ପିକେରେସ୍‌ ପ୍ରତି ବିଶେଷ ଆକୃଷ୍ଟ ହୋଇଅଛନ୍ତି । ଷୋଡ଼ଶ ଶତାବ୍ଦୀରେ ସ୍ପେନ୍‌ ଦେଶରେ ଏହି ଦର୍ଶନର ପ୍ରସାରଣ ପଛରେ ମୁଖ୍ୟ କାରଣଥିଲା ଦାରିଦ୍ର୍ୟ । କ୍ଷୁଧାର ପୀଡ଼ନରେ Lazarillo ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା ବେଳେ ବିଂଶ ଶତାବ୍ଦୀର ଆମେରିକାନ୍‌ Picaro ଧନ ଓ ପ୍ରାଚୁର୍ଯ୍ୟର ମୋହକୁ ତ୍ୟାଗ କରି ବାସ୍ତବ ସଂସାରର ଉର୍ଦ୍ଧ୍ୱରେ ଏକ କଳ୍ପନାର ରାଜ୍ୟରେ ବିଚରଣ କରିବା ପାଇଁ ଉଦ୍‌ଗ୍ରୀବ । ଆଧୁନିକ ଉପନ୍ୟାସରେ ଶିଶୁର ଚରିତ୍ରକୁ ଅତ୍ୟଧିକ ଗୁରୁତ୍ୱ ଦିଆହୋଇଅଛି । ଗୋଟିଏ କୋମଳମତି ଶିଶୁର ସୁକୁମାର ଚେତନାର ଦର୍ପଣରେ ଲେଖକମାନେ ଏକ ବିଭତ୍ସ ସଭ୍ୟତାର ନଗ୍ନରୂପକୁ ପ୍ରତିବିମ୍ବିତ କରିଛନ୍ତି । ଶିଶୁର ଜୀବନ ଶୁଚି ଓ ପବିତ୍ରତାର ପ୍ରତୀକ । ଶିଶୁ ମାନବସଭ୍ୟତାର ପ୍ରାଣକେନ୍ଦ୍ର ଏବଂ ମନୁଷ୍ୟର ଆଧ୍ୟାତ୍ମିକ ସ୍ଥିତିର ଏକ ଦୃଶ୍ୟଧର୍ମୀ ରୂପକଳ୍ପ । ବୌଦ୍ଧିକ ବିକାଶର ଉଚ୍ଚତମ ସ୍ତରରେ ପହଂଚି ଅସହାୟ ମନୁଷ୍ୟ ଆଜି ନିର୍ବୋଧ ବାଳୁତର ସରଳ ଜୀବନବୋଧକୁ ଫେରିଯିବାକୁ ଚାହେଁ । ଶିଳ୍ପ ଓ ବିଜ୍ଞାନ ମନୁଷ୍ୟକୁ ସୁଖ ଓ ଶାନ୍ତି ଦେବା ପରିବର୍ତ୍ତେ ଆଜି ତାହାର ସର୍ବନାଶର କାରଣ ହୋଇଅଛି ।

 

ପ୍ରାଚୁର୍ଯ୍ୟ ମଧ୍ୟରେ ଅବସାଦର ଅନୁଭୂତି, ଗତାନୁଗତିକତା ମଧ୍ୟରେ ନୂତନତ୍ୱର ସନ୍ଧାନ, ବୃଦ୍ଧତ୍ୱ ମଧ୍ୟରେ ଯୌବନର ତୃଷ୍ଣା ଓ ମୃତ୍ୟୁର ଦ୍ଵାରଦେଶରେ ଅମରତ୍ଵର ସ୍ଵପ୍ନ ପ୍ରଭୃତି ବିପରୀତଧର୍ମୀ ପ୍ରକିୟା ହେଉଛି ଆମେରିକାନ ପିକେରେସ୍‌ର ମୌଳିକ ଉପାଦାନ । Salinger ଏହି ଉପାଦାନର ବହୁଳ ପ୍ରସାରଣ ମାଧ୍ୟମରେ ଏକ ଯୁଦ୍ଧ ଆତଙ୍କିତ ସମାଜର ଅସ୍ଥିର ମନସ୍ତତ୍ତ୍ୱକୁ ପ୍ରତିଫଳିତ କରିବା ସଂଗେ ସଂଗେ କଳଙ୍କିତ ମନୁଷ୍ୟର ନିଷ୍ପ୍ରଭ ଭାବମୂର୍ତ୍ତିକୁ ପୁଣିଥରେ ଉଜ୍ଜ୍ୱଳ କରିଦେବାପାଇଁ ଚେଷ୍ଟା କରିଛନ୍ତି । କେବଳ ସେତିକି ନୁହେଁ, ପାର୍ଥିବ ମନୁଷ୍ୟର ଜୀବନରେ ଅନନ୍ତ ସୁଖର ସମ୍ଭାବନା ଆଣିଦେଇ ବିଂଶ ଶତାବ୍ଦୀର ମୃତପ୍ରାୟ ସମାଜରେ ଏକ ବିଶ୍ଵାସ ଓ ସ୍ଥିରତାର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।

 

The catcher in the Rye (1951) ଉପନ୍ୟାସରେ Holden Caulfield ନାମକ ବାଳକର ଜୀବନକୁ କେନ୍ଦ୍ର କରି Salinger ପିକେରେସ୍‌ ରୀତିରେ ନିଜର ଜୀବନ ଦର୍ଶନ ଉପସ୍ଥାପନ ମାଧ୍ୟମରେ ସମାଜର ଜଣେ ତାତ୍ତ୍ୱିକ ସମୀକ୍ଷକ ହୋଇଅଛନ୍ତି । ପିକେରେସ୍‌ ରଚନାର ମହତ୍ତ୍ଵ ଏହି ଯେ ଏଥିରେ Picaro ଜଣେ ସ୍ଵାଧୀନ ବକ୍ତା ହୋଇଥିଲେ ମଧ୍ୟ ତାହାର ଆତ୍ମଚିନ୍ତା ସ୍ଵାଧୀନଚେତା ଲେଖକର ବିଚାର ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରିତ । Picaro ସମାଜର ସମାଲୋଚକ ଓ ମୂଲ୍ୟବୋଧର ସ୍ରଷ୍ଟା ହୋଇଥିଲାବେଳେ ତାହାର ଦୋଷତ୍ରୁଟି ଓ ଭୁଲଭଟକା ଲେଖକର କଷିଟି ଦ୍ୱାରା ପରୀକ୍ଷିତ ହୋଇଥାଏ । ନ୍ୟୁୟର୍କ ସହରର ଧ୍ଵଂସାତ୍ମକ ପ୍ରଭାବ ଗୋଟିଏ ତରୁଣ ବାଳକର କୋମଳ ମସ୍ତିଷ୍କରେ ବିକୃତ ପ୍ରତିକ୍ରିୟା ସୃଷ୍ଟି କରିବା ଅସ୍ୱାଭାବିକ ଘଟଣା ନୁହେଁ ଏବଂ ସେହି ପର୍ଯ୍ୟନ୍ତ Holden ର ଆତ୍ମକାହାଣୀ ବିଶ୍ଵସନୀୟ, କିନ୍ତୁ ଅତ୍ୟଧିକ ଭାବପ୍ରବଣତାରେ ମସ୍ତିଷ୍କର ଭାରସାମ୍ୟ ହରାଇ Holden ର ପଳାୟନ ପ୍ରବୃତ୍ତି Salingerଙ୍କ ଦୃଷ୍ଟିରେ ବାଚାଳତା ଛଡ଼ା ଅନ୍ୟ କିଛି ନୁହେଁ । ଉପନ୍ୟାସର କେନ୍ଦ୍ରରେ Picaro ଓ ଲେଖକର ସ୍ଵାତନ୍ତ୍ର୍ୟତା ରକ୍ଷା କରି ଦ୍ୱୈତ ଚେତନାର ଅବିଚ୍ଛିନତା ପ୍ରତିପାଦନ କରିବାପାଇଁ ପିକେରେସ୍‌ ରଚନାର ଅଦ୍ଭୁତ ଶକ୍ତି ରହିଛି ଏବଂ ବିଂଶ ଶତାବ୍ଦୀର ଉପନ୍ୟାସରେ ଏହାର ବିପୁଳ ସଫଳତାର ମୂଳରେ ଏହି ଶକ୍ତି ନିହିତ । Salinger ଙ୍କ ପିକେରେସ୍‌ ଦର୍ଶନ ଏହି ଉପଲବ୍ଧି ଉପରେ ଆଧାରିତ ଯେ Picaro ସମାଜିକ ବିଶୃଙ୍ଖଳାରେ ବ୍ୟଥିତ ହୋଇଥିଲେ ମଧ୍ୟ ତାହାର ପ୍ରତ୍ୟେକ ନିଷ୍ପତ୍ତି ସ୍ଵୟଂସିଦ୍ଧ ନୁହେଁ କିମ୍ବା ସମାଜର ପ୍ରତ୍ୟେକ ନିୟମ ଅଲଂଘନୀୟ ନୁହେଁ । ସାମାଜିକ ମନୁଷ୍ୟ କେବଳ ମନଗଢ଼ା କଳ୍ପନାର ବ୍ୟୁହ ମଧ୍ୟରେ ନିଜକୁ ଆବଦ୍ଧ କରିଦେଇ ଏହି ଭୟାନକ ସଂସାରର ମୁକାବିଲା କରି ପାରିବ ନାହିଁ । Holden ନିଜ ବ୍ୟକ୍ତିତ୍ୱର ନିଭୃତ ଗର୍ତ୍ତ ମଧ୍ୟରେ ନିବଦ୍ଧ ରହିଥିଲା ପର୍ଯ୍ୟନ୍ତ ମାନସିକ ବିକୃତିର ଶିକାର ହୋଇଥଲା କିନ୍ତୁ ମୁକ୍ତ ଆକାଶର ଖୋଲା ବାୟୁ ମଣ୍ଡଳ ମଧ୍ୟକୁ ଫେରିଆସିବା ପରେ ତାର ହୃତ ଆତ୍ମ-ପ୍ରତ୍ୟୟ ଓ ମାନବିକତା ଫେରି ପାଇଥିଲା ।

 

Salingerଙ୍କ ଉପନ୍ୟାସର ଘଟଣାବହୁଳତା ଓ ମୁଖ୍ୟ ନାୟକର ଭ୍ରମଣପ୍ରିୟତା ସ୍ପାନିସ୍‌ ପିକେରେସ୍‌ ଅନୁଚିନ୍ତା ଦ୍ୱାରା ପ୍ରଭାବିତ । ଷୋହଳ ବର୍ଷୀୟ Pency Prep ର ଛାତ୍ର Holden ତାହାର ଯାତ୍ରା ପେନ୍‌ସିଲ୍‌ଭାନିଆଁରୁ ଆରମ୍ଭ କରି ବିଶାଳ ନ୍ୟୁୟର୍କ ସହରର ବିଭିନ୍ନ ସ୍ଥାନ ବୁଲି ବୁଲି ଶେଷରେ ଏକ ମାନସିକ ଚିକିତ୍ସାଳୟରେ ଭ୍ରମଣର ପ୍ରଥମ ପର୍ଯ୍ୟାୟ ଆପାତତଃ ସମାପ୍ତ କରିଛି । ବିଂଶ ଶତାବ୍ଦୀର ଶିଶୁ ପିତାମାତାଙ୍କର ସ୍ନେହ ମଧ୍ୟରେ ସମାଜକୁ ନିଜ କଳ୍ପନାର ରଙ୍ଗରେ ମଣ୍ଡିତ କରିଦେବାକୁ ଚାହେଁ ।

 

ଉନବିଂଶ ଶତାବ୍ଦୀରେ Huck Finn ମିସିସିପି ନଦୀର ପ୍ରଶାନ୍ତ ପରିବେଶ ମଧ୍ୟରେ ଶାନ୍ତିର ସନ୍ଧାନ କରିଥିଲା କିନ୍ତୁ ସେହି ବିଶାଳ ନଦୀର ନିର୍ଜନ ବକ୍ଷ ଆଜି କୋଳାହଳପୂର୍ଣ୍ଣ ଓ ପୂତିଗନ୍ଧମୟ । ଦିଗ୍‌ବଳୟ ଅଭିମୁଖେ ପଳାୟନର ଗତିପଥ ଆଜି ରୁଦ୍ଧ । ନ୍ୟୁୟର୍କ ସହରର ଦୂଷିତ ବାୟୁମଣ୍ଡଳ ମଧ୍ୟରେ ବିଭିନ୍ନ ଗଳିକନ୍ଦି, ସ୍କୁଲ, ସିନେମା, ହୋଟେଲ, ରେଲ ଷ୍ଟେସନ, ପାର୍କ, ଚିଡ଼ିୟାଖାନା ଓ ମ୍ୟୁଜିୟମ ପ୍ରଭୃତି ସ୍ଥାନମାନଙ୍କରେ ସୁଖ ଓ ଆନନ୍ଦର ସନ୍ଧାନ କରିବା ବ୍ୟତୀତ Holden ପାଇଁ ଅନ୍ୟ ପଂଥା ନାହିଁ ।

 

ଏକ ପତନୋନ୍ମୁଖ ସମାଜରେ ମନୁଷ୍ୟର ସୁପ୍ତ ନୈତିକ ଚେତନାକୁ ଜାଗ୍ରତ କରିଦେବାର ଅଭିପ୍ରାୟ ରଖି Salinger ପିକେରେସ୍‌ର ଅନୁଭୂତି ମଧ୍ୟରେ ପ୍ରତିପାଦିତ କରିଛନ୍ତି ଯେ ଆଧୁନିକ ସଭ୍ୟତାର କୃତ୍ରିମତା ମନୁଷ୍ୟକୁ ଛଳନାମୟ କରିବା ସଂଗେ ସଂଗେ ସମାଜର ସ୍ଵଚ୍ଛନ୍ଦ, ସ୍ଵାଭାବିକ ଜୀବନର କଣ୍ଠରୋଧ କରିଦେଇଛି । ଧର୍ମ, ସାହିତ୍ୟ, କଳା, ସଂଗୀତ, ଶିକ୍ଷା, ବନ୍ଧୁତ୍ୱ, ପ୍ରେମ, ଯୌନକ୍ରିୟା ସବୁଥିରେ ଶୀଳଚ୍ୟୁତି । ଚତୁର୍ଦ୍ଦିଗରେ କେବଳ ବିଷାଦର ଛାୟା, ମୃତ୍ୟୁର ପଦଧ୍ୱନି । ମନୁଷ୍ୟର ପୈଶାଚିକ ଯୌନଲାଳସାରେ ସଭ୍ୟତାର ଚରମ ବିଫଳତା ପ୍ରତିଫଳିତ । ନ୍ୟୁୟର୍କର ହୋଟେଲ ଗୁଡ଼ିକ ଏହି ନାରକୀୟ ଅଧଃପତନର ଅନ୍ଧକାର ଗହ୍ୱର । ଏହି ନୈରାଶ୍ୟର ଗହ୍ୱର ମଧ୍ୟରେ Holden ର ଆତ୍ମାର ଅସ୍ଥିରତା ଓ ଅନୁଶୋଚନା ଧର୍ମକବି Dante ଙ୍କ ନର୍କର ପ୍ରତ୍ୟକ୍ଷ ଅନୁଭୂତି ସହିତ ତୁଳନୀୟ । Salinger ଙ୍କ ପିକେରେସ୍‌ ଅନ୍ତ ପ୍ରବାହର ଚମତ୍କାରିତା ଏହି ଯେ ସେ ଏହାର ପରିଧି ମଧ୍ୟରେ ପୃଥିବୀର ଆକର୍ଷଣ ସହିତ ଅତିନ୍ଦ୍ରିୟ କଳ୍ପନାର ସମନ୍ୱୟ କରି ଇନ୍ଦ୍ରିୟାସକ୍ତ ମନୁଷ୍ୟ ସମ୍ମୁଖରେ ଏକ ନୂତନ ଦିଗ୍‌ବଳୟର ଉନ୍ମୋଚନ କରିଛନ୍ତି । ମନୁଷ୍ୟର ମନରେ କଳ୍ପନାର ଗତି ଅନିର୍ଦ୍ଦିଷ୍ଟ, କାରଣ ନିର୍ଦ୍ଦିଷ୍ଟ ଭାବନାର ପ୍ରଭାବରେ ସେ ବଂଚିପାରେନା । ନ୍ୟୁୟର୍କ ହୋଟେଲର ବିଭତ୍ସ ଦୃଶ୍ୟରେ ମର୍ମାହତ ହୋଇଥିବା Holden ଲାଗୁନ୍‌ର ନୀଳ ଜଳରାଶିରେ ସନ୍ତରଣରତ ହଂସର ସୌନ୍ଦର୍ଯ୍ୟ ଓ ମ୍ୟୁଜିୟମରେ ସଂରକ୍ଷିତ ଶବଗୁଡ଼ିକର ମୃତ୍ୟୁକୋଳରେ ଚିରନ୍ତନ ନୀରବତାର ଗଭୀର ଅନୁଭୂତିରେ ଭାବବିହ୍ୱଳ ହୋଇପାରିଥିଲା । କେବଳ ପିକେରେସ୍‌ ରଚନାର ସଂଜୀବନୀ ଶକ୍ତି ବଳରେ ମୃତ୍ୟୁଲୋକରେ ବିଚରଣ କରୁଥିବା Holden ମର୍ତ୍ତ୍ୟଲୋକକୁ ଫେରିଆସି ପୁଣିଥରେ ଜୀବନକୁ ନୂତନ ଭାବରେ ଉପଭୋଗ କରିବାପାଇଁ ପ୍ରେରଣା ପାଇଥିଲା । Holden ପାଇଁ ଏହି ପ୍ରେରଣାର ମାଧ୍ୟମ ଥିଲା ଛୋଟଭଉଣୀ Phoebe ର ପବିତ୍ର ସ୍ନେହବନ୍ଧନ । ତାର ଭୂପତିତ ମନ ଏକ କୋମଳ ହୃଦୟର ସ୍ପର୍ଶ ପାଇ ପୁଣିଥରେ ନୂତନ ଜୀବନର ପୁଲକରେ ଉଜ୍ଜୀବିତ ହୋଇଥିଲା ।

 

Salinger ଙ୍କ ଉପନ୍ୟାସର ଶେଷ ପର୍ଯ୍ୟାୟରେ Picaro ତ୍ରିମୁଖୀ ବିଜୟ ହାସଲ କରିପାରିଛି । ପ୍ରଥମତଃ ପିକେରେସ୍‌ର ସତିଚାରଣ ମାଧ୍ୟମରେ ସେ ତାର ଅତୀତ ଜୀବନର ନୈତିକ ପ୍ରଭାବରୁ ମାନସିକ ସୁସ୍ଥତା ଫେରିପାଇଛି । ଦ୍ଵିତୀୟତଃ ଅତୀତର ସ୍ମୃତିଉପରେ କଳ୍ପନାର ପୁଟ ଦେଇ କଳାକାର ହେବାର ଗୌରବ ଲାଭ କରିଛି । ତୃତୀୟତଃ ଅତୀତର ସମାଧୀ ଉପରେ ଉବିଷ୍ୟତର ସାର୍ଥକ ଜୀବନ ପାଇଁ ପ୍ରେରଣା ଲାଭ କରିଅଛି । ତାହାର ଘୂର୍ଣ୍ଣାୟମାନ ଗତି ମଧ୍ୟରେ Salinger ଆମେରିକାନ୍ ସଭ୍ୟତାର ଅପରିପକ୍ୱତା ଓ ଅସ୍ଥିରତାର ଚିତ୍ର ଦେବା ସଂଗେ ସଂଗେ ସ୍ପଷ୍ଟ କରିଦେଇଛନ୍ତି ଯେ ପରମ୍ପରାର ରକ୍ଷାକବଚକୁ ପ୍ରତ୍ୟାଖ୍ୟାନ କରି ନୂତନତା ପଛରେ ଧାଇଁବାର ଇଚ୍ଛା ଏକ ଭ୍ରମାତ୍ମକ ପ୍ରବୃତ୍ତି । Holdenର ଆକସ୍ମିକ ପରିବର୍ତ୍ତନ ସମାଲୋଚକର ଦୃଷ୍ଟିରେ ଅସ୍ୱାଭାବିକ ହୋଇପାରେ ମାତ୍ର Salinger ଙ୍କ ପାଇଁ ଏଥିରେ ମନୁଷ୍ୟ ଜୀବନର ଏକ ମହତ୍ତର ସତ୍ୟ ଉନ୍ମୋଚିତ । ପୁସ୍ତକର ଜ୍ଞାନ ବଳରେ କେହି କେବେହେଲେ ଦୁନିଆଁର ମହାସତ୍ୟକୁ ଉପଲବ୍ଧି କରିନାହିଁ । ଗଭୀର ଅନୁଭୂତି, ଆତ୍ମବିଶ୍ଵାସ ଓ ଅନ୍ତର୍ଦୃଷ୍ଟି ବଳରେ କେବଳ ମନୁଷ୍ୟ ହଠାତ୍‌ ତଡ଼ିତ୍‌ର ଝଲକ ପରି ଦିବ୍ୟଜ୍ଞାନ ଲାଭ କରିପାରେ । Salinger ଙ୍କୁ ଉପନ୍ୟାସର ତପସ୍ଵୀ କୁହାଯାଏ । ଧ୍ୟାନମଗ୍ନ ଋଷି ଭଳି ସେ ମନୁଷ୍ୟର ଅନ୍ତର୍ଲୋକରେ ମର୍ତ୍ତ୍ୟାଲୋକର ଅମରାବତୀ ସୃଷ୍ଟି କରିଛନ୍ତି । ଆମେରିକାର ବସ୍ତୁବାଦୀ ସମାଜ ପ୍ରତି Salingerଙ୍କର ଏହା ହେଉଛି ସର୍ବଶ୍ରେଷ୍ଠ ଅବଦାନ ।

 

James Purdy ଜଣେ ବିଷାଦବାଦୀ ଲେଖକ ଏବଂ ତାଙ୍କର Malcolm ଚଳିତ ଶତାବ୍ଦୀର ଅନ୍ଧକାରତମ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ମନୁଷ୍ୟ ଜୀବନରେ ସୁଖର ସମ୍ଭାବନାକୁ ଉଜ୍ଜ୍ୱଳ କରିଦେବାପାଇଁ ପିକେରେସ୍‌ର ସୂତ୍ରପାତ ହୋଇଥଲା । କିନ୍ତୁ Purdy ତାହାକୁ ମୃତ୍ୟୁର ଜୟଗାନ କରିବା ପାଇଁ ବ୍ୟବହାର କରିଛନ୍ତି । Claudio Guillen ନାମକ ପ୍ରସିଦ୍ଧ ସମାଲୋଚକ ତାଙ୍କର Literature as system: Essays towards the theory of Literacy History ଶୀର୍ଷକ ପୁସ୍ତକରେ ପିକେରେସ୍‌ ପାଇଁ ସାହିତ୍ୟର ଇତିହାସର ଏକ ନିର୍ଦ୍ଦିଷ୍ଟ ସ୍ଥାନ ସଂରକ୍ଷିତ କରିଦେବା ସଂଗେ ସଂଗେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ସ୍ପାନିସ୍‌ ପରମ୍ପରାର କଠୋର ନିୟମାବଳୀ ଅବଲମ୍ବନ କରି ବର୍ତ୍ତମାନ ଯୁଗରେ ପୂର୍ଣ୍ଣାଙ୍ଗ ପିକେରେସ୍‌ ରଚନା ସୃଷ୍ଟି କରିବା ସମ୍ଭବ ନୁହେଁ । ତାଙ୍କ ସମାଲୋଚନାର guillen ପିକେରେସ୍‌ ‘ମିଥ୍‌’କୁ ପିକେରେସ୍‌ ‘ଫର୍ମ’ ଠାରୁ ପୃଥକ କରିଦେଇ କେବଳ ଉପନ୍ୟାସର ଗଠନ ପ୍ରଣାଳୀ ମଧ୍ୟରେ ଏହି ରଚନା ଶୈଳୀକୁ ସୀମିତ କରିଅଛନ୍ତି । ମୁଖ୍ୟ ନାୟକର ଚରିତ୍ର, ସଂଗ୍ରାମ ଓ ସଫଳତା ଉପରେ ପ୍ରାଧାନ୍ୟ ଦେବା ପରିବର୍ତ୍ତେ ସେ ଉପନ୍ୟାସର, କୋହଳ ଗଠନ ଓ ଉନ୍ମୁକ୍ତ ରଚନା ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦେଇଅଛନ୍ତି । Ulrich Wicks ନାମକ ଆଉଜଣେ ସମାଲୋଚକ କହିଛନ୍ତି ଯେ ମନୁଷ୍ୟର ଚରିତ୍ର ପିକେରେସ୍‌ ଉପନ୍ୟାସର ପ୍ରାଣବିନ୍ଦୁ ନୁହେଁ, ବାହ୍ୟଜଗତର ବିଶୃଂଖଳା ଏହି ଦର୍ଶନର ମୂଳାଧାର । James Purdy ସ୍ପାନିସ୍‌ଦର୍ଶନଧାରାରେ ଏକ ନୀତିଗତ ପରିବର୍ତ୍ତନ ଆଣି ପିକେରେସ୍‌ ରୀତିକୁ ଏକ ସ୍ଖଳିତ ସଭ୍ୟତାର ଆଧ୍ୟତ୍ମିକ ସ୍ଥିତି ନିର୍ଣ୍ଣୟ ପାଇଁ ପ୍ରୟୋଗ କରିଛନ୍ତି ।

 

ବିଂଶଶତାବ୍ଦୀର ବିଶୃଙ୍ଖଳା ମଧ୍ୟରେ ସମଗ୍ର ମାନବଜାତିର ଭାଗ୍ୟ ଆଜି ସୂତାଖିଅରେ ଝୁଲୁଥିବାବେଳେ Picaro ର ବଂଚିବା ବା ମରିବା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ନୁହେଁ । Mark Twain ଏବଂ Saul Bellow ଙ୍କ ସଂଗ୍ରାମୀ ଜୀବନବୋଧ James Purdyଙ୍କ ଦର୍ଶନରେ ମୂଲ୍ୟହୀନ ହୋଇଯାଇଛି । Augie March ର ସଂଗ୍ରାମ ଓ ଆତ୍ମଗୌରବ Malcolm ର ସମର୍ପଣ ଓ ଆତ୍ମବିସର୍ଜନରେ ପରିଣତ ହୋଇଛି । ବାସ୍ତବ ଜୀବନର କଠୋରତାକୁ (Bellow) ଯେଉଁ ରଙ୍ଗିନ କଳ୍ପନାର ଆଚରଣ ଦ୍ୱାରା ଆଚ୍ଛାଦିତ କରିଥିଲେ Purdy ତାହାକୁ ଭେଦକରି ସଭ୍ୟତାର କେନ୍ଦ୍ରରେ ମୃତ୍ୟୁର ବିଭତ୍ସ ନୃତ୍ୟ ଛଡ଼ା ଆଉ କିଛି ଦେଖିପାରିନାହାନ୍ତି । ମୂଳ ସ୍ପାନିସ୍‌ ଚରିତ୍ରଠାରୁ Purdyଙ୍କ ନାୟକର ଦୁରତ୍ୱ ଏହି ଯେ Lazarillo ଘଟଣା ବହୁଳତା ମଧ୍ୟରେ ନିଜର ବ୍ୟକ୍ତିତ୍ୱକୁ ସଫଳତାର ସ୍ତମ୍ଭ ଭଳି ପ୍ରତିଷ୍ଠିତ କରିଥିଲାବେଳେ Malcolm ର ଅସ୍ପଷ୍ଟ ବ୍ୟକ୍ତିତ୍ୱ କ୍ରମଶଃ କ୍ଷୀଣରୁ କ୍ଷୀଣତର ହୋଇ ମୃତ୍ୟୁରେ ନିଶ୍ଚିହ୍ନ ହୋଇଯାଇଛି । ଏହି ଦୁର୍ବଳ ଚରିତ୍ର ପାଇଁ ଲେଖକ ପ୍ରଥମପୁରୁଷ ବର୍ଣ୍ଣନା ଶୈଳୀକୁ ଅପସାରିତ କରି ତାହା ସ୍ଥାନରେ ତୃତୀୟ ପୁରୁଷର ସର୍ବଦର୍ଶୀ ଚେତନାର ସମୀକ୍ଷା ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି । ସ୍ପାନିସ୍‌ ଉପନ୍ୟାସର ଏକ ବଳିଷ୍ଠ ଉପାଦାନକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା Purdy ଙ୍କ ଆକର୍ଷଣୀୟତା କେତେକାଂଶରେ ହ୍ରାସ ପାଇଅଛି ସତ କିନ୍ତୁ ଏକ ରସାତଳଗାମୀ ସମାଜର ଶକ୍ତିଶାଳୀ ସମାଲୋଚକ ଭାବରେ ନୈତିକ ଦାୟିତ୍ୱସମ୍ପନ୍ନ କରି ସେ ବିଂଶ ଶତାବ୍ଦୀ ମନୁଷ୍ୟର ବିବେକରେ ମୃଦୁ କମ୍ପନ ସୃଷ୍ଟି କରିଅଛନ୍ତି । ତାଙ୍କ ଦୟନୀୟ ମୁଖ୍ୟ ଚରିତ୍ର ଧ୍ଵସ୍ତବିଧ୍ଵସ୍ତ ସମାଜରେ ମୁମୂର୍ଷୁ ମନୁଷ୍ୟର ଏକ ରୂପକଳ୍ପ ।

 

ମହାନଗରୀର ଏକ କୋଳାହଳମୟ ସ୍ଥାନରେ ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ Malcolm ନାମକ ଏହି ପିତୃହୀନ, ଗୃହଶୂନ୍ୟ ଓ ଅନାମିତ ଶିଶୁର ଆବିର୍ଭାବ ହୋଇଥିଲା । ଏହି ବାଳୁତର ନିଃସହାୟ ଅବସ୍ଥା ଏପରି ମର୍ମସ୍ପର୍ଶୀ ଯେ ତାର ନିରୀହତା ଓ ନିର୍ବୋଧତା ସ୍ଵର୍ଗର ପ୍ରଥମ ମାନବ Adam ଙ୍କର ନିଃସଙ୍ଗତା କିମ୍ବା Bethelhem ରେ ମେରୀଙ୍କ ଶିଶୁପୁତ୍ର ଯୀଶୁଙ୍କ ବିଶୁଦ୍ଧ ପବିତ୍ରତାର ପ୍ରତୀକ ବୋଲି ମନେହୁଏ । ପିତୃହୀନତା Malcolm ର ଏକମାତ୍ର ଦୁଃଖ ଏବଂ ଜନାକୀର୍ଣ୍ଣ ସହରରେ ପିତୃସନ୍ଧାନ ତାର ଯାତ୍ରାର ଲକ୍ଷ । ଗ୍ରୀକ୍‌ ସାହିତ୍ୟରେ ପ୍ରକଟିତ ପିତୃ ଅନ୍ୱେଷଣ ପରମ୍ପରା (Telemachus Motif)କୁ ପିକେରେସ୍‌ର ଏକ ଉପାଦାନ ଭାବରେ ଗ୍ରହଣ କରି Purdy ତାଙ୍କ ନାୟକର ନିଃସହାୟତାରେ ବିଂଶ ଶତାବ୍ଦୀ ମନୁଷ୍ୟର ନିଃସଙ୍ଗତା ବୋଧକୁ ପ୍ରତୀକାୟିତ କରିଛନ୍ତି । Malcolm ର ନିଷ୍ପ୍ରାଣତାର କାରଣ ଏହିଯେ ତାପାଇଁ ମାନବସଭ୍ୟତା ଅନ୍ଧକାରାଚ୍ଛନ୍ନ ଏବଂ ସଭ୍ୟସମାଜର ଆତ୍ମହୀନ ଜୀବନ ତାହାକୁ ପୃଥିବୀ ସହିତ ନିବିଡ଼ ସଂପର୍କିତ କରିବା ପରିବର୍ତ୍ତେ ତାହାର ଦୃଷ୍ଟିରେ ମୃତ୍ୟୁକୁ ଅଧିକ ଆକର୍ଷଣୀୟ କରିଅଛି । ବିଭତ୍ସ ଚରିତ୍ରମାନଙ୍କର ବ୍ୟୂହରେ ଆବଦ୍ଧ ହୋଇ ସ୍ଵାର୍ଥ, ହିଂସା, ଦ୍ୱେଷ, ଈର୍ଷା, ଲୋଭ, ଗର୍ବ, ଘୃଣା ଓ ବିକୃତ ଯୌନପ୍ରବୃତ୍ତିର ତାଣ୍ଡବଲୀଳା ମଧ୍ୟରେ Malcolm ମନୁଷ୍ୟ ସମାଜରେ ଧର୍ମ, କଳା, ଶିକ୍ଷା, ପରମ୍ପରା, ସଂସ୍କୃତି ଓ ପାରିବାରିକ ସ୍ନେହ-ବନ୍ଧନ ପ୍ରଭୃତି ପ୍ରତ୍ୟେକ ଆଦର୍ଶର ଅସାରତା ଲକ୍ଷ କରିଅଛି । ସଂସାର ପ୍ରତି ସେ ଏପରି ବୀତସ୍ପୃହ ଯେ ସହରର କୋଳହାଳ ମଧ୍ୟରେ ତାହାର ଆଖିକୁ ତନ୍ଦ୍ରା ଘୋଟି ଆସେ । ସୁଷୁପ୍ତିରେ ତାର ଜୀବନର ଅଭିବ୍ୟକ୍ତି କାରଣ ଏହି ଅନ୍ଧକାରମୟ ପୃଥି‌ବୀରେ ମୃତ୍ୟୁ ମନୁଷ୍ୟର ଏକମାତ୍ର ମୁକ୍ତିର ପଥ ।

 

Purdyଙ୍କ ଉପନ୍ୟାସର ବିଭିନ୍ନ ସ୍ତରରେ ଭାଗ୍ୟବାଦୀ ପ୍ରଫେସର Jazz ସଂଗୀତ ଗାୟକ, ଚିତ୍ରଶିଳ୍ପୀ, ଶିଳ୍ପପତି ଓ ଯୌନବିକୃତ ପହିଲିମାନ ପ୍ରଭୃତି ବିଭତ୍ସ ଚରିତ୍ରମାନେ Malcolm କୁ ସ୍ନେହ ଓ ସାହାଯ୍ୟ ଦେବା ବାହାନାରେ କେବଳ ପ୍ରତାରିତ କରି ନଥିଲେ, ତାହା ଉପରେ ଜଘନ୍ୟ ଅତ୍ୟାଚାର କରି ମୃତ୍ୟୁମୁଖକୁ ଠେଲି ଦେଇଥିଲେ । ଉପନ୍ୟାସର ଶେଷ ପର୍ଯ୍ୟାୟରେ James Purdy ରାତ୍ରି କ୍ଲବର ଗାୟିକା Melba ମୁହଁରେ ଯେଉଁ ମନ୍ତବ୍ୟ ପ୍ରଦାନ କରିଅଛନ୍ତି ତାହା ଆମେରିକାନ୍‌ ସଭ୍ୟତାକୁ ଏକ ବିଡ଼ମ୍ବନାରେ ପରିଣତ କରିଅଛି, ଆମେରିକା ଏକ ପ୍ରାଚୁର୍ଯ୍ୟ, ଐଶ୍ଵର୍ଯ୍ୟ, ସ୍ଵପ୍ନ ଓ ସଫଳତାର ଦେଶ । ଏହି ବିଭବଶାଳୀ ଦେଶରେ ମନୁଷ୍ୟ ତାର ପ୍ରତିଭା ଓ ଯୌବନର ଅସୀମ ଶକ୍ତି ବଳରେ ସମଗ୍ର ପୃଥିବୀକୁ ପଦାନତ କରିପାରେ-। ଏହି କଠୋର ବ୍ୟଙ୍ଗୋକ୍ତିରେ Purdy ମନୁଷ୍ୟର ଆସ୍ପର୍ଦ୍ଧାକୁ ଅଟ୍ଟହାସ କରିବା ସଂଗେ ସଂଗେ ବଜ୍ର ଦମ୍ଭରେ ପ୍ରକାଶ କରିଅଛନ୍ତି ଯେ ବିଂଶ ଶତାବ୍ଦୀର ଆମେରିକାନ୍‌ ସମାଜ ଧ୍ଵଂସ ମୁଖକୁ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆମେରିକାନ୍‌ ମନସ୍ତତ୍ତ୍ୱରେ ଯୌବନର ଉପାସନା ଏକ ଅଧଃପତନର ଲକ୍ଷଣ । James Purdy ତାଙ୍କ Picaroର ସମାଧୀ ଉପରେ ପଥଚ୍ୟୁତ ମନୁଷ୍ୟକୁ ବିବେକର ଆହ୍ୱାନ ଦେଇଛନ୍ତି । ତାଙ୍କ ପାଇଁ ମୃତ୍ୟୁ ଏକ ନୈତିକ ବିଜୟର ମାଧ୍ୟମ । Malcolm ର ମୃତ୍ୟୁ ବିଂଶ ଶତାବ୍ଦୀର ସଭ୍ୟତାର ବିବେକ ଉପରେ ଏକ ପ୍ରଚଣ୍ଡ ବଜ୍ରାଘାତ ।

 

ଆମେରିକାନ୍‌ ଉପନ୍ୟାସରେ Ralph Ellison ଙ୍କ ନାମ Bellow ଙ୍କ ତଳକୁ ରହିଥିଲେ ମଧ୍ୟ ତାଙ୍କ Invisible Man ବିଶ୍ୱସାହିତ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଅଛି-। ସ୍ପାନିସ୍‌ ପିକେରେସ୍‌ ସାହିତ୍ୟର ଧାରାବାହିକ ଉପାଦାନ ସହିତ ମାର୍କିନ ସମାଜରେ ଦେଖାଦେଇଥିବା ବର୍ଣ୍ଣବୈଷମ୍ୟଗତ ସଂକଟକୁ ଯୋଗ କରି Ellison ଏହାର ପରିସରକୁ ଅଧିକ ପ୍ରଶସ୍ତ କରିଦେବା ସଂଗେ ସଂଗେ ଏକ ଉତ୍‌କଟ ମାନବିକ ସମସ୍ୟାକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପିତ କରିଅଛନ୍ତି । କଳା ଓ ଗୋରାର ବର୍ଣ୍ଣଗତ ସଂଘର୍ଷ ମଧ୍ୟରେ ଲେଖକ ନିଜର ସ୍ଥିତି ନିରୂପଣ କରିବାପାଇଁ ପିକେରେସ୍‌ ଦର୍ଶନକୁ ଯେପରି ବ୍ୟବହାର କରିଛନ୍ତି ତାହା ସାହିତ୍ୟର ପରମ୍ପରାରେ ଆମେରିକାନ୍‌ ପିକେରେସ୍‌ ପାଇଁ ଏକ ଉଚ୍ଚ ସ୍ଥାନ ନିର୍ଦ୍ଧାରିତ କରିଦେଇଛି ।

 

ମୂଳ ରଚନାର Lazarillo ପରି Ellison ଙ୍କ Picaro ରକ୍ତମାଂସର ଜଣେ ଜୀବନ୍ତ ମନୁଷ୍ୟ ହୋଇଥିଲେ ମଧ୍ୟ ମାର୍କିନ ସମାଜରେ ସେ ଗୋଟିଏ ଅଦୃଶ୍ୟ ମାନବର ଆଖ୍ୟା ପାଇଅଛି । ତାହାର ଦୈହିକ ଓ ମାନସିକ ସ୍ଥିତିକୁ ସମାଜ ଅସ୍ଵୀକାର କରିଥିବାରୁ ସ୍ପଷ୍ଟଦିବାଲୋକରେ ମଧ୍ୟ ସେ ଜଣେ ସ୍ଥାନକାଳଚ୍ୟୁତ ଅଦୃଶ୍ୟ ଅସ୍ତିତ୍ଵରେ ପରିଣତ ହୋଇଅଛି । ଆମେରିକାନ୍‌ ସମାଜ ପାଇଁ ଅଦୃଶ୍ୟତାର ଅର୍ଥ ସ୍ଥିତିଶୂନ୍ୟତା ହୋଇପାରେ କିନ୍ତୁ Ellison ଙ୍କ ପିକେରେସ୍‌ ଦର୍ଶନରେ ତାହା ବ୍ୟକ୍ତିତ୍ୱହୀନତା ନୁହେଁ । ସେ ଏହି ଅଦୃଶ୍ୟତାକୁ ଏକ ବିପ୍ଲବୀ ଚେତନାର ମାଧ୍ୟମ କରି ପ୍ରତିପାଦିତ କରିଛନ୍ତି ଯେ ସମାଜର ଧ୍ୱଂସକାରୀ ଶକ୍ତି ମନୁଷ୍ୟର ବ୍ୟକ୍ତିସତ୍ତାକୁ ବିନାଶ କରିନପାରେ । Picaro ତାହାର ଆତ୍ମକଥନର ଅନୁଚିନ୍ତା ମଧ୍ୟରେ ଅତୀତ ପରାଜୟର କାରଣ ନିର୍ଣ୍ଣୟ କରିବା ସଂଗେ ସଂଗେ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରିତ କରିଦିଏ । Picaro ର ଶକ୍ତି ହେଉଛି ତାର କଳ୍ପନା । ବିପଦ ଓ ଦୁଃଖ ମଧ୍ୟରେ ସେ ତାହାର ଜୀବନ ଆରମ୍ଭ କରି କଳ୍ପନାର ଜଣେ କଳାକାର ଭାବରେ ଯାତ୍ରା ଶେଷ କରେ । Ellisonଙ୍କ ଅଦୃଶ୍ୟମାନବ ଦୃଶ୍ୟ ଜଗତରୁ ବିତାଡ଼ିତ ହୋଇ ମାଟି ତଳର ଗର୍ତ୍ତ ମଧ୍ୟରେ ଲୁଚି ରହିଥିଲା ସତ, କିନ୍ତୁ ତାର ଦୁଃଖ-ଅର୍ଜିତ ଅଭିଜ୍ଞତା କେବେ ମୂଲ୍ୟହୀନ ହୋଇନଥିଲା । ପରାଜୟର ସ୍ମୃତିରୁ ସେ ଭବିଷ୍ୟତ ସଂଗ୍ରାମର ରୂପରେଖ ସ୍ଥିର କରିବାକୁ ଚାହେଁ । ଅନ୍ଧକାର ଗହ୍ୱରର ନିର୍ଜନତା ମଧ୍ୟରେ ସେ ବର୍ତ୍ତମାନ ସେହି ଆସନ୍ନ ସଂଗ୍ରାମର ଚିନ୍ତାରେ ମଗ୍ନ । କିଏ କହିବ, ଏହି ଚିନ୍ତା ମଧ୍ୟରୁ ଏକ ବିପ୍ଲବର ଅଗ୍ନିଝଡ଼ ଜନ୍ମ ନନେବ ବୋଲି ।

 

ବର୍ଣ୍ଣନାର ପ୍ରଥମ ପୁରୁଷତା ଓ ଆତ୍ମକାହାଣୀର ଘଟଣାବହୁଳତା Ellisonଙ୍କ ଉପନ୍ୟାସର ସର୍ବାଧିକ ଆକର୍ଷଣୀୟ ଉପାଦାନ । ତାଙ୍କର ଅନାମିତ Picaroର ଘଟଣାବହୁଳ ଜୀବନକୁ ରୂପାୟିତ କରି ଶ୍ଵେତକାୟ ସମାଜରେ କୃଷ୍ଣକାୟ ମନୁଷ୍ୟର ଦୁର୍ଭାଗ୍ୟର ଚିତ୍ର ପ୍ରଦାନ କରିବା ଲେଖକଙ୍କ ଅଭିପ୍ରାୟ । ଆମେରିକାର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ନିଗ୍ରୋ କଲେଜର ଛାତ୍ର ଭାବରେ Mr. Nortonଙ୍କ ଦୁର୍ଘଟଣା ସହିତ ଜଡ଼ିତ ହୋଇ ଅଦୃଶ୍ୟମାନବର ପ୍ରଥମ ବିପର୍ଯ୍ୟୟ ଘଟିଥିଲା ଯାହା ଫଳରେ ଜନ୍ମଭୂମିରୁ ବିତାଡ଼ିତ ହୋଇ ତାହାକୁ ଭାଗ୍ୟର ଅନୁସନ୍ଧାନରେ ସୁଦୂର ନ୍ୟୁୟର୍କ ସହରକୁ ଯାତ୍ରା କରିବାକୁ ପଡ଼ିଥିଲା । ସେ ଜାଣିନଥିଲା ଯେ ତାର ଯାତ୍ରୀପଥ ଅତ୍ୟନ୍ତ କଣ୍ଟକିତ ଓ ତାର ଭାଗ୍ୟ ସଂପୂର୍ଣ୍ଣ ବିଡ଼ମ୍ବିତ । ଭାଗ୍ୟ ଅନ୍ୱେଷଣକାରୀ ମନୁଷ୍ୟ ପାଇଁ ପିକେରେସ୍‌ ହେଉଛି ଶକ୍ତିର ଉତ୍ସ । ଅଦୃଶ୍ୟମାନବ ଏହି ଶକ୍ତିର ଅଧିକାରୀ ହୋଇ ତାର ନିରବଚ୍ଛିନ୍ନ ବିଫଳତାରେ ହତୋତ୍ସାହ ହେବା ପରିବର୍ତ୍ତେ ଅତୀତର ଧ୍ଵଂସାବଶେଷ ମଧ୍ୟରୁ ବଂଚିବାର ନୂତନ ଉପାଦାନ ଖୋଜି ପାଇଅଛି । Ellisonଙ୍କ Picaro ବିପଦ, ବିଶୃଙ୍ଖଳା, ଅସ୍ଥିରତା ଓ ବିଫଳତାର ଅଭିଜ୍ଞତା ମଧ୍ୟରେ କେବଳ ବଂଚି ରହିନାହିଁ, ଦୁଃଖ ପରେ ସୁଖର ଅବଶ୍ୟମ୍ଭାବିତା ଉପଲବ୍ଧି କରି ଏକ ସୁନ୍ଦର ଭବିଷ୍ୟତର କଳପନା କରିଅଛି ।

 

ଆମେରିକାନ୍‌ ସମାଜରେ ମନୁଷ୍ୟର ମୂଲ୍ୟହୀନତା ପ୍ରତିପାଦିତ କରିବାପାଇଁ Ellison ଅଦୃଶ୍ୟମାନବର ପ୍ରତ୍ୟକ୍ଷ ଅନୁଭୂତିରେ ଦୁଇଟି ଉଲ୍ଲେଖନୀୟ ଘଟଣାର ଅବତାରଣା କରିଅଛନ୍ତି । ନ୍ୟୁୟର୍କ ସହରର ମୃତ୍ୟୁଜନ୍ତା ମଧ୍ୟରେ ସେ ଅସ୍ଥିରତା ଅନୁଭବ କରୁଥିଲାବେଳେ Liberty Point Factory & ବିଷ୍ଫୋରଣ ଦୁର୍ଘଟଣା ତାହାର ଦୈହିକ ଜୀବନକୁ ଧ୍ଵଂସର ନିକଟବର୍ତ୍ତୀ କରାଇଥିଲା । ପିକେରେସ୍‌ର ସତ୍ୟଧର୍ମୀ ଶୈଳୀ ପ୍ରୟୋଗ କରି Ellison ଦେଖାଇଛନ୍ତି ଯେ ବିଂଶଶତାବ୍ଦୀର ମନୁଷ୍ୟ ସଫଳତାର ମରୀଚିକା ପଛରେ ଧାଇଁ ସବୁଜ ଶସ୍ୟକ୍ଷେତ୍ରର ଗ୍ରାମୀଣ ସଭ୍ୟତାକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ଆଜି ଯନ୍ତ୍ରଦାନବର କାବୁରେ କଲବଲ ହେଉଛି । ସଭ୍ୟତାକୁ ମାର୍ଜିତ କରିବାପାଇଁ ମନୁଷ୍ୟ ଯେଉଁସବୁ ଆଦର୍ଶ, ସଂସ୍କୃତି ଓ ମୂଲ୍ୟବୋଧ ସୃଷ୍ଟି କରିଥିଲା ତାହା ତାର ଜଘନ୍ୟ ପ୍ରବୃତ୍ତି ଆଗରେ ପାଣି ଫୋଟକା ପରି କୁଆଡ଼େ ମିଳେଇ ଯାଇଛି । ମନୁଷ୍ୟର ମନ ମଧ୍ୟରେ ଲୁଚି ରହିଥିବା ପଶୁକୁ କୌଣସି ଆଦର୍ଶବାଦର ଧ୍ଵନି ଦ୍ୱାରା ସଂଯତ କରାଯାଇ ନପାରେ । ଅଦୃଶ୍ୟମାନବର ଶେଷ ଘଟଣାରୁ ଏହା ପ୍ରମାଣିତ ହୋଇଛି । ତାହାର ସଂଗ୍ରାମର ଶେଷପର୍ଯ୍ୟାୟରେ ସଫଳତା ପାଇଁ ସର୍ବଶେଷ ପଦକ୍ଷେପସ୍ଵରୂପ ଅଦୃଶ୍ୟମାନବ Harlem ର ବସ୍ତି ମଧ୍ୟରେ ସାମ୍ୟବାଦୀ ବିପ୍ଲବର ଧ୍ଵନି ମଧ୍ୟରେ ଏକ ନୂତନ ବୌଦ୍ଧିକ ଜୀବନ ଯାପନ କରିବାକୁ ଚାହିଁଥିଲା । କିନ୍ତୁ ତାହାର ସମସ୍ତ ଆଶା ଓ କଳ୍ପନାକୁ ପ୍ରବଞ୍ଚନାରେ ପରିଣତ କରି ଏହି ସମାଜବାଦୀ ସଂସ୍କାର ନେତାମାନେ କେବଳ ତାହାକୁ ପ୍ରତାରିତ କରି ନଥିଲେ, ପୃଥିବୀର ଆଲୋକ ମଧ୍ୟରୁ ଭୂତଳର ଅନ୍ଧକାର ଭିତରକୁ ପଳାୟନ କରିବାକୁ ବାଧ୍ୟ କରିଥଲେ । ତଥାପି ତାର କଳ୍ପନାର ଶେଷ ନାହିଁ । ପିକେରେସ୍‌ର ଚଳମାନ ରଚନା Picaro ର ଅସଂପୂର୍ଣ୍ଣ ଇତିହାସ, ନିରବଚ୍ଛିନ୍ନ ସଂଗ୍ରାମ ଓ ତାର ବହୁ ଲମ୍ବିତ ପଥର ଅନୁପନ୍ଥୀ ।

 

Invisible Man ଉପନ୍ୟାସର ସଂକ୍ଷିପ୍ତ ଆଲୋଚନାରୁ ଏହା ପ୍ରମାଣିତ ଯେ Ellison ଏଥିରେ ପିକେରେସ୍‌ ରଚନା ଉପଚାର ପ୍ରୟୋଗ କରି ଆଧୁନିକ ସମାଜରେ ମନୁଷ୍ୟର ଭାଗ୍ୟକୁ ପ୍ରତିବିମ୍ବିତ କରିଅଛନ୍ତି । ଅଦୃଶ୍ୟମାନବର ଏକ ସମାନ୍ତରାଳ ମନସ୍ତତ୍ତ୍ୱ James Joyceଙ୍କ Stephen Daedalus ଚରିତ୍ରରେ ଦେଖିବାକୁ ମିଳେ । Stephenଙ୍କ ମତରେ, ବ୍ୟକ୍ତିତ୍ୱର ପ୍ରତିଷ୍ଠା ମନୁଷ୍ୟର ସର୍ବାଦୌ କର୍ତ୍ତବ୍ୟ ଏବଂ ଏହି ମୂଳ କର୍ତ୍ତବ୍ୟ ସାଧନ ପରେ ଜାତିର ବିବେକକୁ ପ୍ରତିଧ୍ୱନିତ କରିବା ତାର ନୈତିକ ଦାୟିତ୍ଵ । ବ୍ୟକ୍ତିତ୍ୱର ବିକାଶରେ ଯେ କେବଳ ଗୋଟିଏ ଜାତି ସୃଷ୍ଟି ହେବ ତାହା ନୁହେଁ, ତାହାର କଳ୍ପନା ଓ ଅଭିଜ୍ଞତାର ପ୍ରବାହରେ ଗୋଟିଏ ଶକ୍ତିଶାଳୀ ସଂସ୍କୃତି ମଧ୍ୟ ଗଢ଼ି ଉଠିବ । Ellisonଙ୍କ ମତରେ, ତାଙ୍କ ପିକେରେସ୍‌ ଉପନ୍ୟାସ ଏକ ‘ପରିକାହାଣୀର ଉଜ୍ଜ୍ୱଳ ଇନ୍ଦ୍ରଜାଲ’ ଯେଉଁଥିରେ ସତ୍ୟ ଓ ଅସତ୍ୟ, ଆଲୋକ ଓ ଅନ୍ଧକାର, ଜନ୍ମ ଓ ମୃତ୍ୟୁ, ସୌନ୍ଦର୍ଯ୍ୟ ଓ ବିଭତ୍ସତା, ଉତ୍ସାହ ଓ ନୈରାଶ୍ୟ ପ୍ରଭୃତି ବିପରୀତଧର୍ମୀ ପ୍ରକ୍ରିୟାର ସମନ୍ୱୟ ମନୁଷ୍ୟର କଳ୍ପନାକୁ ଇନ୍ଦ୍ରଧନୁର ରଙ୍ଗରେ ମଣ୍ଡିତ କରିଅଛି । ଶାରୀରିକ ରୂପାନ୍ତରୀକରଣ ମାଧ୍ୟମରେ Picaroର ପୁନର୍ଜନ୍ମ ପ୍ରାପ୍ତି ଆମେରିକାନ୍‌ ଉପନ୍ୟାସର ଏକ ଅଦ୍ଭୁତ ଉଦ୍ଭାବନ । ଏହା ମଧ୍ୟ Ellisonଙ୍କ ବ୍ୟଙ୍ଗ, ହାସ୍ୟ, ଅଟ୍ଟହାସ୍ୟ ଓ ଅତିରଂଜନର ଏକ ଚୂଡ଼ାନ୍ତ ନିଦର୍ଶନ । Salingerଙ୍କ ଆତ୍ମବିଷାଦ ସ୍ଵରଚିତ, Bellowଙ୍କ ଅକଳନ କଳ୍ପନାର ଶକ୍ତି ଅତିନ୍ଦ୍ରିୟ, କିନ୍ତୁ ଅଦୃଶ୍ୟ ମାନବର ବ୍ୟକ୍ତିସତ୍ତା ପୃଥିବୀର ପ୍ରତ୍ୟେକ ମନୁଷ୍ୟର ଜୀବନସତ୍ତାର ଏକ ଅଂଶବିଶେଷ । Ellisonଙ୍କ ପ୍ରେରଣାର ଉତ୍ସ ହେଉଛି ଆମେରିକାନ୍‌ ନିଗ୍ରୋମାନଙ୍କ ‘Blue’ ନାମକ ଏକ ଜୀବନ-ଦର୍ଶନ ଯେଉଁଥିରେ କଳାଜାତିର ଅଶୃସିକ୍ତ ଐତିହାସିକ ମନସ୍ତତ୍ତ୍ୱ ନିମଜ୍ଜିତ । ଏହି ଦୁଃଖଦାୟକ ଅନୁଭୂତିକୁ ନିଗ୍ରୋସଂପ୍ରଦାୟ ଦର୍ଶନଶାସ୍ତ୍ରର ସୂକ୍ଷ୍ମଜ୍ଞାନ ବଳରେ ପାଶୋରି ଦେବାକୁ ଚାହେଁନାହିଁ । ଏହି ଅସ୍ପଷ୍ଟ ସ୍ମୃତିକୁ ତାର ସ୍ଵପ୍ନାଳସ ମନ ମଧ୍ୟରେ ସଂଜୀବିତ ରଖି ସେଥିରୁ ନିଃସୃତ ରସାମୃତ ପାନ କରିବାକୁ ଚାହେଁ । ଆମେରିକାନ୍‌ ପିକେରେସ୍‌ ପ୍ରତି ଏହା ହେଉଛି Ellisonଙ୍କ ଅତୁଳନୀୟ ଅବଦାନ ।

 

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୋଇଛି ଯେ ଦ୍ୱିତୀୟ ବିଶ୍ଵଯୁଦ୍ଧପରେ ମାନବସଭ୍ୟତା ଉପରେ ଯେଉଁ ବିଷାଦର ଛାୟା ଘୋଟି ଯାଇଥିଲା ଏହି ଲେଖକମାନେ ପିକେରେସ୍‌ ଦର୍ଶନ ସାହାଯ୍ୟରେ ତାହାର ସମ୍ମୁଖୀନ ହୋଇଥିଲେ । ଆମେରିକା ସମାଜରେ ଜୀଉ ସଂପ୍ରଦାୟର ନିଃସଙ୍ଗତାବୋଧ ଏବଂ ନିଗ୍ରୋଜାତିର ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ Bellow ଓ Ellison ପ୍ରଭୃତି ଲେଖକମାନଙ୍କ ଦର୍ଶନକୁ ଏକ ନୂତନ ଆଭିମୁଖ୍ୟ ଓ ପ୍ରାସଙ୍ଗିକତା ଆଣି ଦେଇଥିଲା । ବିଂଶ ଶତାବ୍ଦୀର Picaro ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଓ ରୋଜଗାର ଆଦି ଅର୍ଥନୈତିକ ପ୍ରଶ୍ନ ମୁଖ୍ୟ ସମସ୍ୟା ହୋଇ ରହିନାହିଁ । ମୂଳ ଉପନ୍ୟାସର Lazarillo ଏକ ନିରୀଶ୍ଵରବାଦୀ ଚରିତ୍ର ଏବଂ ଦୈହିକ ଜୀବନର ସଂରକ୍ଷଣ ତାହାର ସଂଗ୍ରାମର ଏକମାତ୍ର ଲକ୍ଷ୍ୟ । ମନୁଷ୍ୟର ସାରସ୍ଵତ ଆତ୍ମା .ଓ ଆଧ୍ୟାତ୍ମିକ ଜୀବନର ଉତ୍କର୍ଷ ସାଧନ ଆମେରିକାନ୍‌ Picaro ପାଇଁ ଏକ ନୈତିକ ଦାୟିତ୍ୱ ଏବଂ ତାର ସଂଗ୍ରାମ ସମାଜର ବିଶୃଂଖଳା, ବ୍ୟଭିଚାର ଓ ନୈତିକ ଅଧୋଗତି ବିରୁଦ୍ଧରେ ଅଭିପ୍ରେତ । ଏକ ଅସ୍ଥିର ସମାଜରେ ଆତ୍ମାର ସ୍ଥିରତା ରକ୍ଷା କରିବାର କାମନା Picaro ର ସ୍ଵାଭାବିକ ପ୍ରବୃତ୍ତି ଏବଂ ସେହି ଲକ୍ଷ୍ୟ ସାଧନ ପାଇଁ ସେ ଦୁନିଆର ବିଶୃଙ୍ଖଳିତ ଦୃଶ୍ୟଗୁଡ଼ିକରୁ ଦୃଷ୍ଟି ଫେରାଇ ଆଣି ନିଜ ବ୍ୟକ୍ତିତ୍ଵ ଉପରେ ଆବଦ୍ଧ କରିଦେବାକୁ ବାଧ୍ୟ । Lazarillo ର ଗୋଟିଏ ସମସ୍ୟା ଥିଲା ପେଟର ଯନ୍ତ୍ରଣା କିନ୍ତୁ ବିଂଶ ଶତାବ୍ଦୀର Picaro ସମଗ୍ର ମାନବଜାତିର ସମସ୍ୟାରେ ଭାରାକ୍ରାନ୍ତ । ସେ ମନୁଷ୍ୟର ସୁଖ ଚାହେଁ ।

 

ଚଳିତ ଶତାବ୍ଦୀରେ ବିଟ୍‌ ଦର୍ଶନର ଲେଖକ ଓ କବିମାନଙ୍କ ପ୍ରସାରିତ ବେପରୁଆ ଜୀବନ-ପ୍ରଣାଳୀ ଓ ଉଦ୍‌ଭ୍ରାନ୍ତ ଭାବପ୍ରକ୍ରିୟା ପିକେରେସ୍‌ ସାହିତ୍ୟକୁ ବହୁଳ ପ୍ରଭାବିତ କରିଥିଲେ ମଧ୍ୟ ସେମାନଙ୍କ ନୈରାଶ୍ୟବାଦ ପିକେରେସ୍‌ ଲେଖକମାନଙ୍କୁ ପ୍ରଭାବିତ କରିନଥିଲା । ଅସୀମିତ ସ୍ଵାଧୀନତାର ପ୍ରୟାସ, ଦୁଃସାହସିକ କଳ୍ପନା, ନୂତନତ୍ୱର ପ୍ରେରଣା ଓ ମନୁଷ୍ୟର ଶକ୍ତିରେ ଅତୁଟ ବିଶ୍ଵାସ ପ୍ରଭୃତି ମାନସିକ ପ୍ରକ୍ରିୟା ହେଉଛି ଆମେରିକାନ୍‌ ଚରିତ୍ରର ମୌଳିକ ଉପାଦାନ ଏବଂ ତାହା ମଧ୍ୟ ପିକେରେସ୍‌ ଦର୍ଶନର ମୂଳସ୍ରୋତ । ଗତିଶୀଳତା ଆମେରିକାନ୍‌ Picaro ପାଇଁ ଜୀବନର ଅଭିବ୍ୟକ୍ତି ଏବଂ ନିଶ୍ଚଳତା ନିର୍ଜୀବତାର ଲକ୍ଷଣ । ମାତ୍ର ଦୁଇ ଶହ ବର୍ଷ ତଳେ ଜନ୍ମ ନେଇଥିବା ଏକ ସମାଜରେ ଐତିହାସିକ ଓ ନୈତିକ ଆଭିମୁଖ୍ୟ ଏବେ ମଧ୍ୟ ଅନିଶ୍ଚିତ । ତେଣୁ ଅନ୍ୱେଷଣର ପ୍ରୟୋଜନୀୟତା ରହିଛି ଏବଂ Picaro ଏହି ଅନ୍ଵେଷଣ ପ୍ରବୃତ୍ତିର ଏକ ସାହିତ୍ୟିକ ଅଭିବ୍ୟକ୍ତି । ଆମେରିକାର ବିଶାଳ ଆୟତନ ପରିଭ୍ରମଣ ପାଇଁ ପ୍ରକୃଷ୍ଟ କ୍ଷେତ୍ର । ତେଣୁ Picaro ର ଭ୍ରମଣ ପ୍ରବୃରି । ଏହି ଭ୍ରାମ୍ୟମାଣତାରେ ମନୁଷ୍ୟର ଚିରଯୌବନର ତୃଷ୍ଣା ପ୍ରତିଫଳିତ ହେବା ସଂଗେ ସଂଗେ Picaro ର ଚିର ସବୁଜ କଳ୍ପନା ରୂପାୟିତ ହୋଇଛି । Huck Finn ର ଦିଗ୍‌ବଳୟ ପ୍ରତି ଆକର୍ଷଣରେ, Augie March ର ପ୍ରକୃତି ପ୍ରତି ଅଟ୍ଟହାସ୍ୟରେ, Holdenର ଅକସ୍ମାତ୍‌ ଜ୍ଞାନର ଅଭ୍ୟୁଦୟରେ ଏବଂ Invisible Manaର ଅଦୃଶ୍ୟ ଅସ୍ତିତ୍ୱର ଗର୍ଜନରେ ଆମେରିକାନ୍‌ ସଭ୍ୟତାର ଏକ ଦୁର୍ବୋଧ୍ୟ ଦିଗ ଉନ୍ମୋଚିତ ହେଉଅଛି ।

 

ଆଧୁନିକ ଉପନ୍ୟାସରେ ପିକେରେସ୍‌ ଶୈଳୀର ଆଦରଣୀୟତା ଯେପରି ହୁ ହୁ ବଢ଼ି ଚାଲିଛି ସେଥିରୁ ମନେହୁଏ ନିକଟ ଭବିଷ୍ୟତରେ ଏହା ସାହିତ୍ୟର ଅପ୍ରତିଦ୍ୱନ୍ଦୀ ମାଧ୍ୟମରେ ପରିଣତ ହେବ । ଆମେରିକା ଏକ ଅନିଶ୍ଚିତ ସମାଜ ଏବଂ ଆକସ୍ତିକତା ଏହି ସମାଜର ଦୈନନ୍ଦିନ ଘଟଣା । ସାମାଜିକ ଜୀବନର ଯେ କୌଣସି ଆକସ୍ମିକତାର ସମ୍ମୁଖୀନ ହେବାପାଇଁ ପିକେରେସ୍‌ ଦର୍ଶନର ଅମାପ ଶକ୍ତି ରହିଅଛି । ବିଂଶ ଶତାବ୍ଦୀର ଉପନ୍ୟାସରେ, ବିଶେଷତଃ Kurt, Vonnegut, Thomas Pychon, John Barth, Donald Barthelme, Philip Roth, J.P.Donleavy ଓ Joseph Heller ପ୍ରଭୃତି ଲେଖକମାନଙ୍କ ରଚିତ ପୁସ୍ତକରେ ରଚନାର କୋହଳତା, ମାନସିକ ପ୍ରକ୍ରିୟାର ଚଞ୍ଚଳତା, ବ୍ୟଙ୍ଗ ଭାବର ପ୍ରାଧାନ୍ୟ, ବିଶୃଂଖଳିତ ଭାବନା, ଅସଂଯତ ପ୍ରକାଶ ଭଙ୍ଗୀ, ମନସ୍ତାତ୍ତ୍ୱିକ ଅସଙ୍ଗତି, ଚରିତ୍ର ଚିତ୍ରଣର ବିଚ୍ଛିନ୍ନତା, ବର୍ଣ୍ଣନାରେ ବିଶ୍ଵସନୀୟତାର ଅଭାବ, ସର୍ବୋପରି ଏକ ଅନ୍ଧକାରମୟ ନୈରାଶ୍ୟବାଦ ଓ ସାହିତ୍ୟର ସୃଷ୍ଟି ପ୍ରତି ଏକ ଖାମଖିଆଲୀ ମନୋଭାବରେ ଏହି ପିକେରେସ୍‌ ଭଙ୍ଗୀ ପ୍ରତିଫଳିତ ହୋଇଅଛି ।

 

ପରିଶିଷ୍ଟ:

1.

Ihab Hassan, ‘‘The Idea of Innocence in American Literature’’, American Quarterly, iii Fall, 1958.

2.

Frederick R.Karl, ‘‘Picaresque and the American Experience’’, Yale, Review, 57, ii, Winter, 1968.

3.

R.W.B. Lewis, The Picaresque Suint, New York, Lippincott, 1959.

4.

Ralph Ellison, Shadow and Act, New York, Random House, 1964.

5.

Ulrich Wicks; ‘‘Picaro, Picaresque; The Picaresque in Literary Scholarship’’, Genre, 5, 1972.

6.

Natham A.Scott.Jr. ‘‘The Broken Centre: A Definition of the Crisis of Values in Modern Literature’’, Chicago, Review, 13, ii, Summer, 1959.

7.

C.Whitbourn ed. The Knaves and Swindlers; Essays on the Picaresque Novels, in Europe, London, OXford, Univ. Press, 1 1974.

 

ଇଂରାଜୀ ବିଭାଗ

ବି.ଜେ.ବି କଲେଜ, ଭୁବନେଶ୍ୱର

 

ପଲ୍ଲୀଶ୍ରୀ ଓ ବାଜିରାଉତ

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

 

ଓଡ଼ିଆ ସାହିତ୍ୟର ଇତିହାସରେ କବି ସଚ୍ଚି ରାଉତରାୟ କେବଳ ଉଳ୍ଲେଖନୀୟ ନାମଟିଏ ମାତ୍ର ନୁହେଁ, ଏକ ସ୍ଵତନ୍ତ୍ର ଅଧ୍ୟାୟ । ଓଡ଼ିଆ ଭାଷାର ଯେ କୌଣସି ବଡ଼ କବିଙ୍କ ଧାରାରେ ତାଙ୍କ କୃତିତ୍ୱ ବିଚାରଣୀୟ ।

 

କବି ସଚ୍ଚି ରାଉତରାୟଙ୍କ ଜନ୍ମ ୧୯୧୮ରେ । ତାର ମାତ୍ର କେଇଟି ବର୍ଷ ପୂର୍ବରୁ ରବୀନ୍ଦ୍ରନାଥଙ୍କୁ ଆନ୍ତର୍ଜାତିକ ସ୍ଵୀକୃତି (ନୋବେଲ୍‌ ପୁରସ୍କାର- ୧୯୧୩) ମିଳିଥାଏ । ରବୀନ୍ଦ୍ର ସାହିତ୍ୟର ଗୁଣାତ୍ମକ ଦିଗଟିର ଆବିଷ୍କାର ଚାଲିଥାଏ, ଭାରତର ପ୍ରତି ପ୍ରାନ୍ତରେ, ଓଡ଼ିଶାରେ ମଧ୍ୟ । ଓଡ଼ିଆ ସାହିତ୍ୟର ପାଣିପାଗ କିନ୍ତୁ ସେତେବେଳେ ରବୀନ୍ଦ୍ରିୟ ହୋଇ ନଥିଲା । କାରଣ ଓଡ଼ିଶାର ବୁଦ୍ଧିଜୀବୀଗଣ ସେତେବେଳେ ଉଭୟ ସାହିତ୍ୟ ଓ ରାଜନୀତି କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ କାର୍ଯ୍ୟକ୍ରମ ଥିଲା ବହୁମୁଖୀ-ସ୍ଵତନ୍ତ୍ର ଉତ୍କଳ ଗଠନ, ସ୍ୱାଧୀନତା ସଂଗ୍ରାମ, ଦରିଦ୍ର ଓଡ଼ିଆଙ୍କ ଉନ୍ନତି ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ, ରାଜ-ଅତ୍ୟାଚାର ବିରୋଧରେ ଆନ୍ଦୋଳନ ଓ ଓଡ଼ିଆଙ୍କ ମନରୁ ଗୌଣଭାବ ଦୂରକରି ସ୍ଵାଭିମାନ ସୃଷ୍ଟି ଦିଗରେ ବୌଦ୍ଧିକ ଉଦ୍ୟମ ଆଦିକୁ ସେମାନେ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରି ନେଇଥିଲେ । ରାଧାନାଥଙ୍କ ପରବର୍ତ୍ତୀ କାଳର ଅଧିକାଂଶ ସ୍ୱାଧୀନଚେତା ଶିଳ୍ପୀମାନଙ୍କୁ ଏଇ ପରି ନାନା ସାମ୍ମୁଖ୍ୟରେ ନେତୃତ୍ୱ ନେବାକୁ ପଡ଼ିଥିଲା-। ଭାଷା ଓ ସାହିତ୍ୟର ସମୃଦ୍ଧି ପ୍ରତି ସେମାନେ ଯେତିକି ଉଦ୍ୟମଶୀଳ ଥିଲେ ସାମାଜିକ ଓ ରୀଜନୈତିକ କ୍ଷେତ୍ର ପ୍ରତି ସେତିକି ଅଙ୍ଗୀକାରବଦ୍ଧ ଥିଲେ । ଏହାର ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତ କବି ଗୋପବନ୍ଧୁ-

 

କବି ଗୋପବନ୍ଧୁଙ୍କ ମୃତ୍ୟୁ ହୁଏ ୧୯୨୮ ରେ । ସେଇବର୍ଷ ମଧ୍ୟ ପଲ୍ଲୀକବି ନନ୍ଦକିଶୋରଙ୍କ ଦେହାନ୍ତ ହୁଏ । ସେତେବେଳକୁ କବି ସଚ୍ଚିରାଉତରାୟଙ୍କୁ ମାତ୍ର ଦଶ ବର୍ଷ ।

 

ଗୋପବନ୍ଧୁଙ୍କ ମୃତ୍ୟୁପରେ ସାମାଜିକ ପ୍ରତିଶ୍ରୁତିବୋଧର ଯେମିତିକି ଭଟ୍ଟା ପଡ଼ିଗଲା । ରାଜନୈତିକ ଆକାଶ ଧୂମାଚ୍ଛନ୍ନ ହୋଇଗଲା । ସାହିତ୍ୟର ଆକାଶରେ ଯେଉଁ ନବ-ତାରକାମାନେ ଉଇଁଲେ ସେମାନଙ୍କର ମୁଖ୍ୟ ପ୍ରେରଣା ଥିଲା - ରବୀନ୍ଦ୍ରସାହିତ୍ୟର ଗୌରବ ।

 

ରାଜନୈତିକ ଆକାଶ କିଛିଟା ଦ୍ୱନ୍ଦପୂର୍ଣ୍ଣ ଓ ନୈରାଶ୍ୟଜନକ ଥିଲା । ଅସହଯୋଗ ଆନ୍ଦୋଳନ ତୀବ୍ରତର ହେଉଥିଲା । ଅଧିକରୁ ଅଧିକ ଯୁବକ ଗାନ୍ଧୀଜୀଙ୍କ ଆହ୍ୱାନରେ ବା ନେତାଜୀଙ୍କ ଆହ୍ୱାନରେ ଆନ୍ଦୋଳନରେ ଯୋଗଦେବାକୁ ଆଗେଇ ଯାଉଥିଲେ । ଅନ୍ୟ ପକ୍ଷରେ ଆଉ କେତେକ ଆନ୍ଦୋଳନକୁ ଏକ ‘ଭ୍ରମ' ବା ଏକ ହାସ୍ୟକର ମନୋବୃତ୍ତି ଭାବେ ଗ୍ରହଣ କରି ନେଇ ସ୍ଥିତାବସ୍ଥାର ସ୍ତାବକ ହୋଇ ରହିଥିଲେ । ନନ୍ଦକିଶୋରଙ୍କ ପରି କବି ପୂର୍ବରୁ ଦୃଷ୍ଟାନ୍ତ ରଖିଯାଇଥିଲେ - କନିକାଧୀଶଙ୍କ ଭାରତ ପ୍ରତ୍ୟାଗମନ ଅବସରରେ ସ୍ତାବକତା ଭିତ୍ତିକ ପଦ୍ୟ ରଚନା କରି, କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ପ୍ରଜାମେଳି(ବିଦ୍ରୋହ)ର ସୂତ୍ରପାତ କରି ଗୋପବନ୍ଧୁଙ୍କୁ କାରାବରଣ କରିବାକୁ ପଡ଼ିଥିଲା ।

 

ବସ୍ତୁତଃ ଦେଖିବାକୁ ଗଲେ ଯେଉଁମାନେ ସ୍ଥିତାବସ୍ଥାର ପକ୍ଷଭୁକ୍ତ ହେଲେ ସେମାନେ ଓଡ଼ିଆ ସମାଜର (ନିରୀହ ପ୍ରଜାଗଣଙ୍କ) ଅର୍ଥନୈତିକ ବାସ୍ତବତା କଥା ପାସୋରି ଦେଲେ । ଅତୀତରୁ ଆଖ୍ୟାନ ଉପାଖ୍ୟାନ ସଂଗ୍ରହ କରି ସାହିତ୍ୟରେ ରୋମାଂଚ ଓ ଭାବପ୍ରବଣତା ଭରିଦେଲେ ।

 

ଏହିପରି ଏକ ସ୍ଥିତାବସ୍ଥାମୁଖୀ ବିଦ୍ରୋହ ବିମୁଖ କଳ୍ପଲୋକାଶ୍ରିତ ସାହିତ୍ୟର ଜୟଯାତ୍ରା ଚାଲିଥିଲାବେଳେ-(ସବୁଜଯୁଗ) କିଶୋର ସଚ୍ଚି ରାଉତରାୟ ଲେଖନୀ ଧାରଣ କଲେ ।

 

ପଲ୍ଲୀକବିଙ୍କ ବହୁ ଚର୍ଚ୍ଚିତ ନିର୍ଝରିଣୀର ସାଫଲ୍ୟ ସେତେବେଳେ ପ୍ରୟୋଗବାଦୀ କବିତାର ଏକ ଦୃଷ୍ଟାନ୍ତ ରୂପେ ଗୃହୀତ ହେଉଥିଲା । ଯୁବକ ସଚ୍ଚି ରାଉତରାୟ ସେଇ ପଲ୍ଲୀଚିତ୍ର ସମ୍ବଳିତ କବିତା ସମୂହର ରସଗ୍ରାହୀ ପାଠକ ହୋଇଥିବା ଅସମ୍ଭବ ନୁହେଁ । ତାଙ୍କର କାବ୍ୟ-ଭାବନା ପ୍ରକାଶର ମାର୍ଗ ଖୋଜୁଥିଲା ବେଳେ ନନ୍ଦକିଶୋରଙ୍କ ସାହିତ୍ୟ ତାଙ୍କୁ ମାର୍ଗ-ଦର୍ଶନ କରାଇଥିଲା କହିଲେ ଅତ୍ୟୁକ୍ତି ହେବନି । ପ୍ରକାଶ ଥାଉକି ସରଳ ପଲ୍ଲୀ ଜୀବନର ଚିତ୍ର ସହିତ ପଲ୍ଲୀଭାଷା ଓ ଗାଉଁଲି ଗୀତର ଉଲ୍ଲେଖ ଓ ଉଦ୍ଧୃତ ନନ୍ଦକିଶୋରଙ୍କ ପଲ୍ଲୀ କବିତାଗୁଡ଼ିକୁ ସ୍ପୃହଣୀୟ ଅବସ୍ଥାକୁ ଉତ୍ତୋଳିତ କରିଥିଲା । ମନେହୁଏ - ଆଦ୍ୟକାଳରେ ସଚ୍ଚି ରାଉତରାୟ ସେଇ ସବୁର ପ୍ରେମରେ ପଡ଼ିଯାଇଥିଲେ । ତାଙ୍କର ବିଶେଷ କବିତା ସଂକଳନ ‘ପଲ୍ଲୀଶ୍ରୀ’ର କବିତାଗୁଡ଼ିକ ତାର ଉଦାହରଣ-

 

ଯଦିଓ ପୁସ୍ତକୀକୃତ ହେବାର ସମୟ ଦୃଷ୍ଟିରୁ ‘ପଲ୍ଲୀଶ୍ରୀ' (୧୯୪୨) କବିଙ୍କର ଏକ ପରବର୍ତ୍ତୀ ରଚନା ପରି ମନେହୁଏ, କିନ୍ତୁ ପଲ୍ଲୀଶ୍ରୀରେ ସଂକଳିତ କବିତାଗୁଡ଼ିକ ବାସ୍ତବରେ ‘ବାଜିରାଉତ’ର ପୂର୍ବବର୍ତ୍ତୀ । ସେସବୁରେ କବି ପ୍ରତିଭାର ଆଦ୍ୟ ଉଷାକାଳର ବହୁ ସଂକେତ ବିଦ୍ୟମାନ ଅଛି । ସମ୍ଭବତଃ ବହି ଛପା ହୋଇ ପାରୁନଥିଲା ଏବଂ ପରେ ପାଠ୍ୟ-ପୁସ୍ତକ ଭୀବେ ଗୃହୀତ ହେବାର ଉଜ୍ଜ୍ୱଳ ସଂଭାବନା ଥିବାରୁ ପୁସ୍ତକ ଆକାରରେ ମୁଦ୍ରିତ ହେଲା ।

 

‘ବାଜିରାଉତ' ପ୍ରଥମେ ୧୯୩୮ ରେ ସହକାର ପୃଷ୍ଠାରେ ଛପା ଯାଇଥିଲା । ପରେ ତା ୧୯୪୨ରେ ପୁସ୍ତକ ରୂପ ନେଲା, ଏବଂ ତାର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଲା ୧୯୪୩ରେ । ବାଜିରାଉତରେ କବି-ଚେତନାର ଉତ୍ତରଣକୁ ଲକ୍ଷ୍ୟ କଲେ- ‘ପଲ୍ଲୀଶ୍ରୀ’କୁ ଏକ ପୂର୍ବତନ ସୃଷ୍ଟି ଭାବେ ଗ୍ରହଣ କରିବାକୁ ପଡ଼ିବ ।

 

ଗ୍ରାମ ସମୁଦାୟ ପ୍ରତି ଏକ ଅନୁଶୀଳନାତ୍ମକ ଦୃଷ୍ଟିଭଂଗୀର ଭୂୟୋବିକାଶ ସଚ୍ଚି ରାଉତରାୟଙ୍କ ‘ପଲ୍ଲୀଶ୍ରୀ’ରେ ଘଟିଥିବା ପରିଦୃଷ୍ଟ ହୁଏ ଏବଂ ସେଇ ଦୃଷ୍ଟିରୁ ନନ୍ଦକିଶୋରଙ୍କ ଗ୍ରାମ-ଚେତନାର ଏକ ଉନ୍ନତି ଭାବେ ସଚ୍ଚି ରାଉତରାୟଙ୍କ ପଲ୍ଲୀକବିତାଗୁଡ଼ିକୁ ଗ୍ରହଣ କରିବାକୁ ହେବ । ରଚନା କାଳ ଯାହା ହେଉନା କାହିଁକି - ସଂକଳନ ଅନ୍ତର୍ଗତ ‘ଛୋଟ ମୋର ଗାଁଟି’ ଓ ‘ଗ୍ରାମ ଶ୍ମଶାନ' ଦୁଇଟି ଅନବଦ୍ୟ କବିତା, ଯହିଁରେ ପ୍ରତିଭାର ସ୍ଵାକ୍ଷର ରହିଛି । ଯଦି ବିଦ୍ୟାଳୟରେ ପାଠ୍ୟପୁସ୍ତକ ରୂପେ ଗୃହୀତ ହେବା ଲକ୍ଷ୍ୟରେ ଲେଖା ହୋଇଥାଏ-ସେଇ ଲକ୍ଷ୍ୟ ଯୋଗୁ କବିତାଗୁଡ଼ିକର ଗୁଣାତ୍ମକ ମାନ ହ୍ରାସ ହୋଇନି । ନନ୍ଦକିଶୋରଙ୍କ ପଲ୍ଲୀକବିତା ସହିତ ତୁଳନା କରି ଦେଖିଲେ ସଚ୍ଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି'ର ପ୍ରୟୋଗବାଦିତା ସ୍ଵୀକାର କରିବାକୁ ହୁଏ । ଛନ୍ଦ ଓ ବିଷୟବସ୍ତୁ ଉଭୟ କ୍ଷେତ୍ରରେ କବିଙ୍କ ସାଫଲ୍ୟ ପ୍ରଶଂସନୀୟ । କବିଙ୍କ ଭିତରେ ତଥାପି ଥିଲା ରୂପସୃଷ୍ଟିର ଆକୁଳତା, ସୌନ୍ଦର୍ଯ୍ୟ ପ୍ରତି ଅନୁରାଗ ଓ ସବୁଜୀୟ ଭାବ-ପ୍ରବଣତା । କିନ୍ତୁ ବୌଦ୍ଧିକ କ୍ଷେତ୍ରରେ କବି ବାସ୍ତବତାର ଆହ୍ୱାନ ପ୍ରତି ଥିଲେ ସମ୍ବେଦନଶୀଳ । ସାମାଜିକ ବିପ୍ଲବ ବା ନୂଆ ସମାଜର ସ୍ଵପ୍ନ କବିଙ୍କ ଭିତରେ ଅଙ୍ଗୀକାରର ନୂତନ କଲ୍ଲୋଳ ସୃଷ୍ଟି କରିପାରିଥିଲା । ବିଦ୍ରୋହୀ ପ୍ରାଣର ଭାଷା ‘ପଲ୍ଲୀଶ୍ରୀ’ରେ ଅସଙ୍ଗତ ମନେ ହେବାରୁ କବି ରାଉତରାୟ ସେସବୁର ପ୍ରୟୋଗେ କରିନାହାନ୍ତି ସତ କିନ୍ତୁ ‘ବାସ୍ତବତା’ର ଛବି ଆଙ୍କିବା ବେଳେ ବିଦ୍ରୁପ କରିବାକୁ ପଛେଇ ନାହାନ୍ତି । କବିଙ୍କର ହାସ୍ୟ ସୃଷ୍ଟିରେ ଦକ୍ଷତା ଥିଲା ଅପୂର୍ବ, ତା ସହିତ ଶାଣିତ ବିଦ୍ରୁପ ମିଶି ରହିଥିଲା, ଯାହା ପାରମ୍ପରିକ ଭାବ-ପ୍ରବଣ ପାଠକଙ୍କୁ ବାସ୍ତବ-ଭୂମିକୁ ଖସେଇ ଆଣିବାର ସାମର୍ଥ୍ୟ ବହନ କରିଥିଲା-। ଯେଉଁ ଛୋଟ ମୋର ଗାଁଟି ରେ ଥିଲା-

 

‘‘ଝରଣା ତାର କଲା ଯେ କବି/ନୟନେ ଦେଲା ରୂପର ଛବି ।- ସେଇ କବିତାରେ ଅନ୍ୟତ୍ର କବି ନିର୍ମଳ ହାସ୍ୟ ଭିତରେ ଉଲ୍ଲେଖ କରିଥିଲେ –

 

‘‘ଚଉକିଦାର ଗୋବରା ଭୋଇ

ରାତିଟାଯାକ ନିଦରେ ଶୋଇ

ସକାଳୁ କହେ ବୁଲାଇ ଦେଲି

ଚୋରକୁ କାଲି ଭୁଆଁଟି ।’’

 

ସେଇପରି ‘ଗ୍ରାମ ଶ୍ମଶାନ’ କବିତା ଆରମ୍ଭ ହୋଇଥିଲା ଏକ ଅଣ-ରୋମାଣ୍ଟିକ୍‌ ଭାଷା ବନ୍ଧରେ- ଯଥା- ‘‘ଗ୍ରାମ ଶେଷେ ଶମଶାନ/ କୂଢ଼ କୂଢ଼ ହାଡ଼ମାନ/ ବାଉଁଶ ମଶିଣା ପୁଣି ଆଟିକା ଥୁଆ’’ । କିନ୍ତୁ ପରବର୍ତ୍ତୀ ପଦମାନଙ୍କରେ - କବି ଗ୍ରାମ୍ୟ ପରିବେଶ, କର୍ମଧାରା ଓ ସଂସ୍କୃତିର ସମାବେଶ କରି ଏକ ଚମକ୍ତାର ଭାବାବେଗ ସୃଷ୍ଟି କରିଛନ୍ତି, ଶ୍ମଶାନ ତାର କରୁଣ ଜଟିଳ ‘‘ଧୂଆଁ ମୋଡ଼ି ମୋଡ଼ି’’ ଶୁଷ୍କତା ହରାଇ ବସିଚି । ‘‘ଶୁକଳ ନଅମୀ ଜହ୍ନ ଧୋଇଦିଏ ଶଣବନ/ ଆଖୁ କ୍ଷେତେ ରାତି ଜଗିଥାଏ ମୂଲିଆ ‘‘ଆଦିର ପ୍ରଭାବରେ ଶ୍ମଶାନର ଅନୁଭବ ମଧ୍ୟ ଲଳିତ ଓ ଆବେଦନ ମଧୁର ହୋଇଯାଇଥିବା ଦେଖାଯାଏ । ନନ୍ଦକିଶୋରଙ୍କ ପରି ସଚ୍ଚି ରାଉତରାୟ ଜନ୍ମ ହୋଇଥିଲେ ଗ୍ରାମରେ ଓ ଉଭୟଙ୍କ ଶୈଶବର ସ୍ମୃତି ସହିତ ଓତପ୍ରୋତ ଭାବେ ଜଡ଼ିତ ଥିଲା ପଲ୍ଲୀଟିଏ । ଏହି ପଲ୍ଲୀ-ସ୍ମୃତି ତାଙ୍କର ଥିଲା ଅମ୍ଳାନ ଓ ଅକ୍ଷୟ ପୁଂଜି, ଯାହାର ଚମତ୍କାର ଉପଯୋଗ ସେ ତାଙ୍କର ଅନ୍ୟାନ୍ୟ କବିତା ଓ କଥାମାନଙ୍କରେ କରିଥିବା ପରିଦୃଷ୍ଟ ହୁଏ ।

 

ପଲ୍ଲୀଶ୍ରୀର କବି ନନ୍ଦକିଶୋରଙ୍କ ପଲ୍ଲୀକୁ ସିନା ଚିହ୍ନିଥିଲେ ସେତେବେଳଯାଏ, ଦେଖି ନଥିଲେ ଗୋପବନ୍ଧୁଙ୍କ ପଲ୍ଲୀକୁ । ଦୂର୍ଗତ, ପୀଡ଼ିତ, ଅତ୍ୟାଚାରିତ ଓ ଅସହାୟ ମଣିଷଙ୍କ ବାସଭୂମି ଭାବେ ପଲ୍ଲୀର ଯେଉଁ ରୂପଟି କବି ଗୋପବନ୍ଧୁଙ୍କୁ ଚିର ସଂବେଦନଶୀଳ ଓ ସଂଗ୍ରାମୀ କରି ଗଢ଼ିଥିଲା-ସବୁଜକବିଙ୍କ ସ୍ଵପ୍ନର ମୁଲକରେ ତାର ତ ସ୍ଥାନ ନଥିଲା - ସଚ୍ଚି ରାଉତରାୟ ମଧ୍ୟ ସେ ପଲ୍ଲୀର ବାସ୍ତବତା ପ୍ରତି ଧ୍ୟାନ ଦେଇନଥିଲେ ।

 

‘ପଲ୍ଲୀଶ୍ରୀ’ରୁ ମନେ ହେଉଥିଲା ଯେ ତରୁଣ କବି ରାଉତରାୟ ନନ୍ଦକିଶୋରଙ୍କର ଛାୟାରେ ଆଉରି ଚାଲିବେ । ସାମାଜିକ ଓ ରାଜନୈତିକ ଆହ୍ୱାନଗୁଡ଼ିକୁ ଆଡ଼େଇ ଦେଇ ସାହିତ୍ୟ କରିବେ । ସମ୍ଭବତଃ ସମୟଟା ସେଇମିତି ଥିଲା । ସାହିତ୍ୟାଦର୍ଶ ଥିଲା ବିଡ଼ମ୍ବିତ । ସରକାରୀ କର୍ମଚାରୀ ରୂପେ ସାହିତ୍ୟିକଙ୍କ ଭାବନାର ଚାରଣଭୂମି ଥିଲା ସୀମାବଦ୍ଧ । କବି ନନ୍ଦକିଶୋର ନିଜକୁ ସାମାଜିକ ଓ ରାଜନୈତିକ ଆନ୍ଦୋଳନରୁ ତ ଦୂରେଇ ରଖିଥିଲେ, ଆନ୍ଦୋଳନକାରୀଙ୍କୁ ଦିପଦ ଉତ୍ସାହବାକ୍ୟ ଶୁଣେଇବା ଭଳି ମାନସିକତା ମଧ୍ୟ ତାଙ୍କର ନଥିଲା । ରକ୍ଷା ହୋଇଚି କବି ସଚ୍ଚି ରାଉତରାୟ ନିରାପଦ ସାହିତ୍ୟାଦର୍ଶର ଆକର୍ଷଣରୁ ମୁକୁଳି ଆସିଛନ୍ତି, ବୈପ୍ଲ‌ବିକ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ପାଇଁ ଅଙ୍ଗୀକୃତ ବିପଦପୂର୍ଣ୍ଣ ବହ୍ନିବଳୟ ଭିତରକୁ । ବାସ୍ତବିକ ନିଷ୍ଠୁର ସାମାଜିକ ଦୃଶ୍ୟପଟ ଅପେକ୍ଷା ରଖିଥିଲା ସଚ୍ଚି ରାଉତରାୟଙ୍କ ଭଳି ନିପୁଣ ଶିଳ୍ପୀଙ୍କର ଏବଂ ଗୋପବନ୍ଧୁଙ୍କ ପରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି, ସମୃଦ୍ଧି, ଚିନ୍ତା-ଚେତନାର ଉତ୍ତରଣ ଓ ସାମାଜିକ ଅଙ୍ଗୀକାରର ସୁରକ୍ଷା ଓ ସମ୍ମାନ ପାଇଁ ଆବଶ୍ୟକତା ଥିଲା ରାଉତରାୟଙ୍କ ପରି ପ୍ରତିଭାଧର ସ୍ରଷ୍ଟାଙ୍କର ।

 

ବାସ୍ତବିକ ‘ବାଜିରାଉତ’ରେ ପଲ୍ଲୀଶ୍ରୀର କବିଙ୍କୁ ସଂଧାନ କରି ହୁଏନି । ଦୁଇଟି ରଚନା ମଧ୍ୟରେ କି ତଫାତ୍‌ ! ‘ବାଜିରାଉତ’ ପଢ଼ିଲେ ମନେହୁଏ ଯେମିତିକି ସଚ୍ଚିରାଉତରାୟଙ୍କ ମୋହ-ଭଙ୍ଗ ଘଟିଚି (ବା ତାଙ୍କ ମାଧ୍ୟମରେ ସମସ୍ତ ଯୁବ-କବିଙ୍କ ମୋହଭଙ୍ଗ ଘଟିଚି) ସେ ଫେରିଆସିଛନ୍ତି-ନିଜର ଶିବିରକୁ, ଶତ୍ରୁ ପକ୍ଷରେ ରହି (ରାୟବାହାଦୂର ଇତ୍ୟାଦି ଉପାଧି ଲୋଭରେ) ଆତ୍ମପକ୍ଷକୁ କଳଙ୍କିତ କରିବା ଭଳି କ୍ଳୀବଚିନ୍ତାର ଗ୍ରାସରୁ ନିଜକୁ ମୁକ୍ତ କରି ।

 

‘ବାଜି ରାଉତ’ର ପରିଚୟ ପୃଷ୍ଠାରେ କବି ଲେଖିଥିଲେ - ‘ଏ କବିତାର ନାୟକ କୌଣସି ବିଖ୍ୟାତ ସେନାପତି, ଜନନାୟକ କି ମଧ୍ୟଯୁଗୀୟ ସର୍ଦ୍ଦାର ନୁହଁ, ବାରବର୍ଷର ‘ବାଜି ରାଉତ’ ପ୍ରଜାମେଳିର କେବଳ ନୁହଁ ଶ୍ରେଣୀହୀନ ସମାଜ ଗଠନ ଓ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ନାୟକ । ତାର ସହିଦତ୍ୱର ଗାଥା ଲେଖିବାକୁ ଯାଇ କବି ରାଉତରାୟ ସାମ୍ୟବାଦୀ ସଂଗ୍ରାମର ଦର୍ଶନ ଉପସ୍ଥାପନ କରିଛନ୍ତି । ମୁକ୍ତ ଛନ୍ଦରେ ଲିଖିତ ଏଇ ଦୀର୍ଘ କବିତା (ବା ଖଣ୍ଡ କାବ୍ୟ)ଟିର ସାହିତ୍ୟିକ ସାଫଲ୍ୟର ତୁଳନା ହିଁ ନାହିଁ । ଓଡ଼ିଆ ପ୍ରୟୋଗବାଦୀ କବିତାର ଧାରାରେ ଏହାର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିଶ୍ଚୟ ରହିଛି ।

 

ରାଉତରାୟଙ୍କ ପୂର୍ବତନ କବି ଗୋପବନ୍ଧୁଙ୍କ ଖଣ୍ଡକାବ୍ୟ ‘ଧର୍ମପଦ' ର ନାୟକ ଥିଲା ବାରବର୍ଷର ବଢ଼େଇ ପିଲା । କିମ୍ବଦନ୍ତୀରୁ ସାଉଁଟି ଆଣି ଗୋପବନ୍ଧୁ ତାକୁ ଓଡ଼ିଆ କାରିଗରକୁଳର ସ୍ଵାଭିମାନର ପ୍ରତୀକ କରି ଠିଆ କରି ଯାଇଥିଲେ । କିନ୍ତୁ ‘ଧର୍ମପଦ' ଠାରେ ବିଦ୍ରୋହ ନଥିଲା, ରାଜାଙ୍କ ଆଦେଶ ବିରୋଧରେ ‘ଅମାନ୍ୟ’ ନଥିଲା, ଯଦିଓ ସମଷ୍ଟି ପାଇଁ ତ୍ୟାଗର ନିଦର୍ଶନ ରଖିଯାଇଥିଲା ‘ଧର୍ମପଦ’ । କିନ୍ତୁ ସମଷ୍ଟିର ଦାବୀ ଓ ଜନନ୍ୟାୟ ପାଇଁ କବି ବାଜିରାଉତକୁ ସଂଗ୍ରାମୀ କରି ଗଢ଼ିଛନ୍ତି- ଯିଏ - କବିଙ୍କ ଭାଷାରେ-

 

‘‘ଏଡ଼ିକି ସେ ଅମାନିଆ ପିଲା

ଫଉଜର ଗୁଳି, ଗୁଳା, ରଜା, ଝଡ଼ କିଛି ନମାନିଲା

ଧୂଳିଖେଳ ଛାଡ଼ି

ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି ।’’ (ପୃ.୩)

 

ବାଜିରାଉତର ଚିତା ଜଳିବା ଭିତରେ ସାମ୍ୟବାଦୀ ସଂଗ୍ରାମର ସାଫଲ୍ୟ ଘେନି କବି ରାଉତରାୟ ଆଶାବାଦୀ ହୋଇଛନ୍ତି, ଯଥା:-

 

‘‘ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଥ୍‌ ଜାଳି ପୋଡ଼ି ଦବାକୁ ଧସାଇ’’-

ଯା’ କିଛି କୁତ୍ସିତ ଏଥି ଅଶୋଭନ, ଅଶ୍ଲୀଳ ଆବିଳ

ଜୀବନର ଛନ୍ଦ ସାଥେ ନାହିଁ ଯାର ଏତେଟିକେ ମେଳ

ପ୍ରତିବାଦ କରଇ ଯା’ଚିର

ସକଳ ସ୍ୱପ୍ନର ଏଥି, ମଣିଷରେ କରଇ ଅସ୍ଥିର

ଦୂର କରି ତାର କଳା ଛାଇ

ଲୋଡ଼ିଚି ସେ ଏ ଧରାରେ ଆଣିବାକୁ ଅଚକିତେ ବାହି

ସୃଜନର ନୂଆ ଭାଗୀରଥୀ

କ୍ରାନ୍ତିର ସାରଥି ।’’

 

କବି ସଚ୍ଚି ରାଉତରାୟ ନୂତନ ଆଙ୍ଗିକରେ ବିଶ୍ଵାସୀ ଓ ଅଣପାରମ୍ପରିକ ପ୍ରୟୋଗରେ ଆସ୍ଥାବାନ୍‌ ହେବା ସହିତ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା ପାଇଁ ବିପ୍ଲବର ଆବଶ୍ୟକତା ଉପଲବ୍ଧି କରିଛନ୍ତି । ସେଇ ପରିପ୍ରେକ୍ଷୀରେ ସାହିତ୍ୟିକର ଭୂମିକା କ’ଣ ହେବ ତା’ ମଧ୍ୟ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ‘ବାଜି ରାଉତ’ରେ । ଯଥା

 

‘‘ଆଜି ଏଥି ମଣିଷର ଶିଶୁ

ପଡ଼ିଚି ଭୂଇଁରେ ଲୋଟି ଅସହାୟେ ମରଣର ବିଷୁ

କାନ୍ଦ କବି ଶେଷ ଥର ପାଇଁ/ଗଗନ ପବନ ଯାଉ ସେଇ

ମ୍ଲାନ ବ୍ୟଥାରେ ମିଳାଇ/

ବନେ ବନେ ଉଠୁ ହାହାକାର

ଧରଣୀରେ ହେଉ ବନ୍ୟା/ମାଡ଼ି ଆସୁ ଅଶ୍ରୁ ପାରାବାର

ତଳେ ମାଟି ଉପରେ ଆକାଶ ଭରି ଦେଉ ଅଶ୍ରୁ ଜଳ

ତହିଁ ମଧ୍ୟେ ଯେତେ ଅବକାଶ ।’’

 

ସେ ମହାପ୍ଲାବନ/ସ୍ଵପନ ଖଚିତ ତବ ଅଳକାର ପ୍ରବାଳ ତୋରଣ ଦେଉ ଧ୍ଵଂସ କରି (ପୃ.୩୦)

 

ସର୍ବହରାର ପ୍ରତି ସମ୍ବେଦନଶୀଳ କବି ରାଉତରାୟ ସମଧର୍ମାମାନଙ୍କୁ ସଚେତ କରିଛନ୍ତି ଜୀବନର ବାସ୍ତବତା ପ୍ରତି ସଚ୍ଚୋଟ ହେବାକୁ-

 

ଯେଉଁଠି ମରଇ ଶିଶୁ/ଜନନୀର ଆର୍ଦ୍ର ବୁକେ ଶୋଇ

ଫୁଲର ଫସଲ ଯାଏ/ବୈଶାଖର କାଳ ଝଡ଼ ଧୋଇ

ତୁମର ନନ୍ଦନ କଳା/ତୁମର ଏ ମାଧବୀ କଳ୍ପନା

କିପରି ମଣିଷ ସତେ/କହ କବି କରିବ ଅର୍ଚ୍ଚନା ।

 

ସେ ଯେ ନିଃସ୍ଵ ସେ ଯେ ହତଭାଗା

ଅଗ୍ନିଖାଲି କ୍ଷୁଧା, ତୃଷ୍ଣା

      ଆଉ ଅଛି ଏତେ ଟିକେ ଜାଗା

ଧରାବୁକେ ମରିବାର ପାଇଁ,

ଚରଣେ ଶୃଙ୍ଖଳ ଅଛି-

ସେ ଯେ ସର୍ବହରା ଏହାଛଡ଼ା ଆଉ କିଛି ନାହିଁ

ହରାଇଛି ସବୁ କିଛି ବାକି ଅଛି ଶୃଙ୍ଖଳ ଓ କାରା ।’’ (ପୃ.୪୦)

 

କବି ରାଉତରାୟଙ୍କ ଅଭିଯାନ, ପାଥେୟ, ପାଣ୍ଡୁଲିପି (୧୯୪୭)ରେ ଏହି ସାମ୍ୟବାଦୀ ଚେତନା ପ୍ରକଟିତ ହେଇଥିଲେହେଁ ବାଜିରାଉତରେ ତା ଯେପରି ବଳିଷ୍ଠ, ପ୍ରଭାବଶାଳୀ ଓ ସ୍ୱାଦିଷ୍ଟ- ତା ଅନ୍ୟତ୍ର ଦୁର୍ଲଭ । ତରୁଣ ପ୍ରାଣର ଏ ରଣ - ଦୁନ୍ଦୁଭି ‘ପାଣ୍ଡୁଲିପି’ ବେଳକୁ ତତ୍ତ୍ୱମୁଖୀ ବୌଦ୍ଧିକ-ଚର୍ଯ୍ୟାରେ ପରିଣତ ହୋଇଥିବା ପରିଦୃଷ୍ଟ ହୁଏ । ପ୍ରୟୋଗବାଦୀ ଦୃଷ୍ଟି କୋଣରୁ ସେସବୁର ଭିନ୍ନ ମୂଲ୍ୟ ହୁଏତ ଅଛି, କିନ୍ତୁ ‘ବାଜିରାଉତ’କୁ କବିଙ୍କ ଶ୍ରେଷ୍ଠ କାଳଜୟୀ ସୃଷ୍ଟି ଭାବରେ ମାନିବାକୁ ହେବ-। ‘ବାଜିରାଉତର’ର ଲୋକପ୍ରିୟତା ଓ କାବ୍ୟିକ ମାନ୍ୟତା ଓଡ଼ିଆଭାଷାରେ କଳା ଓ ସାମାଜିକ ଅଙ୍ଗୀକାରର ବନ୍ଧନ ଦୃଢ଼ତର କଲା ।

 

ପରିଶେଷରେ ଏତିକି କହିବି ଯେ ଆଧୁନିକ ଓଡ଼ିଆ ସାହିତ୍ୟରେ ଯେଉଁ ଅଳ୍ପ କେଇଖଣ୍ଡି ଖଣ୍ଡକାବ୍ୟ ବା ଦୀର୍ଘ କବିତା ଭାବଧାରାର ମୌଳିକତା, ଚିନ୍ତାର ତାତ୍‌କାଳିକତା ଓ ବିଷୟବସ୍ତୁର ନବୀନତା ଦୃଷ୍ଟିରୁ ସର୍ବକାଳୀନ ସମ୍ମାନର ଅଧିକାରୀ, ସମଗ୍ର ଭାରତୀୟ ସାହିତ୍ୟରେ ଯେଉଁ ସୃଷ୍ଟିଗୁଡ଼ିକର ତୁଳନାହିଁ ନାହିଁ, ଏବଂ ଯେଉଁ ରଚନାଗୁଡ଼ିକ ପୂର୍ବର ଦେଶୀ କିମ୍ବା ବିଦେଶୀ ଦୃଷ୍ଟାନ୍ତର ଅନୁଗାମୀ ରଚନା ନୁହଁ ଅଥଚ ଯେଉଁ ଗୁଡ଼ିକ ସ୍ଵକୀୟ ସୃଷ୍ଟି ଗୌରବରେ ପାଠକଙ୍କ ଆଦର ଲାଭ କରିଛି- ସେଗୁଡ଼ିକ ମଧ୍ୟରେ ରାଧାନାଥ ରାୟଙ୍କ- ‘ଦରବାର’ ଓ ଗୋପବନ୍ଧୁ ଦାଶଙ୍କ ‘ବନ୍ଦୀର ଆତ୍ମକଥା’ ପ୍ରଥମ ଦୁଇ ସ୍ଥାନରେ ରହିବେ ଏବଂ ତୃତୀୟ ସ୍ଥାନଟି ନିଶ୍ଚୟ ‘ବାଜିରାଉତ’ ପାଇଁ ସୁରକ୍ଷିତ ।

 

ବାସ୍ତବିକ ‘ଦରବାର’ର କବି ଥିଲେ ସମାଜସ୍ଥ । ସାମାଜିକ ଅଂଗୀକାର ହିଁ ତାଙ୍କୁ ଦରବାର ରଚନା ପାଇଁ ପ୍ରେରଣା ଯୋଗାଇଥିଲା । ତାଙ୍କ ସାମାଜିକ ଭାବନା ସେତେବେଳେ ପ୍ରକାଶ ପାଇଥିଲା ସ୍ଵଦେଶପ୍ରେମ ରୂପରେ । କିନ୍ତୁ କ୍ଷୁବ୍ଧ କବି ଯେଉଁଭଳି ସମସାମୟିକ ସମାଜର ଅଶୋଭନୀୟ ଆଚରଣଗୁଡ଼ିକୁ ବିଦ୍ରୂପ କରିଛନ୍ତି- ତା ପ୍ରଣିଧାନ ଯୋଗ୍ୟ । ସେଭଳି ସଫଳ କାବ୍ୟ ସେତେବେଳେ ଭାରତୀୟ ସାହିତ୍ୟରେ ରଚିତ ହୋଇନଥିଲା । କବି ରାଧାନାଥ ସେଇ ଖଣ୍ଡକାବ୍ୟ ମାଧ୍ୟମରେ ସମାଜ ସହିତ ତାଙ୍କର ସଂପର୍କ, ଦାୟିତ୍ୱ ଓ ବିଚାର-ବିମର୍ଷ ପ୍ରକାଶ କରିଥିଲେ । ତା ଥିଲା କବିତା ଓ ସାମାଜିକ ଦାୟିତ୍ୱବୋଧ ମଧ୍ୟରେ ପ୍ରଥମ ହାତଗଣ୍ଠି । ‘ଦରବାର’ ଯେ ଓଡ଼ିଆ କବିତାର ଗୌରବ ବୃଦ୍ଧି କରିଛି, ସେପରି କବିତାର ଦୃଷ୍ଟାନ୍ତ ଯେ ପୂର୍ବରୁ ନଥିଲା- ଏହା ବୋଧହୁଏ ବୁଝାଇବାକୁ ପଡ଼ିବନି ।

 

କବିତ୍ୱ ଓ ସାମାଜିକ ପ୍ରତିଶ୍ରୁତି ଏଇ ନିବିଡ଼ ବନ୍ଧନ ନିବିଡ଼ତର ହେଲା ପରବର୍ତ୍ତୀ ସାହିତ୍ୟ ସାଧକ ଗୋପବନ୍ଧୁଙ୍କ ସୃଷ୍ଟିରେ । ସାମାଜିକ ଦାୟିତ୍ୱବୋଧ ଓ କଳ୍ପନା ତାଙ୍କ କବିତ୍ୱ ପକ୍ଷରେ ଥିଲା ଏକା କଥା, ଉଭୟ ତାଙ୍କୁ କାବ୍ୟ-ପ୍ରବଣ କରିବାରେ ସମର୍ଥ ଥିଲେ । ‘ବନ୍ଦୀର ଆତ୍ମକଥା’ ଯାହା ସେ ୧୯୨୩ ମସିହାରେ ହଜାରିବାଗ ଜେଲକୁ ବନ୍ଦୀଭାବେ ନିଆଯିବା ବେଳେ ରଚନା କରିଥିଲେ- ସେପରି ରଚନାର କୌଣସି ଉଦାହରଣ ପୂର୍ବରୁ ନଥିଲା । କବିର ଜନ-ସଂପର୍କ ଯେ କବିତା ପଦବାଚ୍ୟ ହେବ, ବନ୍ଦୀର ଜୀବନ ଯେ କଳା-ସୃଷ୍ଟି ଭାବେ ଗୃହୀତ ହେବ- ତାର କଳ୍ପନା ସେତେବେଳେ ତାଙ୍କ ସମଧର୍ମାମାନେ କରିନଥିଲେ । ଓଡ଼ିଆ ଲୋକଙ୍କ ସୁଖଦୁଃଖ ସହିତ କବି ନିଜକୁ ସାମିଲ କରିବା, ନିରୀହ ନାଗରିକଙ୍କ ଦୁର୍ଦ୍ଦଶାକୁ ନିଜର ଦୁଃଖ ଭାବେ ଗ୍ରହଣ କରିବା ଓ ସେପରି ଅବସ୍ଥାରେ ମଧ୍ୟ ସତ୍ୟ ଓ ତ୍ୟାଗର ପବିତ୍ରତାକୁ ପାସୋରି ନଦେଇ ସଂଗ୍ରାମ ପାଇଁ ଆହ୍ୱାନ ଦେବା ଓ ଏ ସମସ୍ତ ଉପାଦାନକୁ ମିଶେଇ କବିତା ରଚନା କରିବା ବାସ୍ତବିକ ଥିଲା ଏକ କ୍ରାନ୍ତିକାରୀ ପଦକ୍ଷେପ । ସେଥିରେ ଅଛି-

 

‘‘ପହଂଚିଛି ରେଳ ଜେନାପୁରେ ଆସି

ପରିଚିତ ମୋର ଜେନାପୁର ବାସୀ ।”-

 

ଏ ବକ୍ତବ୍ୟକୁ କବିତା କହିବାର ସାହସ କେବଳ ଗୋପବନ୍ଧୁଙ୍କର ଥିଲା । ଜନାଦେଶକୁ ସେ ଆପଣାର କାବ୍ୟିକ ଆବେଗ ସହିତ ମିଶାଇ ଦେଇ ପାରିଥିଲେ ।

 

‘‘ଆସିଥିଲି ଥରେ ଦୁଇବର୍ଷ ତଳେ

ବୁଡ଼ିଥିଲା ଜେନାପୁର ଯେବେ ଜଳେ

କେତେ ଗ୍ରାମ କେତେ ଘର କେତେ ଧନ

ହୋଇଥଲା ବନ୍ୟା ବିତ୍ପାତେ ଉଚ୍ଛନ୍ନ ।”

(ବନ୍ଦୀର ଆତ୍ମକଥା)

 

ପ୍ରୟୋଗବାଦିତାର କୌଣସି ଅହଂକାର ଗୋପବନ୍ଧୁଙ୍କର ନଥିଲା । କିନ୍ତୁ ବିଷୟବସ୍ତୁ ଦୃଷ୍ଟିରୁ ସେ ଯେଉଁ ନବୀନ ଉପାଦାନରେ ଓଡ଼ିଆ କବିତାକୁ ରୁଦ୍ଧିମନ୍ତ କଲେ- ତାର ପଟାନ୍ତର ନାହିଁ-। ତାଙ୍କ ନିଜ ସୃଷ୍ଟି ସମ୍ବନ୍ଧରେ ତାଙ୍କର ପ୍ରଚଣ୍ଡ ବିଶ୍ଵାସ ଥିଲା, ଯେଉଁ ବିଶ୍ଵାସର ସଂକେତ ରହିଥିଲା ସରଳ ଛନ୍ଦ, ସରଳ ଭାଷା ଓ ସାମାଜିକ ସମସ୍ୟା ଜଡ଼ିତ ଘଟଣାରେ, ବର୍ଣ୍ଣନାରେ । କନିକା ପ୍ରଜାଙ୍କ ଉପରେ ରାଜକୀୟ ଜୁଲୁମ କବିଙ୍କ ମନରେ ଯେଉଁ ଆଘାତ ଦେଇଥିଲା ତା ସେ ଭୁଲି ନଥିଲେ । ନିଜେ ବନ୍ଦୀ ହେବାର ଦୁଃଖଠାରୁ ପ୍ରଜାଙ୍କ ଦୁଃଖକୁ ଅଧିକ ଗୁରୁ ମନେ କରୁଥିଲେ ତେଣୁ ସେ ଭଦ୍ରଖବାସୀଙ୍କୁ ନିବେଦନ କରି କହିଛନ୍ତି -

 

“ଭଦ୍ରଖ କନିକା ଚିର ପ୍ରତିବେଶୀ

କନିକା ଦୁଃଖ କି କହିବି ବିଶେଷି

ଗ୍ରାସିତ କନିକା ପ୍ରଜା ପ୍ରତି ସଦା

ରଖିଥିବ ଭାଇ ସୋଦର ଶରଧା ।’’

 

ମୁଁ ଭାବୁଚି- ବନ୍ଦୀର ଆତ୍ମକଥା ଓ ଦରବାର ଭଳି ବାଜିରାଉତ ଏକ କାଳଜୟୀ ସୃଷ୍ଟି, ଯେଉଁଥିରେ ଗୋଟିଏ ଜାତିର ଗୋଟିଏ ସମୟର କଥା କୁହାଯାଇଥିଲେ ବି, ସବୁ ସମୟରେ ସବୁ ସମାଜରେ ତାର ପ୍ରାସଙ୍ଗିକତା ରହିବ ଓ ଆଦୃତ ହେବ । କବିଙ୍କ ଭାଷାରେ -

 

ଆଜିଠାରୁ ବହୁବର୍ଷ ପରେ/ତୁମେ କି ଜାଣିଚ ବଂଧୁ କେବେ

କେଉଁ କଳ୍ପାନ୍ତ ଶେଷରେ/ଆବିର୍ଭାବ ହେବ ପୁଣି ତବ ।

ଶତଦେହେ ଶତ ମନେ/ଢାଳି ନବ ଜୀବନ ଆସିବ ?

କବିଙ୍କର ଏ ଆଶଙ୍କା ଅନୁଚିତ । ‘ବାଜିରାଉତ’ ଅମର ହିଁ ରହିବ ।

 

***

 

ଏକାଡେମୀ ସମାଚାର

କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ

 

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କର୍ମବୀର ଗୌରୀଶଙ୍କର ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ତା ୧୩-୭-୯୮ରିଖ ସଂଧ୍ୟାରେ କଟକ ଟାଉନ୍‌ହଲ୍‌ରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ଵତ ସଭାରେ ‘ସମାଜ’ର ସଂପାଦିକା ଶ୍ରୀମତୀ ମନୋରମା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ସମାଲୋଚକ ଶ୍ରୀ ପଠାଣି ପଟ୍ଟନାୟକ ମୁଖ୍ୟବକ୍ତା, ଡକ୍ଟର ବିଜୟା ନନ୍ଦ ସିଂହ ଓ ଇଂଜିନିୟର ଶ୍ରୀ ପ୍ରଭାକର ସ୍ଵାଇଁ ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ ।

 

ମୁଖ୍ୟବକ୍ତା ଶ୍ରୀ ପଠାଣି ପଟ୍ଟନାୟକ କର୍ମବୀର ଗୌରୀଶଙ୍କରଙ୍କୁ ଜଣେ ବିଶିଷ୍ଟ ସଂଗଠକ ଓ ସାମ୍ବାଦିକ ବୋଲି ଅଭିହିତ କରି କହିଲେ ଯେ ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧି ସାଧନ ପାଇଁ ସାହିତ୍ୟ-ସାଧକମାନଙ୍କ ସହାୟତାରେ ସେ ମୌଳିକ ରଚନା ଓ ଅନୁବାଦ ଆକାରରେ ବହୁପାଠ୍ୟ ପୁସ୍ତକ ରଚନା କରି ଓଡ଼ିଆ ପାଠ୍ୟ ପୁସ୍ତକ ଭଣ୍ଡାରକୁ ସମୃଦ୍ଧ କରିଥିଲେ ।

 

ଶ୍ରୀ ପ୍ରଭାକର ସ୍ଵାଇଁ ଏବଂ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନିତ ବକ୍ତା ଭାବେ ଯୋଗଦେଇ କହିଲେ ଯେ ଉତ୍କଳର ବରପୁତ୍ର କର୍ମଯୋଗୀ ଗୌରୀଶଙ୍କର ରାୟ ଜଣେ ନିଷ୍ଠାପର ସାରସ୍ଵତ ସାଧକ, ସମାଜ ସଂସ୍କାରକ, ଜନସେବକ ତଥା ନିର୍ଭୀକ ସାଂବାଦିକ ଭାବରେ ଓଡ଼ିଶାରେ ସୁପରିଚିତ ଥିଲେ । ଘୋର ଦୁର୍ଦ୍ଦିନରେ ଓଡ଼ିଆଭାଷାର ମହତ୍ତ୍ୱ ରଖିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ସାରସ୍ଵତ ଉତ୍ସବର ଅଧ୍ୟକ୍ଷ ଶ୍ରୀ ରବି ସିଂ ତାଙ୍କ ସଭାପତି ଭାଷଣ ପ୍ରସଙ୍ଗରେ କହିଲେ ଯେ ଦୀର୍ଘ ପଚାଶ ବର୍ଷକାଳ ଉତ୍କଳ ଦୀପିକାର ସୁଯୋଗ୍ୟ ସଂପାଦକ ଭାବରେ ଗୌରୀଶଙ୍କର ଯଶସ୍ୱୀ । ସେହି ସମୟରେ ଦୀପିକା ପୃଷ୍ଠାରେ ତାଙ୍କର ସିଂହରଡ଼ି ସମଗ୍ର ବଙ୍ଗ ପ୍ରଦେଶକୁ ପ୍ରକମ୍ପିତ କରିଥିଲା । ତାଙ୍କର ନିର୍ଭୀକ ସାମ୍ବାଦିକତା ତତ୍‌କାଳୀନ ବହୁ ସଚେତନ ତଥା ଶିକ୍ଷିତ ଓଡ଼ିଆ ମନପ୍ରାଣକୁ ଆକୃଷ୍ଟ କରିଥିଲା । ଏକାଡେମୀର ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବପରିଷଦଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୫-୮-୯୮ ରିଖ ସଂଧ୍ୟାରେ କବିଙ୍କ ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁର ଶାସନରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ଉପସଭାପତି କବି ରବି ସିଂଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ଶ୍ରୀ ରଜତ କୁମାର କର ମୁଖ୍ୟବକ୍ତା, ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀ ସମ୍ମାନିତ ବକ୍ତା, ଶ୍ରୀ ରାଇଚରଣ ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶ୍ରୀ ରଜତ କୁମାର କର ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ପଣ୍ଡିତ ନୀଳକଣ୍ଠଦାସ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ସେ ଥିଲେ ନିର୍ଭୀକତା ଓ ସ୍ୱାଭିମାନର ପ୍ରତୀକ । ସାହିତ୍ୟ, ଧର୍ମ, ଦର୍ଶନ, ଇତିହାସ ରାଜନୀତି ପ୍ରଭୃତି ବିଭିନ୍ନ ଶାସ୍ତ୍ରରେ ସେ ଅଗାଧ ପାଣ୍ଡିତ୍ୟ ପ୍ରଦର୍ଶନ କରିଯାଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେ ଗତାନୁଗତିକତାର ଅଧୀନ ନହୋଇ ନକର ସ୍ୱାଧୀନ ମତ ବ୍ୟକ୍ତ କରୁଥିଲେ ।

 

ସମ୍ମାନିତ ବକ୍ତା ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥି ପଦ୍ୟ ଓ ଗଦ୍ୟ ସାହିତ୍ୟକୁ ପଣ୍ଡିତ ନୀଳକଣ୍ଠଙ୍କ ଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ବହୁ ଶିକ୍ଷା ସଂସ୍କୃତି ମୂଳକ, ସଂସ୍କାର ମୂଳକ, ସମାଲୋଚନା ମୂଳକ କଳାତ୍ମକ ଓ ଆଧ୍ୟାତ୍ମିକ ଭାବଧାରା ସମନ୍ୱିତ ପ୍ରବନ୍ଧ ରଚନା କରି ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଶିକ୍ଷା ଓ ସଂସ୍କୃତି ଉପରେ ଅନେକ ଉପାଦେୟ ଇଂରାଜୀ ପ୍ରବନ୍ଧ ଲେଖି ସେ ନିଜର ବିଜ୍ଞତା ତଥା ପାରଦର୍ଶିତା ପ୍ରତିପାଦନ କରିପାରିଛନ୍ତି । ତାଙ୍କ ପରି ସଂସ୍କୃତି ସଚେତନ ଆଲୋଚକ ଅତି ବିରଳ ବୋଲି ସେ ଭାଷଣ ପ୍ରସଙ୍ଗରେ କହିଥିଲେ । ଶ୍ରୀ ରାଇ ଚରଣ ଦାସ ପଣ୍ଡିତ ନୀଳକଣ୍ଠଙ୍କ ବହୁମୁଖୀ ପ୍ରତିଭାର ଆକଳନ କରି ତାଙ୍କର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସଂପର୍କରେ ଆଲୋକପାତ କରିଥିଲେ ।

 

ଏହି ସାରସ୍ଵତ ଆସରର ସଭାପତି କବି ଶ୍ରୀ ରବି ସିଂ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ପଣ୍ଡିତ ନୀଳକଣ୍ଠ ଥିଲେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ଓଡ଼ିଶା କଂଗ୍ରେସର କର୍ଣ୍ଣଧାର । ସେ ଅତ୍ୟନ୍ତ ଯୁକ୍ତିନିଷ୍ଠ ଥିଲେ ଏବଂ ଅତି ନିର୍ଭୀକ ଭାବରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ବିରୋଧରେ ସ୍ଵର ଉତ୍ତୋଳନ କରି ସମାଜ କଲ୍ୟାଣ ପାଇଁ ଚେଷ୍ଟିତ ଥିଲେ ।

 

ସଭା ଆରମ୍ଭରେ ଏକାଡେମୀର ସହସଚିବ ଶ୍ରୀ ଭବାନୀ ପ୍ରସାଦ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ବରଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ଗଙ୍ଗାଧର ମେହେର କ୍ଲବଙ୍କ ମିଳିତ ଆନୁକୂଲ୍ୟରେ ବରପାଲିଠାରେ ତା ୮-୮-୯୮ରିଖ ଦିନ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ସଭାରେ ପ୍ରଫେସର ହୃଦାନନ୍ଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବଟି ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଆଧୁନିକ ଯୁଗର ପ୍ରାରମ୍ଭରେ ଗଙ୍ଗାଧର ଜନୈକ ଶ୍ରେଷ୍ଠ କବିଭାବରେ ପରିଚିତ । ତାଙ୍କ ସାହିତ୍ୟକୃତିରେ ଆନ୍ତଃ-ପ୍ରକୃତି ଓ ବହିଃପ୍ରକୃତିର ଯଥାର୍ଥ ସମନ୍ୱୟ ଦେଖିବାକୁ ମିଳେ । ପ୍ରକୃତି ବର୍ଣ୍ଣନାରେ ତାଙ୍କର ସ୍ଵକୀୟ ପରିକଳ୍ପନା ତାଙ୍କୁ ‘ସ୍ୱଭାବ କବି’ର ଗୌରବ ପ୍ରଦାନ କରିଛି । ତାଙ୍କର ସର୍ବଶ୍ରେଷ୍ଠ ଅମ୍ଲାନକୃତି ତପସ୍ଵିନୀ ସୁମଧୁର ତଥା ସୁଲଳିତ ଭାଷା କାବ୍ୟଟିର ମର୍ଯ୍ୟାଦା ବୃଦ୍ଧିରେ ବହୁଭାବରେ ସହାୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।

 

ବିଜେପୁରର ସ୍ଥାନୀୟ ବିଧାୟକ ଶ୍ରୀ ରିପୁନାଥ ସେଠ୍‌ ସମ୍ମାନିତ ଅତିଥି‌ ଭାବେ ଯୋଗଦାନ କରି କହିଲେ ଯେ ପ୍ରତ୍ୟେକ ଲେଖାରେ କବିଙ୍କର ଗଭୀର ସୌନ୍ଦର୍ଯ୍ୟବୋଧ ଜାତୀୟତା ଓ ଉତ୍କଳପ୍ରୀତିର ସ୍ପଷ୍ଟ ପରିଚୟ ମିଳେ । ଏହି ସଭାର ମୁଖ୍ୟବକ୍ତା ଶ୍ରୀ ଘନଶ୍ୟାମ ମିଶ୍ର ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ କବିଙ୍କ ବିଷୟବସ୍ତୁ ଉପସ୍ଥାପନରେ ଯେଉଁ କୌଶଳ ପ୍ରଦର୍ଶନ କରିଛନ୍ତି ତାହା ତାଙ୍କ ପ୍ରତିଭାର ସ୍ପଷ୍ଟ ପରିଚୟ ପ୍ରଦାନ କରେ । ତାଙ୍କ ନୈସର୍ଗିକ ଶୋଭା ବର୍ଣ୍ଣନା ଅତି ଉଚ୍ଚକୋଟୀର ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ବରପାଲି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥି‌ଲା । ଗଙ୍ଗାଧର ମେହେର କ୍ଲବର ଶ୍ରୀ ବିନୋଦ ସାହୁ ପ୍ରାକ୍‌ ସୂଚନା ପ୍ରଦାନ କରିଥି‌ଲେ । ଶେଷରେ ଗଙ୍ଗାଧର ମେହେର କ୍ଲବର ସଦସ୍ୟ ଶ୍ରୀ ସୁରେନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

 

ଆଲୋଚନା-ଚକ୍ର : ‘ସ୍ୱାଧୀନତା ଓ ସ୍ୱାଭିମାନ’

ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପନ ଅବସରରେ ସଂସ୍କୃତି ବିଭାଗ ଓଡ଼ିଶା ଓ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ମିଳିତ ଆନୁକୂଲ୍ୟରେ ତା ୯-୮-୯୮ରିଖ ପୂର୍ବାହ୍ନ ଦଶଘଣ୍ଟା ସମୟରେ ଐତିହାସିକ ପୀଠ ବରୁଣେଇ ଠାରେ ‘‘ସ୍ଵାଧୀନତା ଉତ୍ତର ଓଡ଼ିଆ ସାହିତ୍ୟର ପ୍ରମୁଖ ଲକ୍ଷଣ’’ ଉପରେ ପ୍ରବୀଣ ସାହିତ୍ୟିକମାନଙ୍କୁ ନେଇ ଏକ ଅନ୍ତରଙ୍ଗ ଆଲୋଚନାର ଆୟୋଜନ କରାଯାଇଥି‌ଲା । ଏହି ଦିବସର ଅପରାହ୍ନ ପାଞ୍ଚ ଘଣ୍ଟା ସମୟରେ ଖୋର୍ଦ୍ଧାସ୍ଥିତ ଟାଉନ୍‌ହଲ୍‌ଠାରେ ‘‘ସ୍ୱାଧୀନତା ଓ ସ୍ୱାଭିମାନ’’ ଶୀର୍ଷକ ସାରସ୍ୱତ ସଭାର ମଧ୍ୟ ଆୟୋଜନ କରାଯାଇଥି‌ଲା ।

 

ଏହି ସାରସ୍ଵତ ସଭାରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ସଚ୍ଚିରାଉତରାୟ ମୁଖ୍ୟ ଅତିଥି‌, ସମ୍ବାଦ ଓ ସନ୍‌ଟାଇମ୍‌ସର ସଂପାଦକ ଶୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଓ ଖୋର୍ଦ୍ଧାର ବିଧାୟକ ଶ୍ରୀ ଦିଲ୍ଲୀପ ଶ୍ରୀଚନ୍ଦନ ସମ୍ମାନିତ ବକ୍ତାଭାବେ ଯୋଗଦାନ କରିଥିଲେ ।

 

ଏକାଡ଼େମୀର ଉପସଭାପତି କବି ରବି ସିଂଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ଵତ ଆସରରେ ମୁଖ୍ୟ ଅତିଥି‌ ବର୍ଷୀୟାନ କବି ସଚ୍ଚି ରାଉତରାୟ ଖୋରଧା ଓଡ଼ିଶାର ସ୍ୱାଧୀନତା ଓ ସ୍ୱାଭିମାନର ମୁଳକ୍ଷେତ୍ର ବୋଲି କହି ପିଣ୍ଡିକ ବାହୁ ବଳେନ୍ଦ୍ରଙ୍କ ସାଲିସ ବିହୀନ ଜୀବନର ଉତ୍କର୍ଷତା ଦର୍ଶାଇଥି‌ଲେ । ଦେଶରେ ଅନ୍ନ ସଂସ୍ଥାନ ଓ ସ୍ଵାଭିମାନ ପାଇଁ ଆଉ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସେ ଏହି ଭାଷଣ ପ୍ରସଙ୍ଗରେ କହିଥି‌ଲେ । କବି ରବି ସିଂ ତାଙ୍କ ସଭାପତି ଭାଷଣରେ କହିଲେ ଯେ ଭାଷାଦ୍ୱାରା ଆମେ ଆମର ଅବସ୍ଥା ପ୍ରକାଶ କରିପାରିବା । ଓଡ଼ିଆ ଭାଷାକୁ ଉନ୍ନତ କରିବା ପାଇଁ ସମ୍ବାଦପତ୍ରମାନେ ଚେଷ୍ଟା କରିବା ଆବଶ୍ୟକ । ମୁଖ୍ୟବକ୍ତା ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ସାହିତ୍ୟ ଭାଷା କ୍ଷେତ୍ରରେ ଆମେ ସଜାଗ ନହେଲେ ଆମର ଭୂଖଣ୍ଡର ଏକତ୍ରୀକରଣ ଆମେ କରିପାରିବା ନାହିଁ । ଓଡ଼ିଶା ବାହାରେ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରହିଛି । ସେଥି‌ପାଇଁ ଆମ ମଧ୍ୟରେ ଜାଗରଣ ସୃଷ୍ଠି ହେବା ଆବଶ୍ୟକ । ଏହି ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ । ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀ ଚନ୍ଦନ ଖୋର୍ଦ୍ଧା ଐତିହ୍ୟ, ସାହସିକତା ବିଷୟ ବର୍ଣ୍ଣନା କରି ଆମର ସ୍ଵାଭିମାନ ଓ ଭାଷାକୁ ସଦା ଜାଗ୍ରତ ରଖିବାକୁ କହିଥି‌ଲେ । ଏଥି‌ ପୂର୍ବରୁ ବରୁଣେଇଠାରେ ସାହିତ୍ୟ ରଥି‌ମାନେ । ଏକତ୍ର ହୋଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ଜନମାନସରେ ପ୍ରତିଷ୍ଠା କରିବାକୁ କହିଥି‌ଲେ ।

 

ପଣ୍ଡିତ ଗୋପୀନାଥ ନନ୍ଦ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୨୧-୮-୯୮ ରିଖରେ ପାରଳାଖେମୁଣ୍ଡିଠାରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ଉତ୍ସବର ଆୟୋଜନ କରାଯାଇଥିଲା । ଏଥି‌ରେ ଏକାଡେମୀର ଉପସଭାପତି କବି ଶ୍ରୀ ରବି ସିଂ, ଡକ୍ଟର ନଟବର ଶତପଥୀ, ଡକ୍ଟର ପ୍ରଦୀପ କୁମାର ଦାସ ଏବଂ ସ୍ଥାନୀୟ ବହୁ ସାହିତ୍ୟପ୍ରେମୀ ବୃନ୍ଦ ଯୋଗଦାନ କରି ଗୋପୀନାଥ ନନ୍ଦଙ୍କ ଅମ୍ଳାନ ପ୍ରତିଭା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

ଉତ୍ସବରେ ସମ୍ମାନିତ ବକ୍ତାଭାବରେ ଯୋଗଦାନ କରି ଡକ୍ଟର ପ୍ରଦୀପ କୁମାର ଦାସ ଗୋପୀନାଥ ନନ୍ଦଙ୍କୁ ଜଣେ ମହାନ ଯୋଗୀ ଭାଷାସାଧକ ଭାବେ ବର୍ଣ୍ଣନା କରି ଭାଷା ସାହିତ୍ୟରେ ତାଙ୍କର ଗଭୀର ବ୍ୟୁତ୍ପତ୍ତି ତଥା ଭାଷାର ମୌଳିକତା ସଂପର୍କରେ ସବିଶେଷ ଆଲୋକପାତ କରିଥଲେ । ମୁଖ୍ୟବକ୍ତା ଡକ୍ଟର ନଟବର ଶତପଥୀ ପଣ୍ଡିତ ଗୋପୀନାଥ ନନ୍ଦଙ୍କୁ ଜଣେ ବିଚକ୍ଷଣ ଯୋଗଜନ୍ମା ପୁରୁଷ ବୋଲି ଅଭିହିତ କରିଥିଲେ । ଓଡ଼ିଆ ଭାଷାର ସ୍ଵତନ୍ତ୍ର ସ୍ଥିତି ଓ ମର୍ଯ୍ୟାଦା ବଜାୟ ରଖିବା ପାଇଁ ତାଙ୍କର ଐକାନ୍ତିକ ଉଦ୍ୟମ ଅତୀବ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥି‌ଲେ । ଏକାଡେମୀର ଉପ-ସଭାପତି ଶ୍ରୀ ରବି ସିଂ ଉତ୍ସବରେ ପୌରୋହିତ୍ୟ କରି ଗୋପୀନାଥ ନନ୍ଦଙ୍କୁ ସାର୍ଥକ ଭାଷାବିଜ୍ଞାନୀ ଭାବେ ବର୍ଣ୍ଣନା କରିଥିଲେ ।

 

ଏହି ଉତ୍ସବରେ ଶ୍ରୀ ପ୍ରଦୀପ କୁମାର ପୂଜାପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥି‌ଲେ ଏବଂ ଶ୍ରୀ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ :

ତା ୩୦-୮-୯୮ ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବ୍ରହ୍ମଗିରିସ୍ଥ ଅଲାରନାଥ ମନ୍ଦିର ପରିସର ମଧ୍ୟରେ ଥିବା ଶ୍ରୀ ଚୈତନ୍ୟ ମଣ୍ତପଠାରେ ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଏକାଡେମୀର ଉପ-ସଭାପତି ଶ୍ରୀ ରବି ସିଂଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ଏହି ଜୟନ୍ତୀ ଉତ୍ସବ ଉପଲକ୍ଷେ ଅତିବଡ଼ୀଙ୍କ ସ୍ମୃତିଚାରଣ କରାଯାଇ ତାଙ୍କର ମହାନ୍‌ ସ୍ମୃତି ଉଦ୍ଦେଶ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉତ୍ସବ ଆରମ୍ଭରେ ଏକାଡେମୀ ପକ୍ଷରୁ ଶ୍ରୀ ରବିରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଏକାଡେମୀର ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ସଂପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।

 

ସ୍ଥାନୀୟ ଅଲାରନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ସାହୁ ସମ୍ମାନିତ ଅତିଥି‌ ଭାବେ ଯୋଗଦେଇ କହିଲେ ଯେ ପଞ୍ଚଦଶ ଶତାବ୍ଦୀରେ ବିଭିନ୍ନ ଆଡ଼ୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିପନ୍ନଲାଗି ହେଉଥି‌ବା ଷଡ଼ଯନ୍ତ୍ରକୁ ଅତିବଡ଼ୀ ଉଚିତ ମୁକାବିଲା କରି ସେ ତାଙ୍କର ଭାଗବତ ରଚନା କରିଥିଲେ । ସମ୍ମାନିତ ବକ୍ତାଭାବରେ ‘ଚିର ସଂଧାନ’ ସାପ୍ତାହିକୀର ସଂପାଦକ ପାର୍ଥସାରଥି‌ ଅଜୟ ବାରିକ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଅତିବଡ଼ି ଜଗନ୍ନାଥ ଦାସ ସେତେବେଳେ ଯଦି ଓଡ଼ିଆ ଭାଗବତ ଲେଖି‌ନଥାନ୍ତେ ତେବେ ବର୍ତ୍ତମାନର ଓଡ଼ିଶା ରାଜ୍ୟ କି ଆମର ମାତୃଭାଷା ଓଡ଼ିଆର ସ୍ଥିତି ନଥାନ୍ତା । ସେ ଭାଗବତର କିୟଦଂଶ ଆବୃତ୍ତି କରି ଜଗନ୍ନାଥଙ୍କ ରଚନାର ଲାଳିତ୍ୟ ଓ ତାଙ୍କର ଜୀବନ ଦର୍ଶନ ଉପରେ ଏକ ଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ମୃତି ସଭାର ମୁଖ୍ୟ ବକ୍ତା କୁମାର କବି ଅରକ୍ଷିତ ପ୍ରଧାନ ଯୋଗଦେଇ ଓଡ଼ିଆ ଜାତି ଓ ଭାଷା ଜଗନ୍ନାଥ ଦାସଙ୍କ ପାଇଁ ବିଶ୍ଵଦରବାରରେ ପ୍ରତିଷ୍ଠିତ ହୋଇଛି ଏବଂ ଏଥି‌ପାଇଁ ଆମେ ଗର୍ବିତ ବୋଲି କହିଥି‌ଲେ । ଅତିବଡ଼ୀଙ୍କୁ ସମଗ୍ର ପୂର୍ବଭାରତରେ କିଭଳି ଭାବରେ ଭକ୍ତି କରାଯାଉଛି ତାହା ସେ ତାଙ୍କର ସ୍ଵ ଅନୁଭୂତିରୂ ବିଶଦ ଭାବରେ ପ୍ରକାଶ କରିଥି‌ଲେ । ଜଗନ୍ନାଥ ଦାସଙ୍କ ରଚିତ ଅନେକଗୁଡ଼ିଏ ଗ୍ରନ୍ଥ ଏବେସୁଦ୍ଧା ଲୁକ୍‌କାୟିତ ହୋଇ ରହିଥିବାରୁ ସେଗୁଡ଼ିକର ଉଦ୍ଧାର କରାଯାଇ ପ୍ରକାଶ କରାଗଲେ ଆମ ଓଡ଼ିଆ ସାହିତ୍ୟର ମର୍ଯ୍ୟାଦା ବୃଦ୍ଧି ଘଟିବା ସଂଗେ ଆଗାମୀ ବଂଶଧରମାନଙ୍କୁ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ ମତ ପ୍ରକାଶ କରିଥି‌ଲେ । ଉତ୍ସବରେ ପୌରୋହିତ୍ୟ କରି ଶ୍ରୀ ରବି ସିଂ ଅତିବଡ଼ୀଙ୍କ ଆବିର୍ଭାବ ଓ ଅମ୍ଳାନକୃତି ଭାଗବତ ଓଡ଼ିଆ ଜାତିକୁ ଓ ଭାଷାକୁ ଏକ ନିଶ୍ଚିତ ବିପନ୍ନରୁ ରକ୍ଷା କରିଥଲା ବୋଲି ମତ ଦେଇଥି‌ଲେ । ସାହିତ୍ୟକୁ ଗଣାଭିମୁଖୀ କରିବା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ଯେଉଁ ଉଦ୍ୟମ କରିଥିଲେ, ବର୍ତ୍ତମାନର ସାରସ୍ଵତ ସାଧକମାନେ ତାଙ୍କର ପଦାନୁସରଣ କରିବା ଉଚିତ୍‌ ବୋଲି ସେ ଆହ୍ୱାନ ଦେଇଥିଲେ । ପରିଶେଷରେ ଯୁଗଜ୍ୟୋତି ସାହିତ୍ୟ ସଂସଦ ପକ୍ଷରୁ ଅତିଥି‌ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

କବିବର ରାଧାନାଥ ଜୟନ୍ତୀ ।

ଓଡ଼ିଶା ସାହିତ୍ୟ ଏକାଡେମୀ, ରାଜ୍ୟ ସଂସ୍କୃତି ବିଭାଗ ଓ ସୋରସ୍ଥ ରାଧାନାଥ ପାଠାଗାରଙ୍କ ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ୧୫୦ ତମ ଜୟନ୍ତୀ ସମାରୋହ ତା ୨୪-୯-୯୮ରିଖ ସଂଧ୍ୟାରେ ରାଜ୍ୟ ସୂଚନା ଭବନଠାରେ ଅନୁଷ୍ଠିତ ହୋଇଥିଲା । ଉତ୍ସବ ଆରମ୍ଭରେ ସଂଗୀତ ସୁଧାକର କଳାତୀର୍ଥର କଳାକାର ବୃନ୍ଦ କବିବର ବିରଚିତ ଭାରତ ଗୀତିକା ଗାନ କରିବା ସଂଗେ ସଂଗେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ବରେଣ୍ୟ କବି ଶ୍ରୀ ରମାକାନ୍ତ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ସମାରୋହକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ।

 

ଏକାଡେମୀର ସଚିବ ଡକ୍ଟର ହର ପ୍ରସାଦ ପରିଚ୍ଛା ପଟନାୟକ ତାଙ୍କର ସ୍ଵାଗତ ଭାଷଣ ପ୍ରସଙ୍ଗରେ ବିଶିଷ୍ଟ ସାରସ୍ଵତ ସାଧକମାନଙ୍କର ଜୟନ୍ତୀ ପାଳନର ଆବଶ୍ୟକତା ଓ ଗ୍ରାମାଞ୍ଚଳରେ ତାର ସୁପ୍ରଭାବ ସଂପର୍କରେ ଉଲ୍ଲେଖ କରିଥିଲେ । ତା ୨୧-୯-୯୮ ରିଖରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟକାରୀ ପରିଷଦଙ୍କ ନିଷ୍ପତ୍ତିକ୍ରମେ ଭକ୍ତକବି ମଧୁସୂଦନ ରାଓ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠ ନାଥ ପଟ୍ଟନାୟକ, କାହ୍ନୁ ଚରଣ ମହାନ୍ତି ଏବଂ ମାୟାଧର ମାନସିଂହଙ୍କ ଜୟନ୍ତୀ ଆଗାମୀ ବର୍ଷପରି ପାଳିତ ହେବ ବୋଲି ଜଣାଇଥି‌ଲେ । ରାଧାନାଥଙ୍କ ସାହିତ୍ୟ ପଢ଼ି ଓଡ଼ିଶାର ଭୌଗୋଳିକ ପରିସ୍ଥିତି, ପ୍ରକୃତି ଓ ପରିବେଶ ସଂପର୍କରେ ଜନସାଧାରଣ ସଚେତନ ହୋଇ ପାରିଥିଲେ ବୋଲି ସେ ମତ ପ୍ରକାଶ କରିଥି‌ଲେ।

 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଏକାଡେମୀର ସଭାପତି ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି‌ ଭାବରେ ଯୋଗଦାନ କରି ରାଧାନାଥଙ୍କୁ ଆଧୁନିକ ଓଡ଼ିଆ କାବ୍ୟଯୁଗର ପ୍ରବର୍ତ୍ତକ ଓ ସ୍ରଷ୍ଟା ଭାବରେ ଅଭିହିତ କରି ତାଙ୍କର ଅନନ୍ୟ ସାଧାରଣ କାବ୍ୟିକ ପ୍ରତିଭା ସଂପର୍କରେ ଆଲୋକପାତ କରିଥି‌ଲେ । ଯଥାର୍ଥରେ ତାଙ୍କୁ କବିବର ଉପାଧି ପ୍ରଦାନ କରାଯାଇଛି ବୋଲି ସେ କହିଥି‌ଲେ । ଯଦିଓ ରାଧାନାଥ ଉଭୟ ଓଡ଼ିଆ ଓ ବଙ୍ଗଳାରେ ତାଙ୍କର ପାରଦର୍ଶିତା ଦେଖାଇଛନ୍ତି ତଥାପି ଓଡ଼ିଆ ଭାଷାର ସୁରକ୍ଷା ଓ ଉନ୍ନତି କଳ୍ପେ ସେ ଓଡ଼ିଆରେ ଲେଖନୀ ଚାଳନା କରିଥି‌ଲେ । କବିବରଙ୍କ ସ୍ମୃତିକୁ ଉଦ୍‌ଜୀବିତ ରଖିବା ପାଇଁ ରାଧାନାଥ ପାଠାଗାରର ସ୍ଵଗୃହ ନିର୍ମାଣ ନିମନ୍ତେ ସରକାର ସମସ୍ତ ସାହାଯ୍ୟ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥି‌ଲେ । ରାଧାନାଥ ପାଠାଗାର ପକ୍ଷରୁ ପ୍ରକାଶିତ ‘ରାଧାନାଥ ଜୀବନୀ’ ଓ ‘ରାଧାନାଥ-ପରିଚିତି’ ପୁସ୍ତକଦ୍ୱୟର ସେ ଶୁଭନ୍ମୋଚୋନ କରିଥିଲେ ।

 

କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ବରେଣ୍ୟ କବି ଶ୍ରୀ ରମାକାନ୍ତ ରଥ ତାଙ୍କର ଉଦ୍‌ଘାଟନୀ ଭାଷଣ ପ୍ରସଙ୍ଗରେ କହିଲେ ଯେ ରାଧାନାଥ ରାୟ ଥି‌ଲେ ଏକ ନୂତନ କାବ୍ୟଧାରାର ପ୍ରବର୍ତ୍ତକ । ରୀତିଯୁଗର ପରଂପରା ଉପରେ ସେ ଏକ ନୂତନ କାବ୍ୟଶିଳ୍ପ ପ୍ରତିଷ୍ଠା କରି ଅସାଧାରଣ କାବ୍ୟିକ ପ୍ରତିଭାର ପରିଚୟ ଦେଇଛନ୍ତି ।

 

ରାଧାନାଥ ପାଠାଗାରର ସଭାପତି ବିଶିଷ୍ଟ କବି ସମାଲୋଚକ ନାଟ୍ୟକାର ଶ୍ରୀ ଯଦୁନାଥ ଦାସ ମହାପାତ୍ର ଏଥି‌ରେ ସମ୍ମାନିତ ଅତିଥି‌ ଭାବରେ ଯୋଗଦାନ କରି କବିବର ରାଧାନାଥଙ୍କ ଜୀବନ ଓ ସାହିତ୍ୟ କୃତି ସଂପର୍କରେ ଆଲୋକପାତ କରିବା ସଂଗେ ସଂଗେ ପୂଜ୍ୟପୂଜା କ୍ଷେତ୍ରରେ ରାଧାନାଥ-ପାଠାଗାରର କାର୍ଯ୍ୟାବଳୀ ବିଷୟରେ ଉଲ୍ଲେଖ କରିଥିଲେ । ବିଶିଷ୍ଟ କବି ଓ ସମାଲୋଚକ ଅଧ୍ୟାପକ ଶ୍ରୀ ଚିନ୍ତାମଣି ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି କବିବରଙ୍କ ସମଗ୍ର କୃତିର ଆକଳନ କରି ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥି‌ଲେ । ରାଧାନାଥ ଯଥାର୍ଥରେ ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା ବୋଲି ତାଙ୍କର କାବ୍ୟର ବହୁ ଉଦାହରଣ ଦେଇ ସେ ପ୍ରତିପାଦିତ କରିଥି‌ଲେ । ସମାରୋହରେ ସଭାପତିତ୍ଵ କରି ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଭାଷା ଆନ୍ଦୋଳନରେ ରାଧାନାଥଙ୍କ ଗୁରୂତ୍ୱପୂର୍ଣ୍ଣ ଭୂମିକା ଏବଂ ତାଙ୍କର କାଳଜୟୀ ସାରସ୍ଵତ ଅବଦାନ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶ୍ରୀମତୀ ଭାରତୀ ବିଶ୍ଵାଳ ସୁଲଳିତ କଣ୍ଠରେ କବି ବନ୍ଦନା ଗାନ କରିଥିଲେ । ରାଧାନାଥ ପାଠାଗାର ପକ୍ଷରୁ ଆୟୋଜିତ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି‌ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥି‌ଲେ । ଶେଷରେ ରାଧାନାଥ ପାଠାଗାରର ସଂପାଦକ ଶ୍ରୀ ସୁନ୍ଦର ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

***